ସୁନ୍ଦରଲାଲ ବହୁଗୁଣା: ଏକ ସୁଖ-ଦୁଃଖଦ ଅନୁଭୂତି

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ସାରା ବିଶ୍ବରେ ପରିବେଶ, ଜମି, ଜଙ୍ଗଲ, ଜଳ ସୁରକ୍ଷା ପାଇଁ ଏକ ଜଣାଶୁଣା ନାଁ ସୁନ୍ଦରଲାଲ ବହୁଗୁଣା। ୧୯୭୦ ଦଶକରେ ହିମାଳୟ ପାଦଦେଶରେ ଅବସ୍ଥିତ ଉତ୍ତରାଖଣ୍ତର କେତେକ ଗ୍ରାମାଞ୍ଚଳରେ ମହିଳାମାନେ ଜଙ୍ଗଲ ସୁରକ୍ଷା ପାଇଁ ଏକାଠି ହୋଇ ଏକ ନୂଆ ପ୍ରକାର ଆନ୍ଦୋଳନ ଆରମ୍ଭ କରିଥିଲେ। ତା ନାଁ ଥିଲା ‘ଚିପ୍‌କୋ’ ଅର୍ଥାତ୍‌ କୁଣ୍ଢାଇ ଧରିବା। ଇ˚ରେଜୀ ଭାଷାରେ ‘‘ଟ୍ରି ହଗିଙ୍ଗ୍‌’’। କାଠ ମାଫିଆଙ୍କ ଠାରୁ ଜଙ୍ଗଲ ସୁରକ୍ଷା ପାଇଁ ସେମାନେ ଗଛକୁ ଜାବୁଡ଼ି ଧରି କହୁଥିଲେ ଗଛକୁ କାଟିବା ପୂର୍ବରୁ ଆଗ ଆମକୁ କାଟ। ଏହି ଆନ୍ଦୋଳନର ପୁରୋଧା, ପୃଷ୍ଠପୋଷକ ଓ ପ୍ରବକ୍ତା ଥିଲେ ସୁନ୍ଦରଲାଲ। ସାରା ଜୀବନ ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗ କରିଥିଲେ। ଆଜି ‘ଚିପ୍‌କୋ’ ଏକ ଅନ୍ତର୍ଜାତୀୟ ଉଦାହରଣ। ଗାନ୍ଧୀବାଦୀ ବହୁଗୁଣାଙ୍କର ଏକ ବହୁ ଉଦ୍ଧୃତ ଉକ୍ତି ହେଲା- ‘ଇକୋଲଜିି’ ହିଁ ପ୍ରକୃତ ‘ଇକନୋମି’। ଏହା ପରେ ବହୁଗୁଣା ଆରମ୍ଭ କରିଥିଲେ ନଦୀ ସୁରକ୍ଷା ପାଇଁ ବନ୍ଧ ବିରୋଧୀ ଆନ୍ଦୋଳନ। ଏଥିରେ ଯେଉଁମାନେ ତାଙ୍କ ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥିଲେ ସେମାନେ ହେଲେ ଗୌଡ଼ା ଦେବୀ, ସୁରେଖା ଦେବୀ, ସୁଦେଶା ଦେବୀ, ବଚନୀ ଦେବୀ ଓ ଚଣ୍ତୀ ପ୍ରସାଦ ଭଟ୍ଟ ଏବ˚ ଆହୁରି ଅନେକ। ଆଜି ସେମାନଙ୍କୁ ସ୍ମରଣ କରିବାର ଦିନ। ୧୯୨୭ ଜାନୁଆରି ୯ ତାରିଖରେ ଜନ୍ମ ଏହି ମହାନ୍‌ ଆତ୍ମା କୋଭିଡ୍ ସ˚କ୍ରମଣ ଯୋଗୁଁ ୨୦୨୧, ମେ ୨୧ ତାରିଖରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି। ତାଙ୍କରି ସ୍ମୃତିରେ ଏକ ଛୋଟ ବ୍ୟକ୍ତିଗତ ଅନୁଭୂତି ପାଠକ ଓ ପରିବେଶପ୍ରେମୀଙ୍କ ସାମନାରେ ରଖିବା ଉଚିତ ହେବ।

ଏହା ୧୯୮୧-୮୨ ମସିହାର କଥା। ସେତେବେଳେ କେନ୍ଦ୍ର ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରଣାଳୟ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ଅଧୢାପକମାନଙ୍କ ସହଯୋଗରେ ସାରା ଭାରତରେ ଏକ ବିଶାଳ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି। ତା’ ନାମ ରଖାଯାଇଥାଏ ‘‘ୟୁଥ୍‌ ଫର‌୍‌ ଇକୋଲଜି ଅଭିଯାନ’’। ଲକ୍ଷ୍ୟ ଥିଲା ଜନ ସଚେତନତା ସହ ଦଶ କୋଟି ବୃକ୍ଷରୋପଣ। ଆଗ ଧାଡ଼ିରେ ଥିଲେ ଜାତୀୟ ସେବା ଓ ଯୋଜନାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ। ଏହି ଯୋଜନାର ପ୍ରୋଗ୍ରାମ କୋଅର୍ଡିନେଟର ବା ସ˚ଯୋଜକ ଭାବରେ ଲେଖକ ବାଣୀବିହାର ପ୍ରଶାସନିକ ବ୍ଲକ୍‌ରେ ବସୁଥାଏ। ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ୧୮୦ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବା ଏନ୍‌.ଏସ୍‌.ଏସ୍‌ କାର୍ଯ୍ୟକ୍ରମ ଚାଲୁଥାଏ। ପ୍ରାୟ ୨୦ ହଜାର ସ୍ବେଚ୍ଛାସେବୀ ଥା’ନ୍ତି। ଏହି କାର୍ଯ୍ୟକ୍ରମର ଅପୂର୍ବ ସଫଳତା ଦେଖିବା ପାଇଁ ବିଶିଷ୍ଟ ଲୋକମାନେ ଆସୁଥାନ୍ତି। ଏତିକି ବେଳେ, ସହକର୍ମୀଙ୍କ ସହ ଆଲୋଚନା କରୁଥିଲା ବେଳେ, ଦୁଇ ଥର ଠକ୍‌ ଠକ୍‌ ଶବ୍ଦ ଶୁଭିଲା ଓ ତା’ର ଅଧ ମିନିଟ୍‌ ପରେ ଜଣେ ବୟସ୍କ, ଋଷିପ୍ରତିମ ବ୍ୟକ୍ତି କବାଟ ଠେଲି କକ୍ଷରେ ପ୍ରବେଶ କଲେ। ମୁଣ୍ତରେ ଧଳା ପଗଡ଼ି, ମୁହଁରେ ଦାଢ଼ି, କାନ୍ଧରେ ଖଦି ଝୋଲା, ହାତରେ ବାଡ଼ି। ହାତ ଯୋଡ଼ି କହିଲେ- କ୍ଷମା କରିବେ, ବାହାରେ ନେମ୍‌ପ୍ଲେଟ୍ ଦେଖି ପଶି ଆସିଲି। ଆପଣ ଭଗବାନପ୍ରକାଶ? କହିଲି ହଁ ଆଜ୍ଞା। ପୁଣି ତାଙ୍କ ଆଡୁ କହିଲେ- ମୋ ନାଁ ସୁନ୍ଦରଲାଲ ବହୁଗୁଣା। କ୍ଷଣକ ପାଇଁ ସ୍ତମ୍ଭୀଭୂତ ଓ ଅବାକ୍‌ ହେଇଗଲି। ନମସ୍କାର କରି କହିଲି- ଅହୋଭାଗ୍ୟ!! ଆପ୍‌କୋ, ଇସ୍‌ ଦୁନିଆମେ କୌନ ନେହିଁ ଜାନତା? ହମ୍‌ ଲୋଗ୍‌ ତୋ ଧନ୍ୟ ହୋ ଗୟେ। ହମେ ଥୋଡ଼ାସା ପତ୍ତା ହୋତା ତୋ ଖୁଦ୍‌ ଆଜାତେ! ସସମ୍ମାନେ ପାଛୋଟି ଆଣି ସୋଫାରେ ବସାଇଲି। ସେ ପୁଣି ହିନ୍ଦୀରେ କହିଲେ- ‘‘ମୁଁ ଏବେ ଓଡ଼ିଶା ଆସିଚି। ଶୁଣିଲି ପରିବେଶ ସୁରକ୍ଷା ପାଇଁ ଆପଣମାନେ ଖୁବ୍‌ ଭଲ କାମ କରୁଛନ୍ତି। ଭାବିଲି ଭେଟିବି ଓ ବ୍ୟକ୍ତିଗତ ଭାବରେ ବଧେଇ ଜଣାଇବି। ମାଫ୍‌ କରନା।’’ ଏତେ ବଡ଼ ଉତ୍ସର୍ଗୀକୃତ ବ୍ୟକ୍ତିତ୍ବ, କିନ୍ତୁ ଏତେ ସରଳ, ଏତେ ନମ୍ର- କ୍ଷଣିକରେ ଆମ ମନ କିଣିନେଲେ। ସନ୍ତର୍ପଣରେ ପଚାରିଲି ଏହି ବିଶ୍ବବିଦ୍ୟାଳୟ କୁଳପତି ଜଣେ ବିଶିଷ୍ଟ ରସାୟନ ବିଜ୍ଞାନୀ। ଏବେ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ଭାବେ ଯୋଗ ଦେବେ। ମୁଁ ଖୁସି ହେବି ଯଦି ଆପଣ ଦୁଇ ଜଣ ପରସ୍ପରକୁ ଭେଟନ୍ତେ। ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ।

ଏବେ ସୁଖଦ ଅନୁଭୂତିର ଅନ୍ତ ଓ ଦୁଃଖଦ ଅନୁଭୂତିର ଆରମ୍ଭ ହୋଇଗଲା। କୁଳପତିଙ୍କୁ ଫୋନ୍‌ ଲଗାଇ ଉତ୍ସାହ ଓ ଉତ୍ତେଜନାଭରା ସ୍ବରରେ କହିଲି- ସାର‌୍‌, ସୁନ୍ଦରଲାଲ ବହୁଗୁଣା ଆସିଛନ୍ତି ଓ ମୋ ପାଖରେ ବସିଛନ୍ତି। ଆପଣ ଉଭୟେ ଭେଟିଲେ ଭଲ ହୁଅନ୍ତା। ୫-୧୦ ମିନିଟ୍‌ ପାଇଁ। ଏକ ଅତି ଶୀତଳ ସ୍ବରରେ ସେ ପଚାରିଲେ- ସୁନ୍ଦରଲାଲ୍‌ ବହୁଗୁଣା କିଏ ସେ? କହିଲି ସେ ରମୋନ୍‌ ମାଗ୍‌ସେସେ ଆନ୍ତର୍ଜାତିକ ପୁରସ୍କାର ବିଜେତା ଓ ଚିପ୍‌କୋ ଆନ୍ଦୋଳନର ଜନକ ଓ ନେତା। ହ୍ବାଟିଜ୍‌ ଚିପ୍‌କୋ? ବା ଚିପ୍‌କୋକ ’ଣ? ଥିଲା ତାଙ୍କର ପରବର୍ତ୍ତୀ ପ୍ରଶ୍ନ। ଆଶା କରି ନ ଥିଲି ଏପରି ଅଜ୍ଞତା ଓ ପ୍ରତିକ୍ରିୟା। ସେ ଯାହା ହେଉ ତାଙ୍କୁ ବୁଝାଇ ରାଜି କରିବାକୁ ଲାଗିଲା ୧୫ ମିନିଟ୍‌। ଶେଷକୁ କହିଲେ- ଏବେ ବାରଟା ବାଜିଲାଣି। ଲଞ୍ଚ୍‌ ପାଇଁ ଘରକୁ ଯିବି। ତାଙ୍କୁ କହ ଚାରିଟା ବେଳକୁ ଆସିବେ। ଏବେ ଆମ ହାତରେ ରହିଲା ପାଞ୍ଚ ଘଣ୍ଟା। ଏହି ସମୟରେ ଓଡ଼ିଶାର କେତେକ ଜଣାଶୁଣା ପରିବେଶବିତ୍‌ ଓ ଆକ୍‌ଟିଭିଷ୍ଟ ଆସିି ତାଙ୍କ ସହ ମିଶିଲେ। ସେତେବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶା ଏନ୍‌.ଏସ୍‌.ଏସ୍‌ ଦାୟିତ୍ବରେ ଥିବା ପ୍ରଫେସର ରାଧାମୋହନ ଓ ଚିଫ୍‌ କଞ୍ଜର‌୍‌ଭେଟର‌୍‌ ଅଫ୍‌ ଫରେଷ୍ଟ ପଦାରବିନ୍ଦ ମହାପାତ୍ର ଖବର ପାଇ ବହୁଗୁଣାଙ୍କୁ ଭେଟିଲେ। ପରଦିନ ଏକ ସଭାରେ ଭାଷଣ ଦେବା ପାଇଁ ପ୍ରସ୍ତାବ ରଖିଥିଲୁ ଆମେ। କିନ୍ତୁ ବହୁଗୁଣା ସେଥିରେ ରାଜି ହେଲେ ନାହିଁ। କହିଲେ ସଭାରେ ସମୟ ନଷ୍ଟ କରିବା ଅପେକ୍ଷା ସେ ପାଖରେ ଥିବା ଏକ ବିଦ୍ୟାଳୟର ପିଲାଙ୍କୁ ଭେଟି କଥା ହେବା ପସନ୍ଦ କରିବେ। ସେଇଆ କରାଗଲା।

ଚାରିଟା ବାଜିବାର ୫ ମିନିଟ୍‌ ପୂର୍ବରୁ ବହୁଗୁଣାଙ୍କୁ ସାଙ୍ଗରେ ନେଇ କୁଳପତିଙ୍କ ଚେମ୍ବରରେ ପହଞ୍ଚିଲୁ। ସେ ଫାଇଲ୍‌ ଚାଷରେ ବ୍ୟସ୍ତ ଥିଲେ। ଦେଖିଲା ପରେ ବି ବସିବାକୁ କହିଲେ ନାହିଁ। ଆମେ ଉଭୟେ ଠିଆ ହୋଇ ରହିଲୁ। ତଥାପି ମୁହଁକୁ ନ ଚାହିଁ ପଚାରିଲେ ମିଷ୍ଟର ବହୁଗୁଣା- ତମର ଶିକ୍ଷାଗତ ଯୋଗ୍ୟତା କ’ଣ? ଏହା ଶୁଣି ମୋ ମୁହଁ ତଳକୁ ହୋଇଗଲା। ବହୁଗୁଣା ନିରାସକ୍ତ ଭାବରେ ଉତ୍ତର ଦେଇ କହିଲେ- ‘‘ଭାଇସ୍‌ ଚାନ୍‌ସେଲର ସାହାବ, ମୁଁ ଶିକ୍ଷାଗତ ଯୋଗ୍ୟତାର ସବୁ ପ୍ରମାଣ ପତ୍ର ଚିରି ପୋଡ଼ି ଦେଇଚି। ପରିବେଶ ଚେତନା ଓ ସୁରକ୍ଷା ପାଇଁ ଏଗୁଡ଼ିକ କୌଣସି କାମରେ ଆସିଲା ନାହିଁ’’। ‘‘ଓ କେ, ୟୁ କ୍ୟାନ୍‌ ଲିଭ୍‌ ନାଓ’’ କହି କୁଳପତି ପୁଣି ଫାଇଲ୍‌ କାମରେ ଲାଗିଗଲେ। ପାଞ୍ଚ ଘଣ୍ଟା ଅପେକ୍ଷା ପରେ ମିଟିଙ୍ଗ ପାଞ୍ଚ ମିନିଟ୍‌ରେ ସରିଗଲା। ତାଙ୍କୁ ସାଙ୍ଗରେ ନେଇ ଫେରି ଆସିଲି ଓ କ୍ଷମା ମାଗିଲି। ଅଳ୍ପ ହସି କହିଲେ- ‘‘ମୋ ପାଇଁ ମଧୢ ଏପରି ଅଭିଜ୍ଞତା ଆବଶ୍ୟକ ଥିଲା। ଏତିକିବେଳେ ବିଶିଷ୍ଟ ଐତିହାସିକ ପ୍ରଫେସର ମନ୍ମଥନାଥ ଦାସଙ୍କ ଫୋନ୍‌ ଆସିଲା, ପଚାରିଲେ- ଶୁଣିଲି ସୁନ୍ଦରଲାଲ ବହୁଗୁଣା ଆସିଛନ୍ତି। କହିଲି, ହଁ ଆଜ୍ଞା ଏବେ ମୋ ରୁମ୍‌ରେ ମୋ ପାଖେ ବସିଛନ୍ତି। ଆପଣଙ୍କ ସମୟ ଥିଲେ ତାଙ୍କୁ ନେଇ ଆପଣଙ୍କ ସହ ଭେଟାଇବି। ସେ କହିଲେ – ନାଇଁ ନାଇଁ ମୁଁ ନିଜେ ତାଙ୍କୁ ଦର୍ଶନ କରିବାକୁ ଆସୁଚି।

ସେତେବେଳକୁ ମନ୍ମଥ ବାବୁ ଚଳିତ କୁଳପତିଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହୋଇଥା’ନ୍ତି। ପାଞ୍ଚ ମିନିଟ୍‌ରେ ଆସି ପହଞ୍ଚିଗଲେ। ଐତିହାସିକ ଓ ପରିବେଶପ୍ରେମୀଙ୍କ ମଧୢରେ ଚାଲିଲା ଦୁଇ ଘଣ୍ଟା ଧରି ଗଭୀର ଆଲୋଚନା। ଫେରିବା ପୂର୍ବରୁ ପ୍ରଫେସର ପରିବେଶବିତ୍‌ଙ୍କୁ ପଚାରିଲେ- ‘‘ବହୁଗୁଣାଜୀ, ଆପଣ ଜାଣନ୍ତି କିପରି ପରିବେଶ ଅଜ୍ଞାନତାରୁ ଭାରତର ଇତିହାସ ବଦଳି ଯାଇଥିଲା?’’ ହଠାତ୍‌ ଠିଆ ହୋଇପଡ଼ି ବହୁଗୁଣା କହିଲେ- ‘ନୋ ପ୍ରଫେସର ଦାସ, ମୁଁ ଏକଥା ଶୁଣିନି କି ଜାଣିନି। ଦୟା କରି କୁହନ୍ତୁ।

ଏହା ପରେ ପ୍ରଫେସର ଦାସ ପ୍ରାୟ ୪୦ ମିନିଟ୍‌ ଧରି ବହୁଗୁଣାଙ୍କୁ ଯାହା କହିଥିଲେ, ତା’ର ସାରା˚ଶ ଏହିପରି: ୧୭୫୭ ମସିହା ଜୁନ୍‌ ମାସରେ ଭାରତ ଅଧିକାର ପାଇଁ ଇଷ୍ଟ ଇଣ୍ତିଆ କମ୍ପାନି ଓ ନବାବ ସିରାଜୁଦୌଲାଙ୍କ ମଧୢରେ ଏକ ପ୍ରବଳ ଯୁଦ୍ଧ ହୋଇଥିଲା। ଇଷ୍ଟ ଇଣ୍ତିଆ କମ୍ପାନିର କମାଣ୍ତର ଥିଲେ ଲର୍ଡ କ୍ଲାଇବ୍‌। ଏବ˚ ନବାବଙ୍କ ବିଶାଳ ସୈନ୍ୟବାହିନୀ ଆଗରେ କମ୍ପାନି ସୈନ୍ୟଙ୍କ ସ˚ଖ୍ୟା ଥିଲା ଖୁବ୍‌ କମ୍‌। ଭାରତ ସ୍ବାଧୀନତା ପାଇଁ ଏହା ଥିଲା ଶେଷ ଯୁଦ୍ଧ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସିରାଜୁଦୌଲାଙ୍କ ସେନାବାହିନୀ ଏହି ଯୁଦ୍ଧ ହାରି ଯାଇଥିଲେ। ଏବ˚ କମ୍ପାନି ୨୫୦ ବର୍ଷ ଧରି ପୃଥିବୀର ବୃହତ୍ତମ ସାମରିକ ତଥା ଅର୍ଥନୈତିକ ଶକ୍ତି ହୋଇ ଯାଇଥିଲା। ଏହି ପରାଜୟ ପାଇଁ ଅନେକ କାରଣ ଦର୍ଶାଯାଏ। ସେ ମଧୢରେ ମିର‌୍‌ଜାଫରଙ୍କ ବିଶ୍ବାସଘାତକତା ଗୋଟିଏ। କିନ୍ତୁ ପ୍ରଫେସର ଦାସଙ୍କ ଭଳି ଐତିହାସିକ ଓ ଗବେଷକଙ୍କ ମତରେ ପରାଜୟର ମୁଖ୍ୟ କାରଣ ମିର‌୍‌ଜାଫର ନୁହନ୍ତି ବର˚ ପରିବେଶ ଅଜ୍ଞାନତା। ଜୁନ୍‌ ମାସରେ ଭାରତରେ ବର୍ଷା ଋତୁର ଆରମ୍ଭ। ଯୁଦ୍ଧର ପୂର୍ବ ଦିନ ଖରା ପାଗ ହେତୁ ନବାବଙ୍କ ସେନାପତିମାନେ ଗନ୍‌ ପାଉଡ଼ର ବା ଗୋଳା ବାରୁଦକୁ ଶୁଖାଇବାକୁ ବାହାରେ ରଖିଥିଲେ। କିନ୍ତୁ ଅପ୍ରତ୍ୟାଶିତ ଭାବରେ ସେଦିନ ରାତିରେ ପ୍ରବଳ ବର୍ଷା ହେବାରୁ ସବୁ ଗୋଳାବାରୁଦ ଭିଜି ଓଦା ହେଇଗଲା। ଫଳରେ ସିରାଜୁଦୌଲା ପଲାସୀ ଯୁଦ୍ଧ ହାରିଗଲେ। ଭାରତ ଇତିହାସର ଗତି ଓ ପ୍ରକୃତି ବଦଳି ଗଲା। ପ୍ରଭାବିତ ହେଲା ସାରା ପୃଥିବୀ। ମଜଭୁତ ହେଇଗଲା ଉପନିବେଶବାଦ। ଆହୁରି ଶହେ ବର୍ଷ ଘୁଞ୍ଚିଗଲା ସ୍ବାଧୀନତା। ସେଥିରୁ ଜନ୍ମ ହେଲେ ଗାନ୍ଧୀ। ଏହି ଚିତ୍ତାକର୍ଷକ କାହାଣୀକୁ ତନ୍ମୟ ହୋଇ ଶୁଣୁଥିଲେ ବହୁଗୁଣା। ଉଠି ପଡ଼ି ଖୁସିରେ ମନ୍ମଥ ଦାସଙ୍କୁ ଆଲିଙ୍ଗନ କରି କହିଲେ- ‘‘ପ୍ରଫେସର, ଆପଣ ମୋ ଠାରୁ ବଡ଼ ପରିବେଶ ବିଜ୍ଞାନୀ। ମୁଁ ଇତିହାସ ଓ ପରିବେଶ ସମ୍ପର୍କରେ ଏତେ କଥା ଜାଣି ନ ଥିଲି।’’ ଆଜି ଏ କଥା ଶୁଣିଲା ପରେ ମୋ ମନରେ ଭାବାନ୍ତର ସୃଷ୍ଟି ହୋଇଥିଲା। ଗୋଟାଏ ଦିନରେ ଦୁଇ ଜଣ କୁଳପତିଙ୍କ ଦୁଇଟି ଚେହେରା ମଧୢରେ କେତେ ଫରକ? ଛାତି ଗର୍ବରେ ଫୁଲିଗଲା।
(ସୁନ୍ଦରଲାଲ ବହୁଗୁଣାଙ୍କ ଏକାଦଶାହ ଅବସରରେ)

୨୯-ବି, ପ୍ରଜ୍ଞାବିହାର, ବରମୁଣ୍ତା, ଭୁବନେଶ୍ବର
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର