ଆମେରିକାରେ ଗୋବର ଘଷି

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ଗୋବରର ଖ୍ୟାତି ଆଜି ସାତ ସମୁଦ୍ର ଡେଇଁ ଦୂର ଦୁରାନ୍ତକୁ ବ୍ୟାପି ଗଲାଣି। ନିକଟରେ ଆମେରିକାର ଏକ ବିମାନ ବନ୍ଦରରେ ଜଣେ ଭାରତୀୟଙ୍କ ସୁଟକେସ ଭିତରୁ ଗୋଟିଏ ଗୋବର ଘଷି ଜବତ ହୋଇଥିବା ଘଟଣା ଗୋବରର ଏହି ଯଶ ବର୍ଦ୍ଧନରେ ସହାୟକ ହୋଇଅଛି। ବିମାନ ବନ୍ଦରର ନିରାପତ୍ତା ଅଧିକାରୀମାନେ ଜିନିଷଟିକୁ ଯେତେବେଳେ ପ୍ରଥମେ ଆବିଷ୍କାର କରିଥିବେ, ସେତବେଳେ ଆକାର ଦେଖି ତାହା ଏକ ଅନନ୍ୟ ଭାରତୀୟ ଖାଦ୍ୟ ସାମଗ୍ରୀ ବୋଲି କୌତୂହଳୀ ହୋଇଥିବେ। ପରେ ଅବଶ୍ୟ ଯନ୍ତ୍ରପାତି ଦ୍ୱାରା ପରୀକ୍ଷା ନିରୀକ୍ଷା କରି ଏହାର ଉତ୍ସ ଯେ ଗୋମାତା, ତାହା ଜାଣି ପାରିଥିବେ।
କର୍ତ୍ତୃପକ୍ଷ ନିୟମ ସଂହିତା ଖୋଲି ଜାଣିବାକୁ ପାଇଲେ ଯେ ବହିରାଗତ ଏହି ଜିନିଷଟି ଆମେରିକାର ଗୋସମ୍ପଦ ପାଇଁ ଅତୀବ ବିପଦପୂର୍ଣ୍ଣ; କାରଣ ଏହା ସେମାନଙ୍କୁ ‘ଫୁଟ ଆଣ୍ଡ ମାଉଥ’ ରୋଗରେ ଆକ୍ରାନ୍ତ କରିପାରେ। ଥରେ ଆମେରିକାର ଗାଈମାନଙ୍କୁ ଏହି ରୋଗ ହେଲେ ଏହାର ସମ୍ପୂର୍ଣ୍ଣ ନିରାକରଣ ନ ହେଲା ପର୍ଯ୍ୟନ୍ତ ମାଂସ ରପ୍ତାନି ବନ୍ଦ। ସେମିତି ଭୟାବହ ଅର୍ଥନୈତିକ ବିପଦକୁ ଏଡ଼ାଇବା ପାଇଁ ସଂହିତାର ନିର୍ଦ୍ଦେଶ ଥିଲା କି ଏମିତି ଜିନିଷକୁ ତତ୍‍କ୍ଷଣାତ ନଷ୍ଟ କର ଓ କର୍ତ୍ତୃପକ୍ଷ ଅଚିରେ ତାହା ହିଁ କରିଥିଲେ। ଆମେରିକାର ସ୍ୱର୍ଣ୍ଣିମ ଭୂଇଁରେ ଭାରତୀୟ ଘଷି ପାଦ ଦେବା ସଙ୍ଗେ ସଙ୍ଗେ ନିଶ୍ଚିହ୍ନ ହୋଇଗଲା। ଏକ ବିରାଟ ଯାତ୍ରାର ଦୁଃଖଦ ଅନ୍ତ ଘଟିଲା।

ଘଷି ଯାତ୍ରାର ଯବନିକା ଟାଣିଥିବା ସରକାରୀ କର୍ମଚାରୀମାନଙ୍କର ବା ଦୋଷ କ’ଣ, ସେମାନେ ବିଧିର ଅନୁପାଳକ ମାତ୍ର। ସେମାନେ କେଉଁଠୁ ଜାଣିବେ ଯେ ଆମେ ଭାରତୀୟମାନେ ଖାଲି ଗୋଡ଼ ଓ ମୁହଁ (ଫୁଟ ଆଣ୍ଡ ମାଉଥ) କାହିଁକି ସାରା ଶରୀରରେ ଗୋବର ଲଗାଇ ଗାଧୋଇ ମଧ୍ୟ କୌଣସି ରୋଗର ଶିକାର ହେଉ ନାହିଁ, ବରଂ କରୋନା ଭଳି ମାରାତ୍ମକ ମହାମାରୀକୁ ଏହା ମାଧ୍ୟମରେ ପ୍ରତିହତ କରିବାକୁ ଚେଷ୍ଟା କରୁ! ଏଇ ଦେଖନ୍ତୁ, କିଛି ଦିନ ତଳେ ଗୁଜରାଟ ପ୍ରଦେଶରେ ଗୋବର ସ୍ନାନର ଦୃଶ୍ୟ କେମିତି ଖବରକାଗଜର ପୃଷ୍ଠା ଓ ଟିଭିର ପରଦା ମଣ୍ଡନ କରିଥିଲା। ଗୋବର ଗାଧୁଆ ଯେ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି କରିବ, ଏ ବିଷୟରେ ଅବଗାହନକାରୀମାନେ ଥିଲେ ନିଶ୍ଚିତ। ପରେ କୁଆଡ଼େ ସେ ସ୍ନାନର ଚାହିଦା ଏତେ ବଢ଼ିଗଲା ଯେ ସେଠି ଠୁଳ ହୋଇ ସଂକ୍ରମଣର ସମ୍ଭାବନା ନ ବଢ଼ାଇବା ପାଇଁ ଗୋ-ଶାଳା କର୍ତ୍ତୃପକ୍ଷ ନିବେଦନ କଲେ।

ଯାତ୍ରୀ ଜଣକ ଭାରତରୁ ଏତେ ଯତ୍ନରେ ଆମେରିକାକୁ ଘଷି ନେଇ ଯାଉଥିବାର କାରଣ ଜାଣିବାର ଉପାୟ ନ ଥିଲା। କାରଣ ତାଙ୍କ ସୁଟକେସକୁ ନେଇ ତନାଘନା ହେଉଥିବାର ଦେଖି ସେ ଖସି ପଳାଇଥିଲେ। ଗୋବର ଘଷିର ବ୍ୟବହାର ଅନେକ। ସେ ହୁଏତ କରୋନା ସୁରକ୍ଷା ଉପାୟ ହିସାବରେ ଜିନିଷଟିକୁ ନେଇଯାଉ ଥିଲେ। ହୁଏତ ଏହାର ପରୀକ୍ଷା ନିଜେ କରି ସାରି ଅନ୍ୟ ଭାରତୀୟ ଓ ଆମେରିକୀୟମାନଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇ ଥା’ନ୍ତେ। ନତୁବା ଘଷିଟିକୁ ହୋମ ଅଗ୍ନିରେ ପକାଇ ପବିତ୍ର ଧାର୍ମିକ ପରିବେଶ ସୃଷ୍ଟି କରି ଥା’ନ୍ତେ। ଏହି ଅଗ୍ନିରୁ ନିର୍ବାପିତ ଧୂଆଁର ମଧ୍ୟ ଔଷଧୀୟ ଗୁଣ ରହିଛି ବୋଲି ଆମ ଦେଶବାସୀଙ୍କ ବିଶ୍ୱାସ। ପୁଣି ଦଧି, ଦୁଗ୍ଧ, ଘୃତ, ଗୋମୂତ୍ର ଓ ଗୋମୟ ଏହି ପାଞ୍ଚଟି ଦ୍ରବ୍ୟର ସମ୍ମିଶ୍ରଣରେ ‘ପଞ୍ଚଗବ୍ୟ’ ପ୍ରସ୍ତୁତ ହୁଏ, ଯାହା ପାନ କଲେ ବ୍ୟକ୍ତି ପାପମୁକ୍ତ ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି।

ଗୋବର ଆମ ଗାଁ ଗହଳିର ପ୍ରାକୃତିକ ପୃଷ୍ଠଭୂମିର ଏକ ଅବିଚ୍ଛେଦ୍ୟ ଅଂଶ। ଚାଷ ଖେତ, ଆମ୍ବ ତୋଟା, ପଡ଼ିଆ ଓ ଚାରଣ ଭୂମିର ସବୁଜ ରଙ୍ଗ ସାଙ୍ଗରେ ଗୋବରର କୃଷ୍ଣ-ହରିତ୍‌ ରଙ୍ଗ ସମନ୍ୱୟ ସୃଷ୍ଟି କରି ସହାବସ୍ଥାନ କରିଥାଏ। ଚାଷୀ ମୁଲିଆ ଏହି ବସ୍ତୁକୁ ଅତି ଶ୍ରଦ୍ଧାରେ ସଂଗ୍ରହ କରି ଚାଷରେ ଖତ କରିବା ପାଇଁ ସାଇତି ରଖନ୍ତି ଓ ଘର ଲିପା ପୋଛାରେ ଲଗାନ୍ତି। ମାର୍ଗଶିର ମାସରେ ସଦ୍ୟ ଲିପା ହୋଇଥିବା ଖଳାର ପରିବେଶ ଯାଦୁକରୀ ସତେଜତା ଓ ଶୁଦ୍ଧତା ସୃଷ୍ଟି କରେ। ଗାଁରେ ଗୋବର ଘଷିକୁ ରୋଷେଇର ଜାଳ ରୂପେ ବ୍ୟବହାର କରାଯାଏ। ପିଲାଦିନେ ଘଷିର ଚାହିଦା ଏତେ ଅଧିକ ଥିଲା ଯେ ସହରର ପାଚେରିଗୁଡ଼ିକ ଶୁଖାଯାଇଥିବା ଘଷି ଗୁଡ଼ିକର ସମାହାରରେ ଏକ ସୁନ୍ଦର କଳାକୃତି ଭଳି ଦେଖା ଯାଉଥିଲା। ଅବଶ୍ୟ ଆଜି ଜାଳେଣି ଗ୍ୟାସ ସହଜରେ ଉପଲବ୍‌ଧ ହେଉଥିବାରୁ ଘଷିର ପ୍ରଚଳନ କମି ଆସିଲାଣି। ତଥାପି ଆଜି ବି ଲୋକେ ବିଶ୍ୱାସ କରନ୍ତି ଯେ ଘଷି ଜାଳରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ସ୍ୱାଦିଷ୍ଟ। ଏମିତି ଅନେକ ପବିତ୍ର ଓ ବ୍ୟବହାରିକ କାର୍ଯ୍ୟରେ ଲାଗେ ଏହି ସାଧାରଣ ଚିଜଟି। ସେଇଥି ପାଇଁ ଗୋବର ଘଷି ଆଜି ଭାରତରେ ଆମାଜନ ଓ ଫ୍ଲିପକାର୍ଟ ଇତ୍ୟାଦି ଜରିଆରେ ବିକ୍ରି ମଧ୍ୟ ହେଉଛି।

ହଜାରେ ଗୁଣ ରଖିଥିବା ଗୋବର କିନ୍ତୁ ପାଶ୍ଚାତ୍ୟ ଜଗତ୍‌ରେ ଏକ ପରିହାସର ବିଷୟ। ଖାଲି ବିଦେଶରେ କାହିଁକି ଆମ ଦେଶରେ ମଧ୍ୟ ଅନେକ ଲୋକ ଏହି ଶ୍ରଦ୍ଧାକୁ ବିଦ୍ରୂପ କରନ୍ତି। ସେମାନଙ୍କ ମତରେ ଗୋବରର ବିବିଧ ବ୍ୟବହାର ପଛରେ ରହିଛି ଶତାବ୍ଦୀ ଶତାବ୍ଦୀର ଅନ୍ଧ ବିଶ୍ୱାସ। ଏହି ବିଶ୍ୱାସଗୁଡ଼ିକ ବିଜ୍ଞାନର କଷଟି ପଥର ଦେଇ ପରଖା ଯାଇପାରିନି। ଗୋଟିଏ ବିଶାଳ ଓ ପ୍ରାଚୀନ ସଭ୍ୟତାରେ ଯୁଗ ଯୁଗ ଧରି ରହି ଆସିଥିବା ବିଶ୍ୱାସ ଓ ବ୍ୟାବହାରିକ ଶୈଳୀ ଆଜି ଏକ ଅଚଳନ୍ତି ମୁଦ୍ରା ଭାବେ ପ୍ରତ୍ୟାଖ୍ୟାତ।

ଆମ ଦେଶରେ ଅନେକେ ଆଜି ଆମର ସଂସ୍କୃତି ଓ ପରମ୍ପରାର ବିଭବଗୁଡ଼ିକୁ ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିଥାନ୍ତି ଓ ଏଗୁଡ଼ିକୁ ନୀଚା ଦେଖାଇଥାନ୍ତି। ହେଲେ ଯଦି କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ଦ୍ୱାରା ବା ଅନ୍ୟ କାରଣରୁ ଏହି ଜିନିଷଗୁଡ଼ିକ ବିଦେଶରେ ଗ୍ରହଣୀୟ ହୋଇଯାଏ, ତେବେ ଏହି ନିନ୍ଦୁକମାନେ ପୁଣି ତାର ଭୁରି ଭୁରି ପ୍ରଶଂସା କରିଥାନ୍ତି। ଦିନେ ଆମ ଦେଶରେ ଅବହେଳିତ ଯୋଗ ପଦ୍ଧତି ପାଶ୍ଚାତ୍ୟରେ ଲୋକପ୍ରିୟ ହେବା ପରେ ଭାରତରେ ମଧ୍ୟ ଅନୁରୂପ ସ୍ୱୀକୃତି ଲାଭ କରିଛି।

ଆଇନର ଝିଞ୍ଜଟକୁ ଏଡ଼ାଇବାକୁ ଯାଇ ସିନା ଭଦ୍ରଲୋକ ସେଦିନ ଏତେ ଆଦରରେ ନେଇ ଯାଉଥିବା ଗୋବର ଘଷିକୁ ବିମାନ ବନ୍ଦରରେ ଛାଡ଼ି ପଳାଇ ଗଲେ, ହେଲେ ତାଙ୍କର ପ୍ରଚେଷ୍ଟା ପ୍ରମାଣ କରି ଦେଲା ଯେ ‘ସବୁଜ ପିଠିଆ’ (ଆମେରିକୀୟ ମୁଦ୍ରା ବା ଡଲାରର ଏକ ରୋଚକ ନାମ green-back ଅଟେ)ର ମୋହ ପବିତ୍ରତାର ଏହି ଘନ-ସବୁଜ ପ୍ରତୀକଟି ପ୍ରତି ତାଙ୍କର ଆକର୍ଷଣକୁ ନିର୍ବାପିତ କରି ପାରି ନାହିଁ।

କସ୍‌ମୋପୋଲିସ୍‌ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର