କରୋନା ପ୍ରତିଷେଧକ ଓ ଜାତୀୟତାବାଦ
ଶକ୍ତି ପ୍ରସାଦ ଦାସ
ଚୀନ୍ର ‘ନାସନାଲ ମେଡିକାଲ ପ୍ରଡକ୍ଟ ଆଡ୍ମିନିଷ୍ଟ୍ରେସନ’ କରୋନା ଭୂତାଣୁକୁ ମାତ୍ ଦେବା ଲାଗି ଆଣ୍ଟିଭାଇରାଲ ଔଷଧ ଭାବରେ ‘ଫାଭିଲାଭିର’ର ବ୍ୟବହାରକୁ ଅନୁମୋଦନ କରିଛି। ସତୁରି ଜଣ ରୋଗୀଙ୍କୁ ନେଇ ଏକ କ୍ଲିନିକାଲ୍ ଟ୍ରାଏଲରେ ସର୍ବନିମ୍ନ ପାର୍ଶ୍ବ ପ୍ରତିକ୍ରିୟା ସହିତ କରୋନା ଚିକିତ୍ସା କରିବାରେ ଏହି ଔଷଧ ଦକ୍ଷତା ପ୍ରଦର୍ଶନ କରିଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡିସେମ୍ବର ୨୦୧୯ରେ ଚୀନ୍ର ଉହାନ ସହରରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଏବେ ପୃଥିବୀର ୨୦୦ରୁ ଅଧିକ ଦେଶକୁ ବ୍ୟାପୀ ୧୬ ଲକ୍ଷ ୧୫ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହିତ ୯୬,୭୯୧ ଲୋକଙ୍କର ମୃତ୍ୟୁର କାରଣ ହେଲାଣି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ଡବ୍ଲୁ.ଏଚ୍.ଓ.) ଏହାକୁ ମହାମାରୀ ରୂପେ ଘୋଷଣା କରି ସ୍ବାସ୍ଥ୍ୟ ଦୃଷ୍ଟିରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହାର ବଡ଼ ବିପଦ ହେଉଛି କି ଏହାର ଉପଶମ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ବା ପ୍ରତିଷେଧକ ବାହାରି ନାହିଁ। ତେଣୁ ପୃଥିବୀର ସର୍ବତ୍ର ଏହାର ପ୍ରତିରୋଧ ପାଇଁ ‘ଲକ୍ଡାଉନ୍’ ବା ‘ସାମାଜିକ ଦୂରତ୍ବ’ ଭଳି ପ୍ରତିଷେଧାତ୍ମକ ବ୍ୟବସ୍ଥା ଉପରେ ଜୋର୍ ଦିଆଯାଉଛି।
ଅଷ୍ଟାଦଶ ଶତାବ୍ଦୀର ବସନ୍ତ ମହାମାରୀ ପାଇଁ ୧୭୯୬ରେ ଏଡ୍ଵାର୍ଡ ଜେନର ପ୍ରତିଷେଧକ ଉଦ୍ଭାବନ କଲେ ଓ ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା। ୧୯୧୮-୧୯ର ଇନ୍ଫ୍ଲୁଏନ୍ଜା ପରବର୍ତ୍ତୀ ୨୦ ବର୍ଷ ମଧୢରେ ସାରା ବିଶ୍ବରେ ୨ରୁ ୫ କୋଟି ଲୋକଙ୍କ ଜୀବନ ହାନିର କାରଣ ହୋଇଥିଲା, ତା’ର ପ୍ରତିଷେଧକ ୧୯୩୮ରେ ଉଦ୍ଭାବନ କରାଗଲା। ବି˚ଶ ଶତାବ୍ଦୀର ମଧୢଭାଗରେ (୧୯୫୦ ରୁ ୧୯୬୦ ମଧୢରେ) ପଶ୍ଚିମ ଆଫ୍ରିକାର ମିଳିମିଳା ମହାମାରୀ ପାଇଁ ୧୯୬୩ରେ ପ୍ରତିଷେଧକ ବାହାରିଲା ଏବ˚ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିଲା। ତେଣୁ ଇତିହାସ କହୁଛି, ଯେତେବେଳେ ମହାମାରୀ ବିଶ୍ବକୁ ଗ୍ରାସ କରିଛି, ମଣିଷ ଏହାର ପ୍ରତିଷେଧକ ବାହାର କରିବାରେ ଉଣାଅଧିକ ସଫଳ ହୋଇଛି।
ଏହି ଭୂତାଣୁ ମାରାତ୍ମକ ସ˚କ୍ରମଣ ଆରମ୍ଭ କରିବାର ତିନି ମାସ ମଧୢରେ ବିଶ୍ବବ୍ୟାପୀ ବାୟୋଟେକ୍ ଶିଳ୍ପାନୁଷ୍ଠାନ ଗୁଡ଼ିିକରେ ନୋଭେଲ କରୋନା ଭାଇରସ୍ ପ୍ରତିଷେଧକ-ଟିକା କିମ୍ବା ଆଣ୍ଟିଭାଇରାଲ୍ର ବିକାଶ ଲାଗି କାର୍ଯ୍ୟ ଦିନରାତି ଚବିଶ ଘଣ୍ଟା ଚାଲିଛି। ଆମେରିକାର ‘ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍’ (NIH) ଭଳି ବିଭିନ୍ନ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ତଥା ଚିକିତ୍ସା ଭିତ୍ତିକ ଅନୁଷ୍ଠାନ କାର୍ଯ୍ୟରତ। ଚୀନ୍, ୟୁରୋପ ଏବ˚ ଆମେରିକା ଏହି ଟିକା ପ୍ରସ୍ତୁତ କରିବାରେ ପ୍ରଥମ ହେବା ପାଇଁ ଏକପ୍ରକାର ଦୌଡ଼ ଆରମ୍ଭ କରିଦେଇଛନ୍ତି। ଏହା ଭିତରେ ଏକ ଜାତୀୟତାବାଦୀ ଆଭିମୁଖ୍ୟ ଦେଖିବାକୁ ମିଳୁଛି, ଯାହା ବିଜେତା ଦେଶକୁ ନିଜ ନାଗରିକମାନଙ୍କୁୁ ଅଧିକ ଅନୁଗୃହୀତ କରିବାର ସୁଯୋଗ ଦେବ। ବିଜ୍ଞାନ-ଜଗତ୍ରେ ଆଧିପତ୍ୟ, ପ୍ୟାଟେଣ୍ଟ ତଥା ଏକ ସଫଳ ପ୍ରତିଷେଧକର ଉଦ୍ଭାବନର ଯଶରୁ ଆରମ୍ଭ କରି ଅର୍ଥନୈତିକ ଲାଭ ପର୍ଯ୍ୟନ୍ତରେ କିଏ କ’ଣ ପାଇବ, ତାହା ସମୟ କହିବ।
ଚୀନ୍ର ‘ଏକାଡେମି ଅଫ୍ ମିଲିଟାରି ମେଡିକାଲ ସାଇନ୍ସ’ ସହ ଜଡ଼ିିତ ଗବେଷକମାନେ ଏକ ପ୍ରତିଷେଧକ-ଟିକା ବିକାଶ ଦିଗରେ ଆଗ ଧାଡ଼ିିରେ ଅଛନ୍ତି। ଏହାର କ୍ଲିନିକାଲ ପରୀକ୍ଷା ପାଇଁ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଛନ୍ତି। ଚୀନ୍ର ‘ନାସନାଲ ମେଡିକାଲ ପ୍ରଡକ୍ଟ ଆଡ୍ମିନିଷ୍ଟ୍ରେସନ’ କରୋନା ଭୂତାଣୁକୁ ମାତ୍ ଦେବା ଲାଗି ଆଣ୍ଟିଭାଇରାଲ ଔଷଧ ଭାବରେ ‘ଫାଭିଲାଭିର’ର ବ୍ୟବହାରକୁ ଅନୁମୋଦନ କରିଛି। ସତୁରି ଜଣ ରୋଗୀଙ୍କୁ ନେଇ ଏକ କ୍ଲିନିକାଲ୍ ଟ୍ରାଏଲରେ ସର୍ବନିମ୍ନ ପାର୍ଶ୍ବ ପ୍ରତିକ୍ରିୟା ସହିତ କରୋନା ଚିକିତ୍ସା କରିବାରେ ଏହି ଔଷଧ ଦକ୍ଷତା ପ୍ରଦର୍ଶନ କରିଥିବା ଜଣାଯାଇଛି। ଚୀନ୍ର ପ୍ରଥମ ‘କୋଭିଡ-୧୯’ ଟିକା ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା କ୍ଲିନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି।
ଚୀନ୍, ଦକ୍ଷିଣ କୋରିଆ, ଭାରତ ଓ ଫ୍ରାନ୍ସର ଡାକ୍ତରମାନେ କହିଛନ୍ତି ଯେ ମ୍ୟାଲେରିଆ ନିବାରକ ଔଷଧ କ୍ଲୋରୋକୁଇନ୍ ଓ ହାଇଡ୍ରୋକ୍ସି-କ୍ଲୋରୋକୁଇନରେ ଏହି ରୋଗର ପ୍ରତିକାର ରହିଛି। ଏହି ସତୁରି ବର୍ଷ ତଳର ପୁରୁଣା ଔଷଧ ‘କ୍ଲୋରୋକୁଇନ’ର ସାମର୍ଥ୍ୟ ବିଷୟକୁ ହୃଦୟଙ୍ଗମ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ‘କ୍ଲାରୋକୁଇନ୍’ ପଠାଇବା ଲାଗି ଅନୁରୋଧ କରିଥିଲେ। ‘କ୍ଲାରୋକୁଇନ୍’ର ସବୁଠାରୁ ଅଧିକ ଉତ୍ପାଦନକାରୀ ଦେଶ ଭାରତ କିନ୍ତୁ ନିଜ ଦେଶର କରୋନା ଆକ୍ରାନ୍ତଙ୍କ ଲାଗି ଏହାର ରପ୍ତାନି ଉପରେ ପ୍ରତିବନ୍ଧ ଲଗାଇଥିବାରୁ ଟ୍ରମ୍ପ୍ ଏହା ନ ପାଇଲେ କଡ଼ା ଜବାବ ଦେବେ ବୋଲି ହତାଶାଜନିତ ଧମକ ଦେବାରୁ ଭାରତ ଆମେରିକାକୁ ‘କ୍ଲାରୋକୁଇନ୍’ ପଠାଇବାକୁ ବାଧ୍ୟ ହୋଇଛି। ଏବଂ ଏହାର ଜବାବରେ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଦେବା ସହିତ ଏହି ଉପକାରକୁ ଭୁଲିବେ ନାହିଁ ବୋଲି କହିଛନ୍ତି। ତେବେ, ସେ ଯାହା ହେଉ, ଇତିମଧ୍ୟରେ ଆମେରିକାର ମାଟିରେ ଏକ ଟିକା ଉତ୍ପାଦନ ନିଶ୍ଚିତ କରିବାକୁ, ରାଷ୍ଟ୍ରପତି ଟ୍ରମ୍ପ୍ ବିଭିନ୍ନ ଗବେଷଣା ଅନୁଷ୍ଠାନ ଏବଂ ଫାର୍ମାସ୍ୟୁଟିକାଲ୍ କଂପାନିର କାର୍ଯ୍ୟନିର୍ବାହୀମାନଙ୍କୁ ଆଦେଶ ଦେଇ ସାରିଲେଣି। ଗତ ସପ୍ତାହରେ ଜର୍ମାନ ଖବରକାଗଜ ‘ଡାଏ େଵଲ୍ଟ ଆମ୍ ସୋନଟାଗ’ରେ ଏକ ଖବର ପ୍ରକାଶ ପାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ୍ ଗତ ମାର୍ଚ୍ଚ ୨ ତାରିଖରେ ଜର୍ମାନର ଏକ ବାଇଓଟେକ୍ କମ୍ପାନି ‘କ୍ୟୁଅରଭ୍ୟାକ୍’କୁ କରୋନା ଭାଇରସ୍ର ପ୍ରତିଷେଧକ ଉତ୍ପାଦନ ଆମେରିକାରେ କରିବାକୁ ପ୍ରଲୋଭନ ପ୍ରଦର୍ଶନ କରିଛନ୍ତି। ଏହା ଯଦି ସତ୍ୟ ହୋଇଥାଏ ତେବେ, ଏଥିରୁ କେବଳ ଅନୁମାନ କରାଯିବା କଥା ଯେ କିଭଳି ଏକ ପ୍ରତିଷେଧକ ପ୍ରଥମେ ବାହାର କରିବା ଲାଗି ଆମେରିକା ଉଦ୍ଗ୍ରୀବ।
ତେବେ ଏହି ଖବର ପ୍ରକାଶିତ ହେବା ପରେ ୟୁରୋପୀୟ କମିସନ ‘କ୍ୟୁଅରଭ୍ୟାକ୍’କୁ ୮୫ ନିୟୁତ ଡଲାର ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ସେତିକି ନୁହେଁ ଏକ ଚାଇନିଜ୍ କମ୍ପାନି ସହିତ ପ୍ରତିଷେଧକ ପ୍ରସ୍ତୁତି ଦୌଡ଼ରେ ଥିବା ଅନ୍ୟ ଏକ ଜର୍ମାନ ଫାର୍ମ ‘ବାୟୋଏନଟେକ୍’ ପାଇଁ ମଧ୍ୟ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି। ଏଥିରୁ ସ୍ପଷ୍ଟ ଯେ କରୋନା ପ୍ରତିଷେଧକ ନିର୍ମାଣ ଦୌଡ଼ରେ ଆଗରେ ରହିବା ଲାଗି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ତେବେ, ଯଦି ପ୍ରତିଷେଧକ ଉଦ୍ଭାବନର ସୁଫଳ ସମଗ୍ର ବିଶ୍ବ ଉପଭୋଗ କରିପାରିବ, ତେବେ ଏହାର ଉଦ୍ଭାବନକୁ ନେଇ ଭୌଗୋଳିକ ଓ ରାଜନୈତିକ ପ୍ରତିଯୋଗିତା ଭଲ ବୋଲି ବିବେଚନା କରାଯିବ। ୨୦୦୯ରେ ସ୍ବାଇନ୍ ଫ୍ଲୁ ମହାମାରୀ ସମୟରେ କ’ଣ ଘଟିଥିଲା ମନେ ପକାନ୍ତୁ। ଯେତେବେଳେ ଅଷ୍ଟ୍ରେଲିଆରେ ଗୋଟିଏ କମ୍ପାନି ପ୍ରଥମେ ଏହାର ପ୍ରତିଷେଧକ ବିକଶିତ କଲା, ଦୁନିଆର ଅନ୍ୟାନ୍ୟ ସ୍ଥାନକୁ ରପ୍ତାନି କରିବା ପୂର୍ବରୁ ସେଠାକାର ସରକାର ପ୍ରଥମେ ଅଷ୍ଟ୍ରେଲିଆରେ ଏହାର ଚାହିଦା ପୂରଣ କରିବାକୁ ଚାହିଁଲେ। ଏହାର ଅଭାବ କାରଣରୁ ଅନ୍ୟାନ୍ୟ ଦେଶର ସରକାରଗୁଡ଼ିକ ଜନରୋଷର ଶିକାର ହେଲେ।
ଖୁସିର କଥା, ବିଶ୍ବର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନିଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ସେମାନେ ସରକାରଙ୍କ ସହ ମିଶି ଏକ ପ୍ରତିଷେଧକ-ଟିକାର ଯଥାଶୀଘ୍ର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ସମସ୍ତ ମାନବ ସମାଜକୁ ସମ ପରିମାଣରେ ବଣ୍ଟନ କରାଯାଇପାରିବ। କିନ୍ତୁ ଟିକା ବିକଶିତ ହେବା ପରେ ଯଦି ଏହାକୁ ମହଜୁଦ କରି ରଖାଯାଏ ଏବଂ ଏହାକୁ ଉଦ୍ଭାବନ କରିଥିବା ଦେଶରେ କରୋନା ମହାମାରୀକୁ ଦୂର କରିବାରେ ବ୍ୟବହାର କରାଯାଏ, ତେବେ ତାହା ଅତ୍ୟନ୍ତ ଅପରିଣାମଦର୍ଶୀ ହେବ। ତେବେ, ଏକ ସଙ୍କେତ ମିଳିଲାଣି ଯେ ପ୍ରତିଷେଧକର ବିକାଶ ପରେ ଚୀନ୍ ଏହାକୁ ଭୌେଗାଳିକ ଓ ରାଜନୈତିକ ସୁବିଧା ପାଇଁ ବ୍ୟବହାର କରିବ। ଯେଉଁ ଦେଶଗୁଡ଼ିକ ୟୁରୋପ କିମ୍ବା ଆମେରିକା ଉପରେ ନିର୍ଭର କରିଥା’ନ୍ତି, ସେମାନଙ୍କୁ ପ୍ରତିଷେଧକ ବଣ୍ଟନରେ ଅଗ୍ରାଧିକାର ଦେଇ ନିଜ ଆଡ଼କୁ ଆକର୍ଷିତ କରିବ।
୨୦୧୪ରୁ ୨୦୧୬ ମଧ୍ୟରେ ପଶ୍ଚିମ ଆଫ୍ରିକାରେ ଇବୋଲା ମହାମାରୀ ପରେ ନରେୱ, ବ୍ରିଟେନ ଏବ˚ ଅନ୍ୟାନ୍ୟ ୟୁରୋପୀୟ ଦେଶ ତଥା ‘ବିଲ୍ ଆଣ୍ତ ମେଲିଣ୍ତା ଗେଟ୍ସ ଫାଉଣ୍ତେସନ’ ପକ୍ଷରୁ ‘କୋଆଲିସନ୍ ଫର ଏପିଡେମିକ୍ ପ୍ରିପେଆର୍ଡନେସ ଇନିସିଏଟିଭ୍’କୁ ଇବୋଲା-ଟିକା ବିକାଶ ପାଇଁ ଲକ୍ଷ ଲକ୍ଷ ଡଲାର ଯୋଗାଇ ଦିଆଯାଇଥିଲା। ଏହାର ଚୁକ୍ତି ରହିଥିଲା କି ଏହି ମହାମାରୀକୁ ଦୂର କରିବା ପାଇଁ ଆବଶ୍ୟକ ଟିକା ପ୍ରଥମେ ସେହି ଜନସ˚ଖ୍ୟା ପାଇଁ ମାଗଣାରେ ଉପଲବ୍ଧ କରାଯିବ। ଗତ ଦୁଇ ମାସ ମଧ୍ୟରେ ଏହି ମିଳିତ ମଞ୍ଚ କରୋନା ଭାଇରସକୁ ରୋକିବା ଉଦ୍ଦେଶ୍ୟରେ ଗବେଷଣା ପାଇଁ ଆଠଟି ଆଗଧାଡ଼ିର କମ୍ପାନିଙ୍କ ଉପରେ ଅର୍ଥ ଖଟାଇଛି, ଯେଉଁଥିରେ ଜର୍ମାନ କମ୍ପାନି ‘କ୍ୟୁଅରଭ୍ୟାକ୍’ ମଧ୍ୟ ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ଏକ ଟେଲି କନଫରେନ୍ସରେ ଯୋଗ ଦେଇ ବିଶ୍ବର ପାଞ୍ଚଟି ବୃହତ୍ତମ ଫାର୍ମାସ୍ୟୁଟିକାଲ୍ କମ୍ପାନିର ପରିଚାଳକମାନେ କହିଛନ୍ତି ଯେ ଏକ ସଫଳ ପ୍ରତିଷେଧକ-ଟିକା କିମ୍ବା ଆଣ୍ଟିଭାଇରାଲ୍ ଉଦ୍ଭାବିତ ହେବା ପରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଉପଲବ୍ଧ କ୍ଷମତାକୁ ପରସ୍ପର ମଧ୍ୟରେ ବାଣ୍ଟି ସେମାନେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏ ସଫଳତାର ସମ୍ଭାବନା ଦୃଢ଼ କରିବା ପାଇଁ ସେମାନେ ଯଥେଷ୍ଟ ପରୀକ୍ଷା-ନିରୀକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି। ଏବଂ ତା ସହିତ ଯଥାଶୀଘ୍ର ଉତ୍ପାଦନ ଆରମ୍ଭ ସକାେଶ ଅନୁମତି ଦେବା ପାଇଁ ଯୁକ୍ତି କରିଛନ୍ତି।
ସଫଳତା ପଥରେ ଅଛୁ ବୋଲି ପ୍ରତିଦିନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ପ୍ରତିଶ୍ରୁତି ଶୁଣିବାକୁ ମିଳୁଛି। ପ୍ରତିଷେଧକ-ଟିକା ଅତି କମରେ ୧୨ ରୁ ୧୮ ମାସ ଦୂରରେ ରହିଛି ବୋଲି ଉଭୟ ଆମେରିକୀୟ ବିଶେଷଜ୍ଞ ଏବ˚ ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନିର ମୁଖ୍ୟମାନେ କହନ୍ତି। ତେବେ ଏହି ରୋଗ କବଳରୁ ସମଗ୍ର ମାନବ ସମାଜ ତ୍ରାହି ତ୍ରାହି ଡାକ ଦେଉଥିବା ବେଳେ ବିଶ୍ବର ଆଗଧାଡ଼ିର ଶାସକ ଗୋଷ୍ଠୀ ଆପଣାର ବ୍ୟବସାୟିକ ସ୍ବାର୍ଥ ତଥା ଜାତୀୟତାବାଦୀ ଆଭିମୁଖ୍ୟ ଭୁଲି ମାନବିକତାର ପ୍ରଦର୍ଶନ କରିବେ ବୋଲି ଆଶା କରିବା ଉଚିତ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ତା, ଭୁବନେଶ୍ବର
ମୋ: ୯୪୩୭୧୬୪୬୧୧
[email protected]