ଅଦୃଶ୍ୟ ଶକ୍ତି ହାତରେ ଆମର ଭାଗ୍ୟ

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଦେଶ ସାରା ଆତଙ୍କ ଓ ଭୟର ବାତାବରଣ। ବାପାମା’ଙ୍କ ଆଗରେ ପିଲାମାନେ ଆଖି ବୁଜୁଛନ୍ତି। କିଏ ବାପାମାଙ୍କୁ ହରାଉଛି, ତ କିଏ ଭାଇଭଉଣୀଙ୍କୁ। ସ୍ବାମୀ ଆଗରେ ସ୍ତ୍ରୀ ଆଖି ବୁଜୁଛି ତ ଅନେକ ମହିଳାଙ୍କର ସିନ୍ଦୂର ଲିଭିଯାଉଛି। କରୋନା ଯୋଗୁଁ ଏଭଳି କରୁଣ ଓ ହୃଦୟବିଦାରକ ଦୃଶ୍ୟ ଏବେ ସବୁ ଦିନ ବିଭିନ୍ନ ସ୍ଥାନରେ ଦେଖିବାକୁ  ମିଳୁଛି। ଦିନକୁ ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ମେଡିକାଲରେ ବେଡ୍ ନାହିଁ, ତ କେଉଁଁଠି ଉପଯୁକ୍ତ ଚିକିତ୍ସାର ସୁବିଧା ମିଳୁନି। ଛଟପଟ ହୋଇ ଦିନକୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ମରଶରୀରକୁ ବି ସମ୍ମାନ ମିଳୁନି। ଶ୍ମଶାନ/କବରସ୍ଥାନରେ ସ୍ଥାନ ନାହିଁ। ନଦୀରେ ଭସାଇ ଦିଆଯାଉଛି ଶବ। ଅସହାୟ ଅବସ୍ଥା। ଏଭଳି ଅବ୍ୟବସ୍ଥା ଆଧୁନିକ ଭାରତରେ କେବେ ବି ଦେଖିବାକୁ ମିଳିନଥିଲା। ଲାଗୁଛି ଯେମିତି ଆମର ଭାଗ୍ୟକୁ ଏବେ ଅଦୃଶ୍ୟ ଶକ୍ତି ହାତ‌େର ସମର୍ପିତ କରିଦିଆଯାଇଛି।

ଏଭଳି ପରିସ୍ଥିତିରେ ଲୋକମାନେ ବଞ୍ଚିବାକୁ ସଂଗ୍ରାମ କରୁଥିବା ବେଳେ ଦୁର୍ନୀତିଖୋର ଓ ଅପରାଧୀ ସକ୍ରିୟ ହୋଇପଡ଼ିଛନ୍ତି। କେତେକ ରାଜ୍ୟରୁ ଏସଂପର୍କ‌େର ଯେଉଁ ଖବର ମିଳୁଛି ତାହା ଛାତି ଥରାଇଦେବା ଭଳି। ଅକ୍ସିଜେନ୍ ସିଲିଣ୍ଡର ପାଇଁ କଳାବଜାରି ହେଉଛି। ଏକ ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନିଜର ବାପାଙ୍କୁ ବଞ୍ଚାଇବା ଲାଗି ଜଣେ ମହିଳା ତାଙ୍କର ପଡ଼ୋଶୀଙ୍କଠାରୁ ଅକ୍ସିଜେନ୍ ସିଲିଣ୍ଡରର ସହାୟତା ଲୋଡ଼ିଥିଲେ। କିନ୍ତୁ ଏହା ବଦଳରେ ସେହି ପଡ଼ୋଶୀ ଜଣକ ମହିଳାଙ୍କୁ ଅନୈତିକ ସଂପର୍କ ପାଇଁ ବାଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ଔଷଧର କଳାବଜାରି ସହିତ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ ମଧ୍ୟ ସବୁ ସୀମା ଲଂଘନ କରିଛି। କରୋନା ‌ରୋଗୀ ଏବଂ ଶବ ବୋହିବା ଲାଗି କେତେକ ସ୍ଥାନରେ ସେମାନେ ଲକ୍ଷାଧିକ ଟଙ୍କା ଦାବି କରୁଥିବାର ମଧ୍ୟ ଖବର ମିଳୁଛି।

ଏଭଳି ଅବ୍ୟବସ୍ଥା ଭିତରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଦେବଦୂତ ରୂପରେ କିଛି ମଣିଷ। କିନ୍ତୁ ସେମାନଙ୍କୁ ପ୍ରଶାସନ ଧମକାଉଛି। ଗୋଡ଼ାଇ ଗୋଡ଼ାଇ ଗିରଫ କରୁଛି।

ହସପିଟାଲରେ ବେଡ୍ ଓ ସିଲିଣ୍ଡରର ଅଭାବ ନେଇ ଉତ୍ତର ପ୍ରଦେଶରେ ସ୍ବର ଉଠିବାରୁ ରାଜ୍ୟ ସରକାର କଣ୍ଠରୋଧ କରିବାକୁ ଅାଗେଇ ଆସିଲେ। ଏଭଳି ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା କରିବାକୁ ଧମକ ଦେଲେ। କରୋନାକୁ ନେଇ ଏବେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଉଥିବା ଲୋକଙ୍କୁ ଗୋଡାଇ ଗୋଡ଼ାଇ ଗିରଫ କରୁଛି ଦିଲ୍ଳୀ ପୋଲିସ। ବିପଦ ବେଳେ ଲୋକଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସହାୟତା ପହଞ୍ଚାଉଥିବା ଜଣେ ଯୁବ ନେତାଙ୍କୁ ମଧ୍ୟ ଧମକାଉଛି ଦିଲ୍ଲୀ ପୋଲିସ। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ‌େର ତାଙ୍କୁ ପଚରାଉଚରା କରୁଛି।

ଏକ୍ଷେତ୍ରରେ ଅମଣିଷପଣିଆର ସବୁ ସୀମା ଅତିକ୍ରମ କରିଯାଇଛି ବିହାରରେ ନୀତୀଶ କୁମାରଙ୍କ ସରକାର। ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ସହାୟତା କରୁଥିବା ପପ୍ପୁ ଯାଦବଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହେଲା‌ ‌େଯ ‌େକାଭିଡ ନିୟମ ଉଲ୍ଳଂଘନ କରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଥିଲେ। ତାଙ୍କୁ ଏହି ଅଭିଯୋଗରେ ପ୍ରଥମେ ଗିରଫ କରାଗଲା। କିନ୍ତୁ କାଳେ ଜାମିନ ମିଳିଯିବ, ତେଣୁ ତାଙ୍କୁ ୩୨ ବର୍ଷର ଏକ ପୁରୁଣା ମାମଲାରେ ଛନ୍ଦି ଦିଆଗଲା। ‌ଅସହାୟ ରୋଗୀମାନଙ୍କୁ ସାହାଯ୍ୟ କରୁଥିବା ଏହି ନେତା ଏବେ ଜେଲ ଭିତରେ।

ବର୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ କିଏ ଦାୟୀ? ଲାଗୁଛି ଗତବର୍ଷ କରୋନାକୁ ନେଇ ଯେଉଁ ଅବ୍ୟବସ୍ଥା ଦେଖାଦେଲା, ସେଥିରୁ ସରକାର କିଛି ଶିକ୍ଷା ଲାଭ କଲେନାହିଁ। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁଣି ଅବହେଳା କଲେ। ଯାହାର ପରିଣତି ଆମକୁ ଏବେ ଭୋଗିବାକୁ ପଡ଼ୁଛି। ମେଡିକାଲରେ ବେଡର ଅଭାବ। ଅକ୍ସିଜେନ ସିଲିଣ୍ଡର ମିଳିଲାନି। ଟିକାର ଅଭାବ, ଔଷଧ ମିଳୁନାହିଁ। ଚିକିତ୍ସା କରିନପାରି ଡାକ୍ତରମାନେ ଅସହାୟ ହୋଇ କାନ୍ଦୁଛନ୍ତି। ଏଭଳି ପରିସ୍ଥିିତି କିଏ କେବେ ଦେଖିଛି? ଅନାବଶ୍ୟକ କାମରେ ହଜାର ହଜାର କୋଟି ଟଙ୍କା ଖର୍ଚ କରୁଥିବା ସରକାର କରୋନା ସହାୟତା ପାଇଁ ଅନ୍ୟମାନଙ୍କ ଆଗରେ ହାତ ପତାଉଛି। ଏଭଳି ଅସହାୟ ଅବସ୍ଥା ଆଉ କେତେ ଦିନ ଦେଖିବାକୁ ମିଳିବ? କଣ ଏଥିରୁ ମୁକ୍ତି ମିଳିବ ନାହିଁ? ଏବେ ବି ସମୟ ଅଛି, ସରକାର ଆଖି ଓ ହୃଦୟ ଖୋଲନ୍ତୁ। ଦେଶର ଅସଲ ସମସ୍ୟାକୁ ହୃଦୟଙ୍ଗମ କରନ୍ତୁ। ମହାବିପଦରୁ ଦେଶବାସୀଙ୍କୁ ରକ୍ଷା କରିବା ଲାଗି ମିଳିତ ହୋଇ ଉଦ୍ୟମ କରନ୍ତୁ।

ସମ୍ବନ୍ଧିତ ଖବର