କିଏ ଜିତିଲା ନୁହେଁ, କ’ଣ ଜିତିଲା?

ପଶ୍ଚିମ ବଙ୍ଗ ନିର୍ବାଚନ - ଯୋଗେନ୍ଦ୍ର ଯାଦବ

ପଶ୍ଚିମ ବଙ୍ଗ ଓ ଅନ୍ୟ ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ, ଦେଶର ରାଜନୈତିକ ଭବିଷ୍ୟତ୍‌ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହି ଫଳାଫଳ କେବଳ ତାତ୍କାଳିକ ଆଶ୍ବାସନା ଦେଉନାହିଁ; ଏବର ଦଶାରୁ ମୁକୁଳିବାର ଆଶା ମଧ୍ୟ ଉଦ୍ରେକ କରୁଛି, ସାମାନ୍ୟ ହେଉ ପଛକେ! ଏହାକୁ ହୃଦ୍‌ବୋଧ କରିବା ପାଇଁ ଆମକୁ ‘କିଏ ଜିତିଲା’ ଓ ‘କିଏ ହାରିଲା’ ବଦଳରେ ପଚାରିବାକୁ ହେବ- ‘କ’ଣ ଜିତିଲା’ ଓ ‘କ’ଣ ହାରିଲା’?

ଏହି ନିର୍ବାଚନରେ ଲୋକତନ୍ତ୍ରର ମଥା ଉଚ୍ଚ ହେଉ ବା ନ ହେଉ, ଔଦ୍ଧତ୍ୟର ମଥା ନିଶ୍ଚିତ ଭାବେ ତଳକୁ ହେଲା। ଔଦ୍ଧତ୍ୟ କହିଲେ, ଆମେ ଯେଉଁ ଦୁର୍ଗ ଉପରେ ଆଖି ପକେଇବୁ, ତାହାକୁ ଯେତେ ବେଳେ ଚାହିଁବୁ ଦଖଲ କରିନେବୁ। ବଙ୍ଗୀୟ ସ˚ସ୍କୃତିକୁ ଏକ ନିର୍ଦିଷ୍ଟ ରାଜନୈତିକ ଦଳ ଅଣଦେଖା କରିଥିଲା ଏବ˚ ଭାବିଥିଲା, ବାହ୍ୟ ପ୍ରଭାବରେ ମତଦାତାଙ୍କ ମତ ଜିତି ନିଆଯାଇପାରେ। ଆହୁରି ମଧ୍ୟ ଭାବିଥିଲା, ଧନ ବଳ, ଜନ ବଳ, ସୁରକ୍ଷା ବଳ, ଗଣମାଧ୍ୟମ ଓ ପକ୍ଷପାତୀ ନିର୍ବାଚନ ଆୟୋଗ ସହାୟତାରେ ନିର୍ବାଚନ ଜିତାଯାଇପାରେ। ବିନା ସ୍ଥାନୀୟ ନେତୃତ୍ବ ଏବ˚ ସ୍ଥାନୀୟ ଚେହେରା ବିନା କେବଳ ମୋଦୀଙ୍କ ମାଧ୍ୟମରେ ପଶ୍ଚିମ ବଙ୍ଗ ନିର୍ବାଚନରେ ବିଜୟ ସ˚ଭବ ବୋଲି ଭାଜପା ଧରିନେଇଥିଲା। ଏହି ଔଦ୍ଧତ୍ୟ ଭାଙ୍ଗିଲା। ବଙ୍ଗୀୟମାନେ ଭାଜପାର ବଙ୍ଗ ବିଜୟ ସ୍ବପ୍ନ ଚୂରମାର କରିଦେଲେ। ତେବେ, କେବଳ ଏହା ଦ୍ବାରା ମଧ୍ୟ ଲୋକତନ୍ତ୍ର ସ୍ଥାପିତ ହୋଇଯିବ ନାହିଁ। ନିର୍ବାଚନୀ ବିଜୟ ପରେ ତୃଣମୂଳ କ˚ଗ୍ରେସ୍‌ର କର୍ମୀଙ୍କ ଦ୍ବାରା ହି˚ସା ଏହା ସୂଚାଉଛି ଯେ, ଲୋକତାନ୍ତ୍ରିକ ମର୍ଯ୍ୟାଦା ସ୍ଥାପନ କରିବା ଏବେ ବି ବାକି ଅଛି। ଏହି ନିର୍ବାଚନ କେବଳ ଏଥି ପାଇଁ ପ୍ରୟାସର ରାସ୍ତା ମାତ୍ର ଖୋଲି ଦେଇଛି।
ଏହି ନିର୍ବାଚନରେ ଧର୍ମନିରପେକ୍ଷବାଦର ବିଜୟ ହୋଇନାହିଁ; ତେବେ, ଅସଭ୍ୟ ସା˚ପ୍ରଦାୟିକତା କିଛି ମାତ୍ରାରେ ପରାଜିତ ହୋଇଛି। ମୁସଲମାନ ସ˚ପ୍ରଦାୟ ବିରୋଧରେ ଭୟ, ଆତଙ୍କ ଓ ଘୃଣାର ବାତାବରଣ ଖେଳାଇ, ହିନ୍ଦୁମାନଙ୍କୁ ସବୁ ବେଳେ ଏକଜୁଟ କରାଯାଇପାରିବନାହିଁ, ଏହା ପଶ୍ଚିମ ବଙ୍ଗ ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି। ପୁଣି, ଆସାମ ଓ ପଶ୍ଚିମ ବଙ୍ଗରେ ମୁସଲମାନ ସା˚ପ୍ରଦାୟିକ ଦଳଗୁଡ଼ିକ ସହ ମେଣ୍ଟ ଜନିତ ବିଫଳତା, କ˚ଗ୍ରେସ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତଥାକଥିତ ସମସ୍ତ ଧର୍ମନିରପେକ୍ଷ ଦଳକୁ ଜୋର‌୍‌ ଝଟକା ଲାଗିଛି। ଏହି ନିର୍ବାଚନରେ ମୁଖ୍ୟତଃ ଆସାମ ଓ ପଶ୍ଚିମ ବଙ୍ଗରେ ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟ ମଧ୍ୟରେ ବିଭେଦ-ବିଦ୍ବେଷର ଯେଉଁ ଖେଳ ଖେଳାଯାଇଛି, ତାହାର କୁପ୍ରଭାବ ଦେଶ ଅନେକ ବର୍ଷ ଯାଏ ଭୋଗିବ।

ଏହି ନିର୍ବାଚନରେ ସରକାରର କାର୍ଯ୍ୟକଳାପ ଏକ ମାତ୍ର ପ୍ରସଙ୍ଗ ନ ଥିଲା। ତେବେ, ଯଦି ପଶ୍ଚିମ ବଙ୍ଗରେ ଭାଜପା କ୍ଷମତାକୁ ଆସିଥାଆନ୍ତା, ସାରା ଦେଶରେ ପ୍ରବଳ ପ୍ରଚାର ହୋଇଥାଆନ୍ତା ଯେ, ନିଜର ଆର୍ଥିକ ସ୍ଥିତିକୁ ନେଇ ଜନତା ସନ୍ତୁଷ୍ଟ ଏବ˚ ମହାମାରୀ ପରିଚାଳନାରେ ମୋଦୀ ସରକାରର କାର୍ଯ୍ୟକୁ ନେଇ ମଧ୍ୟ କୌଣସି ଅସନ୍ତୋଷ ନାହିଁ। ଆହୁରି ମଧ୍ୟ ପ୍ରଚାର କରାଯାଇଥାଆନ୍ତା, ନାଗରିକତା ସ˚ଶୋଧନ ଆଇନ ପ୍ରତି ଜନ ସମର୍ଥନ ଅଛି ଏବ˚ ହିନ୍ଦୀ ଭାଷା-ଭାଷୀ ଅଞ୍ଚଳ ବାହାରେ କୃଷକମାନେ ତିନି ବିବାଦୀୟ କୃଷି ଆଇନକୁ ସମର୍ଥନ କରୁଛନ୍ତି। ନିର୍ବାଚନ ଫଳାଫଳ ଏ ଭଳି ମିଥ୍ୟା ପ୍ରଚାରର ମୁହଁ ବନ୍ଦ କରିଦେଲା। ଏହା ସତ୍ତ୍ବେ ଏହି ଜ୍ବଳନ୍ତ ପ୍ରସଙ୍ଗଗୁଡ଼ିକ ବିରୋଧରେ ଜନମତ ଯାଇଥିବା ବା ଲୋକେ ମୋଦୀ ସରକାରର ବିଭିନ୍ନ କାର୍ଯ୍ୟ ବିରୋଧରେ ମତ ଦେଇଥିବା ମଧ୍ୟ ନିର୍ଦିଷ୍ଟ ଭାବେ କୁହା ଯାଇପାରିବନାହିଁ। କେବଳ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ାଯାଇଥିବା କୁହାଯାଇପାରିବ। ରାଷ୍ଟ୍ରବାଦ ନାମରେ ଭାଜପା ପକ୍ଷରୁ ସାରା ଦେଶକୁ ଏକ ରଙ୍ଗରେ ରଙ୍ଗାଯିବାର ପ୍ରଚେଷ୍ଟା ବିଫଳ ହୋଇଛି। ଆଉ ସେପଟେ କୌଣସି କାମ ନ କରି ‘ବିଲେଇ କପାଳକୁ ଶିକା ଛିଡ଼ିବା’ ଭଳି ଅପେକ୍ଷା କରିଥିବା କ˚ଗ୍ରେସ୍‌ ସ˚ପୂର୍ଣ୍ଣ ପୋଛି ହୋଇଯାଇଛି।

ଆଜି ମହାମାରୀ ସହ ଲଢ଼ୁଥିବା ଦେଶର ଜନତା, ନିଜ ଦମ୍‌ରେ ଚିକିତ୍ସାଳୟରେ ଶଯ୍ୟା, ଅମ୍ଳଜାନ ଓ ଟିକା ଖୋଜିବା ସହ ନିଜର ନେତା ଏବ˚ ସରକାରକୁ ମଧ୍ୟ ଖୋଜୁଛନ୍ତି। ପୁଣି ଥରେ ତାଲାବନ୍ଦୀର ଶିକାର ହୋଇଥିବା ଦିନ-ମଜୁରିଆ, ବଞ୍ଚିବାର ରାହା ଖୋଜୁଛନ୍ତି। ଛଅ ମାସ ହେଲା ରାସ୍ତାରେ ପଡ଼ିଥିବା କୃଷକମାନେ ନିଜ ସରକାରର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ସାରା ଦେଶ ଏକ ବିକଳ୍ପ ସନ୍ଧାନରେ।

ଏ ଭଳି ପରିସ୍ଥିତିରେ ଏହି ନିର୍ବାଚନ ଫଳାଫଳ ଯଦିଓ କୌଣସି ବଳିଷ୍ଠ ବିକଳ୍ପ ଦେଖାଉନାହିଁ; ତେବେ, ଉକ୍ତ ବିକଳ୍ପ ନିକଟରେ ପହଞ୍ଚିବାର ରାସ୍ତା ନିଶ୍ଚିତ ଭାବେ ଦେଖାଉଛି। କ˚ଗ୍ରେସ୍‌ ବା କୌଣସି ଏକ ପ୍ରତିଷ୍ଠିତ ବିରୋଧୀ ଦଳ ସହାୟତାରେ ଏହି ପଥରେ ଯାତ୍ରା କରିହେବନାହିଁ। କେବଳ ବିରୋଧୀ ଦଳଙ୍କ ମହାମେଣ୍ଟ ମଧ୍ୟ ଯଥେଷ୍ଟ ନୁହେଁ। କେବଳ କରୋନା ମଧ୍ୟ ମୋଦୀଙ୍କ ବିରୋଧରେ ଆମକୁ ଆଗେଇ ନେଇପାରିବନାହିଁ। ତେଣୁ, ଏକ ପ୍ରକୃତ ବୈକଳ୍ପିକ ରାଜନୀତିର ନିର୍ମାଣ ଆଜି ସାରା ଦେଶ ପାଇଁ ଆହ୍ବାନ।
(ମତାମତ ଲେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର