କିଏ କେତେ ମନୋଜ!

କହିବାର ଅଛି - ଦାଶ ବେନହୁର

ମାପଦଣ୍ତ ମନୋଜ ଦାସ ଚାଲିଗଲେ। ସମସାମୟିକ ଓଡ଼ିଆ-ସାହିତ୍ୟର ନଭମଣ୍ତଳରୁ ଉଜ୍ଜ୍ବଳତମ ତାରାଟି ଲିଭିଗଲା। ମୃତ୍ୟୁ କାହାର ନାହିଁ? ତାରା ବି ମରେ। ବ୍ଲାକ୍‌ ହୋଲ୍‌ ତା’କୁ ଗିଳିନିଏ। ହେଲେ ମଣିଷ-ତାରାଟି ସହଜରେ ହଜିଯାଏନି। ମଣିଷର ମନମଣ୍ତଳରେ ତା’ର ଯେ ସ୍ଥିତି ସେ ସହଜରେ ଅନ୍ତର୍ହିତ ହୁଏନାହିଁ। ଆପଣାର ତାରାପଣ ଧରି ସେ ସେମିତି ଜହକୁଥାଏ ଦୀପ୍ତିମାନ ହୋଇ। ସେଇଥିପାଇଁ ତ ଶାସ୍ତ୍ର କହୁଛି ପଦ୍ମପତ୍ରର ଜଳ ପରି ଏ ଢଳ ଢଳ ଅସ୍ଥିର ସ˚ସାରରେ ଯଦି କିଛି ଚିରନ୍ତନ ତେବେ ତାହା ହେଉଛି ଅକ୍ଷର-କୀର୍ତ୍ତି।

ଅକ୍ଷର-କୀର୍ତ୍ତିରେ ଦୀପ୍ତିବନ୍ତ ମନୋଜ-ତାରାଟି ଆଗରେ ମୃତ୍ୟୁର ବ୍ଲାକ୍‌-ହୋଲ୍‌ ମଧୢ ନାଚାର।

ଶରୀର ମାତ୍ରେ କ୍ଷୟଶୀଳ। ଅଥଚ ଶରୀରର ଯେ ଆଭା ତାହା ନିଜସ୍ବ ସାନ୍ଦ୍ରତା ନେଇ ଆପଣା ଚମକ ଅକ୍ଷୁଣ୍ଣ ରଖେ। ରଚନାତ୍ମକତାରେ ଭରା ମନୋଜ-ଶରୀରଟି ଥିଲା ଆଭାମୟ। ଆ-ଶୈଶବ ତାହା ଥିଲା ଉଜ୍ଜ୍ବଳତାରେ ଭରା। ଅଲିଭା ଉଜ୍ଜ୍ବଳତା।

ଯେଉଁ ଶରୀରଟିର କଥା ଏଠାରେ ପ୍ରତିପାଦ୍ୟ ତାହା ଭୂମିଷ୍ଠ- ହୋଇଥିଲା ବାଲେଶ୍ବରର ଭୋଗରାଇ ଅନ୍ତର୍ଗତ ଶଙ୍ଖାରି ଗାଆଁରେ। ଦିନଟି ଥିଲା ୧୯୩୪ ମସିହାର ଫେବ୍ରୁଆରି ୨୭ ତାରିଖ। ପାଞ୍ଚଗୋଟି ସନ୍ତାନ ଭିତରୁ କନିଷ୍ଠ, ପୁଣି ଦ୍ବିତୀୟ ପୁତ୍ର। ଧୀରେ ଧୀରେ ଶରୀରଟି ଆଭାଯୁକ୍ତ ହୋଇଥିଲା। ମାଆ କାଦମ୍ବିନୀ ଦେବୀଙ୍କ ପ୍ରଭାବରୁ ‘‘ଅଲୌକିକ ଶକ୍ତିର ଉତ୍ସ’’ ରୂପେ ସେ ଆଭାକୁ ବଳିଷ୍ଠ କରିଥିଲେ ‘‘ରାମାୟଣ’’ ଓ ‘‘ମହାଭାରତ’’, ସେଇ ଆଦ୍ୟକାଳରୁ। ଶରୀରଟି ଆଭା-ବିଯୁକ୍ତ ହେଲା ଏଇ ୨୦୨୧ ଏପ୍ରିଲ୍‌ ୨୭ରେ, ସୁଦୂର ପଣ୍ତିଚେରୀରେ।

୮୭ ବର୍ଷର ପାକଳ ଶରୀର। ବର୍ଷାଧିକ କାଳ ରୋଗାକ୍ରାନ୍ତ ଥିଲା। ଅକ୍ଷମ ହୋଇ ଆସୁଥିଲା ଧୀରେ ଧୀରେ। ହଠାତ୍‌ ସ୍ପନ୍ଦନହୀନ ହୋଇଗଲା। ପ୍ରେମାସ୍ପଦ ପାର୍ଥିବ ଜଗତର ମନୋଜପ୍ରେମୀମାନେ ସ୍ତବ୍‌ଧ ହୋଇଗଲେ। ଚାଲିଗଲେ ମନୋଜ। ନକ୍ଷତ୍ର, ନିରବି ଗଲା। ଲିଭିଗଲା ଆକାଶର ତାରା!

ମନେ ରଖିବା ଦରକାର ଯେ ନକ୍ଷତ୍ରର ଭାଷା ତା’ର ଆଲୋକରେ ପ୍ରତିଭାତ। ଥରେ ଯେ ସେ ଆଲୋକକୁ ଅନୁଭବିଛି ଆଖି ବୁଜିଲେ ମଧୢ ତା’କୁ ସେ ତାରା ହିଁ ଦିଶିବ, ଆଲୋକର ଅନୁଭବ ମିଳିବ। ମନୋଜଙ୍କର ଆଲୋକ, ଆନନ୍ଦର ରୂପ ନେଇ ଚିର-ଜୀବନ୍ତ ଅଛି ତାଙ୍କର ପ୍ରତିଟି ସୃଷ୍ଟିରେ। ପାଖାପାଖି ଅଶୀରୁ ଅଧିକ ସୃଷ୍ଟି, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ, ଶିଶୁସାହିତ୍ୟ, କବିତା, ପ୍ରବନ୍ଧ। ଇତିହାସ, ଦର୍ଶନ ଓ ସ˚ସ୍କୃତିକୁ କାନ୍‌ଭାସ୍‌ କରି ଏକ ସୂକ୍ଷ୍ମ ରଚନାତ୍ମକତାର ବର୍ଣ୍ଣବିଭା ମଣ୍ତିବାରେ ସେ ଥିଲେ ଅନନ୍ୟ। ଅଦ୍ୟ ଅନେକଙ୍କ ପାଇଁ ମାପକାଠି।

କହିବାର ଅଛି ଯେ ମନୋଜ ଦାସ ଥିଲେ ଅନେକରେ ଏକ। ରଚନାତ୍ମକତାରେ ଅନୁପମ-ରତ୍ନ। ଆଧୢାତ୍ମିକତାରେ ଅଦ୍ବିତୀୟ-ଆର୍ଷପ୍ରାଣ ପୁଣି ବକ୍ତୃତା କ୍ଷେତ୍ରରେ ଅନନୁକରଣୀୟ ଶାନ୍ତ, ମଧୁର ଏକ ଉଦାର ଉଦ୍‌୍‌ଗୀରଣ। ସେ ଥିଲେ ଗୋଟାଏ ଲମ୍ବା ଇଞ୍ଚପଟା, ଗୋଟାଏ ଚମତ୍‌କାର ପରିମାପକ। ଯେ କେହି ତାଙ୍କୁ ପଢ଼ିଛି, ଶୁଣିଛି ବା ଦେଖିଛି ସେ ଚେଷ୍ଟା କରିଛି କିଛି କିଛି ମନୋଜ ହେବାକୁ। ନିଜକୁ ନିଜେ ସେ ମନୋଜ-ମାପକାଠିରେ ମାପିଛି। ସତରେ ମୁଁ କେତେ ମନୋଜ?

ନା, ଏତେ ଉଚ୍ଚତାକୁ କିଏ ଯିବ?

ମନୋଜଙ୍କ ରଚନାତ୍ମକତାର ଯାତ୍ରା ଆରମ୍ଭ ହୁଏ ଜମାଳପୁର ବିଶ୍ବନାଥ ଏକାଡେମିରେ ପାଠ ପଢୁଥିବା ବେଳୁ। ପଞ୍ଚମରୁ ସପ୍ତମ ପାଠପଢ଼ା। ବୟସରେ ପାଞ୍ଚବର୍ଷ ବଡ଼ ଗାଁର ସମ୍ପର୍କୀୟ ଭାଇ ରଜନୀକାନ୍ତ ଜେନା ସେଇ ସ୍କୁଲର ଛାତ୍ର। ମାଆ କାଦମ୍ବିନୀ ଦେବୀ ରଜନୀଙ୍କୁ କହିଥାନ୍ତି, ‘‘ମନୋଜକୁ ଜଗିଥିବୁ’’। ଶାନ୍ତ ସୁଧାର ମନୋଜ କିନ୍ତୁ ଆନମନା। ମନ ବୁଲୁଥାଏ କେଉଁ ଏକ ଅଜଣା ରାଇଜରେ। ପଢ଼ା ବହି ଅପେକ୍ଷା ଅନ୍ୟ ବହି ପଢ଼ିବାକୁ ବ୍ୟଗ୍ର। ଦୁନିଆକୁ ଜାଣିବା ଲାଗି ଉନ୍ମୁଖ। ସେଇଠୁ ଆରମ୍ଭ ହୋଇଥିଲା କବିତାର ପ୍ରଥମ ଧାଡ଼ି। ଉନ୍ମେଷକ ଥିଲେ ନିଜେ ସାହିତ୍ୟ ଦାଣ୍ତକୁ ବାହାରି ପାରିନଥିବା ରଜନୀକାନ୍ତ। ହସି ହସି ଥରେ ମନୋଜ କହୁଥିଲେ-‘‘ ଜାଣନ୍ତି, ନିଜେ ରଜନୀଭାଇ ଗୋଟେ ଉପନ୍ୟାସ ଲେଖିଥିଲେ। ସେ ଅନୂଢ଼ା ହତଭାଗ୍ୟ ପାଣ୍ତୁଲିପିଟିର ମୁଁ ଥିଲି ପ୍ରଥମ ଓ ଶେଷ ପାଠକ। ଅଭିଭାବକ ସାଜିଥିବା ରଜନୀଭାଇଙ୍କର ମୋର ସାହିତ୍ୟ-ପ୍ରବେଶ ପାଇଁ ଥିଲା ଅକୁଣ୍ଠ ସମର୍ଥନ।’’

ଅଷ୍ଟମ ବେଳକୁ ମନୋଜ ଆସିଥିଲେ ବାଲେଶ୍ବର ଜିଲ୍ଲା ସ୍କୁଲ। ସେତେବେଳକୁ ବଡ଼ଭାଇ ମନ୍ମଥଦାସ ଫକୀରମୋହନ ମହାବିଦ୍ୟାଳୟରେ ଇତିହାସ ଅଧୢାପକ। ଯେଉଁ ଭଡ଼ାଘରଟିରେ ଡେରାଭିଡ଼ା ହୋଇଥିଲା ସ˚ଯୋଗକୁ ତାହାଥିଲା କଥାସମ୍ରାଟ ଫକୀରମୋହନଙ୍କ ଘର। ଏବେ ସାହିତ୍ୟର ପ୍ରେରଣା ରାମାୟଣ, ମହାଭାରତରୁ, ରଜନୀକାନ୍ତଙ୍କ ପାଣ୍ତୁଲିପି ଦେଇ ପହଞ୍ଚିଥିଲା ଫକୀରମୋହନଙ୍କ ବାସଭୂଇଁରେ। ଭଲ ମଞ୍ଜି, ଅନୁକୂଳ ଭୂମି ପାଇଲେ ଗଜୁରିବ ହିଁ ଗଜୁରିବ।

୧୯୪୯ ବେଳକୁ ସେ ୧୫ ବର୍ଷର ବାଳକ। ସେତିକିବେଳେ ପ୍ରଥମ କବିତାଗ୍ରନ୍ଥ ‘‘ଶତାବ୍ଦୀର ଆର୍ତ୍ତନାଦ’’ ଆତ୍ମପ୍ରକାଶ କଲା। ପରବର୍ଷ ୧୯୫୦ରେ ପ୍ରକାଶ ପାଇଲା ଦ୍ବିତୀୟ କବିତା ସ˚କଳନ ‘‘ବିପ୍ଳବୀ ଫକୀରମୋହନ’’। ପୁଣି ସେଇ ସନରେ ଆଉ ଏକ କବିତା ସ˚ଗ୍ରହ ‘ପଦଧ୍ବନି’। ‘‘ବିପ୍ଳବୀ ଫକୀରମୋହନ’’ ପୁସ୍ତକଟିକୁ ସେ ଉତ୍ସର୍ଗ କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ। କାବ୍ୟାନ୍ବେଷ ଧାରାରେ ଏବେ ଆସିଯାଇଥିଲେ ‘‘ବନ୍ଦେ ଉତ୍କଳ ଜନନୀ’’ର ଲଳିତ ସ୍ରଷ୍ଟା ଲକ୍ଷ୍ମୀକାନ୍ତ। କବିତାର ପ୍ରକ‌ାଶନ ଧାରାରେ ପରବର୍ତ୍ତୀ ସମୟରେ ଆତ୍ମପ୍ରକାଶ କରିଥିଲେ ‘‘ନନ୍ଦାବତୀର ମାଝି (୧୯୫୭), ‘‘ଉପନିବେଶ (୧୯୬୬)’’, ‘‘ତୁମ ଗାଁ ଓ ଅନ୍ୟାନ୍ୟ କବିତା (୧୯୯୨)’’ ଏବ˚ ଶେଷ ପାହାଚ ଭାବରେ ‘‘କବିତା ଉତ୍କଳ (୨୦୦୩)’’।

ପଣ୍ତିଚେରୀରେ ଥିଲେ ବି ଉତ୍କଳ ଘାରୁଥିଲା ମନୋଜଙ୍କୁ। ଯେଉଁଥିପାଇଁ ପରବର୍ତ୍ତୀ କାଳରେ ‘‘ସମୁଦ୍ର କୂଳର ଏକ ଗ୍ରାମ’’ ଗଳ୍ପ ସ˚କଳନରେ ସେ ପାଣି ପରି ବୋହିଯାଇଥିଲେ ଆପଣାର ବାଲ୍ୟକାଳକୁ ଧରି।

ମନୋଜଙ୍କ କାବ୍ୟସତ୍ତା କିନ୍ତୁ ଅଧିକ ମୁକୁଳିତ ହୋଇଥିଲା କ୍ଷୁଦ୍ରଗଳ୍ପରେ। କି ଅନନ୍ୟ ସେ ବିଚରଣ ଭୂଇଁ! ସବୁଜ, ଶ୍ୟାମଳ ପୁଣି ପ୍ରାଣଦାୟୀ ଚମକତାରେ ଭରା। ଯେଉଁଠି ଥିଲା ମଣିଷପଣିଆର ସନ୍ଧାନ-ଠାରୁ ଆରମ୍ଭ କରି କିଛି ଦିବ୍ୟ ଅନୁଭବର ଜୟଯାତ୍ରା। ଭାରତୀୟ ସନାତନ ପରମ୍ପରାର ସ୍ରୋତପ୍ଳାବିନୀ ଖରସ୍ରୋତା ଫଲ୍‌ଗୁ। ‘‘ସମୁଦ୍ରର କ୍ଷୁଧା (୧୯୫୨)’’, ‘‘ଜୀବନର ସ୍ବାଦ (୧୯୫୩)’’, ‘‘ବିଷକନ୍ୟାର କାହାଣୀ (୧୯୫୪)’’, ‘‘ଆରଣ୍ୟକ (୧୯୬୧)’’, ‘‘ଶେଷବସନ୍ତର ଚିଠି (୧୯୬୫)’’, ‘‘ମନୋଜ ଦାସଙ୍କ କଥା ଓ କାହାଣୀ (୧୯୭୧)’’, ‘‘ଲକ୍ଷ୍ମୀର ଅଭିସାର (୧୯୭୪)’’, ‘‘ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ (୧୯୭୫)’’, ‘‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ (୧୯୭୭), ‘‘ମନୋଜ ପଞ୍ଚବି˚ଶତି (୧୯୮୩)’’, ‘‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୭)’’, ‘‘ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦)’’, ‘‘ଅବୋଲକରା କାହାଣୀ (୧୯୯୧)’’ ଆଦି କ୍ଷୁଦ୍ରଗଳ୍ପ ସ˚କଳନ ଗୁଡ଼ିକରେ ରାଶି ରାଶି କ୍ଷୁଦ୍ରଗଳ୍ପ ରଚନା କରି ସେ ଯେଉଁଭଳି ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ଅର୍ଜନ କରିଛନ୍ତି ତାହା ଆଉ କୌଣସି ଓଡ଼ିଆ ଗଳ୍ପକାରଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ଟଲ୍‌ଷ୍ଟୟ, ମୋପାସାଁ ଓ ଚେକଭ୍‌, ଗୋଗୋଲ୍‌ ଆଦିଙ୍କ ଗଳ୍ପଧାରାର ଚମତ୍କାରିତା ଭଳି ତାଙ୍କ ଗଳ୍ପଗୁଡ଼ିକ ପାଲଟିଛନ୍ତି ଏକାନ୍ତ ମାନବଧର୍ମୀ ଓ ସମ୍ବେଦଳଶୀଳ। ଭାରତର ସନାତନ ପରମ୍ପରାର ବିଭୂତିଗୁଡ଼ିକୁ ଗଳ୍ପକଥନ ମାଧୢମରେ ପ୍ରତିକିତ କରିବା ସହ ସେ ଓଡ଼ିଆ ଜନଜୀବନକୁ ହିଁ ନିଜ ସୃଷ୍ଟିମାଧୢମରେ ବିଶ୍ବାୟିତ କରିଛନ୍ତି। ସମୁଦ୍ର କୂଳରେ ତାଙ୍କର ଗାଁ। ମୁକୁଳା ସମୁଦ୍ର ପନ୍ତାରର ଭୀମକାନ୍ତ ରୂପ ଓ ଭୀଷଣତାକୁ ନେଇ ସେଥିପାଇଁ କଲେଜରେ ପଢୁ ପଢୁ ସେ ଲେଖି ବସିଥିଲେ ‘‘ସମୁଦ୍ରର କ୍ଷୁଧା’’ ଗଳ୍ପ ସଙ୍କଳନଟିକୁ। ଗଳ୍ପର ବିଷୟ, ଭାବ, ଭାଷା ଓ ଶୈଳୀରେ ମନୋଜ ହିଁ ନିଜେ ଆପଣାର ମଡେ଼ଲ୍‌। ପ୍ରତିଟି କ୍ଷୁଦ୍ରଗଳ୍ପ ଗୋଟିଏ ଗୋଟିଏ ମ୍ୟାଜିକ୍‌। ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟ। ଗଳ୍ପମାନେ କାଳେ କାଳେ ତାଙ୍କର ପୋଷାଜୀବ। ଅନୁଗତ।

ଉପନ୍ୟାସ ଜଗତକୁ ସେ ଆସନ୍ତି ଅନେକ ପରେ। ‘‘ବୁଲ୍‌ଡୋଜର୍ସ (୧୯୮୯)’’, ‘‘ପ୍ରଭଞ୍ଜନ (୧୯୯୨)’’, ‘‘ଗୋଧୂଳିର ବାଘ (୧୯୯୫)’’, ‘‘ଅମୃତ ଫଳ (୧୯୯୬)’’, ‘‘ଆକାଶର ଇସାରା (୧୯୯୭)’’, ‘‘ତନ୍ଦ୍ରାଲୋକର ପ୍ରହରୀ (୨୦୦୨)’’ ଭଳି ଉପନ୍ୟାସଗୁଡ଼ିକ ତାଙ୍କ ବିଚାରଗତ ଭାବଭୂମିର ଚିତ୍ର ପ୍ରଦାନ କରେ। ଗଳ୍ପରେ ସେ ଯେମିତି ହୃଦୟ ଓ ମନ ଉଲ୍ଲାସକ, ଉପନ୍ୟାସରେ ବି ସେମିତି ଗଭୀର ତଥା ଚିତ୍ତ ଆଲୋଡ଼ନକାରୀ।

୧୯୬୩ରେ ପଣ୍ତିଚେରୀ ଅରବିନ୍ଦ ଆଶ୍ରମକୁ ନିଜର ବାସଭୂମି କରିନିଅନ୍ତି ମନୋଜ। ଅତିମାନସ ଚେତନାର ସନ୍ଧାନ ତାଙ୍କୁ ଅହରହ ଆଲୋକମୁଖୀ କରାଏ। ନିଜେ ପଢ଼ାନ୍ତି, ଇ˚ରେଜୀ, ସାହିତ୍ୟ ଓ ସହଧର୍ମିଣୀ ପ୍ରତିଜ୍ଞା ଦେବୀ ପଢ଼ାନ୍ତି ମନୋବିଜ୍ଞାନ। ସାହିତ୍ୟର ଭାବଧାରାରେ ମନନଶୀଳତାର ବେଶୀବନ୍ଧନ ହିଁ ପରବର୍ତ୍ତୀକାଳରେ ତାଙ୍କର ସାହିତ୍ୟ ସାଧନାକୁ ଅଧିକ ଅଧାତ୍ମବାଦୀ କରେ।

ମନୋଜଙ୍କର ଭ୍ରମଣ କାହାଣୀଗୁଡ଼ିକ ଭୂମି-ସନ୍ଧାନୀ ଯେମିତି, ଆତ୍ମ-ସନ୍ଧାନୀ ବି ସେମିତି। ଦୁଇ ଦୁଇ ଭାଗରେ ‘‘କେତେ ଦିଗନ୍ତ’’ ଓ ‘‘ଅନ୍ତରଙ୍ଗ ଭାରତ’’ ସଙ୍ଗକୁ ସେ ସୃଷ୍ଟି କରିଛନ୍ତି ‘‘ଦୂରଦୂରାନ୍ତ’’ ଓ ‘‘ଅଦୂର ବିଦେଶ’’। ବର୍ଣ୍ଣନାର ଚମତ୍କାରିତା ସଙ୍ଗକୁ ପରିବେଷଣରେ ଅନ୍ତରଙ୍ଗତା ହିଁ ତା’ଙ୍କର ଭ୍ରମଣ କାହାଣୀଗୁଡ଼ିକୁ ଉଭୟ ଶିକ୍ଷଣୀୟ ଓ ସୁଖପାଠ୍ୟ କରିଛି। ଭାରତର ଅତୀତ, ଦର୍ଶନ, ସଭ୍ୟତା ଓ ସ˚ସ୍କୃତିକୁ ନେଇ ସେ ରଚନା କରିଛନ୍ତି ‘‘ଭାରତର ଆତିଥ୍ୟ’’, ‘‘ଶତେକ ପ୍ରଶ୍ନର ଉତ୍ତର’’, ‘‘ଉପକଥା ଶତକ’’, ‘‘ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ଜିଜ୍ଞାସା’’, ‘‘ଜୀବନ ଜିଜ୍ଞାସା’’, ‘‘ସ୍ମରଣିକା ସ୍ତବକ’’, ‘‘ପ୍ରଜ୍ଞା-ପ୍ରଦୀପିକା’’, ‘‘ଅରଣ୍ୟ ଉଲ୍ଲାସ’’ ଏବଂ ‘‘ମହାଯୋଗୀ ଶ୍ରୀ ଅରବିନ୍ଦ’’ ଭଳି ଅନୁପମ ଗ୍ରନ୍ଥମାନ। ପିଲାମାନଙ୍କ ପାଇଁ ସେମିତି ‘‘ଆଲୋକ ଓ ଆନନ୍ଦର କାହାଣୀ’’, ‘‘ଅମର ସାହିତ୍ୟ’’, ‘‘କନକ ଉପତ୍ୟକାର କାହାଣୀ’’ ଓ ‘‘ରାକ୍ଷସର ସନ୍ଧାନରେ’’ ଭଳି ପ୍ରୀତିପୂର୍ଣ୍ଣ ସୃଷ୍ଟିଗୁଡ଼ିକ ତାଙ୍କୁ ଜଣେ ସମ୍ପୂର୍ଣ୍ଣ ସାହିତ୍ୟିକର ମୁକୁଟ ପିନ୍ଧାଇଛି।

ଓଡ଼ିଆ ସାହିତ୍ୟରେ ସେ ଜଣେ ଶିଖର ସାଧକ। ହେଲେ ଇ˚ରେଜୀ ଭାଷାରେ ରଚିତ ପୁସ୍ତକଗୁଡ଼ିକ ତାଙ୍କୁ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକର ମର୍ଯ୍ୟାଦା ପ୍ରଦାନ କରିଛି। ସେଥିରେ ଅଛି ‘‘ଏ ଟାଇଗର‌୍‌ ଆଟ୍‌ ଟୁଇଲାଇଟ୍‌’’, ‘‘ଦ କ୍ରକୋଡାଇଲ୍‌ ଲେଡି: ଏ ସିଲେକ୍‌ସନ୍‌ ଅଫ୍‌ ଷ୍ଟୋରିଜ୍‌’’, ‘‘ଲିଜେଣ୍ତ ଅଫ୍‌ ଦ ଗୋଲ୍‌ଡେନ୍‌ ଭ୍ୟାଲି’’, ‘‘ଚେଜିଙ୍ଗ ଦ ରେନ୍‌ବୋ: ଗ୍ରୋଇ˚ ଅପ୍‌ ଇନ୍‌ ଆନ୍‌ ଇଣ୍ତିଆନ୍‌ ଭିଲେଜ୍‌’’ ଭଳି ବିରଳ ସୃଷ୍ଟିମାନ।

ଅସରନ୍ତି ସୃଷ୍ଟି। ତାଲିକାର ଅନ୍ତ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତିତ୍ବ ଓ ଚେତନାର ଉତ୍ତରଣ। ଶଙ୍ଖାରି, ବାଲେଶ୍ବର, ପୁରୀ, କଟକ ଆଦିରେ ପାଠ ସାରି ସେ ଯେ ଶେଷକୁ ପଣ୍ତିଚେରୀରେ ପହଞ୍ଚିଛନ୍ତି ତାହା ତାଙ୍କର ସାହିତ୍ୟିକ ତଥା ଆଧୢାତ୍ମିକ ଜୀବନକୁ ସ୍ତରେ ସ୍ତରେ ଉତ୍ତରିତ କରିଛି। ପାଠ ପଢ଼ିଲା ବେଳୁ ‘‘ମଣିଷର ଦୁଃଖ’’ ତାଙ୍କ କୋମଳ ପ୍ରାଣକୁ ବାରମ୍ବାର ସ୍ପନ୍ଦିତ କରିଛି।

ଗୋଟାଏ ବିପୁଳ ଅଥଚ ଉଦାର ଭୂମି-ଅଧିକାରୀ ପରିବାରରେ ଜନ୍ମ ନେଇଥିଲେ ବି ସୁଖ ସାଚ୍ଛନ୍ଦ୍ୟ ଅପେକ୍ଷା ମଣିଷ ଜୀବନର ଦୁଃଖ ଯନ୍ତ୍ରଣାକୁ ସେ ଅଧିକ ଅନୁଭବ କରିଛନ୍ତି। ସେଇଥିପାଇଁ କଲେଜରେ ପଢୁ ପଢୁ ବାମପନ୍ଥୀ ଚିନ୍ତାଧାରାକୁ ଢଳିଥିଲେ ସେ। ସାଜିଥିଲେ ଛାତ୍ର ନେତା। ଇଣ୍ତୋନେସିଆ ଯାଇ ଛାତ୍ରନେତା ଭାବରେ ପାଇଥିବା ଅନୁଭବ ତାଙ୍କୁ ପଣ୍ତିଚେରୀସ୍ଥ ଶ୍ରୀଅରବିନ୍ଦ ଆଶ୍ରମରେ ପହଞ୍ଚାଇଛି। ମାତ୍ର ୨୯ ବର୍ଷ ବୟସରେ ଆରମ୍ଭ ହୋଇଛି ତାଙ୍କର ଅନନ୍ୟ ସାଧକ ଜୀବନ।

ଲେଖିବାରେ, ପଢ଼ାଇବାରେ, ବିଷୟ-ବିଶ୍ଳେଷଣରେ, ବନ୍ଧୁପଣରେ ଓ ବିଶେଷ କରି ବକ୍ତୃତା ଦେବାରେ ମନୋଜ ଦାସ ଯେ ଅଦ୍ବିତୀୟ ସେ କଥା ଯେ କେହି ସ୍ବୀକାର କରିବ। ପ୍ରତ୍ୟେକ ସାହିତ୍ୟିକ ଲାଗି ସେ ଜଣେ ମାପକାଠି। ଜଣେ ଅଧୢାତ୍ମବାଦୀ ସକାଶେ ଜଣେ ଅନୁରୂପ ମାପଦଣ୍ତ। ଶ୍ରୋତାଟିଏ ମୁଗ୍‌ଧ ହୋଇ ତାଙ୍କୁ ଶୁଣିଲା ବେଳେ ଭାବେ ମୋ ଭିତରେ ମନୋଜ-ପଣ ସତରେ କେତେ?

ଆମେ ଶକ୍ତିର ପରିମାପକ ଭାବରେ ଅଶ୍ବକୁ ଗ୍ରହଣ କରୁ। ସେଇଥିପାଇଁ କହୁ ଏତେ ଅଶ୍ବ-ଶକ୍ତି ବା ଏତେ ହର୍ସ ପାଵାର୍‌। ହାତୀକୁ ଓଜନର ଇଞ୍ଚପଟା କରୁ। କୌଣସି ଓଜନିଆ ଜିନିଷ ଏତେ ହାତୀର ଓଜନ ବା ଏତେ ଏଲିଫ୍ୟାଣ୍ଟସ୍‌ ବୋଲି କୁହାଯାଏ। ଠିକ୍‌ ସେଇଭଳି ଓଡ଼ିଶାର ପ୍ରତ୍ୟେକ ସାହିତ୍ୟିକ, ଅଧୢାତ୍ମବାଦୀ ଓ ବକ୍ତା ଆଗରେ ଶ୍ରୀ ମନୋଜ ଦାସ ଏକ ମେଜରମେଣ୍ଟ ଟେପ୍‌ ଭଳି। ସାହିତ୍ୟିକମାନଙ୍କ ପାଇଁ ସେ ଜଣେ ଆଦର୍ଶ-ମାପର ମାତ୍ରା।

କହିବାର ଅଛି ଯେ ସମସାମୟିକ କାଳର ସାହିତ୍ୟସ୍ରଷ୍ଟାମାନେ ନିଜକୁ ପଚାରିବା ଦରକାର- ‘‘ମୁଁ କେତେ ପରିମାଣରେ ମନୋଜ?’’ ଜଣେ ସେ ମାପଦଣ୍ତର ମାପରେ ନିଜକୁ ଯୋଗ୍ୟ କରିପାରିବା ହେଉଛି ସାହିତ୍ୟ-ତାରକା ମନୋଜଙ୍କ ରଚନାତ୍ମକତା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତା’ହେଲେ ଯାଇ ମନୋଜଙ୍କ ଆତ୍ମା ଶାନ୍ତି ପାଇବ। ମୁଖର ହୋଇ ରହିବ ଓଡ଼ିଶାର ସାହିତ୍ୟିକ ବ୍ୟୋମ-ପରିଧି। ଆଲୋକର ଆଭା ଲିଭିବ ନାହିଁ କେଭେଁ।
ଶ୍ରୀ ମନୋଜ ଦାସ ଲକ୍ଷ ଲକ୍ଷ ସାହିତ୍ୟିକ ଓ ପାଠକଙ୍କ ପାଇଁ ଯେ ଦୀପଦଣ୍ତି ସଦୃଶ ସେଥିରେ ତିଳେମାତ୍ର ଅତ୍ୟୁକ୍ତି ନାହିଁ।

[email protected]

ସମ୍ବନ୍ଧିତ ଖବର