ଏ ଦୁର୍ଦିନ ଦୂର ହେବ କେମିତି

ନିରଞ୍ଜନ ପଟ୍ଟନାୟକ

କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ବିରାଟ ଆହ୍ବାନ ହୋଇ ଛିଡ଼ାହୋଇଛି। ମଣିଷ ସଭ୍ୟତାର ସମସ୍ତ ପ୍ରଗତି ସତ୍ତ୍ବେ ମଣିଷ କେତେ ଅସହାୟ ତାହା କରୋନାର ଭୟାବହତାରୁ ପ୍ରମାଣିତ ହୋଇ ଯାଇଛି। ପ୍ରତିଦିନ କେହିନା କେହି ପରିଚିତ ଲୋକ ଜଣେ ଅକାଳରେ ଆଖି ବୁଜି ଦେଉଛନ୍ତି। ପରିସ୍ଥିତି ଏପରି ହୋଇଛି, ଗୋଟିଏ ଗୋଟିଏ ପରିବାରରୁ ସ୍ୱାମୀ-ସ୍ତ୍ରୀ, ବାପ-ପୁଅ, ଦାଦା ପୁତୁରା ଡକାହକା ହେବା ପରି ଆଗପଛ ହୋଇ ଚାଲି ଯାଉଛନ୍ତି, ପୁଣି ଶବକୁ ଚାରିକାନ୍ଧ ଦେବାକୁ ସାହି ଭାଇ ତ ଦୂରର କଥା ନିଜ ପରିବାରର ଲୋକ ବି ବାହାରୁ ନାହାନ୍ତି। ଏପରି ଏକ ଦୁର୍ଦ୍ଦିନ ମଣିଷ ଜାତିର ଇତିହାସରେ କେବେ ଆସିନଥିଲା କି ଆସିବନାହିଁ। ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆମକୁ ସତର୍କ ହେବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ ଓ ସମ୍ମିଳିତ ଭାବେ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

କରୋନା ମହାମାରୀ ସମୟରେ ବ୍ୟକ୍ତିର ଦାୟିତ୍ବ ହେଲା, ସେ ସରକାରଙ୍କ ଦ୍ବାରା ଲାଗୁ କରାଯାଉଥିବା ନିୟମକୁ କଡ଼ାକଡ଼ି ପାଳନ କରିବ ଓ କରୋନା କିପରି ତାଙ୍କ ମାଧ୍ୟମରେ ସଂକ୍ରମଣ ନ ହେବ ସେ କଥା ସେ ଦେଖିବ। ସରକାରଙ୍କର ଦାୟିତ୍ୱ ହେଲା, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ସ୍ବାସ୍ଥ୍ୟ ସଂପଦର ସୁରକ୍ଷା କରିବା ଓ ଦେଶ ତଥା ରାଜ୍ୟର ଅର୍ଥନୀତିକୁ ନିମ୍ନଗାମୀ ନ କରିବା।

ଏହି ପରିପ୍ରେକ୍ଷୀରେ ମୋର ଯାହା ମନେହୁଏ ଆଜି କରୋନା ତା’ର ଦ୍ବିତୀୟ ଲହରରେ ଯେଉଁ ତାଣ୍ଡବ ସୃଷ୍ଟି କରୁଛି, ସେଥିପାଇଁ ଦେଶର ଜନଗଣଙ୍କ ଅପେକ୍ଷା ସରକାର ଅଧିକ ପରିମାଣରେ ଦାୟୀ।

ଗତ ବର୍ଷ ଚାଇନାରୁ କରୋନା ଭୂତାଣୁ ଭାରତକୁ ଆସିବାର ଆଶଙ୍କା ଥିବା ବେଳେ, ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଖୁସି କରିବା ପାଇଁ ମୋଦୀ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଆୟୋଜିତ କଲେ, ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଲା। ସେହିପରି ଚଳିତ ବର୍ଷ କରୋନାର ଦ୍ବିତୀୟ ଲହର ମାଡ଼ି ଆସୁଥିବା ବେଳେ କୁମ୍ଭମେଳା ଆୟୋଜନ କରି ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ ହେବାକୁ ସୁଯୋଗ ଦିଆଗଲା। ଗତ ବର୍ଷ କରୋନା ବେଳେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ କଲେ ଓ ମଧ୍ୟପ୍ରଦେଶ ସରକାର ଭାଙ୍ଗି ନିର୍ବାଚନ କଲେ, ଏ ବର୍ଷ ଇତିହାସରେ ପ୍ରଥମ କରି ୮ ଦଫାରେ ଓ ପଶ୍ଚିମବଙ୍ଗରେ ନିର୍ବାଚନ କଲେ, ଏହିସବୁ ମନୋମୁଖୀ ନୀତି ଯାହା କି କରୋନା ସଂକ୍ରମଣକୁ ଏକପ୍ରକାର ନିମନ୍ତ୍ରଣ କରି ଆଣିଲା। ଗତବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ପରେ ଦେଶବାସୀଙ୍କୁ ଆଶ୍ବାସନା ଦିଆଗଲା କରୋନା ଟିକା ଆସିଗଲେ ଆଉ କିଛି ଭୟ କରିବାର ନାହିଁ, ହେଲେ ଆଜି ଯାଏଁ ଦଶ ଭାଗ ଲୋକ ବି ଟିକା ପାଇ ପାରିଲେ ନାହିଁ, ଆମ ରାଜ୍ୟରେ ତ ସରକାର ମଦର ହୋମ୍‌ ଡେଲିଭରି କରୁଛନ୍ତି ଅଥଚ ସାଧାରଣ ଲୋକଙ୍କୁ ଟିକା ଯୋଗାଇ ପାରୁନାହାନ୍ତି। ଏଇଠି ସ୍ମରଣରେ ଆସୁଛି ନଅଙ୍କ ଦୁର୍ଭିକ୍ଷ କଥା। ୧୮୬୬ରେ ଓଡ଼ିଶାରେ ଯେଉଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାହା କେତେକ ପ୍ରାକୃତିକ କାରଣ ଯୋଗୁ ହୋଇଥିଲେ ମଧ୍ୟ ତତ୍‌କାଳୀନ ଶାସକବର୍ଗଙ୍କର ଅବହେଳାରୁ ଏହା ଚରମ ଅବସ୍ଥାରେ ପହଞ୍ଚିଲା, ଦୁର୍ଭିକ୍ଷ ହୋଇଛି କି ନାହିଁ ଶାସକ ଜାଣିପାରିଲେ ନାହିଁ, ଦୁର୍ଭିକ୍ଷ ପରିସ୍ଥିତିକୁ କେମିତି ମୁକାବିଲା କରାଯିବ, ତାହା ମଧ୍ୟ ଶାସକବର୍ଗ ଜାଣି ନ ଥିଲେ। ଅଭିନବ ସରକାର ଦେଶର ଧନୀ ଓ ମଠ ମହନ୍ତମାନଙ୍କ ଠାରୁ ସାହାଯ୍ୟ ଆଣି ଲୋକମାନଙ୍କ ପାଖରେ କିପରି ପହଞ୍ଚିବେ, ସେଥି ପାଇଁ କୌଣସି ଯୋଜନା କରିପାରିଲେ ନାହିଁ, ଫଳରେ ଲୋକ ପୋକମାଛି ପରି ମଲେ, ମଣିଷ ଭୋକ ବିକଳରେ ଅଖାଦ୍ୟ ଖାଇଲା।

ନଅଙ୍କ ଦୁର୍ଭିକ୍ଷକୁ ଇତିମଧ୍ୟରେ ୧୫୦ ବର୍ଷରୁ ଅଧିକ ହେଲାଣି। କିନ୍ତୁ, ଆମ ଦୁର୍ଦ୍ଦିନ ଘୁଞ୍ଚିଲା ନାହିଁ। ଚଳିତ ବର୍ଷ କରୋନାର ଦ୍ବିତୀୟ ଲହରି ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆସିଲା ବାତ୍ୟା ୟାସ୍। ଏକାବେଳେ ଦୁଇଟି ବିପଦକୁ ମୁକାବିଲା କରିବା ଯେ କୌଣସି ସରକାର ପାଇଁ ଏକ ଆହ୍ବାନ ନିଶ୍ଚୟ। କିନ୍ତୁ ବାତ୍ୟା ଆଶଙ୍କା କରାଯାଉଥିବା ହାରରେ କ୍ଷତି ନକରି ଚାଲିଯିବା ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ଯେପରି ଆଭିମୁଖ୍ୟ ପ୍ରଦର୍ଶନ କଲେ, ସେଥିରୁ ସରକାର କେତେଦୂର ପ୍ରଚାର ସର୍ବସ୍ବ ହୋଇଗଲେଣି ତାହା ଯେ କେହି ଅନୁମାନ କରିପାରିବ। ୧୯୯୯ର ମହାବାତ୍ୟା ଥିଲା ସବୁଠାରୁ ଭିନ୍ନ। ସେତେବେଳେ ପାଣିପାଗ ବିଜ୍ଞାନ ସେତେ ଉନ୍ନତି କରି ନ ଥିବାରୁ ବାତ୍ୟା ସଂପର୍କରେ ଆଗୁଆ ସୂଚନା ମିଳିବା ସମ୍ଭବ ନ ଥିଲା। ଏହା ବାଦ୍‌ ସେହି ବାତ୍ୟାର ପ୍ରକୋପ ଏତେ ଶକ୍ତିଶାଳୀ ଥିଲା ଯେ, ପକ୍କାଘର ମଧ୍ୟ ଭୁଶୁଡ଼ିଗଲା, ଏବେ କିନ୍ତୁ ପାଣିପାଗ ବିଜ୍ଞାନୀମାନଙ୍କ ପାଇଁ ସୁପର କମ୍ପ୍ୟୁଟର ପରି ଶକ୍ତିଶାଳୀ କମ୍ପ୍ୟୁଟର, ସାଟେଲାଇଟ ଓ ଉନ୍ନତମାନର ରାଡ଼ାର ଉପଲବ୍‌ଧ ହେଲାଣି, ଯାହା ଫଳରେ ଅନ୍ତତଃ ସପ୍ତାହେ ପୂର୍ବରୁ ସମସ୍ତେ ବାତ୍ୟାର ଗତିପଥ ସଂପର୍କରେ ସମ୍ଭାବ୍ୟ ସୂଚନା ପାଇପାରୁଛନ୍ତି। ଏହା ଫଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ଏକପ୍ରକାର ସହଜ ହୋଇଛି। ଏଥର ଏହି ଆଗୁଆ ସୂଚନା ପାଇ ସରକାର ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ବୋଲି କହିଲେ, ଏହାର ହିସାବ କିଏ କେମିତି କଲା? ଆମେ ଗାଁ ଗହଳର ଓ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ ଯୋଗାଯୋଗ କରି ଯାହା ବୁଝିଲୁ, ତାହା ପ୍ରକୃତରେ ଅତ୍ୟନ୍ତ ନିରୁତ୍ସାହ ଜନକ। ଲୋକମାନଙ୍କୁ ପ୍ରଲୋଭିତ କରାଗଲା। ବାତ୍ୟା ଆଶ୍ରୟସ୍ଥଳୀକୁ ଆସି ନାମ ଦରଜ କରିଥିବା ଲୋକ ହିଁ ପରବର୍ତ୍ତୀ ସମୟରେ ବାତ୍ୟା ସହାୟତା ପାଇପାରିବ। ତେଣୁ, ଅଧିକାଂଶ ପକ୍କା ଘର ଥିବା ଲୋକ ଦିନରୁ ଆସି ନାମ ପଞ୍ଜୀକରଣ କରି ସନ୍ଧ୍ୟାକୁ ଘରକୁ ଫେରିଗଲେ, କିନ୍ତୁ ଅନ୍ୟ ପକ୍ଷରେ କୁହାଯାଇପାରେ ଉପକୂଳ ଅଂଚଳର ଛଅ ଲକ୍ଷ ଲୋକଙ୍କୁ କାହିଁକି ବାତ୍ୟା ଆଶ୍ରୟସ୍ଥଳକୁ ଅଣାଗଲା? କାରଣ, ତାଙ୍କର ପକ୍କା ଘର ନାହିଁ। ତା’ ହେଲେ ଏତେ ବର୍ଷ ହେଲା ପକ୍କାଘର ଯୋଜନାରେ ଘର ପାଉଛନ୍ତି କେଉଁମାନେ? ପ୍ରକୃତରେ ସରଜମିନରୁ ଯାହା ଜଣାଯାଉଛି, ପକ୍କାଘର ସବୁ ଦଳୀୟ ଭିତ୍ତିରେ ସରକାରୀ ଦଳ ସମର୍ଥକମାନେ ଆଜିଯାଏ ପାଇ ଆସୁଛନ୍ତି। କିନ୍ତୁ ଦୈବୀ ଦୁର୍ବିପାକ ବେଳେ ସାଧାରଣ ଲୋକଙ୍କୁ ମୋହରା କରି ପୁରସ୍କାର ହାତେଇବା ସ୍ବପ୍ନରେ ପାଗଳ ସରକାର କାହିଁ ଜାଣିବେ ଗରିବ ଜନସାଧାରଣଙ୍କ ବାସ୍ତବ ସ୍ଥିତି।
ତିତିଲି, ହୁଡହୁଡ, ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକେ ଆଜି ଯାଏ ସେମାନଙ୍କ କ୍ଷତିପୂରଣ ପାଇନାହାନ୍ତି। କିନ୍ତୁ ଏହି ଦୁର୍ବିପାକକୁ ମଉକା ଭାବି ଫାଇଦା ଯୋଗାଡ଼ କରିବାରେ ସରକାର ପାଗଳ, ରାଜ୍ୟର ସମ୍ବଳ ଯଥେଷ୍ଟ ଥିଲେ, କେନ୍ଦ୍ରକୁ ସାହାଯ୍ୟ ନ ମାଗିବା ଭଲ କଥା। ଏବେ ପ୍ରଶ୍ନ ଉଠୁଛି ଆମ ରାଜ୍ୟ ଯଦି ସମ୍ବଳରେ ସକ୍ଷମ ତେବେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି କାହିଁକି? ପ୍ରକୃତ କଥା ହେଲା ବିଜେପି ଓ ବିଜେଡି ସଲାସୁତରା କରି ଦୁର୍ଦ୍ଦିନରୁ ମଧ୍ୟ ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ, ଏ କଥା ଲୋକେ ଜାଣିଗଲେଣି।

ଏବେ କରୋନା ସ୍ଥିତି ଏମିତି ସଂଗିନ୍‌ ଯେ, ପ୍ରତିଦିନ କାହାର ନା କାହାର ପରିଚିତ ମଣିଷ ମୃତ୍ୟୁମୁଖରେ ପଡୁଛି। ଡାକ୍ତରଖାନାରେ ବେଡ୍‌ଟିଏ ପାଇବା ପାଇଁ ଧରାଧରି ନ କଲେ ସମ୍ଭବ ହେଉନି। ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲିବୁଲି ରୋଗୀର ଆମ୍ବୁଲାନ୍‌ସରେ ପ୍ରାଣ ଯାଉଛି। ବାତ୍ୟା ସମୟରେ ବିଭିନ୍ନ ଡାକ୍ତରଖାନାରେ ଶତାଧିକ ରୋଗୀଙ୍କ ମୃତଦେହ ଦିନ ଦିନ ଧରି ପଡ଼ି ରହିଲା। ଟିକାକରଣରେ ତ ଅବ୍ୟବସ୍ଥା ନ କହିଲେ ଭଲ। ଆଜି ଯେଉଁ କେନ୍ଦ୍ରରେ ଟିକା ମିଳିବ ବୋଲି ସୂଚନା ମିଳୁଛି କାଲି ସେ କେନ୍ଦ୍ରରେ ତାଲା ଝୁଲୁଛି। ଶୁଣିବାକୁ କେହି ନାହାନ୍ତି। ଏଥର ଗ୍ରାମାଞ୍ଚଳର ସ୍ଥିତି ଆହୁରି ସଂଗିନ୍, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ନାଁରେ କେବଳ ବ୍ୟବସାୟୀ ଓ କିଛି ଗାଡିଚାଳକଙ୍କୁ ଫାଇନ କଟାଯାଉଛି। ଏଣେ ସବୁ ମେଲା ମୁକୁଳା, କିଏ କାହାକୁ କହିବ? ଲୋକେ ଭାଗ୍ୟକୁ ଆଦରି ରହିଲେଣି। ଏହି ସମୟରେ ବେଡି ଉପରେ କରୋଡା ମାଡ଼ ପରି, ବଜାରରେ ସବୁ ଖାଉଟି ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି। ତଥାପି କିଛି ଲୋକ ବିକାଶର ସ୍ଲୋଗାନ ଦେଉଛନ୍ତି ଓ ସୁଶାନର ନାରା ‌େଦଉଛନ୍ତି। ଏଥି ପାଇଁ ଆମର ସଚେତନତା ଅଭାବ ଏକମାତ୍ର ଦାୟୀ। ଲୋକେ ସଚେତନ ନ ହେଲେ ଭଲ ଓ ମନ୍ଦର ପାର୍ଥକ୍ୟ ଜାଣିପାରିବେ ନାହିଁ, ନିଜେ ହିଁ ନିଜ ପାଇଁ କାଳ ହେବେ। ତେଣୁ ଏ ମହାମାରୀ ଓ ବାତ୍ୟା ଆମକୁ ଶିକ୍ଷା ଦେଲା, ସଚେତନ ହୋଇ ଆମେ ଆମ ହକ୍‌ ପାଇଁ ସ୍ୱର ଉଠେଇବା, କାହାର ପୁରସ୍କାର ଓ ପ୍ରଲୋଭନରେ ଆମ ଦୁଃଖ ଘୁଞ୍ଚିବ ନାହିଁ। ସମସ୍ତଙ୍କୁ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଏକ ଉତ୍ତରଦାୟୀ ସରକାରର କର୍ତ୍ତବ୍ୟ ବୋଲି ଆମକୁ ମନେରଖିବାକୁ ହେବ।

ଓଡ଼ିଶା ପିସିସି ସଭାପତି

ସମ୍ବନ୍ଧିତ ଖବର