ରାଜନୀତିକୁ ନେଇ ଅନେକ ଭଲ ମନ୍ଦ କଥା କୁହାଯାଇଛି। ତେବେ ରାଜନୀତି ଯେ ଏକ ଭଲ କଥା ସେ ସମ୍ପର୍କରେ ଅଧିକାଂଶଙ୍କର ସନ୍ଦେହ ଅଛି। ‘ରାଜ’ ଶବ୍ଦଟି ରାଷ୍ଟ୍ର ଓ ଶ୍ରେଷ୍ଠତା ସହ ଯୋଡ଼ା। ପୁଣି କଥାରେ ଅଛି ଶୋଭତେ ଇତି ରାଜା। ରାଜା ମାତ୍ରେ ଶୋଭାବନ୍ତ। ପୁଣି ରଞ୍ଜତେ ଇତି ରାଜା। ଶାସନ ଦ୍ବାରା ଯେ ପ୍ରଜାମାନଙ୍କର ମନୋରଞ୍ଜନ କରନ୍ତି ସେ ହିଁ ରାଜା। ଅତଏବ ରାଜନୀତି ସହିତ ରାଜା ଶବ୍ଦଟି ଯୋଡ଼ା। ରାଜା ସହିତ ଶାସନ ଶବ୍ଦଟି ରାଜାୟିତ। ସେଇ ଦୃଷ୍ଟିରୁ ଦେଖିଲେ ରାଜାର ନୀତି ହିଁ ରାଜନୀତି।
ଆଜି ଆଉ ରାଜା କାହାନ୍ତି? ରାଜା, ଏକକ-ଶାସକ। ଆମ ସଭ୍ୟତା ବ୍ୟକ୍ତି-ଶାସନ ବା ଏକକ-ଶାସନକୁ ପ୍ରତ୍ୟାଖ୍ୟାନ କଲା ଦିନୁ ରାଜା ଶବ୍ଦର ମୌଳିକତା ଚାଲିଯାଇଛି କହିଲେ ଚଳେ। ମାତ୍ର ପ୍ରଭୁତ୍ବ କ’ଣ ଯାଇଛି? ପ୍ରତ୍ୟେକ ବ୍ୟକ୍ତି ଚାହେ ସେ ତା’ର ପ୍ରଭୁତ୍ବ ଜାହିର କରିବ। ବାପ ହୋଇ ସନ୍ତାନ ସନ୍ତତିଙ୍କ ଉପରେ, ସ୍ବାମୀ ହୋଇ ସ୍ତ୍ରୀ ଉପରେ, ହାକିମ ହୋଇ ଅଧସ୍ତନମାନଙ୍କ ଉପରେ, ଦଳପତି ହୋଇ ଦଳ ଉପରେ, ନେତା ହୋଇ କର୍ମୀମାନଙ୍କ ଉପରେ, ସର୍ଦ୍ଦାର ହୋଇ ସଙ୍ଗୀମାନଙ୍କ ଉପରେ, ଗୁରୁ ହୋଇ ଶିଷ୍ୟମାନଙ୍କ ଉପରେ। ଏ ପ୍ରଭୁତ୍ବର ସୀମା ନାହିଁ।
ସମସ୍ତେ ଚାହାନ୍ତି ପ୍ରଭୁତ୍ବ। ପଶୁପକ୍ଷୀ, ଗଛଲତା ସମସ୍ତେ। ସମସ୍ତେ ଇଲାକା ଚାହାନ୍ତି। ସିଂହ ଚାହେ, କୁକୁର ବି ଚାହେ।ବରଗଛ ଚାହେ, ଗବଗଛ ବି ଚାହେ।
ହେଲେ ମଣିଷ ଏ ସବୁ ଭିତରେ ଏଇଥିପାଇଁ ଶ୍ରେଷ୍ଠ ଯେ ଚେତନାର ଉତ୍ତରଣ ମାଧ୍ୟମରେ ସେ ନିଜକୁ ବିବର୍ତ୍ତିତ କରିପାରେ। ମଣିଷପଣିଆର ଗୋଟିଏ ସ୍ତରରୁ ଆଉଗୋଟିଏ ସ୍ତରକୁ ଆପଣାକୁ ସଚେତନ ଭାବରେ ଉନ୍ନୀତ କରିପାରେ। ସେଇଥିପାଇଁ ସେ ସିଦ୍ଧାର୍ଥରୁ ବୁଦ୍ଧ ହୋଇହୁଏ। ରତ୍ନାକରରୁ ବାଲ୍ମୀକି ଓ ମୋହନରୁ ମହାତ୍ମା ବି ହୋଇପାରେ ସେ।
ପ୍ରଭୁତ୍ବର ଲାଳସା ତ ସାଧାରଣ କଥା! ବ୍ୟାୟାମ କରି, ବଳ ଯୋଗାଡ଼ କରି ଜଣେ ବଳୁଆ ହୋଇପାରେ। ଜନମତକୁ ଲାଳାୟିତ କରି ଜଣେ ନେତା ହୋଇପାରେ। ସେମିତି ବଂଶାନୁକ୍ରମିକତା ଆଧାରରେ ଜଣେ ଅଯୋଗ୍ୟ ବି ରାଜଗାଦିରେ ବସିପାରେ ବା ଖଳବୁଦ୍ଧିରେ ହିଂସା ଭିଆଇ ସିଂହାସନ ଆରୋହଣ କରିପାରେ। ଏ ଭଳି ପ୍ରଭୁତ୍ବେର ବଡ଼ପଣ କିଛି ନାହିଁ। ବଳୁଆ ହୋଇ ନିର୍ବଳର ତଣ୍ଟିଚିପିବାରେ ବଡ଼ପଣ କେଉଁଠି? ସିଂହ ଜନ୍ମ ପାଇ ଶୃଗାଳକୁ ମାରିଦେବାରେ କି ପାରିଲାପଣିଆ ଅଛି ସିଂହର? ଏଥିରେ ରଚନାତ୍ମକତା ନାହିଁ। ନୂଆପଣ ନାହିଁ। ଉତ୍ତରଣ ନାହିଁ। ମୌଳିକତା ନାହିଁ।
ରଚନାତ୍ମକତାର ବିଶ୍ଳେଷଣ କରିବା ପୂର୍ବରୁ ଆମକୁ ରାଜନୀତି ଶବ୍ଦର ଅର୍ଥ ଅର୍ଥାନ୍ତରକୁ ସ୍ପଷ୍ଟ କରିବାକୁ ପଡ଼ିବ। ରାଜନୀତି ଓ ରାଜନୀତି ବିଜ୍ଞାନ ବା ରାଜନୀତି ବିଦ୍ୟାକୁ ଅନେକ ସମାନଭାବରେ ଦେଖନ୍ତି। ରାଜନୀତି ଏକ କାର୍ଯ୍ୟ ମାତ୍ର ରାଜନୀତି-ପାଠ ହେଉଛି ସେଇ କାର୍ଯ୍ୟ ସମ୍ପର୍କିତ ଶାସ୍ତ୍ର। ଦ୍ବିତୀୟ ଦିଗଟି ହେଲା, ଏବେ ରାଜନୀତି ଆଉ ରାଜାର ନୀତି ହୋଇ ନାହିଁ। ଏବେ ରାଜନୀତି ରାଷ୍ଟ୍ରନୀତିକୁ ପରିବର୍ତ୍ତିତ ହୋଇ ସାରିଛି। ଅତଏବ ରାଜନୀତିର ଅସଲ ଅର୍ଥ ହେଉଛି ରାଷ୍ଟ୍ରର ନୀତି। ତେଣୁ ଯେଉଁମାନେ ଭାକ୍ତିକ ମୂର୍ଖାମିରେ ପ୍ରଧାନମନ୍ତ୍ରୀଙ୍କୁ କିଙ୍ଗ୍ ବା ବିରୋଧୀ ଦଳର ନେତାଙ୍କୁ ପ୍ରିନ୍ସ ବୋଲି ବିଶ୍ଳେଷଣ କରି ଭାରତରେ ଆଲୋଚନା ଲେଖୁଛନ୍ତି, ସେମାନେ ଗଣତନ୍ତ୍ରକୁ ହିଁ ବାରମ୍ବାର ଅପମାନିତ କରୁଛନ୍ତି।
ମନେରଖିବା ଦରକାର ଯେ ଆଧୁନିକ କାଳରେ ଗଣମାଧ୍ୟମ ହିଁ ସବୁଠାରୁ ବଳଶାଳୀ ଅସ୍ତ୍ର ଯାହା ସହଜରେ ଜନମତକୁ ପ୍ରଭାବିତ ବା ବିଭ୍ରାନ୍ତ କରିପାରେ। ଟିଭିରେ ଯାହା ପ୍ରସାରିତ ହୁଏ ବା ଖବରକାଗଜରେ ଯାହା ଛାପା ଯାଏ ତାହା ଡାହା ମିଛ ହେଲେ ମଧ୍ୟ ଗୋଟାଏ ଛୁଟ୍କିରେ ସତ ପାଲଟି ଯାଏ। ଅନ୍ୟ ଦିଗରେ ବ୍ୟକ୍ତିଗତ ତଥା ସାମୂହିକ ଅନୁଭବକୁ ବିଶ୍ବାୟିତ କରିବାରେ, ଏ ଦୁଇଟି ମାଧ୍ୟମ ଏ ପର୍ଯ୍ୟନ୍ତ ଯେଉଁ ଦାୟିତ୍ବ ନିର୍ବାହ କରିଛନ୍ତି ତାହା ନିଶ୍ଚିତରେ ପ୍ରଶଂସାର୍ହ।
ରାଜନୀତିକୁ ଯେଉଁ ମତ ପ୍ରଭାବିତ କରେ ତା’ର ଆଧାର ଏବେ ଏହି ମାଧ୍ୟମକୁ ହିଁ ମୁଖ୍ୟତଃ ଚାଲିଯାଇଛି କହିଲେ ଚଳେ। ଆଜି ନୂୂଆ ଅବତାର ପାଇଥିବା ସାମାଜିକ ଗଣମାଧ୍ୟମ ସାମ୍ପ୍ରତିକ ରାଜନୀତିକୁ ବିଶ୍ବ ସ୍ତରରେ ସୁଦ୍ଧା କବଳିତ କରିପାରୁଛି। ଏ ମାଧ୍ୟମଟି ଏତେ ତରଙ୍ଗାୟିତ ଯେ ବର୍ତ୍ତମାନ ଯାହା ଲୋକପ୍ରିୟ କାଲି ତାହା ହଠାତ୍ ଲୋକଘୃଣାରେ ପରିଣତ ହୋଇଯାଉଛି। ଗୋଟିଏ ଶବ୍ଦ ବାହାରିଛି ‘‘ଭାଇରାଲ୍’’। ‘‘ଭାଇରାଲ୍’’ କଥାଟି ଜ୍ବର ପାଖରେ ଥିଲା। ଏବେ ନୂଆ ଭୂମିକାରେ ତା’ର ଅର୍ଥ ‘‘ବହୁଳ ପ୍ରସାରିତ’’। କୁହାଯାଉଛି ଯେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଓବାମା ଶାସନ ଗାଦିରେ ବସିବା ବା ଭାରତରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାର ଶ୍ରେୟ ଏଇ ସାମାଜିକ ଗଣମାଧ୍ୟମର।
ଦିନ ଥିଲା ସୈନ୍ୟ ସାମନ୍ତ, ସନ୍ଧି-ବିଗ୍ରହ ସଙ୍ଗକୁ ରାଜନିଷ୍ଠା ଗୋଟିଏ ରାଜ୍ୟର ରାଜନୀତିକୁ କବଳିତ କରି ରଖିଥିଲା। ସେ ଅଶୋକ ହୁଅନ୍ତୁ କି ଆକ୍ବର, ବିକ୍ରମାଦିତ୍ୟ ହୁଅନ୍ତୁ କି ଖାରବେଳ, ଏହି ତିନିଗୋଟି କଥା ହିଁ ରାଜ୍ୟଶାସନକୁ କବଳିତ କରିଥିଲା। ଆଜି ସେଥିରେ ପରିବର୍ତ୍ତନ ଆସିଛି। ସୈନ୍ୟ ସାମନ୍ତ ସ୍ଥାନରେ ରାଜନୈତିକ ଦଳ, ସନ୍ଧି-ବିଗ୍ରହ ସ୍ଥାନରେ ଦଳଗତ ବୁଝାମଣା ଓ ରାଜନିଷ୍ଠା ସ୍ଥାନରେ ଉଚ୍ଚ-ନେତୃତ୍ବର ପାରିଲାପଣ ଠିଆ ହୋଇଛି। ହେଲେ ଏ ସବୁ ଭିତରେ ଆଜିକାଲି ସାମାଜିକ ଗଣମାଧ୍ୟମ ଦ୍ବାରା ରାଜନୀତି ଘୋର ସନ୍ଦେହର ବଳୟ ଭିତରକୁ ଚାଲିଯାଉଛି। କେତେ ସତ, କେତେ ମିଛ ଭିତରେ ଛନ୍ଦି ହୋଇଯାଉଛି ସାମାଜିକ ଗଣମାଧ୍ୟମ। ଅଳନ୍ଧୁ ଘେର ଭିତରକୁ ଚାଲିଯାଉଛି ରାଜନୀତି। ତା’ ସହିତ ଯୋଡ଼ା ହୋଇଥିବା ରଚନାତ୍ମକତା ବି ଅନ୍ଧାରରେ ଛଟପଟ ହେଉଛି। ବଢ଼ିଯାଉଛି ରାଜନୀତି ପ୍ରତି ଘୃଣା।
ରାଜନୀତିକୁ ଘୃଣା କରୁଥିବା ଲୋକେ ବହୁ ସମୟରେ ଗୋଟିଏ ଇଂରେଜୀ ଧାଡ଼ି ଉଦ୍ଧାର କରନ୍ତି। ‘‘ପଲିଟିକ୍ସ୍ ଇଜ୍ ଦ ଲାଷ୍ଟ୍ ରିସର୍ଟ ଅଫ୍ ଦ ସ୍କାଉଣ୍ଡ୍ରେଲ୍’’। ‘‘ରାଜନୀତି ହେଉଛି ଦୁଷ୍ଟତମମାନଙ୍କର ଶେଷ ପନ୍ଥା’’। ଏଇ ଗୋଟିଏ ଧାଡ଼ି ବର୍ଷ ବର୍ଷ ଧରି ରାଜନୀତି ଭଳି ଏକ ଅବଧାରିତ ତଥା ବାଞ୍ଛିତ କର୍ମଭୂମିକୁ କଳୁଷିତ କରି ରଖିଛି। ରାଷ୍ଟ୍ରର ନୀତି ବା ଶାସକର ନୀତି ହିଁ ରାଜନୀତି। ସେଇ ନୀତିରେ ଦେଶ ଚାଲେ, ସଭ୍ୟତା ଗତି କରେ, ମଣିଷମାନେ ଚଳନ୍ତି। ତାହା ତ ପବିତ୍ର ହେବା କଥା। ପବିତ୍ର ହେଲେ ହିଁ ଆମେ ତା’ର ସୁଫଳ ପାଇବା। ସୂର୍ଯ୍ୟ ଜାଳିପୋଡ଼ି ପାରୁଥିଲେ ବି ପୃଥିବୀ ନିତିପ୍ରତି ସୂର୍ଯ୍ୟସ୍ନାତ ହୋଇ ହିଁ ଶସ୍ୟଶ୍ୟାମଳା ହୋଇଛି ବା ହେଉଛି। ଆକାଶରେ ସୂର୍ଯ୍ୟଙ୍କୁ ଗାଳି କରିବା ଯାହା ମାଟିତଳେ ରାଜନୀତିକୁ ଘୃଣା କରିବା ତାହା। ଜଣେ ରାଜନେତା ଘୃଣିତ ହୋଇପାରନ୍ତି ମାତ୍ର ରାଜନୀତି ଘୃଣିତ ହେବ କେମିତି? ହତ୍ୟା ଲାଗି ଛୁରୀକୁ ଘୃଣା କରିବା ଭଳି ଏ ଅବିମୃଶ୍ୟକାରିତା।
ଅସଲରେ ଏ ଉକ୍ତିଟି ବିଲାତି ଚିନ୍ତକ ସାମୁଏଲ୍ ଜନ୍ସନ୍ଙ୍କର। କେଉଁ କାଳର କଥା ହେଲାଣି। ୧୭୭୫ ମସିହାର ଏପ୍ରିଲ୍ ସାତ ତାରିଖ ଗୋଟାଏ ସନ୍ଧ୍ୟାରେ ତତ୍କାଳୀନ ବ୍ରିଟିସ୍ ରାଜନେତା ଉଇଲିୟମ୍ ପିଟ୍ଙ୍କର ମିଛ ତଥା ଲୋକଦେଖାଣିଆ ଦେଶାତ୍ମବୋଧକୁ ଉପଲକ୍ଷ୍ୟ କରି ସେ କହିଥିଲେ- ‘‘ପେଟ୍ରିଓଟିଜିମ୍ ଇଜ୍ ଦ ଲାଷ୍ଟ ରିଫିଉଜ୍ ଅଫ୍ ଦ ସ୍କାଉଣ୍ତ୍ରେଲ’’। ଦେଶାତ୍ମବୋଧ ଦୁଷ୍ଟତମ ମଣିଷର ଶେଷ ଆଶ୍ରୟସ୍ଥଳ’’। କାରଣ ଲୋକଙ୍କୁ ଦେଶାତ୍ମବୋଧ କଥା କହି ଦୁଷ୍ଟମାନେ କାଳେ କାଳେ ନିରୀହ ସାଧାରଣ ମଣିଷଙ୍କର ମନ ଜିଣନ୍ତି ଓ ଶେଷକୁ ଶାସନ ନାଆଁରେ ଅତ୍ୟାଚାର କରନ୍ତି। ହିଟ୍ଲର୍ଙ୍କ ଠାରୁ ମୁସୋଲିନି, ଇଦି-ଅମିନ୍ଙ୍କ ଠାରୁ ଜେନେରାଲ୍ ପେରନ୍। ଉଦାହରଣର କ’ଣ ଅଭାବ ଅଛି? ଫାସିବାଦର ପ୍ରଥମ ନାଟ୍ୟ-ଦୃଶ୍ୟଟି ତ ଆରମ୍ଭ ହୁଏ ପ୍ରାଣଛୁଆଁ ଦେଶାତ୍ମବୋଧକ ଗୀତରୁ! ଚାଲାକିଆମାନେ କିନ୍ତୁ ଜନ୍ସନ୍ଙ୍କ କଥାକୁ ସୁନ୍ଦର ଭାବରେ ବନେଇ ଚୂନେଇ ରାଜନୀତି ମୁହଁରେ କଳାବୋଳି ଦେଇ କହିଲେ ‘‘ରାଜନୀତିଟା ସଇତାନ୍ମାନଙ୍କର ଶେଷ ଆଶ୍ରୟସ୍ଥଳ’’। ଦୁର୍ଭାଗ୍ୟ।
ରାଜନୀତି ସହ କିନ୍ତୁ ରଚନାତ୍ମକତା ଛତ୍ରେ ଛତ୍ରେ ଗୁନ୍ଥା। ଯେଉଁ ରାଜନେତାର ରାଜନୀତି ବା ଯେଉଁ ଦେଶର ରାଜନୀତି ଯେତେ ରଚନାତ୍ମକ ସେ ନେତାର ଶାସନ ବା ସେ ଦେଶର ଶାସନ ବ୍ୟବସ୍ଥା ସେତେ ଉନ୍ନତ। ଆଲେକ୍ଜାଣ୍ତରଙ୍କ ଠାରୁ ଆକ୍ବର ଓ ଅଶୋକଙ୍କ ଠାରୁ ବିକ୍ରମାଦିତ୍ୟ ଆଦିଙ୍କର କେଉଁ କଥା ଆଜି ଆମ ଛାତି ଭିତରେ ଅଛି? ସେମାନଙ୍କ ରଚନାତ୍ମକତାକୁ ବଖାଣି ବସିଲେ ଗ୍ରନ୍ଥ ଲେଖିବାକୁ ପଡ଼ିବ। ଆଲେକ୍ଜାଣ୍ତର କେବଳ ବିଶ୍ବ ବିଜୟୀ ନ ଥିଲେ, ସବୁ ଅଞ୍ଚଳର ଭଲ କଥାକୁ ଟେକି ନେଇ ଠୁଳ କରିଥିଲେ ଆପଣା ଭୂଇଁରେ। ଭାରତର କବିରାଜି ଔଷଧଠାରୁ ଆରମ୍ଭ କରି ଶ୍ରୀଫଳ ନାରିକେଳ ବି ନେଇଯାଇଥିଲେ ସଙ୍ଗରେ। ଆକ୍ବର୍ଙ୍କ ଯୁଦ୍ଧଜିଣା କାହାଣୀ ନୁହେଁ, ସାମ୍ପ୍ରଦାୟିକ ଉଦାରତାର ଉତ୍କର୍ଷ ହିଁ ଆଜି ତାଙ୍କୁ ଜୀବନ୍ତ କରି ରଖିଛି। ଅଶୋକ ତ ଦେବାନା˚ ପ୍ରିୟଦର୍ଶୀ ହୋଇଗଲେ। ଚଣ୍ତପଣ ନୁହେଁ ଧର୍ମପଣ ହିଁ ଶିଳାଲେଖ ମାଧୢମରେ ତାଙ୍କୁ ଆଜି ଅମର କରି ରଖିଛି। ତରବାରୀର ଜୟ ନୁହେଁ, ଧର୍ମର ଜୟ ହିଁ ଅସଲ ବିଜୟ। ଧର୍ମ କହିଲେ ହିନ୍ଦୁ ଧର୍ମ କି ବୌଦ୍ଧ ଧର୍ମ ନୁହେଁ। ଧର୍ମ ହିଁ ନୀତି। ନୀତି ଭିତରେ ‘‘କରୁଣା’’ ହିଁ ଶ୍ରେଷ୍ଠ ନୀତି। ଅଶୋକଙ୍କ ଧର୍ମ ପାଲଟିଥିଲା ‘‘କରୁଣା’’। ବୌଦ୍ଧଧର୍ମର ଅସଲ ନାଭିଭାବ ମଧୢ ହେଉଛି ସେଇ କରୁଣା।
ବୁଝିନେବା କଥା ଯେ ଆଇନ ଶୃଙ୍ଖଳା ବରଗିବା ବା କର୍ମଚାରୀ ନିଯୁକ୍ତି, ସ୍ଥାନାନ୍ତର ବା ଦଣ୍ତବିଧାନ କୌଣସି ଶାସକଙ୍କର ରଚନାତ୍ମକ-ରାଜନୀତିକୁ ବୁଝାଏ ନାହିଁ। ଏପରି କି କେତେ ଚାଲାକି କରି ମିଛ ସତ ଚଟୁଳ କଥା କହି ସ˚ଖ୍ୟାଗରିଷ୍ଠତା ହାସଲ କରିବା ବା ଜନପ୍ରିୟ ହେବା କୌଣସି ରଚନାତ୍ମକତାକୁ ବୁଝାଏ ନାହିଁ। ରାଜନୀତିରେ ଶାସନ ଯେମିତି ଥାଏ, ରଚନାତ୍ମକତା ବି ସେମିତି ଥାଏ। ଅନେକ ରାଜନୀତିକୁ ନିର୍ବାଚନରେ ବିଜୟ ବା କ୍ଷମତା ହାସଲକୁୁ ଅସଲ ରାଜନୀତି ବୋଲି ବୁଝନ୍ତି। ରାଜନୀତି କେବଳ ନିର୍ବାଚନ ହାର ଜିଣାରେ ନ ଥାଏ, ଥାଏ ଦୀର୍ଘସ୍ଥାୟୀ ମୌଳିକ ସମୂହପ୍ରାଣତାରେ। ଏହା କେବଳ ରଚନାତ୍ମକ ରାଜନୀତିରେ ସମ୍ଭବ।
ବହୁ ଉଦାହରଣ ଭିତରୁ ଆମେ ଦୁଇଟି ଭାରତୀୟ ଉଦାହରଣକୁ ଯିବା। ଜଣେ ହେଲେ ଗାନ୍ଧୀଜୀ ଏବ˚ ଆଉ ଜଣେ ଶାସ୍ତ୍ରୀଜୀ। ଏ ଦୁଇ ନାମ ଏଇଥିପାଇଁ ଯେ ଅନେକେ ଗାନ୍ଧୀଜୀଙ୍କୁ ରାଜନେତା ଭାବରେ ଗ୍ରହଣ କରନ୍ତି ନାହିଁ ଓ ଶାସ୍ତ୍ରୀଜୀଙ୍କୁ ରାଜନେତାର ଯେ ପ୍ରାପ୍ୟ ବା ସ୍ଥାନ ଦିଆଯିବା କଥା ତାହା ଦିିଅନ୍ତି ନାହିଁ।
ଗାନ୍ଧୀଜୀ ମୂଳତଃ ରାଜନେତା। ପରେ ସିଏ ସନ୍ଥ ବା ମହାତ୍ମା। ତାଙ୍କର ଯେ ପ୍ରଥମ ସାମୂହିକ ରାଜନୈତିକ କର୍ମ, ସେଇଟି କ’ଣ? ସତ୍ୟାଗ୍ରହ। ସତ୍ୟାଗ୍ରହ କ’ଣ ପାଇଁ? ଶାସନଗତ ଗୋଟାଏ ଅନ୍ୟାୟକୁ ସାମନା କରି ସେ ଯେଉଁ ରଚନାତ୍ମକ କାର୍ଯ୍ୟଟି କଲେ ତାହା ହିଁ ତାଙ୍କୁ ପ୍ରାଥମିକ ଭାବେ ଦେଲା ଜଣେ ଅଚିନ୍ତନୀୟ ରାଜନେତାର ପରିଚୟ। ନିର୍ବାଚନ ନ ଜିଣି, ଶାସନ ଗାଦିରେ ନ ବସି ସେ ଯେ ଜନମତ-ମଣ୍ତପର ଶୀର୍ଷ ସ୍ଥାନରେ ବସିଥିଲେ ସେ ସ୍ଥାନରେ ଆଜି ଯାଏ କେଉଁ କୁହାଳିଆ ରାଜନେତା ବସିଛି ନା ବସିପାରିବ?
ରଚନାତ୍ମକତା ଅନୁକରଣ ନୁହେଁ କି ହନୁକରଣ ନୁହେଁ। ରଚନାତ୍ମକତା ମିଛକୁ ସତ କରିବାରେ ନ ଥାଏ କି ସତକୁ ମିଛ କରିବାରେ ନ ଥାଏ। ରଚନାତ୍ମକତା ଏକ ମୌଳିକ ବିଭାବନା ବା ସୃଷ୍ଟି ଯାହା ସ୍ଥାୟୀ ଭାବରେ ଜନ ସମୂହକୁ ସୁବ୍ୟବସ୍ଥିତ କରେ। ସୁଖ ଦିଏ, ସମ୍ଭାଳେ। ସାହିତ୍ୟିକ, କଳାକାର ବା ଅଭିନେତା କେବଳ ରଚନାତ୍ମକ ନୁହନ୍ତି। ରାଜନେତା ବି ରଚନାତ୍ମକ। ଗାନ୍ଧୀଜୀଙ୍କର ସତ୍ୟ, ଅହି˚ସା ବା ସ୍ବଦେଶୀ ରଚନାତ୍ମକତାର କଥା କହନ୍ତି ନାହିଁ। ସେ କଥା ସତ୍ୟାଗ୍ରହ କହେ, ଟ୍ରଷ୍ଟିସିପ୍ କହେ।
ଶାସ୍ତ୍ରୀଜୀ ମାତ୍ର ଦୁଇ ବର୍ଷ ପ୍ରଧାନମନ୍ତ୍ରୀ ଥିଲେ। ଗୃହରକ୍ଷା ଓ ରେଳବାଇର ବି କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଗୋଟିଏ ରେଳ ଦୁର୍ଘଟଣାରେ ନିଜକୁ ଦାୟୀ କରି ଇସ୍ତଫା ଦେବା ଥିଲା ତାଙ୍କର ଏକ ରଚନାତ୍ମକ ପଦକ୍ଷେପ। ସେମିିତି ଜୟ ଯବାନ୍, ଜୟ କିଷାନ୍ର ଦୁଆ। ଶାସ୍ତ୍ରୀଜୀଙ୍କ କଥା କହିଲେ ଅନେକ ତାସ୍କେଣ୍ଟ ଚୁକ୍ତିକୁ ମନେ ପକାନ୍ତି। ହେଲେ ଭୁଲି ଯାଆନ୍ତି ଯେ ଶ୍ବେତ-ବିପ୍ଳବ ହିଁ ତାଙ୍କର ଅମର, ଅମ୍ଳାନ ରଚନାତ୍ମକ କୀର୍ତ୍ତି। ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ନୁହେଁ।
ଯେଉଁ ରାଜନେତା ବା ଶାସକ ରଚନାତ୍ମକ ନୁହେଁ ସେ କାଠଗଡ଼ ସଦୃଶ। ଲୋକ କାହାଣୀରେ ପୋଖରୀ ଭିତରର କାଠଗଡ଼କୁ ଈଶ୍ବର ଶାସକ ବନାଇଥିବା ଆଖ୍ୟାନ ବର୍ଣ୍ଣିତ। କହିବାର ଅଛି ଯେ ଯେଉଁଠାରେ ଶାସକ ରଚନାତ୍ମକ ନୁହେଁ ସେଠାରେ ସେ ରାଜନୀତି-ପୋଖରୀରେ କାଠଗଡ଼ଟିଏ ମାତ୍ର।
ଦେଶ ଶାସନ ସହ ଯେତେ ଯାହା ଯୋଡ଼ା ସେ ସବୁ ରାଜନୀତି। ସମୂହ-ସୁଖକାମୀ ଯେତେ ଯାହା ମୌଳିକ ଦୀର୍ଘସ୍ଥାୟୀ ସୃଷ୍ଟି ତାହା ରଚନାତ୍ମକ।