ଆୟୁର୍ବେଦ ବନାମ ଏଲୋପାଥି!

ଡାକ୍ତର ନୀଳମାଧବ ପୃଷ୍ଟି

ଗତ କିଛିଦିନ ହେବ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଜୋର୍‌ରେ ତମ୍ବିତୋଫାନ ଚାଲିଛି। ବାବା ରାମଦେବଙ୍କ ଏଲୋପାଥି ଡାକ୍ତରଙ୍କ ଉପରେ କଟୁ ବିବୃତିକୁ ନେଇ ଅନେକ ଖପ୍‌ପା। କରୋନା ଭୂତାଣୁ କେବଳ ଭାରତକୁ ନୁହେଁ, ସମଗ୍ର ବିଶ୍ବକୁ ପଙ୍ଗୁ କରିସାରିଲାଣି। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗେଇ ଏବଂ ନିଜ ପରିବାରକୁ ପଛରେ ପକେଇ ରୋଗୀ ସେବା କରିବାରେ ବ୍ୟସ୍ତ। ଅନେକ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର ମଧ୍ୟ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡ଼ିଲେଣି। ଏପରି ପରିସ୍ଥିତିରେ ବାବା ରାମଦେବଙ୍କ ପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପକ୍ଷରୁ ଏପରି ମନ୍ତବ୍ୟ ଆଶା କରାଯାଏନା। ଦେଶରେ ଯୋଗକୁ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କର ବ୍ୟାବସାୟିକ ସଂସ୍ଥା ପତଞ୍ଜଳି ମଧ୍ୟ ଆୟୁର୍ବେଦ ଔଷଧର ଉତ୍ପାଦନ ଓ ବିକ୍ରି କରିଥାଏ। କିନ୍ତୁ ଆଜିର ପରିସ୍ଥିତିରେ ଏଲୋପାଥି ଡାକ୍ତରଙ୍କୁ ଉପହାସ କରିବା ହେଉଛି ଦେଶର ସୀମାରେ ସହିଦ ହେବାକୁ ପ୍ରସ୍ତୁତ ହୋଇ ରହିଥିବା ସୈନିକମାନଙ୍କୁ ପରିହାସ କରିବା ସହିତ ସମାନ। ଏହି ପ୍ରସଙ୍ଗକୁ ନେଇ ବାବା ରାମଦେବ ଓ ‘ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍‌’ ମୁହାଁମୁହିଁ ସ୍ଥିତିରେ। ରାମଦେବଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି। ଏହା ମଧ୍ୟ ଯଥାର୍ଥ। କାରଣ ରାମଦେବଙ୍କ ହେତୁ ଅକାରଣରେ ଆୟୁର୍ବେଦ ଓ ଏଲୋପାଥିର ସମର୍ଥକମାନଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି ଓ କରୋନାର ବିଭୀଷିକା ଭିତରେ ଏହା ଲୋକଙ୍କ ମଧ୍ୟରେ ଅଯଥା ସଂଶୟ ଓ ବିଭ୍ରାନ୍ତି ସୃଷ୍ଟି କରୁଛି।

ଆୟୁର୍ବେଦ ବିଦ୍ୟା ଆମର ଭାରତୀୟ ସଭ୍ୟତା ଓ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ବରେ ଥିବା ଗଛ, ପତ୍ର, ଫୁଲ, ଚେର ଓ ଫଳ ମଧ୍ୟରେ ନିଜ ରୋଗର ଚିକିତ୍ସା ଖୋଜିବା ହେଉଛି ଆୟୁର୍ବେଦର ମୂଳ କଥା। କାଶ ହେଲେ ତୁଳସୀ ପତ୍ର ରସ ପିଇବା, ଝାଡ଼ା ହେଲେ ଚୁଡ଼ା ଖାଇବା, ଆଲର୍ଜିରେ ଗଙ୍ଗଶିଉଳି ପତ୍ର ଖାଇବା ଆଦି ହିଁ ଆୟୁର୍ବେଦ ବିଦ୍ୟା। ହଳଦୀ, ଅଶ୍ବଗନ୍ଧା, ଅଁଳାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତ ପରିଚିତ। ଏଲୋପାଥି ଆସିବାର ବହୁ ବର୍ଷ ଆଗରୁ ଭାରତୀୟ ଆୟୁର୍ବେଦ ଥିଲା ଏଠାକାର ଚିକିତ୍ସାର ମୂଳ ଭିତ୍ତି। କିନ୍ତୁ କ୍ରମେ ୟୁରୋପୀୟ ଜ୍ଞାନ ଓ ଗବେଷଣା ପୃଥିବୀର ସବୁ ଅଂଶକୁ ବ୍ୟାପିଗଲା ଭଳି ଭାରତରେ ବ୍ୟାପିଲା ଏବଂ ପୃଥିବୀର ସବୁ ସ୍ଥାନ ଭଳି କ୍ରମେ ଏଠାରେ ମଧ୍ୟ ଏଲୋପାଥି ଚିକିତ୍ସାର ପ୍ରସାର ଘଟିଲା। ଏହା ଫଳରେ ଏଠାରେ ଆୟୁର୍ବେଦ ଆଉ ମୁଖ୍ୟ ସ୍ରୋତର ଚିକିତ୍ସା ପଦ୍ଧତି ହୋଇ ରହିଲା ନାହିଁ, ଯଦିଓ ଏହା ଆମ ଜୀବନ ସହିତ ଏବେ ବି ଏକ ଅଂଶ ଭାବେ ରହିଆସିଛି ଓ ଆଗକୁ ରହିବ ମଧ୍ୟ। ସତ କହିଲେ ଯାହା ଆୟୁର୍ବେଦର ବିକାଶ କରିପାରିଥାଆନ୍ତା, ତାହା ହେଉଛି ଉଚ୍ଚାଙ୍ଗ ବିଜ୍ଞାନ-ଭିତ୍ତିିକ ଗବେଷଣା। ତାହାର ଅଭାବ ହେତୁ ଅନେକ ଜଟିଳ ବ୍ୟାଧିରେ ଲୋକେ ଆୟୁର୍ବେଦ ଉପରେ ଭରସା କରିପାରିଲେ ନାହିଁ। ଏଣେ ଏଲୋପାଥି ଅତି ଉଚ୍ଚ ସ୍ତରର ଗବେଷଣା ବଳରେ ଆଗକୁ ବଢ଼ିଲା, ଲୋକଙ୍କ ବିଶ୍ବାସ ଜିଣିଲା। ଏହି ପଦ୍ଧତି ଆଧାରରେ ଯନ୍ତ୍ରପାତି ତିଆରି ହେଲା, ଯାହା ଫଳରେ ରୋଗ ନିରୂପଣ କରିବା ସହଜ ହେଲା। ସୁତରାଂ, ଏଲୋପାଥି ସାରା ପୃଥିବୀରେ ସର୍ବତ୍ର ମୁଖ୍ୟ ସ୍ରୋତର ଚିକିତ୍ସା ପଦ୍ଧତି ହୋଇପାରିଲା। ଆଜି ବିଶ୍ବବ୍ୟାପୀ ଜରୁରୀକାଳୀନ ଚିକିତ୍ସା ପାଇଁ ଲୋକେ ଏଲୋପାଥି ଉପରେ ଆଖିବୁଜି ଭରସା କରୁଛନ୍ତି। ଦିନକୁ ଦିନ ଏହା ଅଧିକରୁ ଅଧିକ ବିକଶିତ ହୋଇଚାଲିଛି। ଅଙ୍ଗ ପ୍ରତିରୋପଣ ଆଜି ଅନାୟାସରେ ହୋଇପାରୁଛି। ଜଟିଳରୁ ଜଟିଳତର ଅସ୍ତ୍ରୋପଚାର ବଳରେ ଦୁରାରୋଗ୍ୟ ବ୍ୟାଧିରୁ ସୁରକ୍ଷା ମିଳୁଛି। ବସନ୍ତ ଓ ପୋଲିଓ ପରି ରୋଗ ଆଜି ଇତିହାସ ପାଲଟି ଗଲାଣି।

ତେବେ ଆୟୁର୍ବେଦର ମଧ୍ୟ ଏକ ଗୌରବମୟ ଇତିହାସ ରହିଛି। ଯେଉଁମାନେ ଆୟୁର୍ବେଦର ସମାଲୋଚନା କରନ୍ତି, ସେମାନେ ଥରେ ସୁଶ୍ରୁତ ସଂହିତା ଓ ଚରକ ସଂହିତା ପଢ଼ିବା ଉଚିତ। ପ୍ରାୟ ତିନିହଜାର ବର୍ଷ ପୂର୍ବେ ଲିଖିତ ଏହି ପୁସ୍ତକ ଦ୍ବୟରେ ବର୍ତ୍ତମାନ ପ୍ରଚଳିତ ଅନେକ ଆଧୁନିକ ଚିକିତ୍ସା ଓ ଶଲ୍ୟ ବିଦ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ, ଆୟୁର୍ବେଦ ହେଉ ବା ଏଲୋପାଥି ଉଭୟ ନିଜ ନିଜର ମହତ୍ତ୍ବ ଦ୍ବାରା ପରିଭାଷିତ। ଆଜି ଅନେକ ଏଲୋପାଥି ଡାକ୍ତର ଯୋଗ ବା ପ୍ରାଣାୟାମ କରିବାକୁ ପରାମର୍ଶ ଦେଉଛନ୍ତି ବା ନିଜେ ଆୟୁର୍ବେଦୀୟ ଔଷଧ ଖାଉଛନ୍ତି ଓ ଅନେକ ଆୟୁର୍ବେଦ ଡାକ୍ତର ଏଲୋପାଥି ଔଷଧ ଲେଖୁଛନ୍ତି। ସମସ୍ତେ ଜାଣନ୍ତି ଯେ ଏଲୋପାଥିକୁ ନିନ୍ଦା କରୁଥିବା ବାବା ରାମଦେବଙ୍କ ଡାହାଣ ହାତ ଭାବେ ପରିଚିତ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ନିଜ ଚିକିତ୍ସା ଲାଗି ଋଷିକେଶସ୍ଥିତ ‘ଏମସ୍’ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏହା ମଧ୍ୟ ସତ ଯେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇ.ଏମ୍.ଏ. ମଧ୍ୟ ଅନେକ ସମୟରେ ବିବାଦାସ୍ପଦ କାର୍ଯ୍ୟରେ ଜଡ଼ିତ ହେଉଛି, ଯେମିତି କି ଏହି ସଂଗଠନ ପକ୍ଷରୁ ବିଭିନ୍ନ ଟୁଥ୍‌ପେଷ୍ଟ, ଫଳରସ ବା ଘର ରଙ୍ଗ ଆଦିକୁ ଭଲ ବୋଲି ପ୍ରମାଣ ପତ୍ର ଦିଆଯିବା। ଏହା ଏକ ଡାକ୍ତରୀ ସଂଗଠନର କାର୍ଯ୍ୟ କି? ଏଭଳି କୌଣସି ଦ୍ରବ୍ୟର ମାନ ନିର୍ଦ୍ଧାରଣ କରିବା ପଛରେ ଆଇ.ଏମ୍.ଏ.ର ବ୍ୟାବସାୟିକ ଇଚ୍ଛା ନିହିତ ନାହିଁ ତ? ଆଇ.ଏମ୍‌.ଏ ଦେଶ ସାରା ସମସ୍ତ ଡାକ୍ତରଙ୍କ ମୁଖପାତ୍ର କିମ୍ବା ସଂଗଠନ ନୁହେଁ, ତଥାପି ଅନେକ ଡାକ୍ତର ଏହାର ସଦସ୍ୟତା ଗ୍ରହଣ କରିଛନ୍ତି। ଏବଂ ଆଜି କରୋନାର ଦ୍ବିତୀୟ ତରଙ୍ଗ କାଳରେ ବାବା ରାମଦେବଙ୍କ ଏଲୋପାଥି ବିରୋଧୀ ବିଷୋଦ୍‌ଗାର ବିରୋଧରେ ସ୍ବର ଉତ୍ତୋଳନ କରି ଏହି ସଂସ୍ଥା ଯଥାର୍ଥ କାର୍ଯ୍ୟ କରିଛି।

କେବଳ ଭାରତ ନୁହେଁ ଚୀନ୍‌ରେ ମଧ୍ୟ ଏକ ପାରଂପରିକ ପ୍ରାଚୀନ ଚିକିତ୍ସା ପଦ୍ଧତି ଥିଲା, ଯାହା ଆକ୍ୟୁପଂକ୍‌ଚର ଭାବେ ଜଣାଶୁଣା। ଜର୍ମାନି ହେଉଛି ହୋମିଓପାଥିର ଜନ୍ମ ସ୍ଥଳ। ପୃଥିବୀର ସମସ୍ତ ପ୍ରାଚୀନ ସଭ୍ୟତାର ନିଜ ନିଜ ଚିକିତ୍ସା ପଦ୍ଧତି ଥିଲେ। କିନ୍ତୁ ଏମାନେ ସମସ୍ତେ ଗୋଟିଏ କାରଣରୁ ଏଲୋପାଥି ଠାରୁ ପଛେଇ ଗ‌େଲ। ତାହା ହେଉଛି ବିଜ୍ଞାନସମ୍ମତ ଗବେଷଣାର ଅଭାବ। ତେଣୁ ଏବେ ସମୟ ଆସିଛି ଆୟୁର୍ବେଦ ମଧ୍ୟ ଗବେଷଣା ବଳରେ ନୂଆ ନୂଆ ଆବିଷ୍କାର ମାନ କରି ବିକାଶ ଲାଭ କରୁ। ଏବଂ ବଡ଼ କଥା ହେଲା ଏହି ଦୁଇ ପଦ୍ଧତି ପ୍ରତିଦ୍ବନ୍ଦ୍ବୀ ନ ହୋଇ ପରସ୍ପର ହାତ ଧରି ଚାଲନ୍ତୁ। ପରିଶେଷରେ କହିବି ଯେ ଏହି ଲେଖକ ଜଣେ ଏଲୋପାଥି ଡାକ୍ତର ଯିଏ ବିଭିନ୍ନ ଦେହ ଖରାପ ଲାଗି ଗଙ୍ଗଶିଉଳି ପତ୍ର ଖାଇଥାଏ ବା ତୁଳସୀ ପତ୍ର ରସ ପିଇଥାଏ। ଅନେକ ତାହା କରନ୍ତି। କିନ୍ତୁ ଆବଶ୍ୟକ ହେଲେ ଏହି ଲେଖକ ଜଟିଳ ଶଲ୍ୟ ଚିକିତ୍ସା କରି ରୋଗୀଙ୍କୁ ରୋଗମୁକ୍ତ ମଧ୍ୟ କରିଥାଏ।
(ମତାମତ ଲେଖକଙ୍କ ନିଜସ୍ବ)

ଆସିଷ୍ଟାଣ୍ଟ ପ୍ରଫେସର, ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ବର

ସମ୍ବନ୍ଧିତ ଖବର