ବଡ଼ଦାଣ୍ଡରେ ଗୋଡ଼ ଦେଲା ମାତ୍ରେ ଆପଣଙ୍କୁ ଭେଟିବେ କେହି ଜଣେ ପଣ୍ଡା। “କେଉଁଠୁ ଆସିଛନ୍ତି, ଯଦି ଚାହାନ୍ତି ମୁଁ ଆପଣଙ୍କୁ ଜଗନ୍ନାଥ ଦର୍ଶନ, ଭୋଗ, ବେଢ଼ା ପରିକ୍ରମା, ଅଭଡ଼ା ଭୋଜନରେ ସାହାଯ୍ୟ କରିବି। ପ୍ରଭୁଙ୍କ ବିଜେସ୍ଥଳୀକୁ ଆସିଛନ୍ତି, ତୀର୍ଥ କ୍ଷେତ୍ର, ଧର୍ମ କାର୍ଯ୍ୟ, ଯାହା ଇଛା ମୋତେ ଦେବେ,” ସତର୍କତାର ସହ ସେ ଆପଣଙ୍କୁ ପ୍ରଶ୍ନ କରିବେ। ଅନେକ ବାଟ ଆଡ଼େଇ ଚାଲିଯାନ୍ତି, କିନ୍ତୁ ସମ୍ମତି ମିଳିଲେ ଅଣନିଶ୍ୱାସୀ ହୋଇପଡୁଥିବା ଭିଡ଼ ଭିତରେ ଆପଣଙ୍କୁ, ବୟସ୍କ ହୋଇଥିଲେ ହାତ ଧରି, ପଣ୍ଡା ଜଣକ ମନ୍ଦିରକୁ ନେଇଯିବେ। ଦର୍ଶନ ପରେ ଘଡ଼ିଏ ଛିଡ଼ା ହେବା ଭିତରେ କେହି କେହି ‘ଆପଣ ନଥିଲେ ଜଗନ୍ନାଥ ଦର୍ଶନ ସମ୍ଭବ ହୋଇ ନଥାନ୍ତା’ ବୋଲି ସୌଜନ୍ୟ ପ୍ରକାଶ କରନ୍ତି ତ ଆଉ କିଏ ତାଙ୍କ ମୋବାଇଲ ନମ୍ବର ଭବିଷ୍ୟତରେ ସମ୍ଭାବ୍ୟ ଦର୍ଶନ ଆଶାରେ ଟିପି ରଖନ୍ତି। ଏବେ ପାରିଶ୍ରମିକ କଥା, ଭାବୁଥିବେ ସେ ମୋଟା ଅଙ୍କର ଟଙ୍କା ମାଗିବେ। କିନ୍ତୁ ନୁହେଁ, ଝାଳରେ ବୁଡ଼ିଥିବା ତାଙ୍କ ହାତ ପାପୁଲିରେ କିଏ ୨୦ ଟଙ୍କିଆ ନୋଟଟେ ଗୁଂଜି ଦିଅନ୍ତିତ ଆଉ କିଏ ତାଙ୍କ ଅସନ୍ତୁଷ୍ଟ ମୁହଁକୁ ଦେଖି ୫୦ ଟଙ୍କାରେ କାମ ସାରିଦିଅନ୍ତି। ୧୦୦ ଟଙ୍କା ପାଉଣା କ୍ବଚିତ। ବଡ଼ଦାଣ୍ଡର ଧୂଳିରୁ ତୀର୍ଥଯାତ୍ରୀ ଗୋଟେଇ ପେଟ ପୋଷୁଥିବା ଏହି ପଣ୍ଡାମାନେ ‘ଧୁଳିଆ ପଣ୍ଡା’ ଭାବରେ ପରିଚିତ। ଏମାନଙ୍କ ସଂଖ୍ୟା ୫୦୦ରୁ ଅଧିକ, ଦୈନିକ ମୁଣ୍ଡପିଛା ଆନୁମାନିକ ରୋଜଗାର ୩୦୦ ଟଙ୍କାରୁ କମ୍। ରଥଯାତ୍ରା, ଅନ୍ୟାନ୍ୟ ପର୍ବରେ ଅଧିକ ଯାତ୍ରୀ ସମାଗମ ହେଲେ ସେମାନଙ୍କ ରୋଜଗାର ଟିକେ ବଢ଼ି ଯାଏ।

Advertisment

ଜଗନ୍ନାଥ ମନ୍ଦିର ଏବଂ ଯାତ୍ରୀ ପରିଚାଳନା (ଯାତ୍ରୀ ବ୍ୟବସାୟ) ଏକ ଆଧୁନିକ ବ୍ୟବସ୍ଥା ନୁହେଁ, ଶହ ଶହ ବର୍ଷର ପୁରୁଣା ପ୍ରଥା, ସେବକମାନଙ୍କର ପାରମ୍ପରିକ ବୃତ୍ତି, ଏବେ ବି ଜୀବିତ। ଏମାନଙ୍କୁ ମୁଖ୍ୟତଃ ‘କୌଳିକ ପଣ୍ଡା’ ବା ‘ତୀର୍ଥଗୁରୁ’ ବୋଲି ସମସ୍ତେ ଜାଣନ୍ତି। ଧୁଳିଆ ପଣ୍ଡା କେବଳ ଏକ ସ୍ଥାନୀୟ ସଂସ୍କରଣ। ସେମାନଙ୍କ କାର୍ଯ୍ୟ ପରିସର ବସ୍ତୁତଃ ପ୍ରତିଦିନ ପୁରୀ ଆସୁଥିବା ସାଧାରଣ ଯାତ୍ରୀଙ୍କ ଭିତରେ ସୀମିତ। ତେବେ ଜଗନ୍ନାଥ ଦର୍ଶନ ପାଇଁ ଅନେକ ନେତା, ରାଜା, ସିନେମା ସେଲିବ୍ରିଟି, ଶିଳ୍ପପତି ତଥା ଉଚ୍ଚ ପଦରେ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଭାରତର ବିଭିନ୍ନ ପ୍ରଦେଶରୁ ଏବଂ ବିଦେଶରୁ ଆସନ୍ତି। ଆଶ୍ଚର୍ଯ୍ୟ ଲାଗିପାରେ, କାଁ ଭାଁ ବ୍ୟତିକ୍ରମ ବ୍ୟତୀତ, ‘କୌଳିକ ପଣ୍ଡା’ଙ୍କ ଉପସ୍ଥିତି ବିନା ଆଜିପର୍ଯ୍ୟନ୍ତ କେହି ଦିଅଁ ଦର୍ଶନ କରି ଫେରିନାହାନ୍ତି। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ପହଂଚିବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ବେଢ଼ାକୁ କେବଳ ସେହି ସମୟରେ ନୀତି ପାଇଁ ଆବଶ୍ୟକ ସେବକଙ୍କୁ ଛାଡ଼ି ଖାଲି କରାଯାଇଥିଲା। କିନ୍ତୁ ମନ୍ଦିର ଭିତରକୁ ରାଷ୍ଟ୍ରପତିଙ୍କୁ ପାଛୋଟି ନେବା ପାଇଁ ସିଂହଦ୍ୱାରରେ ଅପେକ୍ଷା କରିଥିବା ହାତ ଗଣତି ପଦାଧିକାରୀଙ୍କ ମଧ୍ୟରେ ଜଣେ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବ୍ୟକ୍ତି ଥିଲେ। ସେ ଅଫିସର କି ପୋଲିସ ନୁହନ୍ତି, ଜଣେ ସେବକ, ରାଷ୍ଟ୍ରପତିଙ୍କ ‘କୌଳିକ ପଣ୍ଡା’। ଅନୌପଚାରିକ ଭାବରେ କହିଲେ ଜଗନ୍ନାଥ ଦର୍ଶନ କରାଇବାରେ ତାଙ୍କର ପ୍ରଥମ ଅଧିକାର। ଅତୀତରେ ରାଷ୍ଟ୍ରପତିଙ୍କ ବାପା ପୁରୀ ଆସିଥିଲା ବେଳେ (ଅକ୍ଟୋବର ୯, ୧୯୪୭) ତାଙ୍କ ପରିବାରର ସହଯୋଗରେ ଜଗନ୍ନାଥ ଦର୍ଶନ କରିଥିଲେ ଏବଂ ପ୍ରମାଣ ସ୍ୱରୂପ ଏକ ଖାତାରେ (ଦସ୍ତଖତୀ) ଦସ୍ତଖତ କରିଥିଲେ। ସେହିଭଳି ଆଉ ଜଣେ ସେବକ କହନ୍ତି ସେ ମହାତ୍ମା ଗାନ୍ଧୀଙ୍କ ପରିବାରର କୌଳିକ ପଣ୍ଡା। ଶହେ ବର୍ଷ ପୂର୍ବେ ମହାତ୍ମା ଜଗନ୍ନାଥ ଦର୍ଶନ କରିବା ପରେ ଗୁଜରାଟୀ ଭାଷାରେ ପାରିବାରିକ ଦସ୍ତଖତୀରେ ସ୍ବାକ୍ଷର କରିଥିବା ସେ ଦାବି କରନ୍ତି। ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରଚାର ପୂର୍ବରୁ ଘରେ ଆୟୋଜିତ ପୂଜା ଯଜ୍ଞ ପାଇଁ ପୁରୀରୁ ତାଙ୍କ ପାରିବାରିକ ପଣ୍ଡାଙ୍କୁ ଡାକିଥିଲେ।

କୌଳିକ ପଣ୍ଡା କିଏ?, ଦସ୍ତଖତୀ କ’ଣ?, ଜଗନ୍ନାଥ ଦର୍ଶନ ପାଇଁ ଜଣେ ସେବକଙ୍କ ଆବଶ୍ୟକତା କାହିଁକି? ଆଧୁନିକ ଚଳଣି ଇଲାକାରେ ଖୋଦ ଈଶ୍ୱର ଯେତେବେଳେ ଗୌଣ ହୋଇଯାଉଛନ୍ତି, ଏହି ସବୁ ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବା ସ୍ୱାଭାବିକ। ମାନବିକ ମୂଲ୍ୟବୋଧର ବିବର୍ତ୍ତିତ ଜଳବାୟୁରେ ଗୋଟାଏ ଧୂସର ଧୋତି, ଖଣ୍ଡେ ପତଳା ଚାଦର ଓ ନାଲି ଗାମୁଛାରେ ଫୁଙ୍ଗୁଳା ଦେହକୁ ଢାଙ୍କି କେହି ନିଜକୁ ଯୁଗ ଯୁଗର ଦେବତାଙ୍କ ଗାଇଡ୍ ବୋଲି ଯେତେ କହିଲେ ବି ନୂଆ ପିଢ଼ିର ଦର୍ଶନାର୍ଥୀଙ୍କ ମନ ଜିଣିବା ଅବଶ୍ୟ କଷ୍ଟ। ଜଗନ୍ନାଥ ସେବକଙ୍କର ଅବସନ୍ନ ଭାବମୂର୍ତ୍ତି ପାଇଁ ଇତିହାସ ବି ସେମାନଙ୍କ ପ୍ରତି କିଛି କମ୍ ନିଷ୍ଠୁର ହୋଇନି। ଦେଶ ବିଦେଶର ଗବେଷକଙ୍କ ଅଜସ୍ର ଲେଖାରେ ଜଗନ୍ନାଥଙ୍କୁ ପ୍ରକୃତରେ ଜଗତ୍‌ର ନାଥ ବୋଲି ଦୁନିଆକୁ ଚିହ୍ନେଇଥିବା ଏହି ପଣ୍ଡାମାନଙ୍କ ଐତିହାସିକ ଭୂମିକାର ବ୍ୟାଖ୍ୟାନ ତ ସ୍ବପ୍ନ, ସମବେଦନାର ଶବ୍ଦଟିଏ ମଧ୍ୟ ଦେଖିବାକୁ ମିଳେନାହିଁ। ସତେ ଯେମିତି ସେମାନେ ଅପାଂକ୍ତେୟ। ସବୁ ଭୁଲ୍ ପାଇଁ ପ୍ରଥମେ ଅଙ୍ଗୁଳି ଉଠେ ସେମାନଙ୍କ ଉପରକୁ। ରଥ ଚକା ତଳେ ଜୀବନ ହାନି ଅବା ମନ୍ଦିରରେ ଭିଡ଼, ନୀତି ବିଭ୍ରାଟ କିମ୍ବା ଯାତ୍ରୀ ଅସନ୍ତୋଷ ସେମାନେ ସବୁବେଳେ ବିଦ୍ରୂପର ବିନ୍ଦୁ। ଅନେକ ଗବେଷକ ସେମାନଙ୍କୁ ‘ଅଜ୍ଞ, ଲୋଭୀ, ଶୋଷକ, ଯାତ୍ରୀ ଶିକାରୀ, ଅତ୍ୟାଚାରୀ ଭଳି ଶବ୍ଦରେ ଚିତ୍ରଣ କରିଛନ୍ତି। ତେବେ ରାମଚନ୍ଦ୍ରଙ୍କ ମୁହଁକୁ ଚାହିଁ ନାମହୀନ ବାନର ମାନେ ସେତୁବନ୍ଧ ନିର୍ମାଣ କରିଥିବା ଭଳି ଜଗନ୍ନାଥଙ୍କ ପାଇଁ ସେବକମାନେ ସବୁ ଅପବାଦକୁ ଉଦରସ୍ଥ କରିଛନ୍ତି। ଟିକେ ଭାବିଲେ, ଅଗମ୍ୟ ଜଙ୍ଗଲ ଭିତରେ ପାହାଡ଼ି ଗୁମ୍ଫାରୁ ଜଗନ୍ନାଥଙ୍କୁ ଆଣି ତାଙ୍କୁ ବିଶ୍ୱ ଦେବତା ରୂପରେ ସଜେଇବା ଶ୍ରେୟର ଅଧିକାରୀ ଏହି ସେବକମାନଙ୍କ ବ୍ୟତୀତ ଆଉ କିଏ ହୋଇପାରନ୍ତି? ଜଗନ୍ନାଥଙ୍କ ଅସ୍ତିତ୍ବ ଲୋପ ପାଇଁ ବିଧର୍ମୀମାନଙ୍କ ତୁହାକୁ ତୁହା ଆକ୍ରମଣ (୧୮ ଥର) ବେଳେ ଜୀବନକୁ ବାଜି ଲଗେଇ ସେବକମାନେ ସେତେବେଳେ ଦାରୁ ବିଗ୍ରହଙ୍କୁ ଚିଲିକା ଭିତରେ ତ ଆଉ କେତେବେଳେ ଘଞ୍ଚ ଜଙ୍ଗଲରେ ଯଦି ଲୁଚେଇ ରଖି ନ ଥାନ୍ତେ, ଓଡ଼ିଆ ସ୍ୱାଭିମାନର ଏହି ଦୀପ ବୋଧହୁଏ କୋଉ କାଳରୁ ଲିଭି ସାରନ୍ତାଣି।

ଜଗନ୍ନାଥ ଓଡ଼ିଶାର ଠିକଣା, ଅନନ୍ୟ ସୁଲଭ ଓଡ଼ିଆ ଆତିଥେୟତା ଓ ସଂସ୍କୃତିର ପ୍ରତୀକ, ଆତ୍ମନିର୍ଭରତାର ନିଦର୍ଶନ (ଖାଣ୍ଟି ଓଡ଼ିଆ ଛାପ ନଥିବା ପରିବା, ଫଳ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ, ବେଶ ଅବା ପର୍ବ ଆଜି ପର୍ଯ୍ୟନ୍ତ ମନ୍ଦିରରେ ନୀତି ବିବର୍ଜିତ), ସେ ସମସ୍ତଙ୍କର (ଜଗନ୍ନାଥଙ୍କ ସେବକମାନେ ବ୍ରାହ୍ମଣ ଏକ ଭ୍ରାନ୍ତ ଧାରଣା, ଅନେକ ଶୂଦ୍ର ସେବକ ପୁରୁଷାନୁକ୍ରମେ ମନ୍ଦିର ଭିତରେ ସେବାପୂଜାରେ ନିୟୋଜିତ), ସବୁ ଆସ୍ଥାର ସଙ୍ଗମ ସ୍ଥଳ। ଏହି କଥା କହିବାକୁ କୌଣସି ରାଜା କେବେ ଭାରତ ଭ୍ରମଣରେ ଯିବାର ଦୃଷ୍ଟାନ୍ତ ନାହିଁ। ଯଦି କିଏ ଯାଇଥିଲେ ସେମାନେ ଏହି ପଣ୍ଡା। ନିର୍ମାଲ୍ୟ, ଶୁଖିଲି ଭୋଗ, ତୁଳସୀ ଧଣ୍ଡା ଧରି ପଣ୍ଡାମାନେ ଭାରତର ଗାଁ ଗାଁ ବୁଲି ଜଗନ୍ନାଥଙ୍କ ବିଶେଷତ୍ୱ ପ୍ରଚାର କରନ୍ତି। ଅତୀତରେ ଭାରତ ଓ ବିଦେଶରୁ ଯେତେ ସାଧୁ, ସନ୍ଥ, ରାଜା ଓ ସାଧାରଣ ଲୋକ ଜଗନ୍ନାଥଙ୍କୁ ଦେଖିବାକୁ ଆସିଛନ୍ତି ପଣ୍ଡାମାନଙ୍କର ଏହି ଅଭିନବ ଉଦ୍ୟମ ତା’ର ମୂଳଦୁଆ ଏବଂ ବର୍ତ୍ତମାନ ସମୟର ‘ଟୁରିଜିମ ମାର୍କେଟିଙ୍ଗ ଓ ପ୍ୟାକେଜ ଟୁର’ର ଆଦ୍ୟ ସଂସ୍କରଣ କହିବା ଭୁଲ ହେବ ନାହିଁ। ପଣ୍ଡାମାନେ ଅଣଓଡ଼ିଆ ଯାତ୍ରୀଙ୍କ ପାଇଁ ଅନ୍ୟ ଭାଷା ଶିଖନ୍ତି। ଭାରତର ଅନ୍ୟ ତୀର୍ଥସ୍ଥାନରେ ପର୍ଯ୍ୟଟକମାନେ ଭାଷା ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଜଗନ୍ନାଥ ଧାମରେ ଏହି ନିଆରା ପରମ୍ପରା ଅନଙ୍ଗଭୀମ ଦେବଙ୍କ ସମୟରୁ ଚଳିଆସୁଛି। ସାଧାରଣ ଲୋକଙ୍କ ଭିତରେ ସେବକଙ୍କ ଗଭୀର ଗ୍ରହଣୀୟତା ଦେଖି ଗଙ୍ଗ ରାଜା ସେମାନଙ୍କୁ ରାଜ୍ୟ ପାଇଁ କୂଟନୀତିଜ୍ଞର (ଗୁପ୍ତଚର) ଦାୟିତ୍ୱ ମଧ୍ୟ ଦେଇଥିଲେ। ୧୮୫୭ରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ) ଏହାର ପ୍ରମାଣ। ସେ ଲକ୍ଷ୍ମୀବାଇଙ୍କ ପୈତୃକ କୌଳିକ ପଣ୍ଡା ଥିଲେ, ବାପାଙ୍କ ସହ ମଧ୍ୟ ଭାରତ ବୁଲିବା ସମୟରେ ଅନେକ ଗୁପ୍ତ ତଥ୍ୟ ସଂଗ୍ରହ କରିଥିଲେ।

ଭାରତରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ତୀର୍ଥକ୍ଷେତ୍ର ଓ ସେଠାରେ ଅଧିଷ୍ଠିତ ଦେବତାଙ୍କ ମୌଳିକ ସତ୍ୟକୁ ଶହ ଶହ ବର୍ଷ ଧରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ଜଗନ୍ନାଥ ସେବକଙ୍କ ଭୂମିକାର ଦ୍ୱିତୀୟ ଉଦାହରଣ ବିରଳ। ସେମାନଙ୍କ ନେତୃତ୍ୱରେ ଅନ୍ୟ ପ୍ରଦେଶରୁ ଯାତ୍ରୀମାନେ ପୁରୀ ଆସନ୍ତି, ବାଟରେ ଓଡ଼ିଶାର କଳା କୀର୍ତ୍ତି, ମନ୍ଦିର ଦେଖାଇବା ସହ ପୁରୀରେ ସେମାନଙ୍କ ରହଣି, ଭୋଜନର ବ୍ୟବସ୍ଥା କରନ୍ତି। ଇଂରେଜମାନେ ସ୍ବଭାବତଃ ସନ୍ଦେହୀ। ସେମାନେ ପର୍ଯ୍ୟଟକଙ୍କ ଠାରୁ ପୁରୀ ପ୍ରବେଶ ପାଇଁ ପୂର୍ବରୁ ପ୍ରଚଳିତ ଯାତ୍ରୀ କର ଆଦାୟ ସହିତ ଛାପା ଫର୍ମରେ ସେମାନଙ୍କ ନାମ, ଠିକଣା, ରହଣି ଅବଧିର ବିବରଣୀ ରଖୁଥିଲେ। ରାଜ୍ୟର ସୀମା, ଯୋବ୍ରା ଓ ଅଠରନଳା ସମେତ ଅନ୍ୟ ଘାଟରେ ଏଥିପାଇଁ ପହରାଦାର ଥିଲେ। ଯାତ୍ରୀମାନେ ପ୍ରାୟତଃ ଲେଖା ପଢ଼ା ଜାଣିନଥିବା ଯୋଗୁଁ ସେବକମାନଙ୍କୁ ହିଁ ସବୁ କାମ କରିବାକୁ ପଡୁଥିଲା। ବ୍ରିଟିସ୍‌ ଐତିହାସିକ ହଣ୍ଟରଙ୍କ ରିପୋର୍ଟ ଅନୁଯାୟୀ ଜଗନ୍ନାଥ ସେବକମାନେ ଦେଶ ସାରା ଭ୍ରମଣ କରନ୍ତି ଏବଂ ତୀର୍ଥଯାତ୍ରାର ଅବର୍ଣ୍ଣନୀୟ କଷ୍ଟ ସତ୍ତ୍ୱେ ଲୋକେ, ଅଧିକାଂଶ ମହିଳା, ବର୍ଷ ତମାମ ଜଗନ୍ନାଥ ଦର୍ଶନରେ ଆସନ୍ତି। ସ୍ୱଚ୍ଛଳ ଯାତ୍ରୀମାନେ ପାଲିଙ୍କି, ପଶୁଟଣା ଗାଡ଼ିରେ ଆସନ୍ତି, ଅନ୍ୟମାନେ ଜଙ୍ଗଲ, ପାହାଡ଼ର ଏକ ପ୍ରକାର ଅମଡ଼ା ବାଟରେ ଦୀର୍ଘ ଦିନ ଚାଲି ଚାଲି ରକ୍ତାକ୍ତ ପାଦରେ ଜୀବନର ଶେଷ ଅଭିଳାଷ ଚରିତାର୍ଥ ଲକ୍ଷ୍ୟରେ ତୀର୍ଥ କ୍ଷେତ୍ର ପୁରୀରେ ପହଞ୍ଚିବା ପରେ ସେବକମାନେ ସେମାନଙ୍କୁ ଧର୍ମଶାଳା ବା ନିଜ ଘରେ ନିର୍ମିତ ଏକାଧିକ ସ୍ୱତନ୍ତ୍ର ରୁମରେ ରଖନ୍ତି। ଫେରିବା ସମୟରେ ଅଭାବୀ ଯାତ୍ରୀ ନିରାଶ ହେବା ଦେଖା ଯାଏନି, ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଏ। ପୁଣ୍ୟ କାର୍ଯ୍ୟରେ ଠକାମିର ଛିଟା ଲାଗିଲେ ଈଶ୍ୱର ଅସନ୍ତୁଷ୍ଟ ହୁଅନ୍ତି, ସିଦ୍ଧି ମିଳେନି ବୋଲି ସମସ୍ତଙ୍କର ବିଶ୍ୱାସ। ଯାତ୍ରୀ ଘରକୁ ଫେରିବା ପରେ ‘ତୀର୍ଥ ଋଣ’ ଡାକରେ ପଠାଇ ଦିଅନ୍ତି କିମ୍ବା ସେବକଙ୍କ ପରବର୍ତ୍ତୀ ‘ଦେଶ ଗସ୍ତ’ ବେଳେ ପରିଶୋଧ କରନ୍ତି। ସେବକଙ୍କ ପାଇଁ ଯାତ୍ରୀ ମୂଲ୍ୟବାନ ଯଜମାନ, ରୋଜଗାର ଓ ପ୍ରତିଷ୍ଠା ଅର୍ଜନର ଆଧାର। ଯାତ୍ରୀଙ୍କ ଦୃଷ୍ଟିରେ ସେବକ ‘ତୀର୍ଥଗୁରୁ’। ଏହି ଧାର୍ମିକ ସମ୍ପର୍କରୁ ସୃଷ୍ଟି ‘କୌଳିକ ପଣ୍ଡା’, ‘ଦସ୍ତଖତୀ’ ପ୍ରଭୃତି ଶବ୍ଦ। ଅନେକ ରାଜା, ଜମିଦାର ସେବକ ମାନଙ୍କୁ ସେମାନଙ୍କ ପରିବାରର ‘କୌଳିକ ପଣ୍ଡା’ ମାନ୍ୟତା ଭାବରେ ତାମ୍ର ଫଳକରେ ଲିଖିତ ସ୍ୱୀକୃତି ପତ୍ର ଦେଇଥିବାର ସୂଚନା ଇତିହାସରୁ ମିଳେ। ତୀର୍ଥ ଯାତ୍ରାର ଶେଷ ଅଙ୍କ ‘ଆଟିକା ଦାନ’ - ଯାତ୍ରୀମାନେ ଏକ ପାତ୍ରରେ ଦକ୍ଷିଣା ଦେବା ପରେ ତୀର୍ଥଗୁରୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତି।

ଜଗନ୍ନାଥ ଗବେଷକ ପୁର୍ଣ ଚନ୍ଦ୍ର ଗୋଛିକାରଙ୍କ ମତରେ କୌଳିକ ପଣ୍ଡାଙ୍କ ଭରସାରେ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀ ଅସମ୍ମାନିତ ହେବା ଘଟଣା କେବେ ହେଲେ ହୋଇନାହିଁ। “ଯାତ୍ରୀ ଜଗନ୍ନାଥଙ୍କ ମାନବୀୟ ମାହାତ୍ମ୍ୟ, ଓଡ଼ିଆଙ୍କ ଆତିଥେୟତା ଓ ସଂସ୍କୃତିର ସ୍ମୃତି ନେଇ ଘରକୁ ଫେରେ। ସେ ଖୁସି ହେଲେ ସେବକର ସମ୍ମାନ, କେହି ଏଥିରେ ଦାଗ ଲଗେଇବାକୁ ଚାହିଁବେ ନାହିଁ”। ତେବେ କଥାରେ ଅଛି ପରିବର୍ତ୍ତନ ପ୍ରକୃତିର ନିୟମ। ଜଗନ୍ନାଥଙ୍କ ସେବକମାନେ ଓଡ଼ିଆର ଟେକ ଯେତେ ଉଚ୍ଚା କରିଥିଲେବି ସମୟ ସହ ତାଳ ଦେଇ ଯାତ୍ରୀ ପରିଚାଳନାରେ ସଂସ୍କାରକୁ ଆପଣେଇବା ଆବଶ୍ୟକ।

ମୋ: ୯୮୫୩୨୫୨୬୨୬