ତଥାପି ଚେତିନୁ

ରାଜାରାମ ଶତପଥି

ଆଦାର ପୁନାୱାଲାଙ୍କୁ ପାଠକମାନେ ଜାଣିଥିବେ। କରୋନା ସମୟରେ ସେ ଚର୍ଚ୍ଚିତ ବ୍ୟକ୍ତି। ପୁଣେରେ ତାଙ୍କ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ’ ବିଶ୍ୱର ବୃହତ୍ତମ ଟିକା ଉତ୍ପାଦନକାରୀ ସଂସ୍ଥା। ମହାମାରୀର ତୁହାକୁ ତୁହା ଆକ୍ରମଣରେ ଦେଶ ଅଣନିଶ୍ୱାସୀ ହୋଇପଡ଼ିଥିଲା ବେଳେ କିଛି ମାସ ପୂର୍ବେ ସେରମ ସଂସ୍ଥା ଏହି ଭୟଙ୍କର ରୋଗକୁ ଅଟକେଇବାର ଅସ୍ତ୍ର କୋଭିସିଲ୍‌ଡ ନାମକ ଟିକା ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଲା ପରେ ଆମକୁ ଯମ ଦୁଆରରୁ ଫେରିଲା ଭଳି ଲାଗିଲା।

ପୁନାୱାଲାଙ୍କ ଚାରିଆଡ଼େ ପ୍ରଶଂସା। ଏବେ କିନ୍ତୁ ତାଙ୍କ ସମ୍ୱନ୍ଧରେ ଚର୍ଚ୍ଚା ଆଉ ଏକ କାରଣ ପାଇଁ। କରୋନାର ତୀବ୍ର ଦ୍ବିତୀୟ ଲହରିରେ ଲୋକେ ଭୟ ଓ ଆତଙ୍କରେ ଘରେ ଏକପ୍ରକାର ବାନ୍ଧି ହୋଇ କୋଭିସିଲ୍‌ଡ ଟିକାକୁ ଚାତକ ଭଳି ଅପେକ୍ଷା କରିଥିଲା ବେଳେ ପୁନାୱାଲା ପରିବାର ଧରି ଲଣ୍ଡନ ଚାଲି ଯାଇଛନ୍ତି। ପଚାରିବାରୁ କହିଲେ ଫେରିବେ କିନ୍ତୁ କେବେ ସେ ବିଷୟରେ ନିରବ। ଭାରତରେ ଏପର୍ଯ୍ୟନ୍ତ ଯେତେ କୋଭିଡ ଟିକା ଦିଆହୋଇଛି ସେଥିରୁ ପ୍ରାୟ ୯୦ ଭାଗ କୋଭିସିଲ୍‌ଡ। କେନ୍ଦ୍ର ସରକାର ନିକଟରେ ନିୟମକୁ କୋହଳ କରି ବିନା ବ୍ୟାଙ୍କ୍‌ ଗ୍ୟାରେଣ୍ଟିରେ ୩୦୦୦ କୋଟି ଟଙ୍କା ଅଗ୍ରିମ ଆକାରରେ ପୁନାୱାଲାଙ୍କ ସେରମ ସଂସ୍ଥାକୁ ଦେଇଛନ୍ତି। ଏହା ସତ୍ତ୍ୱେ ତାଙ୍କ ଅଚାନକ ବିଦେଶ ଗସ୍ତ ସମସ୍ତଙ୍କୁ ଚକିତ କରିଛି, ହଠାତ ଶୁଣିଲେ ଲାଗୁଛି ଆଗରୁ ସ୍କାମରେ ଜଡ଼ିତ ଅନେକ ଧୋବ ଧାଉଳିଆ ଲୋକ ବିଦେଶରେ ଲୁଚିବାକୁ ପଳେଇଲା ଭଳି ଇଏ ଆଉ ଏକ ଘଟଣା ନୁହେଁ ତ?

କିନ୍ତୁ ପୁନାୱାଲାଙ୍କ ଅଚାନକ ଅନ୍ତର୍ଦ୍ଧାନ କାହାଣୀର କଥାବସ୍ତୁ ଭିନ୍ନ, ସଂଳାପଗୁଡ଼ିକ ଆମରି କଥା, ଆମ ଆଚାର ବ୍ୟବହାରର ଅବିକଳ ପ୍ରତିଫଳନ। କରୋନା ଯୋଗୁଁ ବ୍ରିଟେନ ସରକାର ଭାରତରୁ ବିମାନ ଯାତ୍ରା ବନ୍ଦ କରିବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ପୁନାୱାଲା ଲଣ୍ଡନରେ ପହଞ୍ଚିବା ପରେ ମେଡିଆକୁ କହିଛନ୍ତି ନିଜ ଦେଶରେ ତାଙ୍କ ଜୀବନ ପ୍ରତି ବିପଦରୁ ବର୍ତ୍ତିବାକୁ ସେ ପରିବାର ସହ ଆସିଛନ୍ତି। ‘‘ଏଠାରେ ମୁଁ ଅଧିକ ସମୟ ରହିବି, ସେ (ଭାରତରେ) ସ୍ଥିତିକୁ ଫେରିବାକୁ ଚାହେଁ ନାହିଁ …ମୋତେ ଆକ୍ରମଣାତ୍ମକ (ଆଗ୍ରେସିଭ) କଲ୍‌ ଆସିଲା … ଦେଖିନେବେ କହିଲେ …ଧମକ କହିବା ହାଲକା ପରିପ୍ରକାଶ ହେବ’’। ଦୁର୍ଦ୍ଦିନରେ ଆମକୁ ସଂଜୀବନୀ ଦେଉଥିବା ବ୍ୟକ୍ତିଙ୍କ ଦୟନୀୟତା ପାଇଁ କିଏ ଦାୟୀ?

‘‘ସେମାନେ ସବୁ ପ୍ରଭାବଶାଳୀ ଲୋକ, କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ’’, ବୋଲି ସେ କାହାରି ନାଁ ନନେଇ କହିଛନ୍ତି। ‘‘ସମସ୍ତଙ୍କ ଦାବି ସେମାନଙ୍କୁ ଆଗେ ଟିକା ମିଳୁ, କେହି ବୁଝିବାକୁ ନାରାଜ ଯେ ତାଙ୍କ ଠାରୁ ଆଉ କାହାର ଆବଶ୍ୟକତା ଅଧିକ ହୋଇଥାଇପାରେ’’। ପୁନାୱାଲାଙ୍କ ବିସ୍ଫୋରକ ବୟାନ ଲଣ୍ଡନରେ ‘ଦି ଟାଇମ୍‌ସ’ ଦୈନିକ ସମ୍ବାଦପତ୍ର ଓ ଅନ୍ୟ ବିଦେଶୀ ମେଡିଆରେ ପ୍ରକାଶିତ ହୋଇଛି। କରୋନା ବେଳେ ଏଭଳି ଅପରିଣାମଦର୍ଶୀ କାଣ୍ଡ ସରକାର ଜାଣିବା ପରେ ପୁନାୱାଲାଙ୍କୁ ଜଗିବାକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଥିଲେ, କିନ୍ତୁ ତାଙ୍କର ବୋଧହୁଏ ସେତେବେଳକୁ ଆମ ଉପରେ ଭରସା ତୁଟି ଯାଇଥିଲା। ସେରମ ସଂସ୍ଥା ଇତିମଧ୍ୟରେ ଇଂଲଣ୍ଡରେ ଏକ ନୂଆ ଔଷଧ ତିଆରି କାରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ‘‘ଆପଣମାନେ ଖୁବ ଶୀଘ୍ର ଶୁଣିବେ’’, ବୋଲି ପୁନାୱାଲା କହିଛନ୍ତି।

ମହାମାରୀ ଭାରତରେ ନୂଆ ନୁହେଁ। ମୃତ୍ୟୁ ବି ଅସୁମାରି। ୧୮୮୬ରୁ ୧୯୧୪ ମଧ୍ୟରେ ପ୍ଲେଗ୍‌ରେ, ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦ ଲକ୍ଷ ଲୋକ ପ୍ରାଣ ହାରିଥିଲେ। ବର୍ଷ କେଇଟା ନପୂରୁଣୁ ଆସିଲା ‘ସ୍ପାନିସ୍‌ ଫ୍ଲୁ’ ବା ‘ବମ୍ବେ ଜର’। ପ୍ରଥମ ବିଶ୍ୱଯୁଦ୍ଧ ଫେରନ୍ତା ଭାରତୀୟ ସୈନ୍ୟଙ୍କୁ ଆଣିଥିବା ଜାହାଜ ମୁମ୍ବାଇ ବନ୍ଦରରେ ଜୁନ୍‌ ୧୮, ୧୯୨୮ରେ ପହଞ୍ଚିବା ମାତ୍ରେ ଫ୍ଲୁର ତାଣ୍ଡବ ଆରମ୍ଭ ହେଲା। ସୈନ୍ୟମାନେ ତାଙ୍କ ଘରକୁ ଯୁଆଡ଼େ ଗଲେ ସେଠି ଲୋକ ଆକ୍ରାନ୍ତ ହୋଇ ମଲେ। ପ୍ରଥମ ଅପେକ୍ଷା ସେପ୍ଟେମ୍ବର୍‌ରେ ଦ୍ବିତୀୟ ଲହରି ଥିଲା ଅଧିକ ଭୟଙ୍କର। ଇଂରେଜ ଶାସକମାନେ ଶାସିତଙ୍କ କଥା ବୁଝିବେ କ’ଣ ବରଂ ଜୀବନ ବଞ୍ଚେଇବାକୁ ଘରେ ଲୁଚିଲେ, କହିଲେ ଭାରତୀୟମାନେ ଅସନା; ସେଥିପାଇଁ ରୋଗ ବ୍ୟାପୁଛି।

ସେମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଇଲାକାରେ, ହିସାବ ଅନୁଯାୟୀ, ୧୭୦ରୁ ୧୮୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ସ୍ପାନିସ୍‌ ଫ୍ଲୁ ଅନ୍ୟ ଦେଶରେ ବି ହୋଇଥିଲା, କିନ୍ତୁ ଭାରତରେ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ, ଏପରିକି ବିଶ୍ୱ ଯୁଦ୍ଧରେ ଏତେ ଲୋକ ମରିନଥିଲେ, ଦେଶର ଜନସଂଖ୍ୟା ୬ ଭାଗ କମି ଯାଇଥିଲା। ୧୦୩ ବର୍ଷ ପରେ ପୁଣି ଏକ ମହାମାରୀ। ଅତୀତ ଓ ବର୍ତ୍ତମାନ ଭିତରେ ତୁଳନା କଲେ ସାମଞ୍ଜସ୍ୟ ବହୁତ : ରୋଗର ଉତ୍ପତ୍ତି (ବିଦେଶ), ଲକ୍ଷଣ (ଜ୍ବର, ନିଶ୍ୱାସ ନେବାରେ କଷ୍ଟ ଇତ୍ୟାଦି), ଆପାତ ନିରାକରଣ (ମୁହଁ ଢାଙ୍କିବା, ବାରମ୍ବାର ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା), ସଂକ୍ରମଣର ବେଗ, ଦୈନିକ ମୃତ୍ୟୁ ହାର, ଭୟ ପରିବେଶ ଏମିତି ଅନେକ। ତେବେ ସ୍ପାନିସ୍‌ ଫ୍ଲୁ, ପ୍ଲେଗ୍‌ ପ୍ରଭୃତି ମାନ୍ଧାତା ଅମଳର ଆତଙ୍କି ରୋଗ, ସେତେବେଳେ ଆଣ୍ଟିବାୟୋଟିକ ଉଦ୍ଭାବିତ ହୋଇନଥିଲା, ହସ୍‌ପିଟାଲ ସାଧାରଣ ଜନତାଙ୍କ ପାଇଁ ଥିଲା ସ୍ବପ୍ନ, ଯଥେଷ୍ଟ ସଂଖ୍ୟକ ଡାକ୍ତର ନଥିଲେ, ଅନେକ ଯୁଦ୍ଧ କ୍ଷେତ୍ରକୁ ଆହତ ସୈନ୍ୟଙ୍କ ଚିକିତ୍ସା ପାଇଁ ଯାଇଥିଲେ। ସେତିକି ନୁହେଁ, ବିଦେଶୀଙ୍କ ପ୍ରତି ଲୋକେ ଏତେ ବିମୁଖ ଥିଲେ ଯେ ଜଡ଼ିବୁଟି ଖାଇ ଜୀବନକୁ ଭାଗ୍ୟ ଉପରେ ଛାଡ଼ି ଦେଉଥିଲେ ପଛେ ପାଶ୍ଚାତ୍ୟ ଔଷଧକୁ ଛୁଉଁ ନଥିଲେ। କରୋନା କିନ୍ତୁ ପହଞ୍ଚିବା ବେଳକୁ ଦୁନିଆ କାହିଁ କେତେ ବଦଳି ଯାଇଛି।

ଏବେ ଆଧୁନିକ ଯୁଗ, ଗରିବଙ୍କ ଠାରୁ ଧନୀ ସମସ୍ତଙ୍କ ଚାହିଦାକୁ ଚାହିଁ ହସ୍‌ପିଟାଲ, ଫୋନ୍‌ କଲେ ଆମ୍ବୁଲାନ୍‌ସ ଘର ଦୁଆର ମୁହଁରେ ହାଜର, ଔଷଧର ଅଭାବ ନାହିଁ, ମହାମାରୀ ଆରମ୍ଭର ମାସ କେଇଟାରେ ଅନେକ ଟିକା ପ୍ରସ୍ତୁତ। ତା’ହେଲେ ବୁଝିବାକୁ ହେବ କରୋନା ବେଶୀ ଦିନ ବଞ୍ଚି ପାରିବନି। କିନ୍ତୁ ବାସ୍ତବ ସ୍ଥିତି କିଛି ଅଲଗା ସୂଚନା ଦିଏ। ସ୍ପାନିସ୍‌ ଫ୍ଲୁ ପ୍ରାୟ ୧୫ ମାସ ରହିଥିଲା। ଜନ୍ମ ମାଟି ଚୀନ୍‌ର ସରକାରଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ, ତା’ହେଲେ କରୋନା ବ୍ୟାପିବାର ୧୭ ମାସ ହେଲାଣି, ଥମିବାର ନାଁ ନେଉନାହିଁ। ଯେଉଁ ରାସ୍ତାରେ ସୋରିଷ ପକେଇବାକୁ ଜାଗା ନଥିଲା ସେଠି କାଁ ଭାଁ ବୁଲା କୁକୁର ବ୍ୟତୀତ କାହାରିକୁ ଦେଖିବାକୁ ମିଳୁନି, ରୋଜଗାରର ସବୁ ପନ୍ଥା ବନ୍ଦ, ଦୋକାନ, ବଜାର ସବୁଠି ତାଲା, ରାତି ପାହିଲେ କାହାର କ’ଣ ହେବ ଭାବି ସମସ୍ତେ ବିଷାଦଗ୍ରସ୍ତ। ଏ ଯୁଗରେ କାହିଁକି ଏଭଳି ପରିସ୍ଥିତି? ଆଶା ଆକାଂକ୍ଷାର ସନ୍ଧିକ୍ଷଣରେ ଆମେ କେଉଁଠି ଭୁଲ୍‌ କରିଚାଲିଛେ ନିଶ୍ଚୟ, ନହେଲେ ଆଧୁନିକ ଚିକିତ୍ସାକୁ କରୋନା ଏମିତି ଅକାମି କରିପାରୁନଥାନ୍ତା ଯେ ଜୁଇରୁ ନିଆଁ ଲିଭୁନି। କଥାରେ ଅଛି ଅତୀତ ଭବିଷ୍ୟତକୁ ବାଟ କଢ଼ାଏ, ଇତିହାସର ପ୍ରତ୍ୟେକଟି ଅଭିଜ୍ଞତା ପର ପିଢ଼ି ପାଇଁ ଅମୂଲ୍ୟ ବାଣୀ।

ସ୍ପାନିସ୍‌ ଫ୍ଲୁରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୃତ୍ୟୁ ଥିଲା ଅଧିକ, କାରଣ ଯଥେଷ୍ଟ ଆଲୁଅ, ପବନ ପଶୁନଥିବା ଛୋଟ ଘର ଭିତରେ ପରିବାରର ସମସ୍ତଙ୍କ ଖାଇବା ଠାରୁ ସେବା ଶୁଶ୍ରୁଷା ଭାର ସମ୍ଭାଳିବା ପରେ ସେମାନଙ୍କ ଅବସ୍ଥା ବୁଝିବାକୁ କେହି ନଥିଲେ। ଗାଁରେ ବୟସ୍କ ଲୋକେ ହଜିଲା ଦିନକୁ ମନେ ପକାଇ କହନ୍ତି ହଇଜା ବେଳେ ସାହି ଭାଇ ଶବକୁ କାନ୍ଧ ଦେଉଥିଲେ ଏବଂ ଶ୍ମଶାନରୁ ଫେରିଲା ପରେ ଅନେକ ନିଜେ ଶବ ହେଉଥିଲେ। ଇଂରେଜ ସରକାରଙ୍କ ନିଜ ରିପୋର୍ଟ ଅନୁଯାୟୀ ସ୍ପାନିସ୍‌ ଫ୍ଲୁ ବିପଦରେ ଗରିବଙ୍କୁ ସାହାଯ୍ୟ କରିବାକୁ ଶିକ୍ଷିତ ଓ ସୁସ୍ଥ ଲୋକମାନେ ଯେଭଳି ସଂଖ୍ୟାରେ ଆଗେଇ ଆସିଥିଲେ, ତା’ର ଉଦାହରଣ ‘ଭାରତ ଇତିହାସରେ ବିରଳ’। କରୋନା ସମୟରେ, ଆଶ୍ଚର୍ଯ୍ୟ ଲାଗିପାରେ, ଏଭଳି ମଣିଷପଣିଆର ନାମମାତ୍ର ଉଦାହରଣ ଦେଖିବାକୁ ମିଳୁଛି, ରୋଗର ଆଭାସ ମିଳିବା ମାତ୍ରେ ପରିବାର ଲୋକେ ଦୂରେଇ ଯାଉଥିଲା ବେଳେ ପଡିଶା, ବନ୍ଧୁବାନ୍ଧବଙ୍କ କଥା ବଖାଣିବା ନିଷ୍ପ୍ରୟୋଜନ, ବିକଳରେ କିଏ ସାଇକେଲରେ ଆଉ କିଏ କାନ୍ଧରେ ବୋହି ଶବ ଆଣୁଛି, ଆହା କହିବା ତ ଦୂରର କଥା ରାସ୍ତାରେ ଛଟପଟ ହେଉଥିଲେ ବି ପାଖକୁ ଆସି ପାଣି ମୁନ୍ଦେ ଦେବାକୁ ଲୋକେ କୁଣ୍ଠାବୋଧ କରୁଛନ୍ତି; ଔଷଧ, ଅକ୍ସିଜେନ ସବୁଠି କଳାବଜାର, ମୁହଁରୁ ଯାହା ବାହାରିଲା ନଦେଲେ ଆମ୍ବୁଲାନ୍‌ସ ଘୁଞ୍ଚିବାକୁ ନାରାଜ, ଅନ୍ୟକୁ ଶୋଷିବାକୁ ମହାମାରୀ ଯେମିତି ଏକ ସୁଯୋଗ ସୃଷ୍ଟି କରିଛି। ପୁନାୱାଲାଙ୍କ ପଳାୟନ ସାମାଜିକ ଅବକ୍ଷୟର ଆଉ ଏକ ନମୁନା।

କଥାରେ ଅଛି ଚିନ୍ତା ଖାଏ ଗଣ୍ଡି। ମହାମାରୀରେ ଏହାର ପ୍ରାସଙ୍ଗିକତା ସବୁଠୁ ଅଧିକ। ତୈତ୍ରେୟ ଉପନିଷଦରେ ମାନସିକ ଚାପ ରୋଗର କାରଣ ବୋଲି ଦର୍ଶାଯାଇଛି। ‘ବିନା ଚିନ୍ତାରେ ଘରେ ଶୋଇବା’ ସ୍ପାନିସ୍‌ ଫ୍ଲୁ ଉପଶମର ‘ମୁଖ୍ୟ ଉପାୟ’ ବୋଲି ସେ ସମୟରେ ‘ଟାଇମ୍‌ସ ଅଫ ଇଣ୍ଡିଆ’ ସମ୍ବାଦପତ୍ରରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କରୋନା ମହାମାରୀ ଦେଖାଯିବା ପରେ ଆମେରିକାରେ ଅନେକ ଗବେଷକ ମେଡିଆରେ ପ୍ରକାଶିତ ହେଉଥିବା ଚାଞ୍ଚଲ୍ୟକର ଖବରରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରକୃତ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ମେଡିଆର କର୍ତ୍ତବ୍ୟ। କିନ୍ତୁ ଫଟୋ ବା ଘଟଣା ବର୍ଣ୍ଣନାର ମାତ୍ରା ଆବଶ୍ୟକତାଠାରୁ ଅଧିକ ହେଲେ ଲୋକଙ୍କ ମନରେ ବିଶେଷତଃ ବର୍ତ୍ତମାନର ସଙ୍କଟ ସମୟରେ କେବଳ ଭୟ ଓ ଆତଙ୍କ ସୃଷ୍ଟି କରେ।

ମହାମାରୀର ମୁକାବିଲା ସାମରିକ ଯୁଦ୍ଧ ସହ ସମାନ, ଏକ ମନ ପ୍ରାଣରେ ଲଢ଼ିଲେ ସମ୍ବଳ ଯେତେ ସୀମିତ ହେଲେ ବି ବିଜୟ ସମ୍ଭବ। କିନ୍ତୁ ଆମେ କରୋନା ବଦଳରେ ପରସ୍ପରର ଦୋଷ ଖୁଣ୍ଟି ନିଜ ଭିତରେ ଲଢ଼େଇରେ ବ୍ୟସ୍ତ। ଆରୋପର ଅନ୍ତ ନାହିଁ, ଭାରତକୁ କରୋନା କାହିଁକି ଆସିଲା, କାହିଁକି ଫେରିଲା ଠାରୁ ଆରମ୍ଭ କରି ଲକ୍‌ଡାଉନ୍‌, ଶ୍ରମିକଙ୍କ ଘର ବାହୁଡ଼ା, ଅମାନିଆଙ୍କ ଭିଡ଼, ଅକ୍ସିଜେନର ଅଭାବ, ଅକ୍ଟୋବର ମାସରୁ ୧୬୦ରୁ ଅଧିକ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଟଙ୍କା ମଂଜୁର ସତ୍ତ୍ବେ କାର୍ଯ୍ୟକାରୀ କରିବାରେ ରାଜ୍ୟମାନଙ୍କ ବିଫଳତା, ଧାର୍ମିକ ସମ୍ମିଳନୀ, କୁମ୍ଭମେଳା, ୫ଟି ବିଧାନସଭା ନିର୍ବାଚନରେ ରାଜନୈତିକ ଦଳଙ୍କ ରାଲି ଇତ୍ୟାଦି। ଯେଉଁମାନେ କେନ୍ଦ୍ର ସରକାର ଟିକା ବାଣ୍ଟିବାକୁ ସଂଘୀୟ ଅଧିକାରରେ ହସ୍ତକ୍ଷେପ ବୋଲି କହୁଥିଲେ, ସେହିମାନେ ଏବେ ରାଜ୍ୟମାନଙ୍କୁ ଟିକା କିଣିବା ଦାୟିତ୍ୱ ଦେବା ଉଚିତ ନିଷ୍ପତ୍ତି ନୁହେଁ ବୋଲି ସ୍ୱର ବଦଳେଇ କହୁଛନ୍ତି। ସବୁ ସମସ୍ୟା ପାଇଁ କେନ୍ଦ୍ର ଦାୟୀ, ସାମ୍ବିଧାନିକ ପଦ ମର୍ଯ୍ୟାଦା ଭୁଲି କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ ମିଟିଂର ସିଧା ପ୍ରସାରଣ କଲେଣି ତ ଝାଡ଼ଖଣ୍ଡର ହେମନ୍ତ ସୋରେନ ମୋଦୀଙ୍କ ସହ ଆଲୋଚନା ପରେ ଅଶାଳୀନ ମନ୍ତବ୍ୟ ଦେଲେଣି। ରାହୁଲ ଗାନ୍ଧୀଙ୍କ ଟୁଇଟର ବର୍ଷାରେ ବିରାମ ନାହିଁ। ସ୍ଥିତି କ’ଣ? ବିଦେଶୀ ରାଷ୍ଟ୍ରରେ, ସେଠି ବି ଗଣତନ୍ତ୍ର ଅଛି, ବିରୋଧୀ ଓ ଶାସକ ନେତାମାନେ ହାତ ମିଳେଇ କରୋନାକୁ କାବୁ କଲାବେଳେ ଭାରତରେ କୋଳାହଳର ବାତ୍ୟା। ବହୁ ଲୋକରେ ମୂଷା ମରେନି। ରଣନୀତି ସେଇୟା କହେ, ସେନାପତି ଜଣେ ହେବେ।

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର