ସମସ୍ୟା ଆମଠାରୁ ଦୂରକୁ ଯାଉନି, ଦୁଃଖରୁ ତ୍ରାହି ମିଳୁନି। ଏମିତି ଲାଗୁଛି ସତେ ଯେମିତି ଭଗବାନ ଦଣ୍ତ ଦେବା ପାଇଁ ଆମକୁ ହିଁ ବାଛିଛନ୍ତି, କାରଣ ଆମ ଚାରିପଟର ସମସ୍ତ ଲୋକ ସୁଖରେ ଥିବା ଭଳି ଆମେ ଆଖିରେ ଦେଖୁଛେ। ବେଳେବେଳେ ମନକୁ ସାନ୍ତ୍ବନା ଦେଉଛେ ଯେ ପାଣ୍ତବମାନେ ପାଖରେ ଶ୍ରୀକୃଷ୍ଣଙ୍କୁ ପାଇ ମଧୢ ଜୀବନସାରା ଜତୁଗୃହ, ପଶାଖେଳ, ବସ୍ତ୍ରହରଣ, ବନବାସ ଓ ଅନେକ ଅପମାନ ଆଦିର ସାମନା କରିଥିଲେ: କିନ୍ତୁ ଏଭଳି ସାନ୍ତ୍ବନା ବେଶୀ ସମୟ ମନକୁ ସ୍ଥିର ରଖିପାରୁନାହିଁ। ଏବେ ଆସନ୍ତୁ; ବିନା ଖର୍ଚ୍ଚରେ ଏହାର କାରଣ ଓ ସମାଧାନ ଖୋଜିବା।

Advertisment

ଆମର ଦୋଷ ଏଇୟା ଯେ ଆମେ ଚନ୍ଦ୍ରପୃଷ୍ଠରେ କ’ଣ ଅଛି ଜାଣିବାକୁ ଇଚ୍ଛା କରୁଛେ ଅଥଚ ଶହେ ମିଟର ଦୂରରେ ଏବେ ଆସି ରହୁଥିବା ପଡ଼ୋଶୀ ସହ ଚିହ୍ନାପର୍ଚ୍ଚ ହେବା ପାଇଁ ଆମକୁ ସମୟ ହେଉନି, ଇଚ୍ଛା ବି ନାହିଁ। ଆମକୁ ଅପମାନିତ କରିଥିବା ବା ଆମ ପ୍ରତି ଅନ୍ୟାୟ କରିଥିବା ଲୋକକୁ ଆମେ ଭୁଳି ପାରୁନୁ। ଭିତରେ ପ୍ରତିଶୋଧାତ୍ମକ ଅଗ୍ନି ଜଳୁଛି। ଆମ ଆଖି ଆଗରେ ସେ ଭଗବାନଙ୍କ ଦ୍ବାରା ଦଣ୍ତ ପାଇବା ଆମେ ଚାହୁଁଛେ, କିନ୍ତୁ ସେମିତି କିଛି ହେଉନାହିଁ। ସେ ଅପମାନ ବା ଅନ୍ୟାୟର ଉଚିତ ବିଚାର ଈଶ୍ବରଙ୍କ ଉପରେ ଛାଡ଼ି ଦେଇ ତାକୁ କ୍ଷମା କରି ଦେଇ ସେ କଥା ସବୁଦିନ ପାଇଁ ଭୁଲିଯିବା ଦରକାର। ଭାବିବା କଥା, ଏଇଟା ମୋ ପ୍ରାରବ୍‌ଧ ଭୋଗ ହେଲା ବା ଈଶ୍ବର ତା’କଥା ବୁଝନ୍ତୁ।

ଆମେ ଯେତିକି ପାଇଛେ, ସେସବୁ ପଛରେ ଆମର କଠିନ ପରିଶ୍ରମ ଏବ˚ ଅନେକ ସମସ୍ୟା ଥିଲା; ଏବର ସମସ୍ୟା ବି କାଲିକୁ ନ ଥିବ। ଅତୀତ ବିଷୟକୁ ଧରି ରଖି ବା ପାଖପଡ଼ୋଶୀ ଏବ˚ ବନ୍ଧୁ ସହୋଦରଙ୍କ ଉନ୍ନତି ବିଷୟରେ ଈର୍ଷାନ୍ବିତ ହୋଇ ଆମେ ଅହରହ ବର୍ତ୍ତମାନର ସମୟକୁ ନଷ୍ଟ କରି ଚାଲିଛେ। ଯେତେ ପ୍ରକାର ଗର୍ବ ଓ ଅହ˚କାର ଅଛି, ସେଥି ମଧୢରୁ ଜ୍ଞାନ ଗର୍ବ ସବୁଠୁ ବିପଜ୍ଜନକ; କାରଣ ଧନ ଗର୍ବ, କ୍ଷମତା ଗର୍ବ ଇତ୍ୟାଦିର ପରିବର୍ତ୍ତନ ସମ୍ଭବ, କିନ୍ତୁ ଜ୍ଞାନ ଗର୍ବ ସହଜରେ ଭାଙ୍ଗେ ନାହିଁ। ଯେଉଁ ପ୍ରକାର ଜ୍ଞାନ ହେଉନା କାହିଁକି, ସେଇ ଜ୍ଞାନରେ ଆମଠୁ ଢେର ଅଧିକ ପ୍ରତିଭାବାନ ଲୋକ ଅଛନ୍ତି, ଏଇତକ ନିଷ୍ଠୁର ସତ୍ୟ ଆମ ସୀମିତ ଜ୍ଞାନ ଥିବା ମୁଣ୍ତରେ ପଶେ ନାହିଁ।

ଭଗବାନ୍‌ ଆମକୁ ଦୁଇଟା କାନ ଦେଇଛନ୍ତି, କିନ୍ତୁ ପାଟି ଗୋଟାଏ। ଅତଏବ ଆମେ ଯେତିକି କହିବା, ତା’ର ଦୁଇ ଗୁଣ ଶୁଣିବାକୁ ଧୈର୍ଯ୍ୟ ଦରକାର। ନିହାତି ଆବଶ୍ୟକ ନ ପଡ଼ିଲେ, ପାଟି ଖୋଲିବା ଅନୁଚିତ। ଯିଏ ଯେତେ ଚୁୁପ୍‌ ରହିପାରେ ଆଉ ଯିଏ ଯେତେ ଧୈର୍ଯ୍ୟ ଧରି ଶୁଣିପାରେ, ସେ ସେତେ ଜ୍ଞାନ ଆହରଣ କରେ। ଆମର ଏବକା ବଦଭ୍ୟାସ ଏହି ଯେ, ଆମେ ସମସ୍ତେ କହିବାକୁ, ଉପଦେଶ ଦେବାକୁ, ଧର୍ମବାଣୀ ଶୁଣାଇବାକୁ ଆଗଭର ଅଥଚ ଶ୍ରୋତାଙ୍କ ସ˚ଖ୍ୟା ଦିନକୁ ଦିନ ନଗଣ୍ୟ ହେବାରେ ଲାଗିଛି। ଆମେ ଯାହା ଚାହୁଁ କହି ଚାଲିଥାଉ। ଏହା ଦ୍ବାରା ସମୟ ଓ ଶକ୍ତିର ଅପଚୟ କରୁଛୁ ବୋଲି ଆମ ମୁଣ୍ତରେ ପଶେ ନାହିଁ। ସମାଲୋଚନା କରିବାରେ ଆମେ ଧୁରନ୍ଧର। ନିଜ ପିଲାର ଟିଉସନ୍‌ ଫିସ୍‌ ଦେବା ପରେ ‘‘ମାଷ୍ଟ୍ର ଗୁଡ଼ାଏ ଟଙ୍କା ନେଇଯାଉଛି’’ ବୋଲି ଚର୍ଚ୍ଚା କରୁ। କିନ୍ତୁ ପିଲାକୁ ମଣିଷ କରିବାର ଦାୟିତ୍ବ ନେଇଥିବା ଶିକ୍ଷକର ପରିଶ୍ରମ ବା ନିଷ୍ଠା କଥା ଭାବି ମନେ ମନେ ଶିକ୍ଷକ ସମାଜ ପ୍ରତି କୃତଜ୍ଞ ରହୁନା।

ସମାଜ ଭିତରେ ଅନେକ ଧରାବନ୍ଧା ନିୟମ ଅଛି। ସମାଜର ବିଭିନ୍ନ ବର୍ଗର ଲୋକ ବିଭିନ୍ନ ପ୍ରକାରେ ଆମକୁ ପ୍ରଭାବିତ କରିବାକୁ ଅହରହ ବ୍ୟସ୍ତ। ଠାକୁର ପୂଜା, ଧର୍ମର ନୀତି ନିୟମ, ସାମାଜିକ ଚଳଣୀ ବିଷୟରେ ଆମେ ଅନେକ ଉପଦେଶ ପାଉଛେ; ସତ କଥା ହେଲା ଆମେ କ’ଣ କରିପାରିବା, କେଉଁ କାମ ଆମ ଦ୍ବାରା ଭଲ ଭାବେ ହୋଇପାରିବ, କେଉଁ ଧର୍ମ ବା ନୀତି ଆମେ ଆପଣେଇ ଖୁସି ହେବା, ସେ ନିଷ୍ପତ୍ତି ଆମେ ନିଜେ ନେବା ଦରକାର। ଏଥିରେ ସମାଜ, ବନ୍ଧୁବର୍ଗ ଏପରିକି ପରିବାରର ସଦସ୍ୟଙ୍କ ଚାହିଁବା ବା ଭଲ ଲାଗିବାକୁ ଗୁରୁତ୍ବ ନ ଦେବାରେ ହିଁ ଆମର ଉନ୍ନତି। ଜୀବନରେ ଗୋଟିଏ ବାକ୍ୟକୁ ସର୍ବଦା ଗୁରୁତ୍ବ ଦେବା ଦରକାର ଆଉ ତା’ହେଲା ପ୍ରଖ୍ୟାତ ଦାର୍ଶନିକ ଇମରସନ୍‌ଙ୍କର- ‘‘Without a rich heart, wealth is an ugly beggar” ଅର୍ଥାତ୍‌ ହୃଦୟ ବଡ଼ ନ ହେଲେ ଧନ ବି ଗୋଟିଏ କୁତ୍ସିତ ଭିକ୍ଷୁକ ତୁଲ୍ୟ ଲାଗେ। ଅନ୍ୟର ଦୁଃଖ ପ୍ରତି ସହାନୁଭୂତି ଆସିବା ଏବ˚ ସୀମିତ ଦକ୍ଷତା ଭିତରେ ତାକୁ ସାହାଯ୍ୟ କରିବାର ମନକୁ ବଳବତ୍ତର ରଖିବାକୁ ହେବ। ଅଫିସରୁ ଫେରି ଚା’ କପେ ବରାଦ ଦେଇ ଟି.ଭି ପାଖରେ ଦୁଇ ଘଣ୍ଟା ବସି ନିଜ ଥକା ଶରୀର ପ୍ରଦର୍ଶନ କରିବା ଅପେକ୍ଷା ଘରେ ସଦାସର୍ବଦା ବ୍ୟସ୍ତ ଥିବା ସ୍ତ୍ରୀ ପିଲାଙ୍କ ସହ ହସଖୁସିରେ ଘଣ୍ଟାଏ କଟାଇବା ବେଶି ଦରକାର। ଦୀର୍ଘ ଆଠ ନଅ ଘଣ୍ଟା ପରେ ପରସ୍ପର ପ୍ରତି ଆକର୍ଷଣ ଆନନ୍ଦମୟ ପରିବେଶ ସୃଷ୍ଟି କରେ- ଆମେ କେବେ ବି ଅନ୍ୟର ଅର୍ଥାତ୍‌ ପରିବାରର ଅନ୍ୟ ସଦସ୍ୟମାନଙ୍କର ପରିଶ୍ରମ ଓ ଆମ ପ୍ରତି ନିଷ୍ଠା କଥା ମୁଣ୍ତରେ ନ ପୂରାଇ ଆମ ପରିଶ୍ରମ, ଆମ ଅଫିସ୍‌ କାମ, ଆମ ସୁବିଧା ଅସୁବିଧା ଶୁଣେଇବାରେ ତତ୍ପର ହେଉ। ଏଇ ଦୋଷ ଆମକୁ ଭବିଷ୍ୟତରେ ଛୋଟ ସମସ୍ୟାଗୁଡ଼ିକୁ କେବଳ ବଢ଼ାଇବାରେ ହିଁ ସାହାଯ୍ୟ କରେ। ଆମ ଚିନ୍ତାଧାରାରେ ବି ପରିବର୍ତ୍ତନ ଆଣିବାକୁ ଆମେ ଚେଷ୍ଟା କରୁନେ।

କଥାରେ ବିନମ୍ରତା ଥିଲେ ଆମ ସମସ୍ୟା ଆମ ଅଜାଣତରେ ଈଶ୍ବର ନିଶ୍ଚିତ ସମାଧାନ କରିଦେବେ; ଆମେ କେବଳ ସମୟ ଓ ଆମ ପାରିବାପଣିଆର ଉଚିତ୍‌ ବ୍ୟବହାର କରିବା ଦରକାର- ସମସ୍ୟା ନିଜେ ତା’ର ସମାଧାନ କରିଦେବ!

ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫