ଆଫଗାନିସ୍ତାନରୁ ଆମେରିକା ପଳାୟନ ନ କରୁ

କୁମାର ପ୍ରଶାନ୍ତ

ଅନ୍ତର୍ଜାତୀୟ ରାଜନୀତି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଯେଉଁ ଭଳି ଘେରରେ ଅଛି, ପୂର୍ବରୁ କେବେ ଏ ଭଳି ଅବସ୍ଥା ହୋଇ ନ ଥିଲା। ଏଥିରୁ ମୁକୁଳିବା ପାଇଁ ରାଷ୍ଟ୍ରପତି ବାଇଡେନ୍‌ ଯେଉଁ ବି ଚାଲ ଖେଳିବାକୁ ଚିନ୍ତା କରୁଛନ୍ତି, ଆଗରେ ସିଧା ପରାଜୟ ଦୃଶ୍ୟ ହେଉଛି। ଶକ୍ତିର ସତରଞ୍ଜରେ ଉପାୟହୀନ ଆମେରିକା! ରାଷ୍ଟ୍ରପତି ବାଇଡେନ୍‌ଙ୍କର ନିର୍ବାଚନୀ ସ୍ଲୋଗାନ୍‌ ଥିଲା- ଫେରୁଛି ଆମେରିକା। ସେ ଏହା କହିବାକୁ ଚାହୁଁଥିଲେ, ଆମେରିକାକୁ ଟ୍ର˚ପ୍‌ ଯେଉଁ ଖାତରେ ପକାଇଛନ୍ତି, ସେଠାରୁ ତାହାକୁ ବାହାରକରି ପୁନର୍ବାର ବିଶ୍ବ ର˚ଗମ˚ଚରେ ସ୍ଥାପିତ କରିବେ। ନିର୍ବାଚନୀ ସ୍ଲୋଗାନ୍‌ ତ ବେଶ୍‌ ବଢ଼ିଆ ଥିଲା; ତେବେ, ଏହାକୁ କାର୍ଯ୍ୟକାରୀ କରିବା, ଏତେ କଷ୍ଟକର ହେବ ବୋଲି ବାଇଡେନ୍‌ଙ୍କର ସ˚ବଭତଃ ଧାରଣା ନ ଥିଲା।

ଆଜି ଆଫଗାନିସ୍ତାନ, ତାଙ୍କୁ ଏହି କଠୋର ବାସ୍ତବତା ସହ ପରିଚିତ କରାଉଛି। ଏବେ ଏବେ ସେ ଘୋଷଣା କରିଛନ୍ତି, ୧୧ ସେପ୍‌ଟେମ୍ବର‌୍‌ ୨୦୨୧ ସୁଦ୍ଧା ଆଫଗାନିସ୍ତାନରେ ଅବସ୍ଥାପିତ ମାର୍କିନ୍‌ ସେନା ସ˚ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯିବ। ପ୍ରଭୁ ବନିବା ଓ ବନିରହିବାର ଆମେରିକାର ଏହି ବିଦେଶ ନୀତିର ପ୍ରାରମ୍ଭ ବତିଶ ବର୍ଷ ତଳର ଘଟନା। ୧୯୭୮ରେ ଆଫଗାନିସ୍ତାନର ଆମେରିକା ସମର୍ଥିତ କାଠପୁତୁଳି ଦାଉଦ ଖାନ ସରକାରର ଅନ୍ତ ଘଟିଥିଲା ଏବ˚ କ୍ଷମତା ଦଖଲ କରିଥିଲେ ବାମପନ୍ଥୀ ଯୋଦ୍ଧା ନୂର ମୁହମ୍ମଦ। ତାହା ପରଠାରୁ ଆଫଗାନିସ୍ତାନ ରାଜନୀତି, ଆମେରିକା ଉପରେ ଏକ ବୋଝ ହୋଇରହିଛି। ଦାଉଦ ସରକାରର ପତନ ପରେ ସ୍ଥାପିତ ନୂଆ ସରକାରକୁ ସୁରକ୍ଷା ଦେବା ଆଳରେ ସୋଭିଏତ୍‌ ରୁଷିଆ, ସେହି ଦେଶରେ ପ୍ରବେଶ କରିଥିଲା। ଆଫଗାନିସ୍ତାନରେ ରୁଷୀୟ ସେନାର ପ୍ରବେଶକୁ ଆମେରିକା ବା ବରଦାସ୍ତ କରନ୍ତା କିପରି! ଏହା ଦୁର୍ଦ୍ଧ‌ର୍ଷ ଆଫଗାନୀ ସଂପ୍ରଦାୟ (କବିଲା)ଗୁଡ଼ିକୁ ଉସୁକାଇ ସରକାର ତଥା ସୋଭିଏତ୍‌ ବିରୋଧୀ କରିବା ଆରମ୍ଭ କଲା। ଫଳ ସ୍ବରୂପ ସରକାର ତଥା ସରକାରର ସହାୟକମାନଙ୍କ ପାଇଁ ସମସ୍ୟା ବଢ଼ିଲା। ମାମଲା ଶୀଘ୍ର ବିଗିଡ଼ି ଭୟଙ୍କର ରୂପ ଧାରଣ କଲା। ଗୋଟି ହାତରୁ ଖସିଯାଉଥିବା ଦେଖି ୨୪ ଡିସେମ୍ବର‌୍‌ ୧୯୭୯ ରାତିରେ ସୋଭିଏତ୍‌ ସେନାର ତିରିଶ ହଜାର ସୈନିକ ଆଫଗାନିସ୍ତାନକୁ ଦଖଲ କରିନେଲା। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏହା ହଫିଜୁଲ୍ଲା ଅମୀନ ସରକାରକୁ ବରଖାସ୍ତ କରି, ବବରାକ କର୍ମାଲଙ୍କୁ ଗାଦିସୀନ କଲା। ପୂର୍ବରୁ ଆମେରିକା କାଠପୁତୁଳି ନଚାଉଥିଲା। ସେହି କାମ ରୁଷୀୟମାନେ କଲେ। କିନ୍ତୁ, ଯେତେ ନଚାଅ, କାଠପୁତୁଳି, କାଠପୁତୁଳି ହିଁ ରହିବ; ଭାରତନାଟ୍ୟମର ଗୁରୁ ତ ଆଉ ବନିଯିବନାହିଁ!

୧୯୮୯ ପର୍ଯ୍ୟନ୍ତ ସୋଭିଏତ୍‌ ରୁଷିଆ କାଠପୁତୁଳି ନଚାଇପାରିଲା। ଆମେରିକା ଧନ ଓ ଛଳର ଖେଳ ଆରମ୍ଭ କରିବା ପରେ ଏହା ପକ୍ଷେ ତିଷ୍ଠିରହିବା ଅସମ୍ଭବ ହୋଇପଡ଼ିଲା। ଇସଲାମୀୟ କଠୋରପନ୍ଥୀ, ଧର୍ମାନ୍ଧ ଓ ରକ୍ତପିପାସୁୁ ଆଫଗାନୀ ସଂପ୍ରଦାୟଗୁଡ଼ିକ ଆମେରିକା ସାହାଯ୍ୟରେ ଅତି ମାତ୍ରାରେ ସକ୍ରିୟ ଏବ˚ ଭୟଙ୍କର ହୋଇଉଠିଲେ। ମୁଜାହିଦ୍ଦିନ ଗୋଷ୍ଠୀଗୁଡ଼ିକ ସ˚ଗଠିତ ହୋଇ ସୋଭିଏତ୍‌ ରୁଷିଆକୁ କ୍ରମାଗତ ଭାବେ ଅସହାୟ କରିଚାଲିଲେ। ଆମେରିକା ଇସରାରେ ମୁଜାହିଦ୍ଦିନମାନଙ୍କୁ ପରିଚାଳିତ କଲା ପାକିସ୍ତାନ। ସୋଭିଏତ୍‌ ସେନା ବ୍ୟାପକ କ୍ଷୟ-କ୍ଷତି ସହିବା ସହ ପରାଜିତ ହେଲା ଏବ˚ ଆଫଗାନିସ୍ତାନ ଛାଡ଼ିବାକୁ ବାଧ୍ୟ ହେଲା। ତାହା ପରେ ଆଉ ମୁହଁ ଦେଖାଇଲାନାହିଁ। ଆମେରିକା ଦ୍ବିତୀୟ ଥର ପାଇଁ କାଠପୁତୁଳି ନାଚ ଆରମ୍ଭ କଲା। ତେବେ, ଏତେ ବେଳକୁ ଲମ୍ବା ଅଭିଜ୍ଞତା ସହ ଦୁର୍ଦ୍ଧର୍ଷ ଆଫଗାନୀମାନେ ଚଲାଖ ହୋଇଯାଇଥିଲେ। ସେମାନେ ଆଉ ଆମେରିକା ହାତରେ ନାଚିବାକୁ ଚାହିଁଲେନାହିଁ। ସେମାନେ ନଚାଇବା ବି ଶିଖିଯାଇଥିଲେ। ଅଲ କାଏଦା ଓ ତାଲିବାନର ଛତ୍ରଛାୟା ତଳେ କ୍ଷୁଦ୍ର ଆଫଗାନୀ ଗୋଷ୍ଠୀଗୁଡ଼ିକ ବେଶ୍‌ ସ˚ଗଠିତ ହେବାରୁ ଆମେରିକା ଅଧିକରୁ ଅଧିକ ସୈନିକ ମୁତୟନ ଆରମ୍ଭ କଲା; ଏବ˚ ଆରମ୍ଭ ହେଲା ଏ ଭଳି ଏକ ଭୟଙ୍କର ଯୁଦ୍ଧ, ଯେଉଁଥିରେ ଶବ ତ ଥିଲା; ହେଲେ, ଶବ ଗଣିବାବାଲା କେହି ନ ଥିଲେ।

ଆଫଗାନିସ୍ତାନରେ ନିଜର ଉପସ୍ଥିତିର ଔଚିତ୍ୟ ସ˚ପର୍କରେ ଆମେରିକା କହିଲା- ଆମେ ଆଫଗାନିସ୍ତାନକୁ ଏ ଭଳି ଏକ ସ୍ଥିିର ଓ ଲୋକତାନ୍ତ୍ରିକ ଦେଶରେ ପରିଣତ କରିବୁ, ଯେଉଁଠି ଅଲ କାଏଦା ଓ ତାଲିବାନ ରହିବେନାହିଁ ଏବ˚ ସରକାର ସ˚ପୂର୍ଣ୍ଣ ସ୍ବାଧୀନତାର ସହ କାମ କରିବ। ତେବେ, ଏହା କହୁଥିବା ବେଳେ ଆମେରିକା ଭୁଲିଯାଇଥିଲା, ଆଫଗାନିସ୍ତାନ ସରକାର, ତା’ ଚାପରୁ ମୁକ୍ତ ଭାବେ କାର୍ଯ୍ୟ କରିପାରିବ ତ! ଆଫଗାନିସ୍ତାନରେ ଦୈନିକ ମାର୍କିନ୍‌ ସୈନିକଙ୍କ ମରଣକୁ ଆଖି ବୁଜି ସହ୍ୟ କରିବା ଆମେରିକା ସମାଜ ପାଇଁ କ୍ରମଶଃ ଅସହ୍ୟ ହେଲା। ବିଦେଶୀ ମାଟିରେ, ୟୁନିଫର୍ମ‌୍‌ଧାରୀ ସେମାନଙ୍କ ପିଲା ମରିବେ, ଏହାକୁ ଅଣଦେଖା କରିବା ଅବସ୍ଥାରେ ଆଉ ମାର୍କିନ୍‌ ବାପା-ମାଆ ନ ଥିଲେ। ମାର୍କିନ୍‌ ଯୁବ ସୈନିକମାନଙ୍କର ଶବ, ଯୁଦ୍ଧ ଜନିତ ଆର୍ଥିକ ବୋଝ ଦିନକୁ ଦିନ ବଢ଼ିଚାଲିଲା। ଫଳରେ ସେନା ପ୍ରତ୍ୟାହାର ପାଇଁ ମାର୍କିନ୍‌ ସରକାର ବାଧ୍ୟ ହେଲା, ଯେପରି ଏକଦା ସୋଭିଏତ୍‌ ସରକାର ହୋଇଥିଲା। ଚକ୍ରବ୍ୟୂହରେ ପଶିବା ସହଜ; ହେଲେ ବାହାରିବା ଅତି କଠିନ- ଏହା ନିଜର ଜୀବନ ଦେଇ ଅଭିମନ୍ୟୁ ଜାଣିଥିଲେ; ଏବେ ଜୀବନ ଉପରେ ବିପଦ ଅଧିକ ଘନେଇଆସିବାରୁ ଆମେରିକା ବୁଝିଲା।

ବାଇଡେନ୍‌ ଆଫଗାନିସ୍ତାନରେ ମାର୍କିନ୍‌ ସେନାର ଉପସ୍ଥିତିର କଟୁ ସମାଲୋଚକ ରହିଆସିଛନ୍ତି। ତାଙ୍କ ଭାଷାରେ- ଏହା ଏକ ଅନ୍ତହୀନ ଯୁଦ୍ଧ। ଓବାମା ସରକାରରେ ସେ ଯେତେ ବେଳେ ଉପ-ରାଷ୍ଟ୍ରପତି ଥିଲେ, ଯେତେ ବେଳେ ବି ସୁଯୋଗ ମିଳୁଥିଲା, ଅଫଗାନିସ୍ତାନରୁ ମାର୍କିନ୍‌ ସେନା ଅପସାରଣ ସପକ୍ଷରେ ମତ ଦେଉଥିଲେ। ରାଷ୍ଟ୍ରପତି ଓବାମାଙ୍କ ସମର୍ଥନ ଓ ସ୍ବୀକୃତି ବିନା ସେ କେବେ ହେଲେ ଏହା କହିପାରି ନ ଥାଆନ୍ତେ। ଓବାମା ଚାହୁଁଥିଲେ, ଆଫଗାନିସ୍ତାନରୁ ମାର୍କିନ୍‌ ସେନା ଅପସାରଣର ଶ୍ରେୟ, ତାଙ୍କୁ ମିଳୁ; ତେବେ, ଏହାକୁ କାର୍ଯ୍ୟକାରୀ କରିବାରେ ସେ ସଫଳ ହୋଇପାରି ନ ଥିଲେ। ତାଙ୍କୁ ଯେ, ସୁଯୋଗ ମିଳି ନ ଥିଲା, ତାହା ମଧ୍ୟ ନୁହେଁ। ସବୁଠାରୁ ବଡ଼ ସୁଯୋଗ ମିଳିଥିଲା ୨୦୧୧ରେ, ଯେତେ ବେଳେ ମାର୍କିନ୍‌ କମା˚ଡୋମାନେ, ପାକିସ୍ତାନର ଅବଟ୍ଟାବାଦ ସହରରେ ପଶି, ଆତଙ୍କବାଦୀ ଓସାମା ବିନ ଲାଦେନଙ୍କୁ ହତ୍ୟା କରିବା ସହ ତାଙ୍କ ଶବକୁ ସମୁଦ୍ରରେ କବର ଦେଇ, ସ୍ବଦେଶକୁ ଫେରିଥିଲେ। ସେତେ ବେଳେ ଶ୍ବେତ ପ୍ରାସାଦର ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ବସି ଓବାମା ଉକ୍ତ ଦୃଶ୍ୟ ଜୀବନ୍ତ ଦେଖିଥିଲେ। ସେହି ମୁହୂର୍ତ୍ତରେ ସେ ଅବଶିଷ୍ଟ ବିଶ୍ବକୁ କହିପାରିଥାଆନ୍ତେ, ଆଫଗାନିସ୍ତାନରେ ଆମେରିକାର ଉପସ୍ଥିତିର ଅଧ୍ୟାୟ ପୂର୍ଣ୍ଣ ହେଲା ଏବ˚ ଏବେ ଆମେ ସେଠାରୁ ସେନା ପ୍ରତ୍ୟାହାର କରିନେବୁ। ଏହା ବିଜୟୀ ଆମେରିକାର ଏ ଭଳି ଏକ ନିର୍ଣ୍ଣୟ ହୋଇଥାଆନ୍ତା, ଯାହାକୁ ଆଫଗାନିସ୍ତାନ ସରକାର, ଅଲ କାଏଦା, ତାଲିବାନ ତଥା ଧୂର୍ତ୍ତ ପାକିସ୍ତାନ, ସମସ୍ତେ ମାନିନେଇଥାଆନ୍ତେ। ବିଜୟର ସ୍ବାଦ ଓ ବିଜୟର ସତ୍ୟ ଭିନ୍ନ ଭିନ୍ନ। ଓବାମା କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରି ନ ଥିଲେ। ବାରମ୍ବାର ସୁଯୋଗ ମିଳେନାହିଁ। ଓବାମା ସୁଯୋଗର ସଦ୍‌ବ୍ୟବହାର କରିପାରିଲେନାହିଁ ଏବ˚ ରିକ୍ତ ହସ୍ତରେ ତାଙ୍କୁ ବିଦାୟ ନେବାକୁ ପଡ଼ିଲା।

ଏବେ ବାଇଡେନ୍‌ ଆଫଗାନିସ୍ତାନରେ ଚାଲିଥିବା ‘ଅନ୍ତହୀନ ଯୁଦ୍ଧ’ର ଅନ୍ତ କରିବା, ତାଙ୍କର ନୈତିକ ଦାୟିତ୍ବ ବୋଲି ମାନୁଛନ୍ତି ତ ଏହା ସ୍ବାଭାବିକ। ସେ ଏବେ ନିଷ୍ପତ୍ତି ନେବା ଅବସ୍ଥାରେ ଅଛନ୍ତି ଏବ˚ ଯାହା ସପକ୍ଷରେ ଆଜି ପର୍ଯ୍ୟନ୍ତ କହିଆସିଛନ୍ତି, ତାହା କରିଦେଖାଇବା ପାଇଁ ମଧ୍ୟ ସେ ସକ୍ଷମ। ତେବେ, ରାଜନୀତିରେ ସତ୍ୟ ହେଉଛି, ଯାହା କହାଯିବ, ତାହା କରାଯାଇପାରିବ; ତେବେ, ଏହା ମଧ୍ୟ ଜରୁରୀ ନୁହେଁ। ଆଫଗାନିସ୍ତାନରୁ ମାର୍କିନ୍‌ ସେନାର ସ˚ପୂର୍ଣ୍ଣ ପ୍ରତ୍ୟାହାରର ଏବେ ଏକ ମାତ୍ର ଅର୍ଥ- ଏହାର ଭବିଷ୍ୟତ୍‌ ପୁଣି ଥରେ ଅନ୍ଧକାରାଚ୍ଛନ୍ନ ହୋଇଯିବ। ଭୟଙ୍କର ରକ୍ତାକ୍ତ ଗୃହଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇଯାଇପାରେ; ପାକିସ୍ତାନର ବୋଲକରା ଧର୍ମାନ୍ଧ ତାଲିବାନୀ ଗୋଷ୍ଠୀ ପୁଣି ଥରେ କ୍ଷମତା ଦଖଲ କରିପାରନ୍ତି। ଏହା ଘଟିଲେ, ମାର୍କିନ କୂଟନୀତି ଚରମ ଭାବେ ବିଫଳ ହେବ; ଏହାର ସେନା ଏକ ଅର୍ଥହୀନ ଯୁଦ୍ଧ ଲଢ଼ୁଥିବା ପ୍ରମାଣିତ ହୋଇଯିବ; ସର୍ବୋପରି ଏସିଆ ମହାଦେଶର ରାଜନୀତିରେ ଆମେରିକା ହସ୍ତକ୍ଷେପ କରି ପୁଣି ଥରେ ପରାଜିତ ହେବା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବ। ଏହା ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶ ପାଇଁ ନିଶ୍ଚିତ ଭାବେ ଲଜ୍ଜାକର।

ତେଣୁ, ୧୧ ସେପ୍‌ଟେମ୍ବର‌୍‌ ପୂର୍ବରୁ ଆଫଗାନିସ୍ତାନ ସମସ୍ୟାର କୂଟନୈତିକ ସମାଧାନ ପାଇଁ ଆମେରିକାକୁ ଏକ ସର୍ବଦଳୀୟ ଓ ସର୍ବପକ୍ଷୀୟ ବୈଠକ ଡାକିବାକୁ ହେବ। ସାମରିକ ବିଫଳତାକୁ କୂଟନୈତିକ ସଫଳତାରେ ପରିଣତ କରିବା ପାଇଁ ଏହା ଏକ ମାତ୍ର ପନ୍ଥା। ଏହା ବିଚିତ୍ର ଲାଗିପାରେ। ତେବେ, ଅନ୍ୟ କିଛି ବାଟ ନାହିଁ। ଆଫଗାନିସ୍ତାନରେ ଏବେ ବି ଥିବା ତିନି ହଜାର ମାର୍କିନ୍‌ ଓ ସାତ ହଜାର ‘ନାଟୋ’ ସୈନିକଙ୍କ ଉପସ୍ଥିତିରେ ସେଠାରେ ଏକ ମିଳିତ ସରକାର ଗଠନ କରାଯିବା ଏକାନ୍ତ ଆବଶ୍ୟକ। ଏ ଭଳି ଏକ ସରକାର ଦୁର୍ବଳ ହେଲେ ବି ଅନ୍ୟ ପନ୍ଥା ନାହିଁ। ଏହା ଏ ଭଳି ଏକ ରାଜନୈତିକ ପ୍ରକ୍ରିୟାକୁ ଜନ୍ମ ଦେବ, ଯାହା ସହ ଆଫଗାନୀ ସମାଜ ଆଜି ବି କମ୍‌ ପରିଚିତ। ଆଫଗାନିସ୍ତାନକୁ ଲୋକତନ୍ତ୍ରର ସ୍ବାଦ ଚାଖିବାକୁ ଦେବା ଜରୁରୀ।

ତାଲିବାନ ଏବେ ଯେଉଁ ଜୋର‌୍‌ଦାର ସ୍ଥିତିରେ ଅଛି, ସେଥିରେ ଏହା କରିବା, ଏତେ ସହଜ ନୁହେଁ। ତେବେ, ଶାନ୍ତି ଚାହୁଁଥିବା ସମସ୍ତ କ୍ଷୁଦ୍ର ଗୋଷ୍ଠୀଙ୍କୁ ଏକତ୍ର କରାଯାଇପାରେ। ସେମାନେ ଏକତ୍ର ହେଲେ ତାଲିବାନ ଦୁର୍ବଳ ହୋଇପାରେ। ଆମ ଦେଶ, ଆମେରିକାକୁ ସାହାଯ୍ୟ କରିବା ଦରକାର। ଆମେ ଆମେରିକା କୂଟନୀତିର ଅ˚ଶ ବନିଲେ, ପାକିସ୍ତାନ ପାଇଁ ଖୋଲା ମଇଦାନ ରହିବନାହିଁ। ସବୁଠାରୁ ବଡ଼ କଥା ହେଲା, ନିଜ ସମସ୍ୟାର ସମାଧାନ ପାଇଁ ଆଫଗାନୀମାନଙ୍କୁ ଯେତିକି ଅଧିକ ସୁଯୋଗ ଦିଆଯିବ, ସେମାନେ ସେତିକି ଅଧିକ ଶକ୍ତିଶାଳୀ ହେବେ ଏବ˚ କଠୋରପନ୍ଥୀ ଧର୍ମାନ୍ଧମାନେ ପଛକୁ ହଟିବେ। ସାଧାରଣ ନାଗରିକ ଭୟଭୀତ ଓ ନିରବ; ଏହାର ସୁଯୋଗ କଠୋରପନ୍ଥୀମାନେ ନେଉଛନ୍ତି। ବାଇଡେନ୍‌ ଏହା ବୁଝିବା ଦରକାର। ଲୋକତନ୍ତ୍ରର ସ˚ରକ୍ଷଣ ଓ ବିକାଶ ବଳପ୍ରୟୋଗ ଓ ବଡ଼ଭାଇଗିରି ଦ୍ବାରା ହୁଏନାହିଁ, କେବଳ ଭାଗୀଦାରି ଦ୍ବାରା ଏହା ସ˚ଭବ। ଆମେରିକା, ଆଫଗାନିସ୍ତାନ ଛାଡ଼ିବା ଦରକାର; ତେବେ, ପଳାୟନ କରିବା ଅନୁଚିତ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର