ସିସେରୋଙ୍କୁ ଚିଠି- ନିର୍ବାଚନ ଜିତିବ କେମିତି?

ଗଣତନ୍ତ୍ରର ହାଲ୍‌ - ସୁଧାଂଶୁ ଷଡ଼ଙ୍ଗୀ

ନିର୍ବାଚନ ଗଣତନ୍ତ୍ରର ଆତ୍ମା। ମେଧା ବା ଇସ୍ତାହାର ଭଲ ହେଲେ ବି, ଜନସମର୍ଥନ ନ ମିଳିଲେ ପ୍ରାର୍ଥୀ ପରାଜିତ ହୁଅନ୍ତି। ନିର୍ବାଚନ ରଣକୌଶଳ ଫଳାଫଳ ନିର୍ଦ୍ଧାରିତ କରେ। ‘ସିସେରୋଙ୍କ ଚିଠି’, ଏହି ପ୍ରସଙ୍ଗରେ ଦୁଇ ହଜାର ବର୍ଷ ପୂର୍ବରୁ ଲିଖିତ ଦଲିଲ୍‍ଟିଏ। ମୂଳ ଲାଟିନ୍ ଭାଷାରେ ଲିଖିତ ଚିଠିଟି ଏବେ ବି ସୁରକ୍ଷିତ ଅଛି ଓ ଇଂରେଜୀରେ ଅନୁଦିତ ହୋଇଛି। ଷୋଡ଼ଶ ଶତାବ୍ଦୀରେ ମାକିଆଭେଲି ‘ଶାସନକଳା’ ଉପରେ ରଚନା କରିଥିବା ପୁସ୍ତକ ‘ପ୍ରିନ୍ସ’ ଭଳି ଏହା ପ୍ରସିଦ୍ଧ ନୁହେଁ। କିନ୍ତୁ ନିର୍ବାଚନ ଜିତିବା ପାଇଁ ପ୍ରାଚୀନ କାଳରେ ଯେ ଏଭଳି ଏକ ବିସ୍ତୃତ ଓ କାଳଜୟୀ ମାର୍ଗଦର୍ଶିକା କେହି ଲେଖିଥିଲା, ତାହା ଚକିତ କରେ। ତା’ଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ହେଲା, ନିର୍ବାଚନ ରଣନୀତି ଦୁଇ ହଜାର ବର୍ଷ ତଳେ ଯାହା ଥିଲା, ଏବେ ବି ପ୍ରାୟତଃ ସେଇଆ ଅଛି। ଲାଗେ ଏହାକୁ ପ୍ରାଚୀନ କାଳରେ ନୁହେଁ, ନିକଟରେ ହୁଏତ କେହି ବର୍ତ୍ତମାନ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମାର୍ଗଦର୍ଶନ ପାଇଁ ଲେଖିଛି।

ଖ୍ରୀଷ୍ଟପୂର୍ବ ୬୪ରେ ରୋମ୍ ଗଣତନ୍ତ୍ରର ସର୍ବୋଚ୍ଚ ପଦ ‘କନ୍‍ସୁଲ୍‍’ ପାଇଁ ମାର୍କସ୍ ସିସେରୋ ନିର୍ବାଚନ ଲଢ଼ୁଥାନ୍ତି। ସେତେବେଳେ ରୋମ୍ ସାମ୍ରାଜ୍ୟ ପୃଥିବୀର ଏକ ବିଶାଳ ଭୂଖଣ୍ଡକୁ ବ୍ୟାପ୍ତ ଥାଏ। କନ୍‍ସୁଲ୍‍ ପଦ ପାଇଁ ବାର୍ଷିକ ନିର୍ବାଚନ ହୁଏ। ଯିଏ ସବୁଠୁ ବେଶୀ ଭୋଟ୍ ପାଏ, ସେ ହୁଏ ବରିଷ୍ଠ କନ୍‍ସୁଲ୍‍। ଦ୍ବିତୀୟ ସର୍ବାଧିକ ଭୋଟ୍ ପାଇଥିବା ବ୍ୟକ୍ତି ହୁଅନ୍ତି କନିଷ୍ଠ କନ୍‍ସୁଲ୍‍। ଦୁଇ କନ୍‍ସୁଲ୍‍ ରୋମ୍ ସାମ୍ରାଜ୍ୟର ସୈନିକ, ନ୍ୟାୟିକ ଓ ପ୍ରାଶାସନିକ ମୁଖ୍ୟ ଭାବରେ କାର୍ଯ୍ୟ ତୁଲାନ୍ତି। ମାର୍କସ୍ ସିସେରୋ ଥିଲେ ରୋମ୍ ଇତିହାସର ସର୍ବଶ୍ରେଷ୍ଠ ବକ୍ତା ଓ ଦାର୍ଶନିକ। ବିଚକ୍ଷଣ ବୁଦ୍ଧି ଓ ତର୍କ ଯୋଗୁ ମହକିଲମାନଙ୍କ ପାଇଁ ଅନେକ ମକଦ୍ଦମା ଜିଣି ଲୋକପ୍ରିୟତା ଅର୍ଜନ କରିଥାନ୍ତି। ନିର୍ବାଚିତ ପଦରେ ସଫଳତାର ସହ କାମ କରି କନ୍‍ସୁଲ୍‍ ହେବାପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଥାନ୍ତି। କିନ୍ତୁ ସେ ସଂଭ୍ରାନ୍ତ ପରିବାରର ନଥିଲେ। ତାଙ୍କ ପୂର୍ବରୁ ଏହି ବର୍ଗ ବାହାରୁ କେହି କନ୍‍ସୁଲ୍‍ ପଦ ପାଇଁ ନିର୍ବାଚନ ଜିତି ନଥିଲେ। ରୋମ୍‍‍ରେ, ଗ୍ରୀକ୍ ଗଣତନ୍ତ୍ର ପରି ‘ଜଣେ ନାଗରିକକୁ ଗୋଟିଏ ଭୋଟ୍’ ପ୍ରଥା ନଥିଲା। ସଂଭ୍ରାନ୍ତ ବର୍ଗଙ୍କ ପାଖରେ ଅନ୍ୟମାନଙ୍କଠାରୁ ଅଧିକ ଭୋଟ୍ ଥିଲା। ତେଣୁ ମାର୍କସ୍ ସିସେରୋ କେମିତି ନିଜ ମେଧା ବଳରେ ନିର୍ବାଚନ ଜିତି ପାରିବେ, ସେ ସଂକ୍ରାନ୍ତରେ ରଣନୀତି ପ୍ରସ୍ତୁତ କରି ତାଙ୍କୁ ସାନ ଭାଇ କୁଇନ୍‍ଟନ୍ ଲମ୍ବା ପତ୍ରଟିଏ ଲେଖିଥିଲେ। କୁଇନ୍‍ଟନ୍ ଜାଣିଥିଲେ ଯେ ମାର୍କସ୍ ବୁଦ୍ଧିମାନ୍ ଓ ମେଧାବୀ। କିନ୍ତୁ ନିର୍ବାଚନରେ ଜିଣିବା ପାଇଁ କେବଳ ମେଧା ଯଥେଷ୍ଟ ନୁହେଁ। ଜନ ସମ୍ପର୍କ ନଥିଲେ ଓ ନିର୍ବାଚନ ରଣନୀତି ଭୁଲ୍ ହେଲେ, ନିର୍ବାଚନ ଜିତିହେବ ନାହିଁ।

ମାର୍କସ୍ ପ୍ରତ୍ୟେକ ଦିନ ନିଜକୁ ମନେପକେଇଦେବା ଉଚିତ୍ ଯେ “ମୁଁ ସଂଭ୍ରାନ୍ତ ଶ୍ରେଣୀର ନୁହେଁ, ବାହାରିଆ, କନ୍‍ସୁଲ୍‍ ହେବାକୁ ଚାହୁଁଛି ଓ ଏହା ରୋମ୍”। ଅନେକ ସମୟରେ ନିର୍ବାଚନର ବ୍ୟସ୍ତ ପ୍ରକ୍ରିୟା ଭିତରେ ନିଜ ବାସ୍ତବ ସ୍ଥିତିକୁ ପ୍ରାର୍ଥୀ ଭୁଲିଯା’ନ୍ତି। ପ୍ରଥମେ ସେ ନିଜର ଶକ୍ତି ଓ ଦୁର୍ବଳତା ବୁଝନ୍ତୁ। ଜଣେ ବକ୍ତାଭାବେ ପ୍ରତିଦ୍ୱନ୍ଦ୍ବୀମାନେ ମାର୍କସ୍‍ଙ୍କର ସମକକ୍ଷ ନୁହଁନ୍ତି। ତେଣୁ ଆତ୍ମବିଶ୍ୱାସର ସହ ସମାଜର ବିଭିନ୍ନ ବର୍ଗଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତୁ। ଅନେକ ଲୋକ ତାଙ୍କ ମେଧାକୁ ସମ୍ମାନ ଜଣାଇ ଭୋଟ୍ ଦେବେ। ଯେଉଁମାନଙ୍କ ପାଇଁ ସଫଳତାର ସହ କୋର୍ଟରେ ମକଦ୍ଦମା ଲଢ଼ିଛନ୍ତି, ସେମାନଙ୍କୁ କରିଥିବା ସାହାଯ୍ୟ ବିଷୟରେ ମନେ ପକାଇ ଦେଇ ସମର୍ଥନ ମାଗନ୍ତୁ। ଯେଉଁମାନଙ୍କୁ ଆଗରୁ ସାହାଯ୍ୟ କରିନାହାନ୍ତି, ସେମାନଙ୍କୁ କୁହନ୍ତୁ ଯେ ସହଯୋଗ ପାଇଲେ ଭବିଷ୍ୟତରେ ଋଣୀ ରହିବେ। ପୂର୍ବ କନ୍‍ସୁଲ୍‍‍ମାନଙ୍କ ସମର୍ଥନ ମିଳିଲେ ସଂଭ୍ରାନ୍ତ ବର୍ଗ ମଧ୍ୟ ସମର୍ଥନ ଦେବେ। କିନ୍ତୁ ଏହି ବର୍ଗର ଲୋକମାନେ ଲୋକପ୍ରିୟତାକୁ ଆଡ଼ ଆଖିରେ ଦେଖନ୍ତି। ତେଣୁ ସେମାନଙ୍କୁ କୁହନ୍ତୁ ଯେ ସେ ଲୋକପ୍ରିୟତା ନୁହେଁ, ପାରମ୍ପରିକ ମୂଲ୍ୟବୋଧ ଓ ନୈତିକତାରେ ବିଶ୍ୱାସ କରନ୍ତି। ଯେଉଁ ବର୍ଗ ଯାହା ଚାହେଁ, ତାଙ୍କୁ ସେହି ପ୍ରତିଶ୍ରୁତି ଦିଅନ୍ତୁ। ତାହା ହେଲେ ସମସ୍ତେ ସମର୍ଥନ ଦେବେ।

ସିସେରୋ ପ୍ରତିଦ୍ୱନ୍ଦ୍ବୀଙ୍କ ଶକ୍ତି ଓ ଦୁର୍ବଳତାର ହିସାବ ନିଅନ୍ତୁ। ବିରୋଧୀଙ୍କ ବିପକ୍ଷରେ ଅତୀତରେ ଦୁର୍ନୀତି ଓ ଯୌନ ବ୍ୟଭିଚାର ନେଇ ଉଠିଥିବା ସମସ୍ତ ଅଭିଯୋଗ ଓ ଗୁଜବରୁ ଫାଇଦା ନିଅନ୍ତୁ। କେବଳ ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ନେଇ ନିର୍ବାଚନ ଜିତି ହେବ ନାହିଁ। ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ବଦ୍‍ନାମ କରିବାକୁ ହେବ। କାଳେ ମାର୍କସ୍ ଆଦର୍ଶବାଦୀ ହୋଇ ଏସବୁ ଅଭିଯୋଗକୁ ଗୁରୁତ୍ୱ ଦେବେ ନାହିଁ, ସେଥିପାଇଁ, କୁଇନ୍‍ଟନ୍ ନିଜ ଚିଠିରେ ଏହାର ଏକା ଲମ୍ବା ତାଲିକା ଦେଇଛନ୍ତି। ଯେହେତୁ ମାର୍କସ୍‍ଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ ଦୁର୍ନୀତି ବା ବ୍ୟଭିଚାରର ଅଭିଯୋଗ ନଥିଲା, ତେଣୁ ସେ ନିଜର ନିର୍ମଳ ଭାବମୂର୍ତ୍ତିର ପୂରା ଲାଭ ଉଠାନ୍ତୁ। ଲୋକେ ତୁଳନା କରି ଦେଖିବେ ଓ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ।

ଅନେକ କନ୍‍ସୁଲ୍‍ ହେବାକୁ ଚାହାଁନ୍ତି। ସେମାନେ ମାର୍କସ୍‍ଙ୍କ ପ୍ରତି ଈର୍ଷାପରାୟଣ ହେବା ସ୍ୱାଭାବିକ। ଏହାଛଡ଼ା ସମସ୍ତଙ୍କର ଶତ୍ରୁ ଅଛନ୍ତି। ତେଣୁ ମାର୍କସ୍ ନିଜ ଜନସମ୍ପର୍କକୁ ବ୍ୟାପକ କରନ୍ତୁ। ଅନେକ ଲୋକଙ୍କ ସାଙ୍ଗରେ ବନ୍ଧୁତା ଦରକାର। ସେଥିପାଇଁ ସମୟ ଦେବାକୁ ହେବ। ଯେତେବେଳେ ସମ୍ଭବ, ସାହାଯ୍ୟ କରିବାକୁ ହେବ। ସାଧାରଣ ଭାବରେ ପରୋପକାରୀ ଓ ଦୟାବାନ ହେବାକୁ ହେବ। ଏହି ପ୍ରକ୍ରିୟାରେ ନିଜ ପରିବାର, ସମ୍ପ୍ରଦାୟ ଓ ବନ୍ଧୁମାନଙ୍କୁ ଅବହେଳା ନ କରିବା ଉଚିତ୍। କୌଣସି ପ୍ରାର୍ଥୀ ପାଇଁ ସବୁଠୁ କ୍ଷତିକାରକ ଗୁଜବ ନିଜ ପରିବାର ଓ ବନ୍ଧୁମାନଙ୍କ ପାଖରୁ ସୃଷ୍ଟି ହୁଏ। ତେବେ କେବଳ ପରିବାର ବା ସମ୍ପ୍ରଦାୟ ମଧ୍ୟରେ ନିଜକୁ ସୀମିତ ରଖିଲେ ହେବ ନାହିଁ। ସବୁ ବର୍ଗର ଲୋକଙ୍କ ସାଙ୍ଗରେ, ବିଶେଷ କରି ବିଭିନ୍ନ ବର୍ଗର ପ୍ରଭାବଶାଳୀ ଲୋକଙ୍କ ସହ ବନ୍ଧୁତା ଦରକାର। ଏହା ଛଡ଼ା, ନିର୍ବାଚନ ପ୍ରଚାର ବେଳେ ଅନେକ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଳେ, ଯେଉଁମାନଙ୍କୁ ଅନ୍ୟଥା ଜାଣିବାର ସମ୍ଭାବନା ନଥାଏ। ତେଣୁ ଏହି ସୁଯୋଗ ହାତଛଡ଼ା ନକରି ନୂଆ ଲୋକଙ୍କ ସଙ୍ଗେ ବନ୍ଧୁତା କରିବା ଉଚିତ୍। ସମାଜରେ ସମ୍ମାନିତ ଲୋକଙ୍କ ସମର୍ଥନ ମିଳିଲେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚେ ଯେ ପ୍ରାର୍ଥୀ ଯୋଗ୍ୟ। କିନ୍ତୁ ଏଭଳି ମଧ୍ୟ ଲୋକ ଥାଆନ୍ତି, ଯେଉଁମାନେ ପ୍ରଭାବଶାଳୀ ଲାଗନ୍ତି, ଯଦିଓ ବାସ୍ତବରେ ସେମାନଙ୍କ ସାଥିରେ ଲୋକ ନଥାନ୍ତି। ସେମାନଙ୍କ ସାହାଯ୍ୟର ଲାଭ ନଥାଏ। ପ୍ରତିଦ୍ୱନ୍ଦ୍ବୀମାନଙ୍କ ଅତି ଘନିଷ୍ଠ ସମର୍ଥକ ବ୍ୟତୀତ ଅନ୍ୟମାନଙ୍କୁ, ଆନ୍ତରିକ ଉଦ୍ୟମ କଲେ ଓ ସାହାଯ୍ୟର ପ୍ରତିଶ୍ରୁତି ଦେଲେ, ନିଜ ପଟକୁ ଆକୃଷ୍ଟ କରିବା ସମ୍ଭବ। ସମସ୍ତେ ଭବିଷ୍ୟତରେ କ୍ଷମତାଶାଳୀ ହେବାର ସମ୍ଭାବନା ଥିବା ଲୋକଙ୍କ ସାଥିରେ ଭଲ ସମ୍ପର୍କ ଚାହାନ୍ତି। କିନ୍ତୁ ଅନେକ ପ୍ରାର୍ଥୀ ଏହି ସୁଯୋଗକୁ ହାତଛଡ଼ା କରନ୍ତି। ସମାଜର ପ୍ରତ୍ୟେକ ବର୍ଗରେ ନିଜ ଲୋକ ଦରକାର। ସେମାନେ ସମର୍ଥନ କରିବେ ଯଦି ସେମାନଙ୍କୁ ଲାଗିବ ଯେ ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ। ଯିଏ ଲୋକଙ୍କ ନାଁ ମନେ ରଖି ପାରେନି, ଅଳସୁଆ ଓ ଅନ୍ୟମାନଙ୍କୁ ସାହାଯ୍ୟ କରେନି, ତା’କୁ କେହି ବନ୍ଧୁଭାବେ ଗ୍ରହଣ କରିବା ଆଶା କ୍ଷୀଣ। ଖାଲି ନାଁ ମନେ ରଖିଲେ ବା ଉପରଠାଉରିଆ ଭାବେ କାହାକୁ ଜାଣିଲେ, ଜନସମ୍ପର୍କ ହୋଇଯାଏନି। ଆନ୍ତରିକ ବନ୍ଧୁତା ଓ ସବୁ ଦିନିଆ ସମ୍ପର୍କ ଦରକାର; ନ ହେଲେ ଯେତେ ମେଧାବୀ ପ୍ରାର୍ଥୀ ହେଲେ ମଧ୍ୟ ଲୋକେ ଭୋଟ୍ ଦେବେନି। ଲୋକେ ଭାବିବା ଦରକାର ଯେ ସେମାନେ ପ୍ରାର୍ଥୀଙ୍କ ଠାରୁ ଭବିଷ୍ୟତରେ ସୁବିଧା-ସୁଯୋଗ ପାଇବେ।

ମାର୍କସ୍‍ଙ୍କ ପାଖରେ ନିର୍ବାଚନ ବେଳେ ତିନି ପ୍ରକାରର ଲୋକ ପହଞ୍ଚିବେ। ପ୍ରଥମ ପ୍ରକାରର ଲୋକେ ଘରେ ଆସି ନିଭୃତରେ ଭେଟିବେ। ହୁଏତ ସେମାନେ ଅନ୍ୟ ପ୍ରାର୍ଥୀଙ୍କୁ ବି ସେହିଭଳି ସାକ୍ଷାତ କରି ସମର୍ଥନର ପ୍ରତିଶ୍ରୁତି ଦେଉଥାଇ ପାରନ୍ତି। ମାର୍କସ୍ ସେମାନଙ୍କୁ ପୂରା ବିଶ୍ୱାସ ନ କଲେ ମଧ୍ୟ, ତାଙ୍କ ଆଗରେ ସନ୍ଦେହ ବ୍ୟକ୍ତ ନକରନ୍ତୁ। ଦ୍ବିତୀୟ ପ୍ରକାରର ସମର୍ଥକ ବିଭିନ୍ନ ସମାବେଶ ଓ ଶୋଭାଯାତ୍ରାକୁ ଆସିବେ। ସେମାନଙ୍କ ସମର୍ଥନ ଆବଶ୍ୟକ କାରଣ ଏସବୁ କାର୍ଯ୍ୟକ୍ରମରେ ଯେତେ ଲୋକ ହେବେ, ଜିତିବାର ସମ୍ଭାବନା ସେତେ ବଢ଼ିବ। ତୃତୀୟ ପ୍ରକାରର ସମର୍ଥକ ସବୁବେଳେ ସାଥିରେ ରହିବେ। ସେମାନେ ନିଜ ଲୋକ, ମାର୍କସ୍‍ଙ୍କ ଠାରୁ ଆଗରୁ ସାହାଯ୍ୟ ପାଇଛନ୍ତି ଓ କୃତଜ୍ଞ। କିନ୍ତୁ ଯେତେ ଜନସମ୍ପର୍କ ରଖିଲେ ମଧ୍ୟ ମନେ ରଖିବାକୁ ହେବ, ରାଜନୀତି ପ୍ରତାରଣା ଓ ବିଶ୍ୱାସଘାତକତାପୂର୍ଣ୍ଣ। କାହାକୁ ମଧ୍ୟ ମାର୍କସ୍ ସହଜରେ ବିଶ୍ୱାସ କରିବା ଉଚିତ ନୁହେଁ। ସେହିଭଳି ତିନି ପ୍ରକାର ଶତ୍ରୁଙ୍କ ପ୍ରତି ସତର୍କ ହେବାକୁ ହେବ। ପ୍ରଥମ, ଯେଉଁମାନଙ୍କ ବିରୋଧରେ କେସ୍ ଲଢ଼ି ମାର୍କସ୍ ସେମାନଙ୍କ କ୍ଷତି କରିଛନ୍ତି। ଦ୍ବିତୀୟ, ଯେଉଁମାନେ ବିଶେଷ କାରଣ ନଥାଇ ତାଙ୍କୁ ଭଲ ପାଆନ୍ତିନି। ତୃତୀୟ, ଯେଉଁମାନେ ପ୍ରତିଦ୍ୱନ୍ଦ୍ବୀଙ୍କର ଘନିଷ୍ଠ ସହଯୋଗୀ। ଯାହାର କ୍ଷତି କରିଛନ୍ତି, ତାଙ୍କ ନିକଟରେ ଅବସୋସ ପ୍ରକାଶ କରନ୍ତୁ। ଯେଉଁମାନେ ଅକାରଣେ ଶତ୍ରୁ ହୋଇଛନ୍ତି, ତାଙ୍କ ପ୍ରତି ଦୟାବାନ ହୋଇ ଓ ସାହାଯ୍ୟ କରି ନିଜ ପଟକୁ ଟାଣନ୍ତୁ। ଶେଷରେ, ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟ ସମର୍ଥକମାନଙ୍କ ପ୍ରତି ମଧ୍ୟ ଉଦାରତା ପ୍ରଦର୍ଶନ କରନ୍ତୁ।

ଯେଉଁ ଭୋଟର୍‍ଙ୍କୁ ଭେଟିବେ କୁଣ୍ଠାବୋଧ ନକରି ଟେକାଟେକି କରି କଥା ହୁଅନ୍ତୁ। ଏଣ୍ଡୁଅ ଭଳି ଲୋକଙ୍କ ସାଙ୍ଗରେ ନିଜକୁ ଖାପ ଖୁଆଇବାକୁ ହେବ। ଯେଉଁଭଳି ଲୋକ, ସେହିଭଳି ପ୍ରଶଂସା କରି କଥା କହିବାକୁ ହେବ। ଏହାଛଡ଼ା ନିର୍ବାଚନ ପ୍ରଚାର ବେଳେ ମାର୍କସ୍ ରୋମ୍ ନଛାଡ଼ିବା ଉଚିତ୍। ଏହି ସମୟ ଛୁଟି କାଟିବା ପାଇଁ ଉପଯୁକ୍ତ ନୁହେଁ। ଲୋକଙ୍କ ସଂସ୍ପର୍ଶରେ ସଦାସର୍ବଦା ରୁହନ୍ତୁ। ବାରମ୍ବାର ଲୋକଙ୍କୁ ସମର୍ଥନ ପାଇଁ ଅନୁରୋଧ କରନ୍ତୁ। ଲୋକେ ଜାଣିବା ଦରକାର ଯେ ଦିନରାତି ମାର୍କସ୍ ନିଜ ଦୁଆର ଅନ୍ୟକୁ ସାହାଯ୍ୟ କରିବାକୁ ଉନ୍ମୁକ୍ତ ରଖିବେ। ଲୋକେ ଖୋଲା ହୃଦୟ ଓ ମନକୁ ପସନ୍ଦ କରିବେ। ଯିଏ ଭଲ ବ୍ୟବହାର ଦେଖାଏନି, ଲୋକେ ତାର ପ୍ରତିଶ୍ରୁତିକୁ ବିଶ୍ୱାସ କରନ୍ତିନି। ଆଗ୍ରହ ଓ ଆନ୍ତରିକତାର ସହ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଯଦି ସାହାଯ୍ୟ ନ କରି ପାରିବେ, ତାହାହେଲେ ବରଂ ଛଳନା କଲେ ଚଳିବ। ସମୟ ନାହିଁ କହି ଖରାପ ବ୍ୟବହାର କଲେ, ଲୋକେ ବିରକ୍ତ ହେବେ। କାହାକୁ ‘ନା’ କୁହନ୍ତୁ ନାହିଁ, ଯଦିଓ ସବୁ ପ୍ରତିଶ୍ରୁତି ପାଳନ କରିହେବ ନାହିଁ। ହୁଏତ ଆଗକୁ ପରିସ୍ଥିତି ବଦଳି ଯିବ ଓ ପ୍ରତିଶ୍ରୁତି ପାଳନ କରିବା ଦରକାର ନ ପଡ଼ିପାରେ। ଯାହାକୁ ସାହାଯ୍ୟ କରି ହେବନି, ସେ ବିରକ୍ତ ହେବ। କିନ୍ତୁ କାହାକୁ ବି କିଛି ପ୍ରତିଶ୍ରୁତି ନ ଦେଲେ, କେହି ସମର୍ଥନ ଦେବେନି। ଲୋକଙ୍କ ମନରେ ଭବିଷ୍ୟତରେ ସାହାଯ୍ୟ ମିଳିବାର ଆଶା ସୃଷ୍ଟି ହେବା ଦରକାର। ତେଣୁ ଯିଏ ଯାହା ଆବଶ୍ୟକ କରେ, ତାଙ୍କୁ ମାର୍କସ୍ ସେହି ପ୍ରତିଶ୍ରୁତି ଦିଅନ୍ତୁ।

କୁଇନ୍‍ଟନ୍‍ଙ୍କ ଚିଠି ଅନୁସାରେ ନିର୍ବାଚନରେ ସଫଳତା ପାଇଁ ତିନିଟି ଆବଶ୍ୟକତା: ଜନସମ୍ପର୍କ, ପରୋପକାରୀ ମନୋଭାବ ଓ ପ୍ରତିଶ୍ରୁତି। ଲୋକେ ମେଧା ବା ସାମୁହିକ ହିତ ନୁହେଁ, ନିଜର ଓ ନିଜ ବର୍ଗର ସ୍ୱାର୍ଥକୁ ଆଖିରେ ରଖି ଭୋଟ୍ ଦିଅନ୍ତି। ଯିଏ ସାହାଯ୍ୟ ପାଏ ବା ସାହାଯ୍ୟର ପ୍ରତିଶ୍ରୁତି ପାଏ, ସେ ଭୋଟ୍ ଦିଏ। ଭଲ ସରକାର ପାଇଁ ଦକ୍ଷ ଜନପ୍ରତିନିଧି ଦରକାର। କିନ୍ତୁ ସେଭଳି ଲୋକ ଯେ ନିର୍ବାଚିତ ହେବେ, କହିହେବ ନାହିଁ। ନିର୍ବାଚନ ଜିଣିବା ପାଇଁ ଭଲ ନିର୍ବାଚନ ରଣନୀତି, ବିଶେଷ କରି ଜନସମ୍ପର୍କ ଓ ସବୁ ବର୍ଗ ପାଇଁ ପ୍ରତିଶ୍ରୁତିର ଛଳନା ଦରକାର। ନହେଲେ ପ୍ରତିଭାବାନ ଲୋକ ମଧ୍ୟ ହାରନ୍ତି ଓ ସାଧାରଣ ମେଧାର ଲୋକ ବାରମ୍ବାର ଜିତନ୍ତି। ଯିଏ ଜିତେ, ମହିମାମଣ୍ଡିତ ହୁଏ। ଏର‌େଣ୍ଡାପି ଦ୍ରୁମାୟତେ। ଏହା ଦୁଇ ହଜାର ବର୍ଷ ତଳେ ସତ ଥିଲା। ଏବେବି ଏହାହିଁ ଗଣତନ୍ତରେ ବାସ୍ତବ ରାଜନୀତିର ଚିତ୍ର।

ଶେଷରେ ପୁଣି ରୋମ୍‍ର ନିର୍ବାଚନକୁ ଫେରିବା। ମାର୍କସ୍ ସିସେରୋ ବହୁ ଭୋଟ୍‍ରେ ଜୟଯୁକ୍ତ ହୋଇ ବରିଷ୍ଠ କନ୍‍ସୁଲ୍‍ ହେଲେ। ଭଲ କାମ ଯୋଗୁଁ ସିସେରୋଙ୍କୁ ରୋମ୍ ଗଣତନ୍ତ୍ରର ‘ପାଟେର୍ ପାଟ୍ରିଆଇ’ ବା ‘ରାଷ୍ଟ୍ରପିତା’ ଭାବେ ନାମିତ କରାଗଲା। ସେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଉଦ୍ୟମ କଲେ। ତାଙ୍କ ଶାସନକାଳ ପରେ ଗୃହଯୁଦ୍ଧ ଆରମ୍ଭ ହେଲା। ଉଭୟ ମାର୍କସ୍ ଓ ତାଙ୍କ ସାନ ଭାଇ କୁଇନ୍‍ଟନ୍‍ଙ୍କୁ ଖ୍ରୀଷ୍ଟପୂର୍ବ ୪୩ରେ ହତ୍ୟା କରାଗଲା। ପ୍ରାଚୀନ ରୋମ୍‍ରେ ଗଣତନ୍ତ୍ରର ପତନ ଘଟିଲା।

ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର;
ମତ ବ୍ୟକ୍ତିଗତ

ସମ୍ବନ୍ଧିତ ଖବର