ଆଜି ଯେତେବେଳେ ‘ହନୁମାନ ଜୟନ୍ତୀ’ ପାଳିତ ହେବାକୁ ଯାଉଛି, ସେତିକି ବେଳେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜେର ବଲସୋନରୋଙ୍କ ‘ସଂକଟ ମୋଚନ ହନୁମାନ’ଙ୍କ ପ୍ରଶଂସା ବହନକାରୀ ଏକ ପତ୍ରକୁ ଏକ କାଳତାଳୀୟ ସଂଯୋଗ ରୂପେ ବିଚାର କରାଯାଇ ନ ପାରେ। କାରଣ ଏହି ଚିଠିର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ବକୁ କରୋନା ମହାସଂକ୍ରମଣରୁ ମୁକ୍ତ କରିବା ଲାଗି ଭାରତ ‘ସଂକଟ ମୋଚନକାରୀ ହନୁମାନ’ଙ୍କ ଭୂମିକାରେ ଅବତୀର୍ଣ୍ଣ ହେବା ଲାଗି ଏକ ଅନୁରୋଧ। ବ୍ରାଜିଲ ରାଷ୍ଟ୍ରପତିଙ୍କ ଚିଠିରେ ରାମାୟଣର ଯେଉଁ ପ୍ରସଙ୍ଗର ଅବତାରଣା କରାଯାଇଛି ତାହା ହେଲା ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ସଂଘଟିତ ଯୁଦ୍ଧରେ ଲକ୍ଷ୍ମଣଙ୍କ ଶକ୍ତିଭେଦ କାଳରେ ଔଷଧୀୟ ଗୁଳ୍ମ ବିଶଲ୍ୟକରଣୀର ସନ୍ଧାନରେ ଯାଇଥିବା ହନୁମାନ ଗଛଟିକୁ ଚିହ୍ନି ନ ପାରି ପୂରା ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ଆଣିଥିବାର ପୌରାଣିକ ଆଖ୍ୟାୟନ। ଏହାର ଦୃଷ୍ଟାନ୍ତ ଦେଇ ବ୍ରାଜିଲ ରାଷ୍ଟ୍ରପତି ତାଙ୍କ କରୋନା ପୀଡ଼ିତ ରାଷ୍ଟ୍ର ସକାଶେ ‘ହାଇଡ୍ରୋକ୍‌ସି କ୍ଲୋରୋକୁଇନ୍‌’ ମାଗିଛନ୍ତି।

Advertisment

କିଛି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମଧ୍ୟ ପ୍ରଥମେ ଅନୁରୋଧ ଓ ପରେ ଧମକ ମାଧ୍ୟମରେ ଭାରତ ଠାରୁ ଏହି ଔଷଧ ଲାଭ କରିସାରିଛନ୍ତି। ପ୍ରକାଶ ଥାଉ କି ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭାରତ ସରକାର ‘ହାଇଡ୍ରୋକ୍‌ସି କ୍ଲୋରୋକୁଇନ୍’ର ରପ୍ତାନିକୁ ବନ୍ଦ କରି ଦେଇଥି‌େଲ। କିନ୍ତୁ ଆମେରିକାକୁ ଯୋଗାଇବା ଲାଗି ରପ୍ତାନି କଟକଣାକୁ ଉଠାଇ ଦିଆଯାଇଛି। ଅବଶ୍ୟ, ଏହା ପରେ ଭାରତର ମହାନତାକୁ ଆମେରିକାର ରାଷ୍ଟ୍ରପତି ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତେବେ ସେ ଯାହା ହେଉ, ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ହେଉଛି ଏହି ଔଷଧର ସର୍ବ ବୃହତ୍‌ ପ୍ରସ୍ତୁତକର୍ତ୍ତା ଏବଂ ସଂପ୍ରତି କରୋନା ମୁକାବିଲା ଲାଗି ଏହା ହିଁ ହେଉଛି ଅନ୍ୟତମ ସର୍ବାଧିକ ଲୋଡ଼ା ଯାଉଥିବା ଔଷଧ। ବର୍ତ୍ତମାନ ଯେତେବେଳେ ସଂପୂର୍ଣ୍ଣ ମାନବ ସମାଜ କରୋନା ସଂକ୍ରମଣ ହେତୁ ଏକ ପ୍ରକାର ଅସ୍ତିତ୍ବ ସଂକଟ ମଧ୍ୟରେ, ସେତିକି ବେଳେ ସଂକଟଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ କ୍ଲୋରୋକୁଇନ ଯୋଗାଇ ଦେବା ଭାରତୀୟ ମହାନତାର ପରିଚୟ ଭାବେ ସାବ୍ୟସ୍ତ ହୋଇଛି।

ଏହା ସତ ଯେ କରୋନା ସଂକ୍ରମଣର ଭୟାବହତାର ସମାପ୍ତି ପରେ ଏହି ପୃଥିବୀରେ ଅନେକ ନୂତନ ଦୃଶ୍ୟ ଦେଖିବାକୁ ମିଳିବ। ନିଜ ଦେଶରୁ ‘ଭେଣ୍ଟିଲେଟର’ ରପ୍ତାନି ବନ୍ଦ କରି ଦେଇଥିବା ଆମେରିକାର ସଂକୀର୍ଣ୍ଣତା ଦିଶିବା ସହିତ ‘ସଂକଟ ମୋଚନ’ଙ୍କ ଭୂମିକାରେ ଅବତୀର୍ଣ୍ଣ ଭାରତର ବିଶାଳ ହୃଦୟବତ୍ତା ମଧ୍ୟ ଆଲୋଚନାର ବିଷୟ।