ଭୋର ଚାରିଟା ବାଜିଗଲେ ଆଲାର୍ମ ବାଜେ ଓ ନିଦ ଭାଙ୍ଗିଯାଏ। ତା ପରେ ତରତର ହୋଇ ଗୋଟିଏ ପଲିଥିନ ବ୍ୟାଗ, ଟର୍ଚ୍ଚ ଲାଇଟ ଓ ଛୋଟ ଆଙ୍କୁଡ଼ିଟିଏ ଧରି ଆମେ ବାହାରିପଡୁ। ପାଖ ପଡ଼ୋଶୀଙ୍କ ପାଚେରୀ ଉପରେ ଚଢ଼ି ଫୁଲ ସଂଗ୍ରହ କରୁ। ବ୍ୟାଗ ଭର୍ତ୍ତି ନ ହେବା ପର୍ଯ୍ୟନ୍ତ ଘରକୁ ଫେରିବାକୁ ଇଚ୍ଛା ହୁଏନି। ଠାକୁରଙ୍କ ପାଖରେ ଯେତେ ଅଧିକ ଫୁଲ ଦେବ, ମନୋକାମନା ସେତେ ଦ୍ରୁତ ପୂରଣ ହେବ। ଶନିବାର ସକାଳୁ ନିକଟସ୍ଥ ଶନି ମନ୍ଦିରରେ ଶନିଦେବଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲି ଯାଏ। ଗାଡ଼ି ମଟରର ଭିଡ଼ ଜମେ। ଉଦ୍ଦେଶ୍ୟ, ଅଭିଳାଷ ସିଦ୍ଧି। ହଜାର ହଜାର ଭକ୍ତଙ୍କର କାଉଡ଼ି ଯାତ୍ରା ରାସ୍ତାରେ ଲମ୍ବେ। ଉଦ୍ଦେଶ୍ୟ, ମନୋକାମନା ପୂରଣ। ମନ୍ଦିରରେ ଭକ୍ତଙ୍କ ଭିଡ଼, ରଥ ଯାତ୍ରା, କୁମ୍ଭ ମେଳା, ସବୁରି ପଛରେ ମନୁଷ୍ୟର ଗୋଟିଏ ଇଚ୍ଛା ରହିଥାଏ, ମନୋକାମନା ପୂରଣ। ସମସ୍ତ ଜୀବଜଗତ୍ ଯେଉଁ ଅନ୍ତର୍ମୂଖୀ ଚେତନା ବଳରେ ତିଷ୍ଠି ରହିଛି, ତାହା ହେଉଛି ତାର ବଞ୍ଚିବାର ଇଚ୍ଛା। ଏ ଇଚ୍ଛା ପୂରଣ ପାଇଁ ମନୁଷ୍ୟ ସଦା ଚେଷ୍ଟିତ ଥିବାବେଳେ ତା ସାମନାରେ କେବଳ ଗୋଟିଏ ଲକ୍ଷ୍ୟ ରହିଥାଏ; ଅତୃପ୍ତ ଅଭିଳାଷ ଗୁଡ଼ିକର ପରିପୂରଣ। ବର୍ଣ୍ଣାର୍ଡ ଶ’ କହିଥିଲେ, ‘ଜୀବନରେ ଦୁଇଟି ବଡ଼ ଦୁଃଖ ଥାଏ। ଗୋଟିଏ ହେଲା ଅଭିଳଷିତ ବସ୍ତୁକୁ ନ ପାଇବା ଓ ଅନ୍ୟଟି ତାହା ପାଇଯିବା”।
ମନେ କରନ୍ତୁ, ଯଦି ଚାହିଁଲା ମାତ୍ରେ ମନୁଷ୍ୟର ସମସ୍ତ ଇଚ୍ଛା ପୂରଣ ହୋଇ ଯାଉଥାନ୍ତା, ତାହେଲେ କ’ଣ ହୁଅନ୍ତା? ଜୀବନ ଧାରଣ ସଂପୂର୍ଣ୍ଣ ଅସମ୍ଭବ ହୋଇପଡ଼ନ୍ତା। ମନୁଷ୍ୟ ତା ସମୟ କେମିତି କାଟନ୍ତା? କାମ କିଛି ନ ଥାଇ ବିରକ୍ତିରେ ସେ ଆତ୍ମହତ୍ୟା କରିଦିଅନ୍ତା। ସମଗ୍ର ବିଶ୍ବରେ ଯୁଦ୍ଧର ଘନଘଟା ବ୍ୟାପି ଯାଆନ୍ତା। ବର୍ତ୍ତମାନ ଠାରୁ ଅଧିକ ଦୁଃଖ ତାକୁ ଭୋଗିବାକୁ ପଡ଼ନ୍ତା, କିମ୍ବା ଇଚ୍ଛା ସହିତ ଇଚ୍ଛା ମାନଙ୍କର ସଂଘାତରୁ କୌଣସି ଇଚ୍ଛା ପୂରଣ ହୋଇ ପାରନ୍ତାନି। ଉଦାହରଣଟିଏ ନେବା: ସକାଳୁ ଔଷଧ ବ୍ୟବସାୟୀଟି ଦୋକାନ ଖୋଲି ଠାକୁରଙ୍କୁ ଫୁଲ ଦେଇ କ’ଣ ଇଚ୍ଛା କରେ? ଆଜି ଅଧିକରୁ ଅଧିକ ବିକ୍ରି ହେଉ, ବା ପରୋକ୍ଷରେ କହିଲେ ଆଜି ଅଧିକରୁ ଅଧିକ ଲୋକ ବେମାର ପଡ଼ନ୍ତୁ। ତେଣେ ଲୋକମାନଙ୍କର ଠାକୁରଙ୍କ ପାଖରେ କ’ଣ ଅଭିଳାଷ ଥିବ? ଆଜି ଦିନଟି ମୋର ସୁସ୍ଥରେ ବିତୁ। ଏବେ ଠାକୁର କାହାର ଇଚ୍ଛା ପୂରଣ କରିବେ? କିଛି ଦିନ ତଳେ ହିନ୍ଦୀ ସିନେମାଟିଏ ଆସିଥିଲା, ‘ଗଡ୍ ତୁସ୍-ସି ଗ୍ରେଟ ହୋ’। ଇଂରେଜୀ ସିନେମା ‘ବ୍ରୁସ୍ ଅଲମାଇଟ୍’ର ନକଲରେ ନିର୍ମିତ ଏଇ ଚଳଚ୍ଚିତ୍ରର କାହାଣୀଟି ଏହିପରି: ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରେମରେ ବିଫଳ ସିନେମାର ନାୟକ ନିଜ ବିଫଳତା ପାଇଁ ଭଗବାନଙ୍କୁ ଦୋଷ ଦେଇଛି। ଫଳତଃ, ଭଗବାନ ତାକୁ ଦଶ ଦିନ ପାଇଁ ନିଜର ଐଶ୍ୱରୀୟ କ୍ଷମତା ପ୍ରଦାନ କରି ବିଶ୍ବକୁ ପରିଚାଳନା କରି ଦେଖାଇବାକୁ କହିଛନ୍ତି। ନାୟକ ଭାବିଛି ଯେ, ଇଚ୍ଛା ପୂରଣ ହେଲେ ସମସ୍ତେ ସୁଖୀ ହୋଇଯିବେ। ତେଣୁ ସେ ସମସ୍ତଙ୍କ ଇଚ୍ଚା ଚାହିଁବା ମାତ୍ରେ ପୂରଣ ହେବାର ନିର୍ଦ୍ଦେଶ ଦେଇଛି। ଯେଉଁଦିନ ତାର ପ୍ରତିଦ୍ୱନ୍ଦ୍ବୀ ନାୟକର ପ୍ରେମିକାକୁ ପାଇବାକୁ ଇଚ୍ଛା କରିଛି, ସେତେବେଳେ ସେ ବୁଝିପାରିଛି ଯେ ଜୀବଜଗତ୍ର ପରିଚାଳନା କେତେ କଷ୍ଟ।
ଆମେମାନେ ସର୍ବଦା ନିଜର ମନୋକାମନା ପୂରଣ ପାଇଁ ହିଁ ଲାଗି ଥାଉ ଓ ସେଇ କାମରେ ଜୀବନ ବିତାଇ ଦେଉ। ତଥାପି ଆମେ କାହିଁକି ଅତୃପ୍ତ ରହୁ? ଆମର ବିଶ୍ବାସ ଯେ ଆମର ଅଭିଳାଷ ଗୁଡ଼ିକ ପୂରଣ ହୋଇଗଲେ ଆମର ଜୀବନ ଆନନ୍ଦମୟ ହେବ। କିନ୍ତୁ ସେଇ ଆନନ୍ଦ ପାଖରେ ଆମେ ପହଞ୍ଚି ପାରୁକି? ଗୋଟିଏ ଇଚ୍ଛା ଆମର ପୂରଣ ହେଉ ନ ହେଉଣୁ ଅନ୍ୟଗୋଟିଏ ଇଚ୍ଛା ସୃଷ୍ଟି ହୋଇ ସାରିଥାଏ। ପୂର୍ବ ଇଚ୍ଛାଟିର ପୂରଣ ଜନିତ ଆନନ୍ଦ ଆଉ ମନରେ ନଥାଏ, କାରଣ ଦ୍ବିତୀୟ ଇଚ୍ଛାଟିର ଅପୂର୍ତ୍ତି ମନରେ ଦୁଃଖ ଭରି ସାରିଥାଏ। ଅଭିଳାଷର ଅର୍ଥ ହେଉଛି ଅଭିଳଷିତ ପଦାର୍ଥଟି ଆମ ପାଖରେ ନାହିଁ, ତେଣୁ ତାର ଅଭାବ ଜନିତ ପୀଡ଼ା ଆମ ମନରେ ରହିଛି। ଏ ପୀଡ଼ା ଚିରସ୍ଥାୟୀ, କାରଣ ଆମର ଅଭିଳାଷ ଗୁଡ଼ିକ ଅନନ୍ତ। କବି ମୀର୍ଜା ଘାଲିବଙ୍କର କବିତାଟିଏ ପଢ଼ିଥିବେ: ‘ହଜାରୋଁ ଖ୍ବାହିଶେଁ ଐସି କି ହର୍ ଖ୍ବାହିଶ ପେ ଦମ୍ ନିକଲେ; ବହୁତ୍ ନିକଲେ ମେରେ ଅରମାନ୍, ଲେକିନ ଫିର ଭି କମ୍ ନିକଲେ’। ଏହାର ଅର୍ଥ, ‘ଅନନ୍ତ ଇଚ୍ଛା ମୋର, ପୂରଣ ପାଇଁ ମୁଁ ସଦାଭିଳାଷୀ, ପାଇଛି ତ ଅନେକ ତଥାପି ଅନେକ ବାକି’।
ଆମ ମନରେ ଇଚ୍ଛାଗୁଡ଼ିକ ପଛକୁ ପଛ ସୃଷ୍ଟି ହୁଅନ୍ତି। ପ୍ରାତଃ ଭୋଜନ କଲା ବେଳେ ଆପଣଙ୍କର ଇଚ୍ଛା ହେଲା, ଟିକିଏ ଫ୍ୟାନ୍ ଚଳେଇଲେ। ଖାଉଖାଉ ସମ୍ବାଦ ଶୁଣିବାକୁ ଟିଭି ଲଗେଇଲେ। ଝରକା ଖୋଲି ଫୁଲ ବଗିଚା ଓ ଦୂର ଦିଗବଳୟ ଦେଖିଲେ। ତାପରେ ଭାବିଲେ, ଏସି ଗୋଟିଏ ଲଗେଇବା। ଟଙ୍କା ସଞ୍ଚୟ କରି ଏସିଟିଏ ଲାଗିଗଲା। ଝରକା ବନ୍ଦ ହୋଇଗଲା। ତା ପରେ ମନକୁ ଆସିଲା, ଖାଇବା ବେଳେ ବଗିଚାଟି ଆଉ ଦେଖି ହେଉନି। କାଠର ଝରକା ବଦଳରେ କାଚ ଝରକା ଲଗେଇଲେ। ଏପରି ପଛକୁ ପଛ ଇଚ୍ଛାର ତାଲିକା ବଢ଼ି ଚାଲିଲା। ଏହା ମଧ୍ୟରୁ ଭୋଜନ ହିଁ ଥିଲା ଆପଣଙ୍କର ଆବଶ୍ୟକତା। ଏ ଇଚ୍ଛା ରହିବ। ଅନ୍ୟଗୁଡ଼ିକ ଗୋଟିଏ ପରେ ଗୋଟିଏ ଆମର ଆସକ୍ତି। ଏ କଥା ଅବଶ୍ୟ ଠିକ୍ ଯେ, ଇଚ୍ଛାର କ୍ରମ ପ୍ରବାହ ନ ରହିଲେ କାର୍ଯ୍ୟ-କାରଣର ସଂପର୍କ ବ୍ୟାହତ ହୋଇ ଆମର କୌଣସି କାର୍ଯ୍ୟ ଠିକ୍ରେ ହୋଇ ପାରିବନି। ଇଚ୍ଛା ମଧ୍ୟ ସଫଳତାର ପ୍ରାରମ୍ଭ ବିନ୍ଦୁ। ଇଚ୍ଛା ହିଁ ଆମକୁ ଜୀବନର ରାସ୍ତା ଚିହ୍ନାଏ ଓ ଅର୍ଥ ବୁଝାଏ। ଏ ଲେଖାଟି ଆପଣ ପଢୁଛନ୍ତି ଅର୍ଥ, ପଢ଼ିବା ପାଇଁ ଆପଣ ନିଜ ଇଚ୍ଛା ଦ୍ବାରା ପ୍ରେରିତ ହୋଇଛନ୍ତି। ଆମେ ସମସ୍ତେ ଏକ ଏକ ଇଚ୍ଛାରୁ ସୃଷ୍ଟି ହୋଇଛେ।
ଏସବୁ ସତ୍ତ୍ବେ ଆମେ ଆମର ଅଭିଳାଷଗୁଡ଼ିକୁ ନିୟନ୍ତ୍ରଣରେ ରଖିବା କ’ଣ ପାଇଁ? ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇଛନ୍ତି: ‘ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍/ ଆତ୍ମନ୍ୟେବାତ୍ସନା ତୁଷ୍ଟଃ ସ୍ଥିତପ୍ରଜ୍ଞ ସ୍ତଦୋଚ୍ୟତେ’। ମନର ସମସ୍ତ କାମନା ତ୍ୟାଗ କରି ଆତ୍ମ ସନ୍ତୁଷ୍ଟିରେ ବଞ୍ଚୁଥିବା ଲୋକ ହିଁ ସ୍ଥିତପ୍ରଜ୍ଞ। ଅଭିଳାଷ ଯେତେ କମ୍ ହେବ ସୁଖର ଅନୁଭବ ସେତିକି ଅଧିକ ହେବ। ଜୀବନ ସୁନ୍ଦର ହେବ। ଅତ୍ୟଧିକ ଇଚ୍ଛାର ପରିଣତି ହେଉଛି ଲୋଭ। ଲୋଭ ଚରିତାର୍ଥ ନହେଲେ ପାଖରେ ଥିବା ପଦାର୍ଥ ମଧ୍ୟ ଅଲୋଡ଼ା ମନେହେବ। ଇଚ୍ଛାଗୁଡ଼ିକୁ କମ୍ କରିବା ପାଇଁ ଗୋଟିଏ ରାସ୍ତା ହେଉଛି, ଆମ ପାଖରେ ଯାହା ଅଛି, ତା ସହିତ ଇଚ୍ଛାକୁ ଆମର ଖାପ ଖୁଆଇ ନେବା। ମାରୁତି କାର୍ ଯଦି ଅଛି, ବି ଏମ ଡବଲ୍ୟୁ ଚାହିଁବାନି। ମନୁଷ୍ୟ ସ୍ବଭାବତଃ ସୁଖର ପ୍ରତ୍ୟାଶୀ। ଇଚ୍ଛା ସବୁ ସମୟରେ ଅଧିକରୁ ଅଧିକ ପାଇବାକୁ ପ୍ରବର୍ତ୍ତାଏ। ନା ଆମେ ପୂରଣ କରିପାରୁ ନା ସୁଖୀ ହୋଇପାରୁ! ଦାର୍ଶନିକ ସୋପେନହାୱର କହିବା ପରି, ‘ଆମର ମନ ହେଉଛି ଗୋଟିଏ ଦୃଷ୍ଟିବାନ୍ ଛୋଟା ମଣିଷ, ଯିଏ ଇଚ୍ଛା ରୂପୀ ଅନ୍ଧ ରାକ୍ଷସର କାନ୍ଧରେ ବସି ବିଚରଣ କରୁଛି।’ ନା’ ରାକ୍ଷସ ତାକୁ ଛାଡ଼ିପାରୁଛି, ନା’ ସେ ରାକ୍ଷସକୁ।
ମୋ: ୯୩୩୭୬୪୮୬୩୮