ବିଲାତ ଫେରନ୍ତା ମଧୁ ବାବୁ, ନୂଆ ଓଡ଼ିଶାର ସଂଜ୍ଞା

ସୁରେନ୍ଦ୍ର ମହାନ୍ତି

ନଭେମ୍ବର ମାସରେ ମଧୁସୂଦନ ଓଡ଼ିଶା ଫେରିଆସିଲେ। ବିଲାତ-ପ୍ରତ୍ୟାଗତ ମଧୁସୂଦନଙ୍କୁ ‘ମଙ୍ଗଳ ବାଦ ଓ ସମାଦର ପ୍ରଦାନ’ ଉଦ୍ଦେଶ୍ୟରେ ଯଥାବିଧ ପ୍ରିଣ୍ଟିଙ୍ଗ୍ କଂପାନି କୋଠାରେ ଗୋଟିଏ ସାଧାରଣ ସଭା ଆୟୋଜିତ ହୋଇଥିଲା। ସହରର ସବୁ ସମାଜର ଲୋକ ‘ଜମିଦାର, ମହାଜନ, ରାଜକୁମାର’ଙ୍କ ଠାରୁ ଆରମ୍ଭ କରି ‘ଗାର୍ଡିଆନ, ଟ୍ୟୁଟର, ଛାତ୍ର ଓ ଦର୍ଶକ’ଙ୍କ ପର୍ଯ୍ୟନ୍ତ ମଧୁସୂଦନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଏହି ସଭାରେ ସମବେତ ହୋଇଥିଲେ। ହରିବଲ୍ଲଭ ଘୋଷ ହୋଇଥିଲେ ସଭାର ସଭାପତି। ବିଲାତର ଅନୁଭୂତି ବର୍ଣ୍ଣନା କରି ମଧୁସୂଦନ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ:

‘ବିଲାତରେ ଯେଉଁ ଦିଗକୁ ଦେଖିବ, ଯେମନ୍ତ ଜଣକିଆ କଥା ନାହିଁ। ସକଳ ବିଷୟରେ ମେଳ। ଅର୍ଥାତ୍ ବହୁ ଜନ ମିଶି କାର୍ଯ୍ୟ କରିବାର ବ୍ୟାପାର। ଚାରି ଆଡ଼େ ଦେଖ, ବ୍ୟବସାୟୀ, କ୍ରେତା, କଳବାଲା, ରାଜନୈତିକ, ସାମାଜିକ ଓ ଧର୍ମ ପ୍ରଚାରକ ପ୍ରଭୃତି ସମସ୍ତଙ୍କ ବିଷୟ ସଭା ସମିତି ଆଲୋଚନାରେ ହୁଏ। କେହି ଆପଣା ମନକୁ ଚାଲିବାର ନାହିଁ। ସମସ୍ତେ ଆପଣା ଆପଣା ଦଳଭୁକ୍ତ ଲୋକଙ୍କ ମତାଧୀନ। ଦଳଭୁକ୍ତ ବଡ଼ ଲୋକ ଗରିବ ଲୋକଙ୍କ ସଙ୍ଗେ ମିଶି ପରାମର୍ଶ କରୁଅଛି। ଏହା ହିଁ ବିଲାତର ଉନ୍ନତିର କାରଣ। ଏ ବିଷୟ ଅସ୍ମ-ଦେଶୀୟଙ୍କ ଶିକ୍ଷା କରିବା ଉଚିତ। ଏଠାରେ ଶିକ୍ଷିତ ଲୋକେ ସାଧାରଣ ଲୋକଙ୍କ ଠାରୁ ପ୍ରାୟ ପୃଥକ୍‌ ରହନ୍ତି। ସୁତରାଂ ସେମାନଙ୍କ ଚିନ୍ତା ଭିନ୍ନ ଦିଗରେ ଯାଏ ଏବଂ ଐକ୍ୟ ସ୍ଥାପିତ ହୋଇପାରେ ନାହିଁ। ପରସ୍ପର ମେଳ ହେତୁ ବିଶ୍ୱାସ ଦୃଢ଼ ହୁଏ ଏବଂ ସେହି ବିଶ୍ବାସ ସ୍ଥିର ରଖିବା ସକାଶେ ସତ୍ୟତା ଅବଲମ୍ବନ କରିବାକୁ ହୁଏ। ବିଶ୍ବାସ ହେବାରୁ ଲୋକେ ଯୌଥ କାରବାରରେ ଟଙ୍କା ଦେବାକୁ କୁଣ୍ଠିତ ହୁଅନ୍ତି ନାହିଁ। ତଦ୍ଦ୍ବାରା ବ୍ୟବସାୟର ଉନ୍ନତି। ଏ ଦେଶରେ ବିଶ୍ବାସ ଅଭାବରୁ ଲୋକେ ଆପଣା ସଞ୍ଚିତ ଧନ ଲୁଚାଇ ରଖନ୍ତି। ରାଜନୈତିକ ବ୍ୟାପାରରେ ପାର୍ଲିଆମେଣ୍ଟ ସଦସ୍ୟମାନଙ୍କୁ ଲୋକେ ବଡ଼ ମନେ କରନ୍ତି। ସେମାନେ ଲୋକଙ୍କ ଦ୍ବାରା ମନୋନୀତ ହୋଇ ସେ ପଦ ପାଇଛନ୍ତି, ମାତ୍ର ନିୟୋଗ-କର୍ତ୍ତାଙ୍କ ପରାମର୍ଶର ଅଧୀନରେ ସେମାନଙ୍କୁ ଚାଲିବାକୁ ହୁଏ।’’

ଭାରତରେ ସେତେବେଳେ ଅବଶ୍ୟ ପାର୍ଲିଆମେଣ୍ଟାରୀ ରାଜନୀତିର କ୍ଷୀଣ ସୂତ୍ରପାତ ହୋଇଥିଲା। ମାତ୍ର ଲେଜିସଲେଟିଭ୍-କାଉନସିଲ ମାନଙ୍କରେ ଜନମତର ପ୍ରଭାବ ନ ଥିଲା: ଅଥବା ଜନମତର ପ୍ରାଧାନ୍ୟ ସେଠାରେ ସ୍ବୀକୃତ ହେଉ ନଥିଲା। କିନ୍ତୁ, ଜନମତ ଯଥାର୍ଥ ଭାବରେ ସଂଗଠିତ ନ ହେଲେ, ପୁଣି ସାଧାରଣ ବ୍ୟାପାରମାନଙ୍କରେ ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ନଥିଲେ, ଜନମତର କୌଣସି ବଳିଷ୍ଠ ପ୍ରଭାବ ରହିବା ସମ୍ଭବ ନୁହେଁ। ଏହା ଲକ୍ଷ୍ୟ କରି ବିଲାତରୁ ଫେରିବା ପର ଠାରୁ ଓଡ଼ିଶାର ବିଶେଷ ସମସ୍ୟାମାନଙ୍କର ସମାଧାନ ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ଏକ ସୁୁସଂଗଠିତ ରାଜନୈତିକ ଅନୁଷ୍ଠାନ ସ୍ଥାପନ କରିବାର ଭାବନା ମଧୁସୂଦନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା।

୧୮୯୮ ସାଲ ନବ ବର୍ଷ ଦିନ, ରେଭେନ୍‍ସା କଲେଜର ଛାତ୍ରମାନେ ମଧୁସୂଦନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଯେଉଁ ସଭାର ଆୟୋଜନ କରିଥିଲେ, ମଧୁସୂଦନ ସେହି ସଭାରେ ଭାଷଣ ପ୍ରସଙ୍ଗରେ ଏ ବିଷୟଟିକୁ ଆଉରି ବିଶଦ ଭାବରେ ଉପସ୍ଥାପିତ କରିଥିଲେ। ଭାଷଣର ବିଷୟବସ୍ତୁ ଥିଲା– ବ୍ରିଟିସ୍‌ ରାଜନୈତିକ ଜୀବନ। ‘ଉତ୍କଳ-ଦୀପିକା’ର ସମ୍ବାଦଦାତାଙ୍କ ବିବରଣୀ ଅନୁସାରେ “eloquent and intellectual address.”

ବିଲାତରୁ ଫେରିବା ପରେ ମଧୁସୂଦନ ଲୋକମୁଖରେ ପରିଣତ ହୋଇ ପଡ଼ିଥିଲେ ‘ମଧୁ ବାରିଷ୍ଟର’! ମାତ୍ର ସାଇନ୍-ବୋର୍ଡ଼ରେ ଲେଖା ଥିଲା, ଆଡ଼ଭୋକେଟ୍! କାରଣ ବାର-ଆଟ୍-ଲ ଡିପ୍ଲୋମା ପାଇଁ ମଧୁସୂଦନ ବିଲାତ ଯାଇ ନ ଥିଲେ; କିମ୍ବା ସେ ବାରିଷ୍ଟର ହୋଇ ନ ଥିଲେ। ତଥାପି ବାରିଷ୍ଟର-ପ୍ରସିଦ୍ଧି ହେତୁ ବ୍ୟବସାୟର ପ୍ରସାର ହଠାତ୍‌ ଯେପରି ସ୍ଫୀତ ହୋଇ ଉଠିଥିଲା; ଉପାର୍ଜନର ପରିମାଣଟା ମଧ୍ୟ ସେହିପରି ବେଶ ବୃଦ୍ଧି ପାଇଥିଲା। କିନ୍ତୁ ଓକିଲାତି ବ୍ୟବସାୟ ଅପେକ୍ଷା ସାଧାରଣ ରାଜନୈତିକ ଜୀବନ ହିଁ ସେତେବେଳେ ମଧୁସୂଦନଙ୍କ ଚିନ୍ତା ଓ ଭାବନାକୁ ସର୍ବତୋ ଭାବରେ ଆଚ୍ଛନ୍ନ କରି ରଖୁଥିଲା।

‘ଉତ୍କଳ ସଭା’ ଆନୁକୂଲ୍ୟରେ ଓଡ଼ିଶାରେ ସେ ପର୍ଯ୍ୟନ୍ତ ସଂଗଠିତ ରାଜନୈତିକ ଜୀବନର ଯେଉଁ କ୍ଷୀଣ ସୂତ୍ରପାତ ହୋଇଥିଲା; ତାହାର ପରିସର କେବଳ କଟକ ଜିଲ୍ଲା ମଧ୍ୟରେ ସୀମାବଦ୍ଧ ରହିଥିଲା। ‘ଉତ୍କଳ-ସଭା’ର ପ୍ରତିଯୋଗିତା ପାଇଁ ପୁଣି ଗଢ଼ି ଉଠିଥିଲା ‘ଓଡ଼ିଶା ପିପୁଲସ ଆସୋସିଏସନ୍’। ଦୁଇ ଅନୁଷ୍ଠାନର ଉଦ୍ଦେଶ୍ୟ ଏକ। ତଥାପି ବ୍ୟକ୍ତିତ୍ବର ସଂଘାତ ହେତୁ ଦୁଇ ଅନୁଷ୍ଠାନ ପରସ୍ପର ଠାରୁ ଅଲଗା। ‘ଓଡ଼ିଶା-ପିପୁଲସ ଆସୋସିଏସନ’ ପରିସର ମଧ୍ୟ ‘ଉତ୍କଳ-ସଭା’ ପରି କଟକ ବାହାରକୁ ସଂପ୍ରସାରିତ ହୋଇ ପାରି ନଥିଲା।

କଟକର ଶିକ୍ଷିତ ସମାଜରେ ପୁଣି ଭାଷା, ଜାତି ଓ ସଂପ୍ରଦାୟ ଘେନି ସେତେବେଳେ ନାନା ଅନୈକ୍ୟ। ମ୍ୟୁନିସିପାଲିଟି ନିର୍ବାଚନ ବେଳେ କଟକରେ ଓଡ଼ିଆ ବଙ୍ଗାଳିଙ୍କ ମଧ୍ୟରେ ବିଦ୍ବେଷ ତିକ୍ତ ହୋଇ ଉଠିଥିଲା। ଭାଷାଗତ, ଗୋଷ୍ଠୀଗତ ଓ ଜାତିଗତ ସଂକୀର୍ଣ୍ଣତା ଭୁଲି ଓଡ଼ିଶାବାସୀ ମାତ୍ରେ ପ୍ରତ୍ୟେକେ ଏକ ସଂଗଠନରେ ସମ୍ମିଳିତ ନ ହେଲେ ଅବହେଳିତ ଓଡ଼ିଶାର ବିଶେଷ ସମସ୍ୟାମାନଙ୍କର ନ୍ୟାୟୋଚିତ ସମାଧାନର କୌଣସି ସମ୍ଭାବନା ନଥିଲା। ଏହି ଉଦ୍ଦେଶ୍ୟରେ ସହରର ସବୁ ସଂପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ସଭା, ମଧୁସୂଦନ ନିଜ ବାସଭବନରେ ଦିନେ ଆୟୋଜନ କରିଥିଲେ। କାର୍ଯ୍ୟସୂଚୀ ପ୍ରସ୍ତୁତି ପାଇଁ ସବୁ ଗୋଷ୍ଠୀ ଓ ସଂପ୍ରଦାୟର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଘେନି ଏହି ସଭାରେ ଏକ ସବ୍‌ କମିଟି ଗଠିତ ହୋଇଥିଲା। ବଙ୍ଗୀୟମାନଙ୍କ ପକ୍ଷରୁ ହରିବଲ୍ଲଭ ଘୋଷ, ଓଡ଼ିଆଙ୍କ ପକ୍ଷରୁ ଅବଦୁସ ସମଦ, ମାନ୍ଦ୍ରାଜୀ ମୁସଲମାନଙ୍କ ପକ୍ଷରୁ ହାଜୀ ମହମ୍ମଦ, ମାନ୍ଦ୍ରାଜ ହିନ୍ଦୁଙ୍କ ପକ୍ଷରୁ ଏସ. ରାଓ, ମାରୱାଡ଼ିଙ୍କ ପକ୍ଷରୁ ଖୋସଲ ଚାନ୍ଦ, ଖ୍ରୀଷ୍ଟୀଆନ୍‌ଙ୍କ ପକ୍ଷରୁ ସାମସନ୍ ରାଉତ ଓ ରେଭରେଣ୍ଡ ସେମ୍ ସାହୁ ପ୍ରମୁଖ ଏହି ସବ କମିଟିରେ ସ୍ଥାନ ପାଇଥିଲେ।

ପରବର୍ତ୍ତୀ କାଳର ଉତ୍କଳ-ସମ୍ମିଳନୀର ମୂଳ ଭିତ୍ତି ଏଇ ଠାରେ ସେ ଦିନ ସବୁ ଧର୍ମ ଓ ଭାଷାଭାଷୀ ଗୋଷ୍ଠୀର ମୁଖ୍ୟ ବ୍ୟକ୍ତିମାନଙ୍କର ଭ୍ରାତୃ-ମିଳନ ମଧ୍ୟରେ ସ୍ଥାପିତ ହୋଇଥିଲା। ଓଡ଼ିଆର ସଂଜ୍ଞା ଆଉ କେବଳ ଓଡ଼ିଆ ଭାଷାଭାଷୀମାନଙ୍କ ମଧ୍ୟରେ ସୀମିତ ହୋଇ ରହିଲା ନାହିଁ। ଭାଷା, ଧର୍ମ, ଜାତି ଓ ଗୋଷ୍ଠୀ ନିର୍ବିଶେଷରେ ଯେଉଁମାନେ ଓଡ଼ିଶାକୁ ଶୈଶବର କ୍ରୀଡ଼ା ଭୂମି, ଯୌବନର କର୍ମ ଭୂମି, ବାର୍ଦ୍ଧକ୍ୟର ବିଶ୍ରାମ ଭୂମି ଓ ମୃତ୍ୟୁ ପରେ ଅନ୍ତିମ ବିଶ୍ରାମ ଭୂମି ରୂପରେ ଗ୍ରହଣ କରିଛନ୍ତି, ସେମାନେ ସମସ୍ତେ ଓଡ଼ିଆ। ଓଡ଼ିଶାର ସର୍ବାଙ୍ଗୀନ ଅଭିବୃଦ୍ଧି ଓ ଅଭ୍ୟୁଦୟ ପାଇଁ ଯେ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଆବଶ୍ୟକ- ଏହା ହିଁ ଥିଲା, ସେ ଦିନର ସେହି ସମ୍ମେଳନର ବାର୍ତ୍ତା!

ମାତ୍ର, ଉତ୍କଳ-ସମ୍ମିଳନୀର ସମ୍ଭାବନା ସେ ପର୍ଯ୍ୟନ୍ତ ତଥାପି ଭବିଷ୍ୟତ ଗର୍ଭରେ ଲୁକ୍‌କାୟିତ ରହିଥିଲା।
(‘ଶତାବ୍ଦୀର ସୂର୍ଯ୍ୟ’ ପୁସ୍ତକରୁ ଉଦ୍ଧୃତ)

ସମ୍ବନ୍ଧିତ ଖବର