ଏବେ ଗୋଟିଏ ହ୍ବାଟ୍ସଆପ୍ ଗ୍ରୁପ୍ରେ ଜଣେ ବରିଷ୍ଠ ନାଗରିକ ଏହି ବାର୍ତ୍ତାଟି ଦେଇଥିଲେ: ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି। ସାଧାରଣ ଲୋକେ ବିଚଳିତ ନୁହନ୍ତି। ଗତ ଶତାବ୍ଦୀର ଅଶୀ କିମ୍ବା ନବେ ଦଶକ ହୋଇଥିଲେ, ବନ୍ଦ, ହି˚ସାତ୍ମକ ବିକ୍ଷୋଭ, ସରକାରୀ ସ˚ପତ୍ତି ଧ୍ବ˚ସ କରାଯାଇଥାଆନ୍ତା। ବୋଧହୁଏ ଏବେ ଯେଉଁ ଯୁବକମାନେ ହୋଣ୍ତା ସାଇନ୍ ପରି ମୋଟର ସାଇକେଲ ଚଢ଼ୁଛନ୍ତି, ସେମାନେ ଅଧିକ କିଛି ଟଙ୍କା ପେଟ୍ରୋଲ ପାଇଁ ବ୍ୟୟ କରିବାକୁ କିଛି ମନେ କରୁନାହାନ୍ତି।
ବରିଷ୍ଠ ନାଗରିକ ଜଣକ ପେଟ୍ରୋଲ ଦରବୃଦ୍ଧିରେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ସେ ବନ୍ଦ, ବିକ୍ଷୋଭ ହେବା ଚାହାନ୍ତି, କିନ୍ତୁ ନିଜେ କିଛି କରିପାରୁନାହାନ୍ତି, ତାଙ୍କର ଅସହାୟତା ପ୍ରକାଶ କରୁଛନ୍ତି। ସାଧାରଣଲୋକ ବନ୍ଦ କରନ୍ତି ନାହିଁ, ବିରୋଧୀ ଦଳ ଦ୍ବାରା ବନ୍ଦ ସ˚ଗଠିତ ହୁଏ, ସେଥିପାଇଁ ବିରୋଧୀ ଦଳକୁ ଖର୍ଚ୍ଚ କରିବାକୁ ପଡ଼େ। ଦଳୀୟ କର୍ମୀ ବା ଯୁବକ ଠେଙ୍ଗାଧରି ରାସ୍ତା ଅବରୋଧ କରନ୍ତି, ମୋଟର ଟାୟାର ଜଳାନ୍ତି, ଗାଡ଼ିମୋଟର, ବିଶେଷତଃ ସରକାରୀ ଗାଡ଼ି ଦେଖିଲେ ଭଙ୍ଗାରୁଜା କରନ୍ତି। ସାଧାରଣ ଜନତା ବନ୍ଦରେ ସାମିଲ ହେବାକୁ ବାଧୢ ହୁଅନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଗୋଟିଏ ବନ୍ଦ ଡାକରା ଦିଆଯାଇଥିଲା, ଭଙ୍ଗାରୁଜା, ପୋଡ଼ାଜଳା ହୋଇଥିଲା। ଜଣେ ବୋହୂ ତା’ର କ୍ୟାନସର ପୀଡ଼ିତ ଶ୍ବଶୁରଙ୍କୁ ଡାକ୍ତର ପାଖକୁ ନଉଥିଲା ବେଳେ ତା’ର ଗାଡ଼ିକୁ ଅଟକାଇ, ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଟିଭି, ଖବରକାଗଜ ଓ ସାମାଜିକ ଗଣମାଧୢମରେ ଆଲୋଚିତ ହୋଇଥିଲା। କିନ୍ତୁ ଏବେ ବିରୋଧୀ ଦଳ ନିଷ୍କ୍ରିୟ। ବନ୍ଦ ହେଉନାହିଁ ମାନେ ବିରୋଧୀ ଦଳ ବନ୍ଦ ସ˚ଗଠିତ କରୁନାହାନ୍ତି।
ସାଧାରଣ ନିର୍ବାଚନ ଏବେ ନାହିଁ, ୨୦୨୪ରେ, ଆଉରି ତିନି ବର୍ଷ ପରେ। ସେତେବେଳକୁ ଦରଦାମ ଦେହସୁହା ହୋଇଯିବ। ଏବେ ନିର୍ବାଚନରେ ପେଟ୍ରୋଲ, ଡିଜେଲର ଦରବୃଦ୍ଧି ପ୍ରସଙ୍ଗ ହୋଇ ରହିନାହିଁ। ନିର୍ବାଚନ ଜିତିବାକୁ ମାଗଣା ଯୋଜନା ହିଁ ଏବେ ମୁଖ୍ୟ। ଟଙ୍କାକରେ କେଜିଏ ଚାଉଳ, ପାଞ୍ଚ ଟଙ୍କାରେ ଆହାର, ଗର୍ଭବତୀ ମହିଳାଙ୍କୁ ସହାୟତା, ବିବାହ କରୁଥିବା କନ୍ୟାଙ୍କୁ ମଙ୍ଗଳସୂତ୍ର, ସ୍କୁଲରେ ପଢ଼ୁଥିବା ଝିଅଙ୍କୁ ସାଇକେଲ, କଲେଜ ପିଲାଙ୍କୁ ଲାପ୍ଟପ୍, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଏବେ ପଶ୍ଚିମବଙ୍ଗରେ ଗୃହିଣୀଙ୍କୁ ଭତ୍ତା, ଚାଷୀଙ୍କର ଋଣ ଛାଡ଼, ଇତ୍ୟାଦି ଇତ୍ୟାଦି। ଜିତିବାକୁ ନିର୍ବାଚନ ପୂର୍ବରୁ କ’ଣ ନୂଆ ମାଗଣା ଯୋଜନା କରାଯାଇପାରିବ, ରାଜନୈତିକ ଦଳର ସେହି ଚିନ୍ତା। ହୋଣ୍ତା ସାଇନ ମୋଟର ସାଇକେଲ ଚଢ଼ୁଥିବା ଯୁବକଙ୍କ ସ˚ଖ୍ୟା ବହୁତ କମ, ଏକ ପ୍ରତିଶତରୁ ବି କମ ହେବ। ସେମାନେ ହୁଏତ ଚାକିରି କିମ୍ବା କିଛି ଧନ୍ଦା କରନ୍ତି। ବେକାର ନୁହନ୍ତି। ସେମାନେ ବନ୍ଦ କରିବାକୁ ବିରୋଧ କରିବାକୁ ସ˚ଗଠିତ ନୁହନ୍ତି। ସାଧାରଣ ଲୋକ, ଯାହାର ଗାଡ଼ି ନାହିଁ, ସେମାନଙ୍କର ପେଟ୍ରୋଲର ଦରବୃଦ୍ଧିର ପ୍ରତ୍ୟକ୍ଷ ଅନୁଭୂତି ନାହିଁ। ପେଟ୍ରୋଲ ବା ଡିଜେଲର ଦରବୃଦ୍ଧି ହେଲେ, ବସଭଡ଼ା ବୃଦ୍ଧି ହେବ, ପରିବହନ ଖର୍ଚ୍ଚ ବଢ଼ିବ, ମୁଦ୍ରାସ୍ଫୀତି ଘଟିବ, ଅର୍ଥନୀତିକୁ ପ୍ରଭାବିତ କରିବ, ଏହିସବୁ ପରୋକ୍ଷ ପ୍ରଭାବ ପ୍ରତି ମାଗଣା ଯୋଜନାରେ ଉପକୃତ ବ୍ୟକ୍ତି ସଚେତନ ନୁହନ୍ତି।
୧୦ ଏପ୍ରିଲରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୯୧ ଟଙ୍କା ୨୮ ପଇସା ଅଛି। ପେଟ୍ରୋଲ ଏକ ଲିଟରର ମୂଳ ମୂଲ୍ୟ ବା ବେସିକ୍ ପ୍ରାଇସ ୩୩ ଟଙ୍କା ୫୪ ପଇସା। କେନ୍ଦ୍ରୀୟ ଟିକସ (ଉତ୍ପାଦନ ଶୁଳ୍କ + ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ + ସେସ୍ + କୃଷି ଭିତ୍ତିଭୂମି ଶୁଳ୍କ) ୩୨ ଟଙ୍କା ୯୦ ପଇସା ଏବ˚ ଭାଟ୍ ୩୨% ହାରରେ ୨୦ ଟଙ୍କା ୯୨ ପଇସା ପ୍ରତି ଲିଟର ପେଟ୍ରୋଲ ପିଛା ଆଦାୟ ହେଉଛି।
୨ ଏପ୍ରିଲ, ୨୦୧୪ରେ ୟୁପିଏ ସରକାରଙ୍କ ସମୟରେ ପେଟ୍ରୋଲ ଲିଟରର ମୂଳ ମୂଲ୍ୟ ୪୮ ଟଙ୍କା ୭୯ ପଇସା ଥିଲା। କେନ୍ଦ୍ରୀୟ ଟିକସ (ଉତ୍ପାଦନ ଶୁଳ୍କ + ସ୍ବତନ୍ତ୍ର ଉତ୍ପାଦନ ଶୁଳ୍କ + ସେସ୍) ୯ ଟଙ୍କା ୪୭ ପଇସା ଏବ˚ ରାଜ୍ୟ ଭାଟ୍ ୧୮% ଏବ˚ ପ୍ରବେଶ କର ୨% ହିସାବରେ ୧୧ଟଙ୍କା ୧୭ ପଇସା ଆଦାୟ କରୁଥିଲା। ପେଟ୍ରୋଲ ଲିଟର ପିଛା ଭୁବନେଶ୍ବରରେ ୭୧ ଟଙ୍କା ୪୮ ପଇସା ଥିଲା।
ଏପ୍ରିଲ, ୨୦୧୪ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୮ ଡଲାର ଥିଲା, ଏପ୍ରିଲ, ୨୦୨୧ରେ ବ୍ୟାରେଲ ପିଛା ୬୩ ଡଲାର ଅଛି। କିନ୍ତୁ ଅଶୋଧିତ ତୈଳଦର ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇବା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି କରିଛନ୍ତି, କେନ୍ଦ୍ର ୯ ଟଙ୍କା ୪୭ ପଇସାରୁ ୩୨ ଟଙ୍କା ୯୦ ପଇସା ଏବ˚ ରାଜ୍ୟ ସରକାର ୧୮%ରୁ ୩୨%, ଅର୍ଥାତ୍ ୧୧ ଟଙ୍କା ୧୭ ପଇସାରୁ ଏବେ ୨୦ ଟଙ୍କା ୯୨ ପଇସାକୁ ବୃଦ୍ଧି ପାଇଛି।
ଲିଟର ପିଛା ପେଟ୍ରୋଲରୁ ୨୨ ଟଙ୍କା ୫୦ ପଇସା ଏବ˚ ଡିଜେଲରୁ ୨୨ଟଙ୍କା ସେସ୍ କେନ୍ଦ୍ର ସରକାର ଆଦାୟ କରୁଛନ୍ତି, ତାହା କେନ୍ଦ୍ର ସରକାରଙ୍କର ପାଣ୍ଠିକୁ ଯାଏ। ପେଟ୍ରୋଲ ବା ଡିଜେଲ ଦର କମେଇବାକୁ ହେଲେ, ଯଦି କେନ୍ଦ୍ର ଆଦାୟ କରୁଥିବା ସେସ୍ରୁ ୧୦ ଟଙ୍କା ହ୍ରାସ କରାଯାଏ, ତେବେ ପେଟ୍ରୋଲ ଉପରୁ ଭାଟ୍ ୩ ଟଙ୍କା ୨୦ ପଇସା ଏବ˚ ଡିଜେଲ ଉପରୁ ୨ ଟଙ୍କା ୮୦ ପଇସା କମିଯିବ ଏବ˚ ପେଟ୍ରୋଲ ଦର ୧୩ ଟଙ୍କା ୨୦ ପଇସା ଏବ˚ ଡିଜେଲ ଦର ୧୨ ଟଙ୍କା ୮୦ ପଇସା କମିଯିବ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ସେସ୍ ଆଦାୟ ହେଉଛି ସେଥିପାଇଁ ଖର୍ଚ୍ଚ ହୁଏ ଏବ˚ ସରକାର ଯୋଜନା କରି ସାରିଛନ୍ତି। ସେସ୍ ହ୍ରାସ କରିବା ବା ଉଚ୍ଛେଦ କରିବା ସରକାର ଚାହିଁନପାରନ୍ତି।
ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସଟି ପରିଷଦ ବିଚାର କରିବ। କିନ୍ତୁ ଜିଏସ୍ଟି ପରିଷଦରେ ରାଜ୍ୟମାନେ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ରାଜି ହେବେ ନାହିଁ। ଜିଏସଟିରେ ସମ୍ମିଶ୍ରଣ ହୋଇଥିବା ଟିକସ ରାଜ୍ୟର ରାଜସ୍ବର ପଚାଶ ପ୍ରତିଶତ ପାଖାପାଖି, ଜିଏସଟିରେ ସମ୍ମିଶ୍ରଣ ଫଳରେ ରାଜ୍ୟ ରାଜସ୍ବର ପଚାଶ ପ୍ରତିଶତ ଟିକସ ଉପରେ ରାଜ୍ୟର ସ୍ବାୟତ୍ତତା ନାହିଁ, କ୍ଷମତା ଜିଏସଟି ପରିଷଦକୁ ରାଜ୍ୟ ସମର୍ପଣ କରିଦେଇଛି। ରାଜ୍ୟ ପେଟ୍ରୋଲ, ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଇ ଟିକସ ଆଦାୟ କ୍ଷମତା ଅଧିକ ହରାଇବାକୁ ରାଜି ହେବନି। ଦ୍ବିତୀୟରେ, ପେଟ୍ରୋଲ ଡିଜେଲ ଜିଏସଟିରେ ସମିଶ୍ରଣ ଘଟିଲେ ରାଜ୍ୟର ରାଜସ୍ବ ଆଦାୟରେ କ୍ଷତି ଘଟିବ।
ଅର୍ଥଶାସ୍ତ୍ରୀ ଏମ ଗୋବିନ୍ଦ ରାଓ ୩ ଅକ୍ଟୋବର ୨୦୨୦ରେ ‘ଦି ହିନ୍ଦୁ’ରେ ଏକ ନିବନ୍ଧରେ ଲେଖିଥିଲେ ପେଟ୍ରୋଲ ଓ ଡିଜେଲ ସମେତ ୩୫ଟି ସେସ୍ କେନ୍ଦ୍ର ସରକାର ଆଦାୟ କରୁଛି ଏବ˚ ୨୦୧୮-୧୯ରେ ସେସ୍ ପରିମାଣ ୨ ଲକ୍ଷ ୭୫ ହଜାର କୋଟି ଟଙ୍କା ଥିଲା। ୨୦୦୦-୨୧ରେ ସେସ୍ ପରିମାଣ କେନ୍ଦ୍ର ସରକାରଙ୍କର ରାଜସ୍ବର ୩% ଥିଲା, ୨୦୧୫-୧୬ରେ ୧୬.୫% ଏବ˚ ୨୦୨୦-୨୧ରେ ୨୦% ପାଖାପାଖି। ୨୦୨୧-୨୨ ବଜେଟରେ ଅଧିକ ସେସ୍ ବସିଛି ଏବ˚ ସେସ୍ ପରିମାଣ ବୃଦ୍ଧି ପାଉଛି। ସେସ୍ରୁ ରାଜ୍ୟ ସରକାର ଭାଗ ପାଆନ୍ତି ନାହିଁ। ଫଳରେ ରାଜ୍ୟର ଆର୍ଥିକ ସ୍ବଚ୍ଛଳତା କ୍ଷୁଣ୍ଣ ହେବା ସହିତ ଆର୍ଥିକ ସ୍ବାୟତ୍ତତା ସଙ୍କୁଚିତ ହେଉଛି।
୨୦୨୨, ଜୁଲାଇ ପରଠୁ ଜିଏସ୍ଟି ପ୍ରଚଳନ ପାଇଁ ରାଜ୍ୟକୁ କ୍ଷତିପୂରଣ ଦିଆଯିବ ନାହିଁ। ଯେହେତୁ କରୋନା ସମୟରେ ଆର୍ଥିକ ବିପର୍ଯ୍ୟୟ ପାଇଁ ଋଣ କରାଯାଇ ରାଜ୍ୟକୁ କ୍ଷତିପୂରଣ ଦିଆଯାଇଛି, ଅଧିକ କିଛି ମାସ ବା ବର୍ଷ କ୍ଷତିପୂରଣ ସେସ୍ ଆଦାୟ କରାଯିବ। ୨୦୨୨ ଜୁଲାଇରୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯିବା ବିଚାର କରାଯାଇପାରେ। ଜିଏସ୍ଟିରେ ପେଟ୍ରୋଲ, ଡିଜେଲ ମିଶ୍ରଣ ଫଳରେ ଯାହା ରାଜ୍ୟର କ୍ଷତିଘଟିବ, କ୍ଷତିପୂରଣ ସେସ୍ ଆଦାୟ କରାଯାଇ ରାଜ୍ୟକୁ ଭରଣା କରାଯାଇପାରିବ। କେନ୍ଦ୍ର ଏକଚାଟିଆ ସେସ୍ ପେଟ୍ରୋଲ, ଡିଜେଲ ଉପରୁ ଆଦାୟ କରିପାରିବ ନାହିଁ। ଜିଏସ୍ଟି ପରିଷଦରେ କେନ୍ଦ୍ର ଓ ରାଜ୍ୟର ନିଷ୍ପତ୍ତିକ୍ରମେ ପେଟ୍ରୋଲ ଓ ଡିଜେଲର ଦର ନିୟନ୍ତ୍ରିତ ହୋଇପାରିବ।
ମୋ: ୯୪୩୭୫୭୮୭୩୩
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/petrol-2.jpg)