ପ୍ରକୃତ ଅମାନିଆ କିଏ?

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ସାମାଜିକ ଗଣମାଧ୍ୟମରେ ଦୁଇଟି ଧାଡ଼ିର ଅଭିବ୍ୟକ୍ତିଟିଏ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି। ତାହା ହେଲା- ‘କରୋନାର ଦ୍ବିତୀୟ ତରଙ୍ଗ ଲାଗି ଚୀନକୁ ଦାୟୀ କର ନାହିଁ। ଏହାର କାରଣ ତୁମେ ନିଜେ!’

ସମସ୍ତଙ୍କୁ ଚେତେଇ ଦେଲା ଭଳି ବାକ୍ୟ ଦ୍ବୟରେ ଏକ ଅପ୍ରିୟ ସତ କଥା କୁହାଯାଇଛି। ଯଦି ଜନସାଧାରଣ କରୋନା କଟକଣାମୂଳକ ସତର୍କତାର ନିୟମ ମାନି ଥାଆନ୍ତେ, ତେବେ କରୋନା ‌େଯମିତି ‘ଜ୍ୟାମିତିକ ପ୍ରଗତି’ ହାରରେ ବୃଦ୍ଧି ପାଇବାରେ ଲାଗିଛି, ସେମିତି ହୁଅନ୍ତା ନାହିଁ କି ଭୟାବହ ସ୍ଥିତି ଉପୁଜନ୍ତା ନାହିଁ।

ଗଲା ଜାନୁଆରି ୨୫ ତାରିଖରେ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଥିଲା ୧୦ ହଜାର ତଳେ। ମାର୍ଚ୍ଚ ୧୦ ତାରିଖ ବେଳକୁ ଏହା ୨୦ ହଜାରରେ ପହଞ୍ଚି ଥିଲା। ସେତିକି ବେଳେ ଆଭାସ ମିଳିଯାଇଥିଲା ଯେ କରୋନାର ଦ୍ବିତୀୟ ତରଙ୍ଗ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ତାର ଭୟାବହତା ଯେ ଏଭଳି ହେବ; ତାହା ହୁଏ’ତ କଳ୍ପନାତୀତ ଥିଲା। ତା’ ପରେ ମାର୍ଚ୍ଚ ୨୪ ତାରିଖରେ ଦୈନିକ ସଂକ୍ରମଣ ପହଞ୍ଚି ଯାଇଥିଲା ୫୦ ହଜାରରେ; ତାହାର ୧୦ ଦିନ ପରେ ଅର୍ଥାତ୍‌ ଏପ୍ରିଲ ୪ରେ ଏହି ସଂଖ୍ୟା ହୋଇ ଯାଇଥିଲା ଏକ ଲକ୍ଷ ଏବଂ ତାର ୧୦ ଦିିନରେ ଅର୍ଥାତ ୧୪ ତାରିଖରେ ଦୈନିକ ସଂକ୍ରମଣ ହୋଇଥିଲା ତାର ଦୁଇ ଗୁଣ ଅର୍ଥାତ୍‌ ୨ ଲକ୍ଷରୁ ଅଧିକ। ଅଥଚ, ଏହାର ୭ ଦିନ ଭିତରେ ଅର୍ଥାତ ଏପ୍ରିଲ ୨୧ ତାରିଖରେ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରି ଯାଇଥିଲା। ଗଲା କାଲି ଅର୍ଥାତ୍‌ ୨୮ ତାରିଖରେ ତାହା ହୋଇଛି ୩ ଲକ୍ଷ ୫୦ ହଜାର।

କେବଳ ଭାରତ ଲାଗି ନୁହେଁ, ସାରା ବିଶ୍ବ ଲାଗି ଏହା ଏକ ଅଲୋଡ଼ା ‌ରେକର୍ଡ ସୃଷ୍ଟି କରିଥିଲା। ଏଭଳି ଭୟାବହ ସଂକ୍ରମଣ କାରଣରୁ ଆମ ଚିକିତ୍ସା ବ୍ୟବସ୍ଥାରେ ଥିବ‌ା ଗୁରୁତର ଦୁର୍ବଳତା ପ୍ରାଞ୍ଜଳ ହୋଇଉଠିଛି। ଅମ୍ଳଜାନ ଅଭାବରୁ ସତେ ଯେମିତି ଭାରତ ଶ୍ବାସରୁଦ୍ଧ ହୋଇ ଉଠିଛି। ପରିସ୍ଥିତି ଏଭଳି ହୋଇଛି ଯେ ଅଧିକାଂଶ ସ୍ଥାନରେ ହାସପାତାଳରେ ରୋଗୀଙ୍କ ଲାଗି ଶଯ୍ୟା ନାହିଁ ତ ଶ୍ମଶାନରେ ଶବ ସତ୍କାର ଲାଗି ସ୍ଥାନ ନାହିଁ।
ଏତିକି ବେଳେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ସେହି ଅଭିବ୍ୟକ୍ତିଟି ପ୍ରାସଙ୍ଗିକ ହୋଇପଡ଼େ ଏବଂ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ତହିଁରେ ରହିଥିବା ‘ଆମେ’ ବୋଇଲେ ପ୍ରକୃତରେ କିଏ? ସାଧାରଣ ବିଚାରରେ ହୁଏ’ତ ସେହି ‘ଆମେ’ର ଅର୍ଥ ସାଧାରଣ ନାଗରିକ, ଯେଉଁମାନେ ଅମାନିଆ ଭାବେ ଅପଖ୍ୟାତ। କାରଣ, ସେହିମାନେ ରାଜନୈତିକ ସମାବେଶରେ ଗହଳି କରନ୍ତି, ରାଲିରେ ବାହାରନ୍ତି, କୁମ୍ଭ ମେଳାରେ ବୁଡ଼ ପକାନ୍ତି ଇତ୍ୟାଦି। କିନ୍ତୁ ଟିକିଏ ଗହୀରେଇ ଦେଖିଲେ ଅସଲ ଅମାନିଆ ଭାବେ ଆଉ ଥୋକେ ମଧ୍ୟ ପ୍ରତିଭାତ ହୁଅନ୍ତି।

ଏବେ ସାରା ଦେଶ ଏକ ହାହାକାର ପରିସ୍ଥିତିରେ ନଇଁ ପଡ଼ିଥିବା ବେଳେ ଆମ ରାଜନୈତିକ ନେତାମାନଙ୍କ ଉଚ୍ଚାଟ ଭାଷଣ ତଥାପି ସରିନାହିଁ। ପଶ୍ଚିମବଙ୍ଗ ଭଳି ରାଜ୍ୟର ନିର୍ବାଚନ ମାସଟିଏ କାଳ ଧରି ଚାଲିଛି। ପୁଣି ତହିଁରେ ଶୁଭୁଛି ରାଜନେତାମାନଙ୍କ ବାହାସ୍ଫୋଟ ଓ ଅତ୍ୟନ୍ତ ଦାୟିତ୍ବହୀନ ମନ୍ତବ୍ୟର କୋଳାହଳ। ଯଦିଓ ପ୍ରଧାନମନ୍ତ୍ରୀ ସଂକ୍ରମଣର ଭୀଷଣତାକୁ ଲକ୍ଷ୍ୟ କରି ପଶ୍ଚିମବଙ୍ଗରେ ତାଙ୍କର ସମସ୍ତ ରାଲି ଓ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଲେ, କିନ୍ତୁ କହିବା ବାହୁଲ୍ୟ ଯେ ବହୁତ ବିଳମ୍ବ ହୋଇସାରିଛି। କାରଣ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ସଭାରେ ଏତେ ଲୋକ ରୁଣ୍ଡ ହୋଇଥିଲେ ଯେ ସେ ଅତ୍ୟନ୍ତ ଉତ୍ସାହିତ ହୋଇ କହିବା ଶୁଣାଯାଇଥିଲା ଯେ ସେ ତାଙ୍କ ଜୀବନରେ ଏଭଳି ବିପୁଳ ଜନ ସମାବେଶ କେବେ ଦେଖି ନ ଥିଲେ! ଜନ ସମାବେଶ ସତରେ ଅଭୂତପୂର୍ବ ଥିଲା; ଏବଂ ତା ସହିତ କରୋନା ସଂକ୍ରମଣର ବିସ୍ଫୋରଣ ହୋଇଥିଲା। କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ତୁଙ୍ଗ ନେତାମାନେ ମଧ୍ୟ ଠୁଳ ହୋଇ ସେମାନଙ୍କ ରାଜନୈତିକ ଶକ୍ତି ପ୍ରଦର୍ଶନର ଯେଉଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ସେଥିରେ ପଶ୍ଚିମବଙ୍ଗର ସ୍ଥିତି ଅଣାୟତ୍ତ। କିନ୍ତୁ ଏ ଧାରା କେବଳ ପଶ୍ଚିମବଙ୍ଗରେ ନୁହେଁ ତାମିଲନାଡୁ, ଆସାମ ଏବଂ କେରଳ ବିଧାନସଭା ନିର୍ବାଚନରେ ମଧ୍ୟ ଦେଖା ଦେଇଥିଲା।

ତେବେ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ରାଜନୈତିକ ଦଳଗୁଡ଼ିକ ଏଭଳି କରିବାରୁ ରୋକିବାରେ ନିର୍ବାଚନ କମିସନଙ୍କ ଚରମ ବିଫଳତା। ଏହି ପରିପ୍ରେକ୍ଷୀରେ ଗଲା ସୋମବାର ଦିନ ନିର୍ବାଚନ କମିସନଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଅତ୍ୟନ୍ତ କଟୁ ଭର୍ତ୍ସନା ପ୍ରଣିଧାନଯୋଗ୍ୟ; ଯହିଁରେ ଉଚ୍ଚ ଅଦାଲତ କହିଛନ୍ତି ଯେ ନିର୍ବାଚନ କମିସନ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ। ଏକଦା ଅତ୍ୟନ୍ତ ନିରପେକ୍ଷ ଭାବେ ପରିଚିତ ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଏଭଳି ଦନ୍ତହୀନ ହୋଇଯିବା ପଛରେ ରହିଥିବା କାରଣ ବେଶ୍‌ ସ୍ପଷ୍ଟ। ତାହା ହେଲା ଏହା ଆଜି ରାଜନୈତିକ ନେତୃତ୍ବର ବଚସ୍କରରେ ପରିଣତ ହୋଇଥିବା ଭଳି ମନେ ହେଉଛି।

ତେଣୁ ମତ ପ୍ରକାଶ ପାଉଛି ଯେ ଅମାନିଆ ବୋଲି ଲୋକଙ୍କୁ କାହିଁକି ଦୋଷ ଦେବା? ଅସଲରେ ଅମାନିଆ ତ ଆମ ରାଜନୈତିକ ନେତା! କରୋନାର ଏଭଳି ରୂପ ପାଇଁ ପ୍ରଶାସନ ଅମାନିଆ‌ ‌ଲୋକଙ୍କୁ ଦାୟୀ କରୁଛନ୍ତି, ‌ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ସୁତରାଂ, ଏଭଳି ଧାରଣା ସୃଷ୍ଟି ହେଉଛି ଯେ କିଛି ଅମାନିଆ ଲୋକ ମାସ୍କ ପିନ୍ଧୁ ନ ଥିବାରୁ ବା ସାମାଜିକ ଦୂରତା ବଜାୟ ରଖୁ ନ ଥିବାରୁ ପରିସ୍ଥିତି ଏଭଳି ହୋଇଛି। କିନ୍ତୁ ବାସ୍ତବତାଟି ଭିନ୍ନ। ଗତ ବର୍ଷ କରୋନା ମୁକାବିଲା ଲାଗି ସରକାର ଆରମ୍ଭରୁ ତତ୍ପରତା ପ୍ରଦର୍ଶନ କରି ‘ଲକ୍‌ଡାଉନ୍‌’ ଆଦିର ଘୋଷଣା କରି ଦେଇଥିଲେ। ଏବେ ସେଭଳି ସତର୍କତା ପ୍ରଦର୍ଶନ ତ ଦୂରର କଥା, ଏହାର ବିପରୀତରେ ଦେଖିବାକୁ ମିଳିଛି ଯେ ନେତାମାନଙ୍କ ଆହ୍ବାନରେ ଲୋକେ ବିଭିନ୍ନ ରାଜନୈତିକ ବା ସାଂସ୍କୃତିକ ବା ଧର୍ମୀୟ କାରଣରୁ ରୁଣ୍ଡ ହୋଇ କରୋନାର ଦ୍ବିତୀୟ ତରଙ୍ଗ ସମ୍ଭବ କରାଇଛନ୍ତି।
ତେଣୁ ଯଦି ପ୍ରଶ୍ନ କରିବା ପ୍ରକୃତ ଅମାନିଆ କିଏ?; ତେବେ ତାହାର ଉତ୍ତର ହେବ କିଛି ନେତା, ଯେଉଁମାନଙ୍କ ପ୍ରୋତ୍ସାହନ ଏଭଳି ସ୍ଥିତି ସୃ‌ଷ୍ଟି କରିଛି।

ସମ୍ବନ୍ଧିତ ଖବର