ଆଗକୁ ଯିବାର ରାସ୍ତା

ମହାମାରୀ ଚିନ୍ତନ - ଅମର ପଟ୍ଟନାୟକ

ଭାରତରେ କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁ ସକରାତ୍ମକ ମାମଲା ଏବଂ ମୃତ୍ୟୁ ଆଶଙ୍କା ବଢ଼ିବାରେ ଲାଗିଛି। ଭାଇରସ୍‍ର ବିସ୍ତାରକୁ ରୋକିବା ପାଇଁ ଅନେକ ରାଜ୍ୟକୁ ପୁଣି ଥରେ ସୀମିତ ଲକଡାଉନ୍ ଲଗାଇବାକୁ ବାଧ୍ୟ କରାଯାଇଛି। ପୂର୍ବ ମହାମାରୀ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ପାଇଥିବା ଶିକ୍ଷାରୁ ଆମକୁ କିଛି ଶିଖିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ।

୧୯୧୮ର ସ୍ପେନୀୟ ଫ୍ଲୁ ମହାମାରୀରୁ ଶିକ୍ଷା ମିଳିଛି ଯେ ଦ୍ୱିତୀୟ ଲହରୀ ସବୁଠାରୁ ମାରାତ୍ମକ ଥିଲା। ଏଥିରେ ଅଳ୍ପ ସମୟ ମଧ୍ୟରେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ଏବଂ ମୃତ୍ୟୁ ବରଣ କରିଥିଲେ। ଏବେ ଅନେକ ଦେଶ ଏକ ପ୍ରମୁଖ ଦ୍ୱିତୀୟ ଲହରୀ ଏବଂ କିଛି ଦେଶ ତୃତୀୟ ଲହରୀ ମଧ୍ୟ ଦେଖି ସାରିଲେଣି; ତେଣୁ, ଭାରତରେ ପରିସ୍ଥିତି ଭିନ୍ନ ହେବ ବୋଲି ଭାବିବାର କୌଣସି କାରଣ ନ ଥିଲା। ଏବେ ଭୂତାଣୁଙ୍କର କିଛି ନୂତନ ପ୍ରକାର ହଠାତ୍ ବାହାରି ପଡ଼ି ଏହି ଜଟିଳ ପରିସ୍ଥିତି ସୃଷ୍ଟି କରିଛନ୍ତି। ଯଦିଓ ପ୍ରଥମ ଲହରୀକୁ ନିୟନ୍ତ୍ରଣ କରିବାରେ କିଛିଟା ସଫଳ ହୋଇଥିଲୁ, ଇତିହାସରୁ ଶିକ୍ଷା ଲାଭ କରିବାର ଥିଲା ଯେ ସମ୍ଭାବ୍ୟ ଦ୍ୱିତୀୟ ଏବଂ ତୃତୀୟ ଲହରୀ ପ୍ରାୟ ନିଶ୍ଚିତ ଏବଂ ବହୁ ଅଧିକ ମାରାତ୍ମକ ହୋଇପାରେ।

ପ୍ରଥମ ଲହରୀ ସମୟରେ ନିୟୋଜିତ ଜରୁରୀ କାଳୀନ ଚିକିତ୍ସା ଭିତ୍ତିଭୂମି ଭଙ୍ଗ କରିବା ଏବଂ ସାମାଜିକ ଦୂରତା ପ୍ରତିବନ୍ଧକୁ ଶୀଘ୍ର ହଟାଇବା ପରିବର୍ତ୍ତେ ନଭେମ୍ବର-ଫେବ୍ରୁଆରି ମଧ୍ୟରେ ମାମଲା ଟିକେ ହ୍ରାସ ପାଇଥିବା ବେଳେ ଜନସ୍ୱାସ୍ଥ୍ୟ ଯୋଜନା ଏବଂ ଯୋଗାଯୋଗକୁ ଆହୁରି ଅଧିକ ମଜଭୁତ କରାଯିବା ଉଚିତ ହୋଇଥାଆନ୍ତା। ତେବେ, ଏହା ଦୋଷ ଦେଖାଇବାର ସମୟ ନୁହେଁ। ଏଥିରୁ ଆମେ ଶିଖିବା ଉଚିତ ଏବଂ ତ୍ରୁଟିର ଶୀଘ୍ର ସଂଶୋଧନ କରିବା ଆବଶ୍ୟକ!

ଆମ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ (ଯାହା ମହାମାରୀ ରୋଗ ଆଇନ ବ୍ୟତୀତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପ୍ରତିଷ୍ଠା କରିଥିଲା) ଅନୁସାରେ ପ୍ରଥମ ଲହରୀ ପରେ ଆମର ସମସ୍ତ ପ୍ରୟାସ କେବଳ ବିପର୍ଯ୍ୟୟ ପରବର୍ତ୍ତୀ ପ୍ରତିକ୍ରିୟା ଏବଂ ପୁନରୁଦ୍ଧାରରେ ସୀମିତ ରହିଲା। ତେଣୁ, ଆମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀର ଅନ୍ୟ ଜରୁରୀ ତତ୍ତ୍ୱ ଉପରେ ବିବେଚନା କରିବା ଉଚିତ; ଯେପରି ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି ଏବଂ କ୍ଷତିକୁ କିଭଳି ହ୍ରାସ କରାଯାଇପାରିବ ତାର ଯୋଜନା। ଆମ ପାଇଁ ପ୍ରଥମ ଲହରୀ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ, ସେତେବେଳେ ଆମେ ବିନା କୌଣସି ପ୍ରସ୍ତୁତିରେ ଏହାର ସାମନା କରିଥିଲୁ। ତେଣୁ ଦ୍ବିତୀୟ ଲହରୀ ସମୟରେ ଆମେ ଅଧିକ ଜାଗ୍ରତ ରହିଥିଲେ ଭଲ ହୋଇଥାଆନ୍ତା।

ଏବେ ଜାତୀୟ ସ୍ତରରେ ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନା ଓ ପୁନରୁଦ୍ଧାର ରଣନୀତି ସହିତ ଆମେ ଏକ ପୂର୍ଣ୍ଣକାଳୀନ ପ୍ରସ୍ତୁତି ‘ମୋଡ୍‌’ରେ ରହିବା ଉଚିତ। ଉଦାହରଣ ସ୍ବରୂପ ଗଲା ୧୯୯୯ର ମହାବାତ୍ୟା ପରେ ଓଡ଼ିଶା ପ୍ରାୟ ୧୦୦୦ଟି ବହୁ ଉଦ୍ଦେଶ୍ୟ ବିଶିଷ୍ଟ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିଥିଲା। ଯଦିଓ ଏଗୁଡ଼ିକ ବର୍ଷର ଅଧିକାଂଶ ସମୟରେ ଅବ୍ୟବହୃତ ହୋଇ ପଡ଼ି ରହେ, ବାତ୍ୟା କିମ୍ବା ବନ୍ୟା ହେତୁ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ। ବଡ଼ ବଡ଼ ବାତ୍ୟା ବିପର୍ଯ୍ୟୟ ବେଳେ ଶୂନ୍ୟ ଜୀବନ ହାନି ଏବଂ ସ୍ବଳ୍ପ ସମ୍ପତ୍ତି ନଷ୍ଟ ଦୃଷ୍ଟିରୁ ଓଡ଼ିଶା ସର୍ବତ୍ର ପ୍ରଶଂସିତ, ଏପରିକି ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ମଧ୍ୟ, ଯାହା ଏପରି ସୁଦୃଢ଼ ପ୍ରସ୍ତୁତିର ଫଳ।

ଗଲା ଶତାବ୍ଦୀର ନବମ ଦଶକରୁ ସାର୍ସ, ମର୍ସ ଏବଂ ଇବୋଲା ଭାଇରସ୍ ପୃଥିବୀର କେତେକ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହିପରି ମହାମାରୀର ଆଶଙ୍କା ରହିଥିବାରୁ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପରି ଅନୁଷ୍ଠାନଗୁଡ଼ିକୁ ଅନାବଶ୍ୟକ ଭାବରେ ଦେଖାଯିବା ଅନୁଚିତ, ବରଂ ଏହା ଏବେ ବହୁତ ପ୍ରାସଙ୍ଗିକ। ଯଦି ଗଲା ବର୍ଷ ‘ଏନ୍‌.ଡି.ଏମ୍‌.ଏ.’କୁ କାର୍ଯ୍ୟକ୍ଷମ କରାଯାଇ ଥାଆନ୍ତା, ତେବେ ବର୍ତ୍ତମାନ ଦେଶ ସମ୍ମୁଖୀନ ହେଉଥିବା ଅମ୍ଳଜାନ, ଡାକ୍ତରଖାନା ଶଯ୍ୟା ଏବଂ ଆଇସିୟୁ ଅଭାବ ଭଳି ସମସ୍ୟାର ମୁକାବିଲା କରିବା ସହଜ ହୋଇଥାଆନ୍ତା। ତେବେ, ଏକ ନିରନ୍ତର ପ୍ରସ୍ତୁତି ଲାଗି ଉଦ୍ୟମ ଆବଶ୍ୟକ। ଏଥି ପାଇଁ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହାମାରୀ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରାଯିବା ସହିତ ସ୍ୱଳ୍ପ କାଳୀନ ନୋଟିସରେ କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତୁତ ରଖିବାକୁ ହେବ। ଅମ୍ଳଜାନ, ଶଯ୍ୟା, ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍‌ସ ଆଦିକୁ ପ୍ରସ୍ତୁତ କରି ରଖାଯିବା ସହିତ ଡାକ୍ତର, ନର୍ସ ଏବଂ ଟେକ୍‌ନିସିଅାନଙ୍କ ଉପଲବ୍‌ଧତା ପାଇଁ ବ୍ୟବସ୍ଥା ରହିବା ଦରକାର। ମହାମାରୀର ପ୍ରଥମ ଲହରୀ ସମୟରେ ଓଡ଼ିଶାରେ ତାହା କରା ଯାଇଥିଲା। ଯଦିଓ ପ୍ରଥମ ଥର ପାଇଁ ମହାମାରୀର ସମ୍ମୁଖୀନ ହେଉଥିଲେ, ତଥାପି ଓଡ଼ିଶା ସରକାର ବିଭିନ୍ନ ବର୍ଗକୁ ଜଡ଼ିତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ପାଇଁ ବିଶେଷ କରି ଗ୍ରାମାଞ୍ଚଳରେ- ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ମାନଙ୍କୁ ସଂଶ୍ଳିଷ୍ଟ କରିବା ଠାରୁ ଆରମ୍ଭ କରି ସରପଞ୍ଚଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କ୍ଷମତା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ନୂତନ ଚିନ୍ତାଧାରା ଦିଶିଥିଲା। ଆମ ରାଜ୍ୟରେ ଭିନ୍ନ ଭାବେ କୋଭିଡ୍ ଡାକ୍ତରଖାନା ପ୍ରସ୍ତୁତ କରାଯାଇଥିଲା ଏବଂ ମାଇକ୍ରୋ-କଣ୍ଟେନ୍‍ମେଣ୍ଟ ଜୋନ୍‌ ରଣନୀତିକୁ ଆପଣା ଯାଇଥିଲା, ଯାହା ସଫଳ ହୋଇଥିଲା।

ଦ୍ବିତୀୟ ଲହରୀ ଶୀଘ୍ର ସମାପ୍ତ ହେଉ ବୋଲି ଆମେ ସମସ୍ତେ ପ୍ରାର୍ଥନା କରୁଛୁ। କିନ୍ତୁ ଭବିଷ୍ୟତ୍‌ରେ ଏଭଳି ଖରାପ ସମୟକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିବା ମଧ୍ୟ ଜରୁରୀ। ସେଥି ପାଇଁ ଜନ-ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସର୍ବାଧିକ ଜରୁରୀ। କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା ନ କରି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF)ରେ କାର୍ଯ୍ୟ କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଇବା ଉଚିତ। ଏବେ ତ ସାମାଜିକ ଦୂରତା ରଖିବା ଏବଂ ମାସ୍କ ପିନ୍ଧିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ରାଜ୍ୟ ସରକାର ଏହାକୁ ଦୃଢ଼ ମୁଷ୍ଟିରେ ଲାଗୁ କରନ୍ତୁ।ତା ସହିତ ଦ୍ରୁତ ଓ ଅଧିକ ପରୀକ୍ଷଣ ମଧ୍ୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଟିକାକରଣ ମଧ୍ୟ ଅନ୍ୟତମ ସର୍ବାଧିକ ଗୁରୁତ୍ବର କେନ୍ଦ୍ର ହେବା ଜରୁରୀ। ଅନ୍ତତଃ ଦ୍ବିତୀୟ ତରଙ୍ଗର ଶିକ୍ଷା ଆମକୁ ସର୍ବକାଳୀନ ଭାବେ ଯେ କୌଣସି ମହାମାରୀର ସାମନା କରିବାକୁ ପ୍ରସ୍ତୁତ କରୁ।

ବିଜେଡି ରାଜ୍ୟସଭା ସାଂସଦ ତଥା ପୂର୍ବତନ ସିଏଜି

ସମ୍ବନ୍ଧିତ ଖବର