କପେ ଚା ସହ ଖବରକାଗଜ ଧରି ସକାଳେ ବସୁବସୁ ଏବେ କେଜାଣି କାଇଁକି କ’ଣ ନାଇଁ ନାଇଁ କ’ଣ ସବୁ ମନ ଭିତରେ ଅବଲୀଳା କ୍ରମେ ଧସେଇ ପଶିଯାଏ।

Advertisment

ଏମିତିରେ ବହୁତ କିଛି କରିବାର ଥାଏ।

ଗତ ମାସ ଦରମାରୁ ଆଚ୍ଛା କରି ବକେୟା ଆୟକର କାଟ ହୋଇ ଯାଇଥାଏ ଓ ତା ପରର ଜୀର୍ଣ୍ଣ ଶୀର୍ଣ୍ଣ ଦରମା ଗଣ୍ଡାକ ସତେ ଅବା ଖତେଇ ହୋଇ କହୁଥାଏ: ବାପଧନ, ଏ ବର୍ଷ ଆରମ୍ଭରୁ ଇ ଆଡ଼ି ଥାଉଁ ଥାଉଁ ବାଡ଼ି ନ ବାନ୍ଧିବୁ ତ ପଛନ୍ତେ ଅବସ୍ଥା ବାର ବାଜିବା ଥୟ!

ସୁତରାଂ ଖର୍ଚ୍ଚ କଥା ଉଠିବା ମାତ୍ରେ ଆପେ ଆପେ ଆପଣାକୁ ବୋକା ବୋକା ଲାଗୁଥାଏ। ନା, ଏ ବର୍ଷ ଆରମ୍ଭରୁ ହିଁ ଆଚ୍ଛା କରି ଆୟକର କଟାଇ ଦେବାକୁ ହେବ ବୋଲି ଭାବିବା ବେଳକୁ ଫି ସକାଳେ ପରିମଳର ଗୀତ ଗାଇବା ସହ ଅଳିଆ ନେଇ ଯାଉଥିବା ପୌରପାଳିକା ଗାଡ଼ିରୁ କଳ ଗାଉଣାରେ ନୂଆ ଘୋଷଣା ଅଚାନକ ଭାସି ଆସେ।

ଓଃ, ରାସ୍ତା ପାଇଁ, ବିଜୁଳି ଆଲୁଅ, ପରିମଳ ଆଦି ଆଦି ପାଇଁ ଘର ମାଲିକେ ପୌର ପାଳିକାକୁ ଦେବାକୁ ଥିବା ବର୍ଷକ ଯାକର ଟିକସ ଆଗୁଆ ପୈଠ କଲେ କୁଆଡ଼େ ରିହାତି ମିଳିବ।

ରିହାତି କଥା ଉଠନ୍ତେ ପୁଣି ମନକୁ ଆସେ: ଆରେ ହେ, ସତେ ତ କଳପାଣି ସିନା ପିଇ ପକାଉ ଥାଇଁ, ହେଲେ ତା ବାବଦୀୟ ମାସିକ ଦେୟ ଆଦାୟ ପାଇଁ ନୋଟିସ ଆସିବା ଯାଏ ନ ଅଟକି ଆଗୁଆ ଏବେ ହିଁ ଦେଇ ହୁଏ ଓ ବର୍ଷକର ଜଞ୍ଜାଳ ଏକା ନଟେ ତୁଟିଯିବା ସହ ଭଲ ରିହାତି ବି ମିଳିଥାଏ ତ’!

ଠିକ୍ ଏତିକି ବେଳେ ସାନଝିଅ ଆସି ଜୁଟିଯାଏ, ଯିଏ ବର୍ଷ ସାରା ମହାନନ୍ଦେ ଅନଲାଇନରେ ପଢ଼ି ଭଲ ନମ୍ବର ରଖି ସପ୍ତମ ପାସ୍‌ କରି ଅଷ୍ଟମ ଶ୍ରେଣୀକୁ ଉଠିଥାଏ।

‘ବାପା, ତଥାପି ଚା ପିଇନା? ତୁମେ ତ ବାମ୍ଫ ଉଠା ଚା ଢୋକ ପରେ ଢୋକ ଢକଢକ ପିଇଯିବା ଲୋକ ଓ ତୁମର ଏ ଚା ପିଆ ଢଙ୍ଗ ଦେଖି ମାମା କହେ ୟାଙ୍କ ଜିଭକୁ ଏକା ଜୁହାର, କେମିତି ସମ୍ଭାଳି ନେଉଚି କେଜାଣି! ମୋର ତ ସୁଡୁକାଏ ନେଉ ନେଉ ଜିଭ ପୋଡ଼ି ସାରନ୍ତାଣି! ହେଲେ ଏ କ’ଣ ବାପା? ତୁମେ ସେମିତି ବସିଚ ଓ ଚା ତେଣେ ଥଣ୍ଡା ହୋଇ ଗଲାଣି!’ ଚା’ କପ୍‌ ନେଇ ଯାଉ ଯାଉ ସିଏ ପୁଣି କହିଦେଇ ଯାଏ, ‘ଠିକ୍ ଅଛି, ମାମାକୁ ଫୁସୁଲେଇ ମୁଁ ପୁଣି ଗରମ କରି ଆଣି ଦେଉଛି।’
ସାନ ଝିଅର ସାକୁଲାସାକୁଲି କଥା ଶୁଣିବାର ବେଶ୍ କିଛି କ୍ଷଣ ପରେ ଯାଇ ମଗଜରେ ପଶେ ଯେ ଏ କଥା କୁହା ଶାରୀଟିର ଜରୁର୍ କିଛି ଚିଜ ଦରକାର ଅଛି।

ତ’ ସେଇଆ ଅନୁମାନ କରି କହିବାକୁ ହୁଏ : ମା’! କ’ଣ ଲୋଡ଼ା ତୋର?

ଏତକ ପଚାରି ଦେବା ମାତ୍ରକେ ସେ ଗଳଗଳ ହୋଇ ଉଠେ। ପହିଲେ କହେ: ଦେଖ ବାପା, ମୁଁ ନାନୀ ପରିକା ବଦ୍‌ ଖର୍ଚ୍ଚୀ ଜମାରୁ ନୁହଁ ଯେ ଡ୍ରେସ ଆଣିବାକୁ ତମକୁ ଜିଗର କରିବି।

ପିଜି କରୁଥିବା ତାଠୁ ବହୁତ ବଡ଼ ଓ ଆପାତତଃ ସରଳିଆ ପ୍ରଜାତିର ବଡ଼ଝିଅକୁ ନେଇ ସାନଟିର ଏମନ୍ତ କିଛି ନା କିଛି ବନେଇ ଚୁନେଇ କହିବା ଅଭ୍ୟାସ ଢେର ପୁରୁଣା। କିନ୍ତୁ ତାକୁ ଗୁରୁତ୍ବ ନ ଦେଇ କହିବାକୁ ହୁଏ, ‘ସେ କଥା ଛାଡ଼, ତୋର କ’ଣ ଲୋଡ଼ା କହ?’

ତ’ ଝିଅ ଏଥର କିଞ୍ଚିତ ସକେଇ ହୋଇ କହେ: ‘ବାପା, ଜାଣିଚ ତ ଏବର୍ଷ ବି ଅନଲାଇନ ପଢ଼ା ଆରମ୍ଭ ହୋଇ ଗଲାଣି। ଏ ବର୍ଷ କିନ୍ତୁ କେବଳ ପାଠବହି ପଢ଼ିଲେ ଚଳିବନି, ସବୁ ବିଷୟର ଗାଇଡ ଓ ଅଭ୍ୟାସ ବହି ବି ଲୋଡ଼ା। ଅବଶ୍ୟ ସେସବୁର ଦାମ୍ ପାଠବହିଠୁ ବେଶୀ।’

ସକାଳୁ ଏହା କେବଳ ଆରମ୍ଭ। ତା’ ପରେ ଏୟା କରିବାର ଅଛି, ସେୟା କରିବାକୁ ହେବ, ଏ ଖର୍ଚ୍ଚ, ସେ ଖର୍ଚ୍ଚ ଆଦିଙ୍କୁ ନେଇ ଅଳପ ଧନ ଓ ବିକଳ ମନର ଏ ମଣିଷ କୋଉଟା କେମିତି କରିବ ଭାବି ଧନ୍ଦି ହେଉଥିବା ବେଳେ ଘରଣୀ ଚୁପ କିନା କେତେବେଳେ ଆସି ବାମ୍ଫ ଉଠା ଗରମାଗରମ ଚା କପେ ଧରି ଆସି ପାଖ ଚେୟାରରେ ବସି ଯାଇଥିବେ, ଜଣା ନ ଥିବ।
ଅଗତ୍ୟା ତାଙ୍କ ଆଡ଼ିକି ଅନାଇ କିଛି କହିବାର ଉପକ୍ରମ କରିବା ଆଗରୁ ସେ ଏକ ରକମ ପରମ କାରୁଣିକା ଭଙ୍ଗୀରେ ହାତ ଉଠାଇ କହିବେ: ଜାଣିଚି, ତମେ କ’ଣ କହିବ ଏଇନେ! ଆଜିର କଥା କାଲିକି ଭୁଲି ଯାଅ ତମେ। ଛାଡ଼! ଲେଖାଲେଖି ବାଗିଆ ଚଷୁକୁଟାରେ ମାତିଥିବା ତମ ପରିକା ଲୋକର ମଗଜ କ’ଣ କେବେ ଘର ଧରିଲାଣି? ଖର୍ଚ୍ଚ କଥା ବସି ଭାବୁଚ ପରା? ଗତ ବର୍ଷ ବି ଏଇ ଖର୍ଚ୍ଚ ସମସ୍ୟା ଉଠିଥିଲା କି ନାଇଁ?’

-‘ହେଲେ ଏବେ ଏତେ କମ୍ ଦରମାରେ ଏତେ ସବୁ କେମିତି ହେବ ଯେ?’

ଏ ପଦକ ଶୁଣୁଶୁଣୁ ସେ ପୁଣି ଅଭୟ ମୁଦ୍ରା ଦେଖାଇ କହି ଉଠିବେ: ‘ଏମିତି ବସି ରହି କେମିତି ହେବ, କେମିତି ହେବ କହୁଥିଲେ କିଛି ବି ହେବନି! ଘର ଟିକସ, କଳ ପାଣି ବିଲ ଆଦି ଆଗୁଆ ଦେବାକୁ ମୁଁ ଟଙ୍କା ଦେବି।’

- ‘ଏଁ, ତମେ ଦେବ?’

- ‘ହଁ, ହେ ଭୋଳାନାଥ, ଗତ ବର୍ଷ ତମେ ପରା ଏ ବାବଦର ଖର୍ଚ୍ଚ ହିସାବ କରି କହିଥିଲ ମୋତେ? ତା ପର ଠୁ ମୁଁ ମାସିକ ଘର ଖର୍ଚ୍ଚରୁ କାଟି ଗୋଟେ ଗୋଟେ ପର୍ସରେ ଏ ବାବଦର ଟଙ୍କା ସଞ୍ଚୁଥିଲି। ସେସବୁ ନେଇ କାମ ଚଳେଇ ନିଅ।’

ଏମନ୍ତ କହି ଚମକାଇ ଦେବେ ସେ।

ତା ପରେ ହଠାତ ସାନଝିଅ ଆଡ଼ିକି ଗାରଡ଼େଇ ଅନେଇ କହିବେ, ‘ହଇ ଲୋ, ତୋର ଫିସ୍ ଦିଆ ହେଲା। ସବୁ ପଢ଼ା ବହି ଅଛି, ନେଟ୍‌ରୁ ପାଠ ଶୁଣୁଚୁ, ଭିଡିଓ ଦେଖୁଚୁ। ତୋ ନାନୀ ତ ଫେର୍ ତୋତେ ପଢ଼ାଉଚି, ନୋଟ୍ ଡାକି ଦେଉଚି। ତଥାପି ଦେଖ, ମହାରାଣୀଙ୍କି ଏଇ ବର୍ଷ ଆରମ୍ଭରୁ ହିଁ ସବୁ କିଛି ଲୋଡ଼ା ସାଙ୍ଗଙ୍କ ଆଗରେ ଫୁଲେଇ ହେବା ପାଇଁ!! ଠିକ୍ ଅଛି, ଆର ମାସର ଦରମା ପରେ ହିଁ ସେସବୁ କିଣା ହେବ!’

ଏତେବେଳକେ ଯାଇ ବାମ୍ଫ ଉଠା ଚା ଓ ଚିନ୍ତା ହରଣ କାରିଣୀ ଘରଣୀଙ୍କ ସୌଜନ୍ୟରୁ ଚେନାଏ ହସ ଖେଳି ଯାଉଥିବ ଓଠରେ ଓ ତାକୁ ଦେଖିବା ମାତ୍ରେ ଘରଣୀ କହି ଉଠିବେ: ଯାଅ, ପହିଲେ କାମ ସାର, ପରେ ପଛେ ଦାନ୍ତ ନେଫେଡ଼ି ହସିବ!!

ସୁହାସିତମ୍, କସ୍ତୁରୀ ନଗର, ରାୟଗଡ଼ା