ମଧୁ ମନ୍ତ୍ରରେ ମୁଗ୍‌ଧ ମହାତ୍ମା

ବିଜୟ ନାୟକ

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓ ଦ୍ବିତୀୟ ଓଡ଼ିଶା ଗସ୍ତ ଓଡ଼ିଶାର ଦୁଇ ମୂର୍ଦ୍ଧନ୍ୟ ମନୀଷୀଙ୍କ ସହିତ ସ˚ପୃକ୍ତ। ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ପ୍ରଥମେ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ଓଡ଼ିଶା ଆସିଥିଲେ। ସେଥର ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁର ଗସ୍ତ କରିଥିଲେ। ଗାନ୍ଧୀଜୀଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ ଥିଲା ୧୯୨୫ ମସିହାରେ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅନୁରୋଧ କ୍ରମେ ସେ ଅଗଷ୍ଟ ମାସ ୧୯ ଓ ୨୦ ଦୁଇ ଦିନ ଧରି ମଧୁ ବାବୁଙ୍କ ସହିତ ଅବସ୍ଥାନ କରିଥିଲେ। ଉତ୍କଳ ଟ୍ୟାନେରି ପରିଦର୍ଶନ ଥିଲା ଗାନ୍ଧୀଜୀଙ୍କ ଦ୍ବିତୀୟ ଉତ୍କଳ ଆଗମନର ଉଦ୍ଦେଶ୍ୟ।

ଗୋପବନ୍ଧୁଙ୍କ ନିମନ୍ତ୍ରଣ ପାଇ ଗାନ୍ଧୀଜୀ ଓଡ଼ିଶା ଆସିବା ଥିଲା ସ୍ବାଭାବିକ। କାରଣ ସେତେବେଳେ ଗୋପବନ୍ଧୁ ଥିଲେ ଉତ୍କଳ କ˚ଗ୍ରେସର ମୁଖ୍ୟ କର୍ଣ୍ଣଧାର। ମଧୁସୂଦନ ଯଦିଓ କ˚ଗ୍ରେସ ସହିତ ସମ୍ପର୍କରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ, ୧୯୨୫ ବେଳକୁ ସେ ସ୍ବାଧୀନତା ସ˚ଗ୍ରାମ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ନଥିଲେ। ସତୀର୍ଥ ଓ ସହଗାମୀ ଭାବରେ ଗୋପବନ୍ଧୁ ଗାନ୍ଧୀଜୀଙ୍କର ଶ୍ରଦ୍ଧାସ୍ପଦ ଥିଲେ। ପୂର୍ବ ପିଢ଼ିର ଜଣେ ଜାତୀୟତାବାଦୀ ନେତା ଭାବରେ ମଧୁସୂଦନ କିନ୍ତୁ ଥିଲେ ଗାନ୍ଧୀଜୀଙ୍କର ସମ୍ମାନାସ୍ପଦ। ମଧୁବାବୁ ୧୯୨୪ ମସିହାରେ ସାବରମତୀ ଆଶ୍ରମ ଯାଇ ମହାତ୍ମାଙ୍କ ସହିତ ଉତ୍କଳ ଟ୍ୟାନେରି ବିଷୟରେ ଆଲୋଚନା କରିଥିଲେ। ପରେ ତାରବାର୍ତ୍ତା ପଠାଇଥିଲେ ଗାନ୍ଧୀଜୀଙ୍କ ନିକଟକୁ। ମହାତ୍ମା ମଧୁବାବୁଙ୍କ ଅନୁରୋଧକୁ ଏଡ଼ାଇ ପାରି ନଥିଲେ।

ବିଭିନ୍ନ କ୍ଷେତ୍ରରେ ଅଭିନବ କାର୍ଯ୍ୟ କରି ମଧୁସୂଦନ ସେତେବେଳକୁ ସାରା ଭାରତରେ ଖ୍ୟାତି ଅର୍ଜନ କରିଥିଲେ। ଖ୍ୟାତି ଅର୍ଜନ କରିଥିଲେ ପୁଣି ତାଙ୍କ ଚିନ୍ତନର ମୌଳିକତା ଯୋଗୁଁ।

ଲୁଗା ଓ ଲୁଣ – ଭାରତୀୟ ମୁକ୍ତି ସ˚ଗ୍ରାମର ଏହି ଦୁଇଟି ମୁଖ୍ୟ ଉପାଦାନ ସ˚ପର୍କରେ ଓଡ଼ିଶାରେ ଅନେକ ଦିନରୁ କିଞ୍ଚିତ ସଚେତନତା ଥିଲା। ସେତିକି ବେଳେ ବ୍ୟାସକବି ଫକୀରମୋହନ ଲେଖିଲେ:
‘ଓଳି ତଳେ ଲୁଣ କୋଟିଏ ମହଣ
ଆଉ ମୋହ କଥା ଶୁଣ,
ବୋଇଲେ କି ହେବ
ଖାଇବାକୁ ହେବ ଲିଭର‌୍‌ପୁଲ୍‌ରୁ ଲୁଣ।
ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି
ତୁମ୍ଭମାନଙ୍କ ସକାଶେ,
‘ବୁଡୁ ତନ୍ତୀ ବ˚ଶ ହେଉ ସର୍ବନାଶ
ଯାଆନ୍ତୁ ସେ ବନବାସେ’

ତାଙ୍କ ଏହି କବିତା ଓଡ଼ିଶାରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା। ୧୯୦୮ ମସିହାରେ ଫକୀରମୋହନ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲୁଗା ବୁଣା ଉପରେ ଗୁରୁତ୍ବ ଆରୋପ କରିଥିଲେ। ସେ ଲେଖିଥିଲେ, ‘ହେଇ, ମୋ କଥାଟି ମନକୁ ପାଇଲା କି! ଆସନ୍ତୁ ସମସ୍ତେ ଘରେ ଗୋଟାଏ ଗୋଟାଏ ଅରଟ ପକାଇବା।’

ତେବେ, ଲୁଣ ଓ ଲୁଗା କ୍ଷେତ୍ରରେ ଓଡ଼ିଶାରେ କେତେକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିଲେ ଉତ୍କଳଗୌରବ ମଧୁସୂଦନ। ଓଡ଼ିଶାର ଲବଣ ବିଭାଗକୁ ମାନ୍ଦ୍ରାଜ ସରକାର ଅଧୀନରୁ ଆଣି ବଙ୍ଗ ସରକାର ଅଧୀନରେ ରଖିବା ପାଇଁ ମଧୁବାବୁ ବଙ୍ଗ ବ୍ୟବସ୍ଥାପିକା ସଭାରେ ଯୁକ୍ତି ବାଢ଼ିଥିଲେ। ଲବଣ କର ବିରୋଧରେ କେନ୍ଦ୍ରୀୟ ବ୍ୟବସ୍ଥାପିକା ସଭାରେ ମଧ୍ୟ ମତ ରଖିଥିଲେ। ତା’ଛଡ଼ା ଲବଣ କର ଉଠାଇ ଦେଇ ପୂର୍ବ ପରି ଲୋକମାନଙ୍କୁ ଅବାଧ ଲୁଣ ମାରିବା ପାଇଁ ସୁଯୋଗ ଦେବା ସକାଶେ ସେ ଆନ୍ଦୋଳନ କରିଥିଲେ। ଏ ସବୁ ଗାନ୍ଧୀଜୀଙ୍କ ଲବଣ ସତ୍ୟାଗ୍ରହ ପୂର୍ବର କଥା। ଏହା ବ୍ୟତୀତ ମଧୁସୂଦନ ଗାନ୍ଧୀଜୀଙ୍କ ପୂର୍ବରୁ ଗ୍ରାମ୍ୟ ବିକାଶ, କୁଟୀର ଶିଳ୍ପ, କୃଷି ଓ ସମବାୟ, ନାରୀଶିକ୍ଷା ଏବ˚ ଅସ୍ପୃଶ୍ୟତା ନିବାରଣ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ। ବିଲାତି ଲୁଗାକୁ ବିରୋଧ କରି ସୂତା କାଟିବା ପାଇଁ ପ୍ରଥମେ ମଧୁବାବୁ ପ୍ରେରଣା ଦେଇଥିବା କଥା ମଧ୍ୟ ରମାଦେବୀ ତାଙ୍କ ଅାତ୍ମଜୀବନୀ ‘ଜୀବନ ପଥେ’ରେ ଉଲ୍ଲେଖ କରିଛନ୍ତି। ୧୯୧୮ ମସିହାରେ ମଧୁବାବୁଙ୍କ ତତ୍ତ୍ବାବଧାନରେ ଏବ˚ ଫକୀରମୋହନଙ୍କ ପୌରୋହିତ୍ୟରେ କଟକର ଇଦ୍‌ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ଲୁଗା ଓ ଲୁଣ ସ˚ପର୍କିତ ନିର୍ଦ୍ଧାରଣ ଗୃହୀତ ହୋଇଥିଲା। ସେ ଦୃଷ୍ଟିରୁ ବିଚାର କଲେ ମଧୁସୂଦନଙ୍କୁ ଭାରତ ବର୍ଷରେ ସ୍ବଦେଶୀର ପ୍ରଥମ ବାର୍ତ୍ତାବହ ବୋଲି କୁହାଯାଇ ପାରିବ।

ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ଉଦ୍ୟୋଗପତି। ସ୍ବଦେଶୀ ଶିଳ୍ପ କ୍ଷେତ୍ରରେ ସେ ଭାରତବର୍ଷର ଅନ୍ୟତମ ଆଦ୍ୟ ଉଦ୍ୟୋକ୍ତା। ତାଙ୍କ ‘ଉତ୍କଳ ଟ୍ୟାନେରି’ ସ୍ବଦେଶୀ ଶିଳ୍ପର ଅନନ୍ୟ ଉଦାହରଣ। ସମାଜର ସବା ତଳ ପାହାଚରେ ଥିବା ଲୋକଟି ସେଠାରେ ଜୀବୀକା ଉପାର୍ଜନର ସୁଯୋଗ ପାଇଥିଲା। ସେଠାରେ ତ ଜାତି ଧର୍ମର ବିଚାର ନ ଥିଲା; ପୁଣି ନ ଥିଲା କର୍ମ ଭେଦର ବିବେଚନା। ହେୟ ମନେ କରାଯାଉଥିବା ଚମଡ଼ା ସ˚ପଦର ବିନିଯୋଗ ସେତେ ବେଳର ସାମାଜିକ ଚିନ୍ତା ଓ ଚଳଣି ପରିପ୍ରେକ୍ଷୀରେ ଥିଲା ଏକ ଅଭୂତପୂର୍ବ, ଐତିହାସିକ ତଥା ସାହସିକ ପଦକ୍ଷେପ। ଉତ୍କଳ ଟ୍ୟାନେରି ପରିଦର୍ଶନ କରି ଗାନ୍ଧୀଜୀ ଅଭିଭୂତ ହୋଇ ଯାଇଥିଲେ। ମଧୁସୂଦନଙ୍କ ପ୍ରତି ତାଙ୍କ ଆକର୍ଷଣ ବହୁଗୁଣିତ ହୋଇଥିଲା। ଉତ୍କଳ ଟ୍ୟାନେରି ସମ୍ମୁଖୀନ ହେଉଥିବା ସମସ୍ୟା ଆଦିର ସମାଧାନ କରିବା ଥିଲା ମହାତ୍ମା ଗାନ୍ଧୀଙ୍କ ଲକ୍ଷ୍ୟ। ତାଙ୍କ ସହିତ ଗୋ-ରକ୍ଷା ସହିତ ସ˚ପୃକ୍ତ ରଙ୍ଗଲାଲଜୀ, ସତୀଶ ଚନ୍ଦ୍ର ଦାସଗୁପ୍ତ ଓ ମହାଦେବ ଦେଶାଇ କଟକ ଆସିଥିଲେ।

ଉତ୍କଳ ଟ୍ୟାନେରି ଢାଞ୍ଚାରେ ସାବରମତୀ ଆଶ୍ରମରେ ଏକ ଛୋଟ ଟ୍ୟାନେରି ପ୍ରତିଷ୍ଠା କରିବା ପାଇଁ ଗାନ୍ଧୀଜୀ ଆଗ୍ରହ ପ୍ରକାଶ କରି ମାର୍ଚ୍ଚ, ୧୯୨୮ରେ ଲିଖିତ ଚିଠି ମାଧ୍ୟମରେ ମଧୁସୂଦନଙ୍କ ସହାୟତା ଲୋଡ଼ିଥିଲେ। ଚିଠିରେ ମହାତ୍ମା ଲେଖିଥିଲେ, ‘ଆଶ୍ରମରେ ଏକ ଛୋଟ ଟ୍ୟାନେରି ପ୍ରତିଷ୍ଠା କରିବା ଦିଗରେ ଆପଣଙ୍କ ପ୍ରେରଣା ଆ˚ଶିକ ଭାବରେ ଦାୟୀ। ଏହି ବିଷୟରେ ଲେଖାଥିବା କିଛି କାଗଜ ପତ୍ରର ତାଲିକା, ଚମଡ଼ା କଷିବା ସ˚ପର୍କିତ ପୁସ୍ତିକା ଆଦି ଯୋଗାଇ ଦେବାରେ ମୋତେ ସାହାଯ୍ୟ କରିବେ କି?’ ମଧୁବାବୁଙ୍କ ଟ୍ୟାନେରିରେ ମୋଚି ଜାତିର ଲୋକ କାମ କରୁଥିବା ଗାନ୍ଧୀଜୀ ଜାଣିବାକୁ ପାଇଥିଲେ। ତେଣୁ ସେ ମଧୁବାବୁଙ୍କୁ ପ୍ରଶ˚ସା କରି ‘ୟଙ୍ଗ୍‌ ଇଣ୍ତିଆ’ ୭, ସେପ୍ଟେମ୍ବର, ୧୯୩୪ ସ˚ଖ୍ୟାରେ ଲେଖିଥିଲେ, ‘ଚମଡ଼ା କାମ କରୁଥିବା ମୋଚି ଜାତିଙ୍କୁ ଯେପରି ଅବହେଳା କରାଯାଉଛି, ସେଥିପ୍ରତି ସ୍ବର୍ଗତ ମଧୁସୂଦନ ଦାସ ହିଁ ମୋର ଆଖି ଖୋଲିଦେଲେ। ସେ କାମ ଶିଖାଇବା ପାଇଁ ଏକ ଟ୍ୟାନେରି ଖୋଲି ଏ ଅବହେଳାର ସ˚ଶୋଧନ କରିବା ପାଇଁ ଚେଷ୍ଟା କରିଥିଲେ। ସେ ଯେପରି ଆଶା କରିଥିଲେ, ତାଙ୍କର ଉଦ୍ୟମ ସେପରି ଫଳପ୍ରଦ ହେଲାନାହିଁ। ମାତ୍ର କଟକରେ ଶହ ଶହ ମୋଚି ତାଙ୍କ ଯୋଗେ ଜୀବୀକା ଅର୍ଜନ କରୁଛନ୍ତି।’

ସେହିପରି ହସ୍ତ ଓ ପାଦର ସୁବିନିଯୋଗ ନ ହେଲେ ମଣିଷର ମସ୍ତିଷ୍କ ସ୍ଥାଣୁ ହୋଇଯିବ ବୋଲି ମଧୁସୂଦନ ବିଚାରୁ ଥିଲେ। ସେ ପୁଣି ବିଚାରୁ ଥିଲେ ଯେ ସୂକ୍ଷ୍ମ କାର୍ଯ୍ୟ ବିନା ମଣିଷର ସର୍ଜନଶୀଳତା ନଷ୍ଟ ହୋଇଯିବ। ଏହା ଗାନ୍ଧୀଜୀଙ୍କୁ ବେଶ୍‌ ସ୍ପର୍ଶ କରିଥିଲା। ୧୯୩୭ ମସିହା ଅକ୍ଟୋବର ମାସ ୨୨ ତାରିଖ ଦିନ ସେବା ଗ୍ରାମରେ ଅନୁଷ୍ଠିତ ଅଖିଳ ଭାରତ ଶିକ୍ଷା ସମ୍ମିଳନୀରେ ଭାଷଣ ଦେଇ ଗାନ୍ଧୀଜୀ ମଧୁବାବୁଙ୍କର ଏହି ଚିନ୍ତାଧାରାକୁ ପ୍ରଶ˚ସା କରିଥିଲେ। ସେ କହିଥିଲେ, ‘ସ୍ବର୍ଗତ ମଧୁସୂଦନ ଦାସ ଜଣେ ଓକିଲ ଥିଲେ, କିନ୍ତୁ ସେ ବିଶ୍ବାସ କରୁଥିଲେ ଯେ ହସ୍ତ ଓ ପାଦର ବିନିଯୋଗ ବିନା ମଣିଷର ମସ୍ତିଷ୍କ ଅକାମି ହୋଇଯିବ ଏବ˚ ଯଦି ବା ମସ୍ତିଷ୍କ କାମ କରେ, ତାହା ସୈତାନର ଘର ପାଲଟିଯିବ। ଟଲ୍‍ଷ୍ଟୟ ତାଙ୍କର ଅନେକ ଗଳ୍ପ ମାଧ୍ୟମରେ ଏହି ଶିକ୍ଷା ପ୍ରଦାନ କରିଛନ୍ତି।’ ମଧୁ ବାବୁଙ୍କ ମତ ଓ ଟଲ୍‌ଷ୍ଟୟଙ୍କ ଗଳ୍ପର ସାରା˚ଶ ମଧ୍ୟରେ ସାମଞ୍ଜସ୍ୟ ଥିବା କହିବା ଅଥବା ପ୍ରକାରାନ୍ତରେ ମଧୁସୂଦନଙ୍କୁ ଟଲ୍‌ଷ୍ଟୟଙ୍କ ସହିତ ତୁଳନା କରିବା କ’ଣ କମ୍‌ ବଡ଼ କଥା! ଅନ୍ୟାନ୍ୟ ଅନେକ ସ୍ଥଳରେ ମଧ୍ୟ ଗାନ୍ଧୀଜୀ ମଧୁବାବୁଙ୍କ କାର୍ଯ୍ୟକଳାପ ଓ ଭାବ ଧାରାର ଉଦାହରଣ ଦେଇଥିଲେ।

ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଏକ ଖୋଲା ବହି ଏବ˚ ସାରା ପୃଥିବୀ ଥିଲା ତାଙ୍କ ପାଇଁ ଉଭୟ ପାଠଶାଳା ଓ ପ୍ରୟୋଗଶାଳା। ବ୍ୟକ୍ତି, ଜାତି, ଧର୍ମ ଓ ଅଞ୍ଚଳ ନିର୍ବିଶେଷରେ ସେ ଯେଉଁଠାରୁ ଯେଉଁ ଅଭିଜ୍ଞତା, ଅନୁଭବ ଓ ଅନୁଭୂତି ସାଉଁଟୁ ଥିଲେ, ତାକୁ ଗଣ୍ଠି ଧନ କରି ରଖୁଥିଲେ। ଆବଶ୍ୟକ ସ୍ଥଳେ ତା’ର ପ୍ରୟୋଗ କରୁଥିଲେ ନିଜ ଜୀବନରେ, ଜାତୀୟ ଜୀବନରେ ମଧ୍ୟ। ସେଥିପାଇଁ ସିନା ସେ ନିଜ ଘରର କବାଟ ଝରକା ସବୁବେଳେ ଖୋଲା ରଖିବାକୁ ଚାହୁଁଥିଲେ। ଗାନ୍ଧୀଜୀ ଚାହୁଁଥିଲେ ପୃଥିବୀର କୋଣ ଅନୁକୋଣରୁ ଆସୁଥିବା ମୁକ୍ତ ବାୟୁ ସେବନ କରିବା ପାଇଁ। ମଧୁବାବୁଙ୍କ କର୍ମ ପଦ୍ଧତି, ଚିନ୍ତାଧାରା ଓ ଆଭିମୁଖ୍ୟ ତାଙ୍କୁ ଭଲ ଲାଗିଥିବ ନିଶ୍ଚୟ। ମଧୁ ମନ୍ତ୍ରରେ ମୁଗ୍ଧ ହୋଇ ନ ଥିଲେ ମହାତ୍ମା କାହିଁକି ବିଭିନ୍ନ ଅବସରରେ ମଧୁବାବୁଙ୍କ ଉଦାହରଣ ଦେଇଥା’ନ୍ତେ? ମଧ୍ୟେ ମଧ୍ୟେ କାହିଁକି ତାଙ୍କ ପରାମର୍ଶ ଲୋଡ଼ିଥା’ନ୍ତେ?

ଭି-ଏ, ୯/୨, ୟୁନିଟ୍‌-୨, ଭୁବନେଶ୍ବର- ୭୫୧୦୦୯
[email protected]

ସମ୍ବନ୍ଧିତ ଖବର