ଦୁଇ ଗୁଣ୍ଡୁଚି ମୂଷାଙ୍କ କଥା

ସୃଜନ ପ୍ରକାଶ ଦାସ

ସେମାନଙ୍କର ପ୍ରତୀକାତ୍ମକ ଚିକଚିକ ଧ୍ବନି ସେଦିନ ଯେ ମୁଁ ପ୍ରଥମଥର ପାଇଁ ଶୁଣିଲି, ତାହା ନୁହଁ। ବହୁ ଦିନରୁ କହିଲେ ବୋଧହୁଏ ଭୁଲ୍ ହେବ, ବହୁ ବର୍ଷ ତଳୁ, ସକାଳ ୧୦ଟାରୁ ଅଫିସ ଛାଡ଼ିବା ଯାଏ ସେମାନଙ୍କର ସେହି ଚିକଚିକ ଶବ୍ଦ ମୋ କାନରେ ପଡ଼େ। କିନ୍ତୁ, ସେହି ଶବ୍ଦ ମଧ୍ୟରେ ଯେ ଗୋଟିଏ କାହାଣୀ ଥାଇପାରେ, ତାହା ଥିଲା ମୋ କଳ୍ପନାର ବାହାରେ। କାର୍ଯ୍ୟାଳୟର ସେହି ନିର୍ଦିଷ୍ଟ କୋଠରିରେ ମୋର ଦୀର୍ଘ ଦିନ କଟିଛି। ଶୀତତାପ ନିୟନ୍ତ୍ରିତ କୋଠରିରେ ଝରକା ଖୋଲିବାର ପ୍ରୟୋଜନ ପଡ଼ିନାହିଁ ଏବଂ ସେମାନଙ୍କୁ ଦେଖିବାର ସୁଯୋଗ ମଧ୍ୟ ଆସି ନାହିଁ।

ଆବଶ୍ୟକତା ପଡ଼ି ଥିଲା ସେହି ଦିନ, ଯେଉଁ ଦିନ ଦୀର୍ଘ ସମୟ ପାଇଁ ବିଦ୍ୟୁତ୍‌ସରବରାହ ବ୍ୟାହତ ହେବା ପରେ ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଝରକା ଖୋଲିବାକୁ ଏକପ୍ରକାର ବାଧ୍ୟ ହୋଇଥିଲି। ଝରକା ଖୋଲିବାର ଶବ୍ଦ ସହିତ ସାମୟିକ ବନ୍ଦ ହୋଇ ଯାଇଥିବା ସେହି ଚିକଚିକ ଶବ୍ଦ ପୁଣି ଥରେ ଆରମ୍ଭ ହୋଇଗଲା। ଯାହା ଆଜି ଯାଏ ମୋର ଧ୍ୟାନ ଆକର୍ଷଣ କରିପାରି ନ ଥିଲା, ତାହା ଆଜି ଅଚିରେ କଲା। ତାଳ ଓ ଲୟରେ ନିପୁଣ ସେହି ଚିକଚିକ ଧ୍ୱନି ସୃଷ୍ଟି କରୁଥିବା ଜୀବମାନଙ୍କୁ ଦେଖିବା ପାଇଁ ଝରକା ପାଖକୁ ଗଲି। ଝରକାକୁ ଲାଗି ଲମ୍ବି ଯାଇଛି ଗୋଟିଏ ଗଛର ଡାଳ ଓ ସେହି ଡାଳ ଉପରେ ଦୁଇଟି ଛୋଟଛୋଟ ଗୁଣ୍ଡୁଚି ମୂଷା। ଅପ୍ରତ୍ୟାଶିତ ଭାବେ ମୋତେ ଦେଖି ସେମାନଙ୍କର ଚିକଚିକ ଶବ୍ଦ ଯେ ଖାଲି ବନ୍ଦ ହୋଇଯାଇଥିଲା, ତାହା ନୁହଁ। ପ୍ରଥମ କିଛି ମୁହୂର୍ତ୍ତ ମୋତେ ସେମାନେ ଆତଙ୍କିତ ବିସ୍ଫାରିତ ଆଖିରେ ଚାହିଁବା ପରେ ପରେ ଡାଳର ଦୁଇକଡ଼କୁ ଯାଇ ଲୁଚିଲେ। ଡାଳ ପଛ ପାଖକୁ ଯାଇ ଏକ ପ୍ରକାର ଓହଳି ବେକଟାକୁ ସାମାନ୍ୟ ଲମ୍ବାଇ ମୋତେ ସେମାନେ ଚାହୁଁଥିଲେ। ମଝିରେ ମଝିରେ ଚିକଚିକ ଶବ୍ଦ ସହିତ ସେମାନଙ୍କର ଲାଞ୍ଜ ଓ ଦେହ ଫୁଲି ଉଠୁଥିଲା। ସେମାନେ ଦୁହେଁ ଏକଡ଼ ସେକଡ଼ ଚାହିଁ ପୁଣି ମୋତେ ହିଁ ଚାହୁଁଥିଲେ। ହୁଏତ ଭାବୁଥିଲେ ଆମ ଇଲାକାରେ ଇଏ ପୁଣି କିଏ? ମନରେ ସମସ୍ତ ସଂଶୟ ନେଇ ନିରାପଦ ଦୂରତ୍ବରେ ନିଜକୁ ରଖିବା ପାଇଁ ସେମାନେ ସତେ ଯେମିତି ଉଚିତ ମଣୁଥିଲେ।

ପରଦିନ ସକାଳୁ ଅଫିସ ପହଞ୍ଚୁ ପହଞ୍ଚୁ ସେମାନଙ୍କୁ ଦେଖିବା ପାଇଁ ଝରକା ଖୋଲି ଦେଲି। ଆରେ! ସେମାନେ ମୋ ପାଇଁ ଅପେକ୍ଷା କରୁଥିଲେ ନା କ’ଣ? ପ୍ରଥମ ଥର ପାଇଁ ମୋ ସାମନାରେ ଚିକଚିକ ଧ୍ୱନି କରି ସତେ ଯେମିତି ମୋତେ ସେମାନେ ସକାଳର ଶୁଭେଚ୍ଛା ଜଣାଉଥିଲେ। ସେମାନଙ୍କୁ ପ୍ରଲୋଭିତ କରି ପାଖକୁ ଆଣିବା ଉଦ୍ଦେଶ୍ୟରେ ‘ଏୟାର କଣ୍ଡିସନର୍‌’ର ଆଉଟର ମେସିନ ଉପରେ କିଛି ବିସ୍କୁଟ ଖଣ୍ଡ ଥୋଇଦେଲି। ସେମାନଙ୍କର ଭୟକୁ ଦୂର କରିବା ଲାଗି ଝରକା ଆଢୁଆଳକୁ ଯାଇ ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କଲି। ମୋତେ ଦେଖିବାକୁ ନ ପାଇ ସେମାନଙ୍କର ସାହସ ହୁଏତ ବଢ଼ି ଯାଇଥିଲା ଓ କିଛି କ୍ଷଣ ମଧ୍ୟରେ ଡାଳରୁ ସିଧା ଡିଆଁ ମାରି ଆଉଟର ମେସିନ ଉପରେ ବସି ଦୁଇ ହାତରେ ବିସ୍କୁଟ ଖଣ୍ଡ ଧରି ଖାଇବାକୁ ଲାଗିଲେ। ଓଃ! ତାହା ଥିଲା ଏକ ବର୍ଣ୍ଣନାତୀତ ଦୃଶ୍ୟ! ସତେ ଯେମିତି ମୁଁ ଏକ ବଡ଼ ଗଡ଼ ଜିତିଯାଇଛି- ଏହି ଆତ୍ମସନ୍ତୋଷ ମୋତେ ବିଭୋର କରିତୋଳିଲା।

ଇତି ମଧ୍ୟରେ ସେମାନଙ୍କୁ ଖାଇବାକୁ ଦେବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଯାହା ପ୍ରଥମେ ଦିନକୁ ଥରୁଟିଏ ଥିଲା, ତାହା ଏବେ ତିନି ଥରକୁ ଆସି ଯାଇଥିଲା। ପ୍ରଥମେ ସକାଳ ୧୦ଟା, ଦ୍ବିିତୀୟ ମଧ୍ୟାହ୍ନ ଭୋଜନ ବେଳେ ଓ ଶେଷରେ ଅଫିସ ଛାଡ଼ିବା ଠିକ୍ ପୂର୍ବରୁ। ପୁଣି ଯାହା ବିସ୍କୁଟରୁ ଆରମ୍ଭ ହୋଇଥିଲା, ତାହା ଏବେ ଉପମା, ନୁଡୁଲସ, ବ୍ରେଡରେ ପହଞ୍ଚି ଯାଇଥିଲା। ମୁଁ କୌଣସି କାରଣରୁ ଅନୁପସ୍ଥିତ ଥିଲେ, ମୋର ସହକର୍ମୀ ଏ ଦାୟିତ୍ବ ତୁଲାଉ ଥିଲେ। ମନସ୍ତତ୍ବବିତ୍ ଇଭାନ ପାଭଲୋଭଙ୍କର ‘କ୍ଲାସିକାଲ କଣ୍ଡିସନିଙ୍ଗ’ ତତ୍ତ୍ୱ ଅନୁଯାୟୀ ସେମାନେ କିଛି ଦିନ ମଧ୍ୟରେ ସମୟ ଅନୁବର୍ତ୍ତୀ ବନି ଯାଇଥିଲେ ଓ ଠିକ୍ ସମୟ ବ୍ୟବଧାନରେ ଆଉଟର ମେସିନ ଉପରେ ଡିଆଁ ମାରୁଥିଲେ। ହୁଏତ ମୁଁ ଭୁଲିଯାଇପାରେ- ସେଥିପାଇଁ କ’ଣ ସେମାନେ ସମୟ ପୂର୍ବରୁ ଏତେ ଚଳଚଂଚଳ ହୋଇ ଉଠୁଥିଲେ?

ଇତି ମଧ୍ୟରେ ଯାହା ଲକ୍ଷ୍ୟ କରିବାର ଥିଲା, ତାହା ହେଲା ଚିକଚିକ ଧ୍ୱନି ସହିତ ପକ୍ଷୀମାନଂକର କିଚିରିମିଚିର ଶବ୍ଦ ପରିବେଶକୁ କୋଳାହଳମୟ କରି ତୋଳିଥିଲା। କାଚ ଝରକା ଫାଙ୍କରେ ଯାହା ନଜରରେ ପଡ଼ିଲା ତାହା ମୋତେ ଯେତେ ଆଶ୍ଚର୍ଯ୍ୟଚକିତ କରିଥିଲା, ସେତିକି ପରିମାଣରେ ଅମୋଦିତ କରିଥିଲା। ଆଉଟର ମେସିନ ଉପରେ ଚାଲିଥିଲା ସାତଭାୟା ପକ୍ଷୀମାନଙ୍କ ଦଳ ସହିତ ଦୁଇ ଗୁଣ୍ଡୁଚି ମୂଶାଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ। ଦିଆଯାଇଥିବା ଖାଦ୍ୟ ଉପରେ ଆଜି ଯାଏ ଯେଉଁମାନଙ୍କର ଅଖଣ୍ଡ ଆଧିପତ୍ୟ ଥିଲା, ସେମାନେ କିଭଳି ବା ଅନୁପ୍ରବେଶକାରୀଙ୍କ ସହିତ ଭାଗ କରିଥାନ୍ତେ? କେହି କାହାରିକୁ ଛାଡ଼ିବା ଅବସ୍ଥାରେ ନ ଥିଲେ। ତେଣୁ, ଦୁଇ ଦଳ ପାଇଁ ଅଲଗା ଅଲଗା ଖାଦ୍ୟ ପରଷି ବାର ଯୋଜନା କରିବାକୁ ଅଗତ୍ୟା ପଡ଼ିଥିଲା।

ସେ ଦୁଇ ଗୁଣ୍ଡୁଚି କ’ଣ ଦୁଇ ଭାଇ ଥିଲେ ନା ଭାଇଭଉଣୀ? ଜାଣିବାର ଉପାୟ ନ ଥିଲା। ତେବେ, ମୋର ସମସ୍ତ ଜିଗୀଷାର ଅନ୍ତ ହୋଇଥିଲା ସେଦିନ ଯେଉଁଦିନ ସେମାନଙ୍କୁ ଝରକା ବାହାରେ କୁଟା, କାଠି, ପତ୍ର ଆଣି ନୂଆ ଘରଟିଏ ତୋଳିବାର ଦେଖିଥିଲି। ସେମାନେ ସେମାନଙ୍କର ପରିବାରର ନୂଆ ଆଗନ୍ତୁକମାନଙ୍କ ପାଇଁ ବ୍ୟବସ୍ଥାରେ ଲାଗି ପଡ଼ିଥିଲେ। ଖୁବ୍ ଅଳ୍ପ ଦିନ ଭିତରେ ଦୁଇଟି ଛୋଟଛୋଟ କଅଁଳିଆ ଛୁଆକୁ ମୁଁ ଦିନେ ସକାଳେ ମା ପେଟ ତଳୁ ଆବିଷ୍କାର କରିଥିଲି। ପୁରୁଷ ମୂଷାଟି ସ୍ତ୍ରୀ ମୂଷା ପାଇଁ ଖାଦ୍ୟ ନେଇ ଆସୁଥିବାର ଦୃଶ୍ୟ ମୋତେ ଭୀଷଣ ଆନ୍ଦୋଳିତ କରିଥିଲା। ଖୁବ୍ ନିକଟରୁ ସେମାନଙ୍କୁ ଦେଖିବାର ସୁଯୋଗ ମୁଁ ପାଇଥିଲି। ସେହି ଅବସ୍ଥାରେ ମା ମୂଷାଟି ମୋତେ ଆଉ ଡରୁ ନ ଥିଲା। ବରଂ ମୋତେ ଲାଗୁଥିଲା ସେ ତା ଆଖିର ଭାଷାରେ ମୋତେ ଜଣାଇବାକୁ ଚାହୁଁଥିଲା – ଏଇ ଦେଖ ତୁମ ନାତି, ନାତୁଣୀମାନଙ୍କୁ। ସେମାନଙ୍କର ସୁରକ୍ଷା ଦାୟିତ୍ୱ ମଧ୍ୟ ତୁମର।

କୁହାଯାଏ ସବୁ ମନ୍ଦର ଯେମିତି ଏକ ଅନ୍ତ ଥାଏ, ଠିକ୍ ସେମିତି ସବୁ ଭଲର ମଧ୍ୟ ଏକ ଅନ୍ତ ଥାଏ। ଇତିମଧ୍ୟରେ ପଦୋନ୍ନତି ସହିତ କାର୍ଯ୍ୟ ଭାର ଯେ କେବଳ ବଦଳିଗଲା, ତାହା ନୁହଁ, ସେ କୋଠରିକୁ ଛାଡ଼ି ଅନ୍ୟ ଏକ କୋଠରିକୁ ଯିବାର ସମୟ ମଧ୍ୟ ଆସିଗଲା। ଯେଉଁ କୋଠରି ସହିତ ଦୀର୍ଘ ଦିନର ମଧୁର-ତିକ୍ତ ସମ୍ପର୍କ ଥିଲା, ତାକୁ ତୁଟାଇ ଅନ୍ୟ ଏକ କୋଠରିକୁ ଯିବା ପାଇଁ ଯେତେ କଷ୍ଟ ଲାଗି ନ ଥିଲା, ମୋ ଦୁଇ ବନ୍ଧୁ ଓ ସେମାନଙ୍କର ପରିବାରକୁ ଛାଡ଼ିଯିବାର ବେଦନା ଅସହ୍ୟ ଥିଲା। ହେଲେ, ଈଶ୍ୱରଙ୍କର ଯୋଜନା ଜାଣିବା କ’ଣ ଏତେ ସହଜ? ଆସନ୍ନ ଫନି ବାତ୍ୟା ଲାଗି ମୋର ନୂଆ ପଦ ଭାର ନେବାର ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଅନ୍ତତଃଏହି କାରଣରୁ ଗୁଣ୍ଡୁଚି ମୂଷାମାନଙ୍କୁ ଆଉ କିଛି ଦିନ ଦେଖିବାର ସୁଯୋଗ ପାଇଯିବି ବୋଲି ମୁଁ ଧରିନେଇଥିଲି। ଫନି ବାତ୍ୟା ତାଣ୍ଡବ ରଚି ଓଡ଼ିଶା ଛାଡ଼ିଯିବା ପରେ ପରେ ମୁଁ କୌଣସି ମତେ ଅଫିସ ପହଞ୍ଚି ଥିଲି ସେମାନଙ୍କୁ ଦେଖିବା ପାଇଁ। କିନ୍ତୁ, ମୋର ନୂତନ ଦାୟିତ୍ୱ ନେବା ସହ ନୂଆ କୋଠରିକୁ ଯିବା ପୂର୍ବରୁ ସେମାନେ ସତେ ଯେମିତି ସେଠୁ ପଳେଇ ଯିବା ପାଇଁ ସ୍ଥିର କରି ନେଇଥିଲେ। କାର୍ଯ୍ୟାଳୟର ପରିସରରେ ଥିବା ପ୍ରାୟ ସମସ୍ତ ଗଛ ଅକ୍ଷତ ଥିବା ବେଳେ, ମୋରି କୋଠରିକୁ ଲାଗି ଛିଡ଼ା ହୋଇଥିବା ଗଛଟି ଉପୁଡ଼ି ପଡ଼ିଥିଲା। ଯେଉଁ ଡାଳଟି ସେହି ଗୁଣ୍ଡୁଚିମାନଙ୍କର ଜୀବନ ପ୍ରବାହର ମାଧ୍ୟମ ଥିଲା, ତାହା ମାଟିରେ ଲୋଟୁଥିଲା ବଡ଼ ଦୟନୀୟ ଭାବରେ। ମୋ ଗୁଣ୍ଡୁଚି ଦଳ ସେଠାରେ ନ ଥିଲେ।

ସମୟକ୍ରମେ ମୋର କୋଠରି ବଦଳି ଗଲା। ସେ ଦିନ ଠାରୁ ମୁଁ ସେହି ଆଖପାଖରେ ପ୍ରତ୍ୟେକ ଦିନ ସମୟ ସୁଯୋଗ ଦେଖି ସେମାନଙ୍କୁ ଖୋଜି ବୁଲେ। ମୁଁ ସେମାନଙ୍କର ସେହି ଚିକଚିକ ଧ୍ୱନି ପାଟିରେ କରେ। କାଳେ ସେମାନେ ସେହି ଶବ୍ଦ ଶୁଣି ମୋ ପାଖକୁ ଆସିଯିବେ। ହେଲେ ଆଜି ଯାଏ ସେମାନଙ୍କୁ ପାଇ ନାହିଁ। ଜାଣେ ନା ଏ ପ୍ରତୀକ୍ଷାର ଅନ୍ତ ଅଛି କି ନାହିଁ!

ମୋ- ୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର