ଅସଜଡ଼ା ଘର ଓ ନୂଆନୂଆ ପୁରସ୍କାର

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଏଇ ଏପ୍ରିଲ୍ ୨୭ ତାରିଖ ଥିଲା ଓଡ଼ିଶା ପାଇଁ ଏକ ଦୁଃଖର ଦିନ। କାରଣ, ସେଦିନ ସଂଧ୍ୟାରେ ଓଡ଼ିଶା ହରାଇଲା ତାହାର ଜଣେ ବିଶିଷ୍ଟ ଓ ବରିଷ୍ଠ କଥାଶିଳ୍ପୀ ମନୋଜ ଦାସଙ୍କୁ।

ମନୋଜ ଦାସ ଓଡ଼ିଶାର ଜଣେ ପ୍ରସିଦ୍ଧ ଦ୍ୱିଭାଷୀ ଲେଖକ। ସେଥିପାଇଁ ତାଙ୍କୁ କହିହେବ ଆମ ସାହିତ୍ୟର ସବ୍ୟସାଚୀ। ସବ୍ୟସାଚୀ ‘ମହାଭାରତ’ର ଅର୍ଜୁନଙ୍କର ଗୋଟିଏ ନାଆଁ। କାରଣ, ସେ ଡାହାଣ ଓ ବାମ ଉଭୟ ହାତରେ ତୀର ଚାଳନା କରି ପାରୁଥିଲେ। ସେହିପରି ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖି ମନୋଜ ଦାସ ନିଜ ଲେଖନୀର ସବ୍ୟସାଚୀତ୍ୱ ସାବ୍ୟସ୍ତ କରିଥିଲେ।

ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି, ଏଇ ମେ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମନୋଜ ଦାସ ଅନ୍ତର୍ଜାତୀୟ ପୁରସ୍କାର’ ନାମରେ ଏକ ବାର୍ଷିକ ପୁରସ୍କାରର ଘୋଷଣା କରିଛନ୍ତି। ଏହାର ଅର୍ଥରାଶି ୧୦ ଲକ୍ଷ ଟଙ୍କା। ପୁଣି ହାଇସ୍କୁଲ୍ ସ୍ତରରେ ଉଭୟ ଓଡ଼ିଆରେ ଓ ଇଂରାଜୀରେ ମୌଳିକ ରଚନାପାଇଁ ଗୋଟିଏ ଲେଖାଏଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ଘୋଷିତ ହୋଇଛି। ଏ ପୁରସ୍କାରର ଅର୍ଥରାଶି, ପ୍ରତ୍ୟେକଟି ଏକଲକ୍ଷ ଟଙ୍କା।

କେବଳ ଏତିକି ନୁହେଁ; ଏ ତିନିଟି ପୁରସ୍କାର ଓ ସମ୍ମାନ ସହିତ, ଓଡ଼ିଶାର ସାହିତ୍ୟାନୁରାଗୀଙ୍କର ଦାବି ଓ ମନୋଜ ଦାସଙ୍କ ପରିବାରର ପ୍ରସ୍ତାବ କ୍ରମେ, ତାଙ୍କର ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ବିକଶିତ କରିବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ ମନୋଜ ଦାସ ଯେପରି ସାହିତ୍ୟିକ ଭାବରେ ପ୍ରସିଦ୍ଧ, ତାଙ୍କର ବଡ଼ଭାଇ ମନ୍ମଥନାଥ ଦାସ ମଧ୍ୟ ସେହିପରି ଓଡ଼ିଶାର ଜଣେ ପ୍ରଥିତଯଶା ଐତିହାସିକ ଓ ପ୍ରଫେସର ଭାବରେ ପ୍ରଖ୍ୟାତ।

ରାଜ୍ୟ ସରକାରଙ୍କର ଘୋଷଣା କିନ୍ତୁ ଏତିକିରେ ସୀମିତ ରହିନାହିଁ। ଏହା ସହିତ, ମନୋଜ ଦାସଙ୍କ ସ୍ମୃତିରେ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭିଉ’ର ସ୍ୱତନ୍ତ୍ର ସଂଖ୍ୟା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ପତ୍ରିକା ‘କୋଣାର୍କ’ର ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶ ପାଇବ ବୋଲି ଘୋଷଣା ହୋଇଛି।
ଏସବୁକୁ ନେଇ ସ୍ୱାଭାବିକ ଭାବରେ ମନୋଜ-ପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ। ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ‘ବଡ଼ ପଦକ୍ଷେପ’ ଏବଂ ମନୋଜଙ୍କ ପାଇଁ ‘ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ’ ବୋଲି ଏହାକୁ ଅଭିହିତ କରାଯାଇଛି।

ସାଧାରଣତଃ ଏପରି ହିଁ ହୁଏ। ସାହିତ୍ୟ-ସଂସ୍କୃତି କ୍ଷେତ୍ରର କୌଣସି କୌଣସି ବଡ଼ ସ୍ରଷ୍ଟା ବା ସାଧକଙ୍କ ବିୟୋଗରେ, ସାଧାରଣରେ ଯେଉଁ ଭାବାବେଗ ସୃଷ୍ଟି ହୋଇଥାଏ, ତାହାକୁ ଦୃଷ୍ଟିରେ ରଖି ସରକାର ନିଜର ଲୋକାଦୃତି ବଢ଼ାଇବାପାଇଁ ଏପରି ଅନେକ ଘୋଷଣା କରିଥାନ୍ତି। ମନେହୁଏ, ଆମ ରାଜ୍ୟ ସରକାର ଏ କ୍ଷେତ୍ରରେ ତାହାହିଁ କରିଛନ୍ତି। ତେଣୁ ସବୁ ଭାବପ୍ରବଣତାଠାରୁ ନିଜକୁ ଦୂରେଇ ରଖି, ଏପରି ଘୋଷଣାର ନିରପେକ୍ଷ ସମୀକ୍ଷା ଆବଶ୍ୟକ। ପୂର୍ବ ଘୋଷିତ ଏପରି କିଛି ଘୋଷଣାର ଆଇନାରେ ମଧ୍ୟ ସଦ୍ୟତମ ଏହି ଘୋଷଣାର ପ୍ରତିଛବି ଦେଖିବା ପ୍ରୟୋଜନ।

ମନୋଜ ଦାସଙ୍କ ଗ୍ରାମରେ, ତାଙ୍କ ପୈତୃକ ବାସଭବନରେ, ଦୁଇ ଯଶସ୍ୱୀ ଭ୍ରାତାଙ୍କ ନାମରେ ଅବଶ୍ୟ ‘ମନ୍ମଥ-ମନୋଜ ସ୍ମାରକୀ’ ପ୍ରତିଷ୍ଠା କରାଯିବାରେ ଅସୁବିଧା ନାହିଁ; କାରଣ ତାଙ୍କ ପରିବାରର ସଦସ୍ୟ ଏଥିପାଇଁ ସମ୍ମତ। ସେହିପରି, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭିଉ’ର ସ୍ୱତନ୍ତ୍ର ମନୋଜ-ସ୍ମୃତିସଂଖ୍ୟା ପ୍ରକାଶନ ମଧ୍ୟ ଆଦୌ ଏକ ଅସମ୍ଭବ ବ୍ୟାପାର ନୁହେଁ; କାରଣ, ତାହା ସରକାରଙ୍କ ଲୋକସଂପର୍କ ବିଭାଗର କର୍ତ୍ତୃତ୍ୱାଧୀନ। କିନ୍ତୁ ଅସଲ ଅସୁବିଧାଟି ରହିଛି ଓଡ଼ିଶା ସାହିତ୍ୟ ଏକାଡେମୀର ‘କୋଣାର୍କ’ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଏବଂ ଘୋଷିତ ପୁରସ୍କାରର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ।

ପ୍ରଥମେ ଆସିବା ପୁରସ୍କାରକୁ। ମେ ୪ ତାରିଖ ସନ୍ଧ୍ୟାରେ ଏହି ପୁରସ୍କାରର ଘୋଷଣା ପରେ, ମୁଦ୍ରଣ-ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ସମ୍ଭବତଃ ପ୍ରଥମ ପ୍ରତିକ୍ରିୟା ଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରାକ୍ତନ କାର୍ଯ୍ୟକାରୀ ସମିତି ସଦସ୍ୟ ତଥା କଥାକାର ଗୌରହରି ଦାସଙ୍କର। ୧୦ଲକ୍ଷ ଟଙ୍କାର ‘ମନୋଜ ଦାସ ଅନ୍ତର୍ଜାତୀୟ ପୁରସ୍କାର’ ଇଂରେଜୀ ଭାଷାରେ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକଙ୍କୁ ଦିଆଯିବ ବୋଲି ସରକାର ଯେଉଁ ଘୋଷଣା କରିଛନ୍ତି, ତାହାକୁ ସେ ବିରୋଧ କରିଥିଲେ। ତାଙ୍କର ମତ ଥିଲା, ଏହା ଫଳରେ ଏହି ତଥାକଥିତ ‘ଅନ୍ତର୍ଜାତୀୟ ପୁରସ୍କାର’ର ମନୋନୟନର ପରିଧି ସଂକୀର୍ଣ୍ଣ ହୋଇଯିବ। ମନୋଜ ଦାସ ଓଡ଼ିଶା ଭିତରେ ହିଁ ସୀମିତ ରହିଯିବେ। ତେଣୁ ତାଙ୍କର ପ୍ରସ୍ତାବ ଥିଲା, “ଜ୍ଞାନପୀଠ ଓ ସରସ୍ୱତୀ ସମ୍ମାନ ପରି, ଏଥିରେ ଇଂରେଜୀ ସମେତ ସବୁ ଭାରତୀୟ ଭାଷାକୁ ଅନ୍ତର୍ଭୁକ୍ତ କରାଗଲେ ଓଡ଼ିଶା ମନୋଜ ଦାସଙ୍କୁ ରାଜ୍ୟ ବାହାରକୁ ନେଇପାରିବ ଓ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିବ।”

କିନ୍ତୁ ଏହାର ଅନ୍ୟ ବିପଜ୍ଜନକ ଦିଗ ମଧ୍ୟ ଅଛି। ଆଜିର ଦିନରେ ସରକାରଙ୍କର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ହେଉଛି ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’। ଏହା ପ୍ରତିବର୍ଷ ଜଣେ ଓଡ଼ିଆ ସାହିତ୍ୟିକଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ତଥା ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନର ବିଚାରରେ ଦିଆଯାଇଥାଏ। ଏହା ଓଡ଼ିଶାକୁ ତଥା ଓଡ଼ିଆ ସାହିତ୍ୟକୁ ତାହାର ମାନକ ଭାଷା ଦେଇଥିବା ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ନାମରେ ପ୍ରଦାନ କରାଯାଏ। ତାହାର ଅର୍ଥରାଶି ଦୀର୍ଘବର୍ଷ ଧରି ଏକଲକ୍ଷ ଟଙ୍କା ଥିବାବେଳେ, ଗତବର୍ଷର ପୁରସ୍କାରଠାରୁ ହିଁ ବଢ଼ି ପାଞ୍ଚ ଲକ୍ଷ ହୋଇଛି। ଅଥଚ ଓଡ଼ିଶାର ସଦ୍ୟତମ ଜଣେ ଇଂରେଜୀ ଲେଖକଙ୍କୁ, ଅକସ୍ମାତ୍‌, ତାହାର ଦୁଇଗୁଣ ଅର୍ଥରାଶି ସମ୍ବଳିତ ପୁରସ୍କାର ଦେଇ ଆମେ କାହାର ସମ୍ମାନ କରିବା? ଏହାଦ୍ୱାରା ମନୋଜ ଦାସଙ୍କର, ଅତିବଡ଼ୀ ଜଗନ୍ନାଥ ଦାସଙ୍କର ବା ଓଡ଼ିଆ ଭାଷା ସାହିତ୍ୟର- କାହାର ସମ୍ମାନ ହେବ?

ମନୋଜ ଦାସ ସାରାଜୀବନ ଓଡ଼ିଆ ଓ ଇଂରେଜୀ ଦୁଇଟି ଭାଷାରେ ଲେଖିଲେ। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଆରମ୍ଭ କରି ‘ସରସ୍ୱତୀ ସମ୍ମାନ’ ପର୍ଯ୍ୟନ୍ତ, ତାଙ୍କ ଓଡ଼ିଆ ଭାଷାର ଲେଖାପାଇଁ ହିଁ ସେ ପାଇଛନ୍ତି। ଏପରିକି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କ ଓଡ଼ିଆ ବହି ‘ମନୋଜ ଦାସଙ୍କ କଥା ଓ କାହାଣୀ’ ହିଁ ଏବେ ‘ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍‌’ ଦ୍ୱାରା, ଚୀନ୍ ଓ ରୁଷ୍ ଭାଷାରେ ଅନୁବାଦ ହୋଇଛି। ଏପରି ଗୌରବ ଲାଭ କରିବାରେ ବିଭିନ୍ନ ଭାରତୀୟ ଭାଷାର ଦଶଜଣ ଲେଖକଙ୍କ ମଧ୍ୟରୁ ସେ ଜଣେ ଏବଂ ଏକମାତ୍ର ଓଡ଼ିଆ ଲେଖକ। ଅପରପକ୍ଷେ, ତାଙ୍କ ଇଂରେଜୀ ଭାଷାର ଲେଖାପାଇଁ ସେ ସେପରି କିଛି ବଡ଼ ଭାରତୀୟ ବା ଅନ୍ତର୍ଜାତୀୟ ପୁରସ୍କାର ପାଇନାହାନ୍ତି। ବାରମ୍ବାର ପ୍ରତିପାଦିତ ହୋଇଆସିଛି ଯେ ଜଣେ ଲେଖକ ନିଜର ମାତୃଭାଷାରେ ହିଁ ନିଜକୁ ସବୁଠୁ ସଫଳ ଭାବରେ ଅଭିବ୍ୟକ୍ତ କରିପାରେ। ମନୋଜ ଦାସଙ୍କ କ୍ଷେତ୍ରରେ ତାହାହିଁ ସାବ୍ୟସ୍ତ ହୋଇଛି। ଅଥଚ ତାଙ୍କରି ନାମରେ ଏବଂ ଏକ ଅନ୍ତର୍ଜାତୀୟ ପୁରସ୍କାରର ବାହାନାରେ, ରାଜ୍ୟ ସରକାର ଓଡ଼ିଶାରେ ଓଡ଼ିଆ ସାହିତ୍ୟର ଏକ ବିକଳ୍ପ ଭାବରେ ଇଂରାଜୀ ସାହିତ୍ୟକୁ ହିଁ ଏ ପୁରସ୍କାର ମାଧ୍ୟମରେ ପ୍ରୋତ୍ସାହନ କରୁ ନାହାନ୍ତି କି?

ଏହାର ଅନ୍ୟ ଏକ ଅବ୍ୟବସ୍ଥିତ ଦିଗ ମଧ୍ୟ ରହିଛି। ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ୨୦୨୦ ମସିହା ଜାନୁଆରି ୧୯ ତାରିଖରେ କଲିକତାଠାରେ ଓଡ଼ିଶାର ବିଖ୍ୟାତ ଶାସ୍ତ୍ରୀୟ ସଂଗୀତ ସାଧିକା ସୁନନ୍ଦା ପଟ୍ଟନାୟକଙ୍କର ବିୟୋଗ ଘଟିଥିଲା। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସେଦିନ ତାଙ୍କର ଶବକୁ ଓଡ଼ିଶା ଅଣାଯାଇ ପାରିନଥିଲା କି ଶବକୁ ଶେଷ ସମ୍ମାନ ଜଣାଇ ଫୁଲମାଳଟିଏ ମଧ୍ୟ ଦିଆଯାଇ ପାରି ନଥିଲା। ତାଙ୍କର ଦାହ ସଂସ୍କାର ହୋଇଥିଲା ସେଇ କଲିକତା ମାଟିରେ। ମୁଠିଏ ପାଉଁଶ ବି ପାଇନଥିଲା ଓଡ଼ିଶା। ସେ ନେଇ ସେଦିନ ରାଜ୍ୟବ୍ୟାପୀ ହୋଇଥିବା ପ୍ରତିକ୍ରିୟାର ଭରଣା କରିବାପାଇଁ, ଜାନୁଆରି ୨୮ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ମୃତିରେ ମଧ୍ୟ ଏହିପରି କେତେକ ସମ୍ମାନ, ସ୍ମାରକୀ ଓ ପୁରସ୍କାରର ଘୋଷଣା କରିଥିଲେ। ତାହା ମଧ୍ୟରେ ଥିଲା ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ ଶିଳ୍ପୀଙ୍କ ପାଇଁ ତାଙ୍କ ସ୍ମୃତିରେ ଅଢ଼େଇଲକ୍ଷ ଟଙ୍କାର ‘ସୁନନ୍ଦା ସମ୍ମାନ’ ପ୍ରଦାନ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା। ପରେ ପରେ, ସରକାରଙ୍କ ନିର୍ଦ୍ଦେଶରେ ଉଚ୍ଚ ସରକାରୀ ପଦାଧିକାରୀ ୧୭ ଫେବ୍ରୁଆରି, ୨୦୨୦ରେ ସୁନନ୍ଦାଙ୍କ ପୁରୀ ଘର ଏବଂ ୨୦ ଫେବ୍ରୁଆରି ୨୦୨୦ରେ ତାଙ୍କ କଟକ ବାସଭବନ ପରିଦର୍ଶନ କରିଥିଲେ। ଘୋଷିତ ମଧ୍ୟ ହୋଇଥିଲା ଯେ ତାଙ୍କ ପୁରୀ ବଳିଆପଣ୍ଡା ଦାମୋଦର ରୋଡ଼ସ୍ଥିତ ଘରକୁ ଏକ ସ୍ମୃତିସଦନ ଭାବରେ ବିକଶିତ କରାଯିବ। ସୁନନ୍ଦାଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସ୍ଥାନିତ କରାଯିବ। କିନ୍ତୁ ଆଜି ପ୍ରାୟ ୧୫ ମାସରୁ ଅଧିକ କାଳ ପରେ ଏଥିରୁ ଗୋଟିଏ ହେଲେ କାର୍ଯ୍ୟକାରୀ ହୋଇନାହିଁ।

‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ ଅନ୍ୟ ଏକ ଉଦାହରଣ। ଫକୀରମୋହନ ସେନାପତିଙ୍କ ଜନ୍ମର ୧୭୫ ବର୍ଷ ତଥା ମୃତ୍ୟୁର ଶତବାର୍ଷିକୀ ଅବସରରେ, ୨୦୧୮ ମସିହାରେ ଏହି ସମ୍ମାନ ଘୋଷିତ ହୋଇଥିଲା। ନିର୍ଦ୍ଧାରିତ ହୋଇଥିଲା ଯେ ପ୍ରତିବର୍ଷ ଫକୀରମୋହନଙ୍କ ଜୟନ୍ତୀ, ମକର ସଂକ୍ରାନ୍ତି ଦିନ ହିଁ ଏହା ପ୍ରଦାନ କରାଯିବ। ୨୦୧୮ ଓ ୨୦୧୯ ବର୍ଷ ପାଇଁ ଯଥାକ୍ରମେ ୨୦୧୯ ଓ ୨୦୨୦ ଜାନୁଆରି ୧୪ ତାରିଖରେ ଏହି ସମ୍ମାନ ଯଥାରୀତି ପ୍ରଦାନ କରାଗଲା। କିନ୍ତୁ ୨୦୨୦ ବର୍ଷ ପାଇଁ ୨୦୨୧ ଜାନୁଆରି ୧୪ରେ ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲେ ମଧ୍ୟ, ତାହା ଏଯାଏ ଘୋଷିତ ବି ହୋଇନାହିଁ। ସେଦିନ ସଂଧ୍ୟାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉଚ୍ଚ ପଦାଧିକାରୀଙ୍କ ଗହଣରେ ଫକୀରମୋହନ ଜୟନ୍ତୀ ପାଳିତ ହୋଇଥିଲେ ମଧ୍ୟ, ଏ ବର୍ଷ ପୁରସ୍କାରଟି ପ୍ରଦାନ କରା ନ ଯିବା ନେଇ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟ ସୂଚିତ ହେଉଛି ଯେ ସରକାର ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ ପୁରସ୍କାରର ମନୋନୟନ ବା ବିଚାର କରିବାରେ ଅସମର୍ଥ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏହାର ସବୁଠୁ ଉତ୍ପୀଡ଼କ ଉଦାହରଣ। କାରଣ ୨୦୧୭ ମସିହାର ପୁରସ୍କାର ଆଜି ବି ବାକି ଅଛି। ଏ ପୁରସ୍କାର ପାଞ୍ଚବର୍ଷ ପଛୁଆ ରହିଛି। ଏଥିରେ ଏପରି ନୂଆ ନୂଆ ପୁରସ୍କାରର ଚୟନ ଯେ ଯଥା ସମୟରେ ହେବ, ସେ ନେଇ କି ନିଶ୍ଚିତତା ବା ଅଛି?

ଶେଷରେ ଆସିବା ‘କୋଣାର୍କ’ ପତ୍ରିକାର ସ୍ୱତନ୍ତ୍ର ମନୋଜ ଦାସ ସ୍ମୃତିସଂଖ୍ୟାକୁ। ଏ ପତ୍ରିକାଟି ତ୍ରୟ ମାସିକ ଏବଂ ସଦ୍ୟତମ ଏହି ଘୋଷଣା ସମୟକୁ ତାହାର ୧୯୭ ତମ ସଂଖ୍ୟାଟି ହିଁ ପ୍ରକାଶ ପାଇଛି। ତାହାର ଅବଧି ମେ-ଜୁନ୍‌-ଜୁଲାଇ, ୨୦୨୦। ଅର୍ଥାତ୍ ୨୦୨୧ ମେ’ ସଂଖ୍ୟାକୁ ମିଶାଇଲେ, ଏବେ ଏ ପତ୍ରିକା ଚାରିଟି ସଂଖ୍ୟା ପଛୁଆ ଅଛି।

ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ଯେ ‘କୋଣାର୍କ’ର ୧୯୮ ସଂଖ୍ୟାଟି ପ୍ରକାଶ ପାଇବାର ଥିଲା ‘ବିନୋଦ ଚନ୍ଦ୍ର ନାୟକ ଶତବାର୍ଷିକୀ ସଂଖ୍ୟା’ ରୂପେ। ସେ ପୁଣି କେବଳ ବିଶିଷ୍ଟ କବି ନଥିଲେ; ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଓ ଉପସଭାପତି। ‘କୋଣାର୍କ’ ପତ୍ରିକାର ସଂପାଦକ ଭାବରେ ମଧ୍ୟ ସେ ଦୀର୍ଘ କାଳ ଅବସ୍ଥାପିତ ଥିଲେ। ଅଥଚ ୨ ସେପ୍ଟେମ୍ବର ୨୦୧୯ରୁ ତାଙ୍କର ଶତବାର୍ଷିକୀ ସରିଲାଣି; ତାଙ୍କ ସ୍ମୃତିର ସ୍ୱତନ୍ତ୍ର ସଂଖ୍ୟାଟି ଏଯାଏ ପ୍ରକାଶ ପାଇନାହିଁ। ଏପରି ସ୍ଥିତିରେ ମନୋଜ ଦାସଙ୍କର ପାଳି କେବେ ଯେ ପଡ଼ିବ, ତାହା କେବଳ ଆଗାମୀ ସମୟ ବା ସଂପୃକ୍ତ କର୍ତ୍ତୃପକ୍ଷ ହିଁ କହିପାରିବେ।
ଏଣୁ, ମନୋଜ ଦାସଙ୍କ ସ୍ମାରକୀ, ସମ୍ମାନ ଓ ପୁରସ୍କାର ନାମରେ ରାଜ୍ୟ ସରକାର ଅନ୍ତତଃ ତାଙ୍କର ଏବଂ ଓଡ଼ିଆ ଭାଷା, ସାହିତ୍ୟର ଅପମାନ ନ କରନ୍ତୁ! ମନୋଜ ଦାସଙ୍କ ନାମରେ ଇଂରେଜୀ ସାହିତ୍ୟ ପାଇଁ ଘୋଷିତ ସଂକୀର୍ଣ୍ଣ ପରିଧିର ପୁରସ୍କାରଟିର ପୁନର୍ବିଚାର କରନ୍ତୁ। ସୁନନ୍ଦା ପଟ୍ଟନାୟକ ବା ମନୋଜ ଦାସଙ୍କ ପରି କୌଣସି ସାହିତ୍ୟସାଧକ ବା ସଂଗୀତ ଶିଳ୍ପୀଙ୍କ ସ୍ମୃତିରକ୍ଷା ପାଇଁ କୌଣସି ଘୋଷଣା କରିବା ଆଗରୁ, ପ୍ରଥମେ ନିଜ ଘରଟିକୁ ସଜାଡ଼ନ୍ତୁ। ତା’ ନ ହେଲେ ଅସଜଡ଼ା ଘରେ ଶିଳ୍ପୀ ଓ ସାଧକମାନେ ଅସମ୍ମାନିତ ହେବା ହିଁ ସାର ହେବ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର