ଅକ୍ଟୋବର ୧୩୪୭। କ୍ରିମିଆର କାଫା ସହରରୁ ଆସିଥିବା ବାରଟି ବ୍ୟବସାୟିକ ଜାହାଜ ଆସି ଲାଗିଥିଲା ସିସିଲିର ମେସିନା ବନ୍ଦରରେ। ମେସିନା ଅଧିବାସୀଙ୍କ ପାଇଁ ଅପେକ୍ଷା କରିଥିଲା ଏକ ଭୟାନକ ଆଶ୍ଚର୍ଯ୍ୟ। ସେ ଜାହାଜମାନଙ୍କର ଅଧିକାଂଶ ନାବିକ ଓ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ବଞ୍ଚିଥିବା ବ୍ୟକ୍ତିମାନଙ୍କ ଭିତରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ଭଲ ଥିବା ଯାତ୍ରୀମାନେ ସେ ଅବସ୍ଥାରୁ ରକ୍ଷା ପାଇବା ପାଇଁ ସହର ଭିତରକୁ ପ୍ରବେଶ କଲେ। ଯେତେବେଳେ ମେସିନା ଅଧିବାସୀ ଜାହାଜ ଭିତରର ଅବସ୍ଥା ଦେଖିଲେ ସେମାନଙ୍କୁ ବୁଝିବାକୁ ଡେରି ଲାଗିଲାନି ଯେ ଜାହାଜର ଯାତ୍ରୀମାନେ କୌଣସି ଗୁରୁତର ରୋଗରେ ପୀଡ଼ିତ। ସେମାନେ ଜାହାଜକୁ ଓ ଏହାର ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରଖିଲେ। କିନ୍ତୁ ସେତେବେଳକୁ ଅନେକ ଡେରି ହୋଇଯାଇଥିଲା; ଇଉରୋପରେ ପଦାର୍ପଣ କରି ସାରିଥିଲା ଏ ପର୍ଯ୍ୟନ୍ତ ଘଟିଥିବା ପୃଥିବୀର ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ ‘କଳା ମୃତ୍ୟୁ’।
ଏହି ରୋଗ ଜ୍ବର, ବାନ୍ତିର ପ୍ରାରମ୍ଭିକ ଲକ୍ଷଣରୁ ଆରମ୍ଭ ହେଉଥିଲା। କ୍ରମେ ଚର୍ମ ତଳୁ ରକ୍ତ କ୍ଷରଣ ହେଉଥିଲା ଏବଂ ତଳି ପେଟ, କାଖ, ବେକର ଗ୍ରନ୍ଥି (Iymph nodes) ସବୁ ଅସମ୍ଭବ ଭାବେ ଫୁଲି ଯାଇ ଫାଟି ଯାଉଥିଲା। ଅସହ୍ୟ ଯନ୍ତ୍ରଣା ଭିତରେ ରୋଗୀ ଅଳ୍ପ ଦିନରେ ମୃତ୍ୟୁବରଣ କରୁଥିଲା। ଅମ୍ଳଜାନର ଅଭାବ ଓ ଚର୍ମ ତଳେ ଶୁଖିଲା ରକ୍ତ ଯୋଗୁ ଶରୀର କଳା ପଡ଼ି ଯାଇଥିବାରୁ ଏ ମହାମାରୀକୁ ‘କଳା ମୃତ୍ୟୁ’ ନାମରେ ଅଭିହିତ କରାଯାଇଥିଲା। ତଳି ପେଟର ଗ୍ରୀକ୍ ନାମ ‘ବୁବନ୍’ ଅନୁସାରେ ପରବର୍ତ୍ତୀ କାଳରେ ଫୁଲି ଯାଉଥିବା ଗ୍ରନ୍ଥିଙ୍କୁ ‘ବୁବୋସ୍’ ଓ ଏହି ମହାମାରୀକୁ ‘ବୁବୋନିକ’ ପ୍ଲେଗ୍ ନାମରେ ନାମିତ କରାଗଲା। ଏହି ମହାମାରୀର କାରକ ଥିଲା ୟେସିନିଆ ପେଷ୍ଟିସ୍ (yesenia pestis) ନାମକ ଏକ ବୀଜାଣୁ ଯାହାର ବାହକ ଥିଲେ ମୂଷା ଆଦି ଜୀବମାନଙ୍କ ଦେହରେ ବଢୁଥିବା ଏକ ପ୍ରକାର ଡାଆଁଶ (flea)। ପ୍ରଥମେ ଏହି ରୋଗ ମୂଷାଙ୍କ ଦ୍ବାରା ସଂକ୍ରମିତ ହେଉଥିଲା। ପରବର୍ତ୍ତୀ କାଳରେ ଏହି ବୀଜାଣୁର ରୂପାନ୍ତରିତ (mutation) ହେଲା ଓ ସେମାନେ ଫୁସଫୁସକୁ ସଂକ୍ରମଣ କଲେ। ଫଳରେ ଲୋକମାନେ ବୁବୋନିକ ପ୍ଲେଗ ସହ ନିମୋନିକ ପ୍ଲେଗରେ ମଧ୍ୟ ଆକ୍ରାନ୍ତ ହେଲେ। ସେତେବେଳେ ମଣିଷର ଛିଙ୍କ ଓ କାଶ ଦ୍ବାରା ମଧ୍ୟ ଏ ମହାମାରୀ ସଂକ୍ରମିତ ହେଲା। ଏହା ଦ୍ବାରା ସଂକ୍ରମଣର ମାରାତ୍ମକତା ଓ ବେଗ ଆଶାତୀତ ଭାବରେ ବୃଦ୍ଧି ପାଇଲା।
ସବୁଠାରୁ ଅଧିକ ଗ୍ରହଣୀୟ ବିବରଣୀ ଅନୁସାରେ ଏହି ମହାମାରୀ ଦକ୍ଷିଣ ଚୀନରେ ସୃଷ୍ଟି ହୋଇଥିଲା ଏବଂ ମଙ୍ଗୋଲ ଯୋଦ୍ଧାମାନଙ୍କ ଦ୍ବାରା ଉତ୍ତର ଚୀନ ଓ ମଙ୍ଗୋଲିଆର ଗୋବି ଅଞ୍ଚଳକୁ ବ୍ୟାପି ଥିଲା । କିଛି ପ୍ରାପ୍ତ ବିବରଣୀ ଅନୁସାରେ ୧୩୫୧ ସୁଦ୍ଧା ଚୀନରେ ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ଏହି ପ୍ଲେଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ସେତେବେଳେ ମଙ୍ଗୋଲ ସାମ୍ରାଜ୍ୟ ପୂର୍ବରେ ଚୀନରୁ ଆରମ୍ଭ କରି ପଶ୍ଚିମରେ ଇଉରୋପର ଦ୍ବାରଦେଶ ଏବଂ ଉତ୍ତରରେ ରୁଷିଆ ଠାରୁ ଦକ୍ଷିଣରେ ମଧ୍ୟ ପ୍ରାଚ୍ୟ ଓ ସିନ୍ଧୁ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଅବଶ୍ୟ ସେ ସାମ୍ରାଜ୍ୟ ସେତେବେଳକୁ ଚାରି ଭାଗରେ ବିଭକ୍ତ ଥିଲା ଓ ଚାରି ଜଣ ଖାଁ (ସମ୍ରାଟ)ଙ୍କ ଦ୍ବାରା ଶାସିତ ହେଉଥିଲା। ସେମାନଙ୍କ ମଧ୍ୟରେ ଛୋଟମୋଟ କଳହ ସତ୍ତ୍ବେ ବ୍ୟବସାୟିକ ସମ୍ବନ୍ଧ ଥିଲା। ସେତେବେଳେ ଚୀନ ଥିଲା ମଙ୍ଗୋଲ ସାମ୍ରାଜ୍ୟର ବ୍ୟବସାୟିକ ପ୍ରାଣକେନ୍ଦ୍ର। ଚୀନର ଉତ୍ପାଦିତ ବସ୍ତୁ ଆରବ, ଇହୁଦୀ ଓ ଖ୍ରୀଷ୍ଟିଆନ ବଣିକଙ୍କ ଦ୍ବାରା ସାମ୍ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯାଉଥିଲା। ଏହି ପ୍ରକ୍ରିୟାରେ ମହାମାରୀ ମଙ୍ଗୋଲ୍ ସାମ୍ରାଜ୍ୟର ଗାଁରୁ ଗାଁ, ସହରରୁ ସହର ଓ ଦେଶରୁ ଦେଶକୁ ବ୍ୟାପିଗଲା। ୧୩୪୫ରେ ଏହା ପହଞ୍ଚିଲା ମଙ୍ଗୋଲ ସାମ୍ରାଜ୍ୟର ପଶ୍ଚିମ ଖଣ୍ଡ (ବର୍ତ୍ତମାନର ପୂର୍ବ ଇଉରୋପ ଓ ରୁଷିଆ)ରେ।
କାଫା କ୍ରିମିଆର ପୂର୍ବ ଉପକୂଳ କୃଷ୍ଣ ସାଗରର ଏକ ବନ୍ଦର ସହର। ଏହି ସହରରେ ବାସ କରୁଥିଲେ ଇଟାଲି ଜେନୋଆର ପ୍ରାୟ ସତୁରି ହଜାର ବଣିକ। ତାଙ୍କର ମୁଖ୍ୟ ବ୍ୟବସାୟ ଥିଲା କ୍ରୀତଦାସ କାରବାର। ଅବଶ୍ୟ, ଏହା ସାଙ୍ଗରେ ସେମାନେ ସିଲ୍କ, କାଠ, ପଶମ ଓ ମାଛ ବ୍ୟବସାୟ ମଧ୍ୟ କରୁଥିଲେ। ଏହି ସୂତ୍ରରେ ସେମାନଙ୍କର ଇଉରୋପର ବିଭିନ୍ନ ସହର ଓ ଇଜିପ୍ଟ ସହିତ ସମ୍ପର୍କ ଥିଲା। ଏହା ମଙ୍ଗୋଲମାନଙ୍କର ଉପନିବେଶ ଥିଲେ ମଧ୍ୟ କ୍ରୀତଦାସ ବ୍ୟବସାୟ ନେଇ ମଙ୍ଗୋଲମାନଙ୍କ ସହିତ ସହରର ଅଧିବାସୀଙ୍କ ଏକ କଳହର ସୂତ୍ରପାତ ହୋଇଥିଲା। ମଙ୍ଗୋଲ ଖାଁ ଜିନବେକ କାଫା ଅବରୋଧ କଲେ। ପ୍ରାୟ ତିନି ବର୍ଷ କାଳ ଅବରୋଧ ପରେ ହଠାତ୍ ମଙ୍ଗୋଲ ସୈନ୍ୟବାହିନୀ ଶିକାର ହେଲା ଏହି ମହାମାରୀର। ଫଳରେ ଅବରୋଧ ଓ ସୈନ୍ୟ ପ୍ରତ୍ୟାହାର କଲେ ଜିନବେକ। କିନ୍ତୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଯୁଦ୍ଧରେ ବ୍ୟବହାର ହେଉଥିବା ବାଟୁଳି ଦ୍ବାରା ମୃତ ମଙ୍ଗୋଲ ସୈନ୍ୟଙ୍କ ଶବଗୁଡିକ ନିକ୍ଷେପ କଲେ ସହର ଭିତରକୁ। ସହରବାସୀ ଏ ଭୟଙ୍କର ପରିସ୍ଥିତିରୁ ବର୍ତ୍ତିବା ପାଇଁ ସହର ଛାଡ଼ି ସମୁଦ୍ର ପଥରେ ପଳାୟନ କଲେ ସୁଦୂର ଇଜିପ୍ଟ, ମଧ୍ୟ-ପ୍ରାଚ୍ୟ ଓ ସିସିଲିର ମେସିନାକୁ। କିନ୍ତୁ କଳା ମୃତ୍ୟୁ କବଳରୁ ନିଜକୁ ରକ୍ଷା କରି ପାରିଲେ ନାହିଁ ବରଂ ଏହି ମହାମାରୀକୁ ଆଫ୍ରିକା ଓ ଇଉରୋପକୁ ବ୍ୟାପ୍ତ କରିବାରେ ଅଜାଣତରେ ଏକ ବଡ଼ ଭୂମିକା ନିର୍ବାହ କଲେ।
କିଛି ଆକଳନ ଅନୁସାରେ ଏହି ମହାମାରୀରେ ଏସିଆର ଜନସଂଖ୍ୟା ୨୪ କୋଟିରୁ ୨୦ କୋଟି ଓ ଆଫ୍ରିକାର ଜନସଂଖ୍ୟା ୮ କୋଟିରୁ ୭ କୋଟିକୁ କମି ଯାଇଥିଲା। ଭାରତକୁ ଏ ମହାମାରୀ ବ୍ୟାପିଥିଲା କି ନାହିଁ, ତାହା ରହସ୍ୟାବୃତ। କିଛି ତତ୍କାଳୀନ ଇଉରୋପୀୟଙ୍କ ବିବରଣୀ ଅନୁସାରେ ଏହା ଭାରତରେ ଅନେକ ଲୋକଙ୍କ ଜୀବନ ନେଇଥିଲା। କିନ୍ତୁ ଏ ନେଇ କୌଣସି ଭାରତୀୟ ବିବରଣୀ ବା ଅଭିଲେଖ ମିଳେନାହିଁ। ଏପରିକି ସେ ସମୟରେ ଭାରତ ଭ୍ରମଣ କରିଥିବା ଇବନ ବତୁତାଙ୍କର ବିବରଣୀରେ ଏହାର ଉଲ୍ଲେଖ ନାହିଁ। ସମ୍ଭବତଃ, ଏହି ରୋଗ ସିନ୍ଧୁ ନଦୀର ଉତ୍ତର ଉପତ୍ୟକା ଓ ଭାରତ ସୀମାବର୍ତ୍ତୀ ‘ସିଲକ୍ ରୁଟ୍’ (ଯେଉଁ ଗିରିପଥ ଦେଇ ସିଲ୍କର ବଣିକମାନେ ଯିବା ଆସିବା କରୁଥିଲେ) ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୀମିତ ହୋଇ ରହି ଯାଇଥିଲା।
ଏହି ମହାମାରୀର ସବୁଠାରୁ ଅଧିକ ପ୍ରଭାବ ଅନୁଭୂତ ହୋଇଥିଲା ଇଉରୋପରେ। ସିସିଲିରୁ ଆରମ୍ଭ ହୋଇ ଏହା ପ୍ରଥମେ ଇଟାଲି ଏବଂ ୧୩୪୮ ସୁଦ୍ଧା ସମସ୍ତ ଇଉରୋପରେ ତା’ର କାୟା ବିସ୍ତାର କଲା। ଏହା ଯେ କେବଳ ମୃତ୍ୟୁର ତାଣ୍ଡବଲୀଳା ରଚନା କରିଥିଲା ତା’ ନୁହେଁ, ଏହା ସମଗ୍ର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିଲା। ୧୩୫୦ ସୁଦ୍ଧା ତାହା ଆଇସଲ୍ୟାଣ୍ଡ ଓ ଗ୍ରୀନଲ୍ୟାଣ୍ଡକୁ ପହଞ୍ଚିଗଲା। ଗ୍ରୀନଲ୍ୟାଣ୍ଡର ଭାଇକିଂ ଜନଜାତି ବିଲୁପ୍ତ ହେବାର ଏହା ଏକ ପ୍ରମୁଖ କାରଣ ଥିଲା। ସେତେବେଳେ ଇଉରୋପର ଜନସଂଖ୍ୟା ଥିଲା ସାଢ଼େ ୭ କୋଟି ଓ ତା’ ମଧ୍ୟରୁ ଅଢ଼େଇ କୋଟି ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ। ଅନେକ ଅଞ୍ଚଳ ଜନ ମାନବଶୂନ୍ୟ ହୋଇଯାଇଥିଲେ ମଧ୍ୟ କିଛି ସହର ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଏହି ମହାମାରୀର କିଛି ପରିମାଣରେ ମୁକାବିଲା କରିପାରିଥିଲେ। ମିଲାନ ଓ ଭେନିସ ସହରରେ କଡ଼ା ସଙ୍ଗରୋଧ ନିୟମ ସହ ରୋଗୀମାନଙ୍କ ସମସ୍ତ ପରିବାର ସହିତ ଘରକୁ ସିଲ୍ କରି ଦିଆଯାଇଥିଲା। ବିଦେଶୀମାନଙ୍କ ଉପରେ କଡ଼ା କଟକଣା ଲଗେଇବା ସହ ସମସ୍ତ ପାନ୍ଥଶାଳା ଓ ମଦ୍ୟ ଦୋକାନକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଅଧିକାଂଶ ସହରରେ ସେ ସମୟର ସାମାଜିକ ଜୀବନର କରୁଣ ଚିତ୍ର ହୃଦୟବିଦାରକ ଥିଲା। ଏହି ରୋଗରୁ ରକ୍ଷା ପାଇବା ପାଇଁ ସ୍ବାମୀ ସ୍ତ୍ରୀକୁ,ବାପା ମା’ ନିଜର ସନ୍ତାନମାନଙ୍କୁ ଏକା ମରିବାକୁ ଛାଡ଼ି ଚାଲି ଯାଉଥିଲେ। ଶବ ସତ୍କାର ପାଇଁ ପାଦ୍ରି ମିଳୁନଥିଲେ। ହଜାର ହଜାର ଶବ ରାସ୍ତା ଉପରେ ପଡ଼ି ରହୁଥିଲା କୁକୁରମାନଙ୍କର ଭକ୍ଷଣ ପାଇଁ। ସେତେବେଳେ କୌଣସି କାନୁନ ବା ସାମାଜିକ ବ୍ୟବସ୍ଥା ଅଭାବରେ ସମ୍ପୂର୍ଣ୍ଣ ଅରାଜକତାର ବାତାବରଣ ସୃଷ୍ଟି ହୋଇଥିଲା। ଯେତେବେଳେ ଏହି ମହାମାରୀ ସଂକଟ ଚରମ ସୀମାରେ ପହଞ୍ଚିଲା, ସେତେବେଳେ ଏହାର କାରଣ ଖୋଜିବାର ପ୍ରୟାସ କରାହୋଇଥିଲା। ପ୍ୟାରିସ୍ ବିଶ୍ବବିଦ୍ୟାଳୟର ଡାକ୍ତରମାନେ ଏକ ନିଷ୍କର୍ଷରେ ପହଞ୍ଚିଲେ ଯେ କିଛି ଗ୍ରହମାନଙ୍କର ଅଶୁଭ ସ୍ଥିତି ଯୋଗୁଁ ଉତ୍ପନ୍ନ ବିଷାକ୍ତ ବାଷ୍ପ ଏ ମହାମାରୀର କାରଣ ଏବଂ ଏହାର ନିଦାନ ପାଇଁ କିମ୍ଭୂତକିମାକାର ପରାମର୍ଶ ସବୁ ଦେଇଥିଲେ। ଦ୍ବିତୀୟ କାରଣଟି ଥିଲା ଆହୁରି ମାରାତ୍ମକ। ପରମ୍ପରାଗତ ବିଦ୍ବେଷ ଓ ବ୍ୟବସାୟ ସହ ସେମାନଙ୍କ ବୃତ୍ତିଗତ ସମ୍ପୃକ୍ତି ଯୋଗୁଁ ସଂଖ୍ୟାଧିକ ଖ୍ରୀଷ୍ଟିଆନମାନେ ଏ ରୋଗ ପାଇଁ ଇହୁଦୀମାନଙ୍କୁ ଦାୟୀ କଲେ। ୧୩ ଏପ୍ରିଲ୍ ୧୩୪୮ରେ ଫ୍ରାନ୍ସର ଟୌଲନ ସହରରେ ଖ୍ରୀଷ୍ଟିଆନମାନେ ମେଳି ବାନ୍ଧି କିଛି ଇହୁଦୀଙ୍କୁ ଘରୁ ଟାଣି ଆଣି ବାଡ଼େଇ ବାଡ଼େଇ ମାରି ଦେଇଥିଲେ। ପର ଦିନ ସକାଳେ ଚାଳିଶ ଜଣ ଇହୁଦୀଙ୍କର ଶବ ସହର ମଧ୍ୟ ଭାଗରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା। କ୍ରମେ ଏହି ହିଂସା ଅନ୍ୟାନ୍ୟ ସହରକୁ ବ୍ୟାପିବାରେ ଲାଗିଥିଲା। ତା’ ସହିତ ଇହୁଦୀମାନେ କଳା ଯାଦୁ ଦ୍ବାରା ଖ୍ରୀଷ୍ଟିଆନମାନଙ୍କର ପାନୀୟ ଜଳକୁ ବିଷାକ୍ତ କରି ଦେଇଥିବା କାରଣରୁ ମହାମାରୀ ବ୍ୟାପୁ ଥିବାର ଗୁଜବ ମଧ୍ୟ ପ୍ରଚାରିତ ହେବାକୁ ଲାଗିଲା। ସବୁଠାରୁ ଅଭାବନୀୟ ଘଟଣା ଘଟିଥିଲା ଫେବ୍ରୁଆରି ୧୪ ତାରିଖ ୧୩୪୯ ମସିହାରେ। ସେହି ଦିନ ଜର୍ମାନିର ଷ୍ଟ୍ରାସବର୍ଗ ସହରର ପ୍ରଶାସକମାନେ ପ୍ରାୟ ଦୁଇ ହଜାର ଇହୁଦୀଙ୍କୁ ସହର ବାହାରେ ପ୍ରାୟ ଛଅ ଦିନ ଧରି ଜଣ ଜଣ କରି ଜୀବନ୍ତ ଦଗ୍ଧ କରିଦେଲେ।
ଆନୁମାନିକ ଭାବେ ଏହି ଅମାନୁଷିକ ହିଂସାରେ ଇଉରୋପରେ ପ୍ରାୟ କୋଡ଼ିଏ ହଜାର ଇହୁଦୀ ପ୍ରାଣ ହରାଇ ଥିଲେ।
୧୩୫୨ ମସିହାରେ ମହାମାରୀର ପ୍ରାଦୁର୍ଭାବ କମି ଗଲା। କିନ୍ତୁ ପୁଣି ଥରେ ତାହାର ଆବିର୍ଭାବ ହେଲା ୧୩୬୨ ମସିହାରେ। କିନ୍ତୁ ଏଥର ଲୋକଙ୍କ ସାବଧାନତା ହେତୁ ଏହାର ପ୍ରାଦୁର୍ଭାବ ଅଧିକ ହେଲା ନାହିଁ। କିନ୍ତୁ ଏ ମହାମାରୀ ଇଉରୋପର ସାମାଜିକ ବ୍ୟବସ୍ଥାରେ ଦୀର୍ଘସ୍ଥାୟୀ ପ୍ରଭାବ ଛାଡ଼ିଗଲା। ଲୋକମାନଙ୍କର ଚର୍ଚ୍ଚ ଉପରେ ଭରସା କମିଯିବାରୁ ଚର୍ଚ୍ଚର ନିରଙ୍କୁଶ କ୍ଷମତାର ସଙ୍କୋଚନ ହେଲା। ଚର୍ଚ୍ଚ ବା ପୁରାତନ ପଦ୍ଧତି ଉପରେ ବିଶ୍ବାସ ନ କରି ଚିକିତ୍ସକମାନେ ରୋଗର ବିଜ୍ଞାନସମ୍ମତ କାରଣ ଓ ନିଦାନ ଖୋଜିଲେ। ଶ୍ରମିକମାନଙ୍କର ଅଭାବ ଲୋକମାନଙ୍କୁ କୃଷି ଓ ଅନ୍ୟାନ୍ୟ କର୍ମ ସଂସ୍ଥାନରେ ବିକଳ୍ପ ଖୋଜିବା ପାଇଁ ବାଧ୍ୟ କଲା ଓ ପ୍ରେରଣା ଦେଲା। କେବଳ ସେତିକି ନୁହେଁ, ଇଉରୋପୀୟ ରେନାଁସାକୁ ତ୍ବରାନ୍ବିତ କରିବାରେ ଏହି ମହାମାରୀର ଗୋଟିଏ ପ୍ରମୁଖ ଭୂମିକା ରହିଥିଲା।
ଏହି ମହାମାରୀର ବିଲୟ ହୋଇ ନ ଥିଲା। ବିଭିନ୍ନ ସମୟରେ ବିଭିନ୍ନ ଦେଶରେ ଏହାର ଆବିର୍ଭାବ ଘଟିଥିଲା ଏବଂ ଘଟୁଛି ମଧ୍ୟ। କିନ୍ତୁ ବିଜ୍ଞାନର ଅଗ୍ରଗତି ଯୋଗୁଁ ମଣିଷ ଏହା ସହିତ ବଞ୍ଚିବା ଶିଖି ଯାଇଛି। ଆଜିର ଏହି ସମୟରେ ଆମେ ଆଶା କରିବା ମଣିଷ କରୋନା ସହିତ ବି ବଞ୍ଚିବା ମଧ୍ୟ ଖୁବ୍ ଶୀଘ୍ର ଶିଖିଯିବ।
ମୋ: ୯୪୩୭୦୨୬୪୪୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/DDDDDDD.jpg)