ପ୍ରଣତୋସ୍ମି ଦିବାକରମ୍‌

ପ୍ରଫେସର ଗଣେଶୀ ଲାଲ

ଶିଳ୍ପୀଗୁରୁ ପଦ୍ମବିଭୂଷଣ, ଆମ ସମୟର ବିଶ୍ବକର୍ମା, ବିଶୁ ମହାରଣାଙ୍କୁ ଈଶ୍ବର ଡକାଇ ନେଲେ ସ୍ବର୍ଗକୁ। ହୁଏତ କୌଣସି ଏକ ନିର୍ମାଣ କାମରେ। ହେଲେ ଆମ ଭିତରେ ଡ˚କେଇ ଉଠୁଥିବା ଦ୍ବିତୀୟ କୋଣାର୍କର ସ୍ବପ୍ନ ଭା˚ଗିଗଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଆଉ ଏକ ମନ୍ଦିର ନିର୍ମାଣ ଯେ ସ˚ଭବ, ଏଭଳି ସ୍ବପ୍ନକୁ ସ˚କଳ୍ପରେ ପରିଣତ କରିବା ହିଁ ସବୁଠାରୁ ବଡ଼ କଥା। ତାଙ୍କ ସହିତ ସ˚ପର୍କରେ ଆସିଲା ପରେ ମୁଁ ଦୃଢ଼ ନିଶ୍ଚିତ ଥିଲି ଯେ ତାଙ୍କ ଦ୍ବାରା ଗୋଟିଏ କ’ଣ କୋଟିଏ କୋଣାର୍କ ସ˚ଭବ। ଏବ˚ ଦ୍ବିତୀୟ କୋଣାର୍କ ହୋଇଥାନ୍ତା ବାସ୍ତବରେ ଓଡ଼ିଆ ଜାତିର ଅଦ୍ବିତୀୟ ପଣର ନୂଆ ସ˚କେତ। ମୋର ବି ରହିଗଲା ଏକ ବ୍ୟକ୍ତଗତ ଅବସୋସ; ତାଙ୍କ ହାତରେ ଗଢ଼ାଇବାକୁ ଚାହୁଁଥିଲି, ଭାରତ ମାତାଙ୍କ ମୂର୍ତ୍ତିଟିଏ। ପଥର ଆସି ଯାଇଥିଲା; ଅହଲ୍ୟା ପରି ଅପେକ୍ଷା ଥିଲା କେବଳ ରଘୁନାଥଙ୍କ ସ୍ପର୍ଶ। ସେ ଯାହାହେଉ; କୋଣାର୍କ ସୂର୍ଯ୍ୟ ମନ୍ଦିରର ଅଦ୍ବିତୀୟ ପଣ ଆହୁରି ଅନେକ କାଳ ପର୍ଯ୍ୟନ୍ତ ବଜାୟ ରହିବ ଏବ˚ ଓଡ଼ିଶାରେ ସୂର୍ଯ୍ୟ ପୂଜାର ଐତିହ୍ୟକୁ ଆହୁରି ପ୍ରଲ˚ବିତ କରିଚାଲିଥିବ।

କୋଣାର୍କର ସୂର୍ଯ୍ୟ ମନ୍ଦିର ପଛରେ ରହିଛି କାଳ କାଳର ସୂର୍ଯ୍ୟ ପୂଜାର ପର˚ପରା ଯାହାର ଶୀର୍ଷତ୍ବ ଓ ଶ୍ରେଷ୍ଠତ୍ବ ରୂପ ନେଇଛି ଏପରି ଏକ ବିଶାଳ ଶିଳ୍ପ ଭାସ୍କର୍ଯ୍ୟରେ। ଏହି ଅନନ୍ୟ ଭାସ୍କର୍ଯ୍ୟ ଭିତରେ ରହିଛି ମଣିଷର ସର୍ବପ୍ରାଚୀନ ବିଶ୍ବାସ, ଯାହା ବେଦ ପୂର୍ବରୁ, ପ୍ରାଗୈତିହାସିକ କାଳରୁ ପ୍ରବହମାନ। ଏବ˚ ସେହି ବିଶ୍ବାସର ଆଲୋକିତ ଭୂଖଣ୍ତ ଯେ ଓଡ଼ିଶା, ତାହାର ବର୍ଣ୍ଣନା ନିଷ୍ପ୍ରୟୋଜନ। ଆମ ଜନ ଜୀବନରେ, ଆମ ଚଳଣି ଓ ଆଚାର ବ୍ୟବହାରରେ ସୂର୍ଯ୍ୟଙ୍କୁ ସର୍ବୋଚ୍ଚ ଆସନ ଦିଆଯାଏ। ଲୋକମାନେ କଥା କଥାକେ ସୂର୍ଯ୍ୟଙ୍କୁ ସାକ୍ଷୀ ରଖନ୍ତି, ସେ ସର୍ବ ସାକ୍ଷୀ, ଚିର ସାକ୍ଷୀ; କାରଣ ସେ ସର୍ବସ୍ରଷ୍ଟା ଓ ସର୍ବଦ୍ରଷ୍ଟା। ଉପରେ ଯେ ଦିନରାତି କରୁଛି, ସେ ହିଁ ବୁଝିବ କହି ମଣିଷ ନିଜକୁ ସମର୍ପଣ କରେ; ଧର୍ମ ଦେବତାର ମାନ୍ୟତା ପ୍ରଦାନ କରି। ସୂର୍ଯ୍ୟ ବ˚ଧୁ ହେଉଛି ଏକ ପବିତ୍ର ପରିକଳ୍ପନା ଆମ ସାମାଜିକ ଜୀବନରେ।

ୠଗ୍‌ବେଦରେ ସୂର୍ଯ୍ୟଙ୍କୁ ବର୍ଣ୍ଣନା କରି କୁହାଯାଇଛି, ତାଙ୍କ ପାଖରେ ସମସ୍ତ ପୂର୍ବଜମାନଙ୍କର ନିବାସ; ପୂର୍ବଜମାନେ ସୂର୍ଯ୍ୟଙ୍କ ପାଖରେ ବିଲୀନ ହୁଅନ୍ତି ଏବ˚ ସୂର୍ଯ୍ୟ ରଶ୍ମିରେ ପ୍ରତିଭାତ ହୁଅନ୍ତି। ଏଣୁ ସୂର୍ଯ୍ୟ ସର୍ବ ଶ୍ରେଷ୍ଠ ଆରାଧ୍ୟ ଦେବ; ଉଭୟ ସଗୁଣ-ସାକାର ଏବ˚ ନିର୍ଗୁଣ ନିରାକାର। ବେଦ କହୁଛନ୍ତି, ନିଖିଳ ଭୁବନର ନାଭିରେ ଯେଉଁ ତେଜଶକ୍ତି ନିହିତ ଅଛି; ଏହି ତେଜ ଶକ୍ତିକୁ ଯେ ପ୍ରସବ ଓ ପୋଷଣ କରନ୍ତି, ସେ ସାକ୍ଷାତ ଭର୍ଗରୂପୀ ଦେବତା; ତାଙ୍କୁ ସବିତା, ପୁଷା ବା ସୂର୍ଯ୍ୟ କୁହାଯାଏ। ଓଁ ବିଶ୍ବାନିଦେବ ସବିତଃ। ଦାତା ହିଁ ଦେବତା। ସୂର୍ଯ୍ୟ ହେଉଛନ୍ତି ନିରନ୍ତର ଦାତା, ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଏବ˚ ସୂକ୍ଷ୍ମ ଓ ସ୍ଥୂଳ ଭାବରେ। ସବିତା ରୂପରେ ସେ ଉତ୍ପତ୍ତି କାରକ ଅର୍ଥାତ ପିତା; ସୃଷ୍ଟିର ପ୍ରଣେତା।

ବରାହ ପୁରାଣରେ ତାଙ୍କୁ ବିଶୁଦ୍ଧ ଚୈତନ୍ୟର ପ୍ରଥମ ସ୍ପନ୍ଦନ ଭାବରେ ବର୍ଣ୍ଣନା କରାଯାଇଛି। ଶତପଥ ବ୍ରାହ୍ମଣ ଓ ବୃହଦାରଣ୍ୟକ ସୂର୍ଯ୍ୟ ବ୍ରହ୍ମାଙ୍କ ଚକ୍ଷୁରୁ ଉତ୍ପନ୍ନ ବୋଲି କହିଛନ୍ତି। ହରିବ˚ଶ ପୁରାଣରେ ସୂର୍ଯ୍ୟଙ୍କୁ ବ୍ରହ୍ମାଙ୍କ ପ୍ରଥମ ସାତ ଜଣ ମାନବ ପୁତ୍ର ମଧ୍ୟରୁ ଜଣେ ବୋଲି ଚିହ୍ନିତ କରାଯାଇଛି। ବାମନ ପୁରାଣ, ବେଦ, ଈଷାବାସ୍ୟ ଉପନିଷଦ, ଛା˚ଦୋଗ୍ୟ ଉପନିଷେଦ ଆଦିରେ ସୂର୍ଯ୍ୟଙ୍କ ବର୍ଣ୍ଣନା ରହିଛି। ରାମାୟଣର ବର୍ଣ୍ଣନା ଅନୁସାରେ ମହର୍ଷି ଅଗସ୍ତ୍ୟ ଯୁଦ୍ଧରେ ବିଜୟ ନିମନ୍ତେ ‘ଆଦିିତ୍ୟ ହୃଦୟ ସ୍ତୋତ୍ର’ ପ୍ରଦାନ କରି ଶ୍ରୀରାମଙ୍କ ବିଜୟ ପଥକୁ ନିଶ୍ଚିତ କରିଥିଲେ। ତେବେ ଏହା ପୂର୍ବରୁ ସୂର୍ଯ୍ୟ ଉପାସନା, ପ୍ରାୟ ପ୍ରତ୍ୟେକ ସଭ୍ୟତା ଓ ଧର୍ମ ଧାରଣାରେ ବିଭିନ୍ନ ଭାବରେ ପ୍ରଚଳିତ। ମଣିଷ ପୃଥିବୀ ପୃଷ୍ଠକୁ ଆଗମନ କାଳରୁ ହିଁ ସୂର୍ଯ୍ୟଙ୍କୁ ଦେଖିଛି; କାରଣ ସେହିଁ ପ୍ରଥମ ପ୍ରତ୍ୟକ୍ଷ ଦେବତା। ଆଦିତ୍ୟ ଗାୟତ୍ରୀ ମ˚ତ୍ରରେ ପ୍ରାର୍ଥନା କରାଯାଏ:
ଓଁ ଭାସ୍କରାୟ ବିଦମହେ ମହାଦ୍ୟୁତିକରାୟ ଧିମହି
ତନ୍ମୋଃ ଆଦିତ୍ୟ ପ୍ରଚୋଦୟାତ।
ସେ ସଜୀବ ଓ ନିର୍ଜୀବମାନଙ୍କର ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଓ ଧ୍ବ˚ସ କର୍ତ୍ତା। ପରବର୍ତ୍ତୀ ସମୟରେ ଅନେକ ସଭ୍ୟତା ତାଙ୍କୁ ରାଜତ୍ବ, କ୍ଷମତା, ଶକ୍ତିର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି।

ସୂର୍ଯ୍ୟଙ୍କୁ ତ୍ରିଲୋଚନ, ତ୍ରୟୀମୂର୍ତ୍ତି, ତ୍ରିପାଦ ଆଦି ନାମରେ ଆବାହନ କରାଯାଏ। ସୂର୍ଯ୍ୟଙ୍କ ସହ ସନ୍ନିହିତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର। ସେମାନେ ସୂର୍ଯ୍ୟଙ୍କ ମାଧ୍ୟମରେ ନିଜର କର୍ମ ସ˚ପାଦନ କରନ୍ତି। ପ୍ରାତଃ କାଳରେ ବ୍ରହ୍ମା, ଦିନରେ ଶିବ ଓ ସାୟ˚ କାଳରେ ବିଷ୍ଣୁ ରୂପରେ ସୂର୍ଯ୍ୟ ଆବିର୍ଭୂତ ହୁଅନ୍ତି।
‘ନମଃ ସବିତ୍ରେ ଜଗଦେକ ଚକ୍ଷୁସେ
ଜଗତ ପ୍ରସୂତିଃ ସ୍ଥିତି ନାଶ ହେତବେ
ତ୍ରୟୀମୟାୟ ତ୍ରିଗୁଣାତ୍ମଧାରିଣେ
ବିର˚ଚିିନାରାୟଣ ଶ˚କରାତ୍ମନେ’
(ସୂର୍ଯ୍ୟସ୍ତୁତି)

ସେ ତିନି ଲୋକ ଉପରେ କରୁଣା ଦୃଷ୍ଟି ରଖନ୍ତି। ବିଷ୍ଣୁ ବଳି ଠୁ ତିନିଲୋକ ପ୍ରାପ୍ତ ହେଲା ପରେ ତିନି ଲୋକକୁ ସୂର୍ଯ୍ୟଙ୍କ ମାଧ୍ୟମରେ ପରିକ୍ରମା କରନ୍ତି। ସୂର୍ଯ୍ୟ ଓ ନାରାୟଣ ଏକ ଓ ଅଭିନ୍ନ। ସୂର୍ଯ୍ୟ ନାରାୟଣ ପୂଜା ବହୁ ସ୍ଥାନରେ ପ୍ରଚଳିତ। ସୂର୍ଯ୍ୟଙ୍କ ମାଧ୍ୟମରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ସ˚ତୁଷ୍ଟ କରାଯାଏ।

‘ଏଷ ବ୍ରହ୍ମାଚ ବିଷ୍ଣୁଶ୍ଚ ରୁଦ୍ର ଏବ ଭାସ୍କରଃ; ତ୍ରିମୂର୍ତ୍ୟାତ୍ମା ତ୍ରିଦେବାତ୍ମା ସର୍ବ ଦେବମୟୋ ରବିଃ।’

ସୂର୍ଯ୍ୟଙ୍କ ପ୍ରମୁଖ କର୍ମ ହେଲା ଅ˚ଧାର ନାଶ, ସୃଷ୍ଟିର କାରଣ ଓ ପ୍ରାଣୀ ପୋଷଣ। ସୂର୍ଯ୍ୟ କିରଣ ହେଉଛି ଚେତନାର ସ୍ଫୂରଣ। ଦ୍ବାଦଶ ଆଦିତ୍ୟ ପରିକଳ୍ପନାରେ ଭିନ୍ନ ଭିନ୍ନ ଭାବ, ଗୁଣ ଓ କର୍ମର ପ୍ରତୀକ ଭାବରେ ସୂର୍ଯଙ୍କୁ ଉପସ୍ଥାପନ କରାଯାଇଛି। ସେ ସୃଜକ, ପୋଷକ, ରକ୍ଷକ, ଓଁ, ଅଗ୍ନି ଓ ବାୟୁର କାରକ, କାଳ ଚକ୍ରର ଚାଳକ, ନିଦ୍ରା, ବିମୂଢ଼ତା ଓ ପ୍ରେତାତ୍ମା ନାଶକ, ସୁଖ ଓ ସୌନ୍ଦର୍ଯ୍ୟର ପ୍ରକାଶକ ଓ ଚେତନାର ପ୍ରସାରକ। ଆଉ ୧୦୮ ନାମରେ ତାଙ୍କର ଐଶ୍ବର୍ଯ୍ୟ ଓ ଐଶୀର ବିସ୍ତାର କରାଯାଇଛି। ଏବ˚ ନାମର ଉଚ୍ଚାରଣରେ ଭାବର ସ˚ଚାରକୁ ଗ୍ରହଣ କରିବା ହିଁ ସୂର୍ଯ୍ୟ ଉପାସନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ ଯୋଗରେ କହୁଛନ୍ତି:
‘ଇମ˚ ବିବସ୍ବତେ ଯୋଗ˚ ପ୍ରୋକ୍ତବାନହମବ୍ୟୟମ
ବିବସ୍ବାନ ମନବେ ପ୍ରାହ ମନୁରିକ୍ଷ୍ବାକବେଽବ୍ରବୀତ୍‌।’

ପୂର୍ବରୁ ମୁଁ ଏହି ଅବିନାଶ ଯୋଗ ସୂର୍ଯ୍ୟଙ୍କୁ କହିଥିଲି, ସୂର୍ଯ୍ୟ ନିଜର ପୁତ୍ର ବୈବସୁତ ମନୁଙ୍କୁ କହିଥିଲେ। ମନୁ ନିଜର ପୁତ୍ର ଇକ୍ଷ୍ବାକୁଙ୍କୁ କହିଥିଲେ। ଏହି ଯୋଗକୁ କ୍ଷତ୍ରିୟମାନେ ପାଳନ କରନ୍ତି।

ସୂର୍ଯ୍ୟଙ୍କ ଅରାଧନା ଗାୟତ୍ରୀ ମ˚ତ୍ର ମାଧ୍ୟମରେ କରାଯାଏ। ଗାୟତ୍ରୀ ହେଉଛନ୍ତି ବେଦ ଜନନୀ ଏବ˚ ସ୍ବୟ˚ ବ୍ରହ୍ମ ସ୍ବରୂପିଣୀ। ସବୁ ଛନ୍ଦର ମାତା। ସେ ସୂର୍ଯ୍ୟଙ୍କ ସନ୍ନିହିତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଗାୟତ୍ରୀ-ସାବିତ୍ରୀ ଓ ସରସ୍ବତୀ ଭାବରେ ବିଦ୍ୟମାନ। ଉଦୟେ ବ୍ରହ୍ମାଣୋ ରୂପମ୍‌, ମଧ୍ୟାହ୍ନେ ତୁ ମହେଶ୍ବରଃ; ଅସ୍ତମାନେ ସ୍ବୟ˚ ବିଷ୍ଣୁଃ ତ୍ରିମୂର୍ତ୍ତିଶ୍ଚ ଦିବାକରଃ। ଗାୟତ୍ରୀ ମ˚ତ୍ରରେ ସୂର୍ଯ୍ୟ ଦେବଙ୍କୁ ଆରାଧନା କରାଯାଏ। ତାହା ହେଲା
‘ଓଁ ଭୁର୍ଭୂବଃ ସ୍ବଃ, ତତ୍‌ ସବିତୁର୍ବରେଣ୍ୟ˚,
ଭର୍ଗୋ ଦେବସ୍ୟ ଧିମହି ଧୀୟୋ ୟୋ ନଃ ପ୍ରଚୋଦୟାତ୍‌।’

ଅର୍ଥାତ୍‌ ଜ୍ୟୋତିର୍ମୟ ସବିତାଙ୍କର ଧ୍ୟାନ କରିବା, ଯେ ପୃଥ୍ବୀ, ଆକାଶ ଏବ˚ ଅନ୍ତରୀକ୍ଷକୁ ଆଲୋକିତ କରନ୍ତି। ସେ ଆମ ବୁଦ୍ଧିକୁ ଆଲୋକିତ କରିବେ।

ସୂର୍ଯ୍ୟଙ୍କ ଆରାଧନା ଅତି ସହଜ ଓ ସରଳ। ଏବ˚ ଏହା ସମସ୍ତଙ୍କ ପାଇଁ ସୁଲଭ ମଧ୍ୟ। କେବଳ ପ୍ରଣାମରେ ସେ ସ˚ତୁଷ୍ଟ ହୁଅନ୍ତି। ପ୍ରଣାମ˚ ପ୍ରିୟତେ ସୂର୍ଯ୍ୟ˚। ପ୍ରାତଃ କାଳରେ ଗାୟତ୍ରୀ ମ˚ତ୍ର ଉଚ୍ଚାରଣ କରି ଜଳ ଅର୍ପଣ କଲେ ଅଶେଷ ଫଳ ମିଳିଥାଏ ଓ ଉର୍ଜା ପ୍ରାପ୍ତ ହୋଇଥାଏ।

ତ୍ରିସ˚ଧ୍ୟା କରିବା ସୂର୍ଯ୍ୟ ଉପାସନାର ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ଅ˚ଗ। ସ˚ଧି କାଳ ହେଉଛି ଗୁରୁତ୍ବପୂର୍ଣ୍ଣ; ପରିବର୍ତ୍ତନର ମଧ୍ୟ କାଳ, ଶୂନ୍ୟ କାଳ। ପ୍ରଥମ ସ˚ଧି, ଉତ୍‌ଥାନ ସ˚ଧି ରାତିର ଶେଷ ଓ ଉଦୟ କାଳ ମଧ୍ୟରେ। ଏହି ସମୟରେ ସୂର୍ଯ୍ୟ ବ୍ରହ୍ମା ଓ ଗାୟତ୍ରୀଙ୍କ ବ୍ରହ୍ମାଣୀ ସ୍ବରୂପ ଧାରଣ କରିଥାନ୍ତି। ଦ୍ବିତୀୟ ସ˚ଧି; ଉନ୍ମେଷ ସ˚ଧି ମଧ୍ୟାହ୍ନ କାଳରେ ଯେତେବେଳେ ସୂର୍ଯ୍ୟ ଶିବ ଓ ଗାୟତ୍ରୀଙ୍କ ସାବିତ୍ରୀ ସ୍ବରୂପରେ ଉଭା ହୁଅନ୍ତି। ତୃତୀୟ ସ˚ଧି ସାୟ˚ ସଧି ସୂର୍ଯ୍ୟସ୍ତ ପୂର୍ବ ସମୟ। ଏହି ସମୟରେ ସୂର୍ଯ୍ୟ ଭଗବାନ ବିଷ୍ଣୁ ଓ ଗାୟତ୍ରୀଙ୍କ ସରସ୍ବତୀ ରୂପରେ ଆବିର୍ଭୂତ। ସ˚ଧି ସମୟ ହେଉଛି ବିକୃତି ଓ ନକାରାତ୍ମକ ଶକ୍ତିର ସମୟ ଏବ˚ ଏହାକୁ ପ୍ରତିହତ କରାଯାଇପାରେ କେବଳ ତ୍ରିସ˚ଧ୍ୟା ମାଧ୍ୟମରେ।

ସୂର୍ଯ୍ୟ ଉପାସନା ହେଉଛି ମଣିଷର ଆଦି ଉପାସନା। ଏହା ପ୍ରତ୍ୟେକ ଧର୍ମରେ ଓ ପ୍ରତ୍ୟେକ ସଭ୍ୟତାରେ ବିଭିନ୍ନ ଭାବରେ ପ୍ରକାଶିତ। ସୂର୍ଯ୍ୟଙ୍କୁ ନିରାମୟକାରୀ, ରୋଗ ପ୍ରତିରୋଧୀ ଓ ନିବାରଣକାରୀ ଦେବତା ଭାବରେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଶା˚ବ ପ୍ରସ˚ଗରେ; ଶା˚ବକୁ ରୋଗରୁ ମୁକ୍ତି ପାଇଁ ଚ˚ଦ୍ରଭାଗା ତୀରରେ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିବା କଥା କୁହାଯାଇଛି। ପ୍ରତି ବର୍ଷ ମାଘ ସପ୍ତମୀରେ ଚ˚ଦ୍ରଭାଗା ବୁଡ଼ ତା’ର ନିଦର୍ଶନ। ସୂର୍ଯ୍ୟଙ୍କର ନିରାମୟକାରୀ ଶକ୍ତି ସ˚ପର୍କରେ ବୈଜ୍ଞାନିକମାନେ ମଧ୍ୟ ସହମତ ଓ ଏ ଦିଗରେ ବ୍ୟାପକ ଗବେଷଣା ଚାଲିଛି। ଅନେକ ରୋଗ କେବଳ ସୂର୍ଯ୍ୟ କିରଣରେ ଭଲ ହୋଇଯିବାର ଉଦାହରଣ ରହିଛି। ସୂର୍ଯ୍ୟ ସ୍ନାନ, ସୂର୍ଯ୍ୟ ଚିକିତ୍ସାଦି ଏବେ ପୁଣି ଲୋକପ୍ରିୟ ହେବାରେ ଲାଗିଛି। ଆଗ କାଳରେ ଗୁରୁକୁଳରେ ଛାତ୍ରଙ୍କୁ ପ୍ରଥମେ ସୂର୍ଯ୍ୟ ନମସ୍କାରରୁ ବିଦ୍ୟାର˚ଭ କରାଯାଉଥିଲା। ଏହା ଏକ ପରିପୂର୍ଣ୍ଣ ଯୋଗ ଓ ପ୍ରାଣାୟମ ଯେଉଁଥିରେ ଉଭୟ ଶରୀର ଓ ଚିତ୍ତ ଉପରେ ଧ୍ୟାନ ଦିଆଯାଇଛି। ଦ୍ବାଦଶ ଆସନ ଓ ମୁଦ୍ରା ସହିତ ସୂର୍ଯ୍ୟଙ୍କ ଦ୍ବାଦଶ ନାମ ସ˚ଯୁକ୍ତ। ଏହି ସୂର୍ଯ୍ୟ ନମସ୍କାରର ବ୍ୟାପକ ପ୍ରସାର ଆଜି ଏକାନ୍ତ ଆବଶ୍ୟକ। ଏକ ସୁସ୍ଥ ଓ ନିରୋଗ ମାନବ ଜାତି ପାଇଁ ଏହାଠୁ ବଳି ସହଜ ସୁଲଭ ଉପାୟ ବୋଧେ ଆଉ କିଛି ନାହିଁ। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଏବ˚ ସେ ସମଭାବାପନ୍ନ ମଧ୍ୟ। ପାତର ଅ˚ତର କରନ୍ତି ନାହିଁ। ଏହି ଶକ୍ତିର ଯେତିକି ଉପଯୋଗ କରିବା କଥା ଆମେ କରିପାରିନେ। ଏବେ ସବୁଜ ଶକ୍ତି ଭାବରେ ସୌର ଶକ୍ତିକୁ ଉପାଦେୟ ଭାବରେ ବିବେଚନା କରାଯାଉଛି। ପ୍ରକୃତରେ ସୂର୍ଯ୍ୟଙ୍କ ଭଳି ମିତ୍ରର ବିକଳ୍ପ ନାହିଁ।

‘ଓଁ ମିତ୍ରାୟେ ନମଃ।’
ସୂର୍ଯ୍ୟ ଦେବତାଙ୍କ ଭବ୍ୟ ମନ୍ଦିର ପୃଥିବୀର ବେଶୀ ସ୍ଥାନରେ ନାହିଁ। କୋଣାର୍କ ପ୍ରମାଣ ଦିଏ ଓଡ଼ିଆ ଜାତିର ଭାବ ସ˚ପଦ, କଳାତ୍ମକତା ଓ ଜୀବନ ଜିଇବାର କଳା। ସୂର୍ଯ୍ୟ ଉପାସନାର ମହାନ ପର˚ପରାକୁ ଆହୁରି ପରିପୁଷ୍ଟ କରିବା ହେଉଛି ଆଜିର ଆବଶ୍ୟକତା। ରଘୁନାଥଙ୍କ ପାର୍ଥିବ କୋଣାର୍କ ନ ମିଳିଲେ ନାହିଁ; ଆମ ପାଖରେ ଯେଉଁ ଭାବର କୋଣାର୍କ ଅଛି; ତାକୁ ପ୍ରଣାମ କରିବା ଓ ସୂର୍ଯ୍ୟ ଉପାସନାର ଉତ୍କର୍ଷକୁ ଜୀବନରେ ପ୍ରୟୋଗ କରିବା।
‘ଜବା କୁସୁମ ସ˚କାଶ˚ କାଶ୍ୟପେୟ˚ ମହାଦ୍ୟୁତିମ,
ଧ୍ବାନ୍ତାରିମ୍‌ ସର୍ବପାପଘ୍ନ˚ ପ୍ରଣତୋସ୍ମି ଦିବାକରମ୍‌।’

ମାନ୍ୟବର ରାଜ୍ୟପାଳ, ଓଡ଼ିଶା

ସମ୍ବନ୍ଧିତ ଖବର