ପଶ୍ଚିମବଙ୍ଗ ନିର୍ବାଚନ ଓ ‘ଖେଲା ହବେ’

ଗୋବିନ୍ଦ ଭୂୟାଁ

ଗଲା ଏପ୍ରିଲ ୨୯ ତାରିଖରେ ପଶ୍ଚିମବଙ୍ଗର ଅଷ୍ଟମ ଛେକ ବା ଶେଷ ଦିନର ନିର୍ବାଚନ ସରିବା ପରେ, ନିଜସ୍ବ ଉପଲବ୍‍ଧି ଆଧାରରେ ସେଦିନ ଏହି ଲେଖକ ତାର ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଥିଲା, ‘ଯଦି ପଶ୍ଚିମବଙ୍ଗରେ ଶାସନ-କ୍ଷମତାରେ ପରିବର୍ତ୍ତନ ଘଟେ, ତେବେ ସେଥିରେ କାବା ହେବା ପାଇଁ କିଛି ବି କାରଣ ନାହିଁ। ମାତ୍ର ଯଦି ମମତା ଜିତନ୍ତି, ତାହା ଚଳନ୍ତି ସମୟରେ ଭାରତର ଗଣତନ୍ତ୍ରରେ ଏକ ନୂଆ ବିଶ୍ବାସ ଓ ସମ୍ଭାବନାର ସୂତ୍ରପାତ ଘଟାଇବ।’ ଗଲା କିଛି ବର୍ଷ ଧରି, ବିଶେଷ କରି ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ, ତାଙ୍କ ଦ୍ବାରା ଭାରତର ଗଣତନ୍ତ୍ର ପାଇଁ ଯେଉଁ ସମସ୍ୟା ଓ ସ˚କଟଗୁଡ଼ିକ ସୃଷ୍ଟି ହୋଇଛି ଓ ହେଉଛି, ତାକୁ ଲକ୍ଷ୍ୟ କଲେ, ମନେ ହୁଏ, ଅନେକ ଭାରତୀୟଙ୍କ ମନରେ ସମାନ ଧରଣର ଉପଲବ୍‍ଧି ଜାତ ହୋଇଥାଆନ୍ତା। ହେଲେ ଗଭୀର ଆଶ୍ବସ୍ତି ଓ ଆନନ୍ଦର କଥା, କେତେ କେତେ ମିଶାଣ-ଫେଡ଼ାଣକୁ ଭୁଲ୍‌ ସାବ୍ୟସ୍ତ କରି, ସମସ୍ତଙ୍କୁ ଚକିତ କରି, ଖୁବ୍‌ ଗୋଟିଏ ବଡ଼ ସ˚ଖ୍ୟାର ଫରକରେ ମମତା ଜିତିଲେ। ନିର୍ବାଚନ ଅନୁଷ୍ଠିତ ହୋଇଥିବା ୨୯୨ ଆସନରୁ ତୃଣମୂଳ କ˚ଗ୍ରେସ ପାଇଲା ୨୧୩; ବିଜେପି ୭୭। ୨୦୧୧ ମସିହାରେ ୩୪ ବର୍ଷର କମ୍ୟୁନିଷ୍ଟ ଶାସନକୁ ହଟେଇ ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀ ହେବା ବେଳେ ସେ ପାଇଥିଲେ ୧୮୪ଟି ଆସନ, ୨୦୧୬ ମସିହାରେ ସ˚ଖ୍ୟା ଥିଲା ୨୧୧; ଏଥର ସ˚ଖ୍ୟା ବଢ଼ିଛି। ମମତାଙ୍କର ଏହି ଉଜ୍ଜ୍ବଳ ବିଜୟରେ ଭାରତର ରାଜନୀତି ଓ ଗଣତନ୍ତ୍ର ପାଇଁ ଯେଉଁ ନୂଆ ବିଶ୍ବାସ ଓ ସମ୍ଭାବନା ଜାତ ହୋଇଛି, ନେତୃତ୍ବ ସ˚ପର୍କରେ ଯେଉଁ ପରିଭାଷା ପଦାକୁ ଆସିଛି, ମନେ ହୁଏ ଭାରତୀୟ ରାଜନୀତିରେ ଆସନ୍ତା ଦିନଗୁଡ଼ିକୁ ତାହା ବହୁ ମାତ୍ରାରେ ପ୍ରଭାବିତ କରିବ।

ଏଥର ପଶ୍ଚିମବଙ୍ଗ ସମେତ ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରିରେ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା। ହେଲେ, ପଶ୍ଚିମବଙ୍ଗରେ ଲଢ଼େଇ ଥିଲା ସବୁଠୁ ବଡ଼ ଓ ନାନା ଦିଗରୁ ତାତ୍ପର୍ଯ୍ୟପୂର୍ଣ୍ଣ। କେବଳ ଭାରତ ନୁହେଁ, ଭାରତ ବାହାରେ ବହୁ ରାଷ୍ଟ୍ର ଏହି ଲଢ଼େଇକୁ ଉତ୍କଣ୍ଠାର ସହ ଦେଖୁଥିଲେ। କୌଣସି ପ୍ରକାର ଭିନ୍ନ ମତକୁ (ଯାହା ଗଣତନ୍ତ୍ରର ଗଭୀରତା ଓ ଆତ୍ମା) ସହ୍ୟ କରିବାର ପ୍ରସ୍ତୁତି ବା ପ୍ରଶସ୍ତତା, ମନେହୁଏ ମୋଦୀଙ୍କ ପାଖରେ ନାହିଁ। ସେଥି ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ସବୁଠୁ ବଡ଼ ସ୍ଲୋଗାନ୍‌ ଥିଲା ‘କ˚ଗ୍ରେସ ମୁକ୍ତ ଭାରତ’। ଅର୍ଥାତ୍‌ ବିରୋଧୀମୁକ୍ତ ଶାସନ; ଯାହା ଗଣତନ୍ତ୍ରର ପରିପନ୍ଥୀ। ଏକଛତ୍ରବାଦ। ବିଭିନ୍ନ କ୍ଷେତ୍ରରେ ତାଙ୍କ ପାଇଁ ସିଧାସଳଖ କଠିନ ଓ କେତେବେଳେ ଅଲ˚ଘନୀୟ ଆହ୍ବାନ ଠିଆ କରୁଥିବା ଅନମନୀୟା ମମତାଙ୍କୁ କୌଣସି ପ୍ରକାରେ କ୍ଷୁଦ୍ର ବା ତେଜୋହୀନ କରିବାକୁ ମୋଦୀ ପ୍ରତିଜ୍ଞାବଦ୍ଧ ଥିଲେ ବୋଲି ମନେ ହୁଏ। ବଙ୍ଗ ନିର୍ବାଚନକୁ ସେ ସେଥିପାଇଁ ଉପଯୁକ୍ତ ରଣଭୂମି ଭାବରେ ବାଛିଥିଲେ। ମମତାଙ୍କୁ ପରାସ୍ତ କରି ଅନେକ ସମ୍ମୁଖ, ସମର୍ଥ ଓ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ସେ ତାଙ୍କ ଶକ୍ତିର ଉଚ୍ଚତା ଦେଖେଇ କାହାକୁ ନିଶ୍ଚେଷ୍ଟ, କାହାକୁ ନିଷ୍ପ୍ରଭ ଓ ଅନ୍ୟ କାହାକୁ କାବୁ କରି ପାରିଥାଆନ୍ତେ।

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଯାବତୀୟ କୌଶଳ ପ୍ରୟୋଗ କରି ମମତାଙ୍କର ନିକଟତମ କେତେକ ଦଳୀୟ ସହଯୋଗୀଙ୍କୁ ମୋଦୀ ନିଜ ପକ୍ଷକୁ ଆଣିଥିଲେ; ଉଦ୍ଦେଶ୍ୟ ଥିଲା, ଭିତରେ ଓ ବାହାରେ ମମତା ଶକ୍ତିହୀନ ହୋଇଯିବେ। କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଭାରତର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ନିର୍ବାଚନକୁ ୮ ଛେକରେ ପ୍ରଲମ୍ବିତ କଲେ; ଉଦ୍ଦେଶ୍ୟ ମମତା ଥକି ପଡ଼ିବେ ଓ ଅନ୍ୟ ରାଜ୍ୟରୁ ପ୍ରଚାର ସାରି ମୋଦୀ ପଶ୍ଚିମବଙ୍ଗରେ ଡେରା ପକାଇବେ। ଦେଶର ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ହରେଇବା ପାଇଁ ଭାରତ ବର୍ଷର ସମଗ୍ର ବିଜେପି, କେନ୍ଦ୍ର-କ୍ଷମତା ଏବ˚ ଶାସନ-ଅନୁଗତ ଭାରତର ସକଳ ଆନୁଷ୍ଠାନିକ ଶକ୍ତିକୁ ଠୁଳ ଓ ନିୟୋଜିତ କରାଗଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀଙ୍କ ପାଇଁ କେବଳ ପଶ୍ଚିମବଙ୍ଗରେ ୨୬ଟି ବଡ଼ବଡ଼ ରାଜନୀତିକ ସଭା ଆୟୋଜିତ ହେଲା। ଯେଉଁଦିନ ଅତୀତର ସବୁ ରେକର୍ଡ‌୍ ଟପି କୋଭିଡ୍‌ର ଭୟାବହ ଦ୍ବିତୀୟ ଲହରରେ ଭାରତରେ ନୂଆ ସ˚କ୍ରମିତଙ୍କ ସ˚ଖ୍ୟା ୨ଲକ୍ଷ ୩୪ ହଜାର ଥିଲା ଓ ମୃତକଙ୍କ ସ˚ଖ୍ୟା ଥିଲା ୧୩୪୧, ଠିକ୍‌ ସେହି ଦିନ ନିଜକୁ ଭାରତର ମୁଖ୍ୟ ସେବକ କହୁଥିବା ମୋଦୀଜୀ କୋଭିଡ଼୍‌ କଟକଣାକୁ ପାଦରେ ଦଳି ଦେଇ ପଶ୍ଚିମବଙ୍ଗରେ ଏକ ଭରା ଜନସଭାରେ ଉତ୍ସାହ-ଉଛୁଳା ଠାଣି ଓ ସ୍ବରରେ କହିଲେ ‘ଜୀବନରେ ମୁଁ ଏଡ଼େବଡ଼ ଜନସମାବେଶ କେବେ ଦେଖି ନ ଥିଲି’। ମମତାଙ୍କୁ ନିର୍ବାଚନ ସଭାଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କର ବ୍ୟଙ୍ଗ-ଚଟୁଳ ସମ୍ବୋଧନ ଥିଲା ‘ଦିଦି, ଓ ଦିଦି’। ଅତୀତର କୌଣସି ପ୍ରଧାନମନ୍ତ୍ରୀ ନିଜ ପଦର ଇଜ୍ଜତ ଭୁଲି ପ୍ରତିପକ୍ଷ ପ୍ରତି ଏ ଧରଣର ଅଶିଷ୍ଟ ବ୍ୟବହାର ଦେଖେଇବାର ନଜିର ସ୍ବାଧୀନ ଭାରତରେ ନାହିଁ। ପଣ୍ତିତ ନେହରୁ, ଶାସ୍ତ୍ରୀଜୀ ଓ ବାଜପେୟୀଜୀ ଶିଷ୍ଟତା ଦୃଷ୍ଟିରୁ ବିଶ୍ବ ସମ୍ମୁଖରେ ଶୀର୍ଷ-ସ୍ପର୍ଶୀ ଥିଲେ।

ପଶ୍ଚିମ ବଙ୍ଗର ଲଢ଼େଇ ଥିଲା ଉତ୍ତୁଙ୍ଗ କ୍ଷମତାର ଆସ୍ଫାଳନ ଓ ଅହଙ୍କାର ବିରୋଧରେ ସମର୍ପିତ ଜନସେବା ଓ ଆତ୍ମବିଶ୍ବାସର ଲଢ଼େଇ। ଦେଖାଗଲା କୋଭିଡ୍‌-୧୯ ପରି ଦୁର୍ଦ୍ଧର୍ଷ ମହାମାରୀକୁ ନେଇ ମଣିଷ ବ˚ଚିବା-ମରିବାର ଆକୁଳ-ସ˚ଶୟରେ ଘାରି ହେଉଥିବା ବେଳେ, ପଶ୍ଚିମ ବଙ୍ଗବାସୀ ରାଷ୍ଟ୍ରରେ ଗଣତନ୍ତ୍ରକୁ ନ୍ୟାୟ ଦେବାକୁ, ସୁରକ୍ଷା ଦେବାକୁ, ସବଳ କରିବାକୁ ବିପୁଳ ସ˚ଖ୍ୟାରେ ପଦାକୁ ଆସି ନିଜ ନିଜର ମତ ସାବ୍ୟସ୍ତ କରିବାକୁ ପ୍ରାଥମିକତା ଦେଲେ; ଦେଶବାସୀଙ୍କ ଆଗରେ ସେମାନେ ସ୍ପଷ୍ଟ, ସାହସିକ ଓ ଅପ୍ରଭାବିତ ନିଷ୍ପତ୍ତି ଶୁଣାଇଲେ। କ୍ଷମତାର ସକଳ ଛଳ ଓ ପ୍ରଲୋଭନ ପ୍ରତ୍ୟାଖ୍ୟାତ ଓ ନିଷ୍ଫଳ ହୋଇଛି। ବଙ୍ଗବାସୀଙ୍କର ଏହି ଐତିହାସିକ ସିଦ୍ଧାନ୍ତରେ କେବଳ ମମତାଙ୍କ ପ୍ରତି ଅକୁଣ୍ଠ ସମର୍ଥନ ବା ସ୍ବୀକୃତି ରହିଛି, ତାହା ନୁହେଁ, ଏଥିରେ ଅଛି ଭାରତୀୟ ନାଗରିକ ଓ ଯୁବପିଢ଼ି ପାଇଁ ପ୍ରେରଣାଦାୟୀ ବାର୍ତ୍ତା, ମୁକ୍ତ ଚିନ୍ତନ ପାଇଁ ମାର୍ଗଦର୍ଶିକା। ରାଜନୀତି ପ୍ରତି ଅନେକଙ୍କ ଭିତରେ ଭାଙ୍ଗି ଯାଉଥିବା ବିଶ୍ବାସକୁ ପଶ୍ଚିମ ବଙ୍ଗର ନିର୍ବାଚନର ଫଳ ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ମନେ ହୁଏ।

ହିନ୍ଦୁ ଭାବପ୍ରବଣତା ନିର୍ମାଣ କରି, ଯୋଜନାବଦ୍ଧ ଭାବରେ ତାକୁ ଗାଢ଼ କରି ରାଜନୀତିକ ଦଳ ପାଇଁ ଭୋଟ ତିଆରି କରିବାରେ ଯେଉଁ ନୀତିହୀନ ପ୍ରୟାସ ଓ ପ୍ରବଣତା ଭାରତୀୟ ଜନତା ଦଳକୁ ଘାରିଛି, ବେଶ୍‌ ଆଶାବାଦୀ ହୋଇ ତାହା ସେମାନେ ପଶ୍ଚିମ ବଙ୍ଗରେ ବ୍ୟବହାର କରିଥିଲେ। ହେଲେ ବଙ୍ଗ ମାଟିରେ ସ˚ଖ୍ୟାଗରିଷ୍ଠ ଉଦାରବାଦୀ ଭାରତୀୟ ଚେତନା ବା ବିମର୍ଶ ସେପରି ଉଦ୍ୟମକୁ ଅପ୍ରାସଙ୍ଗିକ କରିଦେଇଛି; ଭ୍ରାନ୍ତି ବୋଲି କହିଛି। ବିଶ୍ବ ଆଗରେ ଭାରତର ପ୍ରାଚୀନ ଓ ସମୃଦ୍ଧ ଧର୍ମ ନିରପେକ୍ଷ ପରିଚିତି, ପ୍ରତିଷ୍ଠା ଓ ପରମ୍ପରାକୁ ଅତୁଟ ରଖିବାରେ ବୋଧହୁଏ ଏହା ବଙ୍ଗ ଲୋକକ୍ଷେତ୍ରର ସମୟୋପଯୋଗୀ ଗୌରବାବହ ସିଦ୍ଧାନ୍ତ। ଯିଏ ଯେଉଁ ଧର୍ମରେ ଥାଆନ୍ତୁ; ଧର୍ମ ଭାବନା ବା ଧର୍ମ ଅନୁପାଳନ ହେଉଛି ଶୁଦ୍ଧ ଓ ଶୃଙ୍ଖଳିତ ଜୀବନଯାପନ ନିମନ୍ତେ ଏକ ପନ୍ଥା। ମୁଖ୍ୟତଃ ଏହା ମଣିଷକୁ ମାନବ-ସମ୍ବେଦୀ କରିଥାଏ। ଧର୍ମ ଆଦୌ ରାଷ୍ଟ୍ରୀୟତା ନୁହେଁ; ଧର୍ମ ବ୍ୟକ୍ତି-ନିଜସ୍ବ, ରାଷ୍ଟ୍ରର ସାମଗ୍ରିକତା ପାଖରେ ଧର୍ମର ପରିଚୟ ନିଷ୍ପ୍ରୟୋଜନ, ସଜ୍ଞାହୀନ। ଧର୍ମକୁ ଆଣି ରାଷ୍ଟ୍ରବୋଧରେ ରଙ୍ଗ ବୋଳୁଥିବା ବ୍ୟକ୍ତିମାନେ ମହାଭାରତୀୟତାକୁ ବୁଝନ୍ତି ନାହିଁ। ସେପରି ଚିନ୍ତାଧାରା ମହାଭାରତୀୟ ଭାବ-ଐଶ୍ବର୍ଯ୍ୟ ଗଢ଼ଣର, ଯୋଡ଼ଣର, ବିସ୍ତରଣର ପ୍ରତିବନ୍ଧ; ଶତ୍ରୁ। ରାଷ୍ଟ୍ରବୋଧର ଆରାଧନା ନିମନ୍ତେ ଶ୍ରେଷ୍ଠ ମନ୍ତ୍ର ହେଉଛି ମାନବବାଦ।

ଧର୍ମକୁ ଭୋଟ ରାଜନୀତି ସହିତ ଯୋଡ଼ୁ ଥିବାରୁ ଭାରତରେ କୋଭିଡ଼୍‌ର ଦ୍ବିତୀୟ ଲହର ଉତ୍ପାତ କରୁଥିବା ବେଳେ ହରିଦ୍ବାରରେ କୁମ୍ଭମେଳାକୁ ସରକାରୀ ସମର୍ଥନ ଦିଆଗଲା। ଗଲା ବର୍ଷ କୋଭିଡ଼୍‌ର ଆରମ୍ଭ ପର୍ଯ୍ୟାୟରେ ତବଲିଘି ଜମାତ ପାଇଁ ଦିଲ୍ଲୀରେ ମୁସଲମାନମାନେ ଏକତ୍ର ହୋଇ କୋଭିଡ଼୍‌ ସ˚କ୍ରମଣ ବଢ଼େଇଥିବାର ଅନୁଭବ ଓ ପ୍ରମାଣ ଆମ ହାତରେ ଥିଲା ବେଳେ, ଭାରତରେ କୁମ୍ଭପାଳନ ପାଇଁ ଭାରତ ସରକାର ନିଷ୍ପତ୍ତି ନେଲେ କିପରି? ଇଣ୍ତିଆନ୍‌ ମେଡିକାଲ ଆସୋସିଏସନର ଉପସଭାପତି ନବଜ୍ୟୋତ ଦାହିୟା କୁମ୍ଭ ମେଳାକୁ ଅନୁମତି ଦେବା ଓ କୋଭିଡ୍‌ ନିୟମକୁ ଫାଙ୍କି ଲକ୍ଷଲକ୍ଷ ଲୋକଙ୍କୁ ନେଇ ନିର୍ବାଚନ ରାଲି କରିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ୍‌ ଭୂତାଣୁର ‘ସୁପର ସ୍ପ୍ରେଡର’ ବୋଲି ଆରୋପ କରିଛନ୍ତି। ଗତ ବର୍ଷ ଆମେରିକାର ରାଷ୍ଟ୍ରପତି କ୍ଷମତା-ପାଗଳ ଟ୍ରମ୍ପ୍‌ କୋଭିଡ୍‌ ପ୍ରତି ଅତି ଉଦାସୀନ ଭାବ ପ୍ରକଟ କରି ଆମେରିକାବାସୀଙ୍କର ପ୍ରଭୂତ କ୍ଷତି ସାଧନ କରିଥିଲେ। ନିର୍ବାଚନରେ ବିଚାରଶୀଳ ଆମେରିକା ତାଙ୍କୁ ପଦଚ୍ୟୁତ କରି ଜୋ ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ନିର୍ବାଚିତ କଲେ। ଆମେରିକା ଏବେ ପୂର୍ବ ଗୌରବ ଫେରିପାଇଛି ଓ କୋଭିଡ୍‌ ଚିକିତ୍ସାରେ ଭାରତକୁ ସହାୟତାର ହାତ ବଢ଼େଇଛି।

ପଶ୍ଚିମ ବଙ୍ଗ ନିର୍ବାଚନରୁ ଭାରତବର୍ଷର ରାଜନୀତି ସ˚ପର୍କରେ ଅନେକ କଥା ସ୍ପଷ୍ଟ ହୋଇଯାଇଛି। ନୂଆ ସମ୍ଭାବନା ଆଗକୁ ଆସିଛି। ବିକଳ୍ପ ପାଇଁ ବାଟ ଫିଟିଛି। ଏବେ ଯେଉଁ ଲଢ଼େଇ ବା ପରୀକ୍ଷାଟି ହେଲା ୨୦୧୪ ପର ଠାରୁ ଏ ଭଳି ପରୀକ୍ଷାର ଅବକାଶ ବା ଏଡ଼େ ବଡ଼ ଲମ୍ବା-ଚଉଡ଼ା ଚଉକଷିଆ କ୍ଷେତ୍ର ଅନ୍ୟ କେଉଁଠି ମିଳି ନ ଥିଲା। ଏଠି ମୋଦୀ ଓ ମମତାଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଲା। ନିଜର ମନୋବଳକୁ ନେଇ ମମତା ନିର୍ବାଚନ ଲଢୁଥିଲେ। ଅପର ପକ୍ଷରେ ଜଣେ ପରାକ୍ରମୀ ପ୍ରତିଦ୍ବନ୍ଦ୍ବୀକୁ ପରାହତ କରି ସାରା ଦେଶରେ ବିଜୟ ବୈଜୟନ୍ତୀ ଉଡ଼େଇବା ପାଇଁ ପ୍ରଧାନମନ୍ତ୍ରୀ ନିଜ ଆଡୁ ଏହି ଲଢ଼େଇରେ ଲ˚ଫ ଦେଇଥିଲେ। ଏବ˚ ଯୁଦ୍ଧ ଭୂମିରୁ ନିଜ ତୂଣୀରରୁ ସମସ୍ତ ଶର ନିକ୍ଷେପ କଲେ। ଯୁଦ୍ଧକୁ ‘ଖେଲା ହବେ’ କହି ମମତା ବଙ୍ଗବାସୀଙ୍କ ବିଚାର ଉପରେ ଛାଡ଼ିଥିଲେ। ସ˚ଘର୍ଷ ଭିତରୁ ମମତାଙ୍କର ରାଜନୀତି ଓ ସ˚ଘର୍ଷ ଭିତରେ ବାଜି ଲଗେଇବାରେ ତାଙ୍କର ଆରୋହଣ। ଜାତୀୟ ସ୍ତରରେ ବିରୋଧୀଦଳର ସ୍ଥିତି ଅତି ଦୁର୍ବଳ ଥିବା ବେଳେ, ଅନ୍ତତଃ ଏକ ସଶକ୍ତ ରାଜନୀତିକ ବିକଳ୍ପ ପାଇଁ ମମତା ଯେଉଁ ସ୍ବଚ୍ଛ ସମ୍ଭାବନା ତିଆରି କଲେ, ନେତୃତ୍ବ କ୍ଷେତ୍ରରେ ତାହା ହେଉଛି ମମତାଙ୍କର ବ୍ୟକ୍ତି-ବୈଶିଷ୍ଟ୍ୟ।
ପଶ୍ଚିମବଙ୍ଗରୁ ଅନ୍ୟ ବାର୍ତ୍ତାଟି ହେଉଛି ଜନସାଧାରଣଙ୍କ ମନ ଜିଣିଲା ଭଳି ମୋଦୀଙ୍କର କୌଣସି ବ୍ୟକ୍ତି-ସ୍ବାତନ୍ତ୍ର୍ୟ ନାହିଁ।

ଏବ˚ ସେଭଳି ପରୀକ୍ଷାରେ କେବେ କେଉଁଠି ଏ ଯାବତ୍‌ ସେ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ଦେଶରେ ମେଣ୍ଟ ଗଠନ କରି ୧୦ ବର୍ଷ ସରକାରର ନେତୃତ୍ବ ନେଇଥିବା ସର୍ବପୁରାତନ ଜାତୀୟ ଦଳ କ˚ଗ୍ରେସ ୨୦୧୪ ନିର୍ବାଚନ ବେଳକୁ ସ˚ପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିଲା। କ˚ଗ୍ରେସ ସହିତ ମେଣ୍ଟରେ ରହି କ୍ଷମତା ଉପଭୋଗ କରିଥିବା ଆଞ୍ଚଳିକ ନେତୃତ୍ବଗୁଡ଼ିକ ନିଜ ନିଜ ରାଜ୍ୟରେ ପ୍ରାୟ ଅପା˚କ୍ତେୟ ହୋଇ ପଡ଼ିଥିଲେ। ମୋଦୀ ୨୦୧୪ ବେଳକୁ ଜାତୀୟ ନେତୃତ୍ବକୁ ଆସିବା ବେଳକୁ ବିଜେପିର ବେଶ୍‌ ମହଭୁତ୍‌ ସ୍ଥିତି ଥିଲା। ବିଜେପି ସହିତ ଯେଉଁ ଆଞ୍ଚଳିକ ଦଳଗୁଡ଼ିକ ମେଣ୍ଟ କଲେ, ସେହି ଦଳର ନେତୃତ୍ବଗୁଡ଼ିକ ରାଜ୍ୟ ସ୍ତରରେ ସା˚ଗଠନିକ ଦିଗରୁ ବେଶ୍‌ ଭଲ ଅବସ୍ଥାରେ ଥିଲେ। ଦେଶବାସୀ କେନ୍ଦ୍ର ଶାସନରେ ପରିବର୍ତ୍ତନ ପାଇଁ ଏକ ରକମ ସ୍ଥିର କରି ସାରିଥିଲେ। ୨୦୧୯ରେ କ˚ଗ୍ରେସରେ ନେତୃତ୍ବର ଚରମ ବିଫଳତା ହିଁ ବିଜେପି ପାଇଁ ସଫଳତାର କାରଣ ହୋଇଥିଲା। ଯେତେବେଳେ ଦେଶରେ କୌଣସି ସ˚କଟ ଦେଖାଦିଏ, ସେତେବେଳେ ନେତୃତ୍ବର ଅସଲ ଚେହେରା ସ˚ପର୍କରେ ଦେଶବାସୀ ଅବଗତ ହୁଅନ୍ତି। ଗଲା ଗୋଟିଏ ବର୍ଷରେ ଭାରତବାସୀ ବିଶ୍ବ ମହାମାରୀକୁ ହାଡ଼େହାଡ଼େ ଭୋଗିଲେ। ଏବେ ଦ୍ବିତୀୟ ଲହରର କରାଳ କାୟାକୁ ଭେଟିବା ବେଳକୁ ପ୍ରଶ୍ନ ଉଠୁଛି ଗଲା ବର୍ଷକ ମଧ୍ୟରେ ଭାରତର ପ୍ରସ୍ତୁତିଟି କ’ଣ? ରୋଗୀଙ୍କ ପାଇଁ ଶଯ୍ୟା ନାହିଁ, ଭେଣ୍ଟିଲେଟର ନାହିଁ, ଅମ୍ଳଜାନ ନାହିଁ, ଡାକ୍ତର ନାହାନ୍ତି, ଟିକା ନିଅଣ୍ଟ; ଶ୍ମଶାନ ଘାଟରେ ଶବଦାହ ପାଇଁ ଲମ୍ବାଲମ୍ବା ଧାଡ଼ି। ଆମେ ‘ଆତ୍ମନିର୍ଭର ଭାରତ’ କହି ନିଜେ ନିଜର ପିଠି ଥାପୁଡ଼ାଉଛେ। ଖୁଚୁରା ଖୁଚୁରା ସ୍ବାର୍ଥ ପାଇଁ କେହି କେହି ଛଳ-ବୁଦ୍ଧିଜୀବୀ ଆମକୁ ‘ବିଶ୍ବଗୁରୁ’ କହି ‘ଅଧା କାନ୍ଥି’ରେ ଚଢ଼ଉଛନ୍ତି।

ନିର୍ବାଚନ ବିଜୟ ପରେ ମମତା କହିଛନ୍ତି, ମୁଁ ଜଣେ ପ୍ରତ୍ୟକ୍ଷ ସ˚ଗ୍ରାମୀ (street fighter)। ହେଲେ ମୁଁ ଏକୁଟିଆ କିଛି ବି ନୁହେଁ। ସମସ୍ତେ ଏକତ୍ର ହେଲେ ଆମେ ୨୦୨୪ର ଲଢ଼େଇ ଲଢ଼ିବା। ମନେହୁଏ ତାଙ୍କର ଏ ଆହ୍ବାନ କେବଳ ରାଜନୀତିକ ଦଳଗୁଡ଼ିକ ପାଇଁ ଅଭିପ୍ରେତ ନୁହେଁ, ବର˚ ଭାରତର ପ୍ରତ୍ୟେକ ଚିନ୍ତାଶୀଳ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ।
(ମତାମତ ଲେଖକଙ୍କ ନିଜସ୍ବ)

‘ଶକୁନ୍ତଳା’
ମହାନଦୀବିହାର, କଟକ
ମୋ- ୯୪୩୮୨୭୫୦୯୧

ସମ୍ବନ୍ଧିତ ଖବର