ଅଟୋ ଆମ୍ବୁଲାନ୍‌ସ- ଏକ ବରଦାନ

ଝରକା

ଆମ ଦେଶ କୋଭିଡ୍ ମହାମାରୀର ଦ୍ବିତୀୟ ଲହରୀ ଦେଇ ଗତି କରୁଥିବା ବେଳେ ଆମ୍ବୁଲାନ୍‌ସର ଉତ୍କଟ ଅଭାବ ଏକ ଦାରୁଣ ସମସ୍ୟା ରୂପେ ଆବିର୍ଭୂତ ହୋଇଛି। ସେଥି ଲାଗି ଆମ୍ବୁଲାନ୍‌ସ ସେବା ପାଇବା ନିମନ୍ତେ ଅସହାୟ ଲୋକେ ବହୁ ଗୁଣରେ ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। େତ‌ବେ, ଏହି ସମସ୍ୟାର ଏକ ସୁଲଭ ସମାଧାନ ବାହାର କରିଛନ୍ତି ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ଅମ୍ବରନାଥ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ଗୋଷ୍ଠୀ। ପଚିଶ ଜଣ ଅଟୋ ଡ୍ରାଇଭର ଏବଂ ଥାନେ ଟ୍ରାଫିକ୍ ପୁଲିସର ସହାୟତା ନେଇ ଆରମ୍ଭ ହୋଇଛି ଅଟୋ ଆମ୍ବୁଲାନ୍‌ସ ସେବା।

ଏଥିରେ ଡ୍ରାଇଭରମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ପିପିଇ କିଟ୍, ଏନ୍-୯୫ ମାସ୍କ, ଫେସ୍ ସିଲ୍‍ଡ, ହ୍ୟାଣ୍ଡ୍ ଗ୍ଲୋଭ୍‌ସ, ସାନିଟାଇଜର୍ ଏବଂ କୋଭିଡ୍ ରୋଗୀଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ସେହିପରି ଡ୍ରାଇଭରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ଅନୁଯାୟୀ ବୀମାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଟୋ ଆମ୍ବୁଲାନ୍‌ସ ଚଳାଚଳକୁ ଅନୁମତି ମିଳିଛି। ଫଳ ସ୍ବରୂପ ରୋଗୀମାନେ ଏକ ସ୍ବତନ୍ତ୍ର ‘ହେଲ୍‍ପ ଲାଇନ୍‍ ନମ୍ବରକୁ ଫୋନ୍ କରି ସହଜ ଓ ସୁଲଭ ମୂଲ୍ୟରେ ଆମ୍ବୁଲାନ୍‌ସ ସେବା ପାଇପାରୁଛନ୍ତି।

ଅଟୋ ଆମ୍ବୁଲାନ୍‌ସ ଯୋଗେ କେବଳ କୋଭିଡ୍ ରୋଗୀ ଯେ ଯାଉଛନ୍ତି, ତାହା ନୁୁହେଁ, ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଲକ୍ଷଣ ବିହୀନ କୋଭିଡ୍ ରୋଗୀମାନେ ସାର୍ବଜନିକ ଯାତାୟାତ ବ୍ୟବସ୍ଥା ବ୍ୟବହାର କରିବା ଦ୍ବାରା ରୋଗ ପ୍ରସାରର ଆଶଙ୍କା ଥାଏ। ସେହି ଆଶଙ୍କା ଏଡ଼ାଇବା ଦିଗରେ ମଧ୍ୟ ଏହା ବିଶେଷ ସହାୟକ ହୋଇଛି। ଆମ ରାଜ୍ୟରେ ମଧ୍ୟ ଅନୁରୂପ ଅଟୋ ଆମ୍ବୁଲାନ୍‌ସ ଚଳାଚଳ କରିବା ଉଚିତ।

ସମ୍ବନ୍ଧିତ ଖବର