‘ଅବୋଲକରା’ର ପ୍ରଶ୍ନ ଓ ‘ସାଆନ୍ତ’ଙ୍କ ଉତ୍ତର

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

“ଆମ ଲୋକସାହିତ୍ୟର ବିକାଶର କେଉଁ ପର୍ଯ୍ୟାୟରେ, କେଉଁ ଶତାବ୍ଦୀ ବା କେଉଁ ଦଶକରେ, ପରିବ୍ରାଜକପ୍ରବର ସାଆନ୍ତେ ଏବଂ ତାଙ୍କ ବିଶ୍ୱସ୍ତ ସେବକ ଅବୋଲକରା ଭଳି ଦୁଇ ଚରିତ୍ରର ଚମତ୍କାର କଳ୍ପନା ସମ୍ଭବ ହୋଇଥିଲା, ତାହା ଏ ଲେଖକକୁ ଜଣାନାହିଁ। … ଯଦିଓ ଅବୋଲକରାର ଆକ୍ଷରିକ ଅର୍ଥ ‘ଯିଏ ବୋଲ ମାନେ ନାହିଁ’ ଅର୍ଥାତ୍ ଅବାଧ୍ୟ, ଏ ନାମ ବୋଧହୁଏ ସାଆନ୍ତେ ହିଁ ତାକୁ ସ୍ନେହରେ ଦେଇଥିଲେ। ସେ ବୋଲ ମାନେ, କିନ୍ତୁ ତା’ କୌତୂହଳ ମେଣ୍ଟିବା ଚାହି।”

ଏହା ‘ମନୋଜ ଦାସଙ୍କ ଅବୋଲକରା କାହାଣୀ’ର ମୁଖବନ୍ଧର କିୟଦଂଶ। ମୁଖବନ୍ଧର ଶୀର୍ଷକ ‘ନମସ୍କାର’। କାରଣ, କାହାଣୀମାଳାର ସେଇ ଦୁଇ ଚରିତ୍ରଙ୍କୁ ସେ ନମସ୍କାର ଜଣାଇଛନ୍ତି। କହିଛନ୍ତି, “ସେ ଅନନ୍ୟ ସାଆନ୍ତ ଏବଂ ଅନୁସନ୍ଧାନୀ ଅବୋଲକରାକୁ ଏ ଲେଖକର ସଶ୍ରଦ୍ଧ ନମସ୍କାର।”

ନିଜର ଲେଖକ ଜୀବନରେ ବହୁ କାହାଣୀ ଲେଖିଛନ୍ତି ମନୋଜ ଦାସ। ‘ବିଷକନ୍ୟାର କାହାଣୀ’ଠାରୁ ଆରମ୍ଭ କରି ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ମନୋଜ ଦାସଙ୍କ ଅବୋଲକରା କାହାଣୀ’ ଓ ‘କନକ ଉପତ୍ୟକାର କାହାଣୀ’ ପର୍ଯ୍ୟନ୍ତ ତାହାର ପରିସର ପ୍ରଲମ୍ବିତ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ମନୋଜ ଦାସଙ୍କ କଥା ଓ କାହାଣୀ’ ପାଇଁ ସେ ପାଇଥିଲେ ୧୯୭୨ ମସିହାର ସାହିତ୍ୟ ଅକାଦେମୀ ପୁରସ୍କାର ଏବଂ ୧୯୮୧ରେ ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’ ପାଇଁ ପାଇଥିଲେ ଦ୍ୱିତୀୟ ବର୍ଷର ‘ଶାରଳା ପୁରସ୍କାର’। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି, ସେ ବର୍ଷର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଥିବା ଜ୍ଞାନପୀଠ ବିଜେତା ଗୋପୀନାଥ ମହାନ୍ତି କହିଥିଲେ, “ମନୋଜ ଦାସ ଜଣେ ଭଲ ପାରାବ୍ଲ (Parable)ଲେଖକ।” ସେହି ଅବସରରେ, କଟକରୁ ପ୍ରକାଶିତ ‘ଅଧୁନା’ ପତ୍ରିକା (ନଭେମ୍ବର-ଡିସେମ୍ବର, ୧୯୮୧)ରେ ତାଙ୍କର ଏକ ସାକ୍ଷାତ୍‌କାର କରିଥିଲେ ପତ୍ରିକାର ସେଦିନର ସୌଜନ୍ୟ ସଂପାଦକ ଅଭୟ ସିଂହ। ସେଥିରେ ମନୋଜ ଦାସଙ୍କୁ ତାଙ୍କର ଏକ ପ୍ରଶ୍ନ ଥିଲା, “ଆପଣଙ୍କ ଉପରେ ଓଡ଼ିଆ ବା ବିଦେଶୀ କେଉଁ ସାହିତ୍ୟିକମାନଙ୍କର ପ୍ରଭାବ ଅଳ୍ପେ ବହୁତ ପଡ଼ିଥିବାର ଆପଣ ଅନୁଭବ କରନ୍ତି?” ତାହାର ଉତ୍ତରରେ ମନୋଜ ଦାସ କହିଥିଲେ, “ସୋମଦେବ (କଥା ସରିତ ସାଗର) ଓ ବିଷ୍ଣୁ ଶର୍ମା (ପଞ୍ଚତନ୍ତ୍ର) ମୋର ପ୍ରିୟ ଲେଖକ। କୌଣସି ବିଦେଶୀ ସାହିତ୍ୟିକ ମୋତେ ପ୍ରଭାବିତ କରିଥିବା ମୋର ମନେହୁଏନା।”

କିନ୍ତୁ ସୋମଦେବ ଓ ବିଷ୍ଣୁଶର୍ମାଙ୍କ ପରେ, ମନୋଜ ଦାସ ଯେ ଓଡ଼ିଆ ‘ଅବୋଲକରା କାହାଣୀ’ର ରଚୟିତାଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଏହାର ପ୍ରମାଣ ‘ମନୋଜ ଦାସଙ୍କ ଅବୋଲକରା କାହାଣୀ’।

କେବଳ ଅଭୟ ସିଂହ ନୁହନ୍ତି, ମନୋଜ ଦାସଙ୍କର ଦୀର୍ଘ ପ୍ରାୟ ଛଅ ଦଶନ୍ଧିରୁ ଊର୍ଦ୍ଧ୍ୱ ସାହିତ୍ୟିକ ଜୀବନରେ ଆହୁରି ଅନେକେ ତାଙ୍କର ସାକ୍ଷାତ୍‌କାର କରିଛନ୍ତି। ସେ ସବୁକୁ ନେଇ ସଦ୍ୟ ସଂକଳିତ ହୋଇଛି ଏକ ସୁଦୃଶ୍ୟ ପୁସ୍ତକ ‘ସ୍ମୃତି, ବିସ୍ମୃତିର ଲୁଚକାଳି ଓ ସପ୍ତଦଶ ସନ୍ଦର୍ଭ’। କିନ୍ତୁ ମନୋଜ ଦାସଙ୍କ ୱେବ୍‌ସାଇଟ୍ (ୱାର୍ଲଡ଼ ଅଫ୍ ମନୋଜ ଦାସ)ରେ, ଇଂରେଜୀ ଭାଷାର ଅନ୍ୟାନ୍ୟ ସାକ୍ଷାତ୍‌କାର ସହିତ ଯେଉଁ ତିନିଟି ମାତ୍ର ଓଡ଼ିଆ ସାକ୍ଷାତ୍‌କାର ସ୍ଥାନ ପାଇଛି- ସେଥି ମଧ୍ୟରୁ ଦୁଇଟି କବୟିତ୍ରୀ ମମତା ଦାଶ ଓ ସଂପାଦକ ଶରତ କୁମାର ମିଶ୍ରଙ୍କର ଏବଂ ଅନ୍ୟଟି ଏହି ଲେଖକର।

ସାଧାରଣତଃ ଲକ୍ଷ୍ୟ କରାଯାଏ, ଯେଉଁମାନେ ବିଭିନ୍ନ ସମୟରେ ମନୋଜ ଦାସଙ୍କର ସାକ୍ଷାତ୍‌କାର କରିଛନ୍ତି, ପ୍ରାୟ ସମସ୍ତେ ତାଙ୍କୁ ଉଚ୍ଚତର ଆଧ୍ୟାତ୍ମିକତା ବା ସାରସ୍ୱତ ଉତ୍ତୁଙ୍ଗତାରେ ଅବସ୍ଥାପିତ କରି ହିଁ ପ୍ରଶ୍ନ କରିଛନ୍ତି। ଉଦାହରଣ ସ୍ୱରୂପ, ମମତା ଦାଶ କରିଥିବା ସାକ୍ଷାତ୍‌କାରର ସଂପାଦକୀୟ ସୂଚନାରେ କୁହାଯାଇଛି- “ସେ ଓଡ଼ିଆ ଭାଷା-ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ। ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନା କରି ସେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ଗର୍ବର ସହ ଠିଆ କରାଇବାର ମାଧ୍ୟମ ହୋଇଛନ୍ତି। ଓଡ଼ିଆ ସାହିତ୍ୟ ପାଇଁ ସେ ହୋଇଛନ୍ତି କିଂବଦନ୍ତି ପୁରୁଷ।” ସେହିପରି, ‘ସମାଜ’ର ସେଦିନର ସଂପାଦକ ଶରତ କୁମାର ମିଶ୍ର ତାଙ୍କ ସହ ସାକ୍ଷାତ୍‌କାର କରିଛନ୍ତି ଫେବ୍ରୁଆରୀ ୨୧, ଶ୍ରୀମାଙ୍କ ଜନ୍ମଦିବସ ଅବସରରେ। ଏଣୁ ଏ ଦୁଇ ସାକ୍ଷାତ୍‌କାରରେ ମନୋଜ ଦାସ ‘ସାଆନ୍ତ’ ହୋଇ ଅବଶ୍ୟ ରହିଛନ୍ତି; ମାତ୍ର ଏ ଦୁଇ ଶିଷ୍ୟା, ଶିଷ୍ୟଙ୍କ ସ୍ୱଭାବରେ ‘ଅବୋଲକରା’ ଭାବଟି ନାହିଁ।

ଏ ଲେଖକର ସାକ୍ଷାତ୍‌କାରଟି ସମ୍ଭବତଃ ତାହାର ବ୍ୟତିକ୍ରମ। ସେଥିପାଇଁ ତାହାର ପ୍ରକାଶ ବେଳେ, ‘ଶ୍ରେୟା’ ପତ୍ରିକାର ସଂପାଦକ ତାଙ୍କ ଉପସ୍ଥାପନାରେ କହିଛନ୍ତି, “କାହିଁକି ଆଉ ଗଳ୍ପ ଲେଖୁନାହାନ୍ତି ମନୋଜ ଦାସ? ପାଉ ପାଉ ପାଇ ପାରି ନଥିବା ‘ଜ୍ଞାନପୀଠ’ ପୁରସ୍କାରକୁ କେମିତି ଗ୍ରହଣ କରନ୍ତି ସେ? ‘ସରସ୍ୱତୀ ସମ୍ମାନ’ପ୍ରାପ୍ତ ‘ଅମୃତ ଫଳ’ ସଂପର୍କରେ ଜଣେ ସଂପାଦକଙ୍କ ମନ୍ତବ୍ୟକୁ ନେଇ ସେଦିନ ତାଙ୍କର ପ୍ରତିକ୍ରିୟା କ’ଣ ଥିଲା? କେବେ ଲେଖିବେ ମନୋଜ ଦାସ ତାଙ୍କ ଆତ୍ମକଥା? -ସମ୍ଭବତଃ ପ୍ରଥମଥର ପାଇଁ ଏମିତି କିଛି ପ୍ରଶ୍ନର ସାମ୍ନା କରୁଛନ୍ତି ବିଶିଷ୍ଟ କଥାଶିଳ୍ପୀ ଓ ବାଗ୍ମୀ ମନୋଜ ଦାସ।”

ବୋଧହୁଏ ଏହା ହିଁ କାରଣ, ଯେଉଁଥିପାଇଁ ମନୋଜ ଦାସ ଅନ୍ୟ ଦୁଇ ମୁଗ୍‌ଧ ଶିଷ୍ୟା ଓ ଶିଷ୍ୟଙ୍କ ସାକ୍ଷାତ୍‌କାର ସହିତ ଏ ‘ଅବୋଲକରା’ଧର୍ମୀ ସାକ୍ଷାତ୍‌କାରଟିକୁ ବି ତାଙ୍କ ୱେବ୍‌ସାଇଟ୍‌ରେ ସ୍ଥାନ ଦେଇଛନ୍ତି।

ଏବେ ଆସିବା, ସେହି ଦୀର୍ଘ ସାକ୍ଷାତ୍‌କାରରେ ଥିବା ‘ଅବୋଲକରା’ର ପ୍ରଶ୍ନ ଓ ‘ସାଆନ୍ତ’ଙ୍କ ଉତ୍ତରକୁ। ତେବେ ତା’ ପୂର୍ବରୁ ତାଙ୍କର ଦୁଇଟି ସ୍ୱୀକାରୋକ୍ତିର ଅବତାରଣା ଆବଶ୍ୟକ।

ଏଥିମଧ୍ୟରୁ ପ୍ରଥମ ସ୍ୱୀକାରୋକ୍ତି ଥିଲା, ସେ ଆଉ ନୂଆ ଗପ ନଲେଖିବା ନେଇ। ପ୍ରଶ୍ନ ଥିଲା- ପାଠକମାନେ ତାଙ୍କ ଲେଖନୀରୁ ନୂଆ ଗପକୁ ଆଗ୍ରହରେ ଅପେକ୍ଷା କରୁଥିବା ବେଳେ, ସେ ଦୀର୍ଘ କିଛି ବର୍ଷ ଧରି ଆଉ ନୂଆ ଗପ ଲେଖୁ ନାହାନ୍ତି କାହିଁକି? ଏହାର ଉତ୍ତରରେ ସେ ଯେଉଁ ସ୍ୱୀକାରୋକ୍ତି ଦେଇଥିଲେ, ତାହା ହେଲା- “ଯେଉଁ ସୃଜନୀ ପ୍ରେରଣା ମୋତେ ଗଳ୍ପ ଲେଖାଇ ଆସୁଥିଲା, ତାହା ଅପସରି ଯାଇଛି। ବିନା ପ୍ରେରଣାରେ ଯେ ଗଳ୍ପ ଉଦ୍‌ଭାବନ କରି ନପାରିବି, ତାହା ନୁହେଁ। କିନ୍ତୁ ତା’ର ଆବଶ୍ୟକତା କ’ଣ? ମୁଁ କ’ଣ ଯଥେଷ୍ଟ ଗଳ୍ପ ଲେଖି ନାହିଁ?”

ଏ ସ୍ୱୀକାରୋକ୍ତିର ଏକ ବାର୍ତ୍ତା ଆମର ଅନେକ ବରିଷ୍ଠ ଲେଖକଙ୍କ ପ୍ରତି ଅଛି। ଲକ୍ଷ୍ୟ କରାଯାଉଛି ଯେ ସେପରି କିଛି ସୃଜନ ପ୍ରେରଣା ନଥାଇ, ଅନେକେ ଉଦ୍‌ଭାବନ କରି ହିଁ ଗପ ଲେଖୁଛନ୍ତି। ଆଶା କରାଯାଏ, ଏ ସ୍ୱୀକାରୋକ୍ତିରୁ ସେମାନେ କିଛି ପରାମର୍ଶ ପାଇବେ।

ଅନ୍ୟ ସ୍ୱୀକାରୋକ୍ତିଟି ଅଧିକ ଗମ୍ଭୀର। ଏହି ସାକ୍ଷାତ୍‌କାରରେ ତାଙ୍କୁ ଅନ୍ୟ ଏକ ପ୍ରଶ୍ନ ଥିଲା- ୩୦-୩୫ ବର୍ଷ ତଳର କିଛି ଲେଖାକୁ ସେ ଏବେ ବହିବଜାରରରୁ ପ୍ରତ୍ୟାହାର କରିନେଇଛନ୍ତି କାହିଁକି? ତାହାର ଉତ୍ତରରେ ସେ କହିଥିଲେ, “୩୦-୩୫ ବର୍ଷ ତଳର ନୁହେଁ; ୬୦-୬୫ ବର୍ଷ ତଳର; ଏବେ ନୁହେଁ; ପ୍ରତ୍ୟାହାର କଲିଣି ପ୍ରାୟ ୫୦ ବର୍ଷ ତଳେ। ସେ ସବୁ ଅପରିପକ୍ୱ ରଚନା- ଏହି ଧାରଣା ଯୋଗୁଁ।”

ଆମ ସାହିତ୍ୟରେ, ଏପରି ବୋଧହୁଏ ଆଉ କୌଣସି ଲେଖକ କରି ନାହାନ୍ତି। ନିଜ ଲେଖାର ବିଚାର ନିଜେ କରି, ପୂର୍ବର ଲେଖାକୁ ‘ଅପରିପକ୍ୱ’ କହି ନାହାନ୍ତି। ସେଇଥିପାଇଁ, ପ୍ରତିବର୍ଷ ବିଭିନ୍ନ ପତ୍ରପତ୍ରିକାରେ ଆମର ବହୁ ପ୍ରତିଷ୍ଠିତ ଲେଖକ, ଲେଖିକାଙ୍କର ଅନେକ ଅପରିପକ୍ୱ ଲେଖା ପୁନଃ ପ୍ରକାଶିତ ହେବା ଲକ୍ଷ୍ୟ କରାଯାଉଛି।

ଏ ସାକ୍ଷାତ୍‌କାରର ଅନ୍ୟ ଏକ ଉତ୍ତରରେ ଏ ପ୍ରସଙ୍ଗର ସଂପ୍ରସାରଣ ଅଛି। ପ୍ରଶ୍ନଟି ଥିଲା, “ମାନସିକତା ପ୍ରାଜ୍ଞ ହେବା ସହିତ, ଏକଦା ସତ୍ୟ ଥିବା ହୃଦୟବୃତ୍ତି ଅସାର ମନେହୁଏ ବୋଲି କ’ଣ ଏଥିରୁ ଏକ ଧାରଣା କରାଯାଇପାରିବ?” ତାହାର ଉତ୍ତରରେ ମନୋଜ ଦାସ କହିଥିଲେ, “ଏକଦା ସତ୍ୟ ମନେ ହେଉଥିବା ହୃଦୟବୃତ୍ତି ଉଭୟ ମନ ଓ ପ୍ରାଣାନୁଭବର ବିକାଶ ସଙ୍ଗେସଙ୍ଗେ ଅସାର ମନେହେବା ଏକ ସାର୍ବଜନୀନ ସତ୍ୟ। ତେବେ …ଯେଉଁସବୁ ଗଳ୍ପ, କବିତା ପ୍ରତ୍ୟାହାର କରିନେଇଛି, ସେସବୁର ଭାବଗତ ମୂଲ୍ୟ ଥିଲା; କିନ୍ତୁ ଉପସ୍ଥାପନା ଥିଲା ଦୁର୍ବଳ। ଆମ ସାହିତ୍ୟରେ ପରିପକ୍ୱ ଲେଖାର ଅଭାବ ନାହିଁ। ଅତଏବ ସେମିତି ପ୍ରତ୍ୟାହାରରେ କ୍ଷତି କ’ଣ?”

ଏଣୁ ଏ ସ୍ୱୀକାରୋକ୍ତିର ବାର୍ତ୍ତା ହେଉଛି- ପ୍ରତିଷ୍ଠିତ ଲେଖକଟିଏ ନିଜେ ନିଜର ପୂର୍ବ ଲେଖା ସବୁର ବିଚାର କରୁ। ଯଦି କୌଣସି ଲେଖା ‘ଦୁର୍ବଳ’ ଓ ‘ଅପରିପକ୍ୱ’ ମନେହେଉଛି, ତେବେ ତାହାକୁ ନିଜ ପକ୍ଷରୁ ପ୍ରତ୍ୟାହାର କରିନେଉ। ତା’ ନହେଲେ ନୂଆପିଢ଼ିର ପାଠକ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଏବଂ ତା’ ସହିତ ଲେଖକ ମଧ୍ୟ ପ୍ରତ୍ୟାଖ୍ୟାତ ହୋଇଯାଇପାରେ।

ଏ ସାକ୍ଷାତ୍‌କାରର କିଛି ବର୍ଷ ପୂର୍ବେ, ମନୋଜ ଦାସଙ୍କ ‘ଅମୃତ ଫଳ’ ଉପନ୍ୟାସକୁ ନେଇ ଗୋଟିଏ ବଡ଼ ବିବାଦର ଉଦ୍ଭବ ହୋଇଥିଲା ବାଲେଶ୍ୱରରୁ। ବିଶିଷ୍ଟ ସାହିତ୍ୟ-ସମାଲୋଚକ ନିତ୍ୟାନନ୍ଦ ଶତପଥୀ ସେଠାରେ ‘ଅମୃତ ଫଳ’ ସଂପର୍କରେ ବିରୂପ ମନ୍ତବ୍ୟ ଦେବାନେଇ ମନୋଜ ଦାସଙ୍କ ମୁଗ୍‌ଧ ପାଠକଗୋଷ୍ଠୀ ବିକ୍ଷୁବ୍‌ଧ ହୋଇଉଠିଥିଲେ। ତାହାକୁ ନେଇ ଏକ ବିଷାକ୍ତ ବିବାଦ ମୁଣ୍ଡ ଟେକିଥିଲା। ସେତେବେଳକୁ ‘ଅମୃତଫଳ’ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପାଇ ସାରିଥିଲା। ତେଣୁ ଏହି ସାକ୍ଷାତ୍‌କାରର ଗୋଟିଏ ପ୍ରଶ୍ନ ଥିଲା- ଏପରି ସମାଲୋଚନା ଓ ଏପରି ସମର୍ଥନକୁ ସେ ନିଷ୍ପକ୍ଷ ଦୃଷ୍ଟିରେ କିପରି ବିବେଚନା କରନ୍ତି? ନିଜର ନମ୍ର ଉତ୍ତରରେ ତା’ଠାରୁ ନିଜକୁ ସମ୍ଭବତଃ ପୃଥକ୍ ରଖିବାକୁ ଚାହିଥିଲେ ମନୋଜ ଦାସ। ସେଥିପାଇଁ କହିଥିଲେ, “ଓଡ଼ିଶାଠୁଁ ବହୁତ ଦୂରରେ ରହୁଥିବା ଯୋଗୁଁ ସେ ମନ୍ତବ୍ୟ ଓ ପ୍ରତିକ୍ରିୟା ସଂପର୍କରେ ସବିଶେଷ ଜାଣିପାରି ନାହିଁ। ସମାଲୋଚକ ମହାଶୟ କୌଣସି ବିରୂପ ମନ୍ତବ୍ୟ ଦେଇନଥିଲେ। ସେ ମୋ ଗଳ୍ପକୁ ଉପନ୍ୟାସ ଅପେକ୍ଷା ଉଚ୍ଚସ୍ଥାନ ଦେଇଥିଲେ। ସେ ଯଦି ବିରୂପ ମନ୍ତବ୍ୟ ଦେଇଥାନ୍ତେ, ତେବେ ସେଥିରେ ମଧ୍ୟ ଅସହିଷ୍ଣୁ ହେବା ଅସମୀଚୀନ। ସମସ୍ତଙ୍କୁ ସବୁ ଲେଖା ଯେ ମୁଗ୍ଧ କରିବ- ଏ ଆଶା ବିଡ଼ମ୍ବନା।”

ଏ ଉତ୍ତରରେ ମନୋଜ ଦାସଙ୍କର ମୁଗ୍‌ଧ ଓ ସ୍ତାବକ ଗୋଷ୍ଠୀଙ୍କ ପ୍ରତି ନିର୍ଦ୍ଦିଷ୍ଟ ବାର୍ତ୍ତା ଅଛି। ଆଶା, ଏହା ବୁଝି ମନୋଜ ଦାସଙ୍କ ଲେଖାର ସମାଲୋଚନାକୁ ତାଙ୍କର ସମାଲୋଚନା ବୋଲି ସେମାନେ ଗ୍ରହଣ କରିବେ ନାହିଁ କି ସେ ନେଇ ଆଉ ବିକ୍ଷୁବ୍‌ଧ ବା ଅସହିଷ୍ଣୁ ହେବେ ନାହିଁ।

୨୦୧୩ ମସିହା ମଧ୍ୟଭାଗରେ ହୋଇଥିବା ଏ ସାକ୍ଷାତ୍‌କାରର କିଛି ମାସ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ମୁଖ୍ୟଅତିଥି ଥିଲେ ମନୋଜ ଦାସ। ସଭାରେ ସେ ଗୋଟିଏ ‘କଣ୍ଢେଇ ଗପ’ କହିଥିଲେ। ସେଥିରୁ ଏକ ଆଭାସ ମିଳିଥିଲା ଯେ ‘ଜ୍ଞାନପୀଠ ପୁରସ୍କାର’ ନାମକ କଣ୍ଢେଇଟି ନପାଇବା ନେଇ ତାଙ୍କ ମନରେ କିଂଚିତ୍ ଭାବାନ୍ତର ସୃଷ୍ଟି ହୋଇଥିଲା। ତେଣୁ ଏ ସାକ୍ଷାତ୍‌କାରରେ ତାଙ୍କୁ ପ୍ରଶ୍ନ ଥିଲା- ଏହା ସତ୍ୟ କି ?
ତାହାର ଉତ୍ତରରେ ମନୋଜ ଦାସ ସ୍ୱୀକାର କରିଥିଲେ, “ଅବଶ୍ୟ ସତ୍ୟ। କିନ୍ତୁ, ଆପଣ ଠିକ୍ କହିଛନ୍ତି, ନପାଇବା ଫଳରେ ‘କିଂଚିତ୍ ଭାବାନ୍ତର’ ମାତ୍ର ହୋଇଥିଲା; ଅଧିକ ନୁହେଁ।”

ଏଣୁ ତାଙ୍କୁ ଏ ନେଇ ଆଉ ଏକ ପ୍ରଶ୍ନ ଥିଲା- ଆପଣଙ୍କୁ ‘ଜ୍ଞାନପୀଠ’ ପୁରସ୍କାରରୁ ବଞ୍ଚିତ କରିବାକୁ ଏକଦା ନିର୍ଦ୍ଦିଷ୍ଟ ଯୋଜନା ହୋଇଥିଲା ବୋଲି ସେତେବେଳେ ଏକ ଦୈନିକ ସମ୍ବାଦପତ୍ର ପୃଷ୍ଠାରେ ବେଶ୍ କିଛି ପାଠକୀୟ କ୍ରିୟା-ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାହାର ଉତ୍ତର କ’ଣ ଆପଣଙ୍କର ଏଇ ‘କଣ୍ଢେଇ ଗପ’?

ତାହାର ଉତ୍ତରରେ ମନୋଜ ଦାସ କହିଥିଲେ, “ଜ୍ଞାନପୀଠ ପ୍ରସଙ୍ଗ ଆପଣ ଉଠାଇଲେ। ହଁ, ବହୁବର୍ଷ ତଳର କଥା। ସେତେବେଳକୁ ଗୋପୀନାଥ ଓ ସଚ୍ଚିବାବୁ ସେ ପୁରସ୍କାର ପାଇ ସାରିଥାନ୍ତି। ହଠାତ୍ ଦିଲ୍ଲୀରେ ‘ଜ୍ଞାନପୀଠ’ ସଂସ୍ଥା ସହ ଘନିଷ୍ଠ ସଂପର୍କିତ ଜଣେ ବ୍ୟକ୍ତି ମୋତେ ଏକାନ୍ତରେ ହସିହସି ମୃଦୁ କଣ୍ଠରେ ଜଣାଇଦେଲେ, ମୁଁ ସେ ପୁରସ୍କାରଟି ପାଇବାକୁ ଯାଉଛି। ଠିକ୍। ‘କିଂଚିତ୍‌’ ଖୁସି ହେଲି। କିନ୍ତୁ ପାଇଲି ନାହିଁ। ‘କିଂଚିତ୍‌’ ଦୁଃଖିତ ହେଲି।”

ତେବେ, ସେଦିନର ସଭାରେ ସେହି କଣ୍ଢେଇ ଗପର ଅବତାରଣା ଯେ ଜ୍ଞାନପୀଠ ପୁରସ୍କାର ନପାଇବାକୁ ନେଇ, ସେ ଇଙ୍ଗିତକୁ ସ୍ୱଭାବ ସୁଲଭ ଚାତୁର୍ଯ୍ୟରେ ଏଡ଼ାଇଯାଇଥିଲେ ସେ। ତାଙ୍କର ଉତ୍ତରରେ କହିଥିଲେ, “କଣ୍ଢେଇ-ଗପର ଅବତାରଣା କରିଥିଲି ସେଦିନ, ସେ ସଭାରେ ସମବେତ ଲେଖକମାନଙ୍କ ପାଇଁ। ସେମାନେ ସଭିଏଁ ବୟସରେ ମୋ’ଠାରୁ ସାନ। ଅନେକଙ୍କ ଭିତରେ ଉଜ୍ଜ୍ୱଳ ସମ୍ଭାବନା ଜାଜ୍ୱଲ୍ୟମାନ। ସେମାନଙ୍କ ଭିତରେ ପୁରସ୍କାରମାନ ଲାଭ କରିବା ନିମନ୍ତେ ଆଶା ଥିବା ସ୍ୱାଭାବିକ। କିନ୍ତୁ ପ୍ରତିଷ୍ଠିତ ପୁରସ୍କାର, ଆନୁଷ୍ଠାନିକ ସ୍ୱୀକୃତିର ସଂଖ୍ୟା ସର୍ବଦା ସୀମିତ। ଅଥଚ ସେ ଦିଗରେ ଯୋଗ୍ୟ ଲେଖକମାନଙ୍କ ସଂଖ୍ୟା ସର୍ବଦା ଅଧିକ। ଫଳରେ କେହିକେହି ପାଇବେ; ଅନେକେ ପାଇବେ ନାହିଁ। ସେ ପାଇଁ ମାନସିକ ପ୍ରସ୍ତୁତି ଥିବା ଆବଶ୍ୟକ।”

ଏହା କହିବା ସହିତ, କଣ୍ଢେଇ-ଗପର ପ୍ରାସଙ୍ଗିକତା ସୂଚାଇ ସେ କହିଥିଲେ, “କୁନି ଝିଅଟିଏ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ‘ମୋ ଭଙ୍ଗା ଖେଳଣାଟିକୁ ସଜାଡ଼ିଦିଅ।’ ତା’ ବଡ଼ ଭାଇ ହସି ହସି କହୁଛି, ‘ବୋକୀ! ଭଗବାନ ତୋ’ର ଏ ପ୍ରାର୍ଥନା ଶୁଣିବେ?’ ଝିଅଟି କହୁଛି, ‘ନିଶ୍ଚେ ଶୁଣିବେ!’ ସକାଳ ହେଲା। ଖେଳଣାଟି ଯେମିତି ଭଙ୍ଗା ଥିଲା ସେମିତି ରହିଛି। ‘କ’ଣ ହେଲା, ଭଗବାନ ତୋ ପ୍ରାର୍ଥନା ଶୁଣିଲେ?’ ଭାଇ ଥଟ୍ଟାଳିଆ ଭାବେ ପଚାରିଲା। ‘ନିଶ୍ଚୟ ଶୁଣିଲେ!’ ଉତ୍ତର ଦେଲା କୁନିଝିଅ। ସେ ଦେଖାଇଦେଲେ ଯେ ମୁଁ ଖେଳଣାରେ ମାତି ରହିବାର ବୟସରୁ ଉତ୍ତୀର୍ଣ୍ଣ ହୋଇଗଲିଣି!”

ଏଣୁ ଆଶା, ମନୋଜ ଦାସଙ୍କ ଏ ଉତ୍ତରରୁ, ସାହିତ୍ୟ-ପୁରସ୍କାର ନାମକ ଖେଳଣାରେ ତଥାପି ମାତି ରହିଥିବା ‘କୁନିଝିଅ’ମାନେ, ସେ ମାନସିକତାରୁ ଉତ୍ତୀର୍ଣ୍ଣ ହେବାର ମନ୍ତ୍ର ପାଇବେ। ତାହା ହିଁ ବୋଧହୁଏ ହେବ ସଦ୍ୟ ଦିବଂଗତ ଏଇ ‘ସାଆନ୍ତ’ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର