ପୃଥିବୀର ବାୟୁମଣ୍ତଳ ଚିରି ମହାକାଶର ମହାଶୂନ୍ୟତାରେ ବାଟ କାଢ଼ି ଦୀର୍ଘ ୬ ମାସରୁ ଅଧିକ କାଳର ମହାକାଶୀୟ ଯାତ୍ରା ଶେଷ କରି ମଙ୍ଗଳ ଗ୍ରହରେ ଗଲା ୧୮ ଫେବ୍ରୁଆରି ତାରିଖରେ ପଦାର୍ପଣ କରିଛି ଆମେରିକା ନିର୍ମିତ ମଙ୍ଗଳ ଯାନ ‘ପରସଭରେନ୍ସ ରୋଭର’। ଏହାକୁ ଆମେରିକାର ମହାକାଶ ଗବେଷଣା ସ˚ସ୍ଥା ‘ନାସା’ ଦ୍ବାରା ୩୦ ଜୁଲାଇ ୨୦୨୦ରେ କେପ୍ କାନେଭାରାଲ ସ୍ଥିତ ବାୟୁସେନା ଘାଟିରୁ ଉତ୍କ୍ଷେପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳ ଗ୍ରହ ଓ ‘ମାର୍ସ୍(ମଙ୍ଗଳ) ପରସଭରେନ୍ସ ରୋଭର’ କାର୍ଯ୍ୟକ୍ରମ ବିଷୟରେ ଆଲୋଚନ ପ୍ରାସଙ୍ଗିକ ବୋଧ ହୁଏ।
‘ମାର୍ସ୍ ପରସଭରେନ୍ସ ରୋଭର’ ପୂର୍ବରୁ ଆମେରିକା ଓ ଅନ୍ୟ କେତେକ ଦେଶ ଏହି ଲାଲ ଗ୍ରହକୁ ଅନେକ ଯାନ ପଠାଇଛନ୍ତି। ଭାରତର ମଙ୍ଗଳଯାନ ମଧୢ ଏଥିରେ ସାମିଲ। ଏହି ସବୁ ଯାନମାନଙ୍କ ଦ୍ବାରା ସ˚ଗୃହୀତ ତଥ୍ୟରୁ ଜଣାଯାଏ ଯେ ମଙ୍ଗଳ ଗ୍ରହର ମାଟିରେ ପ୍ରଚୁର ଲୌହ ଅକ୍ସାଇଡ୍ ଥିବାରୁ ଏହା ଆମକୁ ଲାଲ ରଙ୍ଗର ଦେଖାଯାଏ। ଜଣାଯାଏ ଯେ ଏହି ଲୋହିତ ଗ୍ରହରେ ରହିଛି ୨୨ କିଲୋମିଟର ଉଚ୍ଚତାର ସର୍ବାଧିକ ବୃହଦାକାୟ ପର୍ବତ ଓ ଆଗ୍ନେୟଗିରି, ଯାହାର ନାମ ଅଲିମ୍ପସ ମନ୍ସ। ପୃଥିବୀ ସହିତ ଏହି ଗ୍ରହର ଅନେକ ସାଦୃଶ୍ୟ ଥିବାରୁ ଏବ˚ ପୂର୍ବରୁ ସେଠାରେ ଜଳ ପୂର୍ଣ୍ଣ ନଦୀ ଓ ହ୍ରଦ ଥିବାର କିଛି ପ୍ରମାଣ ମିଳୁଥିବାରୁ, ସେଠାରେ ମଣିଷ ବସବାସ ସମ୍ଭବ ବୋଲି କ୍ଷୀଣ ଧାରଣା ମଧ୍ୟ ଜାତ ହୋଇଥାଏ। ଏହି ସମ୍ଭାବନାକୁ ପରଖି ଦେଖିବା ଆମେରିକାର ମଙ୍ଗଳ ମିସନର ଏକ ବଡ଼ ଉଦ୍ଦେଶ୍ୟ।
ଏହା ପୂର୍ବରୁ ଆମେରିକା ଦ୍ବାରା ‘ମାର୍ସ ଇନ୍ସାଇଟ୍’ ନାମକ ଏକ ଯାନ ୫ ମଇ ୨୦୧୮ରେ ମଙ୍ଗଳ ପୃଷ୍ଠରେ ଅବତରଣ କରିଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ଲୋହିତ ଗ୍ରହରେ ଭୂମିକମ୍ପର ଅଧୢୟନ କରିବା ଓ ୪୫୦ କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହ କିପରି ସୃଷ୍ଟି ହୋଇଥିଲା ତାହାର ଅନୁସନ୍ଧାନ କରିବା। ‘ଇନ୍ସାଇଟ୍’ ପଦାର୍ପଣ କରିବା ପରେ ପରେ ମଙ୍ଗଳ ପୃଷ୍ଠରେ ଭୂମିକମ୍ପର ଝଟକା ଅନୁଭବ କରିବା ଆରମ୍ଭ କରିଥିଲା ଏବ˚ ଏ ପର୍ଯ୍ୟନ୍ତ ପ୍ରାୟ ୫୦୦ ଥର ଏହି ପ୍ରକାର କମ୍ପନକୁ ସେହି ଯାନ ଚିହ୍ନଟ କରିପାରିଛି। ତହିଁରୁ ଜଣାପଡ଼ିଛି ଯେ ମଙ୍ଗଳ ଗ୍ରହେର ଘଣ୍ଟାଘଣ୍ଟା ଧରି ଭୀଷଣ ଭୂମିକଂପ ହୋଇଥାଏ। ଏବେ ପଦାର୍ପଣ କରିଥିବା ‘ମାର୍ସ୍ ପରସଭରେନ୍ସ ରୋଭର’ରେ ଅନେକ ପ୍ରକାର ବୈୖଜ୍ଞାନିକ ଉପକରଣ ଲାଗିଛି ଯାହା ଦ୍ବାରା ମଙ୍ଗଳ ଗ୍ରହର ମାଟି, ବାୟୁମଣ୍ତଳ ଆଦିର ସବିଶେଷ ଅନୁଧୢାନ କରାଯିବ, ଯହିଁରୁ ସେଠାରେ ମାନବ ବସତି ସ୍ଥାପନର ସମ୍ଭାବନା ସଂପର୍କରେ ଧାରଣା ସୃଷ୍ଟି ହେବ। ‘ମାର୍ସ୍ ପରସଭରେନ୍ସ ରୋଭର’ରେ ରହିଛି ମଙ୍ଗଳ ପୃଷ୍ଠର ମୌଳିକ ଉପାଦାନର ଅଧୢୟନ ପାଇଁ ଏକ୍ସ-ରେ ସ୍ପେକ୍ଟ୍ରୋମିଟର; ଗ୍ରହର ପୃଷ୍ଠର ଘନତ୍ବ, ମୃତ୍ତିକା ସ୍ତର, ପୋତି ହୋଇ ରହିଥିବା ପଥର ଇତ୍ୟାଦି, ଉଲ୍କା ପିଣ୍ତ ଓ ଭୂପୃଷ୍ଠ ତଳେ ଥିବା ଜଳୀୟ ବରଫ ଆଦିର ସନ୍ଧାନ ପାଇଁ ଚିତ୍ର ଉତ୍ତୋଳନ କରିପାରୁଥିବା ରାଡାର; ଗ୍ରହର ତାପମାତ୍ରା, ବାୟୁର ଗତି ଓ ଦିଗ, ଚାପ, ଆପେକ୍ଷିକ ଆର୍ଦ୍ରତା, ବିକିରଣ ଏବ˚ ଧୂଳିକଣାର ଆକାର ଇତ୍ୟାଦି ଜାଣିବା ପାଇଁ ଏକ ବିଶ୍ଲେଷକ ଯନ୍ତ୍ର; ଦୂରରୁ ଫଟୋ ନେବା ସହ ଗ୍ରହର ପୃଷ୍ଠରେ ଥିବା ମାଟି ଓ ପଥରର ରାସାୟନିକ ଏବ˚ ଖଣିଜ ପଦାର୍ଥର ବିଶ୍ଳେଷଣ କରି ଏହା ମଧୢରେ ଅତୀତର କୌଣସି ଜୀବ ସତ୍ତା ଅଛି କି ନାହିଁ ତାହା ତର୍ଜମା କରିପାରୁଥିବା ଏକ ଶକ୍ତିଶାଳୀ କ୍ୟାମେରା ଇତ୍ୟାଦି। ତହିଁରେ ରମଣ ସ୍ପେକ୍ଟ୍ରୋମିଟର ମଧ୍ୟ ଲାଗିଛି (ବୈୖଜ୍ଞାନିକ ସାର୍ ସି.ଭି. ରମଣଙ୍କ ନାମ ଅନୁସାରେ) ଯାହା ମାଧୢମରେ ମଙ୍ଗଳ ଗ୍ରହ ପୃଷ୍ଠରେ ଥିବା ଜୈୖବିକ ଅଣୁର ସନ୍ଧାନ କରାଯାଇପାରିବ। ଏଥି ସହିତ ସେଠାରେ ଅମ୍ଳଜାନ ଉତ୍ପାଦନ ନେଇ ଏକ ବିଶେଷ ପରୀକ୍ଷଣ ମଧୢ କରାଯିବ। ଏହା ସଫଳ ହେଲେ ଭବିଷ୍ୟତ୍ରେ ସେଠାକୁ ଯାଇ ଫେରିବାର ବାଟ ଫିଟିବ।
ତେବେ, ଏହା ସତ ଯେ ମଙ୍ଗଳରେ ମଣିଷ ବସବାସ କରିବାର ସମ୍ଭାବନା କ୍ଷୀଣ। କାରଣ ପ୍ରଥମ କଥା, ଏହି ଗ୍ରହର ବାୟୁମଣ୍ତଳ ଅଙ୍ଗାରକାମ୍ଳ ବାଷ୍ପରେ ପରିପୂର୍ଣ୍ଣ। ଏହା ସହିତ ଗ୍ରହର ମୃତ୍ତିକାରେ କ୍ଲୋରିନ୍ ମାତ୍ରା ମଧ୍ୟ ଅଧିକ। ଏଠାରେ ସୌର ଜଗତ୍ର ସବୁଠାରୁ ତୀବ୍ର ଧୂଳି ଝଡ଼ ଅନୁଭୂତ ହୁଏ। ମଙ୍ଗଳର ମାଧୢାକର୍ଷଣ ବଳ ପୃଥିବୀ ତୁଳନାରେ ଦୁର୍ବଳ (ପାଖାପାଖି ୩ ଭାଗରୁ ଭାଗେ) ହୋଇଥିବାରୁ ମଣିଷର ବସତି ସ୍ଥାପନରେ ଏହା ମଧୢ ଅନ୍ୟ ଏକ ମୁଖ୍ୟ ବାଧକ ସୃଷ୍ଟି କରିବ। କିନ୍ତୁ ମୂଳ କଥା ହେଲା ମଙ୍ଗଳ ଗ୍ରହରେ ମନୁଷ୍ୟର ପାଦ ପକାଇବା ଲାଗି ହେଉଥିବା ଉଦ୍ୟମ ଫଳପ୍ରସୂ ହେବାକୁ ଅନେକ ବର୍ଷ ଲାଗି ଯାଇପାରେ। ତା’ ପରେ ଆସିବ ମଙ୍ଗଳରେ ଜନବସତିର କଥା।
ତେବେ, ସବୁ ସମସ୍ୟା ସତ୍ତ୍ବେ ବୈଜ୍ଞାନିକମାନେ ଆଶା ଛାଡ଼ି ନାହାନ୍ତି। ସମସ୍ୟାର ସମାଧାନ ଖୋଜି ସେମାନେ ଅଗେଇ ଚାଲିଛନ୍ତି। କେତେକ ବୌଜ୍ଞାନିକଙ୍କ ମତରେ ମହାକାଶ ଯାନରେ ପାରମ୍ପରିକ ଇନ୍ଧନ ବଦଳରେ ଚିରନ୍ତନ ନାଭିକୀୟ ପରମାଣୁ ଇନ୍ଧନର ବ୍ୟବହାର କରାଯାଇ ପାରିବ। ଗ୍ରହରେ ହେଉଥିବା ଧୂଳି ଝଡ଼ ଓ ମାରାତ୍ମକ ତେଜସ୍କ୍ରିୟ ବିକିରଣରୁ ରକ୍ଷା ପାଇବା ପାଇଁ ମଙ୍ଗଳର ମାଟି ତଳେ ବିଶେଷ ପ୍ରକାରର ଗୃହ ନିର୍ମାଣ କରାଯାଇ ପାରିବ। ଅଙ୍ଗାରକାମ୍ଳରୁ ଅମ୍ଳଜାନ ପ୍ରସ୍ତୁତ କାରାଯାଇ ପାରିବ। ତେବେ, ଆଶା ଓ ନିରାଶା ମଧ୍ୟରେ ଆଗକୁ ବଢ଼ି ଚାଲିଥିବା ଗବେଷଣା ଦ୍ବାରା ଯେ ଦିନେ ମଙ୍ଗଳରେ ମଣିଷ ବସତି ସମ୍ଭବ ହେବ ନାହିଁ; ତାହା ମଧ୍ୟ କୁହାଯାଇ ନ ପାରେ। ଏବଂ ଯଦି କେବେ ମଙ୍ଗଳ ଗ୍ରହଟି ମଣିଷମାନଙ୍କ ବାସୋପଯୋଗୀ ହୁଏ, ତେବେ ତାହା ହେବ ଆମର ଏହି ନୀଳ ପୃଥିବୀ ପରେ ଦ୍ବିତୀୟ ପୃଥିବୀ; ଲୋହିତ ପୃଥିବୀ!
ମୋ: ୮୦୧୮୮୩୪୭୩୪