ବୋଧହୁଏ ଆମେ କଦାପି ମହାନ ନ ଥିଲୁ!

ଚାରୁଦତ୍ତ ପାଣିଗ୍ରାହୀ

କେହି କେହି କୁହନ୍ତି ଯେ ଆମେମାନେ ଆମ ସମୟର ମୂଲ୍ୟବୋଧ ଦ୍ୱାରା କଳୁଷିତ। କିନ୍ତୁ ସତରେ କ’ଣ କଳୁୁଷିତ? ଆମେ ଯେମିତି ଭାବି ଥାଉ, ସତରେ କ’ଣ ଆମେ କେବେ ବି ସେଭଳି ମହତ ଥିଲୁ? ୟୁରୋପ ଏବଂ ଅନ୍ୟାନ୍ୟ ଦେଶରେ ବିଦ୍ୟାଳୟଗୁଡ଼ିକରେ ଅପ୍ରତିହତ ଭାବେ ଗୁଳିକାଣ୍ଡମାନ ସଂଘଟିତ ହେବାରେ ଲାଗିଛି, ଇସ୍ରାଏଲରେ ବିମାନ ଆକ୍ରମଣ ଅବ୍ୟାହତ, ବନ୍ଦୀ ମିଆଁମାର କବି ଖେତ୍ ଥିଙ୍କ ଅଙ୍ଗହୀନ ମୃତ ଶରୀରାବ‌େଶଷ ପରିବାରକୁ ଫେରାଇ ଦିଆଯାଇଛି; ଆତ୍ମଘାତୀ ରାଜନୀତି ହେତୁ ନେପାଳରେ ସରକାର ଦୋଦୁଲ୍ୟମାନ ସ୍ଥିତିରେ; ପଶ୍ଚିମ ପାପୁଆ ଯୁଦ୍ଧ ଜର୍ଜର ଏବଂ ସେଠାରେ ଗ୍ରାମବାସୀମାନେ ପଳାୟନରତ; ସଭ୍ୟତାକୁ ଅକର୍ମଣ୍ୟ କରି ପକାଇଥିବା ‘ଜୁନୋଟିକ୍’ ଭୂତାଣୁ ବିଷୟରେ ନୁହେଁ, ବରଂ କ୍ୱାଡ୍ ସଂପର୍କରେ ଚୀନ ବର୍ତ୍ତମାନ ଅଧିକ ଉଦ୍‌ବିଗ୍ନ।

ଏହା କି ପ୍ରକାର ମାନବିକତା? ଆମେ ଯେଉଁ ମାନବିକତାକୁ ବିଜ୍ଞପିତ କରୁ, ତାହା ଆଜି କେଉଁଠି? ଏବେ ଯେତେବେଳେ ଅସଂଖ୍ୟ ଲୋକ ଶ୍ବାସରୁଦ୍ଧ ଅବସ୍ଥାରେ ଏବଂ ସେମାନଙ୍କ ଭିତରୁ ଅନେକ ଅତି କରୁଣ ଭାବେ ଅନ୍ତିମ ନିଃଶ୍ବାସ ତ୍ୟାଗ କରୁଛନ୍ତି, ସେତିକି ବେଳେ ଅମ୍ଳଜାନ ସିଲିଣ୍ଡର ଓ ଅମ୍ଳଜାନ ମେସିନ୍‌ର କଳାବଜାର କରି କିଛି ଲୋକ ଲାଭ ଉଠାଇବାରେ ବ୍ୟସ୍ତ। ଏହି କାର୍ଯ୍ୟ ଗଣସଂହାର ସହ ସମତୁଲ ନୁହେଁ କି? ଆମ ଭିତରେ ଏହିଭଳି ଅତ୍ୟନ୍ତ ‘ସକ୍ରିୟ ଉଦ୍ୟୋଗୀ’ ବିଦ୍ୟମାନ! ବିଚାର କରନ୍ତୁ ତ ଆମେ ସମସ୍ତେ କ’ଣ କେବେ ନା କେବେ ଧନାଗମର ମୋହରେ ବୈଧତା ଓ ନୈତିକତାକୁ ଜଳାଞ୍ଜଳି ‌େଦଇ ନାହାନ୍ତି? ଆମେମାନେ ଯଦି ବୈଧତାକୁ ନଜରଅନ୍ଦାଜ କରୁ, ତେବେ ବ୍ୟବସ୍ଥା ବିରୋଧରେ କାହିଁକି ଅଭିଯୋଗର ମାଳା ଜପିବା? କାରଣ ବ୍ୟବସ୍ଥାଗୁଡ଼ିକ ତ ବୈଧତା ଆଧାରିତ ଏବଂ ସେଗୁଡ଼ିକ ହେଉଛନ୍ତି ବିଶ୍ୱାସ ତଥା ଆଚରଣର ସାଧାରଣ ସଂହିତା; ଯାହା ସର୍ବମାନ୍ୟ ହେବା ଆବଶ୍ୟକ। କିନ୍ତୁ ଅବୈଧତାର ଅନ୍ଧ ଦୁନିଆ ଭିତରେ ବିପୁଳ ସମ୍ପତ୍ତିର ଚମକ ଆମକୁ ତଟସ୍ଥ କରି ପକାଏ। ଯଦି ଆମେ ଭାବି ନେଉ ଯେ ଏଭଳି ଧନ ଉପାର୍ଜନରେ ହିଁ ଆମର ଏକମାତ୍ର ଆକାଂକ୍ଷା ନିହିତ, ତେବେ ଆମେ ସମସ୍ତେ ସେହି ଗୋଟିଏ ନୌକାର ଯାତ୍ରୀ। ତାହା ହେଲେ ମାନବିକତା ଏବଂ ଅମାନବିକତା ମଧ୍ୟରେ ପାର୍ଥକ୍ୟ ଖୋଜି ପାଇବା କି? ତାହା ହେଲେ ମାନବିକତା ଓ ଅମାନବିକତା ଭଳି ବିଷୟକୁ ନେଇ ଏତେ କାନ୍ଦଣା କାହିଁକି? ଆମେ ସୁବିଧାବାଦୀ ରାଜନୀତି କରିଥାଉଁ। କିନ୍ତୁ ରାଜନୀତି ତ ଜୀବନର ଅଫିମ ନୁହେଁ, ଏହା ହିଁ ଜୀବନ! ଆମେ ନିଜ ଭାଷଣର ଉଚ୍ଚାଟରେ ମଧ୍ୟ ମୋହଗ୍ରସ୍ତ ହୋଇଯାଉ। ଏହା ଆମକୁ ଓ ଆମ ପରି ଅନେକଙ୍କୁ ଉଲ୍ଲସିତ କରେ, କାରଣ ଆମେ ନିଜ ସହିତ ରାଜନୀତି କରିବାରେ ଖୁସି! କି ବିଡ଼ମ୍ବନା?

ଆମର ନୈତିକତା ନିର୍ଭେଜାଲ ନା ଏହା ଭୟ, ଲୋଭ, ଆତ୍ମ-ରତି ଦ୍ବାରା ପରିଚାଳିତ? ନୈତିକତା ବା ନୀତିବାଦ କ’ଣ ସର୍ବଦା ବି‌େବକାନୁମୋଦିତ? ଆମେ ଏହି ଶବ୍ଦଗୁଡ଼ିକର ଉଦ୍ଭାବନ କରି ତାହାର ଉତ୍ସର ପବିତ୍ରତାକୁ ନଷ୍ଟ କରିଦେଇଛୁ। ଯେତେବେଳେ ଲୋକମାନେ ଅମ୍ଳଜାନ ଅଭାବରୁ ମୃତ୍ୟୁ ମୁଖରେ, ଆମେମାନେ କେବଳ ଦୋଷାରୋପ କରିବାରେ ବ୍ୟସ୍ତ; ଯେମିତି ‘ଟ୍ରକ୍ ଡ୍ରାଇଭର ସିଲିଣ୍ଡର ପହଞ୍ଚାଇବାରେ ବିଳମ୍ବ କରିଦେଲା’। ବେଳେବେଳେ ଲାଗେ ଏ ମହାମାରୀ ଆମର ଅଭିସନ୍ଧିକୁ ପ୍ରକଟ କରି ଦେଇଛି। କିନ୍ତୁ ପୁଣି ବେଳେବେଳେ ମନେହୁଏ ଯେ ମହାମାରୀ ଆମକୁ ନୈତିକ ସ୍ଖଳନ ମଧ୍ୟରେ ବଞ୍ଚିବାକୁ ବାଧ୍ୟ କରୁଛି। ଯଦି ପରବର୍ତ୍ତୀ କଥାଟି ସତ୍ୟ, ତେବେ ବର୍ତ୍ତମାନ ଠାରୁ କିଛି ବର୍ଷ ମଧ୍ୟରେ ଅନୈତିକତା ପାଇଁ କୌଣସି ଭୟ ବା ଦୁଃଖ ଏବଂ ତା’ର ଆକଳନ ଲାଗି କୌଣସି ସୂଚକାଙ୍କ ରହିବ ନାହିଁ। ଭଲ-ମନ୍ଦ, ଠିକ-ଭୁଲ୍‌; ସବୁ କିଛି ଏକା ଭଳି ଲାଗିବ; ତେଣୁ, ମୁହଁ ଲାଞ୍ଜକୁ କାମୁଡ଼ି ଧରିଥିବା ଭଳି ଏହା ଏକ ‘ଲୁପ୍‌’ରେ ପରିଣତ ହେବ।

ଯେତେବେଳେ ଆମେ ମଣିଷ ରୂପେ ଜୀବନଯାପନ କରିବା ଆରମ୍ଭ କଲୁ, କୌଣସି ପ୍ରତିଷ୍ଠାନ, ଚେତାବନୀ କିମ୍ବା ନୈତିକତାର ବ୍ୟାଖ୍ୟା ନ ଥିଲା। ସମୟାନୁକ୍ରମେ ଆମେ ସମସ୍ତ ନୀତିନିୟମମାନଙ୍କୁ ଏକତ୍ର କଲୁ। ଏହି ନୀତିନିୟମଗୁଡ଼ିକ ନ୍ୟାୟ ଏବଂ ସମାନତାର ଭାବନା ଉଦ୍ରେକ କଲା। ବର୍ତ୍ତମାନ ଆମେ ସମସ୍ତେ ସବୁ କିଛିକୁ ଯଥାର୍ଥ ବୋଲି ଗ୍ରହଣ କରି ନେଉଛୁ। ସୁତରାଂ, କୌଣସି ଭୁଲ୍‌ ହିଁ ନାହିଁ। ଫଳରେ, ଆମର ସ୍ବ-ପ୍ରତିଷ୍ଠିତ ନିୟମଗୁଡ଼ିକ ମୂଲ୍ୟହୀନ ହୋଇଯାଇଛି। ଟିକା ସାମ୍ରାଜ୍ୟବାଦ ‘ବୌଦ୍ଧିକ ସଂପଦ ଅଧିକାର’ ବା ଆଇ.ପି.ଆର.କୁ ସଶକ୍ତ କରିଛି, ଯଦିଓ ‘ବୌଦ୍ଧିକତା’ ଉପରେ ସମସ୍ତଙ୍କର ଅଧିକାର ଅଛି। ‘ନିଜ’ ଟିକାଗୁଡ଼ିକର ସାମର୍ଥ୍ୟ ଉପରେ ଆମେରିକା ଏବଂ ରୁଷର ବିଶେଷଜ୍ଞମାନଙ୍କ ବିବାଦ ଏକ ଶୀତଳ ଯୁଦ୍ଧର ଆଭାସ ଦେଲାଣି; ଏଣେ ଚୀନ୍ କାହାକୁ ଖାତିର ନ କରି ବାଂଲାଦେଶକୁ କ୍ୱାଡ ସହିତ ସମ୍ପର୍କ ନ ରଖିବାକୁ ଧମକ ଦେଉଛି; ଆଫଗାନିସ୍ତାନରେ ପିଲାମାନଙ୍କ ଗଣମେଧ ଯଜ୍ଞ ଚାଲିଛି ଏବଂ ସେମାନଙ୍କ ବିଦ୍ୟାଳୟଗୁଡ଼ିକ ଧୂଳିସାତ୍‌ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟ ଆମେ ଅଧିକ ଦିନ ବଞ୍ଚିବାକୁ ସଂଘର୍ଷ କରୁଛୁ। ପ୍ରଶ୍ନ ଉେଠ ସଚେତନ ନ ହୋଇ ଆମେ କ’ଣ ନୈତିକ ହୋଇପାରିବା? ଯେଉଁ ସଚେତନତା କାରଣରୁ ନୈତିକତା ସ୍ୱାଭାବିକ ଭାବରେ ଆସେ, ସେହି ସଚେତନତାକୁ ଧାର୍ମିକତା ବୋଲି କୁହାଯାଏ। ତାହା ହେଲା, ଯଦି ମୁଁ ଜୀବିତ ଅଛି, ତେବେ ମୁଁ କାହାକୁ କ୍ଷତି ପହଞ୍ଚାଇବି ନାହିଁ, ଚୋରି କରିବି ନାହିଁ, ନିର୍ଦୟ ବା ନିଷ୍ଠୁର ହେବିନାହିଁ। ଏଥି ଲାଗି ଆମ ଅନ୍ତଃକରଣକୁ ଜାଗ୍ରତ କରିବାକୁ ହେବ। ଏବଂ ଥରେ ତାହା ଜାଗ୍ରତ ହୋଇଗଲେ କ’ଣ ଭଲ ବା ନୈତିକ ବା କ’ଣ ଖରାପ ତାହା ବୁଝାଇ କହିବାର ଆଉ ଆବଶ୍ୟକତା ରହିବ ନାହିଁ। ତହିଁରେ ସଚେତନତା ହିଁ ନିର୍ଣ୍ଣାୟକ ଭୂମିକା ନେବ। ଆମ ଆବେଗ ସ୍ବତଃସ୍ଫୂର୍ତ୍ତ ଓ ସତେଜ ହେବ ଏବଂ ତାହା ଆମକୁ ପରୋପକାରୀ କରିବ।

ଏପରି ଏକ ବିନାଶକାରୀ ବିଶ୍ୱ-ମହାମାରୀ ସମୟରେ ମଧ୍ୟ ଉପନିବେଶବାଦ ଏବଂ ସଂକୀର୍ଣ୍ଣତା ଦୃଢ଼ ଭାବରେ ବିଦ୍ୟମାନ। ଦେଖାଯାଉଛି ଯେ ସୁବିଧାଭୋଗୀମାନେ ଅନ୍ୟମାନଙ୍କୁ ସେମାନଙ୍କ ସୁବିଧାର ଅଂଶୀଦାର କରିବାକୁ ଭୟ କରୁଛନ୍ତି। କିନ୍ତୁ କାହିଁକି? ସେମାନେ ନିଜେ ଲାଭ କରିଥିବା ସୁବିଧା ବିନା ନିଜ ଜୀବନର ପରିକଳ୍ପନା କରିପାରନ୍ତି ନାହିଁ। ସେମାନେ ଠୁଳ କରିଥିବା ସାମଗ୍ରୀ ଓ ସେମାନେ ଲାଭ କରିଥିବା ପ୍ରଭାବର ଦୁରୁପଯୋଗ ସମାଜରେ ସେମାନଙ୍କ ମୂଲ୍ୟ ବୃଦ୍ଧି କରିଥାଏ ସତ, କିନ୍ତୁ ଯେଉଁ ଲୋକମାନଙ୍କୁ ସେମାନେ ଅନୁଦାର ଭାବେ ପଛରେ ପକାଇ ଆଗକୁ ମାଡ଼ି ଥାଆନ୍ତି, ସେହିମାନଙ୍କ ସହିତ ସେହି ସମାନ ଆଇ.ସି.ୟୁ.ରେ ଭେଟାଭେଟି ମଧ୍ୟ ହୋଇଯାଏ!

ଅନ୍ତତଃ ଏ ପର୍ଯ୍ୟନ୍ତ କୋଭିଡ୍ ଆମକୁ କୌଣସି ଶିକ୍ଷା ଦେବାକୁ ସମର୍ଥ ହୋଇନାହିଁ। ଆମେ ଏବଂ ଆମର ଭବିଷ୍ୟତ୍‌ ପିଢ଼ି ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ‘କ୍ଲିନିକାଲ୍’ ପରୀକ୍ଷଣର ଅଧୀନସ୍ଥ- ଆମେ ଟିକା ବ୍ରାଣ୍ଡ୍‌ଗୁଡ଼ିକ ଭିତରେ ଦୋଳାୟମାନ ଏବଂ ଏଣେ ବିଦେଶୀ ଜୀବାଣୁ ବା ଭୂତାଣୁ ପୁଣି ଆମକୁ ଅତର୍କିତ ଆକ୍ରମଣ କରି ଆମ ସଭ୍ୟତାକୁ ପଙ୍ଗୁ କରିଦେବାକୁ ସଜବାଜ ହେଉଛନ୍ତି। ବ୍ଲାକ୍ ଫଙ୍ଗସ୍ ଓ ଅନ୍ୟାନ୍ୟ ରୋଗ ଜୀବାଣୁ ଆମ ଶରୀରର କ୍ଷୟ ସାଧନ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। କ୍ୟୁବାର ହାଭାନାରେ ବର୍ତ୍ତମାନ ‘ହାଭାନା ସିଣ୍ଡ୍ରୋମ୍’ ନାମକ ୧୩୦ରୁ ଅଧିକ ରହସ୍ୟମୟ ମସ୍ତିଷ୍କ କ୍ଷତଜନିତ ଘଟଣାମାନ ଘଟିଲାଣି; ଯାହା କ୍ୟୁବା ଓ ଆମେରିକା ମଧ୍ୟରେ ଅନ୍ୟ ଏକ ବିବାଦର ସୂତ୍ରପାତ କରିପାରେ। ମାନବିକତା ବିରୋଧରେ ଅଜ୍ଞାତ ଓ ରହସ୍ୟମୟ ସମର ଚାଲିଛି। ଆଗାମୀ ବର୍ଷରେ ଅଣୁଜୀବ ତୁଳନାରେ କ୍ଷେପଣାସ୍ତ୍ର କିମ୍ବା ଗ୍ରେନେଡ୍ କମ୍ ଲୋକଙ୍କ ମୃତ୍ୟୁର କାରଣ ହେବେ। ଯଦି ଆମେ ଏହି ସରଳ କଥାକୁ ହୃଦୟଙ୍ଗମ କରି ପାରିବା, ତେବେ ଜମିବାଡ଼ିର ମାଲିକାନା ବା କୌଣସି ଆଦର୍ଶରେ ଦୃଢ଼ ବିଶ୍ବାସ ଭଳି ବିଷୟରେ ଆମେ କାହିଁକି ପରସ୍ପର ସହିତ ଶତ୍ରୁତା କରିବା? ତାହା ହେଲେ ପ୍ରତିରକ୍ଷା ବଜେଟ୍ ହ୍ରାସ କରି ସ୍ୱାସ୍ଥ୍ୟ ବଜେଟ୍‌ରେ ଦ୍ରୁତ ବୃଦ୍ଧି କରାଯିବ।

ଆମେ ଏବେ ମାନବିକତାର ସର୍ବ ବୃହତ୍‌ ଯୁଦ୍ଧର ମଧ୍ୟ ସ୍ଥଳରେ ଦଣ୍ଡାୟମାନ। ତେବେ ଆମେ କ’ଣ ଆଶା କରି ଅପେକ୍ଷାରତ? ଭ୍ରଷ୍ଟ ରାଜନୀତି-ମୁକ୍ତ ଦୁନିଆ ଆମେ ସୃଷ୍ଟି କରିପାରିବା କି? ଧନୀ ଦେଶଗୁଡ଼ିକ ଆସନ୍ତାକାଲି ଗରିବ ଦେଶରେ ଟିକା ଉତ୍ପାଦନ ପାଇଁ ବୌଦ୍ଧିକ ଅଧିକାର ପ୍ରଦାନ କରିବେ କି? ଟିକା ଲାଗି ରହିଥିବା ଧାଡ଼ିରେ ମୁଁ ପଛେଇ ଯାଇ ଜଣେ ଦିନ ମଜୁରିଆକୁ ସେହି ଧାଡ଼ିରେ ଆଗକୁ ଯିବାକୁ ରାସ୍ତା ଦେଇପାରିବି କି?

ମହାମାରୀ ଆରମ୍ଭରୁ ହିଁ ବିଦେଶୀ ଏପିଡେମିଓଲୋଜିକାଲ୍ ମଡେଲଗୁଡ଼ିକ ଅବସାଦର ନିରନ୍ତର ଉତ୍ସ ହୋଇ ରହିଆସିଛନ୍ତି। ଏଗୁଡ଼ିକ ପ୍ରାୟତଃ ଭୟ ଉଦ୍ରେକ କରିଛନ୍ତି ଏବଂ ବିଭିନ୍ନ ତ୍ରୁଟି ପାଇଁ ବଦନାମ ହୋଇଛନ୍ତି। କିନ୍ତୁ ଏହି ମଡେଲଗୁଡ଼ିକରୁ ନୀତି ନିର୍ଦ୍ଧାରଣ ମଧ୍ୟ କରାଯାଉଛି। ଏହି ବିଦେଶୀ ଆକ୍ରମଣକୁ କିପରି ବନ୍ଦ କରାଯିବ, ତାହା କାହାକୁ ଜଣା ନାହିଁ। ଏହି ବିଦେଶୀ ଆକ୍ରମଣକାରୀମାନଙ୍କୁ ଆମେ ସୁଯୋଗ ଦେଉଛୁ କି?

ଆମେ ଆମର ବିଳାସମୟ ଜୀବନଶୈଳୀ କାରଣରୁ ଏ ପୃଥିବୀକୁ ଧ୍ବଂସ କରି ଚାଲିଛୁ। ଆମେ ପୃଥିବୀର ଜୀବସଂଖ୍ୟାର ମାତ୍ର ୦.୦୧ ପ୍ରତିଶତ, କିନ୍ତୁ ଆମେ ୮୩ ପ୍ରତିଶତ ଜୀବଜନ୍ତୁଙ୍କୁ ନଷ୍ଟ କରିଛୁ। ‘ମସ୍ତିଷ୍କ’ ନାମକ ଈଶ୍ବରୀୟ ଦାନକୁ ସତରେ ଆମେ କିଭଳି ଦୁରୁପଯୋଗ ନ କରିଛୁ? ଆମେ ନିଜକୁ ନିଜେ ପଚାରିବା ଉଚିତ ଯେ ଆମେ ଭବିଷ୍ୟତ୍‌ ଦୁନିଆର ଯତ୍ନ ନେଉଛୁ କି? ଆମେ ପ୍ରକୃତରେ ଏକ ଉନ୍ନତ ଜାତି କି?

ଜଳବାୟୁ ପରିବର୍ତ୍ତନ କାରଣରୁ ହିମବାହର ବହୁଳ ଅଂଶ ତରଳିବାକୁ ବସିଲାଣି। ଏହା ସମଗ୍ର ବିଶ୍ୱର ଭାରସାମ୍ୟକୁ ପ୍ରଭାବିତ କରିବ। ପୃଥିବୀକୁ ନତଜାନୁ କରି ଦେବାରେ ଆମେ ହିଁ ଦାୟୀ। ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଗଲା ଅଷ୍ଟମ ଦଶକରୁ ‘ଷ୍ଟ୍ରାଟୋସ୍ଫିଅର’ ଓ ବାୟୁମଣ୍ଡଳର ମୋଟେଇ ୪୦୦ ମିଟର ସଙ୍କୁଚିତ ହୋଇଛି। ଯେତେବେଳେ ଆମେ ବିଲୁପ୍ତିର ସମ୍ମୁଖୀନ ହେଉ, ସେତିକି ବେଳେ ଇତିହାସ ସହିତ ସଂଳାପରେ ରହିବା କଠିନ ହୋଇଯାଏ। ଆମେ ବର୍ତ୍ତମାନ କ୍ଷଣର ସମସ୍ୟା, ଆବଶ୍ୟକତା, ଅଭାବ ସହିତ ସଂଯୋଜିତ ରହୁ। ଆମେ ନିଜ ସହିତ ନିଜେ ମଗ୍ନ ରହୁ।

ଏଣେ ବିଜ୍ଞାନ ତା’ର ଶବ୍ଦାଡ଼ମ୍ବରୀ ଭାଷା ବ୍ୟତୀତ ଆମକୁ ଏପର୍ଯ୍ୟନ୍ତ ଆଉ କ’ଣ ଦେଇଛି? ବିଜ୍ଞାନ ପାଇଁ ଏହା ବୁଝିବା କ’ଣ ଏତେ କଷ୍ଟକର ଯେ ଜଣେ ବୈଜ୍ଞାନିକ ପ୍ରଥମେ ଜଣେ ସୁମନୁଷ୍ୟ ହେବା ଆବଶ୍ୟକ? ତାହା ବିନା କୌଣସି ବିଜ୍ଞାନର ଅଧ୍ୟୟନ ସମ୍ଭବ ନୁହଁ। ପୁଣି ପ୍ରଶ୍ନ ଉଠେ ଯେ ବିଜ୍ଞାନ କ’ଣ ଏଭଳି ଏକ ସ୍ୱୟଂକ୍ରିୟ ଧାରାରେ ପରିଣତ ହେଲାଣି ଯେ ଯହିଁରେ ମଣିଷର ଆଉ କୌଣସି ଭୂମିକା ନାହିଁ? ମସ୍ତିଷ୍କ ନାମକ ଜିନିଷଟି ନ୍ୟୁଟ୍ରନ୍, ତାରା, ବ୍ଲାକ୍ ହୋଲ୍, ନ୍ୟୁରନ୍‌ସ୍ ଆଦି ବିଷୟରେ ଜାଣେ କିମ୍ବା ଜାଣିଛି ବୋଲି ଦାବି କରେ। ଏହି ମସ୍ତିଷ୍କ ଗାଣିତିକ ରହସ୍ୟ ବା ଦାର୍ଶନିକ ଅନ୍ଧକାର ଉପରେ ମଧ୍ୟ ଆଲୋକପାତ କରିପାରେ। ମସ୍ତିଷ୍କ ଯୋଗୁଁ ବିଭିନ୍ନ ଜଟିଳତା ଦୂର କରାଯାଇ ‘ବୈଜ୍ଞାନିକ ଶ୍ରେଷ୍ଠତା’ ପ୍ରତିଷ୍ଠିତ ହେଉଛି। କିନ୍ତୁ ଏହି ଶ୍ରେଷ୍ଠତା ଆଜି ରାଷ୍ଟ୍ର ଏବଂ ସମ୍ପ୍ରଦାୟକୁ ବିଭାଜିତ କରୁଛି। ଯଦି ଆମେ ନିଜ ସହିତ ଏବଂ ଅନ୍ୟମାନଙ୍କ ସହିତ କିଛି ସମୟ ବିତାଇ ଥା’ନ୍ତେ ଏବଂ ପୃଥିବୀରେ ଜୀବନର ମହତ୍ତ୍ୱ ବୁଝିଥା’ନ୍ତେ, ତେବେ ଜୀବନ ଭିନ୍ନ ପ୍ରକାରେ ହୋଇଥା’ନ୍ତା। ଆମେ ସହର, କାର୍‌, ଜେଟ୍, ରକେଟ୍ ଇତ୍ୟାଦି ଭଳି ପରିବେଶକୁ ବିଷାକ୍ତ କରୁଥିବା ଜିନିଷ ପାଇଁ ଆମ ପଦ ତଳେ ଥିବା ମୃତ୍ତିକାକୁ ନିର୍ଦୟ ଭାବରେ ଉପଯୋଗ କରନ୍ତେ ନାହିଁ। ଆଜି ଆମେ ସେହି ପ୍ରଶ୍ନ ଗୁଡ଼ିକର ସମ୍ମୁଖୀନ ହେଉଛୁ ଯାହା ମାନବ ବିକାଶର ପ୍ରାରମ୍ଭିକ କାଳରେ ଦେଖିବାକୁ ମିଳିଥିଲା। ଜୀବନ ଏବଂ ଜୀବନଶୈଳୀରେ ଆମର ଅପ୍ରତିହତ ଉନ୍ନତି ହିଁ ଆମକୁ ପଦାନତ କରି ରଖିଛି। ପ୍ରଶ୍ନ ଉଠେ ଯେ ଆବିଷ୍କାର କିମ୍ବା ଉଦ୍ଭାବନ ହେତୁ କୌଣସି ପ୍ରକାରର ଅପ୍ରାପ୍ତି ପୂର୍ଣ୍ଣ ହୋଇଛି କି? ଆମେ ଅପର୍ଯ୍ୟାପ୍ତ ଓ ଅତୃପ୍ତିର ଯାତ୍ରାରେ ଧ୍ୟେୟ ଠାରୁ ଦୂରେଇ ଯାଉଛୁ। ବିଜ୍ଞାନ ଆଜି ‘ଅସୀମ ଜ୍ଞାନପିପାସା’ର ଉତ୍ସ ହୋଇ ରହିନାହିଁ। ଏହା ବ୍ରହ୍ମାଣ୍ଡକୁ ଶାସନ କରିବା ପାଇଁ ଜ୍ଞାନକୌଶଳ ଭାବରେ ମଣିଷ ଦ୍ୱାରା ପ୍ରସ୍ତୁତ ଏକ ଉପକରଣରେ ପରିଣତ ହୋଇଛି। କିନ୍ତୁ ଏହି ଉପକରଣ ଆମ ଅଧୀନରେ ଅଛି ନା ଖସି ଗଲାଣି?

ମୁଁ ଅଧିକରୁ ଅଧିକ ନିଶ୍ଚିତ ହେଉଛି ଯେ ନୂତନ ଯନ୍ତ୍ର ନିଃସନ୍ଦେହରେ ମଣିଷକୁ ଅତିକ୍ରମ କରିବ ଏବଂ ସେଠାରେ ଏକ ସୁଖ ପ୍ରାପ୍ତିର ସୁଯୋଗ ମଧ୍ୟ ମିଳିପାରେ। ଶିଶୁର କ୍ରମୋନ୍ନତି ହେବା ସଙ୍ଗେ ସଙ୍ଗେ ପିତାମାତାଙ୍କ ପ୍ରଭାବ ହ୍ରାସ ପାଏ। ସେହିଭଳି ଆମ ଦ୍ୱାରା ସୃଷ୍ଟ ଯାନ୍ତ୍ରିକ ଉପକରଣ କ୍ରମେ ଆମର ସ୍ଥାନ ଅଧିକାର କରିବ। ଏହା ଆରମ୍ଭ ହୋଇସାରିଛି। ଯେତେବେଳେ ମଣିଷ ସହାନୁଭୂତି, ସମ୍ବେଦନଶୀଳତା ଏବଂ ନୈତିକତା ତ୍ୟାଗ କରେ, ସେତେବେଳେ ମଣିଷ ଏବଂ ମେସିନ୍ ମଧ୍ୟରେ ପାର୍ଥକ୍ୟ ବା କ’ଣ ରହିଯାଏ? ସେହି କ୍ଷେତ୍ରରେ ମେସିନ୍ ବରଂ ଅଧିକ ଦକ୍ଷ, ଶକ୍ତିଶାଳୀ ଏବଂ ପାରଦର୍ଶୀ ହେବ। ମୁଁ କେବଳ ଆଶା କରିବି ଯେ ମେସିନ୍ ମାନବ ଛଳନା, ଅନ୍ୟମନସ୍କତା ଏବଂ ଅବିଶ୍ୱସନୀୟ ନିର୍ବୋଧତା ଆହରଣ କରିବ ନାହିଁ। ମଣିଷମାନେ ପ୍ରମାଣ କରିବା ଆବଶ୍ୟକ ଯେ ସେମାନେ ମହାନ; କାରଣ ସେମାନେ ବିବେକୀ ଏବଂ ସେହି କାରଣରୁ ସେମାନେ ସର୍ବୋତ୍ତମ ଜାତି ହେବାକୁ ଯୋଗ୍ୟ।

[email protected]

ସମ୍ବନ୍ଧିତ ଖବର