ସୋଭିଏତ ରୁଷର ପୂର୍ବତନ ଶାସକ ଜୋସେଫ ଷ୍ଟାଲିନ ଏକଦା ଯାହା କହିଥିଲେ ତାର ଓଡ଼ିଆ ଭାବାର୍ଥ ହେଲା, ଜଣେ ବ୍ୟକ୍ତିର ମୃତ୍ୟୁ ଏକ ଦୁଃଖଦ ଘଟଣା, ହେଲେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଏକ ପରିସଂଖ୍ୟାନ ମାତ୍ର। ଏବେ ଯେତେବେଳେ କରୋନା ମହାମାରୀ ବିଶ୍ବର ୩୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି, ଯହିଁରେ ଭାରତର ୨ ଲକ୍ଷରୁ ଅଧିକ ସାମିଲ, ଷ୍ଟାଲିନଙ୍କ ମନ୍ତବ୍ୟର ଯଥାର୍ଥତାକୁ ଧରି ହୁଏ। କେବଳ ଜୀବନ ନୁହେଁ, ଏହି ମହାମାରୀ ଆଜି ବିଶ୍ବ ଅର୍ଥନୀତିର ମେରୁଦଣ୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ମହାମାରୀର ଏହି ବର୍ଷାଧିକ ସମୟ ଖଣ୍ଡରେ ପ୍ରାୟ ସମସ୍ତ ଅର୍ଥନୈତିକ କ୍ଷେତ୍ର ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ମଧ୍ୟ ସତ ଯେ ଏହି ରାହୁଗ୍ରସ୍ତ କାଳ ଖଣ୍ଡରେ ଏଭଳି କେତେକ ବ୍ୟାବସାୟିକ କ୍ଷେତ୍ର ଅଭୂତପୂର୍ବ ଅଭିବୃଦ୍ଧି ତଥା ଲାଭ ହାସଲ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଅନଲାଇନ ବ୍ୟାପାରର ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇପାରେ।
ଏବେ ମହାମାରୀ ସମୟରେ ଅନ୍ୟତମ ସର୍ବାଧିକ ପ୍ରଭାବିତ କ୍ଷେତ୍ର ହେଉଛି ଶିକ୍ଷା କ୍ଷେତ୍ର। କିନ୍ତୁ ସତ କହିଲେ ଯଦି ସୂଚନା ପ୍ରଯୁକ୍ତିରେ ବିକାଶ ଘଟି ନ ଥାଆନ୍ତା, ତେବେ ଶିକ୍ଷା କ୍ଷେତ୍ର ଯେଉଁ କ୍ଷତିର ସାମନା କରିଥାଆନ୍ତା, ସେ ବିଷୟରେ କଳ୍ପନା କରାଯାଇ ନ ପାରେ। ସୁତରାଂ, କରୋନା କାଳୀନ ସତର୍କତାମୂଳକ ସଙ୍ଗରୋଧ ଓ ଏକାନ୍ତ ବାସ କାଳରେ ଡିଜିଟାଲ ଶିକ୍ଷା ଦାନର ମାର୍ଗ ଖୋଲିଯାଇ ଏକ ନୂଆ ଯୁଗର ସୂତ୍ରପାତ ଘଟିଛି। ଏହାର ବ୍ୟାବସାୟିକ ଫାଇଦା ଉଠାଇଛନ୍ତି ଇ-ଲର୍ନିଂ ୱେବସାଇଟ ଓ ଆପ୍ଗୁଡ଼ିକ। ବିଶେଷ କରି ଜୁମ୍, ଗୁଗଲ୍ ମିଟ୍, ଗୁଗଲ୍ କ୍ଲାସ୍ ରୁମ୍ ଇତ୍ୟାଦି ଆପ୍ ଜରିଆରେ ଶିକ୍ଷା ଦାନ ସହଜ ଓ ସମ୍ଭବ ହୋଇ ପାରିଛି। ଜାନୁଆରି ୨୦୨୧ରେ ଜୁମ ଆପ୍ର ତ୍ରୟୋମାସିକ ନେଟ ଆୟ ୨୦୨୦ରେ ସେହି ସମୟର ଆୟ ତୁଳନାରେ ୧୫୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ତେବେ, କେବଳ ଶିକ୍ଷା କ୍ଷେତ୍ର ନୁହେଁ, ବିଭିନ୍ନ ବ୍ୟାବସାୟିକ ସଂସ୍ଥା, ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମଧ୍ୟ ସାକ୍ଷାତକାର ବା ମିଟିଂ ପାଇଁ ଡିଜିଟାଲ ମାଧ୍ୟମକୁ ହିଁ ଆପଣେଇଛନ୍ତି। ସେହିପରି ଶ୍ରେଣୀଗୃହ ଶିକ୍ଷାଦାନର ଅନୁପସ୍ଥିତିରେ Coursera, Udemy, EDX, Byju’s ପରି ଅନଲାଇନ୍ ଶିକ୍ଷା-ଭିତ୍ତିକ ୱେବସାଇଟ ଗୁଡ଼ିକ ମେଧାବୀ ଛାତ୍ର ଛାତ୍ରୀମାନଙ୍କର ଅନେକ ଉପକାର ସାଧନ କରିବା ସହିତ ଆପଣା ବ୍ୟବସାୟକୁ ବୃଦ୍ଧି କରିପାରିଛନ୍ତି।
ଲକଡାଉନ କାରଣରୁ ଦୋକାନ-ବଜାର ଓ ପ୍ରେକ୍ଷାଳୟ ଆଦି ବନ୍ଦ ରହିବା ଫଳରେ ଅନେକ ଡିଜିଟାଲ କଂପାନି ତାର ଲାଭ ଉଠାଇଛନ୍ତି। ସିନେମା ହଲ ବନ୍ଦ ରହିବାରୁ ଗୃହ-ଭିତ୍ତିକ ମନୋରଞ୍ଜନ କ୍ଷେତ୍ର (Home Entertainment Sector) ପ୍ରସାରିତ ହୋଇଛି। ଟେଲିଭିଜନ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ଓ.ଟି.ଟି. ଆପ୍ ଯଥା ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ, ହଟ ଷ୍ଟାର୍ ଇତ୍ୟାଦି ଘରେ ବନ୍ଦ ହୋଇ ରହିଥିବା ମନୁଷ୍ୟମାନଙ୍କୁ ମନୋରଞ୍ଜନ ଯୋଗାଇବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଦେଇଛନ୍ତି। ଗଲା ଜାନୁଆରିରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ନେଟ୍ଫ୍ଲିକ୍ସର ତ୍ରୟୋମାସିକ ଆୟ ୧୪୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମହାମାରୀ ସମୟରେ ଭାରତରେ ଗେମିଙ୍ଗ ଆପ୍ର ଡାଉନଲୋଡ୍ ପହଞ୍ଚିଛି ୭.୩ ବିଲିଅନରେ, ଯାହାକି ବିଶ୍ୱରେ ସର୍ବାଧିକ। ଏବେ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ଏହିସବୁ ଓ.ଟି.ଟି.ରେ ମୁକ୍ତିଲାଭ କରିବା ଏହି ବ୍ୟବସାୟ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ସେହିପରି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ବ୍ୟବହାର ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ‘ହାମରକୋଫ୍ ଉପଭୋକ୍ତା ଗବେଷଣା’ ନାମକ ଏକ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଅନୁଯାୟୀ ପୂର୍ବ ବର୍ଷ ଲକଡାଉନ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫେସ୍ବୁକ୍ର ବ୍ୟବହାର ଭାରତୀୟମାନଙ୍କ ମଧ୍ୟରେ ୧୭% ବୃଦ୍ଧି ପାଇଥିଲା। ସେହିପରି ଭାରତରେ ରେକର୍ଡ ପରିମାଣର ଉପଭୋକ୍ତା ବୃଦ୍ଧି ହେତୁ ଇନଷ୍ଟାଗ୍ରାମ ଅଧୁନା ବିଶ୍ୱରେ ଚତୁର୍ଥ ସର୍ବାଧିକ ବ୍ୟବହୃତ ଆପ୍ ପାଲଟିଛି।
ସେହିପରି ଅନଲାଇନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବିଭିନ୍ନ ୱେବସାଇଟ ତଥା ଆପ୍ଗୁଡ଼ିକ ଏହି ସମୟରେ ବିପୁଳ ଅଭିବୃଦ୍ଧି ହାସଲ କରିଛନ୍ତି। ଅନଲାଇନରେ ଟଙ୍କା କାରବାର ମଧ୍ୟ ଚମକପ୍ରଦ ଅଭିବୃଦ୍ଧି ଲାଭ କରିଛି। କେବଳ ୨୦୨୦ ଗୋଟିଏ ବର୍ଷରେ ଭାରତରେ ପେଟିଏମ୍, ଫୋନ ପେ, ଗୁଗଲ ପେ ଭଳି ଆପ୍ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ ୫୦ ପ୍ରତିଶତ ବଢିଛି। ସେହିପରି ଅନଲାଇନ ରନ୍ଧା ଖାଦ୍ୟ ଯୋଗାଣକାରୀ ସଂସ୍ଥା ଯଥା ଜମାଟୋ ଓ ସ୍ବିଗି ବିପୁଳ ବ୍ୟାବସାୟିକ ଲାଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମାଜନ ବା ଫ୍ଲିପ୍କାର୍ଟ ପରି ଇ-କମର୍ସ ସାଇଟଗୁଡ଼ିକ କଥା କହିବାର ଆବଶ୍ୟକତା ନାହିଁ। ଆମାଜନ କହିଥାଏ ଯେ ଏହି କମ୍ପାନି କେବଳ ଜାନୁଆରି ୨୦୧୯ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଭାରତରେ ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛି। ଏଥିରୁ ଏହି ସମୟ ଭିତରେ କଂପାନିର ଚାହିଦା ବିଷୟରେ ଏକ ଧାରଣା କରାଯାଇପାରେ। କଥାରେ ଅଛି ସଂକଟରେ ବି ସୁଯୋଗ ଲୁକ୍କାୟିତ ହୋଇ ରହିଥାଏ। କରୋନା ମହାମାରୀ କାଳର ସଂକଟର ସୁଯୋଗ ନେଇ ଏଭଳି ଅନେକ ଅନଲାଇନ ସଂସ୍ଥା ମଧ୍ୟ ଗଢ଼ି ଉଠି ବିପୁଳ ଅର୍ଥ ଲାଭ କରିବାରେ ସମର୍ଥ ହେଲେଣି। ଏହି କାରଣରୁ ମହାମାରୀ କାଳରେ ଭାରତ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅଧିକ ଅର୍ବପତି ସୃଷ୍ଟି କରିଛି ବୋଲି ଫୋର୍ବସ ସଂସ୍ଥା ପ୍ରକାଶ କରିଛି।
ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନୂଆପଡ଼ା
ମୋ: ୯୬୬୮୧୯୧୭୦୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/online-shopping-with-laptop-smartphone-technology_24877-56046.jpg)