ବିଭ୍ରାନ୍ତି ଓ ଦାୟିତ୍ୱହୀନତାର ସ୍ବର

ପବିତ୍ର ମୋହନ କର

କରୋନା ଭୂତାଣୁର ଅଦ୍ଭୁତ ଓ ଭୟଙ୍କର ଆଚରଣ ଯୋଗୁ ଆଜି ସାରା ବିଶ୍ବରେ ହାହାକାର। ପ୍ରଥମ ଲହର, ଦ୍ବିତୀୟ ଲହର, ବିଭିନ୍ନ ପ୍ରକାର ଓ ତ୍ବରିତ ମ୍ୟୁଟେସନର ଜାଲରେ ପୃଥିବୀର ବୈଜ୍ଞାନିକ, ଗବେଷକ ଓ ଡାକ୍ତରମାନେ ହତଭମ୍ବ। ପ୍ରଥମ ଲହରରେ କ୍ଷତିଗ୍ରସ୍ତ ଆମେରିକା ଭଳି ଦେଶ ଏବେ ଆଶ୍ବସ୍ତ। ଅଥଚ ପ୍ରଥମ ଲହରରୁ ବର୍ତ୍ତିଯାଇଥିବା ଭାରତ ଏବେ ବିଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ। ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର, ଉଭୟରେ ସର୍ବକାଳୀନ ବିଶ୍ବ ରେକର୍ଡ ଏବେ ଭାରତରେ।

କରୋନା ଭୂତାଣୁର ଉଦ୍ଭବ ପାଇଁ କେହି ଦାୟୀ ନୁହନ୍ତି। କିନ୍ତୁ ସଂକ୍ରମିତଙ୍କ ଚିକିତ୍ସା ଓ ସଂକ୍ରମଣ ରୋକିବା ନିମନ୍ତେ ସରକାର ହିଁ ମୁଖ୍ୟ ନୀତି ନିର୍ଦ୍ଧାରକ ଓ ଦେଶର ମାର୍ଗଦର୍ଶକ। ଯୁଦ୍ଧକ୍ଷେତ୍ରରେ ସେନାପତି ଯେପରି ସେନାବାହିନୀର ନିୟନ୍ତା, କରୋନା ବିରୁଦ୍ଧ ଯୁଦ୍ଧରେ ସରକାର ହିଁ ପ୍ରଧାନ ସେନାପତି। ଚିକିତ୍ସା ସୁବିଧା, ସଂକ୍ରମଣ ହ୍ରାସ ଓ ସାମାଜିକ ସଚେତନତା ପ୍ରସାରଣରେ ସରକାରଙ୍କ ଆଭିମୁଖ୍ୟ, ତତ୍ପରତା ଓ ପଦକ୍ଷେପ ସର୍ବାଗ୍ରେ ଗୁରୁତ୍ୱପୂର୍ଣ୍ଣ। ସରକାର ଜାରି କରୁଥିବା କରଣୀୟ ଓ ବର୍ଜନୀୟ ନିର୍ଦ୍ଦେଶାବଳୀ (Do’s & Don’ts) ଗୁଡ଼ିକୁ ମାନିବା ଜନସାଧାରଣଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ଆଦର୍ଶଗତ ଓ ବୈଚାରିକ ଭିନ୍ନତା ସତ୍ତ୍ବେ ସମସ୍ତେ ଏକ ହୋଇ ରାଷ୍ଟ୍ରୀୟ ବିପତ୍ତିକୁ ମୁକାବିଲା କରିବା ହିଁ ମୂଳମନ୍ତ୍ର। ବାରମ୍ବାର ହାତଧୁଆ, ଡବଲ ମାସ୍କ ବ୍ୟବହାର ଓ ଜରୁରୀ ନଥିଲେ ପଦାକୁ ନବାହାରିବା ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପଡ଼ିଗଲାଣି। ପ୍ରିୟଜନଙ୍କୁ ହରେଇବା ଓ ନିଜେ ସଂକ୍ରମିତ ହେବାର ଭୟରୁ ବର୍ତ୍ତିବା ପାଇଁ ଏହି ନିୟମଗୁଡ଼ିକର ବିକଳ୍ପ ନାହିଁ।

ଏହି ରୋଗର ସଫଳ ଚିକିତ୍ସା ପାଇଁ ବିଶ୍ବବ୍ୟାପୀ ଗବେଷଣା ଜାରି ଅଛି। ଗତବର୍ଷ ହାଇଡ୍ରକ୍‌ସିକ୍ଲୋରୋକ୍ବିନ୍ ବଟିକାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପରେ ପରେ ରେମଡେସିଭିର ଫାବିଫ୍ଲୁ, ପ୍ଲାଜ୍‌ମା ଥେରାପି, ଷ୍ଟେରଏଡ ବ୍ୟବହାରକୁ ସ୍ବୀକୃତି ଦିଆଗଲା। ଏବେ ଦ୍ବିତୀୟ ଲହର ବେଳକୁ ଟିକାକରଣ ଉପରେ ବିଶ୍ବବ୍ୟାପୀ ଗୁରୁତ୍ବ ଦିଆଯାଉଛି। ଉଦାସୀନତା ଓ ଅବହେଳା ଯୋଗୁଁ ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ରାଷ୍ଟ୍ର ହେଇ ବି ଆଜି ଭାରତରେ ଟିକାର ଘୋର ଅଭାବ। ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଦେଶ ଛାଡ଼ି ଲଣ୍ଡନ ପଳେଇଛନ୍ତି। ବିଦେଶରୁ ଟିକା ଆମଦାନି ପାଇଁ, ବିଳମ୍ବରେ ହେଲେ ବି ସରକାରୀ ତତ୍ପରତା ପ୍ରକାଶ ପାଇଛି। ଦ୍ବିତୀୟ ଲହର ପ୍ରକୋପରେ ଅନେକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କର ପ୍ରାଣହାନି ଘଟିଲାଣି।

ଏଭଳି ସଂକଟ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ମାନିବା, ଚିକିତ୍ସା ଓ ଟିକାକରଣକୁ ହେୟଜ୍ଞାନ ନ କରିବା ଓ ବିନା ଡାକ୍ତରୀ ପରାମର୍ଶରେ ଆନୁମାନିକ ଚିକିତ୍ସା ଗ୍ରହଣ ନକରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କରୋନାକୁ ହେୟ ମନେ କରି ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ରୋଗୀଙ୍କର ଅବସ୍ଥା ଗୁରୁତର ହେବା ସହ କେତେକଙ୍କର ମୃତ୍ୟୁ ଘଟୁଛି। ଲୋକଙ୍କୁ ସତର୍କ କରିବା ପାଇଁ ମୋବାଇଲର ସ୍ବତନ୍ତ୍ର କଲର ଟ୍ୟୁନ୍‌ ପ୍ରଚଳନ ସହ ଗଣମାଧ୍ୟମରେ ଅହରହ ପ୍ରଚାର ଚାଲିଛି।

ଏହା ସତ୍ତ୍ବେ ଅନେକ ପ୍ରତିଷ୍ଠିତ ଓ ପଦ ସଂପନ୍ନ ବ୍ୟକ୍ତିଙ୍କର ନିୟମିତ ବିଭ୍ରାନ୍ତିକର ଓ ଦାୟିତ୍ବହୀନ ମନ୍ତବ୍ୟ ପ୍ରଦାନ ଦୁର୍ଭାଗ୍ୟଜନକ। ଏହା ଡାକ୍ତରମାନଙ୍କ ମନୋବଳ ଓ ଜନସାଧାରଣଙ୍କ ବିଶ୍ବାସକୁ ଆହତ କରିଛି। ମାସ୍କ ସଂକ୍ରାନ୍ତରେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଆମେରିକାର ପୂର୍ବ ରାଷ୍ଟ୍ରପତି ଟ୍ରମ୍ପ୍‌ ସମାଲୋଚିତ ହେଲେ। କରୋନା ସଂକ୍ରମଣ ଓ ଚିକିତ୍ସା ପ୍ରତି ଅବଜ୍ଞାସୂଚକ ସରକାରୀ ମନୋଭାବ ଯୋଗୁଁ ବ୍ରାଜିଲ ସ୍ଥିତି ସାଂଘାତିକ। ଗତ ବର୍ଷ ସତର୍କତା ଅବଲମ୍ବନ ନ କରିବାରୁ ଇଟାଲି ସ୍ଥିତି ଭୟଙ୍କର ହୋଇଯାଇଥିଲା। ତଥାପି ଭାରତରେ ଏହି ବାଚନିକ ଭ୍ରାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ଏଥିରେ ରଂଜକରେ ନିଆଁ ଧରେଇବା କାମଟି କରୁଛି।

ମୁହଁରେ ମାସ୍କ ନଥିଲେ ସାଧାରଣ ଲୋକଟିକୁ ଜୋରିମାନା ଓ ପୁଲିସ ପାହାର ମିଳୁଥିଲା ବେଳେ ଅନେକ ବ୍ୟକ୍ତି ‘ଗୋ କରୋନା ଗୋ’ ଗୀତ ଗାଇବା, ଯଜ୍ଞକୁଣ୍ଡର ନଗର ପରିକ୍ରମା କରିବା, ନାକରେ ଲେମ୍ବୁରସ ପକେଇବା, ଶରୀରରେ କାଦୁଅ ଓ ଗୋବର ବୋଳିବା ଭଳି ହାସ୍ୟାସ୍ପଦ ଉପଚାର ବିଷୟ ପ୍ରଚାର କରୁଥିବା ଦେଖାଯାଉଛି। କିଏ କହିଲାଣି କରୋନା ଭୂତାଣୁର ବଞ୍ଚିବାର ଅଧିକାର ଅଛି ତ ଆଉ କିଏ ‘ଗଙ୍ଗାରେ ସ୍ନାନ କଲେ କରୋନା ଭୂତାଣୁ ସ୍ପର୍ଶ କରିବ ନାହିଁ’ ବୋଲି ଦୃଢ଼ୋକ୍ତି ପ୍ରକାଶ କଲାଣି। ଜଣେ ଲୋକସଭା ସଦସ୍ୟା ନିୟମିତ ଗୋମୂତ୍ର ପାନ ହିଁ କରୋନା କବଳରୁ ମୁକ୍ତିର ମନ୍ତ୍ର ବୋଲି ଘୋଷଣା କଲେଣି। ଗଲା ବର୍ଷ ଯଦିଓ ଦେଶବାସୀ ତାଳି ମାଡ଼, ଥାଳି ବଜା ଓ ଦୀପ ଜଳା ଆଦି କରିଥିଲେ, ତାହା ଥିଲା କରୋନା ବିରୋଧରେ ସମ୍ମିଳିତ ସଂଗ୍ରାମ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପ୍ରତି ସମର୍ଥନ ଜ୍ଞାପନ। ଏଥିରୁ କୌଣସିଟି ବି ଫୁସ୍‌ଫୁସ୍‌ ସଂକ୍ରମଣକୁ ରୋକି ପାରିବ ନାହିଁ କିମ୍ବା ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ବଢ଼େଇ ପାରିବ ନାହିଁ।

ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ, ଏଭଳି ସଂକଟ କାଳରେ ବିଖ୍ୟାତ ବ୍ୟବସାୟୀ ଓ ଯୋଗ ପ୍ରଶିକ୍ଷକ ରାମଦେବ ବିବାଦୀୟ ବିବୃତି ଦେଇଛନ୍ତିି। ଅମ୍ଳଜାନ ପାଇଁ ସାରା ଦେଶ ବିବ୍ରତ ଥିଲାବେଳେ ଶରୀରରେ ଏହାର ହ୍ରାସକୁ ତାଚ୍ଛଲ୍ୟ କରିବା ସହ ଅକ୍ସିଜେନ ସିଲିଣ୍ଡର ପାଇଁ ବିକଳ ରୋଗୀକୁ ଉପହାସ କରିଛନ୍ତି ରାମଦେବ। ପରେ ପରେ ସଂପୂର୍ଣ୍ଣ ଏଲୋପାଥି ଚିକିତ୍ସା ପଦ୍ଧତି ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦିତ ଔଷଧଗୁଡ଼ିକୁ ରୋଗୀ ମୃତ୍ୟୁର କାରଣ ବୋଲି ଘୋଷଣା କରି ଡାକ୍ତର, ରୋଗୀ ଓ ସେମାନଙ୍କ ପରିବାର ତଥା ସରକାରଙ୍କ ଚିନ୍ତା ବଢ଼େଇ ଦେଇଛନ୍ତି।

ବିଶ୍ୱରେ ଭାରତର ଭାବମୂର୍ତ୍ତିରେ ପ୍ରଶ୍ନ ଚିହ୍ନ ଲାଗିଛି। କରୋନା ମୁକାବିଲାରେ ପ୍ରାଣବଳି ଦେଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଲୋତକାପ୍ଳୁତ ସମବେଦନା ଜ୍ଞାପନ ପରିପ୍ରେକ୍ଷୀରେ ମାସ୍କ ବ୍ୟବହାର କରୁନଥିବା ରାମଦେବଙ୍କ ଏଭଳି ବୟାନ ଖୁବ୍ ଅସ୍ବସ୍ତିକର।

ଦେଶ ଏବେ କରୋନା କବଳରେ। ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି ଯଥେଷ୍ଟ ନୁହେଁ। ଟିକାର ଘୋର ଅଭାବ। ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ଚିନ୍ତାଜନକ। ଶବ ସତ୍କାର ପାଇଁ ମଶାଣିରେ ଲମ୍ବା ଲାଇନ। ନଦୀରେ ଶବ ଭାସୁଥିବାର କରୁଣ ଚିତ୍ର। କେନ୍ଦ୍ର ଓ ରାଜ୍ୟ ସରକାର ପରିସ୍ଥିତି ସମ୍ଭାଳିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ସମଗ୍ର ବିଶ୍ବ ଭାରତର ଏ ଦୁର୍ଦିନରେ ସହାୟତାର ହାତ ବଢ଼ାଉଛି। ଏଭଳି ସମୟରେ ଆମ ନିଜ ଦେଶର ପ୍ରଖ୍ୟାତ ଓ ପ୍ରତିନିଧି ଶ୍ରେଣୀୟ ବ୍ୟକ୍ତିମାନେ ବିଭ୍ରାନ୍ତିକର ଓ ଦାୟିତ୍ବହୀନ ବିବୃତି ଦେବା ଦୁର୍ଭାଗ୍ୟଜନକ।

ମୋ- ୯୪୩୭୦୬୬୦୯୯

ସମ୍ବନ୍ଧିତ ଖବର