ଆତ୍ମଜ୍ଞାନର ରହସ୍ୟ

ଆମରି କଥା - ନାରାୟଣ ମିଶ୍ର

ବିଦ୍ୟୁତ୍‌ ଶକ୍ତି (Electricity) ବଲ୍‌ବ ମାଧୢମରେ ଆଲୋକ ପ୍ରଦାନ କରୁଛି, ଫ୍ୟାନ୍‌ ମାଧୢମରେ ପବନ ଦେଉଛି, ବିଭିନ୍ନ କଳାକବ୍‌ଜା ତା’ ଯୋଗୁଁ ଚାଲୁଛି। ବଲ୍‌ବଟିଏ ଭାଙ୍ଗିଗଲେ ବିଦ୍ୟୁତ୍‌ଶକ୍ତିର କିଛି କ୍ଷତି ହେଉନି। ଭଙ୍ଗା ବଲ୍‌ବ ଆମେ ଦେଖୁଛେ, କିନ୍ତୁ ବିଦ୍ୟୁତ୍‌ ଶକ୍ତି କୁଆଡ଼େ ଗଲା ଜାଣିହେଉନି। ଆମ ଦେହ ବା ଯେ କୌଣସି ଜୀବ ମଧୢରେ କ’ଣ ଅଛି ଯାହା ଦ୍ବାରା କାନ ଶୁଣିପାରୁଛି ଆଖି ଦେଖି ପାରୁଛି ଆଉ ହାତଗୋଡ଼ ବି ଚାଲିପାରୁଛି। ପିଲାଠାରୁ ଶୈଶବ, ଯୌବନ ଆସି କେତେବେଳେ କିଭଳି ବାର୍ଦ୍ଧକ୍ୟ ଆସିଗଲା ଜାଣି ହେଲାନି, କିନ୍ତୁ ହଠାତ୍‌ ଦିନେ କ’ଣ ତା’ ଭିତରୁ ଚାଲିଗଲା ଏବ˚ କେଉଁଆଡ଼େ ଗଲା ଜାଣିହେଲାନି ଅଥଚ କାନ, ନାକ ଆଖି ହାତଗୋଡ଼ ଆଉ କେହି କାମ କଲେନି। ଏତକ ଜ୍ଞାନ ବୁଝିବାକୁ ମୁନି ଋଷିମାନେ ସ˚ସାର ତ୍ୟାଗ କରି କଠୋର ତପସ୍ୟା କରି ଶାସ୍ତ୍ରରେ ଲେଖିଛନ୍ତି ଯେ ପରମାତ୍ମାଙ୍କ ଏକ ଅ˚ଶ ଜୀବାତ୍ମା ରୂପେ ଏ ଶରୀର ଧାରଣ କରି ତନ୍ମଧୢରେ ଜୀବର ସମସ୍ତ କ୍ରିୟା ଓ ଭାବନାକୁ ଲିପିବଦ୍ଧ କରି ଦିନେ ହଠାତ୍‌ ଏ ଶରୀର ଛାଡ଼ି ଅନ୍ୟ ଏକ ଦେହର ଆଶ୍ରୟ ନେଉଛି। ଏଇ କଥା ଶ୍ରୀକୃଷ୍ଣ ଦ୍ବାପର ଯୁଗରେ ଦେହ ତ୍ୟାଗ ପୂର୍ବରୁ ପରମ ଭକ୍ତ ଉଦ୍ଧବଙ୍କୁ ବୁଝାଇ ନିଜ ଭିତରର ପରମାତ୍ମାଙ୍କ ଅ˚ଶକୁ ନିଶ୍ଚଳ ହୃଦୟରେ ଚିନ୍ତା କରିବାକୁ କହିଛନ୍ତି।

ଭଗବାନ କହିଛନ୍ତି, ହେ ଉଦ୍ଧବ, ତୁମେ ମୋର ପରମ ମିତ୍ର ଏବ˚ ଭକ୍ତ ମଧୢ, ଶୀମଦ୍‌ ଭଗବତ୍‌ ଗୀତାରେ ଅର୍ଜୁନଙ୍କୁ ମୁଁ ଏ ସ˚ସାରର ସାଧାରଣ ମଣିଷ ରୂପେ ଉପସ୍ଥାପନ କରି ତା’ର ସମସ୍ତ ମୋହ ତ୍ୟାଗର ବାଟ ବୁଝାଇଲେ ବି ସେ ବୁଝି ନ ଥିଲା। ଶେଷକୁ ମୁଁ ତାକୁ ବିଶ୍ବରୂପ ଦର୍ଶନ କରାଇ ଯେତେବେଳେ କହିଲି- ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ ଇତ୍ୟାଦି ମହାବୀରମାନଙ୍କୁ ମୁଁ ପ୍ରକୃତରେ ମାରି ସାରିଛି। ତୁମେ କେବଳ ନାମକୁ ମାତ୍ର ଯୁଦ୍ଧରେ ଅବତୀର୍ଣ୍ଣ ହୁଅ। ସେତେବେଳେ ଯାଇ ସେ ଯୁଦ୍ଧ କରିବାକୁ ରାଜି ହେଲେ। ହେଲେ ଉଦ୍ଧବ, ତୁମର ତ ଏ ସ˚ସାରର କୌଣସି ଜୀବ ବା ନିର୍ଜୀବ ପ୍ରତି କିଛି ବି ଆସକ୍ତି ନାହିଁ। ତେଣୁ ତୁମେ ମୁଁ ଯେଉଁ ଜ୍ଞାନର କଥା କହୁଛି, ଧୀର ଚିତ୍ତରେ ଶୁଣ ଏବ˚ ପୂର୍ବପରି ପରମାତ୍ମାଙ୍କ ଶରଣରେ ମୋକ୍ଷ ଲାଭ କରିଯାଅ।

ଭଗବାନ୍‌ କହୁଥା’ନ୍ତି ଆଉ ଉଦ୍ଧବ ସ୍ଥିର ଚିତ୍ତରେ ଶୁଣୁଥାନ୍ତି, ଭଗବାନ୍‌ ଶ୍ରୀକୃଷ୍ଣ କହିଲେ- ‘‘ଯଦି ମଣିଷ ଦ୍ବାରା ତିଆରି ଭଗବାନ୍‌ଙ୍କ ମୂର୍ତ୍ତି ଆଗରେ ମୁଣ୍ତ ନୁଆଁଇ ତାଙ୍କୁ ଭଲ ପାଇପାରୁଛେ, ତେବେ ଭଗବାନ୍‌ଙ୍କ ଦ୍ବାରା ସୃଷ୍ଟି ଏ ଜୀବ ନିର୍ଜୀବଙ୍କୁ ଟିକିଏ ଆଦର କଲେ କେତେ ସୁଫଳ ନ ମିଳନ୍ତା। ମାଟିକୁ ଚକଟି କୁମ୍ଭାର ମାଠିଆ ତିଆରି କରୁଛି। ଭଲ କରି ବୁଝ ଯେ ମାଟିରେ ମୁଁ (ଶ୍ରୀକୃଷ୍ଣ) ଅଛି। ମାଠିଆ ବି ମୁଁ ଆଉ କୁମ୍ଭାର ବି ମୁଁ। ଏ ସଚରାଚର ସୃଷ୍ଟିର ଅଣୁ ପରମାଣୁ ମୋ ଶରୀରର ହିଁ ଅ˚ଶ। ବିଷ୍ଣୁ ସହସ୍ର ନାମରେ ତୁମେ ପଢ଼ିଥିବ ମୋର ଏକ ନାମ ଭୀମ ଏବ˚ ଆଉ ଏକ ନାମ ହେଲା ‘ଭୀମ ପରାକ୍ରମ’। ଯଦି ମୁଁ ଭୀମ ଏବ˚ ମୁଁ ବି ଭୀମର ପରାକ୍ରମ, ତେବେ ମହାଭାରତର ଜ୍ୟେଷ୍ଠ ମଧୢମ ପାଣ୍ତବ ରୂପେ ଅବତୀର୍ଣ୍ଣ ଜୀବର ଭିନ୍ନ ସତ୍ତା ଆସିଲା କେଉଁଠୁ? ତେଣୁ ହେ ଉଦ୍ଧବ, ସୂର୍ଯ୍ୟଙ୍କ ପରି ହୁଅ। ଗନ୍ଧ ନାଳି ପାଣି ବା ଗଙ୍ଗାର ସ୍ବଚ୍ଛ ଜଳ ସୂର୍ଯ୍ୟଙ୍କ ପାଇଁ ସମାନ। ଆକାଶକୁ ଦେଖ, ଅନନ୍ତ ଆକାର, ତାକୁ ପୃଥିବୀ ଛୁଇଁ ପାରିବନି, ଅଗ୍ନି ଜାଳି ପାରିବନି, ପବନରେ ଭାସି ବି ଯାଉନି, ସେମିତି ଏ ସ˚ସାରର ନାଟକବାଜି ଦେଖି ଅସ୍ଥିର ହୁଅନି। ମୁଁ ଲୀଳା କରି ଚାଲିଛି, ସବୁ ମୋ ଇଚ୍ଛା ଅନୁସାରେ ହେଉଛି, ତେଣୁ ନିର୍ଦ୍ଦିଷ୍ଟ କିଛି ଆଶା ରଖନା, ଉଚିତ୍‌ ସମୟରେ ହେବା କାର୍ଯ୍ୟ ନିଶ୍ଚୟ ହେବ ଏବ˚ ଜୀବର ମଙ୍ଗଳ ପାଇଁ ହିଁ ହେବ। ନିଜ କର୍ତ୍ତବ୍ୟ କର୍ମରେ ବ୍ୟସ୍ତ ରୁହ, ସମୟ ପାଇଲେ ଏ ସଚରାଚର ସୃଷ୍ଟିର କର୍ତ୍ତାଙ୍କୁ ପ୍ରଣତି ଜଣାଅ। ଯାହା ଶୁଣିବ ଶୁଣିଯାଅ, ଶୁଣି ସାରି ଭୁଲ୍‌ରେ ବି କାହାରି ନିନ୍ଦା ବା ପ୍ରଶ˚ସା କରନି, ସେସବୁ ମୋ କାମ। ମୁଁ ନିନ୍ଦା ପ୍ରଶ˚ସା କରେ ନି, କର୍ମ ଓ ଭାବନା ଦେଖି ମାପିଚୁପି ଫଳ ରଖିଦିଏ। କଥା କମ୍‌ କୁହ, ଯେଉଁଠି ନିହାତି ଦରକାର ପାଟି ଖୋଲ ଏବ˚ ସେ ପାଟିରୁ କାହାରି ସାମାନ୍ୟତମ ଦୁଃଖ ହେବା ଭଳି, ବାଧିବା ଭଳି ପଦୁଟିଏ ଯେମିତି ନ ବାହାରେ, ସେଥିପ୍ରତି ଧୢାନ ଦିଅ।

ଏ ସ˚ସାରରେ ଜଣେ ବାହା ହେଉଛି ଆନନ୍ଦ ପାଇଁ ଏବ˚ ଅନ୍ୟ ଜଣେ ବାହା ହେଉନି ବି ଆନନ୍ଦ ପାଇଁ। ଆମ ସମସ୍ତଙ୍କର ‘ଆନନ୍ଦ’ର ଅନୁଭୂତି ଦରକାର। କିନ୍ତୁ ଏଇ ଆନନ୍ଦ ଆମେ ଅନ୍ୟ ଠାରୁ ପାଇବାକୁ ଆଶା ରଖୁ- ଟଙ୍କାରୁ, ସୁନାରୁ, ବନ୍ଧୁଙ୍କ ଠାରୁ, ପ୍ରିୟଜନମାନଙ୍କ ଭଲ ପାଇବାରୁ, ଅନ୍ୟର ତଳିତଳାନ୍ତ ହେବାରୁ, ଶତ୍ରୁର କ୍ଷତିରୁ ଇତ୍ୟାଦି। କିନ୍ତୁ ସେସବୁ ଆନନ୍ଦ ନୁହେଁ। ପରମାନନ୍ଦ ଭଗବାନ୍‌ ହିଁ ଆନନ୍ଦର ଉତ୍ସ। ଉପାସନା କର। ଉପ ଅର୍ଥ ପାଖ, ଆସନ ଅର୍ଥ ବସିବା: ତେଣୁ ଉପାସନା ଅର୍ଥ ପ୍ରଭୁଙ୍କ ପାଖରେ ରହିବା ଏବ˚ ତାଙ୍କ ଆନନ୍ଦ ସ୍ବରୂପର ଅନୁଭବ କରିବା। ଯଦି ପ୍ରାର୍ଥନା ଗୃହରେ ଆନନ୍ଦର ଉତ୍ସ ଈଶ୍ବରଙ୍କ ବିଗ୍ରହ ପାଖରେ ଘଣ୍ଟାଏ ବସି ତିଳେ ବି ଆନନ୍ଦ ମିଳୁନି, ତେବେ ତୁମେ ସେ ସମୟରେ ବି ସ˚ସାର କଥା, ଅନ୍ୟମାନଙ୍କ କଥା ଚିନ୍ତା କରୁଛ। ଅଭ୍ୟାସ କରି ମନ ମଧୢରୁ ଅନ୍ୟମାନଙ୍କ ଚିନ୍ତା କାଢ଼ିବାକୁ ହେବ। ଚିତ୍ତ ସ୍ଥିର ଓ ନିଶ୍ଚଳ ନ ହେଲେ ପ୍ରଭୁ ତୁମ ଆଡ଼କୁ ଚାହିଁବେନି। ମନ ମଧୢରେ ଏଇ ଧାରଣା ଦୃଢ଼ୀଭୂତ କରିବାକୁ ହେବ ଯେ, ‘ଯାହା ହେଉଛି ଈଶ୍ବରଙ୍କ ଇଚ୍ଛାରେ ହିଁ ହେଉଛି ଏବ˚ ବଢ଼ିଆ ହେଉଛି।’ ସ˚ସାରର ନିଜର ବା ଅନ୍ୟ କାହାର ସମସ୍ୟାକୁ ଆମ ମନ ଭିତରେ ଧରି ରଖିବାର ନାହିଁ। ଦର୍ପଣ ଯେମିତି ସବୁ ପ୍ରକାର ଛବିକୁ ଦେଖାଏ ଏବ˚ କାହାକୁ ଧରି ରଖେ ନାହିଁ, କାନ ଯେମିତି ଖରାପ କଥା ଶୁଣିବାକୁ ନିଜର ଦୋଷ ବୋଲି ଭାବେନି ବା ଆଖି ଯେମିତି ସୁନ୍ଦର ଲୋଭନୀୟ ଦୃଶ୍ୟକୁ ନିଜର ପୁଣ୍ୟ ବୋଲି ଭାବେନି, ଆମେ ସେମିତି ସ˚ସାରର ଘଟଣା ସବୁକୁ ତାଙ୍କ (ଈଶ୍ବରଙ୍କ) ଇଚ୍ଛାରେ ଘଟୁଛି ଭାବି ନିରପେକ୍ଷ, ନିଶ୍ଚଳ ରହିବା ଉଚିତ- ଏହା କଷ୍ଟ ହୋଇପାରେ, କିନ୍ତୁ ଏହା ହିଁ ସତ୍ୟ। ତଦ୍ବାରା ଅଭିମାନ ଓ ଅହଙ୍କାର ବି କମିଯିବ। ସାଧୁ, ସନ୍ଥମାନଙ୍କର ଅଭିମାନ ଓ ଅହ˚କାର ନ ଥିବା ହେତୁ ହିଁ ସେମାନେ ଯାହା କହନ୍ତି ଫଳିଯାଏ।

ହେ ଉଦ୍ଧବ, ମୁଁ ହିଁ ତୁମ ଭିତରର ଚେତନ ସତ୍ତା, ମୁଁ ହିଁ ଗାଈ ଭିତରୁ କ୍ଷୀର ଆଣୁଛି ଓ ସାପ ଭିତରୁ ବିଷ ଆଣୁଛି। ତୁମର ଏଥିରେ କିଛି କରିବାର ନାହିଁ। ଦେଖ, ସୁନା ଚୁଡ଼ିଟିଏ ଧର, ଏହାର ତିନିଟି ଦିଗ ଅଛି- ରୂପ, ଆକାର ଓ ଉପାଦାନ। ଆଖିକୁ ଚକ୍‌ ଚକ୍‌ ଦେଖାଯାଉଥିବା ଚୁଡ଼ିର ରୂପ କାଲି ମଳିନ ପଡ଼ିଯିବ। ଆକାର ଆଜି ଚୁଡ଼ି ଅଛି, କାଲି ଭାଙ୍ଗି କାନଫୁଲ ହୋଇପାରେ, କିନ୍ତୁ ଉପାଦାନ ସୁନା ହିଁ ସୁନା ରହିବ। ଠିକ୍‌ ସେମିତି ଏ ଦେହ, ନାମ, ରଙ୍ଗ ରୂପ ସବୁ ବଦଳି ଯାଇପାରେ, କିନ୍ତୁ ତୁମ ଭିତରର ଚେତନ ସତ୍ତା (ମୁଁ) ଯେମିତି ସେମିତି ଅଛି ଓ ରହିଥିବ। ତାକୁ (ସେଇ ସତ୍ତାକୁ) ଲକ୍ଷ୍ୟ କରି ପରମାତ୍ମାଙ୍କୁ ଧୢାନ କର। ସମସ୍ୟା ତାଙ୍କର ଓ ସମାଧାନ ହିଁ ସେଇ କରିବେ। ତାଙ୍କ ଲୀଳା ଭାବି ନିଶ୍ଚଳ ଓ ପ୍ରସନ୍ନ ରୁହ। ତୁମର ପ୍ରକୃତ ଜ୍ଞାନ ସେଇ ଦିନ ହେବ ଯେଉଁଦିନ ଏ ସମଗ୍ର ବିଶ୍ବର ସମସ୍ତ ସୃଷ୍ଟିରେ ବାସୁଦେବ ଅଛନ୍ତି ବୋଲି ତୁମର ଦୃଢ଼ ବିଶ୍ବାସ ହେବ। ଆଉ ସେଇଦିନ ଠାରୁ ମୁଁ ତୁମ ପାଖ ଛାଡ଼ିବି ନାହିଁ, ତୁମେ ମୋତେ ଛାଡ଼ି କେମିତି ବଞ୍ଚିବ କ’ଣ ପଚାରୁଛ?

ଉପର ଲିଖିତ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଉଦ୍ଧବଙ୍କୁ ଦେଇଥିବା ଜ୍ଞାନ ଶ୍ରୀମଦ୍‌ ଭାଗବତରେ ‘ଉଦ୍ଧବ ଗୀତା’ ନାମରେ ଅଭିହିତ।

ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫

ସମ୍ବନ୍ଧିତ ଖବର