ମନୋଜ ଦାସ ଅପହୃତ ଚେତନାର ରହସ୍ୟ

ଦେବଦାସ ଛୋଟରାୟ

ମନୋଜ ଦାସଙ୍କର ବ୍ୟକ୍ତିତ୍ୱରେ, ପ୍ରଥମ ଦୃଷ୍ଟିରେ ଯେଉଁ ଅନ୍ତରଙ୍ଗତା ପରିସ୍ଫୁଟ ହୁଏ, ତା’ଠାରୁ ବେଶି ଅନୁଭୂତ ହୁଏ ଏକ ଅବ୍ୟକ୍ତ ଆକର୍ଷଣ। ସେ ଆକର୍ଷଣ ଆକ୍ୱାରିୟମ୍‌ର କାଚ ଭିତର ଦେଇ ଦେଖା ଯାଉଥିବା ଏକ ନିର୍ଘୋଷହୀନ ନୀଳ ସମୁଦ୍ରର ପ୍ରଶାନ୍ତି ପରି। ଯୌବନରେ ମାର୍କସ ଓ ଲେନିନ୍‌ବାଦର ଏବଂ ଉତ୍ତର ଜୀବନରେ ଅରବିନ୍ଦଙ୍କର ସୁଦକ୍ଷ ବ୍ୟାଖ୍ୟାକାର, ଜୀବନର ସବୁ ପରିପୂର୍ଣ୍ଣତାକୁ ତଥାପି ତୁଚ୍ଛ କରି, ସେ କଠୋର କାଚର ଆସ୍ତରଣକୁ ହାଲୁକା ପର୍ଦ୍ଦା ପରି ଆଡ଼େଇ ଦେଇ, ସୂକ୍ଷ୍ମ ଚେତନାର ଅତଳାନ୍ତରେ ବିଲୀନ ହୋଇଗଲେ, ଶେଷକୁ ସେହିପରି ମନେ ହେଲା।

ମୁଁ ମନୋଜ ବାବୁଙ୍କର ଜନସଭାରେ ଭାଷଣ ପ୍ରଥମେ ଶୁଣିଥିଲି ବିଗତ ଷଷ୍ଠ ଦଶକର ଶେଷାର୍ଦ୍ଧରେ, ବାଣୀବିହାରରେ ପଢୁଥିଲା ବେଳେ, ସଦ୍ୟ ରଙ୍ଗ କରାହୋଇଥିବା ରବୀନ୍ଦ୍ର ମଣ୍ଡପ ଭିତରେ, ଯେଉଁଠି ବେଶି ଥିଲେ କଲେଜ ପିଲା ଆଉ ସଚିବାଳୟର ଅଫିସ ଫେରନ୍ତା କର୍ମଚାରୀ। ତାଙ୍କର ବକ୍ତବ୍ୟର ବିଷୟ ଥିଲା, ଯାହା ତାଙ୍କର ଚିର ଅନ୍ୱେଷଣର ବିଷୟ, ‘ଜୀବନ ଓ ମୃତ୍ୟୁ’। ମୋ ଅପରିପକ୍ୱ ମାନସିକତାରେ, ମୁଁ ଯେତିକି ବୁଝିପାରିଲି, ସେଥିରେ ଥିଲା ସେ ନିଶ୍ଚିତ କରି କହିଥିବା ଦୁଇଟି କଥା। ପ୍ରଥମ, ମଣିଷ ଯେ ପର୍ଯ୍ୟନ୍ତ ନିଜେ ନ ଚାହିଁଚି, କେବଳ ଅପଘାତ ବ୍ୟତୀତ, ସେ ପର୍ଯ୍ୟନ୍ତ ସେ ମରିବ ନାହିଁ। ଆଉ ଅନ୍ୟଟି ହେଲା, ମରଣର ବିପରୀତ ଅର୍ଥବୋଧକ ଶବ୍ଦ ‘ଜୀବନ’ ନୁହେଁ, ତା’ ହେଲା ‘ପ୍ରେମ’। ଆଜି ଲାଗୁଚି ସେଇ ତେଜସ୍ୱୀ ଓ ଜୀବନ୍ତ ମଣିଷଟି ଯେମିତି ‘ଇଛାମୃତ୍ୟୁ’କୁ ବାଛି ନେଇଚନ୍ତି, ଯାହା ଅନେକ ସନ୍ଥ ପୁରୁଷଙ୍କର ଅକ୍ତିଆରରେ ଥାଏ। ଆଉ ଶୁଣିଚି ଯେ ତାଙ୍କ ଅନ୍ତିମ ନିରାଶା ଏତିକି ମାତ୍ର ଥିଲା ଯେ, ଅରବିନ୍ଦଙ୍କର ମହାଗ୍ରନ୍ଥ ‘ସାବିତ୍ରୀ’ ଯାହାର ଓଡ଼ିଆ ଅନୁବାଦ ସେ କରୁଥିଲେ, ତାର ଶେଷ ହେବାକୁ ଆଉ ମାତ୍ର ସାତ ଲାଇନ୍‌ ବାକି ରହିଯାଇଚି।

ତାଙ୍କର ବ୍ୟକ୍ତିତ୍ୱର ମହତ୍ୱାକାଂକ୍ଷା ଯାହା ହେଉନା କାହିଁକି, ତାଙ୍କ ସ୍ଥୂଳ ଶରୀର ଏବଂ ତୀକ୍ଷ୍‍ଣ ବୁଦ୍ଧିଦୀପ୍ତ ଚପଳତା କି ରକମର ଭ୍ରମ ସୃଷ୍ଟି କରିପାରେ, ସେ ସମ୍ପର୍କରେ ମନୋଜ ବାବୁ ତାଙ୍କର ଲଘୁ ରସାତ୍ମକ ଆଙ୍ଗିକରେ ଯେଉଁ ସ୍ମୃତିଚାରଣ କରିଚନ୍ତି, ସେ କଥା ନ କହି ରହିପାରୁନାହିଁ। ଥରେ କଲିକତାର କୌଣସି ଆୟୋଜନରେ ଯୋଗ ଦେବାକୁ ଯାଇ ଏକ ହୋଟେଲ୍‌ରେ ଥିଲାବେଳେ, ସକାଳେ ତାଙ୍କ ଦରଜାରେ କରାଘାତ କରି ପଶିଆସିଲେ ଜଣେ ମଧ୍ୟବୟସ୍କ ମାର୍‌ଵାଡ଼ି ଭଦ୍ରଲୋକ। ଏବଂ ପଶିଲାମାତ୍ରେ ତାଙ୍କ ପାଦ ତଳେ ବସି ପଡ଼ି ନିଜର କରୁଣ କ୍ରନ୍ଦନ ଭିତରେ ଯାହା ପ୍ରକଟ କଲେ, ତାହା ଥିଲା ଏହିପରି: ଯେଉଁ ଅଭିଯୋଗମାନ ତାଙ୍କ ନାମରେ ଶତ୍ରୁମାନେ କରୁଚନ୍ତି, ସେଭଳି ପାପକର୍ମ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଏବଂ ଏ ବୟସରେ ତାହା କରିବାକୁ ଅସମର୍ଥ ମଧ୍ୟ। ତେଣୁ ସେ ଯୋଡ଼ ହସ୍ତରେ ଜୀବନ ଭିକ୍ଷା ମାଗୁଛନ୍ତି। ବେଶ୍‌ କିଛି ସମୟ ପରେ ବୁଝାପଡ଼ିଲା ଯେ ଲୋକଟି ମନୋଜ ବାବୁଙ୍କୁ ବମ୍ବେରୁ ‘ସୁପାରି’ ପଠାଇ ଆମନ୍ତ୍ରଣ କରାହୋଇଥିବା ଜଣେ ଘାତକ ବୋଲି ଭାବୁଚି, ଏବଂ ଏ ଭ୍ରମ ଉତ୍ପନ୍ନ ହୋଇଚି ଏକ ଭୁଲ୍‌ ନମ୍ବର ଥିବା ରୁମ୍‌ ଭିତରକୁ ପଶିଆସି। ମନୋଜ ବାବୁଙ୍କୁ ବେଶ୍‌ କିଛି ପରିଶ୍ରମ ପଡ଼ିଲା ବୁଝାଇବା ପାଇଁ ଯେ, ସେ ବମ୍ବେରୁ ନୁହଁ ପଣ୍ଡିଚେରୀରୁ ଆସିଚନ୍ତି, ବିନା ‘ସୁପାରି’ରେ ଏକ ସାହିତ୍ୟ ସଭାରେ ଯୋଗ ଦେବାପାଇଁ। ଆଉ ଥରେ ସେଇ କଲିକତା ଏୟାରପୋର୍ଟରେ ଦୁଇ ଜଣ ସହଯାତ୍ରୀ ତାଙ୍କୁ ମହମଡାନ୍‌ ସ୍ପୋର୍ଟିଂ କ୍ଲବ୍‌ର ଗୋଲ୍‌ରକ୍ଷକ ବୋଲି ଭ୍ରମ କରି, ତାଙ୍କୁ ପାଖରୁ ଦେଖି ପାରୁଥିବାର ଖୁସିରେ, ଅନେକ ଅଭିନନ୍ଦନ ଦେବା ଆରମ୍ଭ କରିଦେଇଥିଲେ। ‘ଦାଦା ଆପ୍‌ନି ଗତକାଲ୍‌, ଶେଷେର୍‌ ଦିଗେ ଯେ ବଲ୍‌ଟା ହେଡ୍‌ କରେ ବାଁଚିଏ ଦିଲେନ୍‌, ଓଟା ଦାରୁନ୍‌ ଛିଲୋ’, ଇତ୍ୟାଦି। ମନୋଜ ବାବୁ ଅବଶ୍ୟ ବିନମ୍ରତାର ସହିତ ସେ ଗୌରବକୁ ଅସ୍ୱୀକାର କରିଥିଲେ।

ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ମଧ୍ୟ ଭ୍ରମ ଥିଲା। ତା’ସହିତ ଶଙ୍କା ଓ ଅସହିଷ୍ଣୁତା ଥିଲା ତାଙ୍କ କାର୍ଯ୍ୟକଳାପ ପ୍ରତି, କଲେଜ ଜୀବନର ଆରମ୍ଭରେ। କୌଣସି ଶିକ୍ଷାନୁଷ୍ଠାନ ତାଙ୍କୁ ସହଜରେ ଛାତ୍ର ତାଲିକାଭୁକ୍ତ କରିବାକୁ ଚାହୁଁନଥିଲେ। ସେଥିପାଇଁ ତାଙ୍କର ଅସୀମ ଆଗ୍ରହ ସତ୍ତ୍ୱେ ରେଭେନ୍‌ସାରେ ଗ୍ରାଜୁଏସନ୍‌ କରିବା ସମ୍ଭବ ହେଲାନାହିଁ। ୧୯୫୪ ମସିହାରେ ବାଲେଶ୍ୱର ଛାଡ଼ି କଟକ ଆସି ରେଭେନ୍‌ସାକୁ ଭିତ୍ତି କରି ଏକ ରାଜ୍ୟ ବ୍ୟାପୀ ଛାତ୍ର ସଂଗଠନର ନିତ୍ୟ ପରିବର୍ତ୍ତନଶୀଳ ଖସଡ଼ା ତିଆରି କରିବା ଥିଲା ତାଙ୍କର ଅଭିପ୍ରାୟ। ରେଭେନ୍‌ସା ଅଧ୍ୟକ୍ଷଙ୍କ କକ୍ଷରେ ପହଞ୍ଚି ସେ ଦେଖି ପାରିଲେ, ଯେ ତାଙ୍କ ଟେବୁଲ୍‌ ଉପରେ ରହିଚି, ଇଂରେଜୀ ଖବର କାଗଜ ‘ଷ୍ଟେଟ୍‌ସମ୍ୟାନ୍‌’ର ଦୈନିକ ସଂସ୍କରଣ। ଯେଉଁଥିରେ ବାହାରିଥିଲା, ଦୁଇଦିନ ତଳେ ଫକୀରମୋହନ କଲେଜ ଷ୍ଟୁଡେଣ୍ଟସ ୟୁନିୟନ୍‌ର ପ୍ରେସିଡେଣ୍ଟ ମନୋଜ ଦାସ ଏକ ବିରାଟ କୃଷକ ବିକ୍ଷୋଭରେ ନେତୃତ୍ୱ ନେଇଛନ୍ତି। ଅତଏବ ତାଙ୍କୁ ଦେଖିଲା ମାତ୍ରେ ଅଧ୍ୟକ୍ଷ ବାମାଚରଣ ଦାସ, କଲିଂବେଲ୍‌ ବଜାଇ ପିଅନ୍‌କୁ ଡାକିବା ସାଙ୍ଗରେ ଆଡ୍‌ମିସନ୍‌ ପ୍ରତ୍ୟାଶୀ ଛାତ୍ରଟିକୁ ସିଧାସଳଖ କହିଦେଲେ, ‘ଶୁଣ ବାବୁ, ତମଠୁ ଗୋପନ ରଖିବାର ପ୍ରୟୋଜନ ନାହିଁ। ଜାଣିଶୁଣି ମୁଁ କଲେଜ ଭିତରକୁ ଗୋଟାଏ ଆପଦ ଡାକି ଆଣିବି କାହିଁକି? ଦୁଃଖିତ’। ରେଭେନ୍‌ସାରେ ପ୍ରତ୍ୟାଖ୍ୟାତ ହେଲା ପରେ, କଟକରେ କୌଣସି ପ୍ରକାରେ ରହିବାର ଆପ୍ରାଣ ଚେଷ୍ଟା କରୁଥିବାର ଏହି ବିପ୍ଳବୀ ଛାତ୍ର ଜଣକ ଏଥର ଖ୍ରୀଷ୍ଟ କଲେଜରେ ଭର୍ତ୍ତି ହେବାର ବିକଳ୍ପ ନେଇ, ସେଠି ମଧ୍ୟ ପହଞ୍ଚିଲେ। ସେଠିକାର ଧର୍ମପ୍ରାଣ ଅଧ୍ୟକ୍ଷ ମଧ୍ୟ ତାଙ୍କୁ ଦେଖି, ଆର୍ଦ୍ର ଅପେକ୍ଷା ଅଧିକ ଆର୍ତ୍ତ କଣ୍ଠରେ ଯାହା ଇଂରେଜୀରେ କହିଲେ, ତାହାର ବିଶ୍ୱସ୍ତ ଅନୁବାଦ ମନୋଜ ବାବୁ ଏହିପରି କରିଚନ୍ତି। ‘କ୍ଷମା କର କ୍ଷମା କର ଯୁବକ, ହେତୁ ମତେ ଜିଜ୍ଞାସା କରନାହିଁ। ମୁଁ ଅବଶ୍ୟ ତୁମକୁ ପ୍ରେମ କରେ, କିନ୍ତୁ ତୁମକୁ ଏ ସଂସ୍ଥାରେ ପ୍ରବେଶ କରିବାକୁ ଦେବା ମୋର ସାଧ୍ୟାତୀତ। ଇଶ୍ୱରଙ୍କ ଦ୍ୱାହି। ହେତୁ ଜିଜ୍ଞାସା କରନାହିଁ’।

ହେତୁ ଯେ ସରକାରଙ୍କର ଗୋଇନ୍ଦା ସଂସ୍ଥାର ଗୋପନ ପ୍ରତିବେଦନ ଓ ସଚିବାଳୟସ୍ଥିତ ସ୍ୱରାଷ୍ଟ୍ର ବିଭାଗର ସ୍ପେସାଲ୍‌ ବ୍ରାଞ୍ଚ୍‌ରେ ତାର ରାଜନୈତିକ ବିଶ୍ଳେଷଣ, ସେକଥା ମୁଁ ନିଜେ ସେ ବିଭାଗର ଅତିରିକ୍ତ ସଚିବ ଥିଲା ବେଳେ ଜାଣି ପାରିଥିଲି। ସେ ସମୟରେ, ଅର୍ଥାତ୍‌ ନକ୍ସଲ୍‌ପନ୍ଥୀମାନଙ୍କ ଉଦ୍‌ଗମ ହେବା ପୂର୍ବରୁ, ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିର ମନୋଜ ଦାସଙ୍କ ପରି ସକ୍ରିୟ କର୍ମୀଙ୍କୁ ଏକ ଜୀବନ୍ତ ବିପଦ ବୋଲି ମନେକରିବା ସ୍ୱାଭାବିକ ଥିଲା।

ସେ କଟକରୁ ନିରସ୍ତ ହୋଇ ପୁରୀ ଫେରିଆସି, ନିଜ ବଡ଼ଭାଇ ଡକ୍ଟର ମନ୍ମଥ ନାଥ ଦାସଙ୍କ ଅବିଭାବକତ୍ୱରେ ଚନ୍ଦ୍ରଶେଖର କଲେଜରେ ବର୍ଷଟିଏ କଟାଇଲା ପରେ, ପୁଣି ଫେରିଲେ ଏକ ବୃହତ୍ତର ଲୋକକ୍ଷେତ୍ରର ସନ୍ଧାନରେ। ରେଭେନ୍‌ସା ଉପଲବ୍‌ଧ ନଥିଲା, କିନ୍ତୁ ରେଭେନ୍‌ସାର ନାଲିକୋଠାର ‘ଏକାଂଶରେ ସକାଳ ଓଳି ଅଥବା କୌଣସି ଋତୁରେ ସଂଧ୍ୟାରେ’ ଅନୁଷ୍ଠିତ ହେଉଥିବା ମଧୁସୂଦନ ଆଇନ୍‌ କଲେଜରେ। ସେଠିକାର ଦୁଇ ବର୍ଷ ଥିଲା ତାଙ୍କ ଛାତ୍ର ଜୀବନର ସର୍ବାଧିକ କର୍ମଚଞ୍ଚଳ ଜୀବନ। ପରବର୍ତ୍ତୀ ଦୁଇବର୍ଷ ସେ ଅବଶ୍ୟ ରେଭେନ୍‌ସାର ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ୍‌ ହେଲେ। କିନ୍ତୁ ବିଡ଼ମ୍ବନା ଏୟା ଥିଲା ଯେ, ରେଭେନ୍‌ସାର ଏଇ ଦୁଇ ବର୍ଷ, ତାଙ୍କ ପାଇଁ ଥିଲା ଏକ ‘ବିମର୍ଷ ଅନ୍ତର୍ମୁଖୀ କାଳ’।

ଏ ଶତାବ୍ଦୀର ପ୍ରଥମ ଦଶକର ଶେଷାର୍ଦ୍ଧରେ, ଏବଂ ମୋ ସରକାରୀ କର୍ମଜୀବନର ଅନ୍ତ ହେଲା ପରେ, ମୁଁ ରେଭେନ୍‌ସାର କୁଳପତି ହିସାବରେ କାମ କରିବାର ଏକ ଅଯାଚିତ ସୁଯୋଗ ଇଶ୍ୱରଙ୍କ କୃପାରେ ପାଇଲି। ସେଇ ଅବସରରେ ମୁଁ ମୋର ଚିର ଈପ୍‌ସିତ ମନୋଜ ଦାସଙ୍କ ପାଖରୁ ଦୁଇଟି ଅନୁଗ୍ରହର ଯାଚନା କରିଥିଲି। ପ୍ରଥମଟି ଥିଲା, ରେଭେନ୍‌ସାର ଐତିହ୍ୟପୂର୍ଣ୍ଣ ଜର୍ଣ୍ଣାଲ୍‌ ‘The Ravenshavian’ର ନବକଳେବର ପାଇଁ କାହାଣୀର ଏ ଯାଦୁକରଙ୍କଠାରୁ ଏକ ନୂତନ ମିଷ୍ଟିକ୍‌ ଗଳ୍ପ। ଏହା ୨୦୦୮ ମସିହାର କଥା। ମନୋଜ ବାବୁ ଅବଶ୍ୟ ଟେଲିଫୋନ୍‌ରେ, ତାଙ୍କର ଆନ୍ତରିକତାଭରା କଣ୍ଠରେ, ସେ ଆଉ କୌଣସି ନୂଆ ଗଳ୍ପ ଲେଖୁନାହାନ୍ତି ବୋଲି କହି ମତେ ବିମର୍ଷ କରିଦେଲେ। କିନ୍ତୁ ତାର କିଛି ଦିନର ଅନ୍ତରାଳରେ, ମୋ’ ପାଖରେ ତାଙ୍କର ନିଜ ହସ୍ତାକ୍ଷରରେ ଏକ ଦୀର୍ଘ ବ୍ୟକ୍ତିଗତ ଚିଠି ପହଞ୍ଚିଲା। ଚିଠି ନୁହେଁ ତ, ପତ୍ରର ଆଙ୍ଗିକରେ ଏକ ଅଲୌକିକ ସ୍ମୃତିଚାରଣ, ଯାହାର ଶୀର୍ଷକ ଥିଲା, ‘ତିନି ଅଶ୍ୱାରୋହୀ: ରାତ୍ରି ଓ ପ୍ରଭାତ’, ଯାହା ଲେଖକର ପ୍ରାଥମିକ କୁଣ୍ଠାକୁ ଅତିକ୍ରମ କରି ପରିଶେଷରେ ସ୍ଥାନିତ ହେଲା, ମାର୍ଚ୍ଚ ୨୦୦୯ରେ ପ୍ରକାଶିତ ନୂଆ ରେଭେନ୍‌ସାର ପ୍ରଥମ ‘ଦି ରେଭେନ୍‌ସାଭିଆନ୍‌’ରେ। ସେଇଥିରେ ବର୍ଣ୍ଣିତ ହୋଇଚି, ମନୋଜ ଦାସଙ୍କ ସ୍ୱପ୍ନଭଙ୍ଗର କାହାଣୀ ଏବଂ ତାଙ୍କ ପ୍ରବଞ୍ଚିତ ଅନୁଭବ ଯେ ‘ପ୍ରଚାର ଓ ପ୍ରଭାବର ବହିରାବରଣ’ ଭେଦ କରି ଜଣେ କ’ଣ କେବେ ବି ସତ୍ୟର ନିକଟବର୍ତ୍ତୀ ହୋଇପାରିବନି!

ମୁଁ ଥିଲା ବେଳେ, ମନୋଜ ବାବୁଙ୍କର ରେଭେନ୍‌ସା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଥିଲା ‘ରେଭେନ୍‌ସା ମେମୋରିଆଲ୍‌ ଲେକ୍‌ଚର୍‌’। ରେଭେନ୍‌ସାର ଐତିହ୍ୟ ସହିତ ସଂଶ୍ଳିଷ୍ଟ ହୋଇ ପାରୁଥିବା ଏକ ନୂତନ ପରମ୍ପରା ତିଆରି କରିବା ଥିଲା ଏହି ବକ୍ତୃତାମାଳାର ଲକ୍ଷ୍ୟ। ତାଙ୍କ ପୂର୍ବରୁ ଅମର୍ତ୍ତ୍ୟ ସେନ୍‌ଙ୍କର ‘ଝୋଲାଧାରୀ’ ସହଯୋଗୀ ଜାଁ ଦ୍ରେଜ୍‌, ରେଭେନ୍‌ସାର ନିଜସ୍ୱ ନୋବେଲ୍‌ ପ୍ରାଇଜ୍‌ ପାଇଲା ପରି ଅର୍ଥନୀତି ବିଶାରଦ ପ୍ରଶାନ୍ତ ପଟ୍ଟନାୟକ, ଯିଏ ସେତେବେଳେ ରିଭର୍‌ସାଇଡ୍‌ କାର୍ଲିଫର୍ଣ୍ଣିଆରେ ବସବାସ କରୁଥିଲେ, ଏବଂ ପ୍ରଥିତଯଶା ସମାଜବିଜ୍ଞାନୀ ଆନ୍ଦ୍ରେ ବେତେଁ ଏ ବକ୍ତୃତାମାଳାରେ ଅଂଶଗ୍ରହଣ କରି ସାରିଥିଲେ। କିନ୍ତୁ ମନୀଷା ଓ ମାନବିକତାର ଏକ ମାୟାବୀ ସମନ୍ୱୟରେ, ସବୁଠୁ ଅଧିକ ଜନପ୍ରିୟ ହୋଇଥିଲା ମନୋଜ ଦାସଙ୍କ ଦ୍ୱାରା ୨୦୧୦ ମସିହାରେ ପ୍ରଦତ୍ତ ତାଙ୍କର ଯୁଗ୍ମ ଅଭିଭାଷଣ। ପ୍ରଥମଟି ଆମେ ଶୁଣିଥିଲୁ ଇଂରେଜୀରେ ମାର୍ଚ୍ଚ ୨୦ ତାରିଖ ସଂଧ୍ୟାରେ, ଯାହାର ଶିରୋନାମା ଥିଲା ‘The Riddle of the Sphinx’, ଯେଉଁଥିରେ ନିହିତ ଥିଲା ସମସାମୟିକ ମୂଲ୍ୟବୋଧରେ ଜୀବନ ଓ ମୃତ୍ୟୁର ଅନ୍ୱୟ। ଠିକ୍‌ ତାର ଦୁଇଦିନ ପରେ ମାର୍ଚ୍ଚ ୨୨ ତାରିଖ ସଂଧ୍ୟାରେ ତାଙ୍କର ଅଭିଭାଷଣର ଅନ୍ତିମ ଅଂଶ ପ୍ରଦତ୍ତ ହୋଇଥିଲା ଓଡ଼ିଆରେ, ଯାହାର ବକ୍ତବ୍ୟ ଥିଲା, ‘ଆଜିର ଜୀବନରେ ବିଶ୍ୱାସ ଓ ବନ୍ଧୁତ୍ୱ’। ରେଭେନ୍‌ସା ସ୍ମାରିକା ବକ୍ତୃତାମାଳାରେ ମନୋଜ ବାବୁଙ୍କର ଏହି ଯୁଗ୍ମ ଅବଦାନ ଥିଲା ସବୁଠୁ ବେଶି ଚର୍ଚ୍ଚିତ ଓ ଜନପ୍ରିୟ। ଐତିହ୍ୟ ଓ ନବୀକରଣ, ଏ ଦୁଇଟି ଉତ୍ସର ଆଲୋକରେ ଜାଜ୍ବଲ୍ୟମାନ ସେତେବେଳର ରେଭେନ୍‌ସାର ହେରିଟେଜ୍‌ ହଲ୍‌, ଭର୍ତ୍ତି ହୋଇଯାଇଥିଲା ଛାତ୍ରଛାତ୍ରୀ ଓ ଫାକଲ୍‌ଟିଙ୍କ ଘଞ୍ଚ ସମାବେଶରେ। ଏ ସେହି ଐତିହାସିକ ପ୍ରେକ୍ଷାଳୟ, ଯେଉଁଠି ସ୍ୱତନ୍ତ୍ର ଓଡ଼ିଶାର ଆସେମ୍ଲି ଅଧିବେଶନ ପ୍ରଥମ ବାର ବର୍ଷ ପର୍ଯ୍ୟନ୍ତ ସଂଗଠିତ ହେଉଥିଲା।

ମନୋଜ ଦାସଙ୍କ ପରି ବିଭିନ୍ନ ଉତ୍କର୍ଷରେ ଧନ୍ୟ ଜଣେ ପ୍ରାକ୍ତନ ଛାତ୍ରର ଜୀବନବ୍ୟାପୀ ଗାରିମାର ଋଣ ପରିଶୋଧ କରିବାର ଅବସର ମଧ୍ୟ ମିଳିଥିଲା। ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଅଧିକାରିକ ସଂସ୍ଥା ‘Executive Council’ ଏବଂ କୁଳାଧିପତି, ସର୍ବସମ୍ମତି କ୍ରମେ ନିର୍ଣ୍ଣୟ ନେଲେ ତାଙ୍କୁ ସମ୍ମାନାସ୍ପଦ ଡି.ଲିଟ୍‌ ଉପାଧିରେ ଆଭୂଷିତ କରିବାକୁ। ୨୦୧୧ ମସିହାର ଏପ୍ରିଲ୍‌ ୧୬ ତାରିଖ ଦିନ ରେଭେନ୍‌ସା ପରିସର ଭିତରେ ମୁଁ ମନୋଜ ବାବୁଙ୍କୁ ଆଉ ଥରେ ନିକଟ ସାନିଧ୍ୟରେ ପାଇଲି। ସମାବର୍ତ୍ତନ ସାରଣୀର ପରିପାଟୀ ଅନୁଯାୟୀ କନ୍‌ଭୋକେସନ୍‌ ପ୍ରସେସନ୍‌ କନିକା ଲାଇବ୍ରେରୀରୁ ବାହାରି ଉତ୍ସବ ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗର ଗାଉନ୍‌ ପିନ୍ଧି ଏକ ନିରବ ଶୋଭାଯାତ୍ରାରେ ଯାଏ, ଯାହାର ପଟ୍ଟଭୂମିରେ ବାଜୁଥାଏ ସେ ଅବସର ଉପଯୋଗୀ ଏକ ସଙ୍ଗୀତର ସ୍ୱର, ଯାହା ତିଆରି ହୋଇଥାଏ କେବଳ ବାଦ୍ୟଯନ୍ତ୍ରରେ ଏବଂ ବାଜୁଥାଏ ଶୋଭାଯାତ୍ରା ସରିବା ପର୍ଯ୍ୟନ୍ତ। ସେ ବର୍ଷ ସେ ଧ୍ୱନିର ଅଳଙ୍କରଣ କରିଥିଲେ ମୋର ଦୁଇ ସଙ୍ଗୀତଜ୍ଞ ବନ୍ଧୁ ଓମ୍‌ପ୍ରକାଶ ମହାନ୍ତି ଓ ନିତ୍ୟଶ୍ରୀ ରଞ୍ଜନ୍‌ ଏବଂ ତାହା ଥିଲା ରବୀନ୍ଦ୍ରନାଥଙ୍କର ସେଇ ଜ୍ୱାଳାମୟୀ ହୃଦୟସ୍ପର୍ଶୀ କବିତା ‘ଆଗୁନେର୍‌ ପରଶ୍‌ମନି ଜାଲାଓ ପ୍ରାନେ, ଏ ଜୀବନ୍‌ ପୁଣ୍ୟ କରୋ ଦହନ୍‌ ଦାନେ’।

ସେ ଥିଲା ଏକ ଗମ୍ଭୀର ଓ ନିଶାନ୍ତ ଶୋଭାଯାତ୍ରା। ଶବ୍ଦ ନଥାଇ ସୁଦ୍ଧା କେବଳ ଧ୍ୱନିରୁ ମନୋଜବାବୁ ବୁଝିପାରିଲେ ରବୀନ୍ଦ୍ରନାଥ ଟେଗୋର୍‌ଙ୍କର କେଉଁ ଗୀତଟି ଏଠି ସଙ୍ଗୀତବଦ୍ଧ ହୋଇଚି ଏବଂ ସାଙ୍ଗେ ସାଙ୍ଗେ, ବିଜୁଳି କରେଣ୍ଟ ଲାଗିଲା ପରି ସେଇ ଚାଲୁଥିଲା ବେଳେ ମଧ୍ୟ ଥରେ ମୁଣ୍ଡ ବୁଲାଇ ଦେଇ ମୋ’ ଆଡ଼କୁ ଚାହିଁଲେ। ଆଉ ସମାବର୍ତ୍ତନ ସରିଲା ପରେ ମତେ ଉଚ୍ଛ୍ୱସିତ ତାରିଫ୍‌ କରି କହିଲେ, ‘ମୋର ରେଭେନ୍‌ସାରେ ଏଇ ଡି.ଲିଟ୍‌ ପାଇବାର ଗୌରବ ଗୋଟିଏ ପଟେ, କିନ୍ତୁ ଏ ଉତ୍ସବର ପରିସର ଭିତରେ, ଏଇ ଗମ୍ଭୀର ମୁହୂର୍ତ୍ତରେ, ‘ଆଗୁନେର୍‌ ପରଶମନି’ ସଙ୍ଗୀତର ଚୟନଠାରୁ ଆଉ କୌଣସି ଅଭିବ୍ୟକ୍ତି ଏତେ ଯଥାର୍ଥ ହୋଇନଥାନ୍ତା’। ଏ ଥିଲା ମନୋଜ ଦାସଙ୍କର ଏକ ଚେତନାଦୀପ୍ତ ମାନସର ଉଚ୍ଛ୍ୱାସ ଓ ଭାଷା। ସେ ଚେତନା ଅବଶ୍ୟ ଆଜି ଅପହୃତ।

ଆଲାମ୍ ଚାନ୍ଦ ବଜାର, କଟକ

ସମ୍ବନ୍ଧିତ ଖବର