କେବଳ କରୋନା ଟିକା ହିଁ ଭାରତକୁ ରକ୍ଷା କରିବ

ମହାମେଘବାହନ ଐର ଖାରବେଳ ସ୍ବାଇଁଁ

ଗୋଟିଏ ଅଞ୍ଚଳ ବା ଦେଶରେ ୭୦% ଲୋକ ଟିକା ନେଲେ ଯାଇ ଓ ସେମାନଙ୍କ ମଧ୍ୟ ଦେଇ କରୋନା ସ˚କ୍ରମଣ ନ ହେଲେ ଯାଇ, ସେଠାରେ ଗୋଷ୍ଠୀ ସୁରକ୍ଷା ଅବସ୍ଥା ସୃଷ୍ଟି ହେବ। ଭାରତରେ ଏ ଯାଏ ପାଖାପାଖି ୫% ଲୋକ ଟିକା ନେଇଛନ୍ତି। ଅର୍ଥାତ, ଭାରତରେ ସମସ୍ତଙ୍କୁ ଟିକା ନେବାକୁ ଆହୁରି ୬୦୦ ଦିନ ଲୋଡ଼ା। ଏବ˚ ଇତି ମଧ୍ୟରେ କରୋନାର ଦ୍ବିତୀୟ ଝଡ଼ ଅତି ଭୟାନକ ଭାବରେ ଭାରତରେ ମାଡ଼ି ଚାଲିଛି। ଗତ ବର୍ଷ ଯେତେବେଳେ ଭାରତରେ କରୋନା ବ୍ୟାପିବାକୁ ଆରମ୍ଭ କଲା, ସେତେବେଳେ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ସେତେବେଳେ ଏହି ରୋଗ ଥିଲା ସମ୍ପୂର୍ଣ୍ଣ ଅଜଣା। କେହି ଜଣେ କାଶିଦେଲେ ବା ଛିଙ୍କିଦେଲେ ପାଖରେ ଥିବା ଲୋକମାନେ ଆତଙ୍କିତ ହୋଇପଡୁଥିଲେ। କେହି ଜଣେ କରୋନା ସ˚କ୍ରମିତ ହେଉଥିଲେ ଓ ତା’ ପାଖରେ କେହି ସ˚କ୍ରମିତ ଲୋକ ଥିଲେ, ତାକୁ ‘ସୁପର୍‌ ସ୍ପ୍ରେଡର୍‌’ ବୋଲି କୁହାଯାଉଥିଲା। ସେତେବେଳେ କରୋନା ମୁକାବିଲା ପାଇଁ କୌଣସି ଔଷଧ ବା ଟିକା ବାହାରି ନଥିବାରୁ କେମିତି ଏ ରୋଗରୁ ମୁକ୍ତି ପାଇବାକୁ ହେବ ସେ କଥା କେହି ଜାଣି ନଥିଲେ।

ଟିକାଟିଏ ବାହାରିବା ପାଇଁ କେତେ ଦିନ ବା କେତେ ବର୍ଷ ସମୟ ଲାଗିବ, ସେ କଥା କେହି ସ୍ପଷ୍ଟ ଭାବେ ଜାଣି ନଥିଲେ। କୁହାଯାଉଥିଲା, ପୋଲିଓ ଟିକା ବାହାରିବା ପାଇଁ ଦୀର୍ଘ ୧୮ ବର୍ଷ ସମୟ ଲାଗିଥିଲା। ଅନ୍ତତଃ, କରୋନା ଟିକା ବାହାରିବା ପାଇଁ ଦେଢ଼ ବର୍ଷ ସମୟ ଲାଗିବ ବୋଲି ଆଶାବାଦୀମାନେ କହୁଥିଲେ, ଯଦିଓ ନିରାଶାବାଦୀମାନେ ସେ କଥାରେ ବିଶ୍ବାସ କରୁନଥିଲେ। ଗତ ସେପ୍ଟେମ୍ବର ୨୦୨୦ ବେଳକୁ ଦୈନିକ ପାଖାପାଖି ୧ ଲକ୍ଷ ସ˚କ୍ରମଣ ହେଲା ଓ ସର୍ବାଧିକ ଦୈନିକ ୧,୩୦୦ ଲୋକ ମରୁଥିଲେ। ସେତେବେଳେ ଡାକ୍ତରଖାନାମାନଙ୍କରେ ଶଯ୍ୟା, ଭେଣ୍ଟିଲେଟର ଓ ବେଳେ ବେଳେ ଅମ୍ଳଜାନର ଗୁରୁତର ଅଭାବ ଦେଖାଗଲା। ରୋଗ ପାଇଁ ଏତେ ବେଶି ଭିତ୍ତିଭୂମିର ଆବଶ୍ୟକତା କେବେ ପଡ଼ିବ ବୋଲି ସେତେବେଳେ କେହି ଚିନ୍ତା କରି ପାରୁ ନ ଥିଲେ। କିନ୍ତୁ ସେପ୍ଟେମ୍ବର ୧୬ ପରେ ଧୀରେ ଧୀରେ କରୋନାର ପ୍ରକୋପ କମିବାକୁ ଲାଗିଲା। ଗତ ୨୦୨୧ ଜାନୁଆରି ବେଳକୁ ଦୈନିକ ସ˚କ୍ରମଣ ହାର ୧୦,୦୦୦ ତଳକୁ ଖସିଗଲା। ଦେନିକ ମୃତ୍ୟୁ ସ˚ଖ୍ୟା ମଧ୍ୟ ୧୦୦କୁ ଖସିଆସିଲା। ଲୋକମାନେ ଆନନ୍ଦ ମନାଇଲେ। ବାହାଘର, ନିର୍ବାଚନ, ପର୍ବପର୍ବାଣି ପାଳନ ଆଦି ସେହି ପୁରୁଣା କ୍ରମରେ ଚାଲିଲା।

ୟୁରୋପ, ଆମେରିକାରେ ସେତେବେଳେ କରୋନାର ଦ୍ବିତୀୟ ତୃତୀୟ ଝଡ଼ ବାହାରିଲା ବେଳେ, ଭାରତରେ ଏହା ଆଉ ବଢ଼ିବ ନାହିଁ ବୋଲି ଧାରଣା ସୃଷ୍ଟି ହେଲା। ତେଣୁ ସରକାରମାନେ କୁମ୍ଭମେଳା ପରି ଅତ୍ୟନ୍ତ ଜନବହୁଳ ଧର୍ମୀୟ ଉତ୍ସବକୁ ମଧ୍ୟ ଅନୁମତି ଦେଲେ। ସେତେବେଳେ ହୁଏତ କରୋନା ପରଦା ପଛରେ ରହି ପୁନଃ ଆକ୍ରମଣର ଅପେକ୍ଷାରେ ଥିଲା। ଗତ ମାର୍ଚ୍ଚରୁ ଏହି ଆକ୍ରମଣ ବ୍ୟାପକ ଭାବରେ ବୃଦ୍ଧି ପାଇଲା, ଯେତେବେଳେ ଭାରତର ଜନତା କରୋନାକୁ ଭୁଲିଯିବାକୁ ଆରମ୍ଭ କଲେ, ସେତେବେଳେ ମୁଖା ପିନ୍ଧିବା, ହାତ ଧୋଇବା, ଅନ୍ୟମାନଙ୍କ ସହ ନ ମିଶିବା କଥାକୁ ବ୍ୟକ୍ତିଗତ ଅସୁବିଧା ବୋଲି ମନେ କରାଗଲା। ଏବେ ପ୍ରତି ଦିନ ସ˚କ୍ରମଣ ସାଢ଼େ ତିନି ଲକ୍ଷରୁ ଅଧିକ ଓ ମୃତ୍ୟୁ ସ˚ଖ୍ୟା ୨୮୦୦ରୁ ଅଧିକ ଧରିଲାଣି। ମୋଟ ମୃତ୍ୟୁ ସ˚ଖ୍ୟା ଦୁଇ ଲକ୍ଷ ଧରିବାକୁ ଗଲାଣି। ବିଭିନ୍ନ ହସ୍‌ପିଟାଲ୍‌ମାନଙ୍କରେ ଏବେ ଶଯ୍ୟା, ଆଇ.ସି.ୟୁ. ଓ ବିଶେଷ କରି ଅମ୍ଳଜାନର ଗୁରତର ଅଭାବ ଅନୁଭୂତ ହୋଇଛି। ଭାରତର ସ୍ବାସ୍ଥ୍ୟ ଭିିତ୍ତିଭୂମି ଯେ ଉତ୍କଟ ଅଭାବର ସମ୍ମୁଖୀନ ତାହା ସ୍ପଷ୍ଟ ଜଣାପଡୁଛି।

ଏହା ଘଟିବାର ପ୍ରଥମ କାରଣ ହେଲା, ସରକାର ଓ ଜନସାଧାରଣଙ୍କର ଆତ୍ମସନ୍ତୁଷ୍ଟି ମନୋଭାବ। ଭାରତର ଜନସାଧାରଣ ଓ ସରକାର କରୋନା ଉପରେ ବିଜୟ ପାଇଁ ପରସ୍ପରକୁ ପରୋକ୍ଷରେ ଅଭିନନ୍ଦନ ଜଣାଇଲେ। ଭାରତର ଜନସାଧାରଣ ଓ ସରକାର ଜନସ୍ବାସ୍ଥ୍ୟ ନୀତି ପାଇଁ ନୁହେଁ ଭାଗ୍ୟ କ୍ରମେ ଜିତିଗଲେ ବୋଲି ଧରିନେଲେ। ଏହା ଛଡ଼ା ଯେଉଁ ନୂଆ ନୂଆ ପ୍ରଜାତିର କରୋନା ଭୂତାଣୁ ସୃଷ୍ଟି ହେବାକୁ ଲାଗିଲେ, ସେ ସମ୍ପର୍କରେ ଭାରତରେ ଓ ଏପରିକି ବିଶ୍ବରେ ବୈଜ୍ଞାନିକମାନେ ମଧ୍ୟ ମୂଳରୁ ଧାରଣା କରି ପାରି ନ ଥିଲେ। କରୋନାର ଏପରି ପ୍ରଜାତିମାନେ ଯେ, ପ୍ରଥମ କରୋନା ଭୂତାଣୁ ଅପେକ୍ଷା ଅଧିକ ସ˚କ୍ରମଣଶୀଳ ଓ ଘାତକ ଏ କଥା ମଧ୍ୟ ସେତେବେଳେ କେହି ଜାଣି ପାରି ନ ଥିଲେ। ‘ଜିନ୍‌ ସିକ୍ବେନସିଙ୍ଗ୍’ ଦ୍ବାରା ଏପରି ପ୍ରଜାତିମାନଙ୍କୁ ଜାଣି ହୋଇଥାଏ। ଭାରତରେ ଏ ଯାଏ ମାତ୍ର ୦.୧% ଲୋକଙ୍କର ‘ଜିନ ସିକ୍ବେନସିଙ୍ଗ୍’ ହୋଇଛି। ଅପର ପକ୍ଷରେ ୨.୫ କୋଟି ପାଉଣ୍ତ(ଏକ ପାଉଣ୍ତ ପ୍ରାୟ ୧୦୩ ଟଙ୍କା) ଖର୍ଚ୍ଚ କରି ୟୁକେରେ ‘ଜିନ୍‌ ସିକ୍ବେନସିଙ୍ଗ୍‌’ କରାଯିବାରୁ ସେ ଦେଶ କରୋନାକୁ ରୋକି ପାରିଛି; ଯାହା ଗତ ବର୍ଷ ସେଠାରେ ଭୟାନକ ଅବସ୍ଥାରେ ଥିଲା।

ଭାରତରେ ଅତି ଧିମା ଗତିରେ ଟିକା ଦିଆଯିବା ଦ୍ବାରା ଏବେ କରୋନାର ମୁକାବିଲା କରିବାରେ କଷ୍ଟ ହେଉଛି। ବର୍ଷକ ତଳେ ଯେତେବେଳେ ଟିକା ବାହାରିବା କଥା ଉଠିଲା, ସେତେବେଳେ ଆମେରିକା ଓ ୟୁରୋପିଆନ ୟୁନିୟନ, ୟୁକେ ଓ ଜାପାନ ପରି ଧନୀ ଦେଶମାନେ ଟିକା ବାହାର କରୁଥିବା ବିଭିନ୍ନ କମ୍ପାନିମାନଙ୍କୁ ଅଗ୍ରୀମ ଅର୍ଥ ଦେଇ ସେମାନଙ୍କ ପାଖରୁ ଟିକା ଡୋଜ୍‌ମାନ କିଣିନେଲେ। ଇତି ମଧ୍ୟରେ ଆମେରିକା, ଅଷ୍ଟ୍ରାଜେନେକା ଟିକା ୩୦ କୋଟି, ଫାଇଜର ଟିକା ୩୦ କୋଟି, ମଡର୍ଣ୍ଣା ଟିକା ୩୦ କୋଟି ଓ ଜନସନ ଏଣ୍ତ ଜନସନ ଟିକା ୧୦ କୋଟି କିଣିନେଇଛି ଅବା କିଣିବା ପାଇଁ ଚୁକ୍ତି କରିସାରିଛି।

ସେହିପରି ୟୁରୋପିଆନ ୟୁନିୟନ ଅଷ୍ଟ୍ରାଜେନେକା ଟିକା ୩୦ କୋଟି, ଫାଇଜର ଟିକା ୫୫ କୋଟି, ମଡର୍ଣ୍ଣା ଟିକା ୨୩ କୋଟି ଓ ଜନସନ ଏଣ୍ତ ଜନସନ ଟିକା ୨୦ କୋଟି କିଣିଛି। ୟୁକେ, ଅଷ୍ଟ୍ରାଜେନେକା ଟିକା ୧୦ କୋଟି, ଫାଇଜର ଟିକା ୪ କୋଟି, ମଡର୍ଣ୍ଣା ଟିକା ୧୦ କୋଟି ୭୦ ଲକ୍ଷ ଓ ଜନସନ ଏଣ୍ତ ଜନସନ ଟିକା ୩ କୋଟି କିଣିଛି। ଭାରତ ସେତିକି ବେଳେ ଅଷ୍ଟ୍ରାଜେନେକା ଟିକା ୧୦ କୋଟି ୧୦ ଲକ୍ଷ ଓ କୋଭାକସିନ୍‌ ଟିକା ୧ କୋଟି ପାଇଁ ଆଦେଶ ଦେଇଛି। ଏବେ ଭାରତ ରୁଷିଆ ଠାରୁ ସ୍ପୁଟନିକ୍‌ ଟିକା ୧ କୋଟି ଆମଦାନି କରିବ। ଭାରତ, ଆଗାମୀ ମେ’ ୧ ତାରିଖଠାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବାକୁ ନୀତି ନିର୍ଦ୍ଧାରଣ କରିଥିବାରୁ ଓ ଏହାର ଜନସ˚ଖ୍ୟା ସାରା ୟୁରୋପ ଓ ଆମେରିକାର ମିଳିତ ଜନସ˚ଖ୍ୟା ଅପେକ୍ଷା ଅଧିକ ହୋଇଥିବାରୁ ଟିକାର ଅଭାବ ଭାରତରେ ପରିଲକ୍ଷିତ ହେବା ସ୍ବାଭାବିକ। କିନ୍ତୁ ପ୍ରଥମେ ପ୍ରଥମେ ଭାରତକୁ ‘ଟିକା ସୁପର ପାୱାର’ ବୋଲି କୁହାଯାଉଥିଲା। ସେତେବେଳେ ଭାରତ ଅନ୍ୟ ଅନେକ ଗରିବ ଦେଶମାନଙ୍କୁ ଟିକା ପଠାଇବା ଆରମ୍ଭ କରିଥିଲା ମଧ୍ୟ।

ରାଜନୈତିକ ଗଣିତରେ ଭୁଲ କରି ଭାରତ ଏବେ ବିପଦରେ ପଡ଼ିଛି। ଯେମିତି ଟିକାଦାନ କେନ୍ଦ୍ରମାନଙ୍କରେ ଟିକା ଅଭାବ ହେତୁ ଠେଲାପେଲା ହୋଇ ଅନେକ ଲୋକ ସ˚କ୍ରମିତ ହୋଇଛନ୍ତି, ନିର୍ବାଚନ ବେଳେ ରାଜନୈତିକ ଦଳମାନେ ବଡ଼ ବଡ଼ ଜନସମାବେଶ, ସଭା ଓ ଶୋଭାଯାତ୍ରା କରି କରୋନା ସ˚କ୍ରମଣକୁ ବଢ଼ାଇଛନ୍ତି। ଏ କ୍ଷେତ୍ରରେ ମାଡ୍ରାସ ହାଇକୋର୍ଟ ମଧ୍ୟ ଏବେ ନିର୍ବାଚନ କମିସନଙ୍କୁ ଏ ଧରଣର ଜନସମାବେଶକୁ ନ ରୋକିବାରୁ କଠୋର ଭାବରେ ସମାଲୋଚନା କରିଛନ୍ତି।

ଅନେକ ସମୟରେ ଯେଉଁମାନେ ଟିକା ନେବା କଥା, ସେମାନଙ୍କର ଟିକା ପ୍ରତି ପ୍ରତ୍ୟୟ ସୃଷ୍ଟି ନ ହେବାରୁ, ସେମାନେ ଟିକା ନେବାକୁ କୁଣ୍ଠା ପ୍ରକାଶ କରି ଏଯାଏ ମଧ୍ୟ ଟିକା ନେଇନାହାନ୍ତି। କିଛି ଲୋକ ପ୍ରଥମ ଡୋଜ୍‌ ଟିକା ନେଇ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଯାଇନାହାନ୍ତି। ଏହା ମଧୢ ଏକ ବିପଦ ସୃଷ୍ଟି କରିଛି। କିନ୍ତୁ ସତ୍ୟ ହେଉଛି ଯେ, ବର୍ତ୍ତମାନ ସ୍ଥିତିରେ ଦେଶକୁ କରୋନା ମହାମାରୀ କବଳରୁ ରକ୍ଷା କରିବାର ଏକମାତ୍ର ବିକଳ୍ପ ହେଲା ଟିକା ନେବା। ଅନ୍ୟ କୌଣସି ବାଟ ନାହିଁ ଯଦ୍ଦ୍ବାରା କରୋନା ମହାମାରୀକୁ ନିୟନ୍ତ୍ରଣ କରିହେବ।

ଭାରତରେ କରୋନା ମହାମାରୀର ଦ୍ବିତୀୟ ଲହର ପ୍ରବଳ ଭାବରେ ମାଡ଼ି ଚାଲିଥିଲା ବେଳେ ଓ ବିଶ୍ବର ଅନ୍ୟତ୍ର ତୃତୀୟ ତଥା ଏପରିକି ଚତୁର୍ଥ ଲହର ଚାଲିଥିଲା ବେଳେ ଏହାକୁ କେମିତି ପରାହତ କରିହେବ, ତାହାକୁ ନେଇ ନାନା ବିତର୍କ ଚାଲିଛି। ଏପରିକି ଟିକା ସଫଳ କି ନୁହେଁ ଅବା ଟିକା ନେବା ପରେ ଗୁରୁତର ପାର୍ଶ୍ବପ୍ରତିକ୍ରିୟାମାନ ସୃଷ୍ଟି ହୁଏ କି ନାହିଁ, ଏହାକୁ ନେଇ ମଧୢ ବିତର୍କ ଚାଲିଛି। ଯଦି ଟିକା ନେବା ପରେ ମଧୢ କରୋନା ସ˚କ୍ରମଣ କରେ, ତେବେ ଏହାକୁ ନେବାର ଆବଶ୍ୟକତା କ’ଣ ବୋଲି ମଧୢ ପ୍ରଶ୍ନ ଉଠୁଛି। ତେବେ ସରକାରୀ ସ୍ତରରେ ତଥ୍ୟ ଦିଆଯାଇଛି ଯେ, ୧୦,୦୦୦ ଟିକା ନେଇଥିବା ଲୋକଙ୍କ ମଧୢରୁ ମାତ୍ର ୨ରୁ ୪ଜଣ ପୁନଃସ˚କ୍ରମିତ ହୋଇଛନ୍ତି। ଏହି ତଥ୍ୟ ଦେଇଛନ୍ତି, ଭାରତୀୟ ମେଡିକାଲ୍‌ ଗବେଷଣା ପରିଷଦ (ଆଇସିଏମ୍‌ଆର‌୍‌)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ଏହା ଅତି ସ୍ବଳ୍ପ ସ˚ଖ୍ୟକ ବୋଲି କୁହାଯାଉଛି। ଅବଶ୍ୟ ଗୋଟିଏ ଡୋଜ୍‌ (ମାତ୍ରା) ନେବା ପରେ ଜଣେ ସୁରକ୍ଷିତ ରହେ ନା ଦୁଇଟି ଡୋଜ୍‌ ନେବା ପରେ ସୁରକ୍ଷିତ ରହେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଗୋଟିଏ ଡୋଜ୍‌ ଟିକା ନେଇଥିବା ଲୋକମାନେ ମଧୢ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ସ˚ଖ୍ୟା ବହୁତ କମ୍‌ ଓ ସେମାନେ ପୁର୍ବରୁ ଡାଇବିଟିସ୍‌, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, କିଡ୍‌ନିର ନିଷ୍କ୍ରିୟତା, କ୍ୟାନସର ଆଦି ଭଳି ଗୁରୁତର ବ୍ୟାଧି ଦ୍ବାରା କ୍ଷତିଗ୍ରସ୍ତ ହୋଇସାରିଥିଲେ।

ତଥ୍ୟରୁ ଜଣାପଡିଛି ଯେ, କୋଭାକ୍ସିନ୍‌ ଟିକା ନେଇଥିବା ୯,୩୫୬,୪୩୬ ଲୋକଙ୍କ ମଧୢରୁ ୪,୨୦୬ ଲୋକ କରୋନା ସ˚କ୍ରମିତ ହୋଇଛନ୍ତି। ଅର୍ଥାତ୍‌, ୦.୦୪%। ସେହିପରି ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆର କୋଭିସିଲ୍‌ଡ ଟିକା ନେଇଥିବା ୧,୦୦,୩୦୨,୭୪୫ ଲୋକଙ୍କ ମଧୢରୁ ୧୭,୧୪୫ ଜଣ ସ˚କ୍ରମିତ ହୋଇଥିଲେ। ଏହା ହେଉଛି ୦.୦୨%। ଅର୍ଥାତ୍‌, ୧୦,୦୦୦ ଲୋକଙ୍କ ମଧୢରୁ ୨ ଜଣ। ଏ କ୍ଷେତ୍ରରେ ଦ୍ବିତୀୟ ଡୋଜ୍‌ ନେଇଥିବା ୧୦,୦୦୦ ମଧୢରୁ ୩ ଜଣ ସ˚କ୍ରମିତ ହୋଇଥିବାର ଜଣାପଡ଼ିଛି।

ଏହି ତଥ୍ୟର ଅର୍ଥ ହେଲା, ଟିକାକରଣ, କରୋନା ସ˚କ୍ରମଣକୁ ଏକପ୍ରକାର ରୋକି ଦେଇଛି। ଏହି ତଥ୍ୟରେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ପୁଲିସ, ସଫେଇ କର୍ମୀ ପରି ଆଗ ଧାଡ଼ିର କର୍ମଚାରୀମାନେ ଅଛନ୍ତି, ଯେଉଁମାନେ କରୋନା ରୋଗୀ ଓ ସେହି ବାତାବରଣ ସହ ସଦାବେଳେ ସମ୍ପୃକ୍ତ ହେଉଛନ୍ତି। ବାସ୍ତବରେ ଯଦି ଏତେ ପ୍ରବଳ ବେଗରେ ସ˚କ୍ରମଣ ଘଟୁନଥାନ୍ତା, ତେବେ ଟିକା ନେବା ପରେ ଜଣେ ମଧୢ ସ˚କ୍ରମିତ ହୁଏନ୍ତେ ନାହିଁ ବୋଲି ଡକ୍ଟର ଭାର୍ଗବ କହିଛନ୍ତି। ଇତିମଧୢରେ ଭାରତର ୮୭.୫୭% ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ର ଟିକା ନେଇ ସାରିଛନ୍ତି। ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ୯୦% ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ର ଟିକା ନେଇ ସାରିଛନ୍ତି। ଗୁଜରାଟ ଓ ଝାଡ଼ଖଣ୍ତ ପରି ରାଜ୍ୟ ସେମାନଙ୍କ ସବୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେଇ ସାରିଛନ୍ତି। ତେଣୁ ସବୁ ପ୍ରକାର ଉଦ୍ୟମ କରି ଭାରତ ସରକାର କରୋନାକୁ ରୋକିବା ପାଇଁ ଯେତେ ଶୀଘ୍ର ସମ୍ଭବ ସମସ୍ତଙ୍କୁ ଟିକା ଦିଅନ୍ତୁ। ଓଡ଼ିଶାକୁ ମିଶାଇ ଅନ୍ୟ ରାଜ୍ୟମାନେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତି ନେବା ଏକ ଠିକ୍‌ ପଦକ୍ଷେପ। ନିଜ ଲୋକଙ୍କୁ ବଞ୍ଚାଇବା ଠାରୁ ସରକାରମାନଙ୍କର ଆଉ ବଡ଼ କର୍ତ୍ତବ୍ୟ କ’ଣ ଅଛି!

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର