ରାଜାଙ୍କ ଆଖିରେ ଲୁହ

ସରଳ ବିଚାର - ସରଳ କୁମାର ଦାସ

ରାଜାଙ୍କ ଉପରେ ଦୁନିଆ ଗପ। ହେଲେ ରାଜାମାନେ କାନ୍ଦନ୍ତି ନାହିଁ, କାନ୍ଦି ପାରନ୍ତି ନାହିଁ। ରାଜାଙ୍କର ଅସୀମ ଶକ୍ତି ଆଉ ଲୁହ ଦୁର୍ବଳତାର ପ୍ରତୀକ। ତା’ ଛଡ଼ା ରାଜା ଶକ୍ତିଶାଳୀ ହେଲେ ପ୍ରଜା ଆଶ୍ୱସ୍ତ ହୋଇଥାଏ। ତେବେ କଦବା କ୍ୱଚିତ ରାଜାଙ୍କ ଆଖିରୁ ଲୁହ ଟୋପାଏ ଝରିଥାଏ। ରାଜା କାନ୍ଦିଲେ କାଳେ ତାଙ୍କ ଆଖିରୁ ପାଣି ନୁହେଁ ମୁକ୍ତା ଝରେ ବୋଲି କେତେକଙ୍କ ବିଶ୍ୱାସ। ସେଥିପାଇଁ ବୋଧେ ଏକ ଅମୂଲ୍ୟ ବିରଳ ପଥରର ନାମ ‘କିଙ୍ଗ୍‌ସ ଟିଅର୍‌ସ’ (ରାଜାଙ୍କ ଲୁହ)। ତା’ ମାନେ ରାଜା କ’ଣ ଆବେଗହୀନ? ତାଙ୍କର ଆବେଗ ଅଛି, ସେ କାନ୍ଦନ୍ତି, କିନ୍ତୁ ଗୋପନରେ। ହେଲେ ଆଜିକାଲିର ଗଣତାନ୍ତ୍ରିକ ଯୁଗରେ ଶାସକମାନେ ବେଶ ସ୍ୱଚ୍ଛନ୍ଦରେ ସର୍ବସମକ୍ଷରେ ନିଜ ଆବେଗ ପ୍ରଦର୍ଶନ କରି ଲୁହ ଝରାଇ ପାରୁଛନ୍ତି। ତେବେ ପ୍ରଶ୍ନ ଉଠେ, ଏହା କ’ଣ ସେମାନଙ୍କ ପାଇଁ ଏକ ବାଧ୍ୟବାଧକତାରେ ପରିଣତ ହୋଇଛି?

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଶ୍ୱର ଅନେକ ନେତା ସର୍ବସାଧାରଣରେ ଲୁହ ଗଡ଼ାଇବା ଦେଖାଯାଇଛି। କୁହାଯାଏ କୌଣସି ସଙ୍କଟର ସମ୍ମୁଖୀନ ହେଲେ ବା ନିଜ ଜନପ୍ରିୟତା ହ୍ରାସ ପାଉଥିବାର ଅନୁଭବ କଲେ ହିଟଲର ସମସ୍ତଙ୍କ ସାମନାରେ କାନ୍ଦୁଥିଲେ ଓ ଏହିପରି ସେ ୬ ଥର କରିଥିଲେ। ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଏକାଧିକ ଥର ସର୍ବସମକ୍ଷରେ କାନ୍ଦିଥିବାର ନଜିର ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ (ଉଭୟ ସିନିଅର ଓ ଜୁନିଅର), ବିଲ କ୍ଲିଣ୍ଟନ, ଓବାମା ଇତ୍ୟାଦି ସମସ୍ତଙ୍କ ସାମନାରେ କାନ୍ଦିଛନ୍ତି। ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର ଓ ଟେରିସା ମେ ନିଜ ନିଜ ପଦତ୍ୟାଗ କଲାବେଳେ ଲୁହକୁ ଅଟକାଇ ପାରି ନ ଥିଲେ। ସର୍ବସାଧାରଣରେ କାନ୍ଦିଥିବା ବିଶ୍ୱ ନେତାଙ୍କ ତାଲିକାରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ ହକ୍, ଆଫଗାନିସ୍ତାନର ରାଷ୍ଟ୍ରପତି ହମିଦ କରଜାଇଙ୍କ ସମେତ ଅନେକଙ୍କ ନାମ ରହିଛି।

ସର୍ବସାଧାରଣରେ ଆବେଗ ପ୍ରଦର୍ଶନ କରିବାରେ ଭାରତର ପ୍ରଧାନମନ୍ତ୍ରୀମାନେ ବି ପଛରେ ନାହାନ୍ତି। ଜାନୁଆରି ୨୭, ୧୯୬୩ରେ ସାଧରଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ନେସନାଲ ଷ୍ଟାଡିଅମଠାରେ ଆୟୋଜିତ ଉତ୍ସବରେ ଲତା ମଙ୍ଗେସକର ଗାଇଥିବା ‘ଏ ମେରେ ୱତନ କି ଲୋଗୋଁ’ ଗୀତଟି ଶୁଣି ଜବାହରଲାଲ ନେହରୁଙ୍କ ଆଖି ଅଶ୍ରୁପୂର୍ଣ୍ଣ ହୋଇ ଯାଇଥିଲା।୧୯୬୬ରେ ଇଜିପ୍‌ଟର ରାଷ୍ଟ୍ରପତି ଜମାଲ ଅବଦେଲ ନାସିରଙ୍କ ଭାରତ ଗସ୍ତ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମସ୍ତଙ୍କ ସାମନାରେ ଆବେଗାଚ୍ଛନ୍ନ ହୋଇଥିଲେ। ଅପ୍ରେଲ ୧୭, ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟରେ ପରାଜିତ ହେବା ପରେ ବାଜପେୟୀ ଉପସ୍ଥିତ ସହଯୋଗୀମାନଙ୍କୁ କହିଥିଲେ, “ଆମେ କେବଳ ଗୋଟିଏ ଭୋଟରେ ହାରିଗଲେ, କେବଳ ଗୋଟିଏ ଭୋଟ”। ଏହା କହି ସେ ଭାଙ୍ଗି ପଡ଼ିଥିଲେ ଓ ତାଙ୍କ ଆଖିରୁ ଲୁହ ବହି ଚାଲିଥିଲା। ତେବେ ସମ୍ଭବତଃ ସର୍ବସମକ୍ଷରେ ସର୍ବାଧିକ ଥର କାନ୍ଦିଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ନରେନ୍ଦ୍ର ମୋଦୀ ଅଗ୍ରଗଣ୍ୟ। ତାଙ୍କୁ ଅନ୍ତତଃ ୯ ଥର କାନ୍ଦିବାର ଦେଖାଯାଇଛି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କୁ ଜାନୁଆରି ୧୪, ୨୦୦୪ରେ ଭୁଜଠାରେ ପ୍ରଥମ ଥର ଲାଗି କାନ୍ଦିବାର ଦେଖା ଯାଇଥିଲା।୨୦୦୧ରେ କଚ୍ଛ ଅଞ୍ଚଳର ଲୋକେ ଯେଉଁଭଳି ଭାବେ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ, ତାହା ମନେ ପକାଇ ତାଙ୍କ ଆଖିରୁ ଲୁହ ଗଡ଼ି ଚାଲିଥିଲା। ମେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଦଳର ଅପୂର୍ବ ସଫଳତା ପରେ ମୋଦୀ ନେତା ନିର୍ବାଚିତ ହେବା ଅବସରରେ ସେ ଦଳ ପ୍ରତି ଏକ କୃପା କରିଛନ୍ତି ବୋଲି ବୟୋଜ୍ୟେଷ୍ଠ ନେତା ଆଡଭାନୀ କହିବାରୁ ପ୍ରତ୍ୟୁତ୍ତରରେ ମୋଦୀ କହିଥିଲେ ଯେ ବିଜେପିକୁ ସେ ମାଆ ଭଳି ମନେ କରୁଥିବାରୁ ପୁଅ କ’ଣ କେବେ ମାଆ ପ୍ରତି କୃପା ପ୍ରଦର୍ଶନ କରିପାରେ? ଏହା କହି ତାଙ୍କ ଆଖି ଅଶ୍ରୁଳ ହୋଇଥିଲା। ସେପ୍ଟେମ୍ୱର ୨୦୧୫ରେ ମୋଦୀଙ୍କ ପାରିବାରିକ ପୃଷ୍ଠଭୂମି ସମ୍ପର୍କରେ ଫେସ୍‌ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଅତି ଦରିଦ୍ର ପରିବାରରୁ ଆସିଥିବା କଥା କହି ତାଙ୍କ ଆଖି ଲୁହ ଛଳ ଛଳ ହୋଇ ଯାଇଥିଲା। ଅଗଷ୍ଟ ୨୦୧୬ରେ ସ୍ୱାମୀ ନାରାୟଣ ସଂସ୍ଥା (ବିଏପିଏସ)ର ଗୁରୁ ପ୍ରମୁଖ ସ୍ୱାମୀଙ୍କ ନିଧନ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏକ ଘଟଣାର ସଂସ୍ମରଣରେ ତାଙ୍କ ଆଖି ଓଦା ହୋଇଯାଇଥିଲା।

ନଭେମ୍ୱର ୨୦୧୬ରେ ଗୋଆଠାରେ ସେ ବିମୁଦ୍ରୀକରଣ ପରେ ଦେଶବାସୀ ଯେଉଁ ଦୁଃଖକଷ୍ଟର ସମ୍ମୁଖୀନ ହେଉଛନ୍ତି ତାକୁ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ତାଙ୍କୁ ୫୦ ଦିନର ସମୟ ଦେବା ଲାଗି ଅନୁରୋଧ କରିବା ଅବସରରେ ଆବେଗାଚ୍ଛନ୍ନ ହୋଇପଡ଼ିବାରୁ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଡିସେମ୍ୱର ୨୦୧୭ରେ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ସେ ଦଳର ସାଂସଦମାନଙ୍କୁ ସଂସଦ ଭବନରେ ଉଦ୍‌ବୋଧନ ଦେବା ଅବସରରେ ଗୁଜରାଟ ବିଜୟ କିପରି କଠିନ ଥିଲା, ପ୍ରତି ଥର ଗୁଜରାଟ ଜିତିଲା ପରେ ବାଜପେୟୀ କିପରି ତାଙ୍କ ପିଠି ଥାପୁଡ଼େଇ ଦେଉଥିଲେ ଇତ୍ୟାଦି ବିଷୟ ମନେ ପକାଇ ତିନି ଥର କାନ୍ଦିଥିଲେ। ଅକ୍ଟୋବର ୨୧, ୨୦୧୮ରେ ଜାତୀୟ ପୁଲିସ ସ୍ମାରକ ଓ ମ୍ୟୁଜିଅମର ଉଦ୍‌ଘାଟନ ଅବସରରେ ପୁଲିସ ଭାଇମାନଙ୍କ ସେବା ଓ ବଳିଦାନର କଥା ମନେ ପକାଇ ତାଙ୍କ କଣ୍ଠରୁଦ୍ଧ ହୋଇ ଯାଇଥିଲା। ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନାର ଲାଭାର୍ଥୀ ଜଣେ ମହିଳା ମାର୍ଚ୍ଚ ୮, ୨୦୨୦ରେ ମୋଦୀଙ୍କୁ ଈଶ୍ୱରଙ୍କ ସହ ତୁଳନା କରିବାରୁ ସେ ବାଷ୍ପାକୁଳ ହୋଇ ଯାଇଥିଲେ। ଫେବ୍ରୁଆରି ୨୦୨୧ରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କର ରାଜ୍ୟସଭାର କାର୍ଯ୍ୟକାଳ ସମାପ୍ତିରେ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦେବା ଅବସରରେ ଭାଷଣ ଦେଇ ଆଜାଦ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ସମୟର କଥା ମନେ ପକାଇ ମୋଦୀ ଘନ ଘନ ପାଣି ପିଇବା ସହିତ କାନ୍ଦି ପକାଇ ଥିଲେ। ତେବେ ତାଙ୍କ ଅଶ୍ରୁ ବିସର୍ଜନର ସଦ୍ୟତମ ଉଦାହରଣ ହେଉଛି ବାରାଣସୀର ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହେବା ଅବସରରେ ମଇ ୨୧, ୨୦୨୧ରେ କୋଭିଡ୍‌ ଅନେକ ଲୋକଙ୍କୁ ଆମଠାରୁ ଛଡ଼ାଇ ନେଇଛି ବୋଲି କହି ଭାବବିହ୍ୱଳ ହୋଇ କାନ୍ଦି ପକାଇବା।

ତେବେ ପୂର୍ବର କାନ୍ଦ ଗୁଡ଼ିକଲାଗି ସେ ସମାଲୋଚିତ ହୋଇ ନ ଥିବା ବେଳେ ଏ‌େବ କୋଭିଡ୍‌ରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବାରୁ ତାଙ୍କ ସଦ୍ୟତମ କାନ୍ଦ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ହୋଇଛି। ତାଙ୍କ ନିନ୍ଦୁକମାନେ ଏହାକୁ ‘ନାଟକ’, ‘କୁମ୍ଭୀରକାନ୍ଦଣା’ ବୋଲି ଅଭିହିତ କରିବାକୁ ପଛାଇଲେ ନାହିଁ। ନିକଟରେ ସି ଭୋଟର ଦ୍ୱାରା ହୋଇଥିବା ସର୍ଭେ ଅନୁଯାୟୀ ମୋଦୀଙ୍କ ଜନପ୍ରିୟତାର ହାର ଗତ ବର୍ଷର ୬୫ ପ୍ରତିଶତ ତୁଳନାରେ କୋଭିଡ୍‌ ସଂକ୍ରମଣର ଦ୍ୱିତୀୟ ଲହରି ସମୟରେ ହ୍ରାସ ପାଇ ୩୭ ପ୍ରତିଶତରେ ପହଞ୍ଚିବା ଉଦ୍‌ବେଗଜନକ। ସେହିପରି ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନ୍‌ସଲ୍‌ଟର ସର୍ଭେ ଅନୁଯାୟୀ ମୋଦୀଙ୍କ ଅନୁମୋଦନ ରେଟିଂ ପ୍ରାୟ ୨୨ ଅଙ୍କ ତଳକୁ ଖସିଛି। କିଛି ବିଶେଷଜ୍ଞଙ୍କ ମତରେ ମୋଦୀଙ୍କ କ୍ରମକ୍ଷୟିଷ୍ଣୁ ଜନପ୍ରିୟତାକୁ ଊର୍ଦ୍ଧ୍ୱମୁଖୀ କରିବାର ପ୍ରୟାସରେ ତାଙ୍କୁ କାନ୍ଦିବାକୁ ପଡ଼ିଲା। ଏପରି କି ମୋଦୀ ଖୁବ ଶୀଘ୍ର ଟେଲିଭିଜନରେ କାନ୍ଦିବାକୁ ଯାଉଛନ୍ତି ବୋଲି ଆପ୍‌ ଦଳର ନେତା ସଞ୍ଜୟ ସିଂହ ଅପ୍ରେଲ ୧୭ରେ ଭବିଷ୍ୟବାଣୀ କରି ସାରିଥିଲେ। କାନ୍ଦିବାର ପୂର୍ବ ପ୍ରସ୍ତୁତି ଥିବାରୁ ସେ ମୁହଁରେ ମାସ୍କ ପିନ୍ଧି ନ ଥିଲେ ବୋଲି ତାଙ୍କ ନିନ୍ଦୁକମାନେ କହିଲେ। ସମାଲୋଚକଙ୍କ ମତରେ ତାଙ୍କ କାନ୍ଦର ଦୁଇ ପ୍ରକାର ଅର୍ଥ କରାଯାଉଛି। ହୁଏ’ତ କୋଭିଡ୍‌ରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବାରୁ ସେମାନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ତାଙ୍କ ଆଖିରୁ ଲୁହ ଝରି ଥାଇପାରେ। ଅଥବା ସେମାନଙ୍କୁ ବଞ୍ଚାଇ ନ ପାରିବାର ସରକାରୀ ବିଫଳତାକୁ ସ୍ୱୀକାର କରି ସେ ଭାଙ୍ଗି ପଡ଼ି ଥାଇପାରନ୍ତି। ତେଣୁ ଲୁହ ଗଡ଼ାଇବା ମାତ୍ରେ ସେ ଯଦି କୋଭିଡ୍‌ ମୁକାବିଲା ପାଇଁ ନିର୍ଦ୍ଦିଷ୍ଟ କିଛି ପଦକ୍ଷେପର ଘୋଷଣା କରିଥାଆନ୍ତେ, ତେବେ ଲୋକେ ଆଉ ତାକୁ କୁମ୍ଭୀରକାନ୍ଦଣା କହିବାର ସୁଯୋଗ ପାଇ ନ ଥାଆନ୍ତେ।

ନିକଟରେ କୁଇନସ୍‌ଲାଣ୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଗବେଷକ ଲିଆ ସରମନ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କାନ୍ଦିଲା ପରେ ମନ ହାଲୁକା ହୋଇ ଯାଇଥାଏ ବୋଲି ଥିବା ଧାରଣା ଭୁଲ୍‌। ବରଂ ତଦ୍ଦ୍ୱାରା ମାନସିକ ସ୍ଥିତି ଅଧିକ ଖରାପ ହୋଇଥାଏ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏ ପର୍ଯ୍ୟନ୍ତ ବ୍ରିଟିସ୍‌ ମାନସିକ ରୋଗ ବିଶେଷଜ୍ଞ ହେନରି ମଡସ୍ଲିଙ୍କ ମତକୁ ଗୁରୁତ୍ୱ ଦିଆଯାଉଥିଲା, ଯାହା କହିଥାଏ ଯେ ‘ଦୁଃଖ ଲୁହ ହୋଇ ବହି ନ ଗଲେ ତାହା ଶୀଘ୍ର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାନ୍ଦିବାକୁ ବାଧ୍ୟ କରିଥାଏ’। ଅଧ୍ୟୟନ ଅନୁଯାୟୀ ସର୍ବସାଧାରଣରେ କାନ୍ଦିବାର ପ୍ରଭାବ ଜଟିଳ ଓ ଲିଙ୍ଗ ଅନୁସାରେ ଭିନ୍ନ ହୋଇଥାଏ।

ଆଗ ଅପେକ୍ଷା ଏବେ ସର୍ବସମକ୍ଷରେ ଲୁହ ଗଡ଼‌ାଇବା କ୍ରମମେ ନେତାମାନଙ୍କ ଅଭ୍ୟାସରେ ପରିଣତ ହେବାକୁ ବସିଲାଣି। ଶିଶୁଟିଏ କାନ୍ଦିଲେ ତା’ ପ୍ରତି ଯେପରି ଧ୍ୟାନ ଆକର୍ଷିତ ହୋଇଥାଏ, ସେମାନଙ୍କ ବିଶ୍ୱାସ ଯେ ସମାନ ଆଚରଣ ସେମାନଙ୍କୁ ଜନତାଙ୍କ ସହାନୁଭୂତି ହାସଲ କରିବାରେ ସାହାଯ୍ୟ କରେ। ଅବଶ୍ୟ ସବୁ ସମୟରେ ତାହା କାମ ଦେଇ ନ ଥାଏ। ବ୍ରିଟେନରେ ରାଜନେତାମାନେ ସମସ୍ତଙ୍କ ସାମନାରେ ଏତେ ବେଶି ଲୁହ ପ୍ରଦର୍ଶନ କରି ସାରିଲେଣି ଯେ ସେଠାକାର ଲୋକେ ସେଥିରେ ଅଭ୍ୟସ୍ତ ହେବାକୁ ଲାଗିଲେଣି। ‘ସତ ଲୁହ’ ଆଉ ‘ମିଛ ଲୁହ’ ଭିତରେ ସେମାନେ ଫରକ କରିବା ଶିଖି ଯାଇଥିବାରୁ କ୍ରନ୍ଦନକାରୀମାନେ ସମବେଦନା ଅପେକ୍ଷା ବେଶି ସମାଲୋଚନାର ପାତ୍ର ହେବାକୁ ଲାଗିଲେଣି। ୨୦୧୬ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଥିବା ହିଲାରୀ କ୍ଲିଣ୍ଟନ ପ୍ରଚାର ବେଳେ କାନ୍ଦିବା ଦ୍ୱାରା ତାଙ୍କ ସମାଲୋଚକମାନଙ୍କୁ କହିବାକୁ ସୁଯୋଗ ମିଳିଲା ଯେ ତାଙ୍କ ନିକଟରେ ଆବଶ୍ୟକ ମାନସିକ ଦୃଢ଼ତା ନ ଥିବାରୁ ସେ ରାଷ୍ଟ୍ରପତି ପଦ ଭାର ସମ୍ଭାଳିବା ପାଇଁ ଅଯୋଗ୍ୟ।

କୃଷକ ଆନ୍ଦୋଳନର ନେତା ରାକେଶ ସିଂହ ଟିକାଏତଙ୍କ ଆଖିରୁ ଝରିଥିବା ଦୁଇ ଟୋପା ଲୁହ ଦୁର୍ବଳ ହୋଇ ଭୁଶୁଡ଼ି ପଡୁଥିବା ଆନ୍ଦୋଳନଟିକୁ ପୁଣି ଥରେ ଜୀବନ୍ତ କରି ଦେଇ ପାରିଲା। କୃଷକମାନେ ତାଙ୍କ ଲୁହରେ ହୁଏ’ତ ନିଷ୍କପଟତା ଦେଖି ପାରିଥିଲେ। ନିଶ୍ଚିତ ଭାବେ ଉଚିତ ସମୟରେ ଓ ଠିକ ଜାଗାରେ ଗଡ଼ିଥିବା ଲୁହ ଟୋପାଏ ଲୋକଙ୍କ ହୃଦୟକୁ ତରଳାଇବା ପାଇଁ ଯଥେଷ୍ଟ ହୋଇଥାଏ। ତେବେ ଆବେଗ ପ୍ରଦର୍ଶନ କରି ହୁଏ’ତ ସହାନୁଭୂତି ସାଉଁଟା ଯାଇପାରେ, ହେଲେ ତାହା ବ୍ୟକ୍ତିତ୍ୱର ଦୁର୍ବଳ ଦିଗଟିକୁ ବି ଆଗରେ ଆଣି ଥୋଇଥାଏ, ଯାହା ପରୋକ୍ଷରେ ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। ସେହି ପରିପ୍ରେକ୍ଷୀରେ କହିବା ଉଚିତ ହେବ ଯେ ମୋଦୀଙ୍କ ଘନ ଘନ ଲୁହ ଗଡ଼ାଇବା ତାଙ୍କ ଦୁର୍ବଳତା ବୋଲି ଲୋକେ ଧରି ନ ନିଅନ୍ତୁ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର