କହଇ କରୋନା କାନେ କାନେ

ବିଜୟ ନାୟକ

ଖଣ୍ତପ୍ରଳୟ ପରେ ଯେମିତି ଏବେ ମହାପ୍ରଳୟର ପାଳି।

ପୃଥିବୀର ତାପମାନ ଆଶଙ୍କାତୀତ ମାତ୍ରାରେ ବଢ଼ି ଚାଲିଛି। ତୁଷାର ତରଳିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଜଳପତ୍ତନ ବୃଦ୍ଧି ପାଉଛି। ଆଜିକାଲି ଆଉ ବନ୍ୟା-ବାତ୍ୟାର ଋତୁ ନାହିଁ। ସବୁ ଋତୁ ବିପର୍ଯ୍ୟୟର ଋତୁ। କାଟ୍ରିନା ଠାରୁ ତିତ୍‌ଲି ପୁଣି ଅ˚ଫାନ ଠାରୁ ୟାସ୍‌ ପର୍ଯ୍ୟନ୍ତ ପ୍ରଭଞ୍ଜନର କ୍ରୋଧରେ ଅସ୍ତବ୍ୟସ୍ତ ବିଶ୍ବ ଜନଜୀବନ। ନଦୀମାନେ କେତେବେଳେ ସ୍ଫୀତ ତ ଆଉ କେତେବେଳେ ଶୁଷ୍କ। ପୃଥିବୀରେ ବନ୍ୟାର ବିଭୀଷିକା ପୁଣି ମରୁଡ଼ିର ମଡ଼କ। ଏସବୁ ପ୍ରଳୟ ମୁଖ୍ୟତଃ ସ୍ଥାନୀୟ। ଆମ ପରିଭାଷାରେ ଖଣ୍ତ ପ୍ରଳୟ। କିନ୍ତୁ କରୋନା ଭୂତାଣୁ ଭୂମିଭୂଖଣ୍ତ ନିରପେକ୍ଷ। ପୃଥିବୀ ଏହାର ଚରା ଭୂଇଁ। ସଦ୍ୟତମ ଗ୍ଲୋବାଲାଇଜେସନ୍‌ର ଏହା ଉଦାର ଉଦାହରଣ। ବିଶ୍ବଗ୍ରାମ ବିଭୀଷିକାଗ୍ରସ୍ତ। କୁଟୁମ୍ବରୂପୀ ବସୁଧା ବିଦୀର୍ଣ୍ଣ।

ପ୍ରକୃତିର ଖର ଶ୍ବାସ ହିଁ ଝଡ଼। ବସୁନ୍ଧରାର ଅଶ୍ରୁର ଅନ୍ୟ ନାମ ବନ୍ୟା। ବ୍ରହ୍ମାଣ୍ତର କୋପର ନାମ ବୋଧହୁଏ କୋଭିଡ୍‌। ପ୍ରକୃତିର ଏ ରୋଷକୁ ବୁଝି ବି ବୁଝୁନାହିଁ ମଣିଷ। ‘ମଣିଷ ମଧ୍ୟେ ଦିବ୍ୟ ଜ୍ଞାନ, ଜାଣି ସନ୍ତୋଷ ଭଗବାନ’ ଏକ ପୁରୁଣାକାଳିଆ ପଦ୍ୟରେ ପରିଣତ ହୋଇସାରିଛି। ମଣିଷର ଦିବ୍ୟ ଜ୍ଞାନ ବୈଷୟିକ ଜ୍ଞାନ ଭାରରେ ମୂମୂର୍ଷୁ। ଭୋଗ ଭୟରେ ତ୍ୟାଗ ମୃତପ୍ରାୟ। ମଣିଷର ଲାଳସାର ପରିପୂରଣ ପାଇଁ ଜଳ, ସ୍ଥଳ, ବନ, ଗିରିର ବିପୁଳତା ନିଅଣ୍ଟ। ପଶୁପକ୍ଷୀ, କୀଟ, ତରୁଲତା- ସମସ୍ତଙ୍କୁ ଦାସାନୁଦାସ କରିଛି ମଣିଷ। ଯୁଗ ଯୁଗ ଧରି ପ୍ରକୃତି ମା’ ପରି ମଣିଷର ସବୁ ଅଳିଅର୍ଦ୍ଦଳି ସହି ଆସିଛି। କିନ୍ତୁ ସହିବାରେ ତ ଗୋଟେ ସୀମା ଥାଏ? ମା’ର ସହନଶୀଳତାକୁ ଦୁର୍ବଳତା ବୋଲି ମନେ କରିବା ମଣିଷର ମହା ଭୁଲ୍‌ ନୁହେଁ କି?

ପୃଥିବୀ ଗର୍ଭରେ ଥିବା ଖଣିଜ ସ˚ପଦ କ୍ରମେ ନିଃଶେଷ ହୋଇ ଆସୁଛି। ଆଉ ଦୁଇ ଶତାବ୍ଦୀ ପରେ ହୁଏତ ଶୂନ୍ୟଗର୍ଭା ହୋଇଯିବ ଧାତ୍ରୀ ଧରିତ୍ରୀ। ସରି ସରି ଆସୁଛି ଅମ୍ଳଜାନ। ବିଶ୍ବବ୍ୟାପୀ ବାୟୁ ପ୍ରଦୂଷଣ ତା’ର ହେତୁ। ସା˚ପ୍ରତିକ ବିଶ୍ବ ପ୍ରଦୂଷଣର ବିଶ୍ବ। ଏଠି ବାୟୁ କେବଳ ପ୍ରଦୂଷିତ ନୁହେଁ, ଜଳ ପ୍ରଦୂଷିତ, ଶବ୍ଦ ପ୍ରଦୂଷିତ, ନୀତିନିୟମ, ଆଚାରବିଚାର ପ୍ରଦୂଷିତ। ଅମ୍ଳଜାନ ସରିଯିବ ସିନା, ଜଳ କିନ୍ତୁ ପ୍ରଳୟ ରଚିବ। ମହାସମୁଦ୍ରର ମହାଗ୍ରାସ ଭିତରେ ପଶିଯିବ ଉପକୂଳ ପୃଥିବୀ। ଜଳ ବହୁଳେ ପୁଣି ଜଳ ବିହୁନେ ଅନ୍ନ ହାନି। ଆଉ ବନସ୍ପତି? ବିଧ୍ବ˚ସ୍ତ ଅରଣ୍ୟ, ତ୍ରସ୍ତ ବନ୍ୟଜନ୍ତୁ। ମଣିଷର ବାସନା ଚରିତାର୍ଥ କରି କ୍ଳାନ୍ତ, ଅବସନ୍ନ ପୃଥିବୀ। ଗାନ୍ଧୀ ମତରେ ମଣିଷର ସବୁ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରକୃତିର ପ୍ରାଚୁର୍ଯ୍ୟ ଅଭିପ୍ରେତ, କିନ୍ତୁ ଲୋଭପୂର୍ତ୍ତି ସକାଶେ ନୁହେଁ। ମଣିଷର ଲୋଭର ଅାଁ ଭିତରେ ମାଳମାଳ ବ୍ରହ୍ମାଣ୍ତ ବାମନ ରୂପ ଧାରଣ କରିଛନ୍ତି।
ଆକାଶରେ ଉଡ଼ିବାର ଅଧିକାର ପକ୍ଷୀମାନଙ୍କର ନା ପୃଥିବୀର ବଡ଼ ବଡ଼ ଏୟାରଲାଇନ୍‌ କ˚ପାନି ଦ୍ବାରା ନିର୍ମିତ ଉଡ଼ାଜାହାଜଗୁଡ଼ିକର। କମ୍ପାନି ଓ ସରକାରମାନେ କ’ଣ ମହାକାଶର ମାଲିକ? ପକ୍ଷୀମାନଙ୍କର ସାମ୍ରାଜ୍ୟରେ ମଣିଷର ଅନୁପ୍ରବେଶକୁ ପ୍ରକୃତି ସହିବ କିପରି? ସମୁଦ୍ର ମାଛ-କଙ୍କଡ଼ା, ସାପ-ବେଙ୍ଗ, ଶ˚ଖ-ଶାମୁକା, କୁମ୍ଭୀର ବା ଶିଶୁମାର ଆଦି ଜୀବମାନଙ୍କର ଘର ତ ବିବିଧ ଗୁଳ୍ମର ଗନ୍ତାଘର। ସେଠି ମଣିଷର ହସ୍ତକ୍ଷେପ। ସହର ଯେତେବେଳେ ଜଙ୍ଗଲ ମୁହାଁ, ଜଙ୍ଗଲର ପଶୁପକ୍ଷୀମାନେ ସହର ମୁହାଁ ନ ହେବେ କିପରି? ପୃଥିବୀର ଅନେକ ରାଜଧାନୀର ରାଜଦାଣ୍ତରେ ହାତୀମାନଙ୍କର ଅନ୍ନ˚ଦେହି ଚିତ୍କାର ଶୁଭୁଛି। ଆମ ପୌତ୍ର-ପ୍ରପୌତ୍ରଗଣ ଆଉ ବାଘ ଦେଖିପାରିବେ ନାହିଁ। ଛବିରେ ଦେଖିବେ ବାଘ ଓ ସି˚ହର ଚେହେରା। ଫୁଲ ଓ ପ୍ରଜାପତିମାନେ ଆଉ କ’ଣ ବିଭୀଷିକାକୁ ଡେଇଁ ପାରିବେ? ମଳୟ ମହାର୍ଘ ହେବ ତ ଇନ୍ଦ୍ରଧନୁ ଆକାଶରୁ ଅପସରି ଯିବ।

ମଣିଷର ଏକାଧିପତ୍ୟ ପାଖରେ ସବୁ ତୁଚ୍ଛ, ଅନ୍ୟ ସମସ୍ତେ ଗୌଣ। ଏକା ଗୀତ ଗାଇବାକୁ ମଣିଷକୁ ଅଧିକାର ଦେଇଛି କିଏ? ପୁଣି ଶବ୍ଦ ପ୍ରଦୂଷଣକୁ ଆଧାର କରି! କୋଇଲିର କୂଜନକୁ ମଣିଷର କଣ୍ଠସ୍ବର କେବେ କ’ଣ ଅତିକ୍ରମ କରିପାରିବ? କେବଳ କୋଇଲି କାହିଁକି, ସାପର ଫଁ, ଏପରିକି ବାଘର ହେଣ୍ଟାଳରେ ବି ସଙ୍ଗୀତ ଅଛି। ଜୀବନ ସଙ୍ଗୀତ। ଲିପି ଉଦ୍‌ଭାବନ କରିପାରିଛି ବୋଲି ମଣିଷର କେବଳ ଯେ ଭାଷା ଅଛି ଅନ୍ୟ କାହାର ନାହିଁ, ଏହା କ’ଣ ଠିକ୍‌? ବିଲେଇ, କୁକୁର ସମସ୍ତେ ନିଜ ଭିତରେ କଥା ହୁଅନ୍ତି। ପରସ୍ପରକୁ ବୁଝନ୍ତି। କିନ୍ତୁ ମଣିଷ ଆଉ କାହାକୁ ବୁଝିବା ପାଇଁ ପ୍ରସ୍ତୁତ ନୁହେଁ। ପ୍ରାଣୀ ଓ ଉଦ୍ଭିଦ ଜଗତ୍‌ର ନିରୀହ ପଣକୁ ଶୋଷଣ କରି ଚାଲିଛି ମଣିଷ। ତଥାକଥିତ ବିଜ୍ଞାନୀ ଦୃଷ୍ଟିରେ ମଣିଷ ବ୍ୟତିରେକ ଚରାଚର ମୂକ, ମୃତ।

ଭାରତୀୟ ମହାମନୀଷୀର ଦୃଷ୍ଟିଭଙ୍ଗୀ କିନ୍ତୁ ବିପରୀତ। ଭାରତର ଋଷି ଚକ୍ଷୁରେ ମାଟି, ମରୁ, ସ୍ଥାବର ଜଙ୍ଗମ, କୀଟପତଙ୍ଗ, ଜଳ-ସ୍ଥଳ, ସୂର୍ଯ୍ୟ-ଚନ୍ଦ୍ର ଗ୍ରହ-ନକ୍ଷତ୍ର, ଦିଗ ଦିଗନ୍ତ ସମସ୍ତେ ପ୍ରାଣବନ୍ତ।

ଘରୁ ଦାଣ୍ତକୁ ବାହାରିଲେ, ‘ପ୍ରଣୋତସ୍ମି’ ଦିବାକର˚’ ଉଚ୍ଚାରଣ ଆମର ବିଧି। ସୂର୍ଯ୍ୟ ଯେ ସବୁ ଶକ୍ତିର ଆଧାର, ଏମନ୍ତ ବିଚାର କ’ଣ ନିରାଧାର? ଭାରତୀୟ କାବ୍ୟ ପର˚ପରାରେ ଦ୍ରୁମ, ଦୁର୍ବା, ଅନଳ, ଅନିଳ, ଅଚଳ, ଭୂମି, ଭୂମା, ନଦୀ, ନକ୍ଷତ୍ର ସଭିଏଁ ଜୀବନ୍ତ। ତେଣୁ ସେମାନେ ଶାନ୍ତିରେ ରହିବା ପାଇଁ ଋଷିଗଣ ପ୍ରାର୍ଥନା କରନ୍ତି; ଅନ୍ତରିକ୍ଷ, ପୃଥିବୀ, ଜଳ, ଔଷଧ, ବନସ୍ପତି- ସମସ୍ତେ ଶାନ୍ତିରେ ରହନ୍ତୁ। ଆଧୁନିକ ମଣିଷ କିନ୍ତୁ କାହାକୁ ଶାନ୍ତିରେ ରହିବାକୁ ଦେଉନାହିଁ।

ଅଶାନ୍ତ ପ୍ରକୃତି ଖଣ୍ତପ୍ରଳୟ ରଚନା କରି ସନ୍ତୁଷ୍ଟ ହେଲା ନାହିଁ ଯେ ଏବେ ଭୂତାଣୁ ମାଧ୍ୟମରେ ମହାପ୍ରଳୟର ସଙ୍ଗୀତ ଗାଉଛି। ମହାମାରୀ ସହିତ ମହାଯୁଦ୍ଧରେ ମଣିଷ ଜାତିର ବିଜୟ ଯେ ଅବଶ୍ୟମ୍ଭାବୀ, ଏଥିରେ ହୁଏ’ତ ସନ୍ଦେହ ନାହିଁ। ଟିକା ଏବ˚ ତା’ ପରେ ଔଷଧ ଉଦ୍ଭାବନ ଏହାର ବିଜୟ କେତନ। କିନ୍ତୁ ମହାମାରୀ ମଣିଷ ଜାତିକୁ କେବଳ ମହାଶିକ୍ଷା ନୁହେଁ ମହାଦୀକ୍ଷା ଦେଇଛି ମଧ୍ୟ, ଯାହାର ଅବଜ୍ଞା ଆତ୍ମଘାତୀ ହେବ, ସମଗ୍ର ମାନବ ସମାଜ ପାଇଁ।

ବିଜ୍ଞାନୀ ମଣିଷ କେଡ଼େ ଅସହାୟ ସତେ, ଏହା ମହାମାରୀ ପ୍ରମାଣ କରିସାରିଛି। ପ୍ରକୃତି ନ ଚାହିଁଲେ ସକଳ ପ୍ରାଚୁର୍ଯ୍ୟ ଭିତରେ ଦୈନ୍ୟରେ ଜୀବନଯାପନ କରିବାକୁ ମଣିଷ ବାଧ୍ୟ, ଭୋଗ କରିବାକୁ ଅସମର୍ଥ- ଏହା ମଧ୍ୟ ପ୍ରମାଣିତ। ମଣିଷ ପ୍ରତି ଭୂତାଣୁର ଉଚ୍ଚାରଣ ସ୍ପଷ୍ଟ : ସନ୍ତୁଳନ ହିଁ ଜୀବନ, ଜୀବନ ହିଁ ସନ୍ତୁଳନ। ପ୍ରକୃତିକୁ ଜୟ କରାଯାଏନା, ପୂଜା କରାଯାଏ। ସମସ୍ତେ ପ୍ରକୃତିର ସନ୍ତାନ- ମଣିଷ ଠାରୁ ଜିଆଜୋକ ପୁଣି ତରୁ ଠାରୁ ତୃଣ ପର୍ଯ୍ୟନ୍ତ। ସାର୍ବଭୌମତ୍ବ ଜାହିର କରିବାକୁ ମଣିଷ କିଏ? ଭୂତାଣୁ କହୁଛି- ଆରେ ମଣିଷ, ମଙ୍ଗଳରେ ଜୀବନ ଖୋଜିଖୋଜି ତୁ ନୟାନ୍ତ ହେଲୁଣି, ଜୀବନରେ ମଙ୍ଗଳର ଅନ୍ବେଷଣ କର। ସେ ସତର୍କ କରୁଛି ପୁଣି : ସମସ୍ତେ ଥିଲେ ତୁ ଅଛୁ। କିଏ କହିଲା ତୁ ସୃଷ୍ଟିର କିରୀଟ ବୋଲି? କରୋନା ଭୂତାଣୁ ମଣିଷର କାନେକାନେ ଗାନ୍ଧୀ ଭାଷାରେ କହି ଚାଲିଛି ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ, ନହେଲେ ତାଲା ପକାଇ ଘରେ ରହ।

ଭି.ଏ.-୯/୨, ୟୁନିଟ୍‌-୨
ଭୁବନେଶ୍ବର-୭୫୧୦୦୯
[email protected]

ସମ୍ବନ୍ଧିତ ଖବର