ହଁ, ତୁମ ଆମ ଭଳିଆ ଦି ଗୋଡ଼ିଆ ପ୍ରାଣୀ, ଯେଉଁମାନେ ଆମର ପରମାରାଧ୍ୟ ଭାଗବତ ଗୋସାଇଁଙ୍କ ଉଲ୍ଲେଖାନୁଯାୟୀ ପୂର୍ବ ଜନ୍ମର ପୁଣ୍ୟ ବଳେ ଏ ଧରାଧାମେ ଉପୁଜିଥାନ୍ତି ଓ ତଜ୍ଜନିତ କାରଣରୁ ଯାହାଙ୍କ କଳେବର ଅତ୍ୟନ୍ତ ଦୁର୍ଲଭ ଅଟଇ, ସେଇ ମଣିଷଙ୍କ ସମ୍ପର୍କେ କହୁଛୁ।

Advertisment

ବାରାନ୍ତରେ କହିବାକୁ ଗଲେ ସଦା ସୁମହାନ ଆରିଷ୍ଟୋଟଲ ମହୋଦୟ ମଧ୍ୟ ସାମାଜିକ ପ୍ରାଣୀ ବୋଲି ଉଦ୍‌ଘୋଷି ଯାଇଥିବା ତଥାକଥିତ ମଣିଷ ନାମଧେୟ ପ୍ରାଣୀଟି ବିଷୟକ କଥା ଇଏ। ଅତଃ ମଣିଷର ଛବି ବୋଇଲେ ଦି ଗୋଡ଼, ଦି ହାତ, ମୁଣ୍ଡ ପେଟାଦି ସମ୍ବଳିତ ଚେହେରାଟିଏ। ତେବେ ମଣିଷଟିଏ ମିଳିଯିବା ମାତ୍ରେ ପହିଲେ ତା’ ସର୍ବାଙ୍ଗରେ ଆମ ନଜର ପହଁରାଇ ଆଣି ସାରି ଶେଷରେ ସେ ଡେଙ୍ଗା କି ବାଙ୍ଗର, ପତଳା କି ମୋଟା, ଚମଡ଼‌ାର ରଙ୍ଗ ଦୃଷ୍ଟିରୁ ସେ କଳା ନା ଧଳା ନା ସାବନା ଜାତୀୟ ଆଦି ଖୁଣ୍ଟିନାଣ୍ଟି ପରଖିବା ଭଳି ବ୍ୟାପାର ଭିତରକୁ ଆମର ଯିବାର ନାଇଁ। ସୁତରାଂ ମଣିଷର ସେ ବାହାରିଆ ଓ ଆଖି ଦେଖା ଚେହେରା ଯେ ମଣିଷର ଛବି ନୁହେଁ- ଏ କଥା ଏ କ୍ଷଣି ଆମେ ସୂଚାଇ ଦେବା ଠିକ ମଣୁଚୁ।

ଏଥକୁ ଅନୁମାନ କରି ଏତିକି କହିପାରୁ ଯେ ଆମର ଏଇ ବଚନିକା ଶୁଣିବା ଭିତରେ ଆପଣଙ୍କ ମହାର୍ଘ ମଗଜ କ’ଣ ତୁନିତାନି ସେଇମିତି ପଡ଼ି ରହି ଥିବ? ନା, ଆପଣଙ୍କ ମଗଜ ଆପଣଙ୍କୁ ଚେଙ୍କାଏ ଦେଇ ଇତି ମଧ୍ୟରେ ବାହାରୁ ଦିଶୁଥିବା ମଣିଷ ଦିହ ଭିତରକୁ ନେଇ କେତେ କେତେ କଥା ଅନ୍ଦାଜ କରି ସାରିବଣି! ତହୁଁ ଆପଣ ଜରୁର୍ କହି ପାରନ୍ତି: କିଓ, ୱହେମ ରନ୍ତଜେନ୍ ନାମକ ଜନୈକ ସୁଖ୍ୟାତ ବିଜ୍ଞନୀଙ୍କ ନାମ ଶୁଣିନା? ଏହି ସ୍ୱନାମଧନ୍ୟ ସାହେବ ଜଣକ ପରା କୋଉ କାଳୁ ‘ଏକ୍‌ସ ରେ’କୁ ସୃଜି ଦେଇ ତା’ର ତୀବ୍ର ଆଲୋକ ପକାଇ ମଣିଷ ରୂପୀ ଜୀବନ୍ତ ପିତୁଳାର ଅଭ୍ୟନ୍ତରର ହାଲ୍‌ କ’ଣ କେମିତି ଅଛି, ତା’ର ଛବି ମାନ ନିକାଲିବା ସମ୍ଭବ କରି ଯାଇ ଅଛନ୍ତି!

ସେବଠୁ ଏ ଯାଏ ଏ ନେଇ କେତେ କେତେ ବୈଜ୍ଞାନିକ ପ୍ରଗତି ହୋଇ ଚାଲିଚି ଓ ମଣିଷ ଭିତରର ଭଳିକି ଭଳି ଅଂଶ ବିଶେଷଙ୍କ କିସମ କିସମର ଛବିମାନ ଦେଖିବା ଆଉ କୋଉ ଦୁରୂହ ବ୍ୟାପାର ହୋଇ ରହିଛି ଯେ? ସେସବୁ ଦେଖିଲେ ସ୍ୱତଃ ଜାଣି ହୋଇଯାଉଛି ଯେ ମଣିଷର ଭିତର ଚେହେରାଟା ‌କେତେ ଅଲଗା।

ତେବେ ଆଜ୍ଞା, ଆମେ ଖୋଦ୍ ଯେତେ ମଣିଷପ୍ରେମୀ ମଣିଷଟାଏ ବୋଲି ନିଜେ ନିଜେ ଘୋଷି ହେଉଥିଲେ ହେଁ ମଣିଷ ଦିହ ଭିତରର ଗହନ ଇଲାକାମାନଙ୍କରେ ପ୍ରବେଶି ପାରିବା ଭଳି କଲିଜା ଯେ ଆମର ଜମାରୁ ନାଇଁ ଏ କଥା ଆଗତୁରା ସଫା କରି ଜଣାଇ ଦେଉଛୁ।

ମଣିଷ ମାତ୍ରେ ଇ ଦୁଃଖ ସୁଖର ଗୋଟେ ସମାହାର, ଚକ ପରି ସୁଖଦୁଃଖ ଘୂରୁଥାନ୍ତି ତା’ ଜୀବନରେ। ତେବେ ଦୁଃଖୀ ମଣିଷଟିଏ ଜୁଟିଗଲେ କିଛି କାଳ ‘ଆଃ ଚୁଃ ଚୁଃ’ ଆଦି ପରେ ଯିଏ ଯାହା ବାଟରେ କେମିତି ଛୁ’ ହୋଇଯାଆନ୍ତି, ତାହା ତୁମେ ଆମେ ସଭିଏଁ ଏଠି ଅନୁଭବି ସାରିଛେ।

କିନ୍ତୁ ସେମନ୍ତ ଦୁଃଖୀ ମଣିଷଟିକୁ ତା’ର ନାହିଁ ନଥିବା ଦୁଃଖର ଚକ୍ରବ୍ୟୂହ ଭିତରେ ଏକୁଟିଆ ସେମିତି ଉବୁଟୁବୁ ହେବାକୁ ଛାଡ଼ି ଦିଅନ୍ତି ନାହିଁ କିଛି ମଣିଷ। ଏମାନେ ନିଜେ ତହୁଁ ବଳି ନାନା ଜାତି ଦୁଃଖଙ୍କ ଘେରରେ ସତତ ସନ୍ତୁଳି ହେଉଥାନ୍ତି। ନିଜ ଦୁଃଖ ବି ଏମାନଙ୍କୁ ବେଳୁବେଳ ବଳେଇ ପଡୁଥାଏ। ନିଜର କି କାହାର ଦୁଃଖ ଲାଘବ କରିବାର ସାଧ୍ୟ ବା ସାଧନ ଏମାନଙ୍କ ପାଖରେ ନ ଥାଏ। ତଥାପି ସବୁ ଭୁଲି ନିଜ ଦୁଃଖର କବ୍‌ଜା ଭିତରୁ ଆପଣାକୁ ଜବରଦସ୍ତ ମୁକୁଳାଇ ନେଇ ସେମାନେ ଆଗେଇ ଆସି ଠିଆ ହୋଇଯାଆନ୍ତି ଦୁଃଖୀଟିଏ ଦେଖିଲେ! ଦୁଃଖ ହରଣ କି ଦୁଃଖ ଲାଘବ କରି ପକାଇ ଏମାନେ ବାହାବା ନିଅନ୍ତି ନାହିଁ। ବିନା କୌଣସି ପ୍ରତ୍ୟାଶାରେ ଏମାନେ ଦୁଃଖୀ ମଣିଷଟି ସହ ସେତେବେଳେ ବି ରହିଥାନ୍ତି, ଯେତେବେଳେ ଆଉ ଆଉ ମାନେ ‘ଆଃ ଚୁଃ ଚୁଃ’ ସାରି ତାକୁ ସେମିତି ଏକାକୀ ରହିବାକୁ ଛାଡ଼ି ଦେଇ ଯାଇଥାନ୍ତି। ବୋଲିବା ବାହୁଲ୍ୟ, ନିଜ ଦୁଃଖକୁ ଫୁଃ କରିଦେଇ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ସେ ବେଳରେ ଖାସ୍ କିଛି କରି ନ ପାରିଲେ ବି ତା’ ସାଥୀ ହୋଇ ତା’ ପାଖରେ ରହି ପାରୁଥିବା ଏଭଳି ମଣିଷ ହିଁ ଅନ୍ୟର ସୁଖରେ ବି ଅନ୍ତରର ସହ ସୁଖୀ ହୋଇପାରେ। ନୋହିଲେ କହୁ ନାହାନ୍ତି, ତୁମ ଆମ ପରିକା ମଣିଷଙ୍କ ପାଇଁ ଅନ୍ୟର ଦୁଃଖ କଥା ଛାଡ଼, ସୁଖ ଦେଖି ସତ ସତିକା ସୁଖୀ ହେବା କେତେ କାଠିକର ପାଠ ନୁହେଁ, ସତରେ?

ହଁ ଏଭଳି ମଣିଷପଣିଆ ଭରି ରହିଥିବା ମଣିଷ ପରି ମଣିଷ ହୁଏ’ତ ଦୁନିଆ ଦାଣ୍ଡରେ ସମ୍ପନ୍ନ ବା ଝଲମଲ ଦିଶେ ନାହିଁ, କିନ୍ତୁ ଆମ ମନଶ୍ଚକ୍ଷୁରେ ସେମାନଙ୍କ ଭାସ୍ୱର ଛବି ଲାଖି ରହିଯାଏ ଚିରକାଳ ପାଇଁ!

ବାସ୍, ମଣିଷର ଛବି କହିଲେ ଆମେ ମଣିଷ ଭିତରେ ନିଭୃତେ ସାଇତା ଏହି ଛବି କଥା ହିଁ କହିବାକୁ ଚାହୁଁଛୁ।

‘ସୁହାସିତମ୍’, କସ୍ତୁରୀ ନଗର, ରାୟଗଡ଼ା- ୭୬୫୦୦୧