ପ୍ରତ୍ୟେକ ମନୁଷ୍ୟ ନିଜର ସାଧ୍ୟ ଓ ସୁବିଧା ମତେ ଅପରକୁ ସାହାଯ୍ୟ ସହଯୋଗ କରିବା ଲାଗି ପ୍ରତ୍ୟେକ ଧର୍ମରେ ନିର୍ଦ୍ଦେଶ ରହିଛି। ବାସ୍ତବରେ ମଧ୍ୟ ଜଣେ ବ୍ୟକ୍ତି ଅନ୍ୟର ସାହାଯ୍ୟ ସହଯୋଗ ବିନା ବଞ୍ଚିବା ଆଦୌ ସମ୍ଭବପର ନୁହେଁ। ଆମେ ପ୍ରତ୍ୟେକେ ପରସ୍ପର ଉପରେ ନିର୍ଭରଶୀଳ। ଇତର ପ୍ରାଣୀଙ୍କ କ୍ଷେତ୍ରରେ ଏହି ନିର୍ଭରଶୀଳତାର ମାତ୍ରା ଓ ଅବଧି ଖୁବ୍ କମ୍। ମାତ୍ର ମଣିଷମାନେ ଆଜୀବନ ପର ନିର୍ଭରଶୀଳ। ଜିରାଫ ଶାବକଟିଏ ଜନ୍ମ ହେଉହେଉ ତା’ ମା’ ତାକୁ ଗୋଇଠା ମାରିମାରି ଛିଡ଼ାକରାଇବାକୁ ସମର୍ଥ କରାଏ। ମାତ୍ର ମଣିଷ ଜନ୍ମ ଠୁଁ ମୃତ୍ୟୁ ଯାଏ ମା’ କାଖରୁ ଆରମ୍ଭ କରି ସନ୍ତାନର ଯତ୍ନଶୀଳତା ଉପରେ ନିର୍ଭରଶୀଳ ହୋଇ ରହିଥାଏ। ସର୍ବୋପରି ସମଗ୍ର ଜୀବନ ମଣିଷ ଏ ପୃଥିବୀ ଓ ପ୍ରକୃତି ଉପରେ ମଧ୍ୟ ନିର୍ଭର କରି ବଞ୍ଚିଥାଏ।
ପ୍ରତ୍ୟେକ ଧର୍ମ ସହିତ ଦାନ କରିବା ଯୋଡ଼ି ହୋଇ ରହିଥିବାରୁ ଆମର ଆଚରଣ ଯେତେ କଠୋର ବା ସ୍ୱାର୍ଥପର ହେଲେ ବି କେବେ ନା କେବେ ଆମେ ଦାନ ଆଦି କରିବାକୁ ମନ ବଳାଇଥାଉ। ଅନ୍ୟର ସାମାନ୍ୟ ସହଯୋଗ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଅସୁବିଧାରେ ପଡ଼ିଥିବା ବେଳେ ବୋଧଗମ୍ୟ ହୋଇଥାଏ।
କ’ଣ ଦାନ କରିବା ବା କାହାକୁ ଦାନ କରିବା ଏବଂ କେଉଁ ସମୟରେ ଦାନ କରିବା- ଏ ସବୁର ସବିଶେଷ ମାର୍ଗ ନିର୍ଦ୍ଦେଶ ଆମ ଧର୍ମଶାସ୍ତ୍ରରେ ରହିଛି। ଉପଯୁକ୍ତ ପାତ୍ରରେ ଯଦି ଦାନ କରାନଯାଏ, ତେବେ ଦାନ କରିବାର ସୁଫଳ ଅପେକ୍ଷା ଅଧିକ କୁଫଳ ମିଳିଥାଏ। ଯଦି ଜଣେ ଦରିଦ୍ର ଦାନ ସୂତ୍ରରେ ପାଇଥିବା ଅର୍ଥରେ ଯଦି ନିଶା ଦ୍ରବ୍ୟ ବ୍ୟବହାର କରେ, ତେବେ ଦାନ ଅକାରଣ ବୋଲି ବିଚାର କରାଯିବା ଉଚିତ। କିନ୍ତୁ ଏତେ ସବୁ ଦ୍ୱନ୍ଦ୍ୱ ଭିତରକୁ ନ ଯାଇ ଆମେ ନିଜର ସୁବିଧା ଅନୁସାରେ ଦାନ କରିଥାଉଁ। ଏଠାରେ ଦାତାର ମାନସିକ ଶାନ୍ତି ମୁଖ୍ୟ ହୋଇଥାଏ, ଗ୍ରହୀତାର ଆବଶ୍ୟକତାକୁ ଗୌଣ କରି ଦିଆଯାଏ।
ପରିହାସ ଛଳରେ କୁହାଯାଏ- “ମଲା ଗୋରୁ ବ୍ରାହ୍ମଣଙ୍କୁ ଦାନ’। ଅର୍ଥାତ୍ ଯେ କୌଣସି ଆଳରେ ଦାନ କରିବାର ପ୍ରବଣତା। ଅର୍ଥାତ୍ ଯେଉଁ ଜିନିଷ ଆମର ଅଦରକାରୀ ହେଇପଡ଼େ , ଆମେ ସେହିସବୁ ଜିନିଷକୁ ଆମ ଦାନ ଖାତାରେ ପକାଇ ପୁଣ୍ୟ ଅର୍ଜନ କରିଛୁ ବୋଲି ଆତ୍ମତୃପ୍ତି ଲାଭ କରୁ। ଉଦାହରଣ ସ୍ୱରୂପ- ଆବଶ୍ୟକତାଠାରୁ ଅଧିକ ପୋଷାକ କିଣିବା ଅନେକ ଯୁବକଙ୍କ ଏକ ସଉକ୍ରେ ପରିଣତ ହୋଇଛି। ଏଭଳି କ୍ଷେତ୍ରରେ ପୋଷାକ ସବୁର ପୂର୍ଣ୍ଣ ଉପଯୋଗ ଆଦୌ ହୋଇ ପାରି ନଥାଏ। ପୋଷାକଗୁଡ଼ିକ ଅଯଥା ଘରର ଆଲ୍ମିରା, ଆଲଣା ଆଦିରେ ପଡ଼ି ରହି କେବଳ ଜାଗା ମାଡ଼ି ବସିଥାନ୍ତି। ଏହି ପୋଷାକସବୁକୁ ଅଳିଆ ଗଦାରେ ଫୋପାଡ଼ି ଦେବାକୁ ବା ନଷ୍ଟ କରିଦେବାକୁ ଆଦୌ ହାତ ଯାଏନି। ଏଭଳି ସ୍ଥଳେ ସେସବୁକୁ ଅନ୍ୟର ବ୍ୟିହାର ଲାଗି ଦେି ଦିଆଯିବା ଉଚିତ।
ଏବେ କେତେକ ସଂସ୍ଥା ଏସବୁ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। କିଛି ଅନୁଷ୍ଠାନ ଲୋକମାନଙ୍କଠାରୁ ପୁରୁଣା ପୋଷାକପତ୍ର ସଂଗ୍ରହ କରି ସେସବୁର ମରାମତି କରି ସେ ସବୁକୁ ବାଗେଇ ଅଭାବୀ ଲୋକଙ୍କୁ ବାଣ୍ଟୁଛନ୍ତି ବା ସେସବୁର ଏକ ପ୍ରଦର୍ଶନୀ କରି ଲୋକମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ବାଛିନେବାକୁ ସୁଯୋଗ ସୃଷ୍ଟି କରୁଛନ୍ତି। ଏହା ଏବେ ଏକ ସୁନ୍ଦର ପ୍ରଥା ସୃଷ୍ଟି କଲାଣି ଯାହାକୁ ଇଂରେଜୀରେ କୁହାଯାଉଛି ‘ଗିଭ୍ ଆୱେ।’ ଏହା ଜରିଆରେ ଦରିଦ୍ରମାନେ ସାହାଯ୍ୟ ପାଉଥିଲେ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଦାତାର ଅନୁଗ୍ରହର ଅବଦାନ ଏଥିରେ ରହୁ ନ ଥିବାରୁ ସେମାନେ ହୀନମନ୍ୟତାର ଶିକାର ହୁଅନ୍ତି ନାହିଁ। ଆଜିକା ଯୁଗରେ ଦାନର ଏ ନୂଆ ପ୍ରଥା ସେଥି ଲାଗି ଅଧିକ ଆଦର ଲାଭ କରୁଛି।
ମୋ-୯୦୯୦୦୯୦୪୫୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/poor-beggar.jpg)