ଟିକା କୁଣ୍ଠା ଦୂର ହେବ କେମିତି

ସମ୍ବିତ ଦାସ

ଓଡ଼ିଶାର ୧୮-୪୪ ବର୍ଷ ବର୍ଗର ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯାହା ପାଇଁ ସରକାର ୨୦୦୦ କୋଟି ଟଙ୍କା ବ୍ୟୟ କରିବେ। ପ୍ରାୟ ଦୁଇ କୋଟି ଲୋକ ବା ଓଡ଼ିଶାର ଅଧା ଜନସଂଖ୍ୟା ଏହି ବୟସ ବର୍ଗ ଅନ୍ତର୍ଭୁକ୍ତ, ଯେଉଁମାନେ କି ମାଗଣାରେ ଟିକା ପାଇବେ। ଯଦିଓ ଏହି ଘୋଷଣା ଟିକାର ଖର୍ଚ୍ଚ କିଏ ବହନ କରିବ ସେ କଥା ସ୍ପଷ୍ଟ କରିଦେଇଛି, ମେ ପହିଲାରୁ ଆରମ୍ଭ ହେବାକୁ ଥିବା ଟିକାକରଣରେ ଟିକା ନେବାର କୁଣ୍ଠା ଦୂର କରି କିଭଳି ଯେତେ ଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଲୋକଙ୍କର ଟିକାକରଣ କରାଯିବ ତାହା ଏକ ବିରାଟ ଆହ୍ବାନ ହେବ ନିଶ୍ଚୟ।

ଟିକା ନେବାର କୁଣ୍ଠା ଦୂର କରିବାର ସବୁଠାରୁ ମୌଳିକ ଓ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ର ହେଉଛି ଜ୍ଞାନ ଓ ସୂଚନା। ଓଡ଼ିଶା ସରକାର ଯେଉଁ ଦୁଇଟି ଟିକା ମଗାଇଛନ୍ତି, ସେଗୁଡ଼ିକ ହେଉଛି କୋଭିସିଲ୍‌ଡ ଓ କୋଭାକ୍ସିନ୍। ସେ ମଧ୍ୟରୁ ୯୯ ପ୍ରତିଶତ ହେଉଛି କୋଭିସିଲ୍‌ଡ ଟିକା। ଏ ଦୁଇଟି ଟିକା ଦୁଇଟି ଅଲଗା ପ୍ରକାରରେ କାର୍ଯ୍ୟ କରିଥାନ୍ତି। ସେଗୁଡ଼ିକର ଜଟିଳ ବୈଜ୍ଞାନିକ କାର୍ଯ୍ୟକାରିତାକୁ ସାଧାରଣ ଲୋକଟିଏ ଯେପରି ସହଜରେ ବୁଝିପାରିବ, ସେଭଳି ଶୈଳୀରେ ବୁଝାଇବା ଉଚିତ ହେବ। କୋଭିସିଲ୍‌ଡ ଟିକାରେ ବ୍ୟବହୃତ ‘ଏଡିନୋଭାଇରସ୍’ ଚିମ୍ପାଞ୍ଜି ମଳରୁ ତିଆରି ହେଉଥିବା ଭଳି ସୂଚନା ଲୋକଙ୍କ ମନରେ କୁଣ୍ଠା ସୃଷ୍ଟି କରିପାରେ। ତେଣୁ ଏହା ମଧ୍ୟ ବୁଝାଇବା ଜରୁରୀ ଯେ ସୁରକ୍ଷିତ ଲାବୋରେଟୋରି ବୈଜ୍ଞାନିକ ପଦ୍ଧତିରେ ଉତ୍ପାଦିତ ହେଉଥିବାରୁ ଟିକାଗୁଡ଼ିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥାଏ।

ଦୁଃଖର ବିଷୟ ଯେ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ବିଜ୍ଞାନ ଭିତ୍ତିକ ସୂଚନାର ଉତ୍କଟ ଅଭାବ ଦେଖାଦେଇଛି। ସ୍ବଳ୍ପ ସମୟରେ ଟିକା ବିକଶିତ ହୋଇ ଯାଇଥିବାରୁ ସଚେତନ ବ୍ୟକ୍ତିମାନେ ମଧ୍ୟ ଏ ନେଇ ମିଛ ଆକ୍ଷେପ କରିବା ଦେଖା ଯାଉଛି। ଉଭୟ ସରକାର ଓ ରାଜ୍ୟର ବୈଜ୍ଞାନିକ ସଂପ୍ରଦାୟ ବିଜ୍ଞାନ ଭିତ୍ତିକ ଆଲୋଚନା ଦ୍ବାରା ଏଗୁଡ଼ିକୁ ଦୂର କରିବା ଉଚିତ।

ବର୍ତ୍ତମାନ ଏହା ସୁନିଶ୍ଚିତ ହୋଇସାରିଛି ଯେ ଟିକାଗୁଡ଼ିକ ସଂକ୍ରମଣ ହ୍ରାସ କରିବାକୁ ସକ୍ଷମ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଟିକା ନେବା ପରେ ସଂକ୍ରମିତ ହେଲେ ମଧ୍ୟ ଗୁରୁତର ହେବାର ବିପଦ ହ୍ରାସ ପାଉଛି। ଟିକାକରଣ ଦ୍ବାରା ମିଳୁଥିବା ଲାଭ ପଛର ବିଜ୍ଞାନକୁ ସ୍ପଷ୍ଟ ଓ ସ୍ବଚ୍ଛ ଭାବେ ଲୋକଙ୍କୁ ବୁଝାଇବାକୁ ପଡ଼ିବ। ଟିକା ନେବା ପରେ ମଧ୍ୟ ସଂକ୍ରମିତ ହେଉଥିବା ଖବର ଲୋକଙ୍କୁ ଚିନ୍ତିତ କରୁଛି। ଯେହେତୁ ଟିକା ନେବାର ପରବର୍ତ୍ତୀ ଅବସ୍ଥା ମଧ୍ୟ ବିପଦମୁକ୍ତ ନୁହେଁ, ଟିକା ନେଲେ ଲାଭ କ’ଣ ବୋଲି ସେମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଓଡ଼ିଶା ୪୫ ବର୍ଷରୁ ଅଧିକ ବୟସର ୫୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇସାରିଛି। ଏ ମଧ୍ୟରୁ କେତେ ଜଣଙ୍କ ଠାରେ ଟିକା ନେବା ପରେ ସଂକ୍ରମଣ ହୋଇଛି ଏବଂ ସେ ମଧ୍ୟରୁ କେତେ ଜଣଙ୍କ ରୋଗ ଗୁରୁତର ପର୍ଯ୍ୟାୟକୁ ପହଞ୍ଚିଛି, ତାହାର ଏକ ତୁଳନାତ୍ମକ ପରିସଂଖ୍ୟାନ ପ୍ରକାଶ କଲେ, ଟିକା ନେଇ ରହିଥିବା କୁଣ୍ଠା ଦୂର କରିବାରେ ଏହା ସାହାଯ୍ୟ କରିବ। ସୂଚନାକୁ ଲୁଚାଇବାର ଯେ କୌଣସି ଉଦ୍ୟମ ଅଧିକ କୁଣ୍ଠା ସୃଷ୍ଟି କରିବ ଏବଂ ଏହା ଟିକାକରଣ ପ୍ରକ୍ରିୟାକୁ ଲକ୍ଷ୍ୟଚ୍ୟୁତ କରି ଦେଇପାରେ।

ଠିକ ଏବଂ ଠିକଣା ସମୟରେ ସୂଚନା ପ୍ରସାରଣ ଦ୍ବାରା କର୍ତ୍ତୃତ୍ବ ବା ପ୍ରଭାବ ସ୍ଥାପନ କରିବା ହେଉଛି ଯୋଗାଯୋଗର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ତେଣୁ ଟିକା ଗ୍ରହଣୀୟତା ବୃଦ୍ଧି କରିବା ନିମନ୍ତେ ସୂଚନା ସେହି ଭଳି ପ୍ରଭାବଶାଳୀ ଲୋକଙ୍କ ଠାରୁ ଆସିବା ଉଚିତ। ସ୍ବାସ୍ଥ୍ୟ ମନ୍ତ୍ରୀ, ମେଡିକାଲ କଲେଜ ଡିନ୍, ବିଶିଷ୍ଟ ଡାକ୍ତର, ବୈଜ୍ଞାନିକଙ୍କ ସମେତ ଅଭିନେତା, ସାମାଜିକ ପ୍ରତିନିଧି, ଦଳ ନିର୍ବିଶେଷରେ ରାଜନେତାମାନେ ଟିକା ଗ୍ରହଣ ସପକ୍ଷରେ ପ୍ରୋତ୍ସାହନମୂଳକ ବାର୍ତ୍ତା ପ୍ରଦାନ କରିବା ଆବଶ୍ୟକ। ତା ସାଙ୍ଗକୁ ଅଭିଜ୍ଞ ଓ ପ୍ରସିଦ୍ଧ ଡାକ୍ତର ବା ମହାମାରୀ ବିଶେଷଜ୍ଞ ବା ସଂକ୍ରାମକ ରୋଗ ବିଶେଷଜ୍ଞମାନେ ଓଡ଼ିଶାର ଜନସାଧାରଣଙ୍କ ସହିତ କଥାବାର୍ତ୍ତା ଜାରି ରଖିଲେ ଅନେକ ସୁଫଳ ମିଳିପାରିବ।

ବିଭିନ୍ନ ବୟସ ବର୍ଗଙ୍କୁ ପର୍ଯ୍ୟାୟକ୍ରମେ ସୂଚିତ କରାଯିବା ଗୁରୁତ୍ବପୂର୍ଣ୍ଣ। ଯେଉଁ ବାର୍ତ୍ତା ୨୫ ବର୍ଷରୁ କମ୍ ବୟସର ଲୋକଙ୍କୁ ପ୍ରଭାବିତ କରିବ, ତାହା ୪୦ରୁ ଅଧିକ ବୟସ୍କଙ୍କୁ ପ୍ରଭାବିତ କରି ନ ପାରେ। ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ନିମନ୍ତେ ସରକାର ୟୁଟ୍ୟୁବ୍, ଇନ୍‌ଷ୍ଟାଗ୍ରାମ୍ ଇନ୍‌ଫ୍ଲୁଏନ୍‌ସର୍, ମିଡିଆ ଚ୍ୟାନେଲ୍‌, ରାପର୍‌ଙ୍କ ଭଳି ପ୍ରଭାବଶାଳୀ ମଧ୍ୟମଗୁଡ଼ିକର ସହାୟତା ନେବା ଉଚିତ।

ଆଞ୍ଚଳିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଆଶା କର୍ମୀଙ୍କ ଭଳି ସ୍ବାସ୍ଥ୍ୟକର୍ମୀ ଯେଉଁମାନେ ଏ ପର୍ଯ୍ୟନ୍ତ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି, ସେମାନଙ୍କୁ ଟିକା ସଚେତନତା ପ୍ରସାର ଭଳି କାର୍ଯ୍ୟରେ ବ୍ୟାପକ ରୂପେ ନିୟୋଜିତ କରାଯିବା ଆବଶ୍ୟକ। ସେମାନଙ୍କୁ ପୋଷ୍ଟର୍ ଆଦି ପାରମ୍ପରିକ ସାଧନ ସହିତ ଡିଜିଟାଲ୍ ଇମେଜ୍, ସ୍ବଳ୍ପ ଅବଧିର ଭିଡିଓ, ଲିଙ୍କ୍ ଭଳି ଆଧୁନିକ ସାଧନ ଯୋଗାଇ ଦିଆଯିବା ଉଚିତ, ଯାହାକୁ ସେମାନେ ନିଜର କାର୍ଯ୍ୟ ପରିସରଭୁକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ବାଣ୍ଟିପାରିବେ।

ଓଡ଼ିଶାର ସହରାଞ୍ଚଳର ଲୋକଙ୍କ ପାଇଁ ଭିନ୍ନ ପ୍ରକାର ଯୋଗାଯୋଗ ଓ କାର୍ଯ୍ୟକ୍ରମ ଲୋଡ଼ା। ସହରର ଆପାର୍ଟମେଣ୍ଟଗୁଡ଼ିକରେ ପହଞ୍ଚିବା ସହିତ ବିଶାଳ ଜନସଂଖ୍ୟା ବିଶିଷ୍ଟ ସହରରେ ସପ୍ତାହର ସବୁ ଦିନ ସବୁ ସମୟରେ ଟିକାକରଣ କେନ୍ଦ୍ର ଖୋଲା ରଖି ଏବଂ କମ୍ପାନି ମାଲିକଙ୍କ ଜରିଆରେ ସଚେତନତା ସୃଷ୍ଟି କରିବା ଭଳି କେତେକ ଉପାୟ ଦ୍ବାରା ଟିକା ଗ୍ରହଣୀୟତା ବୃଦ୍ଧି ପାଇପାରିବ।

ଭୁବନେଶ୍ବର ଏମ୍‌ସର ଏକ ଚତୁର୍ଥାଂଶରୁ ଟିକେ କମ୍ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ନାହାନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଯଦି ସମସ୍ତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଏହି ତାଲିକାଭୁକ୍ତ କରାଯାଏ ତେବେ ଏହି ସଂଖ୍ୟା ଆଉ ଟିକେ ଅଧିକ ହୋଇପାରେ। ଏହା ଦର୍ଶାଉଛି ଯେ ତଥାକଥିତ ସଚେତନ ଲୋକଙ୍କ ଗହଣରେ ମଧ୍ୟ ଟିକା ନେଇ କୁଣ୍ଠାବୋଧ ରହିଥିବା କଥା ହେଉଛି ଏକ ବାସ୍ତବତା, ଯାହା ଅନ୍ୟ ସମସ୍ତଙ୍କୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ଟିକାକରଣ ପ୍ରକ୍ରିୟାରେ କୌଣସି ପ୍ରକାର ସିଧାସଳଖ ବା ଗୋପନୀୟ ବାଧାକୁ ଦୃଢ଼ ଭାବେ ପ୍ରତିହତ କରିବା ଉଚିତ। ଯେ କୌଣସି ପ୍ରତିବନ୍ଧକକୁ ନିରୁତ୍ସାହିତ କରିବା ସହିତ ସ୍ଥଳବିଶେଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଟିକାକରଣ ଏକ ଜଟିଳ ପ୍ରସଙ୍ଗ ଯାହାକୁ କୋଭିଡ୍-୧୯ ମହାମାରୀ କେନ୍ଦ୍ରସ୍ଥଳକୁ ନେଇଆସିଛି। ଏହା ମହାମାରୀରୁ ବାହାରିବାର ଶ୍ରେଷ୍ଠ ଅସ୍ତ୍ର ହୋଇଥିବାରୁ କୁଣ୍ଠା ହ୍ରାସ ଏବଂ ଗ୍ରହଣୀୟତା ବୃଦ୍ଧି ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦିଆଯିବା ଗୁରୁତ୍ବପୂର୍ଣ୍ଣ।

ମୋ: ୯୯୮୬୧୦୪୭୬୩

ସମ୍ବନ୍ଧିତ ଖବର