ଏକ ସମୟରେ ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହୋଇଥିଲେ ମଧ୍ୟ ସାରା ଦେଶର ଦୃଷ୍ଟି ରହିଥିଲା ପଶ୍ଚିମ ବଙ୍ଗ ଉପରେ। କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ପଶ୍ଚିମ ବଙ୍ଗ ଦଖଲ କରିବା ଲାଗି କେନ୍ଦ୍ରରେ ଶାସନ କରୁଥିବା ବିଜେପି ସତେ ଯେମିତି ବଜ୍ର ଶପଥ ନେଇଥିଲା। ଏଥି ଲାଗି ବିଜେପି ନେତାମାନେ ସମସ୍ତ କଳ, ବଳ ଓ କୌଶଳ ଖଟାଇ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନରେ ମାତ୍ର ୩ଟି ଆସନ ହାସଲ କରିଥିବା ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରୁ ୧୮ଟି ଆସନ ହାସଲ କରି ପାରିଥିବାରୁ ଏକ ଧାରଣା ଜନ୍ମି ଥିଲା ଯେ ରାଜ୍ୟରେ ଦଳର ଲୋକପ୍ରିୟତା ବୃଦ୍ଧି ପାଇଛି। ସୁତରାଂ, ଏହାକୁ ପାଥେୟ କରି ୨୦୨୧ ବିଧାନସଭା ନିର୍ବାଚନରେ ଜିଣି ଶାସନ କ୍ଷମତା ହାସଲ କରିବାର ଆଶା ବାନ୍ଧି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ଦୁଇ ବର୍ଷ ଧରି ବିଜେପିର ଏହି ସଘନ ଉଦ୍ୟମ ବାରି ହୋଇ ପଡ଼ିଥିଲା। ଏବଂ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପିର ବରିଷ୍ଠ ନେତା ଓ ରଣନୀତିକାରମାନେ ସତେ ଯେମିତି କୋଲକାତାରେ ଡେରା ବାନ୍ଧି ଥିଲେ; କୁହାଯାଉଛି ଯେ ଦୁଇଟି ପଞ୍ଚ ତାରକା ହୋଟେଲ‌ ବିଜେପି ଅଫିସରେ ପରିଣତ ହୋଇଥିଲା।

Advertisment

କେବଳ ସେତିକି ନୁହେଁ, ପାର୍ଟିର ‘ଆଇଟି’ ସେଲ୍ ମଧ୍ୟ କୋଲକାତାକୁ ପ୍ରକାରାନ୍ତରେ ସ୍ଥାନାନ୍ତରିତ ହୋଇଥିଲା। ଏହା ସହିତ ମମତାଙ୍କ ତୃଣମୂଳ କଂଗ୍ରେସରେ ଫାଟ ସୃଷ୍ଟି କରି ଦଳକୁ ଦୁର୍ବଳ କରିବା ଲାଗି ପ୍ରୟାସ ହୋଇଥିଲା। ଏହା ଫଳରେ ୪୦ରୁ ଅଧିକ ବିଧାୟକ ଏବଂ ଏମ୍‌ପି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯେ‌ାଗ ଦେଲେ। ନିର୍ବାଚନ ପ୍ରଚାର ଅଭିଯାନର ନେତୃତ୍ବ ନେଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନିର୍ବାଚନ ପ୍ରଚାର କାଳରେ ମୋଦୀ ୨୦ଟି ଏବଂ ଶାହ ୫୦ରୁ ଅଧିକ ବଡ଼ ବଡ଼ ସଭା ଓ ଶୋଭାଯାତ୍ରା କରିଥିଲେ। ସେମାନଙ୍କ ସହିତ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ବିଜେପି ସଭାପତି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏକଦା ମମତାଙ୍କ ଖାସ୍ ଲୋକ ଭାବେ ପରିଚିତ ଥିବା ନେତାମାନେ ମଧ୍ୟ ବିଜେପିରେ ସାମିଲ ‌େହାଇ ତାଙ୍କୁ ଘେରିଥିଲେ। ବିଭିନ୍ନ ବିଶ୍ଳେଷଣ ଓ ଆକଳନରୁ ଧରି ନିଆଯାଉଥିଲା ଯେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ କଡ଼ା ମୁକାବିଲା ହେବ ଏବଂ ହୁଏ’ତ ୨୦୦ରୁ ଅଧିକ ଆସନ ଜିଣିପାରେ। କିନ୍ତୁ ଫଳାଫଳ ଘୋଷଣା ହେବା ପରେ ଦେଖାଯାଇଛି ଯେ ବିଜେପି ୭୪ଟି ଆସନରେ ସୀମିତ ରହିଛି ଏବଂ ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ୨୧୩ଟି ଆସନ ପାଇଛି।

ଏଭଳି ଫଳାଫଳକୁ ନେଇ ଜାତୀୟ ଓ ଆଞ୍ଚଳିକ ସ୍ତରରେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟ‌େ‌ର ବିଶ୍ଳେଷଣ ଆରମ୍ଭ ହୋଇ ଯାଇଛି। ତେବେ, ଏଥିରୁ ମୋଟାମୋଟି ତିନିଟି ପୂର୍ଣ୍ଣ ଓ ଗୋଟିଏ ଅର୍ଦ୍ଧ ସନ୍ଦେଶ ମିଳୁଛି।

ପ୍ରଥମଟି ‌େହଲା ବିଜେପିକୁ କେବଳ ଆଞ୍ଚଳିକ ଦଳମାନେ ହିଁ ଟକ୍କର ଦେଇପାରି‌େବ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି, ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି, ମହାରାଷ୍ଟ୍ରରେ ପାୱରଙ୍କ ଏନ୍‌ସିପି, ଉଦ୍ଧବ ଠାକରେଙ୍କ ଶିବସେନା, ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ୱାଇଏସଆର କଂଗ୍ରେସ ଏବଂ ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଏହାର ଉଦାହରଣ। ଲାଲୁ ଯାଦବ ଏବଂ ମୁଲାୟମ ସିଂହ ଯାଦବ ମଧ୍ୟ ପୂର୍ବରୁ ଏ‌ଭଳି ଉଦାହରଣ ପ୍ରସ୍ତୁତ କରି ସାରିଛନ୍ତି। କାରଣ ଜାତୀୟ ଦଳ ରୂପେ କଂଗ୍ରେସ ଓ ବାମପନ୍ଥୀ ଦଳ ସଂପୂର୍ଣ୍ଣ ନିଷ୍ପ୍ରଭ ହୋଇସାରିଛନ୍ତି, ଯେଉଁମାନେ ବିଜେପି ରଥର ଅଗ୍ରଗତିକୁ ରୋକିବାରେ ଅସମର୍ଥ। କେରଳରେ ଯଦିଓ ବାମ ମେଣ୍ଟର ବିଜୟ ଘଟିଛି, ତେବେ ତାର କାରଣ ହେଉଛି ଏହାର ନେତା ପିନାରାୟୀ ବିଜୟନଙ୍କ ଠାରେ ଥିବା ଜଣେ ଆଞ୍ଚଳିକ ନେତାର ଆବେଦନ। ତେବେ ତା ସହିତ ପଶ୍ଚିମ ବଙ୍ଗରେ ଆଉ ଯାହା ଦେଖିବାକୁ ମିଳିଛି, ତାହା ହେଲା ମମତା ବାନାର୍ଜୀଙ୍କ ଲଢ଼ୁଆ ମନୋଭାବ; ଏକ ନିର୍ଭୀକ ପଦାତିକ ଯୋଦ୍ଧାର ସ୍ବଭାବ; ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାର ସାହସ ଓ ନେତୃତ୍ବର ଦକ୍ଷତା। କହିବା ବାହୁଲ୍ୟ ଯେ ତାଙ୍କର ଏହି ଏକାକୀ ଲଢ଼େଇ ଓ ବିଜୟର ସୁଦୂରପ୍ରସାରୀ ପ୍ରଭାବ ପଶ୍ଚିମ ବଙ୍ଗର ସୀମା ଅତିକ୍ରମ କରି ଭାରତର ହୃଦ୍‌ସ୍ଥଳ ଦିଲ୍ଲୀରେ ପଡ଼ିବାର ସମ୍ଭାବନା ମଧ୍ୟ ରହିଛି।

ଦ୍ବିତୀୟ ସନ୍ଦେଶଟି ହେଉଛି ବି‌େଜପି ଦ୍ବାରା ପ୍ରତିଦ୍ବନ୍ଦ୍ବୀ ଆଞ୍ଚଳିକ ଦଳରୁ ନେତାଙ୍କୁ ଭିଡ଼ି ନେଇ ନିଜ ଦଳରେ ସାମିଲ କରିବାର ରଣନୀତିର ବିଫଳତା। ବିଜେପି ଏହି ଭଳି ରଣନୀତି ଓଡ଼ିଶାରେ ମଧ୍ୟ ଆପଣାଇଥିଲା, ଯାହା ମଧ୍ୟ ବିଫଳ ହୋଇଥିଲା। ବିଜେପି ଏହି ରାଜ୍ୟଗୁଡ଼ିକରେ ନିଜ ସଂଗଠନକୁ ମଜଭୁତ କରିବା ପରିବର୍ତ୍ତେ ଶାସକ ଆଞ୍ଚଳିକ ଦଳର ନେତାଙ୍କ ପିଠିରେ ଲାଉ ହେବାର ଉଦ୍ୟମ କରିଛି। ଯଦିଓ ଏହା କଦବା କେମିତି କାମ ଦେଖାଇଛି, କିନ୍ତୁ ଏଭଳି ନେତାମାନଙ୍କୁ ‌ଭୋଟରମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏଭଳି ରଣନୀତି ରାଜ୍ୟରେ ବିଜେପି ସଂଗଠନକୁ ମଧ୍ୟ ଦୁର୍ବଳ କରିଛି। ଦଳ ପକ୍ଷରୁ ପ୍ରାର୍ଥୀ ହେବା ଲାଗି ବର୍ଷ ବର୍ଷ ଧରି ନିଜ ନିଜ ଅଞ୍ଚଳ‌େର ଯେଉଁ ବିଜେପି ନେତା ପରିଶ୍ରମ କରି ଦଳର ସଂଗଠନ ଗଢ଼ିଥିଲେ, ହଠାତ୍‌ ସେମାନେ ବହିରାଗତ ନେତାମାନଙ୍କ ଦ୍ବାରା ଅଚଳ ମୁଦ୍ରାରେ ପରିଣତ ହୋଇଥିଲେ, ଯାହା ସେମାନଙ୍କୁ ତଥା ସେମାନଙ୍କ ସମର୍ଥକମାନଙ୍କୁ ତୀବ୍ର ରୂପେ ଅସନ୍ତୁଷ୍ଟ କରିଥିଲା। ଏହା ଏକ ନକାରାତ୍ମକ ପରିବେଶ ସୃଷ୍ଟି କରିଥିଲା। ବିଜେପିର ପଶ୍ଚିମ ବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗେୟ ମଧ୍ୟ ଏହା ସ୍ବୀକାର କରିଛନ୍ତି।

ତୃତୀୟ ସନ୍ଦେଶଟି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ସ୍ପର୍ଶକାତର। ତାହା ହେଲା, ନିର୍ବାଚନ ପ୍ରଚାର ବେଳେ ବିକାଶ ସମ୍ବନ୍ଧିତ ପ୍ରସଙ୍ଗକୁ ଛାଡ଼ି ତୃଣମୂଳ ନେତାମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ଏବଂ ଧର୍ମ ଓ ସଂପ୍ରଦାୟ ଭିତ୍ତିରେ ଭୋଟର ବିଭାଜନ ଘଟାଇବାର ଉଦ୍ୟମ ଫଳ ଦେଖାଇଲା ନାହିଁ। ଏହି ନିର୍ବାଚନରେ ମମତାଙ୍କୁ ତୀବ୍ର କଟାକ୍ଷର ସାମନା କରିବାକୁ ପଡ଼ିଥିଲା, ଯାହା ବେଳେ ବେଳେ ଛିଗୁଲାଇବା ସ୍ତରକୁ ଚାଲି ଯାଇଥିଲା। କହିବା ଅନାବଶ୍ୟକ ଯେ ରାଜ୍ୟର ମହିଳା ଭୋଟରମାନେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେମାନେ ଏକାଠି ହୋଇ ବହୁସଂଖ୍ୟାରେ ମମତାଙ୍କୁ ଭୋଟ୍ ଦେଇଛନ୍ତି। ରାଜ୍ୟର ୨୭ ଭାଗ ମୁସଲିମ ଭୋଟରଙ୍କ ବି‌େରାଧ‌େର ହିନ୍ଦୁ ଭୋଟରଙ୍କୁ ଏକ‌ାଠି କରିବା ଲାଗି ବିଜେପିର ନେତାମାନେ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଆଶାନୁରୂପକ ହିନ୍ଦୁ ଭୋଟକୁ ଠୁଳ କରିପାରି ନ ଥିଲେ।

ଏହି ତିନିଟି ସନ୍ଦେଶ ସହିତ ଆଉ ଗୋଟିଏ ଅର୍ଦ୍ଧ ସନ୍ଦେଶ ମଧ୍ୟ ଏହି ନିର୍ବାଚନରୁ ବାହାରିଛି। ତାହା ହେଲା ବିଜେପି ଜାତୀୟ ସ୍ତରାରେ ନିଜକୁ ବିରୋଧୀ ଶୂନ୍ୟ ବୋଲି ମନେ କରୁଥିବା ବେଳେ ଏବେ ମମତା ବାନାର୍ଜୀଙ୍କ ରୂପରେ ଏଭଳି ଜଣେ ନେତାଙ୍କ ଚେହେରା ଫୁଟି ଉଠିଛି, ଯିଏ କେନ୍ଦ୍ରରେ ବିଜେପି ବିରୋଧୀ ମେଣ୍ଟର ନେତୃତ୍ବ ନେବାର ସାମର୍ଥ୍ୟ ରଖନ୍ତି ଓ ସୁଯୋଗ ମିଳିଲେ ୨୦୨୪ରେ ଏକ ଦମଦାର ସଂଘର୍ଷ ଲାଗି ସମ୍ଭାବନା ସୃଷ୍ଟି କରି ପାରନ୍ତି।