ସ୍ବେଚ୍ଛାଗ୍ରହ ପ୍ରସଙ୍ଗ

କହିବାର ଅଛି - ଦାଶ ବେନହୁର

ଆଜି ସାରା ବିଶ୍ବ ଗୋଟାଏ ଅକଳ୍ପନୀୟ ସମସ୍ୟା କବଳରେ ପଡ଼ି ଛଟପଟ ହେଉଛି। କରୋନା ସମସ୍ୟା।

ସବୁ ପରିସ୍ଥିତିରେ ସମୂହର ହିତସାଧନ ହିଁ ଶ୍ରେଷ୍ଠ ମାନବିକ ଧର୍ମ। ଜୀବନ ଥିଲେ ସମସ୍ୟା ଅଛି। ହେଲେ ସମସ୍ୟାର ମୁକାବିଲା ପାଇଁ ଯେଉଁ ମାନସିକ ପ୍ରସ୍ତୁତି ଆବଶ୍ୟକ ହୁଏ ସେଥିରେ ବ୍ୟକ୍ତି ହିଁ ମୂଳ। ସମସ୍ୟା କେତେବେଳେ ବ୍ୟକ୍ତିଗତ ଓ କେତେବେଳେ ସାମୂହିକ। ବ୍ୟକ୍ତିଗତ ସମସ୍ୟାରେ ତ ବ୍ୟକ୍ତି ଛନ୍ଦି ହୋଇପଡ଼େ ତେବେ ସାମୂହିକ ସମସ୍ୟାରେ ମଧୢ ବ୍ୟକ୍ତିର ଅବଦାନ ହିଁ ପୂରା କାମଟିକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ।

ଦୀର୍ଘ ସମୟର ବିଦେଶୀ ନିପୀଡ଼ନରୁ ଭାରତକୁ ମୁକ୍ତ କରିବା ଲାଗି ମହାତ୍ମା ଗାନ୍ଧୀ ଯେଉଁ ସମାଧାନ ଖୋଜି ପାଇଥିଲେ ସେଥିରେ ବ୍ୟକ୍ତି ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା ସେତିକି ବି ମୂଲ୍ୟବାନ ଥିଲା ସମୂହର ଯୋଗଦାନ। ଆମେ ଆଲେକ୍‌ଜାଣ୍ତରଙ୍କର ଦିଗ୍‌ବିଜୟ କଥା କହୁ; କହୁ ଯେ ଲାଙ୍ଗୁଳା ନରସି˚ହ ଦେବ କୋଣାର୍କ ମନ୍ଦିର ଗଢ଼ିଥିଲେ। ସେମିତି କହୁ ଗାନ୍ଧୀଜୀ ଆମ ଲାଗି ଲଢ଼େଇ କରି ସ୍ବାଧୀନତା ଆଣି ଦେଇଥିଲେ। ହେଲେ ଭିତରେଇ ଦେଖିଲେ ଏଇ ଗୋଟିଏ ଗୋଟିଏ ବ୍ୟକ୍ତି-ନାମ ପଛରେ ସମୂହର ଯୋଗଦାନ ହିଁ ସେ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବାରେ ସାହାଯ୍ୟ କରିଥିଲା। ଆଲେକ୍‌ଜାଣ୍ତର‌୍‌ଙ୍କ ପଛରେ ତାଙ୍କର ଅସ˚ଖ୍ୟ ସମର୍ପିତ ସୈନ୍ୟଦଳ, ନରସି˚ହ ଦେବଙ୍କ ପଛରେ ହଜାର ହଜାର ନିଷ୍ଠାପର କାରିଗର ଓ ଗାନ୍ଧୀଜୀଙ୍କ ଆଢ଼ୁଆଳରେ କୋଟି କୋଟି ସତ୍ୟାଗ୍ରହୀ ସେବକ ସେମାନଙ୍କର ବ୍ୟକ୍ତି-ଇଚ୍ଛାକୁ ପୂରଣ କରିବା ଦ୍ବାରା ସେ ସମସ୍ତ ସମ୍ଭବ ହୋଇଥିଲା। ସେ ସମୂହ ବି ଥିଲା ଗୋଟିଏ ଗୋଟିଏ ବ୍ୟକ୍ତିର ଏକକ-ସମୂହ।

ବ୍ୟକ୍ତି ନୈର୍ବ୍ୟକ୍ତିକ ହେଲେ ସମୂହଠାରୁ ଦୂରେଇ ଯାଏ। ସେ ସାମୂହିକ ହେଲେ ଆପେ ସମାଜ ସଜାଡ଼ି ହୋଇଯାଏ। ଆଜି ପୃଥିବୀ ବ୍ୟାପୀ କୋଭିଡ୍‌-୧୯ ସ˚କ୍ରମଣଜନିତ ସମସ୍ୟାର ସମାଧାନ କ୍ରମେ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚିଯାଇଛି। ବ୍ୟକ୍ତି ହିଁ ପାଲଟିଛି ସମସ୍ୟା ଓ ସେଇ ହିଁ ଠିଆହୋଇଛି ସମାଧାନ ହୋଇ। ଖାସ୍‌ ସେଇଥିପାଇଁ ମାତ୍ର କେଇଟା ଦିନ ଭିତରେ ‘ଗୃହବନ୍ଦୀ’, ‘ତାଲାବନ୍ଦ’, ‘ସାମାଜିକ ଦୂରତା’, ‘ପ୍ରତିରୋଧ’,‘ନାକତୁଣ୍ତି’, ‘ସଙ୍ଗରୋଧ’ ଭଳି ଶବ୍ଦଗୁଡ଼ିକ ଶ୍ରେଷ୍ଠାଧିକାର ଲାଭ କରିଛନ୍ତି। ସ˚କ୍ରମିତ ହୋଇଥିବା ଜଣେ ନିଜକୁ ପ୍ରତିରୋଧ ଭିତରେ ରଖିଲେ ଯାଇ ଗଣ ରକ୍ଷା ପାଇଯିବ ବୋଲି କୁହାଯାଉଛି।

କେଡ଼େ ବିଚିତ୍ର କଥା! ଜଣେ ହିଁ ସମୂହର ରକ୍ଷାକର୍ତ୍ତା ପାଲଟୁଛି। ଏଇଭଳି ଜଣେ ଜଣେ ନିଗୃହୀତ ହୋଇ ରହିଲେ ଗଣର ପରିତ୍ରାଣ ଘଟିବ ବୋଲି ସମସ୍ତେ ଜାଣି ସାରିଲେଣି। ଗୋଟିଏ ସ˚କ୍ରମଣରୁ କୋଟିଏ ସ˚କ୍ରମଣ। ସେଇ କୋଟିଏରୁ ସସାଗରା ପୃଥିବୀ ଏବେ ସ˚କ୍ରମିତ। ସାଗର ଭିତରେ ଯାଉଥିବା ଜାହାଜ ବି କରୋନା ସ˚କ୍ରମଣ କବଳରେ।

ଅତଏବ ସ˚ପ୍ରତି ବ୍ୟକ୍ତି ସଚେତନତା ହିଁ ସବୁଠାରୁ ବଡ଼କଥା ପାଲଟିଛି। ଅଣସଚେତନ ଗୋଟିଏ ମାତ୍ର ବ୍ୟକ୍ତି ଜଣେ କ୍ଷିପ୍ର-ସ˚କ୍ରମଣକାରୀ ବା ସୁପର‌୍‌-ସ୍ପ୍ରେଡର‌୍‌ ପାଲଟି ସାରା ଜନସମୂହକୁ ବିପଦ ଭିତରକୁ ଠେଲି ଦେବାରେ ସକ୍ଷମ। ବ୍ୟକ୍ତି ମୂଲ୍ୟବାନ, ବ୍ୟକ୍ତି ତ୍ରାଣକର୍ତ୍ତା। ବ୍ୟକ୍ତି ଚାହିଁଲେ ସ˚କ୍ରମଣ ରୋକି ହେବ। ବିଶ୍ବ ବଞ୍ଚିବ।

‘ସ୍ବ’ ଶବ୍ଦଟି ସେଇ ବ୍ୟକ୍ତିକୁ ନେଇ। ଅତଏବ ବ୍ୟକ୍ତି-ଇଚ୍ଛା ହିଁ ସ୍ବ-ଇଚ୍ଛା। ସ୍ବ-ଇଚ୍ଛାରୁ ସ୍ବେଚ୍ଛା ଏବ˚ ବ୍ୟକ୍ତିର ସମର୍ପିତ ସତ୍ୟଶୀଳ ଆଗ୍ରହ ହିଁ ‘ସ୍ବେଚ୍ଛାଗ୍ରହ’। ‘ସତ୍ୟାଗ୍ରହ’ରେ ଯେ ଭଳି ସତ୍ୟକୁ ଆୟୁଧ କରି ଅନ୍ୟାୟ ବିରୋଧରେ ଲଢ଼େଇ, ସ୍ବେଚ୍ଛାଗ୍ରହରେ ସେ ଭଳି ସ୍ବ-ଇଚ୍ଛାକୁ ମୂଳତତ୍ତ୍ବ କରି ସ˚କ୍ରମଣ ବିରୋଧରେ ଲଢ଼େଇ। ଏ ଅକଳ୍ପନୀୟ ସ˚କ୍ରମଣ କାଳରେ ପ୍ରତିଟି ବ୍ୟକ୍ତି ନିକଟରୁ ପୃଥିବୀ ମାଗୁଛି ସ୍ବେଚ୍ଛାଗ୍ରହ, ଠିକ୍‌ ଭାରତ ଲାଗି ସ୍ବାଧୀନତା ସ˚ଗ୍ରାମ ସମୟରେ ଗାନ୍ଧୀଜୀ ଭାରତବାସୀଙ୍କଠାରୁ ସତ୍ୟାଗ୍ରହୀତା ମାଗିବା ପରି। ସାମୂହିକ ସତ୍ୟାଗ୍ରହ ସହ ସେ ମଧୢ ଆବଶ୍ୟକ ସ୍ଥଳେ ଯୋଡ଼ିଥିଲେ ବ୍ୟକ୍ତିଗତ ସତ୍ୟାଗ୍ରହକୁ। ସତ୍ୟାଗ୍ରହ ଥିଲା ଗାନ୍ଧୀଜୀଙ୍କର ଅସଲ ସ˚ଗ୍ରାମୀ ଅସ୍ତ୍ର। ସତ୍ୟ, ଅହି˚ସା, ଅସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ, ଅନଶନ, ଉପବାସ ଆଦି ତ କେଉଁ ଆଦିମ କାଳରୁ ଭାରତୀୟ ପରମ୍ପରାର କଥା ହୋଇ ରହିଆସିଥିଲା। ସେ ସବୁ ଗାନ୍ଧୀଜୀ ନୂଆ କିଛି ଆବିଷ୍କାର କରି ଦେଇନାହାନ୍ତି। ସେ ଆମକୁ ଦେଇଛନ୍ତି ସତ୍ୟାଗ୍ରହ।

ସତ୍ୟାଗ୍ରହକୁ ଗାନ୍ଧୀଜୀ ନିଷ୍କ୍ରିୟ ପ୍ରତିରୋଧର ନାମ ଦେଇଛନ୍ତି। ଏକ ଅସ୍ତ୍ର ବୋଲି ମଧୢ କହିଛନ୍ତି। ସେଥିରେ କେବେ କଳଙ୍କି ଲାଗେନା କି ତା’କୁ କେହି ଚୋରି କରି ନେଇପାରିବେ ନାହିଁ ବୋଲି ଟିପ୍ପଣୀ କରିଛନ୍ତି। ସ୍ବେଚ୍ଛାଗ୍ରହ କିନ୍ତୁ ନିଜକୁ ନିଜେ ଆବିଷ୍କାର କରିବା, ସ˚ଯମୀ କରିବା, ସୁରକ୍ଷିତ ରଖିବାକୁ ବୁଝାଏ। ନିଜର ସୁରକ୍ଷା ଯେ ଅପରର ସୁରକ୍ଷା ତାହା ହିଁ ସ୍ବେଚ୍ଛାଗ୍ରହର ମୂଳମନ୍ତ୍ର।

ଏଇଠି ଆମେ ଗାନ୍ଧୀଜୀଙ୍କ ଦ୍ବାରା ସତ୍ୟାଗ୍ରହର ଆବିଷ୍କାର ବିଷୟଟିକୁ ଆଲୋଚନା କରିବା ଅଧିକ ପ୍ରାସଙ୍ଗିକ ହେବ। କାରଣ ପ୍ରତ୍ୟେକଟି ଆତ୍ମିକ ଆବିଷ୍କାର ହୃଦୟ ମନ୍ଥନରୁ ଆସେ। ଠିକ୍‌ ଏଇ କଥା ସେ ନିଜର ଆତ୍ମଜୀବନୀରେ ‘‘ଜୁଲୁ ବିଦ୍ରୋହ’’ ପୃଷ୍ଠପଟରେ କହିଛନ୍ତି। ସେତିକିବେଳେ ସେ ନିଜ ଭିତରେ ବ୍ରହ୍ମଚର୍ଯ୍ୟକୁ ଖୋଜିପାଇଥିଲେ ଓ ପରେ ଏହି ବ୍ରହ୍ମଚର୍ଯ୍ୟ-ଭାବନା ତାଙ୍କୁ ସତ୍ୟାଗ୍ରହ ବିଚାର ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା। ସେ ଲେଖିଛନ୍ତି ଯେ ‘‘‘ସତ୍ୟାଗ୍ରହ’ ଶବ୍ଦ ତିଆରି ହେବା ଆଗରୁ ସତ୍ୟାଗ୍ରହ-ଭାବକୁ ମୁଁ କିଛିକିଛି ବୁଝିବା ଆରମ୍ଭ କରିଥିଲି। ପ୍ରକୃତରେ ତା’ର ପୂରା ସ୍ବରୂପକୁ ମୁଁ ସ୍ବୟ˚ ଚିହ୍ନି ନ ଥିଲି। ପ୍ୟାସିଭ୍‌ ରେଜିଷ୍ଟାନ୍‌ସ ବା ନିଷ୍କ୍ରିୟ ପ୍ରତିରୋଧ ଯାହା କି ସତ୍ୟାଗ୍ରହର ମୂଳ, ତାହାକୁ ପାଶ୍ଚାତ୍ୟବାସୀ ଦୁର୍ବଳର ଅସ୍ତ୍ର ବୋଲି ବିଚାର କରୁଥିଲେ ଓ ତହିଁରୁ ଦ୍ବେଷ ତଥା ହି˚ସା ଉପୁଜିବା ସ୍ବାଭାବିକ ବୋଲି ମନେ କରୁଥିଲେ। ସେତିକିବେଳେ ଭାରତୀୟମାନଙ୍କ ଲଢ଼େଇରେ ତା’ର ପ୍ରକୃତ ଅର୍ଥ କ’ଣ ମତେ ବୁଝାଇବାକୁ ପଡ଼ିଥିଲା। ହେଲେ ସେ ନିମନ୍ତେ ମତେ ଉଚିତ ଶବ୍ଦଟିଏ ମିଳୁ ନ ଥିଲା। ତେଣୁ ଯେ ଏ ପ୍ରୟୋଗକୁ ଗୋଟିଏ ଭଲ ନାମ ଦେଇପାରିବ ତାକୁ ପୁରସ୍କାର ମିଳିବ ବୋଲି ‘‘ଇଣ୍ତିଆନ୍‌ ଓପିନିଅନ୍‌’’ ପତ୍ରିକାରେ ମୁଁ ବିଜ୍ଞାପନ ଦେଲି। ମଗନଲାଲ ଗାନ୍ଧୀ ସତ୍‌+ଆଗ୍ରହକୁ ସନ୍ଧି କରି ‘‘ସତ୍ୟାଗ୍ରହ’’ ଶବ୍ଦଟି ପଠାଇଲେ ଓ ପୁରସ୍କାର ପାଇଲେ। କିନ୍ତୁ ନାଁଟିକୁ ଆଉଟିକେ ସ୍ପଷ୍ଟ କରିବା ପାଇଁ ମୁଁ ମଝିରେ ‘ୟ’ ଅକ୍ଷର ଯୋଡ଼ି ‘‘ସତ୍ୟାଗ୍ରହ’’ ଶବ୍ଦ ତିଆରି କରିଦେଲି।’’

ଏହା ହିଁ ଥିଲା ଗାନ୍ଧୀଜୀଙ୍କର ‘‘ସତ୍ୟାଗ୍ରହ’’ ଶବ୍ଦ ଆବିଷ୍କାରର କାହାଣୀ।

ସତ୍ୟାଗ୍ରହରେ ଥିଲା ଉଭୟ ଦେହ-ଶକ୍ତି ଓ ଆତ୍ମା-ଶକ୍ତିର ସତ୍ୟଶୀଳ ପ୍ରୟୋଗ। ସେହିଭଳି ସ୍ବେଚ୍ଛାଗ୍ରହରେ ଅଛି ଉଭୟ ଦେହ-ଶକ୍ତି ଓ ଆତ୍ମା-ଶକ୍ତିର ଏକ ନିଷ୍ଠାପର ଉପଯୋଗ। ଏହା ହୁଏତ ଦେହକୁ କଷ୍ଟ ଦେଇପାରେ। କାରଣ କରୋନା ଭୂତାଣୁର ସ˚କ୍ରମଣକୁ ରୋକିବା ପାଇଁ ଗାଆଁ ଗାଆଁରେ, ସହରେ, ସହରେ ପିଲାଛୁଆ, ବୃଦ୍ଧବୃଦ୍ଧାଙ୍କୁ ଧରି ଗୃହବନ୍ଦୀ ହୋଇ ରହିବା କିଛି କମ୍‌ ସାଧନାର କଥା ନୁହେଁ। ସାମାଜିକ ଦୂରତ୍ବ ରକ୍ଷା କରିବା ହୁଏ ତ ସହଜ ମାତ୍ର ସାରା ଦେଶ ତାଲାବନ୍ଦ ଥିବା ବେଳେ ଦେଶର ଅର୍ଥନୈତିକ ଚକଗୁଡ଼ିକୁ ଚାଲୁ ରଖିବା ଲୋକଶାସନ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ପାଇଁ ନିଆଁରେ ଚାଲିବା ଭଳି କାଠିକର ପାଠ ବୋଲି ବୁଝିବାକୁ ହେବ।

ଆଜି ଭାରତ ଭଳି ଗୋଟିଏ ଦେଶ ଯେ କେବଳ ଆବଦ୍ଧ, ପ୍ରତିରୋଧ, ସ˚ଗରୋଧ ବା ତାଲାବନ୍ଦ ଭିତରେ ଅଛି ସେ କଥା ନୁହେଁ, ସାରା ପୃଥିବୀ ବନ୍ଦ ହୋଇ ପଡ଼ିଛି। ଦେଶ ଦେଶରେ ଆପଦକାଳୀନ ପରିସ୍ଥିତି ଲାଗି ନାହିଁ ନ ଥିବା କଟକଣା। ଜାତୀୟ ଜରୁରିକାଳୀନ ପରିସ୍ଥିତି। ବାଟ ଘାଟ ଶୂନ୍‌ଶାନ୍‌। ଉତ୍ପାଦନ ଠପ୍‌। କଳକାରଖାନା ଚାଲୁ ନାହାନ୍ତି।

ଆଧୁନିକ ଜୀବନର ମୂଳ ହେଉଛି ଚକ। ତାହା ଅସମ୍ଭବ ଭାବରେ ଧିମେଇ ଯାଇଛି। ଖୁବ୍‌ ଶୀଘ୍ର ଏହା ଆବଶ୍ୟକତାକୁ ବଢ଼େଇ ଚାଲିବ ହେଲେ ସେହି ଅନୁସାରେ ଯୋଗାଣ ଚାଲିବ ନାହିଁ। ଚୋରି ବଢ଼ିବ, କଳାବଜାରୀ ବ୍ୟାପିବ, ହି˚ସା ଉପୁଜିବ, ଭୋକ ଉପାସ ବୃଦ୍ଧି ପାଇବ। ଅତି ସମର୍ଥ ଦେଶମାନେ ସୁଦ୍ଧା ଚକର ଗତିକୁ ସ୍ବାଭାବିକ ନ କଲେ ସାରା ବିଶ୍ବ ମାନ୍ଦାବସ୍ଥାରେ ନାହିଁ ନଥିବା କ୍ଷତି ସହିବ।

ତେବେ କ’ଣ ଏହାର ପ୍ରତିକାର?

ପ୍ରତିକାର କେବଳ ଗୋଟିଏ। ‘‘ସ୍ବେଚ୍ଛାଗ୍ରହ’’। ବ୍ୟକ୍ତିଗତ ସ୍ତରରେ ଉଭୟ ଦେହ-ଶକ୍ତି ଓ ଆତ୍ମା-ଶକ୍ତିର ପ୍ରୟୋଗ କରି ଏତିକିବେଳେ କେତେ କିଏ ନିଜକୁ ସ˚ଯମ ଭିତରେ ରଖିପାରିବ ତାହା ହିଁ ବଡ଼ କଥା। ସତ୍ୟାଗ୍ରହର ପ୍ରୟୋଗ ସମ୍ପର୍କରେ ସେଥିପାଇଁ ଗାନ୍ଧୀଜୀ କହିଥିଲେ ଦେହ-ଶକ୍ତିଠାରୁ ଆତ୍ମା-ଶକ୍ତି ଅନନ୍ତଗୁଣରେ ବଡ଼। ସମସ୍ୟାର ସମାଧାନ ସକାଶେ ଆତ୍ମା-ଶକ୍ତିର ଅସଲ ଉପଯୋଗ ହିଁ ମଣିଷକୁ ଦୁଃଖକଷ୍ଟରୁ ଦୂରେଇ ରଖିବାରେ ସହାୟକ ହେବ।

କରୋନା ବ୍ୟାପିଛି। ତା’ର ପ୍ରତିରୋଧ ଲୋଡ଼ା। ବିଶ୍ବବ୍ୟାପୀ ପ୍ରତିରୋଧ ଓ ସଚେତନତା ଆବଶ୍ୟକ। କରୋନା ପୂର୍ବର ପୃଥିବୀ ଯେତେ ଜୋର‌୍‌ରେ ବିଶ୍ବକୁ ଗତିଶୀଳ କରିଥିଲା ତାହା ନିଶ୍ଚିତ ବ୍ୟାହତ ହେବ। ଅନେକ କ୍ଷୟକ୍ଷତି ହେଲାଣି ଓ ହେବ। କେବେ ଏ ସ˚କ୍ରମଣ କମିବ ସେ କଥା କହିବା କଷ୍ଟ ମାତ୍ର ଦିନେ ନା ଦିନେ ଏ ସ˚କ୍ରମଣ କବଳିତ ହେବ। ସେତେବେଳକୁ ଅନେକ ବଦଳିଯାଇଥିବ ମାଟି, ପାଣି, ପବନ, ଜନଜୀବନ, ଅର୍ଥନୀତି, ଜଗତ୍‌କରଣ, ଶିଳ୍ପାୟନ, ବୈଦେଶିକ ସମ୍ପର୍କ ଆଦି ଅନେକ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ। ଗୋଟେ ପଟେ ବଦଳି ଯାଇଥିବା ପୃଥିବୀ, ଆଉ ଗୋଟେ ପଟେ ବଞ୍ଚିବାକୁ ଚାହୁଁଥିବା ମଣିଷ। ସେଥିପାଇଁ ଲୋଡ଼ା ସ୍ବେଚ୍ଛାଗ୍ରହ। ଆଜି ବୋଲି ନୁହେଁ ଆଗାମୀ କାଲି ପାଇଁ ମଧୢ ଏହା ଅଧିକ ପ୍ରାସଙ୍ଗିକ ହେବ। ମଣିଷର ଯଥେଚ୍ଛାଚାର ଯେ ବିଶ୍ବ-ଅବକ୍ଷୟର କାରଣ ସେ କଥା କ’ଣ ଆଉ ବୁଝିବାକୁ ବାକି ଅଛି? ଆଜି କରୋନା ସ˚କ୍ରମଣକୁ ରୋକିବା ଲାଗି ଯେମିତି ସ୍ବେଚ୍ଛାଗ୍ରହର ଆବଶ୍ୟକତା ଅଛି କାଲି ସେମିତି ଅସଜଡ଼ା ପରିବେଶ ଓ ପରିସରକୁ ସଜାଡ଼ିବା ଲାଗି ତା’ର ଅନୁରୂପ ଗୁରୁତ୍ବ ରହିବ।

ବିଷୟ ଆରମ୍ଭ ହୋଇଥିଲା ବ୍ୟକ୍ତିରୁ। ବ୍ୟକ୍ତି କେବଳ ମଣିଷ ନୁହେଁ। ପ୍ରତିଟି ରାଷ୍ଟ୍ର ମଧୢ ଗୋଟିଏ ଗୋଟିଏ ବ୍ୟକ୍ତି। ସ୍ବେଚ୍ଛାଗ୍ରହରେ ମଣିଷ ପାଇଁ ବ୍ୟକ୍ତିରୋଧ ଯେମିତି ଏକ ଅନ୍ତର୍ନିହିତ ଆବଶ୍ୟକତା, ସେମିତି ବି ରାଷ୍ଟ୍ର ପାଇଁ। ବ୍ୟକ୍ତିର ଶେଷ ପରିସର ଯେମିତି ସମାଜ, ରାଷ୍ଟ୍ରର ଶେଷ ବଳୟ ମଧୢ ସେଇ ସମାଜ। ପ୍ରଗତିଶୀଳ କି ଅନୁନ୍ନତ, ଏକ ନମ୍ବର କି ଶେଷ ନମ୍ବର ଗୋଟାଏ ଭୂତାଣୁ ଆଗରେ କେତେ ଅସହାୟ ଏ ରାଷ୍ଟ୍ରସମୂହ ବା ବ୍ୟକ୍ତିଗଣ ତାହା ହିଁ ଏ ମହା-ମାରାତ୍ମକ ସମୟ ଆମକୁ ଶିକ୍ଷା ଦେଉଛି। କହୁଛି, ‘‘ରେ ଅହଙ୍କାରୀ! ତୁ ରାଷ୍ଟ୍ର ହୁଅ ବା ବ୍ୟକ୍ତି, ସ˚ଯତ ହୁଅ, ସ୍ବେଚ୍ଛାଗ୍ରହ ବ୍ରତ ଗ୍ରହଣ କର, ତା’ହେଲେ ନିଜେ ବଞ୍ଚିବୁ। ଅନ୍ୟମାନଙ୍କ ବଞ୍ଚିବା ମାଧୢମରେ ହିଁ ତୋ’ ବଞ୍ଚିବା ସହଜ ହେବ।’’ ଏହାରି ମାଧୢମରେ ସାମୂହିକ ହିତ ସାଧନ ସମ୍ଭବ; ବିଶ୍ବ କଲ୍ୟାଣର ବି ବାଟ ଫିଟିବ।

ସା˚ପ୍ରତିକ ଏ ଜଗତ୍‌ ଆଲୋଡ଼ନକାରୀ ଜୀବନ ସ˚ଗ୍ରାମ ସମୟରେ ଗାନ୍ଧୀଜୀ ବେଶି ମନେ ପଡୁଛନ୍ତି। ସ୍ବେଚ୍ଛାଗ୍ରହ କଥାଟି ଗାନ୍ଧୀ ଆବିଷ୍କୃତ ସତ୍ୟାଗ୍ରହର ଗୋଟିଏ ପ୍ରତିରୂପ ମାତ୍ର। କହିବାର ଅଛି ଯେ ଆମେ ସମସ୍ତେ ବ୍ୟକ୍ତି ଓ ଦେଶ ନିର୍ବିଶେଷରେ ଜଣେ ଜଣେ ସ୍ବେଚ୍ଛାଗ୍ରହୀ ହୋଇପାରିଲେ ଏ ସମଗ୍ର ବିଶ୍ବ ସୁଧୁରିଯିବ। ସ୍ବେଚ୍ଛାଗ୍ରହର ଜୟ ହେଉ।

[email protected]

ସମ୍ବନ୍ଧିତ ଖବର