କରୋନା ଭାଇରସ୍ ସ˚କ୍ରମଣରେ ଯେଉଁ ଯେଉଁ ଦେଶର ଲୋକେ ସ˚ପ୍ରତି ସ˚ତ୍ରସ୍ତ ଓ ଆତଙ୍କିତ; ବୁଝିବାକୁ ହେବ ବିଶ୍ବ ମାନବ ପକ୍ଷେ ଆଜି ସୁଦ୍ଧା ଛଅ ମାସ ଧରି ସନ୍ଦିଗ୍ଧ କରାଳ କାଳ ଭୋଗ ହେଉଅଛି। ଏଭଳି ଭୟାବହ ମାନବିକ ଉଦ୍ବେଗ ଓ ଭୟାର୍ତ୍ତ ଆତଙ୍କ ସାଥିରେ ଗତ ମାସେ ହେଲା ଓଡ଼ିଶାରେ ଯୋଡ଼ି ହୋଇଯାଇଛି ମଣିଷଙ୍କୁ ଡରେଇ ଛାନିଆଁ କଲା ଭଳି ଅଚ୍ୟୁତାନନ୍ଦଙ୍କ ମାଳିକାର ପଦାବଳୀ। ମୋବାଇଲର ହ୍ବାଟ୍ସଆପ୍, ମେସେଜ ଓ ସମ୍ବାଦପତ୍ରମାନଙ୍କରୁ ଏ ସ˚କ୍ରାନ୍ତରେ ଅନେକ କଥା ଜାଣି, ଏ ଲେଖକ ଆଜି ଦୁଃଖରେ ପଡ଼ିଥିବା ବିଶ୍ବଜନତାଙ୍କ ପାଇଁ ମର୍ମେ ମର୍ମେ କଷ୍ଟ ଅନୁଭବ କରୁଛି ସିନା; କିନ୍ତୁ, ମାଳିକା, ଯାହା କାଳ କାଳ ଧରି ରଚିତ ହେଉଥିବା ଏବ˚ ଗାନ କରାଯାଉଥିବା; ବିଶେଷକରି ସାମାଜିକ ଦୁରବସ୍ଥାରେ ସନ୍ତୁଳି ହେବା କାଳରେ ମଣିଷ ପିଠିରେ ବିଧାଏ ବିଧାଏ କରି ବସିଲା ଭଳି ପଦ ଯୋଡ଼ା ହୋଇ ପ୍ରଚାର ସ୍ତରକୁ ଆସିବା ପ୍ରସଙ୍ଗ ଊଣା ବିରକ୍ତ କରୁନାହିଁ। ଯେଉଁମାନେ ଦେବଦୁର୍ଲଭ ଦାସଙ୍କ ରହସ୍ୟମଞ୍ଜରୀ ପଢ଼ିଛନ୍ତି, ସେମାନେ ଜାଣନ୍ତି- ‘‘ଏ କଉଁ ପାଠେ ଥିଲା/ଥିଲା ଯେବେ କବି କିପାଁ ଆଗହୁଁ ନ କଲା।’’ ସତ ତ। କରୋନା ଭଳି ଭାଇରସ୍ ହେତୁ ମଡ଼କ ପଡ଼ିବା, ଲୋକମାନେ ମୁହଁରେ ତୁଣ୍ତିବାନ୍ଧିବା ଆଦି ଯଦି ମାଳିକାରେ ଲେଖାଥିଲା, ଏ କଥା ଆଗରୁ କେହି କେହି କହିଥିଲେ ସମାଜ ପାଇଁ ଓ ଲେଖକଙ୍କ ପାଇଁ ମର୍ଯ୍ୟାଦାର କଥା ହେଇ ନଥାନ୍ତା କି? କିନ୍ତୁ ଏବେ ଢିଙ୍କି ମୁଣ୍ତରେ ଚାଉଳ ହେଲା ବେଳକୁ ଭରାଣ୍ତିରେ ପାପୁଲି ଘୂରେଇବା ନିରର୍ଥକ ନୁହେଁ କି? ବିଶ୍ବବ୍ୟକ୍ତିର କରୋନା ବୋଝକୁ ମାଳିକା ପହଳି ନଳିତାବିଡ଼ା ସାଜିନାହିଁ କି?
୩ ଏପ୍ରିଲ, ୨୦୨୦ ‘ସମ୍ବାଦ’ ୩ ପୃଷ୍ଠାରେ ‘କରୋନା ଓ ମାଳିକା-୧’ ଶୀର୍ଷକ ତଳେ ପ୍ରକାଶ ପାଇଛି- ‘ବେଶିଦିନ ରହିବ ନାହିଁ ଏ ବିପଦ’। ଅଚ୍ୟୁତାନନ୍ଦଙ୍କ ‘‘କଳି କଳୁଷ ମାଳିକା’’ରୁ ଏହି ପଦ ଉଦ୍ଧାର କରାଯାଇଛି- ‘‘ବି˚ଶୁ ଊଣା ଏକ ଦି’କୋଡ଼ିକୁ ଦେଖ, ବ୍ରହ୍ମସ˚ଖ୍ୟା ମିଶୁ ତହିଁ,/ ଏ କାଳେ ଜାଣିବୁ ଅକାଳେ ମଡ଼କ, ଆସିକି ରହିବ ନାହିଁ।’’ ବିଶ୍ବରେ ମହାମାରୀ ହେତୁ ହେଉ, କି ବିଶ୍ବଯୁଦ୍ଧ ପାଇଁ ହେଉ ଅଥବା ଶସ୍ୟାଭାବ ଦୃଷ୍ଟିରୁ ଅତୀତରେ ମଡ଼କ ପଡ଼ିଛି, ମଣିଷ ସମାଜ ତାର କରାଳତା ଭୋଗିଛି, ପର୍ଯ୍ୟାୟ ସରିଛି। ଏ ଲେଖକ ଜାଣିବାରେ କରୋନା ଭାଇରସ୍ର ସ˚କ୍ରମଣ ଭଳି ବିଶ୍ବରେ ମଣିଷ ମଡ଼କ ସୃଷ୍ଟି କଲା ଭଳି କୌଣସି ଘଟଣା ଇତିହାସରୁ ଜଣାପଡ଼େ ନାହିଁ। ମାଳିକାରୁ ଉଦ୍ଧୃତ ମନକୁ ଲେଖକ ଓ ବାଗ୍ମୀ ଶରଣାରବିନ୍ଦ ଓଝା ଏହିଭଳି ଅର୍ଥ କରିଛନ୍ତି- ବି˚ଶୁ (ବି˚ଶ ବା କୋଡ଼ିଏରୁ) ଊଣା ଏକ ଅର୍ଥାତ୍ ଊଣେଇଶ। ଦି’କୋଡ଼ି ଅର୍ଥ ଚାଳିଶ। ଏଥିରେ ଏକ ମିଶିଲେ ହେବ ଏକଚାଳିଶ। ସମୁଦାୟ ସ˚ଖ୍ୟା ହେଲା ୧୯୪୧। ଶରଣାରବିନ୍ଦଙ୍କ ମତରେ ୧୯୪୧ ମସିହା ନୁହେଁ, ତାହା ଶକାବ୍ଦ। ତାଙ୍କ ମତରେ ମସିହା ହେବ (୧୯୪୧+୭୯) ୨୦୨୦। ଯଦିଓ ଗଙ୍ଗବ˚ଶୀ ରାଜାମାନେ ଶକାବ୍ଦ ବ୍ୟବହାର କରୁଥିଲେ, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ସୂର୍ଯ୍ୟବ˚ଶୀ ରାଜାମାନେ ପ୍ରାୟତଃ କପିଳାବ୍ଦ ବ୍ୟବହାର କରିଥିବା ଜଣାଯାଏ। ତେବେ ୧୯୪୧କୁ ଶକାବ୍ଦ ନ କହି ମସିହା କୁହାଯିବା ଯଥାର୍ଥ ହେବ। ଏହି ମସିହା ବେଳକୁ କିଭଳି ଦ୍ବିତୀୟ ବିଶ୍ବଯୁଦ୍ଧର କରୁଣ ସାମାଜିକ ପ୍ରଭାବ (୧୯୩୯-୧୯୪୫) ଓ ଶସ୍ୟାଭାବ ହେତୁ ବଙ୍ଗ କାହିଁକି, ପୂର୍ବଭାରତରେ ମରୁଡ଼ି ହେତୁ ମଡ଼କ ପଡ଼ିଥିଲା (୧୯୪୧-୧୯୪୩)। ଏଇ କଥା ସଚ୍ଚିଦାନନ୍ଦ ରାଉତରାୟଙ୍କ ଲିଖିତ ‘ପ୍ରତିମା ନାୟକ’ (ବାମଣ୍ତାରୁ ପ୍ରକାଶ ପାଉଥିବା ମାସିକ ସାହିତ୍ୟ ପତ୍ରିକା ‘ଶଙ୍ଖ’, କାର୍ତ୍ତିକ-୧/୫, ୧୯୪୫ରେ ପ୍ରକାଶିତ, ପା˚ଡୁଲିପି-ଜୁନ୍, ୧୯୪୭, ପୁସ୍ତକରେ ସ˚କଳିତ) କବିତାରୁ ଉପଲବ୍ଧ ହୁଏ।
ପ୍ରତିମା ନାୟକ ଓ ତାଙ୍କ ସା˚ଗରେ କଥା ହଉଥିବା କାବ୍ୟନାୟକ ଯେଉଁ ସମୟର ଭୂମିରେ ଛିଡ଼ା ହୋଇଥିଲେ, ତାହା ପଛରେ ଶୋଇଥିଲା ଦୀର୍ଘ ଦୁଇ ବର୍ଷର ଦୁନିଆ- ଦୀର୍ଘ ଦୁଇ ବର୍ଷର ଜଗତ୍, ଧୂସର ଧୂମିଳ ଧ୍ବାନ୍ତ ଭୟଙ୍କର ପୁଣି ଯୁଦ୍ଧରତ। ଏହି ସମୟରେ ପ୍ରତିମାର ବାହାଘର ଭାଙ୍ଗିଗଲା। ସେ ଦର୍ଶନରେ ଏମ୍.ଏ. ପଢ଼ୁଥିଲା। ହୁଏତ ଜୀବନରେ ଥରେ ଅଧେ ପ୍ରେମରେ ପଡ଼ିଥିଲା। ପିତୃବିୟୋଗ ଘଟିଲା। ପାରିବାରିକ ଋଣଭାର ତାକୁ ଅତିଷ୍ଠ କଲା। ଭାୟାମାନେ ତାକୁ ପୃଥକ୍ କରିଦେଲେ। ଦର୍ଶନଗ୍ରନ୍ଥ ବାନ୍ଧିବୁନ୍ଧି ରଖିଦେଲା ପ୍ରତିମା। ଗୁଜୁରାଣ ମେଣ୍ଟାଇବା ପାଇଁ ସପ୍ଲାଇ ବିଭାଗରେ ଚାକିରି କଲା। ଇତିପୂର୍ବରୁ ତା’ ଦୁର୍ଦ୍ଦିନରେ ପ୍ରାକ୍-ଯବନିକା ଥିଲା ଏହିପରି- ‘‘ଊଣିଶଶ୍ ତେୟାଳିଶ ପୁଣି/ଚାଟିନେଲା ଯାହା କିଛି ଥିଲା ବାକୀ।’’ ତେଣୁ, ପୂର୍ବ ଉଦ୍ଧୃତ ମାଳିକା ପଙ୍କ୍ତିର ୧୯୪୧କୁ ମସିହା ଧରିଲେ କିଛି ଅସୁବିଧା ହୁଏ ନାହିଁ। ମାଳିକା ଜଣଙ୍କ ଦ୍ବାରା ଲେଖା, ସେ ଭବିଷ୍ୟତଦ୍ରଷ୍ଟା- ଏଭଳି ଧାରଣା ସମାଜରେ ପ୍ରଚଳିତ। କିନ୍ତୁ, ଏ ଲେଖକର ଧାରଣା, ଅଚ୍ୟୁତାନନ୍ଦଙ୍କ ଭଳି ସନ୍ଥଙ୍କ ନାଁରେ କେହି କେହି ‘ଭବିଷ୍ୟ ପୁରାଣ’, ଭାଗବତ ଦ୍ବାଦଶ ସ୍କନ୍ଧର କଳ୍କୀ ଅବତାରକୁ ଆଧାର କରି ‘ମାଳିକା’ ଲେଖିଛନ୍ତି, ଲେଖୁଛନ୍ତି ବି। ଏକଦା ଜଣେ ଗବେଷକ ମାଳିକାକୁ ‘ଉଦ୍ଭଟ’ ରଚନା ଭାବରେ ବିବେଚନା କରିଥିଲେ। ଯଦି ବି, ପ୍ରକାଶନ ମସିହା ଆଧାରରେ ମାଳିକା ବର୍ଣ୍ଣିତ ପ୍ରସଙ୍ଗ ଆଜିର କରୋନା ସ˚କ୍ରମଣ ପ୍ରସଙ୍ଗ ସହ ତାଳ ଖାଇଥାଏ, ତାହାକୁ କାକତାଳୀୟ ଭାବେ ଗ୍ରହଣ କରାଯିବା ଆଜିର ଦୁଃଖ ଓ ପୀଡ଼ା ଭୋଗୀ ମାନବମାନଙ୍କ ପ୍ରତି ସହାନୁଭୂତି ଓ ସମ୍ବେଦନା ହେବ ବୋଲି ଏ ଲେଖକର ଧାରଣା। ମଣିଷ ପାଇଁ ଯେତେ ଦୁର୍ଦ୍ଦିନ ଆସିଛି, ଆସି ଚଳୁଛି, ଆସିବାର ଅଛି- ସବୁ ମାଳିକାରେ ଅଛି କହିବା ଆବଶ୍ୟକ କରୁଛି ମାଳିକା ସବୁ (ପୋଥି ଓ ପୁସ୍ତକ) ସ˚ଗ୍ରହ କରି ପରଖିବା।
ମୋ-୯୪୩୭୩୧୯୯୧୪