ସେନା‌ରେ ମହିଳା ଓ ପରୋକ୍ଷ ପକ୍ଷପାତ

ସରଳ ବିଚାର - ସରଳ କୁମାର ଦାସ

ସମସ୍ତଙ୍କ ପ୍ରତି ସମାନ ନିୟମ ଲାଗୁ କରିବା ବା ସମାନ ଆଚରଣ ପ୍ରଦର୍ଶନ କରିବା ବି ବେଳେବେଳେ ପକ୍ଷପାତିତା ହୋଇପାରେ! ‘ଲେଫ୍ଟନାଣ୍ଟ କର୍ନେଲ ନିତିଶା ବନାମ ଭାରତ ସରକାର’ ମାମଲାରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ମାର୍ଚ୍ଚ ୨୫, ୨୦୨୧ରେ ପରୋକ୍ଷ ପକ୍ଷପାତିତା ପ୍ରସଙ୍ଗରେ ଏପରି ଏକ ରାୟ ପ୍ରଦାନ କରିଛନ୍ତି ଯାହା ସମ୍ବିଧାନରେ ପ୍ରଦତ୍ତ ସମାନତା ଅଧିକାରକୁ ନୂଆ କରି ଅବଲୋକନ ଓ ତର୍ଜମା କରିବା ପାଇଁ ବିମର୍ଶର ସମ୍ଭାବନା ସୃଷ୍ଟି କରିବ। ଏହି ରାୟର ସିଧାସଳଖ ପ୍ରଭାବରେ ସେନା ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କ ସ୍ଥାୟୀ କମିସନ ପାଇବା ବାଟ ସୁଗମ ହେବାକୁ ଯାଉଛି। କେବଳ ସେତିକି ନୁହେଁ, ବିଭିନ୍ନ ସଂସ୍ଥାରେ ନାନା ଭାବେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ନିୟନ୍ତ୍ରଣ କରିବାରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେ। ରାୟଟିର ଗୁରୁତ୍ୱକୁ ବୁଝିବା ପାଇଁ ମାମଲାଟିର ପୃଷ୍ଠଭୂମିକୁ ଜାଣିବା ଆବଶ୍ୟକ।

ଆର୍ମି ଆକ୍ଟ, ୧୯୫୦ ଅନୁଯାୟୀ କେବଳ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଦ୍ୱାରା ନିର୍ଦ୍ଧାରିତ କୋର୍‌ ବିଭାଗ ବା ଶାଖାକୁ ବାଦ ଦେଇ ମହିଳା ଅଧିକାରୀମାନେ ଅନ୍ୟତ୍ର ସ୍ଥାୟୀ କମିସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ। ମହିଳାମାନଙ୍କୁ ପ୍ରଥମେ ୧୯୫୮ରେ ଭାରତୀୟ ସେନା ବାହିନୀରେ ଆର୍ମି ମେଡିକାଲ କୋର୍‌ରେ ସ୍ଥାୟୀ କମିସନ ପ୍ରଦାନ କରାଗଲା। ଜାନୁଆରୀ ୩୦, ୧୯୯୨ରେ ସେନାବାହିନୀର ବିଭିନ୍ନ ଶାଖା ଓ ବିଭାଗରେ ମହିଳାମାନଙ୍କୁ ‘ସର୍ଟ ସର୍ଭିସ କମିସନ୍‌ଡ’ (ଅସ୍ଥାୟୀ) ଅଫିସର ଭାବେ ନିଯୁକ୍ତି ଦିଆଗଲା। ତେଣୁ, ସେମାନଙ୍କୁ ସ୍ଥାୟୀ କମିସନ ପ୍ରଦାନ କରା ନ ଯାଇ ସେମାନଙ୍କ ପ୍ରତି ପକ୍ଷପାତିତା କରାଯାଉଛି ବୋଲି ଅଭିଯୋଗ କରି ୨୦୦୩ରେ ବବିତା ପୁନିୟା ନାମକ ଜଣେ ଆଡଭୋକେଟ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କଲେ। ସେନାବାହିନୀର ଅନ୍ୟ ମହିଳା ଅଧିକାରୀମାନେ ଦାଏର କରିଥିବା ମାମଲାଗୁଡ଼ିକୁ ମଧ୍ୟ ଏହି ମାମଲା ସହିତ ଏକାଠି କରି ଦିଆଗଲା। ସେନାବାହିନୀରେ ଅଫିସରଙ୍କ ପାଇଁ ସ୍ଥାୟୀ କମିସନ୍‌ର ଅର୍ଥ ହେଲା ଅବସର ଯାଏଁ ଏକ ସୁଦୀର୍ଘ କ୍ୟାରିଅରର ଗ୍ୟାରେଣ୍ଟି ସହ ପେନସନ ସମେତ ଆହୁରି ଅନେକ ସୁବିଧା ପାଇବା। ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିସନ ଦେବା ସପକ୍ଷରେ ରାୟ ଦେଇଥିଲେ, ଯାହା ବିରୋଧରେ ସେନାବାହିନୀ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ପେବ୍ରୁଆରି ୨୫, ୨୦୨୦ରେ ରାୟ ଦେଇ କହିଥିଲେ ଯେ ମହିଳାମାନଙ୍କୁ ସ୍ଥାୟୀ କମିସନ ନ ଦେବାର ନୀତି ପକ୍ଷପାତପୂର୍ଣ୍ଣ। ତେଣୁ ଏ ଦିଗରେ ନୀତିଗତ ନିଷ୍ପତ୍ତି ନେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମହିଳାମାନଙ୍କୁ ସ୍ଥାୟୀ କମିସନ ପ୍ରଦାନ ଲାଗି ଏକ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରିତ ହେଲା। ପୁନଶ୍ଚ ତାହା ପକ୍ଷପାତପୂର୍ଣ୍ଣ ବୋଲି ଅଭିଯୋଗ କରି ପୀଡ଼ିତ ମହିଳା ଅଧିକାରୀଙ୍କ ମଧ୍ୟରୁ ଲେଫ୍ଟନାଣ୍ଟ କର୍ନେଲ ନୀତିଶା ଓ ଅନ୍ୟମାନେ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ରାୟରେ ଅଦାଲତ କହିଛନ୍ତି ଯେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ପ୍ରଦାନ ଲାଗି ନିର୍ଦ୍ଧାରିତ ମାନଦଣ୍ଡ ଉପରକୁ ନିରପେକ୍ଷ ମନେ ହେଉଥିଲେ ମଧ୍ୟ ଏହା ପରୋକ୍ଷରେ ପକ୍ଷପାତପୂର୍ଣ୍ଣ। ସୁପ୍ରିମ କୋର୍ଟ କହିଛନ୍ତି ଯେ ପରୋକ୍ଷ ପକ୍ଷପାତ ସମ୍ୱିଧାନର ବିରୋଧାଚରଣ କରିଥାଏ। ଏହା ସହିତ ଅଦାଲତ ପରୋକ୍ଷ ପକ୍ଷପାତର ବ୍ୟାଖ୍ୟା ମଧ୍ୟ କରିଛନ୍ତି। ଉଦାହରଣ ସ୍ୱରୂପ, ଦୀର୍ଘ ବର୍ଷ ଧରି ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ଦିଆ ଯାଉ ନ ଥିବାରୁ ସେମାନଙ୍କୁ ଭଲ ସି.ଆର୍‌. (ରିପୋର୍ଟ) ମଧ୍ୟ ମିଳୁ ନ ଥିଲା। ଏବେ ତାହା ସେମାନଙ୍କ ଯୋଗ୍ୟତା ହାସଲରେ ବାଧା ସୃଷ୍ଟି କରୁଛି। ସ୍ଥାୟୀ କମିସନ ପାଇଁ ପୁରୁଷ ଅଧିକାରୀଙ୍କ ପରି ମହିଳା ଅଧିକାରୀଙ୍କର ନିର୍ଦ୍ଧାରିତ ବୟସରେ ମେଡିକାଲ ଫିଟନେସ ପରୀକ୍ଷା ହୋଇ ନ ଥିବାରୁ ବିଳମ୍ୱିତ ଭାବେ ସେମାନଙ୍କ ଠାରୁ ସେହି ଫିଟନେସ ଆଶା କରିବା ଅର୍ଥ ସେମାନଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା କରିବା।

କେବଳ ସାମାଜିକ ବା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଲୋକେ ଯେ ପକ୍ଷପାତିତାର ଶିକାର ହୋଇଥାଆନ୍ତି, ତାହା ନୁହେଁ। ଏକା ଭଳି ସ୍ଥିତିରେ ଥିବା ଦୁଇ ଜଣଙ୍କୁ ସମାନ ଭାବେ ଆଚରଣ ନ କରି ଜଣକୁ ଅନ୍ୟ ତୁଳନାରେ ନ୍ୟୂନ ଆଚରଣ କରାଗଲେ ତାହା ପକ୍ଷପାତିତା ବୋଲି ବିବେଚିତ ହୋଇଥାଏ। ଅନ୍ୟ ପକ୍ଷରେ ଶାରୀରିକ ଅକ୍ଷମତା, ଗର୍ଭଧାରଣ ଭଳି ଭିନ୍ନ ସ୍ଥିତିରେ ଜଣେ ମହିଳା ତୁଳନାତ୍ମକ ଭାବେ ଅସୁବିଧାଜନକ ସ୍ଥିତିରେ ଥିଲେ ବି ତାକୁ ଅନ୍ୟମାନଙ୍କ ସହ ସମାନ ଭାବେ ବିଚାର କରିବା ମଧ୍ୟ ତା’ ପ୍ରତି ପକ୍ଷପାତିତା; ଯାହାକୁ ପରୋକ୍ଷ ପକ୍ଷପାତିତା କୁହା ଯାଇପାରେ। ପରୋକ୍ଷ ପକ୍ଷପାତିତା ସେତେବେଳେ ହୋଇଥାଏ, ଯେତେବେଳେ କୌଣସି ସଂସ୍ଥାର ନୀତି, ନିୟମ ବା ପ୍ରଥା ସମସ୍ତଙ୍କ ପ୍ରତି ସମାନ ଭାବେ ଲାଗୁ ହେଉଥିଲେ ବି କିଛି ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ବା ଅସୁବିଧାଜନକ ହୋଇଥାଏ। ଏହାର ଆଧାର ବୟସ, ଅକ୍ଷମତା, ଲିଙ୍ଗ ପୁନର୍ନିର୍ଦ୍ଧାରଣ, ବିବାହ, ଜାତି, ଧର୍ମ, ବର୍ଣ୍ଣ, ବିଶ୍ୱାସ, ଯୌନ ଓ ଯୌନ ଦୃଷ୍ଟିଭଙ୍ଗୀ ହୋଇପାରେ। ଉଦାହରଣ ସ୍ୱରୂପ, କୌଣସି ଦେଶ ଯଦି ଆଇନ ପ୍ରଣୟନ କରେ ଯେ କେବଳ ସେହି ଦେଶରେ ପଢ଼ିଥିବା ପିଲା ସେହି ଦେଶରେ ନିଯୁକ୍ତି ପାଇବେ; ତେବେ ତାହା ଅନ୍ୟ ଦେଶରେ ପଢ଼ି ସେଠାରେ ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିବା ସମସ୍ତଙ୍କ ପାଇଁ ଜାତିଗତ ଆଧାରରେ ପରୋକ୍ଷ ପକ୍ଷପାତିତା ହୋଇଥାଏ। ସେହିପରି ପ୍ରସବ ପରେ ପରେ ଜଣେ କର୍ମଜୀବୀ ମହିଳାଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ପୂରା ସମୟ କାମ କରିବାକୁ ବାଧ୍ୟ କରିବାର ଅର୍ଥ ତାଙ୍କର ଶିଶୁ ସନ୍ତାନକୁ ଯତ୍ନ ନେବାର ଆବଶ୍ୟକତାକୁ ଅଣଦେଖା କରି ତାଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା କରିବା। ଏହା ଲିଙ୍ଗଗତ ଆଧାରରେ ହୋଇଥାଏ।

ପରୋକ୍ଷ ପକ୍ଷପାତିତାକୁ ବୁଝିବା ଲାଗି ‘ଅଷ୍ଟ୍ରେଲିଆନ ଆଇରନ ଆଣ୍ଡ ଷ୍ଟିଲ କମ୍ପାନି ବନାମ ବ୍ୟାଙ୍କୋଭିକ’ ମାମଲାଟିର ଅନୁଶୀଳନ କରା ଯାଇପାରେ। ଏହି କମ୍ପାନିରେ ଏକ ନିର୍ଦ୍ଦିଷ୍ଟ ‘ଛଟେଇ ନୀତି’ କାର୍ଯ୍ୟକାରୀ ହେଉଥିଲା, ଯହିଁରେ ଛଟେଇ କରିବାକୁ ହେଲେ ଚାକିରିରେ ସବା ଶେଷରେ ଯୋଗ ଦେଇଥିବା କର୍ମଚାରୀଟିକୁ ପ୍ରଥମେ ଛଟେଇ (ଲାଷ୍ଟ ଇନ ଫାର୍ଷ୍ଟ ଆଉଟ) କରାଯିବାର ନିୟମ ଥିଲା। ବହୁ ଦିନ ଧରି ମହିଳାମାନଙ୍କୁ ସେହି କମ୍ପାନିରେ ନିଯୁକ୍ତି ପ୍ରଦାନ କରା ଯାଉ ନ ଥିଲା। ବହୁ ଦିନରୁ ଚାଲି ଆସିଥିବା ଏହି ସିଧାସଳଖ ପକ୍ଷପାତିତାକୁ ଦୂର କରି କମ୍ପାନି ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲାଗିଲା। ତେବେ ଇଚ୍ଛାକୃତ ଭାବେ ନ ହେଲେ ବି କମ୍ପାନିର ଛଟେଇ ନୀତି ଯୋଗୁ ମହିଳାମାନେ ଚାକିରିରେ ସବା ଶେଷରେ ଯୋଗ ଦେଇଥିବାରୁ ସେମାନେ ହିଁ ପ୍ରଥମେ ଛଟେଇର ଶିକାର ହେଲେ। ଏହି କମ୍ପାନିର ନୀତି ଆପାତତଃ ନିରପେକ୍ଷ ବୋଲି ମନେ ହେଉଥିଲେ ବି ଏହା ପରୋକ୍ଷ ଭାବେ ମହିଳା କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ଥିଲା। ଦେଖାଯାଏ ଯେ କେତେକ କ୍ଷେତ୍ରରେ ସଂସ୍ଥାମାନେ ପକ୍ଷପାତିତାକୁ ଚିରସ୍ଥାୟୀ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ପ୍ରତ୍ୟକ୍ଷ ବଦଳରେ ପରୋକ୍ଷ ବାଟଟିକୁ ଆପଣାଇବାକୁ କୁଣ୍ଠାବୋଧ କରି ନ ଥାଆନ୍ତି।

୨୦୦୯ ମସିହାରେ ବ୍ରିଟିସ ସୁପ୍ରିମ କୋର୍ଟର ଜଷ୍ଟିସ ବାରୋନେସ ହେଲ ଏକ ରାୟରେ ଲେଖିଥିଲେ ‘ପ୍ରତ୍ୟକ୍ଷ ଓ ପରୋକ୍ଷ ପକ୍ଷପାତିତା ପରସ୍ପରର ବିରୋଧୀ। ଦୁଇଟି ଯାକ ଏକ ସଙ୍ଗରେ ହୋଇ ପାରିବନି। ଦୁଇଟି ମଧ୍ୟରେ ମୁଖ୍ୟ ପ୍ରଭେଦ ହେଲା ପ୍ରତ୍ୟକ୍ଷ ପକ୍ଷପାତିତାକୁ କୌଣସି ମତେ ନ୍ୟାୟସଙ୍ଗତ ପ୍ରତିପାଦନ କରି ହେବ ନାହିଁ। ଅନ୍ୟ ପକ୍ଷରେ ଏକ ବୈଧ ଲକ୍ଷ୍ୟ ହାସଲ କରିବା ପାଇଁ ପରୋକ୍ଷ ପକ୍ଷପାତିତାକୁ ଆନୁପାତିକ ଭାବେ ନ୍ୟାୟସଙ୍ଗତ ବୋଲି ପ୍ରତିପାଦନ କରା ଯାଇପାରେ।’ ସେଥିପାଇଁ ସମ୍ପୃକ୍ତ ସଂସ୍ଥା ସେହି ନୀତି ନିୟମ ପ୍ରଣୟନ ପଛରେ ଥିବା ଉଚିତ କାରଣଟିକୁ (ଯାହାକୁ ‘ଉଦ୍ଦେଶ୍ୟ ଔଚିତ୍ୟ’ ବା ଅବଜେକ୍ଟିଭ ଜଷ୍ଟିଫିକେସନ ବୋଲି କୁହା ଯାଇଥାଏ) ବୁଝାଇ ପାରିଲେ ତାହା ଆଉ ପରୋକ୍ଷ ପକ୍ଷପାତିତା ହୋଇ ରହି ନ ଥାଏ। ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ ଭଳି ସଂସ୍ଥାରେ ପ୍ରଚଳିତ ଏକ ନିୟମାନୁସାରେ ସେହି ସଂସ୍ଥାର ୭୦ ବର୍ଷରୁ ଅଧିକ ବୟସର ପେନସନଧାରୀଙ୍କୁ କିଛି ବିଶେଷ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିଥାଏ, ଯାହା ସେହି ବର୍ଗର ପେନସନ ପାଉ ନ ଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଉପଲବ୍‌ଧ ନ ଥିବାରୁ ତାକୁ ପରୋକ୍ଷ ପକ୍ଷପାତ ଶ୍ରେଣୀଭୁକ୍ତ କରା ଯାଇପାରେ।

ନିକଟରେ ଓଡ଼ିଶା ସରକାର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ ଶିକ୍ଷା କ୍ଷେତ୍ରରେ ସିଟ୍‌ ଆରକ୍ଷଣ କଥା ଘୋଷଣା କରିବା ପରେ ତାହା ଅନ୍ୟ ସ୍କୁଲରେ ପଢୁଥିବା ପିଲାଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା ଭାବେ ପରିଗଣିତ ହୋଇପାରେ। ତେବେ ଏହି ନିୟମ ଓ ନିଷ୍ପତ୍ତି ପଛର ‘ଉଦ୍ଦେଶ୍ୟ ଔଚିତ୍ୟ’କୁ ଗ୍ରହଣୀୟ ହେଲା ଭଳି ପ୍ରତିପାଦିତ କରାଯାଇ ପାରିଲେ ଯାଇ ତାହା ପରୋକ୍ଷ ପକ୍ଷପାତିତା ହୋଇ ରହେନାହିଁ। ଅନ୍ୟଥା ଆଇନ ଅଦାଲତରେ ତାହାର ବୈଧତାକୁ ଚ୍ୟାଲେଞ୍ଜ କରା ଯାଇପାରିବ।

ବ୍ରିଟେନରେ ସମାନତା ଆଇନ, ୨୦୧୦ର ପ୍ରଣୟନ ହେବା ପରେ ପରୋକ୍ଷ ପକ୍ଷପାତୀ ଆଚରଣ ବେଆଇନ। ଭାରତୀୟ ସମ୍ୱିଧାନର ଧାରା ୧୫(୧) ଅନୁଯାୟୀ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ଆଦି ଆଧାରରେ କୌଣସି ନାଗରିକ ପ୍ରତି ଯେପରି କୌଣସି ପ୍ରକାର ପକ୍ଷପାତିତା ନ ହୁଏ, ତାହା ସୁନିଶ୍ଚିତ କରିବାର ଦାୟିତ୍ୱ ରାଷ୍ଟ୍ରର ଓ ଏହା ନାଗରିକର ମୌଳିକ ଅଧିକାର। ସାଧାରଣତଃ ଜାତିଗତ ଓ ଧର୍ମଗତ ପକ୍ଷପାତିତା ପ୍ରତ୍ୟକ୍ଷ ପକ୍ଷପାତିତା ଶ୍ରେଣୀଭୁକ୍ତ ଓ ସମ୍ୱିଧାନର ଧାରା ୧୬(୧) ଅନୁସାରେ ବିଭିନ୍ନ ଭାବେ ସମାଜର ବଞ୍ଚିତ ବା ଅବହେଳିତ ବର୍ଗଙ୍କ ପାଇଁ ସ୍ଥାନ ଆରକ୍ଷଣର ସକାରାତ୍ମକ ପଦକ୍ଷେପ (ଆଫାର୍ମେଟିଭ ଆକସନ) ମାଧ୍ୟମରେ ମୌଳିକ ସମାନତାର ଲକ୍ଷ୍ୟ ହାସଲ କରା ଯାଇଥାଏ। ତେବେ, ବଞ୍ଚିତ ହେବାର ଅନେକ କାରଣ ମଧ୍ୟରୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ହେବା ସହ ମନସ୍ତାତ୍ତ୍ୱିକ, ଶାରୀରିକ ଭାବେ ଆଘାତପ୍ରାପ୍ତ ହେବା କାରଣରୁ ବା ରାଜନୈତିକ ବହିଷ୍କରଣ ଯୋଗୁ ମଧ୍ୟ ବଞ୍ଚିତ ହେବା ଅନ୍ତର୍ଭୁକ୍ତ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅନୁସାରେ ଭାରତୀୟ ସମ୍ୱିଧାନରେ ଯେଉଁ ମୌଳିକ ସମାନତାର ଅବଧାରଣା ରହିଛି, ତାହା ଉଭୟ ପଦ୍ଧତିଗତ ଓ ପରୋକ୍ଷ ପକ୍ଷପାତିତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି। ପରୋକ୍ଷ ପକ୍ଷପାତିତାର କାରଣ କୌଣସି ପୂର୍ବାଗ୍ରହ ବା ପୁରୁଷତାନ୍ତ୍ରିକ ମନୋଭାବର ପ୍ରାବଲ୍ୟ ବି ହୋଇପାରେ। ତେଣୁ ନିଯୁକ୍ତିଦାତା କେବଳ ‘ଉପଯୁକ୍ତତା’ (ସୁଇଟେବିଲିଟି)କୁ ଆଳ କରି ନିଜ ଜାଣତ ବା ଅଜାଣତରେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। କୋର୍ଟଙ୍କ ମତରେ ଢାଞ୍ଚାଗତ ପକ୍ଷପାତିତାର ସମସ୍ୟାକୁ ପ୍ରାୟତଃ ଢାଞ୍ଚାଗତ ପ୍ରତିକାର ମାଧ୍ୟମରେ ହିଁ ସମାଧାନ କରା ଯାଇ ପାରିଥାଏ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସେନାବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ପ୍ରଦାନ କ୍ଷେତ୍ରରେ ଉପୁଜିଥିବା ସଂଶୟ ଦୂର ହେବାର ଆଶା ଉଜ୍ଜ୍ବଳ। ତେବେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ପରୋକ୍ଷ ପକ୍ଷପାତ ଆଚରଣରୁ ନିବୃତ୍ତ ହେବା ପ୍ରୟୋଜନ। ତେବେ ଏଭଳି ପରୋକ୍ଷ ପକ୍ଷପାତଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହା ହେଲେ ଏହି ଧରଣର ମାମଲା ଅଯଥାରେ ଅଦାଲତକୁ ଯିବ ନାହିଁ। କେବଳ ସେତିକି ନୁହେଁ, ପରୋକ୍ଷ ପକ୍ଷପାତିତା ସମ୍ୱିଧାନ ପ୍ରଦତ୍ତ ସମାନତା ଅଧିକାରର ବିରୋଧାଚରଣ କରୁଥିବାରୁ ସେଗୁଡ଼ିକୁ ଦୂର କରିବାର ପ୍ରୟାସ ଅଧିକ ଜୋରଦାର ହେବା ଉଚିତ।

ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର