ଚାକିରିରେ ଆରକ୍ଷଣର ସୀମା

ମହାମେଘବାହନ ଐର ଖାରବେଳ ସ୍ବାଇଁଁ

ସ୍ବାଧୀନତା ପରେ ଯେତେବେଳେ ନୂଆ ସମ୍ବିଧାନ ପ୍ରଣୟନ କରାଗଲା ଓ ହଜାର ହଜାର ବର୍ଷ ଧରି ସମାଜରେ ପଛୁଆ ହୋଇ ପଡ଼ିଥିବା ଜାତିମାନଙ୍କୁ, ଅନ୍ୟମାନଙ୍କର ସମକକ୍ଷ ହେବା ପାଇଁ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣର ସୁବିଧା ଦିଆଗଲା, ସେତେବେଳେ ଧାରଣା ସୃଷ୍ଟି ହୋଇଥିଲା ଯେ, କେତେ ଦଶନ୍ଧି ପରେ ସମସ୍ତେ ପାଖାପାଖି ସମାନ ହୋଇଯିବେ ଓ ତା’ ପରେ ଏ ଦେଶରୁ ଆରକ୍ଷଣ ବ୍ୟବସ୍ଥା ଲୋପ ପାଇଯିବ। କିନ୍ତୁ ଦେଖାଯାଉଛି ତାହା ନ ହୋଇ ବର˚ ଫଳ ଓଲଟା ହେବାକୁ ଯାଉଛି।

ଗତ ୨୦୧୮ରେ ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହୋଇଥିବା ଏସ.ଇ.ବି.ସି. (ସାମାଜିକ ଓ ଶିକ୍ଷାଗତ ପଛୁଆ ଜାତି) ଆଇନରେ ମରାଠା ଜାତିର ଲୋକଙ୍କୁ ସେଠାକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ୧୬% ଆରକ୍ଷଣ ଦିଆଯିବାର ବ୍ୟବସ୍ଥା ଥିଲା। ସେଠାକାର ବିଧାନସଭା ଓ ବିଧାନ ପରିଷଦରେ ଗୋଟିଏ ଦିନ ମଧ୍ୟରେ ଏହି ଆଇନ ଗୃହୀତ ହୋଇଥିଲା। ଏହା ୧୯୯୨ରେ ଇନ୍ଦିରା ସାୱାନି ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ଦିଆଯାଇଥିବା ରାୟକୁ ଭ˚ଗ କରୁଥିଲା, ଯେଉଁଥିରେ ସବୁ ପ୍ରକାର ଆରକ୍ଷଣକୁ ୫୦%ରୁ ଅଧିକ କରିହେବ ନାହିଁ ବୋଲି ବ୍ୟବସ୍ଥା ଅଛି। ମରାଠାମାନଙ୍କୁ ୧୬% ଆରକ୍ଷଣ ଦେବା ଫଳରେ ମୋଟ ଆରକ୍ଷଣ ୫୦%ରୁ ବୃଦ୍ଧି ପାଇ ୬୬% ହୋଇଯାଉଥିଲା। ୨୦୧୯ରେ ବମ୍ବେ ହାଇକୋର୍ଟ ଏହି ଆଇନକୁ ବୈଧ ବୋଲି ଘୋଷଣା କରିଥିଲେ। କିନ୍ତୁ ପୂର୍ବରୁ ସେଠାରେ ଥିବା କଂଗ୍ରେସ ସରକାର କ୍ଷମତାରେ ଥିଲା ବେଳେ ଯେଉଁ ସେ ଧରଣର ଆଇନ ପ୍ରଣୟନ କରିଥିଲେ ତାହାକୁ ସେହି ହାଇକୋର୍ଟ ଖାରଜ କରି ଦେଇଥିଲା। ଏଥର ହାକୋର୍ଟ କେବଳ ଏଥିରେ ଏକ ସ˚ଶୋଧନ ଆଣିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ସରକାରୀ ଚାକିରି କ୍ଷେତ୍ରରେ ମରାଠାମାନଙ୍କ ଲାଗି ଆରକ୍ଷଣକୁ ୧୬%ରୁ ୧୨%କୁ ଓ ଶିକ୍ଷାନୁଷ୍ଠାନମାନଙ୍କରେ ୧୩%କୁ କମାଇ ଦିଆଯାଉ।

ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ତପୀଠ, ଯେଉଁଥିରେ ଅନ୍ୟ ବିଚାରପତି ଏନ୍‌. ନାଗେଶ୍ବର ରାଓ, ଏସ. ଅବଦୁଲ ନଜୀର, ହେମନ୍ତ ଗୁପ୍ତା ଓ ଏସ ରବୀନ୍ଦ୍ର ଭଟ୍ଟ ସଦସ୍ୟ ଥିଲେ, ସର୍ବ ସମ୍ମତକ୍ରମେ ମହାରାଷ୍ଟ୍ରରେ ଗୃହୀତ ଏହି ଆଇନକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ଏହି ରାୟରେ କୁହାଯାଇଛି ଯେ ମରାଠାମାନେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଅଦୌ ପଛୁଆ ବର୍ଗ ନୁହନ୍ତି, ଯାହା ଫଳରେ ସେମାନଙ୍କ ପାଇଁ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣ ରହିବା ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅତିକ୍ରମ କରିଯିବ।

ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଯେ, ଏମାନଙ୍କୁ ଆରକ୍ଷଣ ଦିଆଯିବା ଏକ ଅସାଧାରଣ ପରିସ୍ଥିତି ଯୋଗୁଁ ହୋଇନାହିଁ। ତାଙ୍କ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ମରାଠାମାନେ ସରକାରୀ ଚାକିରିର ଏ,ବି,ସି,ଡି, ବର୍ଗରେ ଯଥାକ୍ରମେ ୩୩.୨୩%, ୨୫.୩୦%, ୩୭.୦୬% ଓ ୩୬.୫୩% ସ୍ଥାନ ପାଇଛନ୍ତି। ଏହା ଆରକ୍ଷଣହୀନ ବର୍ଗମାନଙ୍କ ପାଇଁ ଥିବା ଚାକିରି ମଧ୍ୟରେ ରହିଛି। ଗୋଟିଏ ଜାତି ପାଇଁ ଏହି ଧରଣର ପ୍ରତିନିଧିତ୍ବ ହେଉଛି ଯଥେଷ୍ଟ ଓ ସନ୍ତୋଷଜନକ। ବର˚ ଗୋଟିଏ ଜାତିର ଏତେ ସ˚ଖ୍ୟକ ଲୋକ ସରକାରୀ ଚାକିରିରେ ରହିବା ଏକ ଗର୍ବର ବିଷୟ। ଏଣୁ କେବେହେଲେ କୁହାଯାଇପାରିବ ନାହିଁ ଯେ ଏହି ସ˚ଖ୍ୟକ ଚାକିରି ସେହି ବର୍ଗ ପାଇଁ ଯଥେଷ୍ଟ ନୁହେଁ। ଏହା ଛଡ଼ା ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଶାସନ କରି ଆସିଥିବା ୧୯ ଜଣ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି ମରାଠା। ଏଣୁ ଏମାନେ ଆଦୌ ପଛୁଆ ବର୍ଗ ନୁହନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ମୋଟ ଜନସ˚ଖ୍ୟାର ପ୍ରାୟ ୩୦% ହେଉଛନ୍ତି ମରାଠା। ଭାରତର ପୂର୍ବତନ ଉପ-ପ୍ରଧାନ ମନ୍ତ୍ରୀ ୱାଇ.ଭି. ଚୌହାନ ହେଉଛନ୍ତି ମରାଠା। ଏମାନେ ଲକ୍ଷ ଲକ୍ଷ ସ˚ଖ୍ୟାରେ ରାସ୍ତାକୁ ଆସି ଆନ୍ଦୋଳନ କରିବାରୁ ତଦାନୀନ୍ତନ ମହାରାଷ୍ଟ୍ର ସରକାର ସେମାନଙ୍କୁ ଗତ ନଭେମ୍ବର ୩୦, ୨୦୧୮ରେ ଏହି ଆରକ୍ଷଣ ସୁବିଧା ଦେଇଥିଲେ ଓ ଭୋଟ ଚାଲିଯିବା ଭୟରେ କୌଣସି ରାଜନୈତିକ ଦଳ ଏହାକୁ ବିରୋଧ କରିନଥିଲେ।

ମରାଠାମାନଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଆରକ୍ଷଣ ଦିଆଯିବ କି ନାହିଁ ସେଥିପାଇଁ ମହାରାଷ୍ଟ୍ର ସରକାର ପୂର୍ବତନ ହାଇକୋର୍ଟ ବିଚାରପତି ଏମ.ଜି. ଗାଇକୋୱାଡ଼ଙ୍କ ଅଧ୍ୟକ୍ଷତାରେ ଏକ ପଛୁଆ ଜାତି କମିସନ ଗଠନ କରିଥିଲେ। ଗାଇକୋୱାଡ଼ ହେଉଛନ୍ତି ନିଜେ ମରାଠା। ସେ ସୁପାରିସ କରିଥିଲେ ଯେ ମରାଠାମାନଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନରେ ଆରକ୍ଷଣ ଦିଆଯାଉ। ଏହି ସୁପାରିସକୁ ବମ୍ବେ ହାଇକୋର୍ଟ ଅନୁମୋଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ ସରକାର, ଏହି କମିସନର ରିପୋର୍ଟକୁ ଗ୍ରହଣ କରି ଭୁଲ କରିଛନ୍ତି। ମରାଠାମାନେ କେଉଁ ଚାକିରିରେ କେତେ ପ୍ରତିଶତ ସ୍ଥାନ ପାଇଛନ୍ତି, ତାହାକୁ ବିଚାର ନ କରିବା ମଧ୍ୟ ଭୁଲ କଥା ଅଟେ।

୧୯୯୨ର ଇନ୍ଦୀରା ସାୱନେ ମାମଲାରେ ସୁପ୍ରିମ କୋର୍ଟର ଏକ ୯ ଜଣିଆ ସାମ୍ବିଧାନିକ ଖଣ୍ତପୀଠ, ସବୁ ଆରକ୍ଷଣକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ଯେଉଁ ରାୟ ଦେଇଥିଲେ ତା’ର ପୁନର୍ବିଚାର ପାଇଁ ଏଥର ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି। ଏହି ରାୟକୁ ଏକ ୧୧ ଜଣିଆ ଖଣ୍ତପୀଠକୁ ପୁନଃଶୁଣାଣି ପାଇଁ ପଠାଯାଉ ବୋଲି ଯେଉଁ ଦାବି କରା ଯାଇଥିଲା, ତାହାକୁ ଖାରଜ କରି ୫ ଜଣିଆ ଖଣ୍ତପୀଠ କହିଛନ୍ତି ଯେ, ଆରକ୍ଷଣକୁ ୫୦%ରେ ସୀମିତ କରି ରଖିବାର ଉଦ୍ଦେଶ୍ୟ ହେଲା, ସମସ୍ତଙ୍କୁ ସମାନତା ଓ ସମାନ ସୁଯୋଗ ଆଣିଦେବା। ଶତାବ୍ଦୀ ଶତାବ୍ଦୀ ଧରି ସାମାଜିକ ଓ ଆର୍ଥିକ କାରଣ ଦୃଷ୍ଟିରୁ ପଛରେ ପଡ଼ିଥିବା ବର୍ଗମାନଙ୍କୁ କେତେକ ସ୍ବତନ୍ତ୍ର ସୁବିଧା ଦେବା ଓ ସବୁ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ମଧ୍ୟରେ ଏକ ଭାରସାମ୍ୟ ରଖିବା ଏ ଧରଣର ରାୟର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏ ଧରଣର ରାୟକୁ ଏକତରଫା ବା ଅଯୌକ୍ତିକ ବୋଲି କୁହାଯାଇପାରିବ ନାହିଁ। ବିଚାରପତିମାନେ କହିଛନ୍ତି ଯେ, ମରାଠାମାନଙ୍କ ପାଇଁ ସ୍ବତନ୍ତ୍ର କୋଟା ସମ୍ବିଧାନର ଧାରା ୧୪ ଅନୁସାରେ ଦିଆଯାଇଥିବା ସମାନତା ଅଧିକାର ଓ ଧାରା ୨୧ରେ ଥିବା ଉଚିତ ଆଇନଗତ ପଦ୍ଧତିର ଉଲ୍ଲଙ୍ଘନ କରୁଛି।

ହଜାର ହଜାର ବର୍ଷ ଧରି ଭାରତର ଜାତି ଭିତ୍ତିିକ ସାମାଜିକ ବ୍ୟବସ୍ଥା ଯୋଗୁଁ ପଛରେ ପଡ଼ିଥିବା ଗୋଷ୍ଠୀମାନଙ୍କୁ ଆଗକୁ ଆଣିବା ପାଇଁ ସ୍ବାଧୀନତା ପରେ ଯେଉଁ ଆରକ୍ଷଣ ବ୍ୟବସ୍ଥା କରାଯାଇଥିଲା ଓ ଯାହା ଏହି ୭୦ ବର୍ଷରୁ ଅଧିକ କାଳ ମଧ୍ୟରେ ସମାନତା ଆଣିବ ବୋଲି ଆଶା କରାଯାଉଥିଲା, ତାହା ଓଲଟା ହେବାର ଦେଖାଯାଉଛି। ଏବେ ସମାଜରେ ଆଗୁଆ ଓ ସ˚ଖ୍ୟାଧିକ ବର୍ଗଗୁଡ଼ିକ ସରକାରୀ ଚାକିରି କ୍ଷେତ୍ରରେ ଆରକ୍ଷଣ ପାଇଁ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ମରାଠାମାନଙ୍କ ପରି ଗୁଜରାଟର ଅନ୍ୟତମ ଶକ୍ତଶାଳୀ ଗୋଷ୍ଠୀ ‘ପଟେଲ’, ହରିଆଣା, ଉତ୍ତର ପ୍ରଦେଶର ‘ଜାଠ’, ଆନ୍ଧ୍ରର ‘କାପୁ’ମାନେ ସମାଜରେ ଶକ୍ତିଶାଳୀ ଗୋଷ୍ଠୀ ବୋଲି ପରିଗଣିତ ହେଉଥିଲେ ମଧ୍ୟ, ସରକାରୀ ଚାକିରିରେ ଆରକ୍ଷଣ ଚାହାନ୍ତି। ଏହି ଦାବି କଲା ବେଳେ ସେମାନେ ବ୍ୟାପକ ହି˚ସାକାଣ୍ତ ଭିଆଉଛନ୍ତି ମଧ୍ୟ। ଏପରିକି ପଛୁଆ ବର୍ଗ ବୋଲି ପରିଗଣିତ ରାଜସ୍ଥାନର ‘ଗୁଜ୍ଜର’ମାନେ ‘ଆଦିବାସୀ’ ମାନ୍ୟତା ପାଇବାକୁ ଦାବି କରି ବର୍ଷ ବର୍ଷ ଧରି ହି˚ସ୍ର ଆନ୍ଦୋଳନ କରିଆସିଛନ୍ତି।

ପଟେଲମାନେ ଗୁଜରାଟର ସବୁଠୁଁ ସ˚ବୃଦ୍ଧ ଓ ପ୍ରଭାବଶାଳୀ ଜାତି ବୋଲି ସାରା ଦେଶରେ ଏକ ଧାରଣା ପ୍ରଚଳିତ। କୃଷି, ବ୍ୟବସାୟ, ଶିଳ୍ପ, ରାଜନୀତି, ଡାକ୍ତରୀ ଇତ୍ୟାଦି କ୍ଷେତ୍ରରେ ସେମାନେ ସଫଳ ହୋଇଛନ୍ତି। ପାଶ୍ଚାତ୍ୟ ଦେଶମାନଙ୍କରେ ସେମାନେ ବେଶ୍‌ ପ୍ରତିଷ୍ଠିତ। ସତୁରି ଦଶକ ପୂର୍ବରୁ ପୂର୍ବ ଆଫ୍ରିକାର ଦେଶମାନଙ୍କରେ ବ୍ୟବସାୟକୁ ସେମାନେ ଏକଚାଟିଆ କରି ନେଇଥିଲେ। ସେଥି ପାଇଁ ଉଗାଣ୍ତାର ତଦାନୀନ୍ତନ ଏକଛତ୍ରବାଦୀ ରାଷ୍ଟ୍ରପତି ଇଦି ଅମିନ ସେମାନଙ୍କୁ ଦେଶରୁ ତଡ଼ି ଦେଇଥିଲେ। ସେମାନେ କିନ୍ତୁ ବର୍ଷାଧିକ କାଳ ଧରି ସାରା ଗୁଜରାଟରେ ଆନ୍ଦୋଳନ କଲେ ଓ ସେମାନଙ୍କର ଏକ ଯୁବନେତା ହାର୍ଦ୍ଦିକ ପଟେଲ ସୃଷ୍ଟି ହୋଇଥିଲେ, ଯିଏ ଏବେ ଏକ ପ୍ରକାର ଅଦୃଶ୍ୟ ବୋଲି କହିଲେ ଚଳେ।

ହରିଆଣାରେ ଜାଠମାନେ କେତେ ବର୍ଷ ତଳେ ନିଜେ ପଛୁଆ ବର୍ଗରେ ପଶି ସରକାରୀ ଚାକିରି ପାଇବାକୁ ଦାବି କରି ୨୦୦୦ କୋଟି ଟଙ୍କାର ସଂପତ୍ତି ନଷ୍ଟ କରିଦେଇଥିଲେ। ଜାଠମାନେ ଏକ ଦଶନ୍ଧି ପୂର୍ବରୁ ପଛୁଆ ବର୍ଗରେ ପଶିବା ପାଇଁ ଆନ୍ଦୋଳନ କରି ପଶ୍ଚିମ ଉତ୍ତର ପ୍ରଦେଶ ଦେଇ ଯାଉଥିବା ସବୁ ଟ୍ରେନଗୁଡ଼ିକୁ ମାସ ମାସ ଧରି ଅଟକାଇ ରଖିଥିଲେ।
ଆଦିବାସୀ ହେବାକୁ ଦାବିକରି ରାଜସ୍ଥାନର ଗୁଜ୍ଜରମାନେ କେତେ ବର୍ଷ ତଳେ ଲଗାତର ୫/୭ ବର୍ଷ ଧରି ପ୍ରତି ବର୍ଷ ୩ ମାସ ଆନ୍ଦୋଳନ କରି ରେଳ ପଥକୁ ତାଡ଼ି ପକାଉଥିଲେ ଓ ସେ ରାଜ୍ୟ ଦେଇ ମାସ ମାସ ଧରି ଟ୍ରେନ ଚଳାଚଳ କରୁ ନ ଥିଲା।
ଏବେ ଆହୁରି ଦୁଇଟି ପ୍ରସ˚ଗ ଉଠିଲାଣି। କେତେକ ରାଜ୍ୟ ଘୋଷଣା କଲେଣି ଯେ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ସେମାନେ ନିଜ ରାଜ୍ୟରେ ଚାକିରି କରିବାକୁ ଦେବେନାହିଁ। କେବଳ ତାଙ୍କରି ରାଜ୍ୟରେ ଥିବା ଲୋକମାନେ ୭୫%ରୁ ଅଧିକ ଏ ଧରଣର ଚାକିରି ପାଇବା ପାଇଁ ହକଦାର ହେବେ। ପୂର୍ବରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିଆଣା ଆଦି ରାଜ୍ୟମାନେ ଏପରି ଘୋଷଣା କରିଛନ୍ତି। କିନ୍ତୁ ବାହାରୁ ଯାଉଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ନ ହେଲେ ବିଭିନ୍ନ ରାଜ୍ୟରେ ଶିଳ୍ପ କାରଖାନା ଚାଲି ପାରିବ ନାହିଁ। ଏ କଥା ଶିଳ୍ପ ସଂଗଠନମାନେ ନିଜେ ଉଠା ଉଛନ୍ତି। ଓଡ଼ିଆ ଶ୍ରମିକ ନହେଲେ ଗୁଜୁରାଟର ସୂତାକଳଗୁଡ଼ିକ ଚଳିବ ନାହିଁ। ଉତ୍ତର ପ୍ରଦେଶ, ବିହାରର କୃଷି ଶ୍ରମିକ ନ ହେଲେ ପଞ୍ଜାବ, ହରିଆଣାର କୃଷି ଉତ୍ପାଦନ ହୋଇପାରିବ ନାହିଁ। କେରଳର ଅଧେ ଲୋକ ମଧ୍ୟପ୍ରାଚ୍ୟକୁ କାମ ପାଇଁ ପଳାଇ ଯାଇଥିବାରୁ ସେଠାକାର କୃଷି ଓ ଶିଳ୍ପ ଉଭୟ ପାଇଁ ପୂର୍ବ ଭାରତର ଶ୍ରମିକଙ୍କର ଏକାନ୍ତ ଆବଶ୍ୟକତା ରହିଛି। ଶିଳ୍ପମାନେ ସ୍ପଷ୍ଟ କହୁଛନ୍ତି ଯେ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସେମାନେ କାରଖାନା ଚଳାଇ ପାରିବେନାହିଁ। ବାହାର ଶ୍ରମିକ ନ ହେଲେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଶିଳ୍ପ, ବ୍ୟବସାୟ ଚାଲିପାରିବ ନାହିଁ।

କେନ୍ଦ୍ର ସରକାର ସାଧାରଣ ବର୍ଗ ଭିତରେ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆମାନଙ୍କୁ ୧୦% ଆରକ୍ଷଣ ଦେବେ ବୋଲି ବର୍ଷାଧିକ କାଳ ତଳେ ଯେଉଁ ଘୋଷଣା କରିଛନ୍ତି ତାହା ୫୦% ସୀମାକୁ ଅତିକ୍ରମ କରୁଛି। ଏଣୁ ଆଗାମୀ ଦିନରେ ଏହି ଆରକ୍ଷଣ ଦିଆଯାଇପାରିବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ନିର୍ଣ୍ଣୟ ହେବ।

ଦିନକୁ ଦିନ ସରକାରୀ ଚାକିରିର ସ˚ଖ୍ୟା କମୁଥିଲା ବେଳେ ଓ ଘରୋଇ ଚାକିରିର ସ˚ଖ୍ୟା ବଢୁଥିଲା ବେଳେ ଶକ୍ତଶାଳୀ ଜାତିମାନେ ସରକାରୀ ଚାକିରି ପାଇଁ ଏତେ ଜୋର ଲଗାଇବାର କାରଣ କ’ଣ? ନିଶ୍ଚିତ ଭାବରେ କାରଣଟି ହେଉଛି, ସରକାରୀ ଚାକିରିରେ କାମ ନକଲେ ମଧ୍ୟ ଚଳେ। ଏହା ଛଡ଼ା ଏଥିରେ ଦୁର୍ନୀତିଗ୍ରସ୍ତ ଉପାୟରେ ପଇସା ରୋଜଗାର କରିବା ମଧ୍ୟ ସମ୍ଭବ। ଏହା ଛଡ଼ା ଏହି ଚାକିରିରେ ହାକିମାତି ମଧ୍ୟ ସମ୍ଭବ। ଏହା ହିଁ ହେଉଛି ମୁଖ୍ୟ କାରଣମାନ ଯେଉଁଥିପାଇଁ ସରକାରୀ ଚାକିରି ଉପରେ ସମସ୍ତଙ୍କର ଲୋଭ।

ଅଦାଲତମାନେ ଅରକ୍ଷଣକୁ ନେଇ ଅଲଗା ଅଲଗା ସମୟରେ ଅଲଗା ଅଲଗା ରାୟ ନ ଦିଅନ୍ତୁ; ଏବେ ଯେମିତି ବମ୍ବେ ହାଇକୋର୍ଟ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟମାନେ ଗୋଟିଏ ସିଦ୍ଧାନ୍ତରେ ସଦାବେଳେ ଦୃଢ଼ ରହିଲେ ସେହି ଗୋଟିଏ କଥାକୁ ନେଇ ବିଭିନ୍ନ ଗୋଷ୍ଠୀମାନେ ଅଦାଲତ ପାଖକୁ ବାରମ୍ବାର ଦୌଡ଼ନ୍ତେ ନାହିଁ।

[email protected]
ମୋ- ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର