ଭାଇରସ୍ ଓ ଭାଇରାଲ୍ କରିବା ବା ହେବା- ଗୋଟିଏ ଶବ୍ଦର ଦୁଇଟି ରୂପ; ଏବଂ ଉଭୟଙ୍କର ପତିଆରା ଆଜି ସଭିଙ୍କୁ ଚାପଗ୍ରସ୍ତ କଲାଣି। କରୋନା ଭାଇରସ୍ ତା’ର ଜୟଯାତ୍ରା ବଜାୟ ରଖିଥିବା ବେଳେ ତ୍ରସ୍ତ ଓ ବିଚଳିତ ଜନତାଙ୍କ ଭିତରେ ଭାଇରାଲ୍ ଭିଡିଓ ବା ଅଡିଓ ଆଦିର ଉତ୍ପାତ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂପ୍ରତି କିଛି ମଣିଷ ମନୋରଞ୍ଜନ ପାଇଁ ଅନେକ ଯଥା ଓ ଅଯଥା ଭିଡିଓ ବା ଅଡିଓ କରି ଭୂତାଣୁ ସଂକ୍ରମଣ ଭଳି ସେ ସବୁର ଦ୍ରୁତ ପ୍ରସାର କରିବାକୁ ଚାହୁଁଥିବା ବେଳେ ଅସଲି କରୋନା ଭୂତାଣୁ ସବୁ କିଛିକୁ ବାଜିମାତ୍ କରି ଆଗେଇ ଚାଲିଛି। ଯେମିତି ଏହି କରୋନା ଭୂତାଣୁ ମଣିଷକୁ ତାଚ୍ଛଲ୍ୟ କରି କହୁଛି- ମୋର ରାଜୁତି ବେଳେ ମୋ ସହିତ ପ୍ରତିଦ୍ବନ୍ଦ୍ବିତା କରି ଲୋକହସା ହୁଅନା। ମୁଁ ଅସଲି ଭାଇରସ୍।
ବାସ୍ତବିକ ସତ କଥା। ସାଧାରଣତଃ କୌଣସି ଭିଡିଓ ବା ଅଡିଓ ଯଦି ଲୋକଙ୍କ ମନକୁ କୌଣସି କାରଣରୁ ଛୁଇଁଗଲା, ତାହା ଭାଇରାଲ୍ ହେଇଯାଏ। ଏହାର ଅର୍ଥ ସେ ଭିଡିଓ ବା ଅଡିଓର ଲୋକପ୍ରିୟତା ଭାଇରସ୍ର ଦ୍ରୁତ ସଂକ୍ରମଣ ଭଳି ବଢ଼ି ଚାଲେ। ଧରାଯାଉ ଜଣେ ବାରମଜା ବିକାଳି ସାଇକଲ ଚଢ଼ି ତା’ ବିକିବା ଜିନିଷ ଉପରେ ମନଛୁଆଁ କବିତା ଫାନ୍ଦି ମଜାଳିଆ ସ୍ୱରରେ ଗାଇ ସାହି ସାହି ବୁଲୁଥାଏ। ଜଣେ ଯଦି ସେ ଗୀତ ଗାଉଥିବା ଅବସ୍ଥାରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଲା, ତେବେ ସେ ଭିଡିଓ ଭାଇରାଲ୍ ହୋଇ ଯାଇପାରେ। ପୁଣି ଜେଲ୍ ଭିତରେ କଏଦୀମାନେ ଗଞ୍ଜେଇ ମାଡ଼ କରୁଥିବା ଅବସ୍ଥାରେ ସଙ୍ଗୀତର ଆସର ଜମାଇବାର ଭିଡିଓ ଯଦି କିଏ ବାହାରକୁ ଛାଡ଼ି ଦେଲା, ତାହା ମଧ୍ୟ ଭାଇରାଲ୍ ହୋଇଯିବାର ସମ୍ଭାବନା ସୃଷ୍ଟି କରେ। ନିକଟରେ ଆମ ରାଜ୍ୟରେ ଗାଁ ସ୍କୁଲ ଉଠିଯିବାକୁ ନେଇ ଛୋଟ ବାଳକ ତ୍ରୈଲୋକ୍ୟ ରାୟ ତା’ର ସରଳ ଢଙ୍ଗରେ ଏମିତି କେତେକ କଥା କହିଥିଲା, ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବହୁତ ଶୀଘ୍ର ଭିଡିଓଟି ଭାଇରାଲ୍ ହୋଇଗଲା ଓ ସେ ପିଲାର ଦରୋଟି କଥାଗୁଡ଼ିକୁ ବ୍ୟବହାର କରି ବଡ଼ ବଡ଼ ଗାୟକମାନେ ଏକାଧିକ ଆଲ୍ବମ ପ୍ରସ୍ତୁତ କଲେ। କହିବା ବାହୁଲ୍ୟ, ସେହି ଆଲ୍ବମଗୁଡ଼ିକ ମଧ୍ୟ ଲକ୍ଷ ଲକ୍ଷ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇ ଭାଇରାଲ୍ ହୋଇଗଲା। କିନ୍ତୁ ଭାଇରାଲ୍ ଭିଡିଓ ବା ଅଡିଓଗୁଡ଼ିକ ସବୁ ବେଳେ ଏମିତି ନିରୀହ ହୋଇ ନ ଥାନ୍ତି। ବେଳେ ବେଳେ ସେଗୁଡ଼ିକ ଦଙ୍ଗା ବା ହିଂସା ସୃଷ୍ଟି କରନ୍ତି। କାରଣ ଲାକଙ୍କୁ ଉତ୍ତେଜିତ କରିବା ଲାଗି କିଛି ବର୍ଜନୀୟ ଭିଡିଓ ବା ଅଡିଓକୁ ମଧ୍ୟ ଭାଇରାଲ୍ କରାଯାଇପାରେ।
ପ୍ରକୃତ କଳା ଜନତାର ଦରବାରରେ ଆଦୃତ ହେବା ପାଇଁ କଳାକାରକୁ ଜୀବନବ୍ୟାପୀ ସାଧନା କରିବାକୁ ପଡ଼ିଥାଏ। କଠିନ ସାଧନା ପରେ ବି ସଫଳତା ମିଳିବ କି ନାହିଁ ତା’ର କିଛି ଗେରେଣ୍ଟି ନ ଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି ଯେ ବିଶେଷ ସାଧନା ନ କରି ମଧ୍ୟ କୌଣସି କୌଣସି କଳାକାର ତାଙ୍କ ପ୍ରଦର୍ଶନ ଭାଇରାଲ୍ ହୋଇ ଯାଉଥିବା କାରଣରୁ ବିଖ୍ୟାତ ହୋଇଯାଉଛନ୍ତି। ପୁଣି ଏବେ ନକାରାତ୍ମକ ଖବରର ଗ୍ରାହକଙ୍କ ସଂଖ୍ୟା ବେଶ୍ ଅଧିକ ହୋଇଛି। କିଏ ମନ୍ଦିର ଗଢ଼ିଲା ସେ ବିଷୟରେ ଲୋକେ ସେତିକି ଆଗ୍ରହୀ ନୁହନ୍ତି, ରାସ୍ତା ପାର୍ଶ୍ୱରେ କିଏ ମଳ ତ୍ୟାଗ କଲା, ତାହା ଜାଣିବାକୁ ଯେତିକି ଆଗ୍ରହୀ। ତେଣୁ ଅନେକ ଅପଯଶ ବା ଅପମାନ ଦେଲା ଭଳି ଭିଡିଓ ବା ଅଡିଓ ଅଧିକ ଭାଇରାଲ୍ ହେଉଛି। ଅନ୍ୟର ଅଜାଣତରେ ତା’ର ଅନ୍ତରଙ୍ଗ କ୍ଷଣର ଦୃଶ୍ୟ ଭାଇରାଲ୍ କରିବା ଏବେ କିଛି ଅସାମାଜିକ ଲୋକଙ୍କ ମୁଖ୍ୟ କାମ ପାଲଟିଛି। କେବଳ ସେତିକି ନୁହେଁ, ଭିଡିଓ ଭାଇରାଲ୍ କରିବାର ଆକର୍ଷଣ ଅନେକଙ୍କୁ ସମ୍ବେଦନଶୂନ୍ୟ କରି ପକାଇଲାଣି; ଯେମିତି କି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଟିଏ ପାଣି ଲାଗି ଆର୍ତ୍ତ ସ୍ବରରେ ଅନୁରୋଧ କରୁଥିବା ବେଳେ ଲୋକେ ଭିଡିଓ ସୁଟିଂ କରିବାରେ ମଗ୍ନ; କାରଣ ସେହି ଭିଡିଓ ଭାଇରାଲ୍ ହେବାର ସାମର୍ଥ୍ୟ ରଖେ। ଏବେ ଭାଇରାଲ୍ ହେଉଥିବା ଭିଡିଓ ଓ ଅଡିଓ ଭିତରୁ ଅଧିକାଂଶ ଏହି ଧର୍ମର।
ତେବେ, ଭାଇରାଲ୍ ହେଉଥିବା ଭିଡିଓ ବା ଅଡିଓର ନକାରାତ୍ମକ ଦିଗଗୁଡ଼ିକ ସତ୍ତ୍ୱେ ଏହା ପ୍ରକୃତ ଭାଇରସ୍ର ସଂକ୍ରମଣର ପ୍ରଭାବ ତୁଳନାରେ ନଗଣ୍ୟ। କରୋନା ଭାଇରସ୍ ଆଜି ସାରା ଦୁନିଆକୁ ସନ୍ତାପିତ କରି ରଖିଛି। ଖାଲି ଆଜି କାହିଁକି ମଣିଷ ଜାତି ଯୁଗେ ଯୁଗେ ବିଭିନ୍ନ ଭୂତାଣୁ ଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହୋଇଛି, ଯୁଦ୍ଧ ବା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସେତିକି ହୋଇନାହିଁ। କରୋନା ଭାଇରସ୍ ଆଜି ସମଗ୍ର ମାନବ ଜାତିର ଅସ୍ତିତ୍ବକୁ ଦୋହଲାଇ ଦେବା ଭଳି ସ୍ଥିତି ଉପୁଜିଛି।
ଭାଇରସ୍ ଯେତେବେଳେ ରୋଗକୁ ଭାଇରାଲ୍ କରେ ସେତିକି ବେଳେ ଧନୀ ଦରିଦ୍ର, ପୁରୁଷ ନାରୀ, ସ୍ୱାସ୍ଥ୍ୟବାନ ବା ଅସୁସ୍ଥ କିଛି ବାଛ ବିଚାର ରଖେ ନାହିଁ ଓ କାହାରିକୁ ତା’ ହମ୍ଲାରୁ ବର୍ତ୍ତିବା ପାଇଁ ସ୍ୱାଧୀନତା ଦିଏ ନାହିଁ। ଭାଇରାଲ୍ ହେଉଥିବା ଭିଡିଓ ବା ଅଡିଓ ମଧ୍ୟ ସେମିତି ଖୁବ୍ ଶୀଘ୍ର ସଂକ୍ରମଣ ସୃଷ୍ଟି କରି ସାର୍ବଜନୀନ ହୋଇଯାଆନ୍ତି। ଯେତେବେଳେ ସାମାଜିକ ଗଣମାଧ୍ୟମରେ କୌଣସି ଭିଡିଓ ବା ଅଡିଓ ‘ଭାଇରାଲ୍’ ହେବା ଭଳି ଏକ ଅଭିବ୍ୟକ୍ତିର ସୃଷ୍ଟି ହୋଇଥିଲା, ସେତିକି ବେଳେ କରୋନା ପାନ୍ଡେମିକ୍ ନ ଥିଲା। ସାଧାରଣ ଭାଇରାଲ୍ ଜ୍ବର ସମସ୍ତଙ୍କୁ ହୋଇ କିଛି ଦିନ ପରେ ଛାଡ଼ି ଯାଉଥିଲା। ତେଣୁ ‘ଭାଇରାଲ୍’ ହେବା ଭଳି ଶବ୍ଦଟି କିଛିଟା ନିରୀହତା ଲାଭ କରିଥିଲା। କିନ୍ତୁ କରୋନା ସଂକ୍ରମଣ ଭାଇରାଲ୍ ଜ୍ବରର ପରିଭାଷାକୁ ବଦଳାଇ ଦେଇଛି। କିନ୍ତୁ ଚିକିତ୍ସା କ୍ଷେତ୍ରରେ ଏଭଳି ଘଟିଥିବା ସତ୍ତ୍ବେ ସାମାଜିକ ଗଣମାଧ୍ୟମରେ ବ୍ୟବହୃତ ଭାଇରାଲ୍ ଶବ୍ଦଟି ତା’ର ହାଲୁକାପଣ ଏଯାବତ୍ ବଜାୟ ରଖିଛି।
କସ୍ମୋପୋଲିସ୍ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫