‘ଶୃଶ୍ବନ୍ତୁ ବିଶ୍ବେ ଅମୃତସ୍ୟ ପୁତ୍ରା’
-ଶ୍ବେତାଶ୍ବେତର ଉପନିଷଦ

Advertisment

ପ୍ରିୟ ବିଶ୍ବବାସୀ
ମୁଁ ଆପଣମାନଙ୍କ ମଧୢରୁ ଜଣେ। ନିବାସ ମୋର ଭାରତର ପୂର୍ବତଟରେ ପ୍ରଣାମ ମୁଦ୍ରାରେ ବିଦ୍ୟମାନ ‘ଓଡ଼ିଶା’ ନାମକ ରାଜ୍ୟରେ। ମହାମାରୀ ଗ୍ରାସର ସାମୂହିକ ଦୁର୍ଭାଗ୍ୟ ଆମକୁ ସହଭାଗୀ କରିଚି। ବିଶାଳ ପୃଥିବୀରେ ଆମେ କିଏ କୋଉଠି ଅଛେ ତା’ର ଅନୁମାନ ବି ନ ଥିଲା ଏ ଯାଏଁ। ମହାମାରୀର ତ୍ରାସ ଆମକୁ ଗୋଟିଏ ବିଶାଳ ଦୁଃଖୀ କୁଟୁମ୍ବର ସଦସ୍ୟ କରି ଗୋଟିଏ ଦୁର୍ଭାଗ୍ୟର ରଜ୍ଜୁରେ ବାନ୍ଧି ଦେଇଚି। ଆପଣମାନେ ଏ ସମୟରେ କ’ଣ ଭାବନ୍ତି ମୁଁ ଜାଣେ ନାହିଁ, କିନ୍ତୁ ମୋର ସନ୍ଦେହ ନାହିଁ ଯେ ଆମ ସମସ୍ତଙ୍କର ଭାବନା କୋଉଠି ଗୋଟେ ଯାଇ ଏକାଠି ହେଉଚି, ବିଶ୍ବର ମର୍ମସ୍ଥଳରେ ଗୋଟେ ବ୍ୟଥା ହୋଇ ଜମାଟ ବାନ୍ଧୁଚି। ସେଇ ବି ଆମର ସାମୂହିକ ଓ ବ୍ୟକ୍ତିଗତ ହତାଶାର କାରଣ। କ୍ଷମା କରିବେ ଆପଣମାନଙ୍କୁ ମୁଁ ମୋର ହୃଦୟର ବାର୍ତ୍ତା ଓଡ଼ିଶାର ଲୋକକ୍ଷେତ୍ରରୁ ଓଡ଼ିଆରେ କହୁଚି। ଆପଣମାନଙ୍କ ମଧୢରୁ ଅନେକେ ହୁଏତ ଜାଣନ୍ତି ନାହିଁ ଓଡ଼ିଶାର ଭାଷା ଓଡ଼ିଆ ଭାରତର ଏକ ସର୍ବାଙ୍ଗ ସୁନ୍ଦର ଭାଷା; ଶାସ୍ତ୍ରୀୟ ଓ ପ୍ରାଚୀନ ହେଲେ ବି ଅପୂର୍ବ ୟାର ଆବେଦନ। କେଜାଣି କେମିତି ଏ ଭାଷାର କଥା ଆପଣମାନଙ୍କ ପାଖରେ ପହଁଚିବ, ହୁଏତ ଆପଣମାନେ ଜାଣିବେ ନାହିଁ ଆପଣଙ୍କ ଉଦ୍ଦେଶ୍ୟରେ ଏ ବାର୍ତ୍ତା ଏକ ପତ୍ର ଭଳି ଲେଖି ରଖୁଚି ଆପଣଙ୍କ ବିଶାଳ କୁଟୁମ୍ବର ଜଣେ ଅଖ୍ୟାତନାମା, ଅପା˚କ୍ତେୟ ସଦସ୍ୟ! କିନ୍ତୁ ଆଖିରେ ମୋ ଭଳି କୋଟି କୋଟି କୁଟୁମ୍ବର ସଦସ୍ୟଙ୍କ କଳ୍ପନା ଧରି ମୁଁ କିଛି ସମୟ ସେଇମାନଙ୍କ ସାମୂହିକ ଭାଗ୍ୟର ଅ˚ଶ ହୋଇ ବ˚ଚି ପାରିବି, ଏତିକିରେ ମୋର ସନ୍ତୋଷ। ମଣିଷ ଯଦି ବିକଳ ହୋଇ କାନ୍ଦେ ବିଶ୍ବରେ କୋଉଠି ନା କୋଉଠି ତ ତନ୍ତ୍ରୀଟିଏ ଥରି ଉଠିବ!

ବିଶ୍ବର ଏ ନାରଖାର ଅବସ୍ଥା ଭିତରେ ପ୍ରକୃତିର ଲୀଳା ଚାଲିଥିବ। ଦିନରାତି, ଜୀବନ ମରଣ! କିନ୍ତୁ ଏଠି ମୁଁ ଦେଖୁଚି ସୂର୍ଯ୍ୟୋଦୟ ସହିତ ଆଜି ସମସ୍ତେ ରୋଗମୁକ୍ତ ହେବେ, ସୁଖୀ ହେବେ, ଜର ଛାଡ଼ିଯିବ, ଦୁର୍ଦ୍ଦିନ କଟିଯିବ। ଶୁଭ ସକାଳ ସମସ୍ତଙ୍କର ଆଜି। ଓଡ଼ିଶା ଲୋକକ୍ଷେତ୍ରରେ ସ˚କଳ୍ପ ଆମର ଯେ ଆମେ ହାରିଯିବାନି, ଆମେ ଜିଣିବା। ପୃଥିବୀର ଇତିହାସରେ କେତେ ବିରାଟ ଭୂଚଳନ ଭିତର ଦେଇ ଆପାତତଃ ଗୋଟିଏ ବୋଧଗମ୍ୟ କିନ୍ତୁ ରହସ୍ୟମୟ ପ୍ରକୃତି ଆମେ ପାଇଚେ। ବିଶ୍ବର ଇତିହାସରେ କେତେ ଯୁଦ୍ଧ-ବିଗ୍ରହ, ଦୁର୍ଦ୍ଦଶା, ବିତ୍ପାତ ଓ ମହାମାରୀ ଭୋଗି ଭୋଗି ଆମେ ତିଷ୍ଠିଚେ, ଏବେ ହାରିଯିବା କେମିତି? ଜିଣିବାର ମନୋବଳରେ ତ ତିଆରି ହୋଇଚି ସଳଖ ମେରୁଦଣ୍ତୀ ମଣିଷର ଉଦ୍‌ବର୍ତ୍ତନର ମହାଗାଥା। ପୃଥିବୀ ଓ ବିଶ୍ବକୁ ଆମେ ଅଲଗା କରି ଚିହ୍ନିଚେ ଜ୍ଞାନବଳରେ। ଜ୍ଞାନବଳରେ ଆମେ ମହା ପ୍ରକୃତିର ଲୀଳାକୁ ବଦଳାଇ ପାରିନେ ସିନା, ବିଶ୍ବର ସାମୂହିକ ଚୈତନ୍ୟକୁ ତ ବଦଳେଇଚେ? ମଣିଷର ଭାଗ୍ୟକୁ ତ ନୂଆ କରି ଲେଖିବାର ଆସ୍ପର୍ଦ୍ଧା କରିଚେ? ଏବେ ଏ ମହାମାରୀ ବିରୋଧରେ ପ୍ରତିଷେଧକ ଟିକା ବାହାରିଲାଣି, ଔଷଧ ବି ବାହାରିଲାଣି। ଅଚିରେ ଆମେ ସୁସ୍ଥ ହୋଇଯିବା। ପୁଣି ଆଉ କୋଉ ଭୟଙ୍କର ସ˚କ୍ରମଣ ଆସିବ ତ ତା’ର ବି ମୁକାବିଲା କରାଯିବ। ଏକଥା ସ୍ପଷ୍ଟ ହୋଇଗଲାଣି ଯେ ଜୀବାଣୁ-ମାରଣ ଆମେ ସହଜରେ କରିପାରିବା, କିନ୍ତୁ ଭୂତାଣୁ-ମାରଣ ଏତେ ସହଜ ନୁହେଁ। ସବୁ ବୈଜ୍ଞାନିକ ଅନୁସନ୍ଧାନ ପରେ କଥା ଆମରି ପାଖରେ ଆସି ଅଟକିଚି।

ଆମେ ନିଜକୁ ଓ ଆମର ବିଶ୍ବକୁ ବ˚ଚେଇବାକୁ ଚାହୁଁ ନା ନାହିଁ? ଆମେ ଚାହୁଁ ଆମ ବିଶ୍ବ ସେଇଭଳି ଅସ˚ଖ୍ୟ ଲୋକସ୍ବରରେ ମୁଖରିତ ହୋଇ ରହିଥାଉ। ଆମେ ଚାହୁଁ ଆମେ ସମସ୍ତେ ବ˚ଚିବା। କେମିତି ବ˚ଚିବା? ଭୂତାଣୁ ବିରୋଧରେ ଲଢ଼ିଲା ବେଳେ ବିଜ୍ଞାନ ଯାହାବି କରୁ କୁହାଯାଉଚି ଆମେ ମୁହଁରେ ମୁଖା ବାନ୍ଧିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଲୋକ ସ˚ସ୍ପର୍ଶ ତ୍ୟାଗ କରିବା। ୟାକୁ ଆମେ ଭାରତୀୟମାନେ କହୁ ‘ସମ୍ବରଣ’। ସମ୍ବରଣ ଅନ୍ତଃପ୍ରକୃତିର ବ୍ୟାପାର। ଏ ଅନ୍ତଃପ୍ରକୃତି ଆମର। ଆମେ ଯଦି ସମ୍ବରଣ ନ କରିବା, ଉଚ୍ଛୃ˚ଖଳ ହେବା, ତେବେ ଏକାକୀ ବିଜ୍ଞାନ ୟାର ଉନ୍ମୂଳନ କରିପାରିବ ନାହିଁ। ବିଜ୍ଞାନ ଏକ ଯୋଗ। ଜଣେ ସାଧାରଣ ମଣିଷ ଭାବରେ ମୁଁ ଭାବେ ଯେ ଅନ୍ତଃ-ପ୍ରକୃତି ସହିତ ବହିଃ-ପ୍ରକୃତିର ଯୋଗ ହିଁ ବିଜ୍ଞାନ। ସବୁ ଆବିଷ୍କାର ଓ ଉଦ୍‌ଭାବନ ଯୋଗସମ୍ଭବା। ମଣିଷ କେବଳ ବିଜ୍ଞାନ ଉପରେ ନିର୍ଭର କଲେ ବିଶ୍ବରେ ମଣିଷର ସ୍ଥିତି ସବୁବେଳେ ନୂଆ ସ˚କଟର ସମ୍ମୁଖୀନ ହେବ, ଯାହାର ସମାଧାନ ବିଜ୍ଞାନ ପାଖରେ ନ ଥିବ। କଥା ଏମିତି ହେବ ଯେ ବିଜ୍ଞାନ ନିଜକୁ ସମର୍ଥ ଓ ସାର୍ଥକ ପ୍ରତିପାଦନ କରିବା ପାଇଁ ମଣିଷର ବାସ୍ତବିକ ଆବଶ୍ୟକତା, ଆକା˚କ୍ଷା ଓ ସ୍ବପ୍ନର ସୀମା ବାହାରକୁ ଯାଇ ଏକ କାଳ୍ପନିକ ଜଗତ୍‌ରେ ପ୍ରବେଶ କରିବ। ଯେଉଁ ବିଜ୍ଞାନ ମଣିଷର ଧରାନିବାସକୁ ତାତ୍ପର୍ଯ୍ୟ ଓ ପ୍ରତିଷ୍ଠା ଦେଇପାରେନାହିଁ, ସେ ବିଜ୍ଞାନ ଚାତୁର୍ଯ୍ୟ ଓ କୌତୂହଳ ଆଶ୍ରିତ, ମଙ୍ଗଳକାରୀ ନୁହେଁ।

୧୯୫୮ରେ ଦାର୍ଶନିକ ବର୍ଟ୍ରାଣ୍ତ୍‌ ରସେଲ୍‌ ମାନବଜାତିର ଭବିଷ୍ୟତ ଉପରେ ଯୋଡ଼ିଏ ବୈକଳ୍ପିକ ନିଷ୍କର୍ଷରେ ପହଁଚିଥିଲେ। ଗୋଟିଏ ହେଉଚି ମାନବ ସମାଜ ଧ୍ବ˚ସ ପାଇଯିବ ଅଥବା ମଣିଷ ତା’ର ପାଶବିକ ଅତୀତର ଅନ୍ଧକାରକୁ ଫେରିଯିବ। ଏ ଭିତରେ ଷାଠିଏ ବର୍ଷରୁ ଅଧିକ କାଳ ବ୍ୟତୀତ ହେଲାଣି। ଦାରିଦ୍ର୍ୟ, ପ୍ରତିକୂଳ ପରିବେଶ, ଅସମତା, ପ୍ରାକୃତିକ ବିତ୍ପାତ ଭିତର ଦେଇ କେତୋଟି କଥା ସ୍ପଷ୍ଟ ହୋଇଗଲାଣି। (୧) ପୁଞ୍ଜି ନାମରେ ଆର୍ଥିକ ଏକଛତ୍ରବାଦ ଆଉ ଚଳିବ ନାହିଁ (୨) ମାନବ-ସୁରକ୍ଷା ଏକ ମୂଳଭୂତ ମାନବିକ ଅଧିକାର (୩) ବିଚାରଧାରା ଠାରୁ ବାସ୍ତବତା ଅଧିକ ଶକ୍ତିଶାଳୀ (୪) କୌଣସି କ୍ଷେତ୍ର ବା ଦେଶ ଆଉ ନିଃସଙ୍ଗ ନୁହେଁ। ଅନ୍ୟ ଭାବରେ କହିଲେ ମଣିଷର ତିଷ୍ଠିବାର ସ˚କଳ୍ପ ଏକ ରାଷ୍ଟ୍ରୀୟ ରାଜନୀତି ଓ ଆନ୍ତର୍ଜାତିକ ସ˚କଳ୍ପର ଅ˚ଶ। ରସେଲ୍‌ ମାନବଜାତିର ଭବିଷ୍ୟତ କଳ୍ପନା କଲାବେଳେ ଯୁଦ୍ଧର ଘନଘଟାରୁ ବାହାରିଥିବା ଓ ଉପନିବେଶ ମୁକ୍ତିର ସ˚ଗ୍ରାମ ଚାଲିଥିବା ଏକ ସମୟର ଛାୟାରେ ଥିଲେ। ଏ ଷାଠିଏ ବର୍ଷ ଭିତରେ ରାଜନୀତି ମଣିଷର ଅଧିକାରକୁ ଭାଷା ଦେଇଚି, ଅର୍ଥନୀତି ମଣିଷର ଅଭାବକୁ ଭାଷା ଦେଇଚି ଓ ବିଜ୍ଞାନ ମଣିଷର ଆସ୍ପର୍ଦ୍ଧା ଓ ସମ୍ଭାବନାକୁ ଭାଷା ଦେଇଚି। ତେଣୁ ଧ୍ବ˚ସ ଅବଶ୍ୟମ୍ଭାବୀ ନୁହେଁ, ବିଧ୍ବ˚ସକ ମାରଣାସ୍ତ୍ରରେ ଭରା ରାଷ୍ଟ୍ରମାନେ ଆଉ ବିଶ୍ବଯୁଦ୍ଧ ଉପୁଜାଇବାର ସ୍ଥିତିରେ ନାହାନ୍ତି, ଗଣତନ୍ତ୍ରର ବିକଳ୍ପ ଆଉ ନାହିଁ, ବିଜ୍ଞାନକୁ ନେଇ କିନ୍ତୁ ସନ୍ଦିଗ୍‌ଧତା ବଢ଼ିଚି। ଏ ସନ୍ଦିଗ୍‌ଧତା ଏଇଥି ପାଇଁ ଯେ ବିଜ୍ଞାନର ମୌଳିକ ସନ୍ଧାନ ଏବେ ପ୍ରୟୋଗ ବିଦ୍ୟାର ବିପୁଳତାକୁ ଜନ୍ମ ଦେଇଚି। ବିଜ୍ଞାନର ପ୍ରୟୋଗଶାଳାରେ ବିଫଳ ପରୀକ୍ଷଣର ଆକଳନ କରାଯାଇନାହିଁ, କରିବା ଉଚିତ୍‌ ମଧୢ ନୁହଁ। କିନ୍ତୁ ବସ୍ତୁ ନିର୍ମାଣରେ ନିୟୋଜିତ ବିଜ୍ଞାନ କ୍ଳାନ୍ତ ହେଲାଣି। ଅନ୍ତରୀକ୍ଷର ବିଜୟ ଯଥେଷ୍ଟ ନୁହେଁ, ସେ ମଧୢ କି ବିଜୟ! ସାଧାରଣ ମଣିଷ ପଛରେ ଚନ୍ଦ୍ର ବା ମଙ୍ଗଳରେ ଓହ୍ଲେଇଲେ ତ ହେଲା କ’ଣ? ହୁଏତ ଓ କେବେ କିଛି ହେବ। ସେ ଯାହାହେଉ, ବିଜ୍ଞାନର ଗୋଟିଏ ବଡ଼ ଭାଗ ଲାଗିଗଲା ଅସ୍ତ୍ର ନିର୍ମାଣରେ। ଅର୍ଥାତ୍‌ ଯୁଦ୍ଧ, ପୁଞ୍ଜି ଓ ବିଜ୍ଞାନ ଭିତରେ ଏକ ଭିତିରି ସ˚ପର୍କ ବିଜ୍ଞାନକୁ ସନ୍ଦିଗ୍‌ଧ କରି ଠିଆ କରେଇଚି ଏ ଯାଏଁ।

କରୋନା ଭୂତାଣୁ ଆସିଲା କୋଉଠୁ? ଜୈବାସ୍ତ୍ରରେ ଯୁଦ୍ଧ କରିବାର ଚିନ୍ତା କାହା ମୁଣ୍ତକୁ ଆସିଲା? କିଏ ଏଥିପାଇଁ ବିଜ୍ଞାନର ପ୍ରୟୋଗଶାଳାକୁ କଳୁଷିତ କଲା? ସେଇ ପୁଞ୍ଜିବାଦୀ ରାଷ୍ଟ୍ର ଯାହାର ଦରକାର ସମଗ୍ର ବିଶ୍ବ ଉପରେ ଆଧିପତ୍ୟ। ଚୀନ୍‌ର ପ୍ରୟୋଗଶାଳାରେ ସତରେ ଭୂତାଣୁ ଲିକ୍‌ ହେଲା କି ନାହିଁ, ଏ ଚିନ୍ତା ଏବେ କରାଯାଉଚି। ଜୈବାସ୍ତ୍ର ଉପରେ କଟକଣାର ପ୍ରୋଟୋକଲ୍‌ କାହିଁକି ସମ୍ଭବ ହୋଇନାହିଁ ବା କାର୍ଯ୍ୟକାରୀ ହୋଇନାହିଁ ଏ ଯାଏଁ। କାରଣ ଶଠ ଯଦି ଶଠକୁ ଶଠାଚାର ପରିତ୍ୟାଗ କରିବା ପାଇଁ କହେ, ତେବେ ତାକୁ କୋଉ ବୁଦ୍ଧିମାନ ଶଠ ମାନିବ? ଆନ୍ତର୍ଜାତିକ ପ୍ରୋଟୋକଲ୍‌ ଗୁଡ଼ିକରେ ଅନେକ ସଦିଚ୍ଛା କିନ୍ତୁ ସବୁ ପଛରେ ଦୁରଭିସନ୍ଧି। ବିଶ୍ବର ରାଷ୍ଟ୍ର ସମୁଦାୟ ଜୈବାସ୍ତ୍ରମାନଙ୍କର ପରିତ୍ୟାଗ କରିବାର ବା ଧ୍ବ˚ସ କରିବାର ଶପଥ କେବେ ନେବେ? ଦୋଷୀ ଖୋଜୁ ଖୋଜୁ ନିଜ ପ୍ରୟୋଗଶାଳାରୁ ପୁଣି ଆଉ ଗୋଟେ ଭୂତାଣୁ ଖସିଯିବ। ମଣିଷର ଅନ୍ତଃପ୍ରକୃତି ପାଇଁ ଯେଉଁ ସମ୍ବରଣ ବାହ୍ୟ ପ୍ରକୃତି ପାଇଁ ମଧୢ ସେଇ ସମ୍ବରଣ ଲୋଡ଼ା। ବିଜ୍ଞାନର ମହତ୍ବାକା˚କ୍ଷାରେ ସମ୍ବରଣ ଲୋଡ଼ା, ପୁଞ୍ଜିର ରାକ୍ଷସୀ ଲୀଳାରେ ସମ୍ବରଣ ଲୋଡ଼ା, ରାଜନୈତିକ ଓ ଆନ୍ତର୍ଜାତିକ ମହତ୍ବାକା˚କ୍ଷାରେ ବି ସମ୍ବରଣ ଲୋଡ଼ା। ଅନ୍ତଃପ୍ରକୃତି ସହିତ ବହିଃପ୍ରକୃତିର ଯୋଗ ସମ୍ଭବ କରାଇବା ପାଇଁ ଏବେ ସମ୍ବରଣ ହିଁ କାରକ! ଦୁର୍ବିପାକ, ରୋଗ ଓ ଦାରିଦ୍ର୍ୟ ବିରୋଧରେ ଲଢ଼ିବା ପାଇଁ ମହତ୍ବାକା˚କ୍ଷା ନୁହେଁ କରୁଣା, ସମ୍ବେଦନା ଓ ସମ୍ବରଣ ଜରୁରୀ। ଜୀବନ ହାରିବା ପାଇଁ ସାହସ ଲୋଡ଼ା ନାହିଁ, ଜୀବନ ଜିଇବା ପାଇଁ ସାହସ ଲୋଡ଼ା!

ଏବେ ଇସ୍ରାଏଲ୍‌ ରାଷ୍ଟ୍ର ନିଜକୁ କରୋନା ମହାମାରୀ ମୁକ୍ତ ବୋଲି ଘୋଷଣା କରିଚି। ଶତକଡ଼ା ଶହେ ଟିକାକରଣ ପରେ ସେମାନେ ଆଉ ‘ସମ୍ବରଣ’କୁ ଗୁରୁତ୍ବ ଦେଉନାହାନ୍ତି। କିନ୍ତୁ ମନେ ରଖିବାକୁ ହେବ ଯେ କେବେ ଦିନେ ନିଜର ରାଷ୍ଟ୍ରୀୟ ଅସ୍ତିତ୍ବ ସ୍ଥାପିତ କରିବାର ସ୍ବପ୍ନ ନେଇ ଗଠିତ ଏଇ ରାଷ୍ଟ୍ରଟିର ନାଗରିକମାନେ କଠୋର ନିୟମାନୁବଦ୍ଧ। କଠୋର ନିୟମାନୁବଦ୍ଧତା ସମ୍ବରଣର ରାଷ୍ଟ୍ରୀୟ ଆଜେଣ୍ତା। ଦ୍ବିତୀୟରେ ଜନସ˚ଖ୍ୟା କମ୍‌ ଥିବା ହେତୁ ଆପାତତଃ ଅଧିକ ଦାମୀ ଫାଇଜର‌୍‌ ଟିକା ସେମାନେ କିଣିପାରିଲେ। କିନ୍ତୁ ଏ ପ୍ରକାରର ସ୍ବଚ୍ଛଳତା ସବୁ ରାଷ୍ଟ୍ରଙ୍କର ନାହିଁ। ପୁଣି ଦେଖନ୍ତୁ ଏ ଫାଇଜର କମ୍ପାନିକୁ! ଇଏ ତା’ର ବ୍ରାଣ୍ତର ଟିକା ଉପରୁ ବୌଦ୍ଧିକ ସ˚ପଦ ଅଧିକାର (ଆଇ.ପି.ଆର‌୍‌) ତ୍ୟାଗ କରିବା ପାଇଁ ପ୍ରସ୍ତୁତ ନୁହେଁ। ଆମେରିକାର ବାଇଡେନ୍‌ ସରକାର କ’ଣ ସତରେ ଏତେ ଅସହାୟ? ନା ଇଏ ହେଉଛି ଶଠ-ସୁଆଙ୍ଗ। ପ୍ରକୃତରେ ମାନବ-ଜୀବନ ସୁରକ୍ଷା ପାଇଁ ଆବଶ୍ୟକ ଟିକା, ଔଷଧ ଓ ସମସ୍ତ ବସ୍ତୁ ଆଇ.ପି.ଆର‌୍‌ ମୁକ୍ତ ଘୋଷିତ ହେବା ଦରକାର। ଘୋଷଣା ହେଉନି କାହିଁକି? ଶଠ-ସୁଆଙ୍ଗର ମିଛ ସ˚ଳାପ!

ହେ ବିଶ୍ବବାସୀ ବନ୍ଧୁଗଣ, ଆପଣ ଯଦି ସ˚ପନ୍ନ ଦେଶର ହୋଇଥାନ୍ତି, ତେବେ ଏ ଅହ˚କାର କରନ୍ତୁ ନାହିଁ ଯେ ଆପଣଙ୍କୁ ସବୁକିଛି ସୁବିଧାରେ ମିଳିଗଲା, ତେଣୁ ଆପଣ ବ୍ୟାଧିମୁକ୍ତ ହୋଇଗଲେ। ବର˚ ମୁଁ ମୋର ଅଭାବ-ଜର୍ଜରିତ ଲୋକକ୍ଷେତ୍ରରୁ ଆପଣଙ୍କୁ ପ୍ରଶ୍ନ କରେଁ: ଫାଇଜର‌୍‌ ବା ମଡେର୍ଣ୍ଣା ଟିକା ଆପଣଙ୍କୁ ମିଳିଗଲେ କ’ଣ ବିଶ୍ବବାସୀ ପାଇଗଲେ? ନା, ଆମେ ଏବେ ବି ଅଭାବ ସହିତ ଲଢ଼ୁଚୁ। ଭାରତର କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପ୍ରାଣାନ୍ତକ ପ୍ରୟାସ କରୁଚନ୍ତି, କିନ୍ତୁ ବିଶ୍ବ ମହାମାରୀକୁ ମୁକାବିଲା କଲାଭଳି ସାଧନ ଏବେ ଆମ ପାଖରେ ପର୍ଯ୍ୟାପ୍ତ ନାହିଁ। ସାଧୢମତେ ଆମେ କିଣିବୁ, ଦାନ ଆପଣଙ୍କର ଦକ୍ଷିଣା ଭଳି ପାହୁଲାଏ: ଲଜ୍ଜାକର ବଦାନ୍ୟତା।

ଗୋଟିଏ ପ୍ରସ୍ତାବର ବିଚାର କରିବେ। ପ୍ରସ୍ତାବଟି ଏହି ଯେ ମାନବ ଜାତିର ସୁରକ୍ଷା ପାଇଁ ଗୋଟିଏ ବିଶ୍ବସ୍ତରୀୟ ପ୍ରୋଟୋକଲ୍‌ର ନିର୍ମାଣ ହେଉ। ଯେଉଁ ଔଷଧ କମ୍ପାନିମାନେ ଔଷଧ ବିକି ବିପୁଳ ଅର୍ଥ ସ˚ଗ୍ରହ କରିଚନ୍ତି, ସେମାନେ ବିଶ୍ବମାରୀରେ ମାନବ ସୁରକ୍ଷା ପାଇଁ ବିଶ୍ବକୁ ମାଗଣା ଟିକା ଯୋଗାଇବେ। ଏଥିପାଇଁ ସେମାନେ ଗୋଟିଏ କନ୍‌ସୋଟିଅମ୍‌ ବା କର୍ତ୍ତାଗୋଷ୍ଠୀ ନିର୍ମାଣ କରିପାରନ୍ତି। ସରକାର ନିଃଶୁଳ୍କ ଟିକାକୁ ନିଃଶୁଳ୍କ ବାଣ୍ଟିବେ ସାରା ବିଶ୍ବରେ। ଯଦି ମାନବ ସୁରକ୍ଷା ପାଇଁ ଦୁଇ ଚାରି ଟ୍ରିଲିଅନ୍‌ ଖର୍ଚ୍ଚ ହୋଇଯାଏ, ତେବେ ହେଉ। ଏ ଶେଠମାନେ ତ ଭିକାରି ହେବେ ନାହିଁ! ଏ ଆନ୍ତର୍ଜାତିକ ପ୍ରୋଟୋକଲକୁ ନ ମାନିଲେ କମ୍ପାନିର ଲାଇସେନ୍‌ସ ରଦ୍ଦ କରାଯାଉ। ଏ ପ୍ରୋଟୋକଲ ସହିତ ବିଭିନ୍ନ ଦେଶରେ ପୁଞ୍ଜିପତିଙ୍କ ଭୂମିକା ବି ଲୋକକ୍ଷେତ୍ରରେ ଫିଟୁ। ଏମାନେ କେବଳ ଟଙ୍କା ଜମା କରନ୍ତି, ପୁଞ୍ଜି ବଢ଼ାନ୍ତି ନା ମଣିଷ ସମାଜ ପ୍ରତି ୟାଙ୍କର କିଛି ଦାୟିତ୍ବ ଅଛି? ସବୁ କମ୍ପାନିଙ୍କର ସି.ଏସ୍‌.ଆର‌୍‌ ପୁଞ୍ଜି ଗୋଟିଏ ସ୍ପେସିଆଲ ପ୍ରୋଜେକ୍ଟ ଭେହିକଲ୍‌ ଦ୍ବାରା ଦୁର୍ବିପାକରେ ପ୍ରୟୋଗ ପାଇଁ ଉପଲବ୍‌ଧ ହେଉ।

କୁଆଡ଼େ ଗଲେ ଆମ ଭାରତର ମୋଟା ଶେଠମାନେ? ଏମାନେ ପରା ବିଶ୍ବର ଟପ୍‌ ଧନୀକଙ୍କ ମଧୢରେ ଜଣେ ଜଣେ? ମହାମାରୀରେ ଏମାନେ କି ଅବଦାନ ଦେଲେ? ଏବେ ଆମ ଓଡ଼ିଶାରେ ତିନିଟି ଟିକା ବିଭିନ୍ନ ମୂଲ୍ୟରେ ମିଳୁଚି। ଏ ଟିକା ଯେଉଁମାନେ ବଜାର ପାଇଁ ଉତ୍ପାଦନ କରୁଛନ୍ତି, ସେମାନେ ମାନବ ଜୀବନ ରକ୍ଷା ପାଇଁ ହଜାରେ କୋଟିର ଟିକା ମାଗଣାରେ ଯୋଗାଇ ଦିଅନ୍ତୁ, ଅସୁବିଧା କୋଉଠି? ୟାଙ୍କ ପାଖରେ ପୁଞ୍ଜିର ଜମା ଏତେ ବେଶି ଯେ ହଜାରେ କୋଟି କିଛି ନୁହେଁ। ୟାକୁ ବାନ୍ଧିବା ପାଇଁ କେନ୍ଦ୍ର ସରକାର ୟାଙ୍କୁ ସ˚କଳ୍ପବଦ୍ଧ କରାନ୍ତୁ। ଏମାନେ ଯେଉଁ ମୁନାଫା କମେଇଲେ ସିଏ ଉତ୍ପାଦ ବିକ୍ରିରୁ ମିଳିଲା। ମଣିଷ ବ˚ଚିଗଲେ, ପୁଣି ତାଙ୍କ ଉତ୍ପାଦ କିଣିବେ, ପୁଣି ଚର୍ବି ଜମିବ। ପୁଞ୍ଜିପତି ଗରିବ ହେବେ ନାହିଁ, ଗରିବ ତ ବ˚ଚିଯିବ। ମୁଁ ଜାଣେ ନାହିଁ ବିଶ୍ବର ଅନ୍ୟ ସବୁ ଦେଶରେ ଧନୀଙ୍କ ପ୍ରକୃତି କ’ଣ? କିନ୍ତୁ ଜାଣେ ଯେ ମୋ ଦେଶ ଭାରତର ଧନୀ ସବୁଠୁ ଗରିବ! ଏମାନେ ସାଧାରଣ ମଣିଷର ମୃତ୍ୟୁରେ ବିଚଳିତ ହୁଅନ୍ତି ନାହିଁ। ୟାଙ୍କ ଆଖିରେ ଲୁହ ନାହିଁ କି ମୁହଁରେ ଲଜ୍ଜା ନାହିଁ। କରୋନାରେ ଏହି ଶ୍ରେଣୀର କିଛି ସ˚ପନ୍ନ ଲୋକ ବି ମଲେଣି, ତଥାପି ଏମାନେ ପୁଞ୍ଜି ଉପରେ ଚେକାମାଡ଼ି ବସିଚନ୍ତି। କ’ଣ ହେବ ସେ ନବତଳ ହର୍ମ୍ୟ! କ’ଣ ହେବ ସେ ପୁଞ୍ଜି ଯଦି ମଣିଷ ନ ବ˚ଚେ?

ଦୁର୍ବିପାକରେ ବିଜ୍ଞାନ, ପୁଞ୍ଜି ଓ ରାଜନୀତିର ମାନବୀକରଣ ଏକ ନୂଆ ସମନ୍ବୟର ନିର୍ମାଣ କରିବ। ମଣିଷର ଅନ୍ତଃପ୍ରକୃତି ଦାନବୀୟ ନୁହେଁ, କିନ୍ତୁ ମଣିଷକୃତ ବିଜ୍ଞାନ, ପୁଞ୍ଜି ଓ ରାଜନୀତି ଦାନବୀୟ ହେଲେ କିପରି ତାର ବିଚାର ପାଇଁ ଏ ସମୟ ଉପଯୁକ୍ତ ନୁହେଁ। ମୋ ଦେଶରେ ବିଶ୍ବର ସମସ୍ତ ମାନବଙ୍କୁ ଅମୃତର ସନ୍ତାନ ବୋଲି କଳ୍ପନା କରାଯାଉଥିଲା। ଆମେ ସମସ୍ତେ ଅମୃତର ସନ୍ତାନ, ଆମେ ବ˚ଚିବା। ମାନବ-ଜୀବନର ସୁରକ୍ଷା କିଛି କମ୍‌ ବଡ଼ ସ˚କଳ୍ପ ନୁହେଁ ବିଶ୍ବର ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ମାନବଜୀବନ ସୁରକ୍ଷା ପାଇଁ ନିଜ ଦେଶରେ ଓ ଆନ୍ତର୍ଜାତିକ ସ୍ତରରେ ଅଗ୍ରସରୀ ଭୂମିକା ନିର୍ବାହ ପାଇଁ ସମ୍ବିଧାନରେ ସ˚କଳ୍ପ ରହୁ। ସବୁ ଦେଶର ସବୁ ଧନପତିମାନଙ୍କୁ ଦ୍ରବ୍ୟ-ଉତ୍ପାଦନର ଅନୁମତି ସହିତ ବିପର୍ଯ୍ୟୟରେ ମାନବଜୀବନ ସୁରକ୍ଷା ପାଇଁ ନିଃଶୁଳ୍କ ଅବଦାନ ଦେବାର ନିୟମରେ ବନ୍ଧା ଯାଉ। ଦାନ ନୁହେଁ ଅବଦାନ ଲୋଡ଼ା। ସହାୟତା ନୁହେଁ ସହଭାଗିତା ଲୋଡ଼ା।

ବନ୍ଧୁ ଆପଣଙ୍କ ଦେଶ ବ୍ୟାଧିମୁକ୍ତ ହେଉ। ସାମାଜିକ ଦୂରତ୍ବ ଘୃଣାର ନ ହେଉ। ମୁଖା ନିବୁଜ ହେଉ କିନ୍ତୁ ମୁଖା ପଛର ମୁହଁ ମଣିଷର ହୋଇ ରହିଥାଉ। ସ˚କ୍ରମଣର ଭୟ ମଣିଷକୁ ଅମଣିଷରେ ପରିଣତ ନ କରୁ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି  ଭିଲେଜ୍, ଭୁବନେଶ୍ବର-୧୫
ମୋ: ୯୪୩୭୦୩୯୮୫୮