ଯାହା ଘଟେ ତାହା ଘଟଣା ନୁହେଁ। ତା’ହେଲେ ତ ସବୁକଥା ଘଟଣା!
‘‘ଘଟଣା’’ ହେଉଛି ସେଇ ଯାହାକୁ ଜାଣିଶୁଣି ଘଟାଯାଏ। ମାତ୍ର ‘‘ଦୁର୍ଘଟଣା’’ ଆପେ ଆସେ। ତା’ର ନିୟନ୍ତ୍ରଣ କାହା ହାତରେ ନ ଥାଏ। ତେଣୁ ଘଟଣାକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ଲାଗି ଏକ ତିଆରି କରାଯାଇଥିବା ପରିସ୍ଥିତିି ବୋଲି ଗ୍ରହଣ କରାଯାଇପାରେ। ଦୁର୍ଘଟଣା ପଛରେ କାହାର ପ୍ରସ୍ତୁତି ନ ଥାଏ। ସଚରାଚର ଦେଖାଯାଇଛି ଯେ ଦୁଷ୍ଟମାନେ ଘଟଣାଟିଏ ଘଟେଇବା ଲାଗି ଦୁର୍ଘଟଣାର ଏକ ଦୃଶ୍ୟପଟ ତିଆରି କରନ୍ତି। ଯାହା ଫଳରେ ଘଟଣା, ଦୁର୍ଘଟଣାରେ ପରିଣତ ହୁଏ।
ଅତଏବ ଘଟଣା ହିଁ ଅଧିକ ଭୟଙ୍କର। ଦୁର୍ଘଟଣା ଅଣ-ସମର୍ଥିତ, ଅଥଚ ଘଟଣା ଏକ ସମର୍ଥିତ ବ୍ୟାପାର ଯାହା ପଛରେ ଏକ ବା ଏକାଧିକଙ୍କର ସମର୍ଥନ ଥାଏ।
ବର୍ତ୍ତମାନର ଏ କରୋନା-ମହାମାରୀ ବିଶ୍ବ-ପ୍ରେକ୍ଷାପଟରେ ଏକ ଘଟଣା ନା ଦୁର୍ଘଟଣା? ଯଦି ଏକ ଦୁର୍ଘଟଣା ତେବେ ତା’କୁ ସମ୍ଭାଳି ହେବ ମାତ୍ର ଯଦି ଏକ ଘଟଣା ତେବେ ବିଶ୍ବବାସୀ ତୁରନ୍ତ ଏ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ। ଯେତେ ଶୀଘ୍ର ଏ ସଚେତନତା ଆସିବ ସେତେ ମଙ୍ଗଳ।
ସାଧାରଣ ଭାବେ ଖରାପ ଘଟଣାକୁ ଆମେ ଦୁର୍ଘଟଣା କହୁ। ଯେ କୌଣସି ବିପର୍ଯ୍ୟୟ ବି ଏକ ଦୁର୍ଘଟଣା, କାରଣ କେହି ବିପର୍ଯ୍ୟୟକୁ ନିମନ୍ତ୍ରଣ କରେ ନାହିଁ। ଅନ୍ୟ ପକ୍ଷରେ ଯଦି କାହାଦ୍ବାରା ଏ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ ତେବେ ସେଇ ଏକା ପରିସ୍ଥିତି ଗୋଟିଏ ପକ୍ଷ ଲାଗି ଘଟଣା ପାଲଟିଥିବା ବେଳେ ଅପର କ୍ଷତିଗ୍ରସ୍ତ ପକ୍ଷ ପ୍ରତି ଦୁର୍ଘଟଣାର ରୂପ ନେଇଥାଏ। ସେଇ ଦିଗରୁ ବିଚାର କଲେ ୧୯୪୫ ଅଗଷ୍ଟରେ ଜାପାନର ହିରୋସିମା, ନାଗାସାକିରେ ଆମେରିକାର ଆଣବିକ ବୋମା ପ୍ରୟୋଗ ସେମାନଙ୍କ ପାଇଁ ଥିଲା ଏକ ଘଟଣା ମାତ୍ର ଜାପାନୀମାନଙ୍କ ଲାଗି ଥିଲା ଏକ ଚରମ ଦୁର୍ଘଟଣା। ଦୁଇଟିଯାକ ବିଶ୍ବଯୁଦ୍ଧ ସେ ଦିଗରୁ କେତେକ ଦେଶଙ୍କ ପାଇଁ ଘଟଣା ପାଲିଟିଥିବା ବେଳେ ଆଉ ଅନେକ ଦେଶଙ୍କ ଲାଗି ଦୁର୍ଘଟଣା ପାଲଟି ଥିଲା। ୧୯୪୩ରେ ଚର୍ଚ୍ଚିଲ୍ଙ୍କ ଦ୍ବାରା ସୃଷ୍ଟ ବଙ୍ଗ ଦୁର୍ଭିକ୍ଷକୁ ସେଥିପାଇଁ ଅନେକ ଇତିହାସକାର ତତ୍କାଳୀନ ଇ˚ଲଣ୍ତୀୟ ପ୍ରଧାନମନ୍ତ୍ରୀ ଵିନ୍ଷ୍ଟନ୍ ଚର୍ଚ୍ଚିଲ୍ଙ୍କ ଦ୍ବାରା ସୃଷ୍ଟ ଏକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।
ଏ ଭଳି ଉଦାହରଣ ଇତିହାସରେ ପ୍ରଚୁର।
ମାତ୍ର ଏବେ ଯାଏ ଦୁର୍ଘଟଣା ବୋଲି ବିବେଚିତ ଏ କରୋନା ମହାମାରୀର ସ୍ବରୂପ ପୂରାପୂରି ଭିନ୍ନ। ଅନେକେ ଏହାକୁ ୧୯୧୮ର ସ୍ପାନିସ୍ ଫ୍ଲୁ ଭଳି ଏକ ବିଶ୍ବାୟିତ ଦୁର୍ଘଟଣା ଭାବରେ ଗ୍ରହଣ କରୁଛନ୍ତି। କିଏ ମାଳିକା ଉଦ୍ଧାର କରି ଏମିତି ହେବାର ଥିଲା, ତେଣୁ ଏଭଳି ଘଟୁଛି ବୋଲି ଏହାକୁ ଏକ ଘଟଣାର ଆଖ୍ୟା ଦେଉଛନ୍ତି। କିଏ ପରିବେଶକୁ ଦୋଷ ଦେଉଛନ୍ତି ତ କିଏ ପରିସ୍ଥିତିକୁ। କେହି କେହି ଏହାକୁ ଈଶ୍ବରଙ୍କ ଅଭିଶାପ କହି ଭଗବାନଙ୍କ ତିଆରି ଏକ ଘଟଣା ବୋଲି କହିବାକୁ ପଛାଉନାହାନ୍ତି।
ଅତୀତରେ ଭିନ୍ନ ଭିନ୍ନ ଦେଶ ଓ ଅଞ୍ଚଳରେ ଭୂତାଣୁଜନିତ ବ୍ୟାଧିର ଆକ୍ରମଣ ଏକ ସାଧାରଣ କଥା ଥିଲା। ତା’ସହ ଦିନକୁ ଦିନ ପରିବେଶର ଅସନ୍ତୁଳନ ଓ ଭୂତାଣୁଗୁଡ଼ିକର ସ୍ଥାୟୀ ବାସକ୍ଷେତ୍ର ବିନଷ୍ଟ ହେବା ଫଳରେ ଏସବୁର ପ୍ରାଦୁର୍ଭାବ ବଢ଼ୁଥିବା କଥା ମଧୢ ସାଧାରଣରେ ଆଲୋଚିତ ହେଉଥିଲା। କୁହାଯାଏ ଯେ ୧୨,୦୦୦ ବର୍ଷ ତଳୁ ମଣିଷ ଯେବେଠାରୁ ତା’ର ସ˚ଖ୍ୟା ବଢେ଼ଇ ଏକତ୍ର ରହିବାର ବ୍ୟବସ୍ଥା କଲା ଓ ଜଙ୍ଗଲ ହଟେଇ କୃଷିକାର୍ଯ୍ୟ ଆରମ୍ଭ କଲା ସେବେଠାରୁ ଭୂତାଣୁମାନଙ୍କର ବିସ୍ଥାପନ ଘଟିଲା ଓ ଭୂତାଣୁଜନିତ ରୋଗ ମଣିଷ ସମାଜକୁ ଆକ୍ରାନ୍ତ କଲା। ଏଥିରେ ଭୂତାଣୁମାନଙ୍କୁ ପଶୁପକ୍ଷୀ, ଗଛଲତା ଓ ପନିପରିବା ବି କ୍ଷେତ୍ର ଯୋଗାଇ ଦେଲେ।
ବସନ୍ତ ଓ ମିଳିମିଳା ଦୁଇଟିଯାକ ପ୍ରାଥମିକ ପର୍ଯ୍ୟାୟର ଭୂତାଣୁ ସୃଷ୍ଟ ରୋଗ। ଭୂତାଣୁମାନଙ୍କର ଏ ଆକ୍ରମଣ ଯେ କେବଳ ମଣିଷ ଭୋଗେ ସେ କଥା ନୁହେଁ। ଗଛଲତା, ପଶୁପକ୍ଷୀ ସମସ୍ତେ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ତେବେ ହଜାର ହଜାର ବର୍ଷ ପୂର୍ବେ ଇଉରୋପ ଓ ଉତ୍ତର ଆଫ୍ରିକାରେ ହିଁ ଭୂତାଣୁ-ଜନିତ ରୋଗର ଆରମ୍ଭ ହୋଇଥିଲା। ପରବର୍ତ୍ତୀକାଳରେ ଇଉରୋପୀୟମାନଙ୍କର ଉପନିବେଶ ଗଢ଼ିବା ନିଶା ଯୋଗୁଁ ସେଇମାନଙ୍କ ମାଧୢମରେ ଅନ୍ୟ ଅଞ୍ଚଳରେ ଏଇ ଭାଇରସ୍ମାନେ ପହଞ୍ଚିଥିଲେ। ତା’ର ଗୋଟିଏ ବଡ଼ ଉଦାହରଣ ହେଉଛି ସ୍ପାନୀୟମାନଙ୍କର ଔପନିବେଶିକ ଜୟଯାତ୍ରା। ତା’ର କୁପରିଣାମ ଥିଲା ୧୫୮୦ର ଇନ୍ଫ୍ଲୁଏଞ୍ଜା ମହାମାରୀ ଓ ପରବର୍ତ୍ତୀକାଳରେ ୧୯୧୮-୧୯ର ସ୍ପାନୀୟ-ଫ୍ଲୁ। ଆକାଶପଥରେ ଯୋଡ଼ି ହୋଇନଥିବା ପୃଥିବୀ ସେତେବେଳେ ଏତେ ମୁକୁଳା ଓ ସ˚ଶ୍ଳିଷ୍ଟ ନ ହୋଇଥିଲେ ମଧୢ ସେଥିରେ ବିଶ୍ବବ୍ୟାପୀ ପାଞ୍ଚକୋଟି ଲୋକଙ୍କର ଜୀବନ ଯାଇଥିଲା। ସେତେବେଳେ ପୃଥିବୀର ଲୋକସ˚ଖ୍ୟା ମାତ୍ର ୧୭୦ କୋଟି। ଆଜି ୮୦୦ କୋଟି ଛୁଇଁଲାଣି।
ଆମର ଭାଗ୍ୟ ଭଲ ଯେ ପୃଥିବୀ ମାଆ ଲୁଇ ଫିସର ଓ ଏଡଵାଡ୍ ଜେନର୍ଙ୍କ ଭଳି ଦୁଇ ମହାପ୍ରାଣ ବୈଜ୍ଞାନିକଙ୍କୁ ଜନ୍ମ ଦେଇ ଭୂତାଣୁ କବଳରୁ ବଞ୍ଚିବା ଲାଗି ଟିକାକରଣର ସୁଯୋଗ ତିଆରି କରିଦେଲେ। ଏ ଅଚିହ୍ନା ଭୂତାଣୁମାନଙ୍କର ପରିଚୟ ୧୯୩୦ ପରେ ହିଁ ମିଳିଥିଲା। ଭୂତାଣୁମାନଙ୍କର ଏ ନବନବ ଉନ୍ମେଷ ଏବେ ସାରା ପୃଥିବୀ ଲାଗି ଚିନ୍ତାର କାରଣ ପାଲଟିଛି। ମାର୍ବର୍ଗ, ଏବୋଲା, ଏଚ୍.ଆଇ.ଭି, ବସନ୍ତ, ହାନ୍ତା, ଇନ୍ଫ୍ଲୁଏଞ୍ଜା, ଡେଙ୍ଗୁ, ରୋଟା ଭାଇରସ୍, ସାର୍ସ, ସାର୍ସ-୨, ମର୍ସ-କୋଭିଡ୍ ଭଳି ରୋଗଗୁଡ଼ିକ ଭୂତାଣୁ ଦ୍ବାରା ସୃଷ୍ଟ ଓ ମହାପ୍ରାଣଘାତୀ। ଏସବୁର ସାମନା କରିସାରିଛି ପୃଥିବୀ। ଭୂତାଣୁମାନଙ୍କର ଏ ସ˚କ୍ରମଣ ମାତ୍ର ବି˚ଶ ଶତାବ୍ଦୀର କଥା ହେଲେ ବି ଏକବି˚ଶ ଶତାବ୍ଦୀରେ ଏ ପ୍ରାଦୁର୍ଭାବ କ୍ରମାନ୍ବୟରେ ଶୀଘ୍ର ଶୀଘ୍ର ବୃଦ୍ଧି ପାଇବାରେ ଲାଗିଛି।
ଆଜିର ଯେ କରୋନା ମହାମାରୀ ତାହା ସାର୍ସ ଭୂତାଣୁ ପରିବାରର ଯାହା ଆଜି ସାର୍ସ-କୋଭିଡ୍-୨ ଭାବରେ ପରିଚିତ। ଡିସେମ୍ବର-୨୦୧୯ରୁ ଆକ୍ରମଣ ଆରମ୍ଭ କରି ଏ ଭୂତାଣୁ ତା’ର ଭିନ୍ନ ଭିନ୍ନ ଲହର ବା ଆକ୍ରୋଶ ଜାରି ରଖିଛି। ଏବେ ଦ୍ବିତୀୟ ଲହର ଚାଲିଥିବାବେଳେ ବ୍ଲାକ ଫଙ୍ଗସ୍ ବା କଳା-କନ୍ଦା ନାମରେ ଏକ ନୂଆ ଲକ୍ଷଣ ଦେଖାଦେଇ ଏହା ସାରା ଭାରତକୁ ଅଡୁଆରେ ପକାଇଛି।
ଏଇଠି ବୁଝିବାର ଅଛି ଯେ ପ୍ରକୃତିର ଘନ ଘନ ଅସନ୍ତୁଳନ ଯୋଗୁଁ ଯଦି ଏ ଦୁର୍ଘଟଣା ଉପୁଜୁଥାଏ ତେବେ ତା’ର ପ୍ରତିକାରର ପନ୍ଥା ତିଆରି କରି ହେବ। ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ସମସ୍ତେ ସଚେତନ ହେବାକୁ ଚେଷ୍ଟା କରିବେ। ମାତ୍ର ଯଦି ଏହା ଏକ ଘଟଣା ହୋଇଥାଏ?
କରୋନା ଆକ୍ରମଣର ଆରମ୍ଭ- କ୍ଷେତ୍ର ହେଉଛି ଚୀନ୍ ଦେଶର ଉହାନ୍ ସହର। ଉହାନ୍ ସହରର ଏକ ପ୍ରୟୋଗାତ୍ମକ ବିଜ୍ଞାନାଗାରରୁ ଅସାବଧାନତାରେ ଖସି ଆସିଥିବା ଏ ଭୂତାଣୁ ପ୍ରଥମେ ସେ ସହରଟିକୁ କବଳିତ କରିଥିଲା। ଏବ˚ ସେଇଠାରୁ ଆକାଶପଥ, ଜଳପଥ ଓ ସ୍ଥଳପଥ ମାଧୢମରେ ମଣିଷ ଭିତର ଦେଇ ସାରା ପୃଥିବୀକୁ ଆକ୍ରାନ୍ତ କଲା। ଏ ଆକ୍ରମଣ-ଯାତ୍ରା ଏବେ ବି ଅବ୍ୟାହତ ଓ ଭାରତ ହିଁ ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ଓ ବିପର୍ଯ୍ୟସ୍ତ। ଅନ୍ୟପକ୍ଷରେ ଚୀନ୍ ଓ ତା’ ସହ ଭଲ ସମ୍ପର୍କରେ ଥିବା ଦେଶମାନେ ସୁରକ୍ଷିତ ଅଛନ୍ତି।
ଏହା ଆମକୁ କେଉଁ ସୂଚନା ଦେଉଛି? ଏହା ଘଟଣା ନା ଦୁର୍ଘଟଣା? ମଣିଷର ପ୍ରଥମ ଅଧିକାର ହେଉଛି ଆତ୍ମରକ୍ଷାର ଅଧିକାର ବା ଜୀବନର ଅଧିକାର। ଘଟଣା ଘଟାଇ ଗଣ-ଜୀବନ ନେବାର ଚକ୍ରାନ୍ତ ଯଦି ସତ ତେବେ ସାରା ବିଶ୍ବରେ ଏଥିପାଇଁ ପ୍ରତି-ପ୍ରସ୍ତୁତି ଆରମ୍ଭ ହୋଇଯିବା ଆବଶ୍ୟକ।
ଏହି ସାର୍ସ-କୋଭିଡ୍-୨ ବା ଅନ୍ୟ ଅର୍ଥରେ କୋଭିଡ୍-୧୯କୁ ଭବିଷ୍ୟତରେ ଏକ ଜୈବ-ଯୁଦ୍ଧାସ୍ତ୍ର ଭାବରେ ପ୍ରୟୋଗ କରିବା ଲାଗି ଚୀନ୍ର ସାମରିକ ବୈଜ୍ଞାନିକମାନେ ୨୦୧୫ରେ ଆଲୋଚନା କରିଥିବା କଥା ଜଣାପଡ଼ିଛି। ଚୀନ୍ର ସେହି ଦସ୍ତାବିଜ୍ ଆଧାରରେ ଲିଖିତ ସମ୍ବାଦ ବିବରଣୀରେ ମଧୢ ଏକଥା ପ୍ରକାଶିତ ଯେ ତୃତୀୟ ବିଶ୍ବଯୁଦ୍ଧରେ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହୃତ ନ ହୋଇ ଏ ଜୈବବୋମା ବ୍ୟବହୃତ ହେବ ବୋଲି ସେମାନେ କୁଆଡେ଼ ଭବିଷ୍ୟବାଣୀ କରିଥିଲେ। ଅଷ୍ଟ୍ରେଲିଆର ଏକ ଖବର ସରବରାହ ସ˚ସ୍ଥା ଏକଥା ମଧୢ ପ୍ରକାଶ କରିଛି ଯେ ଏ ସମସ୍ତ କାର୍ଯ୍ୟ ଅତିଗୁପ୍ତ ଭାବରେ ଚୀନ୍ର ଏକଛତ୍ରବାଦୀ ସରକାର ସାମରିକ ବିଶେଷଜ୍ଞ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ମିଶାଇ ଏକ ସାମରିକ ବୈଜ୍ଞାନିକ ଗୋଷ୍ଠୀ ତିଆରି କରିଛି। ଯେଉଁ ସନ୍ଦର୍ଭର ତଥ୍ୟ ଆଧାରରେ ଏକଥା ପ୍ରକାଶିତ ତା’ର ଶୀର୍ଷକ ହେଉଛି- ‘‘ଦ ଅନନ୍ୟାଚୁରାଲ୍ ଅରିଜିନ୍ ଅଫ୍ ସାର୍ସ ଏଣ୍ତ ନ୍ୟୁ ସ୍ପେସିଜ୍ ଅଫ୍ ମ୍ୟାନ୍ମେଡ୍ ଭାଇରସେସ୍ ଆଜ୍ ଜେନେଟିକ୍ ବାଇଓ-େଵପନ୍ସ।’’ ଅର୍ଥାତ୍ ‘‘ଅପ୍ରାକୃତିକ ଉପାୟରେ ନୂଆ ଗୁଣସୂତ୍ର ଆଧାରିତ ‘ସାର୍ସ ଭୂତାଣୁ-ଜୈବ-ଯୁଦ୍ଧାସ୍ତ୍ର’ ଲାଗି ମଣିଷ ତିଆରି ଭୂତାଣୁର ମୂଳକଥା।’’
ବିଭିନ୍ନ ଦେଶର ବୈଜ୍ଞାନିକଙ୍କ ଯୁକ୍ତି ହେଲା ଯେ ପ୍ରାକୃତିକ ଭୂତାଣୁଗୁଡ଼ିକ ପ୍ରାକୃତିକ ପରିବେଶ ଓ ଜଳବାୟୁ ଦ୍ବାରା ପ୍ରଭାବିତ ହୁଅନ୍ତି ଏବ˚ ସେ ଭଳି ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରେ। ମାତ୍ର କୋଭିଡ୍-୧୯ ଭୂତାଣୁର ଆଧାର ସମ୍ପୂର୍ଣ୍ଣ ଭିନ୍ନ। ଏହା ବାରମ୍ବାର ରୂପ ବଦଳାଇବା ସହିତ ନୂଆ ନୂଆ ସମସ୍ୟା ସୃଷ୍ଟି କରିବାକୁ ସକ୍ଷମ। ଗୋଟିିଏ ଭୂତାଣୁର କ୍ରମ ବର୍ଦ୍ଧମାନ କ୍ଷମତା ମଧୢ ଅନୁମାନ ସାପେକ୍ଷ ନୁହେଁ। ଜଣେ ସ˚କ୍ରମିତ ହେଲେ ଏହା କେତେ ଯେ ଲୋକଙ୍କୁ ସ˚କ୍ରମିତ କରିବ ତା’ର ହିସାବ ଅକଳନୀୟ। ସବୁଠାରୁ ଭୟଙ୍କର କଥାଟି ହେଲା ଏ ଭୂତାଣୁମାନଙ୍କର କ୍ଷୟ ନାହିଁ। ଜଣେ ଏମାନଙ୍କ ହାବୁଡ଼ରୁ ନିଜକୁ ବଞ୍ଚେଇ ରଖିବା ଲାଗି ପଞ୍ଜୁରି ଭିତରେ ରହିବା ଭଳି ଏକ ସୁରକ୍ଷିତ ବଳୟ ଭିତରେ ରହିବା ଜରୁରି।
କୋଭିଡ୍-୧୯ ଭୂତାଣୁ ପ୍ରାକୃତିକ କି ଅପ୍ରାକୃତିକ ସେ କଥା ବିଶ୍ବ ସମୁଦାୟର କୌଣସି ନାମକରା ବୈଜ୍ଞାନିକ ଏ ଯାଏ ଘୋଷଣା କରିନାହାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଏ କ୍ଷେତ୍ରରେ ଥରକୁ ଥର ମତ ବଦଳାଇ ତା’ର ଶୀର୍ଷ ସ୍ଥାନୀୟ ପରାମର୍ଶଦାତାପଣକୁ ମଧୢ ଅବିଶ୍ବାସର ଘେରକୁ ଠେଲି ଦେଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତ ଖୋଲାଖୋଲି ଘୋଷଣା କରିଥିଲେ ଯେ ଏ ଭାଇରସ୍ ବିଶ୍ବକୁ ପ୍ରଭାବିତ କରିବା ପାଇଁ ଚୀନ୍ ହିଁ ପ୍ରୟୋଗ କରିଛି ଏବଂ ଏଥିରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ସାମିଲ୍ ହୋଇଛି।
ଆରୋପ ବା ପ୍ରତିରୋପ କୌଣସି କଥାର ସମାଧାନ ଆଣେ ନାହିଁ। ଏକ ବିଶ୍ବବ୍ୟାପୀ ବିପତ୍ତି ପାଇଁ ଅଞ୍ଚଳଭେଦକୁ ଛାଡ଼ି ସମସ୍ତ ରାଷ୍ଟ୍ର ଏହାର ନିରାକରଣ ଦିଗରେ ଆଗେଇ ଆସିବା ଉଚିତ୍। ସବୁଠାରୁ ଅସ୍ବସ୍ତିକର ବାତାବରଣ ତିଆରି କରୁଛି ଚୀନ୍ ଦେଶ ଓ ଏହାର ମିତ୍ର ଦେଶଗୁଡ଼ିକର କରୋନା ମୁକାବିଲାରେ ସଫଳତା।
ଭାରତରେ ବିଶ୍ୃଙ୍ଖଳା, ନିର୍ବାଚନୀ ଗଣସମାବେଶ, ଟିକାକରଣରେ ଚଞ୍ଚକତା ଓ କୁମ୍ଭମେଳା ଏ ବ୍ୟାଧିକୁ ବଢ଼ାଇବାରେ ଯେ ସହାୟକ ହୋଇନାହାନ୍ତି ସେକଥା ନୁହେଁ। ମାତ୍ର ମୂଳପ୍ରଶ୍ନ ହେଉଛି ଏ ମହାମାରୀର ପୃଷ୍ଠଭୂମି। ସବୁଦେଶ ଏବେ ନିଜକୁ କିପରି ସୁରକ୍ଷିତ ରଖିବେ ସେଇ ଯୋଜନା ନେଇ ବ୍ୟସ୍ତ। କିନ୍ତୁ କରୋନା ଭୂତାଣୁ ଏକ ଦୁର୍ଘଟଣା ନା ଘଟଣା ସେ କଥାର ଖୋଳତାଡ଼ ନ କଲେ ଅସଲ ସତ୍ୟ ଧୀରେ ଧୀରେ ଆଢୁଆଳକୁ ଚାଲିଯିବ।
କହିବାର ଅଛି ମଣିଷଙ୍କ ମେଳରେ ଭଲ ଲୋକଙ୍କ ସ˚ଖ୍ୟା ଅଧିକ ଓ ଖରାପ ଲୋକଙ୍କ ସ˚ଖ୍ୟା ନଗଣ୍ୟ। ମାତ୍ର ସେଇ କେତେକ ଖରାପ ଲୋକ ହିଁ ସମାଜକୁ ନଷ୍ଟ ଭ୍ରଷ୍ଟ କରି ଦିଅନ୍ତି। ଯେତେ ଯେଉଁଠି ଗଣ୍ତଗୋଳ ତା’ପଛରେ ଥାଆନ୍ତି ମୁଷ୍ଟିମେୟ ମଣିଷ। ଦେଶମାନେ ବି ସେଇଭଳି। ପ୍ରାୟ ସବୁ ଦେଶ ଶାନ୍ତିକାମୀ। ମାତ୍ର ଦୁଇ ଚାରିଟି ଦେଶ ଆପଣାର ଅହ˚କାରକୁ ସାବ୍ୟସ୍ତ କରିବା ଲାଗି ସାରା ଜଗତକୁ ଧ୍ବ˚ସ ମୁହଁକୁ ଠେଲି ଦେବାକୁ ସକ୍ଷମ। ଜଣେ ହିଟ୍ଲର୍ଙ୍କ ଦୃଷ୍ଟବୁଦ୍ଧି ସାରା ପୃଥିବୀକୁ ଦିନେ ଗୋଟାଏ ଭୀଷଣ ବିଶ୍ବଯୁଦ୍ଧ ଭିତରକୁ ଠେଲି ଦେଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ହିଟ୍ଲର୍ଙ୍କ ପାଇଁ ଥିଲା ଘଟଣା, ମାତ୍ର ସାରା ପୃଥିବୀ ଲାଗି ଥିଲା ଦୁର୍ଘଟଣା।
ଆମ ଆଗରେ ଏବେ ଏକ ବିରାଟ ପ୍ରଶ୍ନବାଚୀ। କରୋନା ଭୂତାଣୁ ମହାମାରୀର ପ୍ରକୃତ ସ୍ବରୂପଟି କ’ଣ? ଏହା ପ୍ରାୟୋଜିତ ବା ପ୍ରାକୃତିକ? ଏହାର ଉତ୍ତର ନ ମିଳିବା ଯାଏ କୌଣସି ଭାକ୍ସିନ୍ ପୃଥିବୀକୁ ଆସନ୍ତା ବିପଦରୁ ମୁକ୍ତ କରିପାରିବ ନାହିଁ।