କରୋନା ଅଭିଜ୍ଞତା ଓ ଅବ୍ୟବସ୍ଥା

ନୀଳମାଧବ ମହାନ୍ତି

ଗତବର୍ଷ (୨୦୨୦) ପ୍ରାୟ ମାର୍ଚ୍ଚ ମାସରୁ ଆମ ଦେଶରେ କରୋନା ସ˚କ୍ରମଣ ଆରମ୍ଭ ହୋଇଥିଲା ଓ ଧୀରେ ଧୀରେ ଏହା ବଢ଼ି ବଢ଼ି ସେପ୍‌ଟେମ୍ବର ମାସ ପରେ କମିବାକୁ ଲାଗିଲା। ଚଳିତ ବର୍ଷ ମାର୍ଚ୍ଚ ମାସରୁ ପୁଣି ଆଉ ଥରେ କରୋନା ମହାମାରୀ ଆରମ୍ଭ ହୋଇଛି ଓ ପ୍ରଥମ ଲହର ଠାରୁ ଏହି ଦ୍ବିତୀୟ ଲହର ଆହୁରି ଭୀଷଣ ଓ ଭୟଙ୍କର ହେବ ବୋଲି ଜଣାପଡ଼ୁଛି। ଦେଶବ୍ୟାପୀ କରୋନା ସ˚କ୍ରମଣ ଓ ମୃତ୍ୟୁ ମଧୢ ବଢ଼ି ଚାଲିଛି। ଏପ୍ରିଲ ୨୪ ତାରିଖ ସୁଦ୍ଧା ଦୈନିକ ସ˚କ୍ରମଣ ୩ ଲକ୍ଷରୁ ଅଧିକ ସ˚ଖ୍ୟାରେ ପହଞ୍ଚି ଯାଇଥିଲା ଓ ଦୈନିକ ମୃତ୍ୟୁ ସ˚ଖ୍ୟା ୨୦୦୦ରୁ ଅଧିକ ହୋଇଯାଇଥିଲା। ଏ ପର୍ଯ୍ୟନ୍ତ ଭାରତରେ ୧୬ ନିୟୁତରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ପ୍ରାୟ ୧ ଲକ୍ଷ ୯୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଚିକିତ୍ସା ପାଇଁ ହସପିଟାଲ ବେଡ୍‌, ଅକ୍ସିଜେନ, ଭ୍ୟାକ୍‌ସିନ, ବଟିକା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୁବିଧାର ଅଭାବ ପରିସ୍ଥିତିକୁ ଜଟିଳ କରି ଦେଉଛି। ଏପରି କି ଦେଶର ରାଜଧାନୀ ଦିଲ୍ଲୀ ନଗରରେ ବଡ଼ ବଡ଼ ହସ୍‌ପିଟାଲମାନଙ୍କରେ ଅକ୍ସିଜେନର ସ୍ବଳ୍ପତା ଓ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ର ଅଭାବ ସାଧାରଣ ଲୋକଙ୍କୁ ହତାଶା ଜର୍ଜର କରି ଦେଉଛି। ଦେଶର ଅନ୍ୟାନ୍ୟ ଭାଗରେ ମଧୢ, ବିଶେଷ କରି ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟମାନଙ୍କରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଖବର ମିଳୁଛି।

ପ୍ରାୟ ଏକ ବର୍ଷର ସମୟ ଓ ଚେତାବନୀ ପାଇ ମଧୢ ଆମେ ଓ ଆମର ସରକାର ଏହିପରି ପରିସ୍ଥିତିର ସାମନା କରିବାକୁ ବାଧୢ କାହିଁକି ହେଲୁ? କ’ଣ ଦୂରଦୃଷ୍ଟିର ଅଭାବ, ଅପାରଗତା, ଆତ୍ମତୃପ୍ତି ନା ଆମର ଦାୟିତ୍ବହୀନ ଖାମଖିଆଲି ଭାବନା ଏଥିପାଇଁ ଦାୟୀ? ଏହି ବିଷୟରେ ଚିିନ୍ତା ଓ ଆଲୋଚନା କରିବା ଭବିଷ୍ୟତ ପାଇଁ ଫଳଦାୟକ ହେବ ବୋଲି ଆଶା କରାଯାଏ।

ଏହି ବିଷୟଟିକୁ ତିନିଟି ଦୃଷ୍ଟିକୋଣରୁ ଆଲୋଚନା କରାଯାଇପାରେ। ପ୍ରଥମଟି ହେଲା କରୋନା ରୋଗକୁ ସାମନା କରିବାରେ ଓ କରୋନା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ମୁକାବିଲା କରିବାରେ ଆମେ କେତେ ଦୂର ବିଜ୍ଞାନ ଉପରେ ବିଶ୍ବାସ କରିଛୁ ଓ ବୈଜ୍ଞାନିକ ଦୃଷ୍ଟିକୋଣ ଅବଲମ୍ବନ କରିଛୁ! ଯାହା ହେଲେ ମଧୢ କରୋନା ଜୀବାଣୁର ଉତ୍ପତ୍ତି ଓ ପ୍ରସାରଣ ତଥା ଏହି ରୋଗର ଚିକିତ୍ସା କରିବାର ପଦ୍ଧତି କେବଳ ବିଜ୍ଞାନ ଦ୍ବାରା ହିଁ ଅନୁଧୢାନ କରାଯାଇ ପାରିବ, ଅନ୍ଧବିଶ୍ବାସ ଦ୍ବାରା ନୁହଁ।

ଏହା ସତ୍ତ୍ବେ ଯେତେବେଳେ କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେଲା, ଅମ ଭିତରୁ ଅନେକେ ଖୋଳ, କରତାଳି, କ˚ସା, ଘଣ୍ଟା, ଶଙ୍ଖ ଆଦି ବଜାଇ ଏହାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ! ଯେତେବେଳେ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତରେ କରୋନା ସ˚କ୍ରମଣ କମ୍‌ ମାତ୍ରାରେ ହେଲା, ଆମେ ଓ ଆମର ନେତୃବୃନ୍ଦ ବିଶ୍ବାସ କଲେ ଯେ ଆମ ସରକାର ନେଇଥିବା ପଦକ୍ଷେପ ଓ ଭାରତୀୟମାନଙ୍କର ‘ଅସାଧାରଣ’ ରୋଗ ପ୍ରତିରୋଧ ଶକ୍ତି ବା ଇମ୍ୟୁନିଟି ଥିବାରୁ, ଆମ ଦେଶରେ କରୋନା ଏତେଟା ବ୍ୟାପିଲା ନାହିଁ, ଯଦିଓ ଏଥିପାଇଁ କୌଣସି ତଥ୍ୟ-ଆଧାରିତ ପ୍ରମାଣ ନ ଥିଲା। ଏପରିକି ଦେଶର ସ୍ବାସ୍ଥ୍ୟମନ୍ତ୍ରୀ (ଯେ କି ଜଣେ ଡାକ୍ତର) ଘୋଷଣା କଲେ ଯେ ଆମେ କରୋନା ମହାମାରୀର ଅନ୍ତିମ ଚରଣରେ ପହଞ୍ଚି ଯାଇଛୁ। ଅନ୍ୟ କେତେ ନେତା ମଧୢ ଏହିପରି ସନ୍ଦେଶ ଲୋକଙ୍କୁ ଦେଲେ। ଅବଶ୍ୟ ସେହି ସମୟରେ ଆନ୍ତର୍ଜାତିକ ସ୍ତରର ମହାମାରୀ ରୋଗର ବିଶାରଦ ବା ଏପିଡେମିଓଲୋଜିଷ୍ଟମାନେ ଚେତାବନୀ ଦେଉଥିଲେ ଯେ ଅନ୍ୟ ଦେଶମାନଙ୍କ ଭଳି ଭାରତରେ ମଧୢ କରୋନାର ଦ୍ବିତୀୟ ଲହର ଆସିବ।

ଦ୍ବିତୀୟରେ କରୋନା ସଦୃଶ ମହାମାରୀ ଲୋକଙ୍କ ବିଶ୍ବାସକୁ ନେଇ ଓ ସେମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକୃତ ତଥ୍ୟ ତଥା ସତର୍କ ବାଣୀ ଦେଇ ହିଁ ନିରୋଧ କରାଯାଇପାରିବ। ଦୁର୍ଭାଗ୍ୟବଶତଃ, ଯେତେବେଳେ ଚଳିତ ବର୍ଷର ଫେବ୍ରୁଆରି-ମାର୍ଚ୍ଚ ମାସ ବେଳକୁ କରୋନାର ପ୍ରକୋପ କମିଗଲା, କ୍ଷମତାରେ ଥିବା ଅଧିକାରୀମାନେ ଓ ଦେଶର ମିଡିଆ ଘୋଷଣା କଲେ ଯେ ଆମେ କରୋନା ମହାମାରୀକୁ ଆୟତ୍ତ କରି ପାରିଛୁ। କ୍ରିକେଟ ଖେଳ ଓ ସିନେମା ହଲ ଗୁଡ଼ିକରେ ଜନ ସମାବେଶ ହେଲା। ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଓ ହରିଦ୍ବାରରେ କୁମ୍ଭମେଳ ସଦୃଶ ଜନସମାବେଶ କରୋନା ନିଆଁରେ ଘିଅ ଢ଼ାଳିବା ଭଳି କାମ ଦେଲା। ସାଧାରଣତଃ ପ୍ରଥା ଅନୁସାରେ କୁମ୍ଭମେଳା ୧୨ ବର୍ଷରେ ଥରେ ହୁଏ। ହରିଦ୍ବାରରେ କୁମ୍ଭମେଳା ୨୦୧୦ରେ ହୋଇଥିଲା, ତେଣୁ ଏହା ୨୦୨୨ରେ ହେବା କଥା, ୨୦୨୧ରେ ନୁହଁ। ଯଦିଓ କୋଭିଡ୍‌ର ଅପେକ୍ଷାକୃତ ଭୟଙ୍କର ଦ୍ବିତୀୟ ଲହର ଆସିବାର ସମ୍ଭାବନା ଥିଲା, କୁମ୍ଭମେଳା ବାତିଲ କରିବା ପରିବର୍ତ୍ତେ ଜ୍ୟୋତିଷ ଶାସ୍ତ୍ର ବିଶାରଦମାନଙ୍କ ପରାମର୍ଶରେ ସରକାର ଏହି ବିରାଟ ମେଳାକୁ ଗୋଟିଏ ବର୍ଷ ପାଇଁ ଆଗୁଆ କରିଦେଲେ। ଏହା ଫଳରେ କୁମ୍ଭମେଳା ଏକ ‘ସୁପର ସ୍ପ୍ରେଡର’ ଘଟଣାର ରୂପ ନେଇଛି, କୋଭିଡ୍‌ ରୋଗ ପାଇଁ। ମୁମ୍ବାଇର ମେୟରଙ୍କ ଭାଷାରେ କୁମ୍ଭମେଳାରେ ସ୍ନାନ କରିଥିବା ତୀର୍ଥଯାତ୍ରୀମାନେ ନିଜ ନିଜ ସହର ଓ ଗ୍ରାମକୁ ଫେରି ଯାଇ ‘‘କରୋନା-ଅମୃତ’’ ଲୋକମାନଙ୍କୁ ବାଣ୍ଟିବେ। ଏହି ସବୁ ଘଟଣା ଓ କାର୍ଯ୍ୟ ଯେ ଲୋକମାନଙ୍କୁ ଭ୍ରମାତ୍ମକ ବାର୍ତ୍ତା ଦେଲା ଏଥିରେ ସନ୍ଦେହ ନାହିଁ। ଲୋକେ ନିଜ ନିଜ ମଧୢରେ ଅବାଧରେ ମିଶିବାକୁ ଲାଗିଲେ, ଘରେ, ବାହାରେ, ଦୋକାନ ଓ ବଜାର ମାନଙ୍କରେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ରକ୍ଷା କରିବା, ବରାବର ଓ ବାରମ୍ବାର ହାତ ଧୋଇବା ଓ ଅନ୍ୟାନ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ଲୋକେ ଭୁଲିଗଲେ। ବାହାଘର, ବ୍ରତଘର ଓ ପର୍ବପର୍ବାଣିରେ ଲୋକଙ୍କର ସମାବେଶ କରୋନା ପ୍ରସାରଣରେ ସହାୟକ ହେବା ଜଣାପଡ଼େ।

ଶେଷରେ, ଏହା କହିବା ଅନିବାର୍ଯ୍ୟ ଯେ ଭାରତ ସଦୃଶ ବିରାଟ ଦେଶରେ କରୋନା ଭଳି ମହାମାରୀ ସମସ୍ୟାବହୁଳ ଶାସନ ଓ ନିଷ୍ପତ୍ତି ନେବାର ପଦ୍ଧତିକୁ କେନ୍ଦ୍ରୀଭୂତ କରି ସମାଧାନ କରାଯାଇପାରିବ ନାହିଁ। ଏଥିପାଇଁ ଆବଶ୍ୟକ ରାଜନୈତିକ ଓ ପ୍ରଶାସନିକ ବିକେନ୍ଦ୍ରୀକରଣ। ଆପଦକାଳୀନ ପରିସ୍ଥିତି ସମୟରେ ସବୁ କ୍ଷମତା ନିଜ ହାତକୁ ନେଇ କେନ୍ଦ୍ରୀଭୂତ କରିବା ଓ ସାଧାରଣ ଲୋକଙ୍କର ଗତିବିଧି ତଥା କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ହେଉଛି ଶାସକ ଗୋଷ୍ଠୀର ଏକ ମୌଳିକ ପ୍ରବୃତ୍ତି। କରୋନା ରୋଗର ପ୍ରତିକାର କରିବାରେ ଏହି ପ୍ରକାର ମନୋଭାବ ସମସ୍ୟା ସୃଷ୍ଟି କରିଥାଏ। ଏହି ମହାମାରୀ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ନାଗରିକମାନଙ୍କୁ ମିଳିମିଶି ସ˚ଗ୍ରାମ କରିବାକୁ ହେବ, ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଭୂମିକା ରହିଛି ଯାହା ପାଳନ କରିବା ବାଞ୍ଛନୀୟ। ରାଜ୍ୟରେ ଥିବା ଜିଲ୍ଲା ପ୍ରଶାସନ ସାଧାରଣତଃ ବିଭିନ୍ନ ଆପଦକାଳୀନ ପରିସ୍ଥିତିରେ ଫଳପ୍ରଦ ପଦକ୍ଷେପ ନେଇଥାଆନ୍ତି, ଏବେ ମଧୢ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ରକ୍ଷା ନିଜକୁ କରିବାକୁ ହେବ, ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଓ ଜନଗହଳିରୁ ଦୂରରେ ରହି। ଏହା ମନେ ରଖିବାକୁ ହେବ ଯେ କେହି କାହା ପିଠିରେ ପଡ଼ିବେ ନାହିଁ। ଏହି ବାର୍ତ୍ତା ସୁସ˚ଗତ ଭାବେ ଲୋକଙ୍କୁ ଦେବା ନିହାତି ଆବଶ୍ୟକ। ରାଜନୈତିକ, ସାମାଜିକ ଓ ଧାର୍ମିକ ରାଲି ବା ଜନସମାବେଶ ସରକାର ନିଷେଧ କରିବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ ଟିକା ନେବା ହିଁ ଏକମାତ୍ର ଫଳପ୍ରଦ ପଦକ୍ଷେପ। ଯେତେ ଶୀଘ୍ର ସମ୍ଭବ ଦେଶର ୭୦ ପ୍ରତିଶତ ଲୋକଙ୍କୁ ଯଦି କୋଭିଡ୍ ଟିକା ଦିଆଯାଇ ପାରିବ, ତାହାହେଲେ କରୋନା ମହାମାରୀକୁ ପରାସ୍ତ କରିବାରେ ଆମେ ସଫଳ ହୋଇପାରିବା। ଅବଶେଷରେ, ଅନ୍ଧବିଶ୍ବାସ ନୁହଁ, ବିଜ୍ଞାନ-ପର୍ଯ୍ୟବସିତ ପଦକ୍ଷେପ ଦ୍ବାରା ହିଁ ଆମେ କରୋନା ଉପରେ ବିଜୟ ହାସଲ କରିବାରେ ସମର୍ଥ ହେବା।

ବସନ୍ତ ବିହାର, ନୂଆଦିଲ୍ଲୀ

ସମ୍ବନ୍ଧିତ ଖବର